Unknown

 

 

 

 

 

 

 

 

 

 

ୟସନାୟା ପୋଲ୍ୟାନା

ଲେଓ ଟଲ୍‍ଷ୍ଟୟ୍

ଅନୁବାଦ

ଚିତ୍ତରଞ୍ଜନ ଦାସ

 

ଓଡ଼ିଆ ଅନୁବାଦର ବକ୍ତବ୍ୟ

 

ପୃଥିବୀର ପ୍ରସିଦ୍ଧ ଉପନ୍ୟାସକାର ଲେଓ ଟଲ୍‍ଷ୍ଟୟ ଯେ ଗାଆଁର କୃଷକପିଲାଙ୍କ ପାଇଁ ଗୋଟିଏ ଇସ୍କୁଲ କରିଥିଲେ, ସେକଥା ଅନେକେ ଜାଣନ୍ତି ନାହିଁ । ଟଲ୍‍ଷ୍ଟୟଙ୍କର ନିଜ ଜୀବନଟି ଠିକ୍ ଏକ ଉପନ୍ୟାସ ପରି, ବହୁ ବିଚିତ୍ର ଉପଲବ୍ଧିରେ ଅତ୍ୟନ୍ତ ସରସ ଓ ପ୍ରେରଣାଯୁକ୍ତ । ଦୟା କରି ଜଣେ ବଡ଼ଲୋକ ଦରିଦ୍ର ଚାଷୀପିଲାଙ୍କ ପାଇଁ ସତେଅବା ଅନ୍ନସତ୍ର ଦେଲା ପରି ବିଦ୍ୟାଳୟଟିଏ ବସାଇ ନଥିଲେ । ପ୍ରାଥମିକ ବିଦ୍ୟାଳୟ-ସ୍ତରର ଶିକ୍ଷାସମ୍ଭନ୍ଧୀୟ ବହୁ ସମସ୍ୟାକୁ ନେଇ ସିଏ ପ୍ରାୟ ଦେଢ଼ଶହ ବର୍ଷ ତଳେ ଯେଉଁ ପ୍ରୟୋଗ ସବୁ କରିଥିଲେ, ଏବେ ମଧ୍ୟ ସେଗୁଡ଼ିକର ପୂର୍ଣ୍ଣ ପ୍ରାସଙ୍ଗିକତା ରହିଛି ।

 

ଯେତେବେଳେ ଜଣେ ଶିକ୍ଷକ ତା’ର ଛାତ୍ରମାନଙ୍କ ଠାରୁ ତା’ ଅଧ୍ୟାପନାର ଅସଲ ସୂତ୍ରଗୁଡ଼ିକୁ ଶିଖିବ ବୋଲି ମନ କରି ନିଜ କର୍ମଭୂମିରେ ପ୍ରବେଶ କରେ, ସେତେବେଳେ ତା’ ର ସାନ ବଡ଼ ସବୁକିଛି କାର୍ଯ୍ୟ ଗୋଟିଏ ଗୋଟିଏ ପ୍ରୟୋଗରେ ପରିଣତ ହୁଏ । ସିଏ ଏକ ଅନ୍ୟ ପୃଥିବୀର କଥା । ଆମେ ଯେଉଁମାନେ ଗୁରୁ ହିଁ ବ୍ରହ୍ମା-ବିଷ୍ଣୁ-ମହେଶ୍ଵର ଏବଂ ପରଂବ୍ରହ୍ମ ବୋଲି ମୂଳରୁ ଧରିନେଇ ଶିକ୍ଷକ ହେବା ନାଆଁରେ ନିଜକୁ ପିଲାମାନଙ୍କ ଉପରେ ନେଇ ଲଦିଦେଇ, ଆମେ ସେହି ପୃଥିବୀର ଥଳକୂଳ ହିଁ ପାଇବା ନାହିଁ । ଗୋଟିଏ ପିଲା ଭିତରେ ତା’ ସମ୍ଭାବନାର ଗଭୀରରେ କେଉଁ ପରମଶିଳ୍ପୀର ବରାଦ ଅନୁସାରେ କ’ଣଟିଏ ରହିଛି, ଯାହାକି କେବଳ ଫୁଲଟିଏ ହୋଇ ଫୁଟି ଉଠିବ ବୋଲି ଅନୁକୂଳ ବନ୍ଧୁପୃଥିବୀଟିଏ ଖୋଜି ବୁଲୁଛି, ଏତିକି ବିଶ୍ଵାସ ନଥିଲେ ଆମେ କେହି ଶିକ୍ଷକର ଭୂମିକାରେ ରହି ମଧ୍ୟ ମୋଟେ କିଛି କରି ପାରିବା ନାହିଁ । ବହୁ ପାଣ୍ଡିତ୍ୟ ଦେଖାଇ ନିଜ ମାଙ୍କଡ଼ାମିଗୁଡ଼ାକୁ ଧରା ପକାଇ ଦେଉଥିବା ସିନା, ଅଧିକ କିଛି କରି ପାରିବା ନାହିଁ ।

 

ଶିକ୍ଷାର ଅସଲ ପ୍ରୟୋଗଗୁଡ଼ିକ ସରକାରମାନେ କେବେ କରିନାହାନ୍ତି କି କରିବେ ନାହିଁ-। ସରକାରମାନେ ମଣିଷକୁ ଭୟ କରନ୍ତି ଓ ତେଣୁ ମହା ସମାରୋହରେ ମଣିଷଟାକୁ ମେଣ୍ଢା ବନାଇବାରେ ସବୁଠାରୁ ଅଧିକ ଆଗ୍ରହ ରଖିଥାନ୍ତି । ଆମ ଭାରତବର୍ଷରେ ମଧ୍ୟ ଅସଲ ଶିକ୍ଷାପ୍ରୟୋଗମାନ ସରକାର ବାହାରେ ହୋଇଛି ଓ ହେଉଛି । ସୁଅ ବିରୋଧରେ ଯିଏ ତଥାପି ଯିବ, ତାହାରି ଦ୍ଵାରା ଶିକ୍ଷା ବଦଳିବ । ଶିକ୍ଷା ବଦଳିବା ସଙ୍ଗେ ସଙ୍ଗେ ଏହି ଦୁଷ୍ଟ କାଳଟା ମଧ୍ୟ ବଦଳି ଯାଉଥିବ । ଶିକ୍ଷକ ସବାଆଗ ନିଜର ଅସଲ ଧର୍ମଟି ବିଷୟରେ ଜାଗରୂକ ହୋଇ ରହିଲେ ସରକାରମାନେ ତାକୁ ଅଲବତ ବାଟ ଛାଡ଼ିଦେବେ । ଜଣେ ଛାତ୍ର ନିଜର ଅସଲ ଭୋକଗୁଡ଼ିକ ବିଷୟରେ ଜାଗରୂକ ହେଲେ ଶିକ୍ଷକ ମଧ୍ୟ ଯେପରି ଅଲବତ ବାଟ ଛାଡ଼ି ଦିଅନ୍ତି, ଇଏ ଠିକ୍ ସେହିପରି କଥା ।

 

ପୁସ୍ତକଟିରେ ମଝିରେ ମଝିରେ କେତୋଟି ଏପରି ଅଂଶ ଥିଲା, ରୁଷିଆର ଇତିହାସ ଓ ସାହିତ୍ୟ ସହିତ ବିସ୍ତୃତ ପରିଚୟ ନଥିଲେ ଓଡ଼ିଶାରେ ଆମେ ଯେଉଁଗୁଡ଼ିକୁ ଆଦୌ ବୁଝି ପାରିନଥାନ୍ତେ । ଅନୁବାଦରେ ସେଗୁଡ଼ିକୁ ଛାଡ଼ି ଦିଆଯାଇଛି । ତଥାପି କେଉଁଠାରେ କ’ଣ ଖଣ୍ଡିଆ ରହିଯିବା ପରି ମୋଟେ ଲାଗିବନାହଁ ।

Image

 

ସୂଚୀପତ୍ର

 

୧.

ଇସ୍କୁଲଟିର ଗୋଟିଏ ମୋଟାମୋଟି ନକ୍ସା

୨.

ସ୍କୁଲ ଆରମ୍ଭ ହେଲେ

୩.

ଶ୍ରେଣୀଗୃହର ଚେହେରା

୪.

ଶ୍ରେଣୀ ଗୁଡ଼ିକ

୫.

ବିଦ୍ୟାଳୟଟିର ମୁକ୍ତ ବିକାଶ

୬.

ପିଲା-ପିଲାଙ୍କ ଯୁଦ୍ଧ

୭.

ଶୃଙ୍ଖଳା

୮.

ଚୋର

୯.

ପରୀକ୍ଷାର ନମ୍ବର

୧୦.

ଉପରଓଳିର ପାଠପଢ଼ା

୧୧.

ଶେଷ ଘଣ୍ଟା ବାଜିଲା

୧୨.

ସନ୍ଧ୍ୟାର କାର୍ଯ୍ୟକ୍ରମ

୧୩.

ଅରଣ୍ୟ-ଭ୍ରମଣ

୧୪.

ଉପଯୋଗିତା ଓ ସୌନ୍ଦର୍ଯ୍ୟ

୧୫.

ମୁଁ ଯାଉଛି !!

୧୬.

ଶଙ୍କାଗୁଡ଼ିକର ସମାଧାନ

୧୭.

ଛାତ୍ରମାନଙ୍କର ଗୁଣାତ୍ମକ ମାନ

୧୮.

ସ୍କୁଲ ବିଷୟରେ ବାପାମାଆଙ୍କ ଧାରଣା

୧୯.

ପୁସ୍ତକ-ପଠନ

୨୦.

କେତେ କେତେ ପ୍ରୟୋଗ

୨୧.

ଅନୁକ୍ରମବଦ୍ଧ ପଠନ

୨୨.

ସମ୍ଭାବ୍ୟ କାରଣ ଓ ସମ୍ଭାବ୍ୟ ସହାୟତା

୨୩.

ପିଲାମାନେ କିପରି ଲେଖି ଶିଖିଲେ

୨୪.

ଲେଖିବାରେ ଉନ୍ନତି-ସାଧନ

୨୫.

ବ୍ୟାକରଣ-ଶିକ୍ଷା

୨୬.

ରଚନାଲେଖାର ଅଭ୍ୟାସ

୨୭.

ରଚନାଗୁଡ଼ିକରୁ କେତୋଟି ନମୁନା

୨୮.

ଆବୃତ୍ତି ଓ ପରୀକ୍ଷାମାନ

୨୯.

ବିଦ୍ୟାଳୟର ପ୍ରାଣାତ୍ମା

୩୦.

ବାଇବେଲ୍ କାହାଣୀ

୩୧.

ପିଲାଙ୍କ ପାଇଁ ବାଇବେଲ୍

୩୨.

ରୁଷିଆର ଇତିହାସ

୩୩.

ଇତିହାସର ପ୍ରଥମ ପାଠ

୩୪.

ରୁଷିଆ ଇତିହାସରେ ଏକ ପ୍ରୟୋଗ

୩୫.

ଭୂଗୋଳ

୩୬.

କଳା ଓ ସଙ୍ଗୀତ

୩୭.

ଚିତ୍ରାଙ୍କନ

୩୮.

ସଙ୍ଗୀତ-ଶିକ୍ଷା

 

 

ପରିଶିଷ୍ଟ

 

 

୧.

କିଏ କାହାଠାରୁ ଲେଖି ଶିଖିବ ? ଚାଷୀଘରର ପିଲାଏ ଆମଠାରୁ ନା ଆମେ ଚାଷୀଘରର ପିଲାଙ୍କ ଠାରୁ ?

Image

 

ୟସନାୟା ପୋଲ୍ୟାନା

(ନଭେମ୍ବର ଓ ଡିସେମ୍ବର, ୧୮୬୨)

 

ପ୍ରଥମ ଅଧ୍ୟାୟ

ଇସ୍କୁଲଟିର ଗୋଟିଏ ମୋଟାମୋଟି ନକ୍ସା

 

ଆମର ଏଠି କୌଣସି ପିଲା ମୂଳରୁ ପଢ଼ା ଆରମ୍ଭ କରିବାର କୌଣସି ବ୍ୟବସ୍ଥା ନାହିଁ । ସବାତଳ ଶ୍ରେଣୀର ପିଲାମାନେ ଏଠାରେ ବହି ପଢ଼ି ପାରନ୍ତି, ଲେଖି ପାରନ୍ତି, ପାଟୀଗଣିତର ପ୍ରଥମ ତିନି ସୂତ୍ର ପକାଇ ଅଙ୍କ କଷି ପାରନ୍ତି । ସେମାନେ ଧର୍ମର ପବିତ୍ର କାହାଣୀଗୁଡ଼ିକୁ ମୁଖସ୍ଥ କରି ରଖନ୍ତି । ଅର୍ଥାତ୍, ଆମ ବିଦ୍ୟାଳୟର ପାଠ ବିଷୟଗୁଡ଼ିକ ଏହିପରି କ୍ରମରେ ରହିଥାଏ ।

 

ମୁକ୍ତ ଓ କ୍ରମବଦ୍ଧ ପଠନ

 

ରଚନା

 

ହସ୍ତଲିଖନ

 

ବ୍ୟାକରଣ

 

ପବିତ୍ର କାହାଣୀ

 

ରୁଷିଆର ଇତିହାସ

 

ଚିତ୍ରାଙ୍କନ

 

ଗୀତ

 

ଗଣିତ

 

ପ୍ରକୃତିବିଜ୍ଞାନ ବିଷୟରେ କଥୋପକଥନ

 

ଧର୍ମଶିକ୍ଷା

 

ଆମ ଶିକ୍ଷାପ୍ରଣାଳୀ ବିଷୟରେ କହିବା ପୂର୍ବରୁ ମୁଁ ୟସନାୟା ପୋଲ୍ୟାନା ବିଦ୍ୟାଳୟ ଓ ତାହାର ବର୍ତ୍ତମାନ ସ୍ଥିତି ବିଷୟରେ କିଛି ବର୍ଣ୍ଣନା ଦେବା ଉଚିତ ବୋଲି ଭାବୁଛି ।

 

ଯେକୌଣସି ଜୀବନ୍ତ ଶରୀର ପରି ବିଦ୍ୟାଳୟଟି ଯେ କେବଳ ପ୍ରତ୍ୟେକ ବର୍ଷ, ପ୍ରତ୍ୟେକ ଦିନ ଓ ପ୍ରତ୍ୟେକ ଘଣ୍ଟାରେ ବଦଳି ଯିବାରେ ଲାଗିଛି, କେବଳ ତାହା ନୁହେଁ, ମାତ୍ର ଏହା କେତେ ସାମୟିକ ସଙ୍କଟର ମଧ୍ୟ ସମ୍ମୁଖୀନ ହୋଇଛି, କେତେ ଭାଗ୍ୟବିପର୍ଯ୍ୟୟ, ବେରାମ ଓ ବିଫଳତାକୁ ମଧ୍ୟ ତାହା ଅଙ୍ଗେ ନିଭାଇଛି ।

 

ଏବର୍ଷ ଗ୍ରୀଷ୍ମ କାଳରେ ହିଁ ୟସନାୟା ପୋଲ୍ୟାନା ବିଦ୍ୟାଳୟକୁ ସେହିଭଳି ଗୋଟିଏ ଅତ୍ୟନ୍ତ ଦୁଖଃଦାୟକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଛି । ତାହାର ବହୁତ କାରଣ ମଧ୍ୟ ରହିଥିଲା : ପ୍ରଥମତଃ, ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଯାହା ଘଟିଥାଏ, ଆମର ସବୁ ଭଲ ଭଲ ଛାତ୍ର ବିଦ୍ୟାଳୟ ଛାଡ଼ି ଅନ୍ୟତ୍ର ଚାଲିଗଲେ । କେବଳ ସମୟ ସମୟରେ ହିଁ ବିଲରେ କାମ କରୁଥିବା ବେଳେ କିମ୍ବା ଗାଈ ଚରାଇବା ବେଳେ ଆମର ସେମାନଙ୍କ ସହିତ ଭେଟ ହେଉଥିଲା । ଦ୍ଵିତୀୟ କଥା ହେଉଛି, କେତେଜଣ ନୂଆ ଶିକ୍ଷକ ବିଦ୍ୟାଳୟକୁ ଆସିଲେ ଓ ବିଦ୍ୟାଳୟ ଉପରେ ସେହି କାରଣରୁ ନୂତନ ପ୍ରଭାବସବୁ କି ପଡ଼ିଥିଲା । ତୃତୀୟରେ, ଗ୍ରୀଷ୍ମଛୁଟି ହୋଇଥିବାରୁ ଅନ୍ୟ ସ୍ଥାନମାନଙ୍କରୁ ଶିକ୍ଷକମାନେ ଆମ ବିଦ୍ୟାଳୟଟିକୁ ବୁଲି ଦେଖିବାକୁ ଆସୁଥିଲେ । ଏବଂ, ଯଦି ପରିଦର୍ଶକ ମାନଙ୍କର ଧାଡ଼ି ଲାଗି ରହିଥିବ, ସେହି ପରିଦର୍ଶକମାନେ ଶିକ୍ଷକ ହୋଇଥାନ୍ତୁ ପଛକେ, ତଦ୍ଦ୍ଵାରା ବିଦ୍ୟାଳୟଟିର ନିୟମିତ ପରିଚାଳନାର କ୍ଷେତ୍ରରେ ଯେ ବହୁତ କିଛି ବିଗିଡ଼ି ଯିବାକୁ ବାଧ୍ୟ ହେବ, ସେଥିରେ କୌଣସି ସନ୍ଦେହ ନାହିଁ ।

 

ଆମ ବିଦ୍ୟାଳୟରେ ଶିକ୍ଷକ ଚାରିଜଣ । ଦୁଇଜଣ ପୁରୁଣା, ସେମାନେ ବିଦ୍ୟାଳୟରେ ଦୁଇ ବର୍ଷ ଅଧ୍ୟାପନା କରିଛନ୍ତି । ଛାତ୍ରମାନଙ୍କ ସହିତ ଓ ସେମାନଙ୍କର ଯାବତୀୟ କାର୍ଯ୍ୟ ସହିତ ଏମାନଙ୍କର ଉତ୍ତମ ପରିଚୟ ରହିଛି । ବିଦ୍ୟାଳୟରେ ଛାତ୍ରମାନଙ୍କୁ ଯେଉଁ ସ୍ଵାଧୀନତା ଦିଆଯାଏ ଏବଂ ଫଳରେ ସତେଅବା ଆଦୌ କୌଣସି ଶୃଙ୍ଖଳା ନଥିବା ପରି ବାହାରକୁ ଯେପରି ମନେ ହେଉଥାଏ, ଏହି ଦୁଇଜଣ ସେକଥା ଭଲ କରି ଜାଣିଛନ୍ତି ।

 

ଦୁଇଜଣ ଶିକ୍ଷକ ନୂଆ; ସେମାନେ ମାତ୍ର ଏବେ ନିଜର ପାଠ ସାରିଛନ୍ତି । ବାହାରେ ସବୁକିଛି ନିୟମ ମୁତାବକ ଅବଶ୍ୟ ରହୁ ବୋଲି ସେମାନେ ଦେଖିବାକୁ ଇଚ୍ଛା କରୁଛନ୍ତି । ନିୟମଗୁଡ଼ିକ ପାଳନ ହେଉ, ଘଣ୍ଟା ବାଜୁ, ନିର୍ଦ୍ଧାରିତ ହୋଇଥିବା ଶୃଙ୍ଖଳା ଅନୁସାରେ ସବୁ କାର୍ଯ୍ୟକ୍ରମ ଚାଲୁ, ଇତ୍ୟାଦି । ପ୍ରଥମ ଦୁଇଜଣଙ୍କୁ ଯାହା ଯୁକ୍ତିଯୁକ୍ତ ଓ ଆବଶ୍ୟକ ବୋଲି ମନେ ହେଉଛି, ଅନ୍ୟ ପ୍ରକାରେ ହେବା ଏକାବେଳକେ ଅସମ୍ଭବ ବୋଲି ଲାଗୁଛି, ନୂଆ ଶିକ୍ଷକ ଦୁଇଜଣଙ୍କ ପାଇଁ ତାହା ବେଳେବେଳେ ଚରମ ବିଶୃଙ୍ଖଳା ପରି ହିଁ ଲାଗୁଛି । ପ୍ରଥମ ଦୁଇଜଣଙ୍କୁ ବିଦ୍ୟାଳୟର ଜୀବନଟି ତ ସେହି ଅତି ସରଳ ଓ ପ୍ରିୟ ପିଲାଟିର ମୁହଁଟି ପରି ଦେଖାଯାଉଛି, ଯିଏକି ତୁମର ଆଖି ସାମ୍ନାରେ ହିଁ ଏଡ଼ୁଟିରୁ ଏଡ଼ୁଟିଏ ହୋଇଛି । ତେଣୁ, ବିସ୍ମିତ ହେବାର କିଛି ନାହିଁ ।

 

ପଥର କାନ୍ଥଦିଆ ଗୋଟିଏ ଦୁଇମହଲା ଘରେ ବିଦ୍ୟାଳୟଟି ସ୍ଥାପିତ ହୋଇଛି । ଦୁଇଟି ବଖରାରେ ସ୍କୁଲ ହେଉଛି; ଗୋଟିକରେ ଲାଇବ୍ରେରୀ । ଶିକ୍ଷକମାନଙ୍କ ପାଇଁ ଦୁଇଟି କୋଠରୀ । ବାହାରେ ସାନ ଘଣ୍ଟାଟିଏ ଟଙ୍ଗା ହୋଇଛି । ତଳ ମହଲାରେ ଠିକ୍ ଭିତରକୁ ପଶି ଆସିବାର ଦ୍ଵାର ପାଖରେ କାର୍ ଓ ଜିମ୍ନାଷ୍ଟିକ୍ କରିବାର ଅନ୍ୟ ସରଞ୍ଜାମମାନ ରହିଛି, ଉପରର ପ୍ରବେଶଦ୍ଵାରରେ ବଢ଼େଇ କାମର ବେଞ୍ଚ୍ ଟିଏ ।

 

ସିଡ଼ି ଓ ପ୍ରବେଶଦ୍ଵାର ଗୁଡ଼ିକ ସାଧାରଣତଃ ବରଫ ବା ଧୂଳିରେ ଆବୃତ ହୋଇ ରହିଥାଏ । ସେଇଠାରେ ସ୍କୁଲର କାର୍ଯ୍ୟକ୍ରମଟି ମଧ୍ୟ ଝୁଲା ହୋଇ ରହିଥାଏ ।

 

ବିଦ୍ୟାଳୟର ପାଠନିର୍ଘଣ୍ଟଟି ଏହିପରି :

 

ସକାଳେ ଆଠଟା ବାଜିଲେ ସେଠାରେ ରାତିରେ ରହୁଥିବା ଶିକ୍ଷକ ଜଣକ ଗୋଟିଏ ପିଲାକୁ ଘଣ୍ଟା ବଜାଇବା ନିମନ୍ତେ ଆଦେଶ ଦିଅନ୍ତି । ଏହି ଶିକ୍ଷକ ବାହାରର ଶୃଙ୍ଖଳାକୁ ଭଲପାଆନ୍ତି-। ସିଏ ହେଉଛନ୍ତି ବିଦ୍ୟାଳୟର ନିର୍ଦ୍ଦେଶକ । ପିଲାଟି ମଧ୍ୟ ପ୍ରାୟ ସବୁଦିନ ରାତିରେ ଶିକ୍ଷକଙ୍କ ପାଖରେ ସେଇଠି ରହେ ।

 

ଗାଆଁର ଲୋକମାନେ ଉଠି ଦୀପ ଜଳାଇ ଦିଅନ୍ତି । ସ୍କୁଲଘରର ଝରକାରେ ଦୀପମାନେ କେତେବେଳୁ ଦୃଷ୍ଟିଗୋଚର ହୋଇ ସାରିଥାନ୍ତି ଏବଂ, ଘଣ୍ଟା ଦିଆଯିବାର ଅଧଘଣ୍ଟାକ ଭିତରେ, ଦିନେ ଦିନେ କୁହୁଡ଼ି ଘୋଟି ରହିଥାଏ, କେତେ ବରଷା ବି ହେଉଥାଏ ବା ହୁଏତ ଶରତ ସକାଳର ସୂର୍ଯ୍ୟ ତିର୍ଯ୍ୟକ୍ ଭାବରେ କିରଣ ଦେବାକୁ ଆରମ୍ଭ କରି ଦେଇଥାନ୍ତି-କଳା ହୋଇ ଦିଶୁଥିବା ସାନ ସାନ ଆକୃତିମାନ ଢାଲୁ ରାସ୍ତାରେ ସଚଳ ହେବାକୁ ଆରମ୍ଭ କରନ୍ତି । ଗାଆଁ ଓ ଇସ୍କୁଲ ଭିତରେ ଯେଉଁ ଗଡ଼ନ୍ତିଆ ଜାଗାଟି ଥାଏ, ସେମାନେ ସେଇଟିକୁ ଅତିକ୍ରମ କରୁଥାନ୍ତି, ସେମାନେ ଅଲଗା ଅଲଗା ଦୁଇ ବା ତିନି ତିନି ଜଣ ଏକାଠି ହୋଇ ଆସିବାରେ ଲାଗିଥାନ୍ତି । ପଲ ବାନ୍ଧି ଆସିବାର ବୋଧଟି ପିଲାମାନଙ୍କ ଭିତରୁ ବହୁ ଦିନରୁ ଲୋପ ପାଇ ସାରିଲାଣି । ଏବେ ଆଉ କୌଣସି ପିଲା ରାସ୍ତାରେ ଛିଡ଼ା ହୋଇ “ପିଲାମାନେ ଆସ, ଇସ୍କୁଲ ବେଳ ହେଲାଣି” ବୋଲି ଡାକିବା ଆବଶ୍ୟକ ହେଉନାହିଁ ।

 

ଇସ୍କୁଲ ଶବ୍ଦଟା ଯେ କ୍ଳୀବ ଲିଙ୍ଗ, ପିଲା ତାହା ପାଠରେ ଶିକ୍ଷା କରି ସାରିଛି । ସିଏ ଆହୁରି କ’ଣ ବି ଶିକ୍ଷା କରିଛି । ଏବଂ, ଅତ୍ୟନ୍ତ ବିଚିତ୍ର କଥା ଯେ, ତାହାରି ଫଳସ୍ଵରୂପ ସିଏ ଏବେ ଆଉ ଗୋଟିଏ ପଲକୁ ଅବଲମ୍ବନ କରି ରହିବାର ଆବଶ୍ୟକତାକୁ ମୋଟେ ଅନୁଭବ କରୁନାହିଁ । ଯେତେବେଳେ ଯିବାର ସମୟ ହେଉଛି, ସେ କାହାରିକୁ ଅପେକ୍ଷା ନକରି ବେଶ୍ ଚାଲିଯାଉଛି ।

 

ମୁଁ ଭାବୁଛି, ସେମାନେ ଦିନୁଁ ଦିନ ଅଧିକ ସ୍ଵାଧୀନ ହେବାରେ ଲାଗିଛନ୍ତି, ଜଣେ ଜଣେ ବ୍ୟକ୍ତି ହେଉଛନ୍ତି । ଏବଂ ସେମାନଙ୍କର ସ୍ଵଭାବ ମଧ୍ୟ ଜଣେ ଅନ୍ୟଜଣଙ୍କ ଠାରୁ ଅତି ସ୍ପଷ୍ଟ ଭାବରେ ବାରି ହୋଇ ଯାଉଛି । ମୁଁ ସେମାନଙ୍କୁ ପ୍ରାୟ କେବେହେଲେ ଘରକୁ ଗଲାବେଳେ ବାଟରେ ଖେଳିବାର ଦେଖିନାହିଁ । ଅବଶ୍ୟ, କେତେଜଣ ନିତାନ୍ତ ଛୋଟ ପିଲା ଅଛନ୍ତି, ବା ଆଉ କୌଣସି ସ୍କୁଲରେ ପାଠ ଆରମ୍ଭ କରିଥିବା ଓ ଏଠାକୁ ନୂଆ ଆସିଥିବା କେତେଜଣ ଅଛନ୍ତି, ଯେଉଁମାନେ କି ଖେଳୁଛନ୍ତି ।

 

ସେମାନେ ସାଙ୍ଗରେ ଆଦୌ କିଛି ଧରି ସ୍କୁଲକୁ ଆସନ୍ତି ନାହିଁ,–ବହି ବା ଖାତା କିଛି ନୁହେଁ । ସେମାନେ ଘରେ ଥିବା ସମୟରେ ନିଜର ପାଠ ପଢ଼ିବେ ବୋଲି ମଧ୍ୟ ସେମାନଙ୍କୁ କେବେ କୁହାଯାଏ ନାହିଁ । ଇସ୍କୁଲକୁ ଆସିବାବେଳେ କେବଳ ସେମାନଙ୍କ ହାତରେ ଯେ କିଛି ନଥାଏ ତା’ ନୁହେଁ, ମୁଣ୍ଡ ଭିତରେ ବି କିଛି ନଥାଏ । ଗୋଟିଏ ପିଲା କାଲି ସନ୍ଧ୍ୟାବେଳେ ଯାହାକିଛି ପାଠ ଶିଖିଥିଲା, ଆଜି ସିଏ ସେଗୁଡ଼ିକୁ ମନେ ରଖିବ ବୋଲି ତାକୁ ମୋଟେ ବାଧ୍ୟ କରା ଯାଏନାହିଁ । ଆଜି ମଧ୍ୟ ବିଦ୍ୟାଳୟରେ ପୁଣି କିଛି ପଢ଼ା ହେବ ବୋଲି ସିଏ ଆଦୌ ବ୍ୟସ୍ତ ବା ଚିନ୍ତିତ ହେଉନଥାଏ । ସିଏ କେବଳ ନିଜକୁ ସାଙ୍ଗରେ ନେଇ ସ୍କୁଲକୁ ଆସେ, ନିଜର ଗ୍ରହଣଶୀଳ ସ୍ଵଭାବକୁ ନେଇକରି ଆସେ । ଏବଂ, କାଲି ପରି ଆଜି ମଧ୍ୟ ବିଦ୍ୟାଳୟରେ ତା’ର ପୂରା ସମୟଟି ନିଶ୍ଚୟ ଆନନ୍ଦମୟ ହେବ ବୋଲି ତା’ ଭିତରେ ଏକ ଦୃଢ଼ ପ୍ରତ୍ୟୟ ରହିଥାଏ ।

 

କ୍ଲାସ୍ ଆରମ୍ଭ ହେବା ପର୍ଯ୍ୟନ୍ତ କ୍ଲାସ୍ ବିଷୟରେ ସେ କୌଣସି ଚିନ୍ତା କରେ ନାହିଁ । ଆସିବାରେ ଡେରି ହେଲା ବୋଲି ଆଦୌ କୌଣସି ଦୋଷ ବା ଦଣ୍ଡ ଦିଆ ଯାଏ ନାହିଁ । ତେଣୁ, କୌଣସି ଅଧିକ ବୟସର ପିଲାକୁ ବାପା କିମ୍ବା ମାଆ ଦିନେ ଦିନେ ଗୋଟିଏ କିଛି କାମ ଲାଗି ଅଟକାଇ ରଖିବା ବ୍ୟତୀତ କୌଣସି ପିଲାଙ୍କର କେବେହେଲେ ଡେରି ହୁଏନାହିଁ । ଏବଂ, ସେହି କ୍ଷେତ୍ରରେ, ଅଧିକ ବୟସ୍କ ପିଲାଟା ଏକାବେଳେ ଖର ବେଗରେ ଦଉଡ଼ି ଦଉଡ଼ି ଇସ୍କୁଲରେ ଆସି ପହଞ୍ଚେ, ଏକାବେଳେ ଅଣନିଶ୍ଵାସୀ ହୋଇ ଯାଇଥାଏ ।

 

ଯଦି ଏପରି ହୁଏ ଯେ, ଶିକ୍ଷକ ଆସି ପହଞ୍ଚି ନଥାନ୍ତି, ତେବେ ପିଲାମାନେ ପ୍ରବେଶଦ୍ଵାର ପାଖରେ ଯାଇ ରୁଣ୍ଡ ହୋଇଯାନ୍ତି, ପାହାଚମାନଙ୍କରେ ସେମାନଙ୍କର ପାଦଶବ୍ଦ ଶୁଭୁଥାଏ । ଅଥବା, ଆଉ କେତେକ ବରଫ ପଥର ପରି ବସି ଯାଇଥିବା ବାଟ ଗୁଡ଼ିକରେ ଖସଡ଼ା ଖସନ୍ତି ବା କେତେକ ଶ୍ରେଣୀଘରେ ଯାଇ ବସିଥାନ୍ତି ।

 

ଯଦି ଥଣ୍ଡା ପଡ଼ିଥାଏ, ତେବେ ସେମାନେ କିଛି ପଢ଼ୁଥାନ୍ତି, ଲେଖୁଥାନ୍ତି ବା ଏକାଠି ଦଉଡ଼ାଦଉଡ଼ି ହୋଇ ଖେଳ ଖେଳୁଥାନ୍ତି, ଏବଂ ଶିକ୍ଷକ ଆସିବେ ବୋଲି ଅପେକ୍ଷା କରୁଥାନ୍ତି ।

 

ଝିଅପିଲାମାନେ ପୁଅମାନଙ୍କ ସହିତ ମିଶନ୍ତି ନାହିଁ । ଯଦି ପୁଅମାନେ ଝିଅମାନଙ୍କ ଆଗରେ ଉପସ୍ଥାପିତ କରିବା ସକାଶେ ମନରେ କିଛି ପାଞ୍ଚିଥାନ୍ତି, ତେବେ ସେମାନେ ଆଦୌ କୌଣସି ନିର୍ଦ୍ଦିଷ୍ଟ ଝିଅକୁ ଡାକି ମୋଟେ ତାହା କହନ୍ତି ନାହିଁ । ସେମାନେ ଏକାଠି ସବୁ ଝିଅଙ୍କୁ ସମ୍ବୋଧନ କରି ଏହିପରି କହନ୍ତି: “ଏ ଝିଅମାନେ, ତୁମେମାନେ କାହିଁକି ବରଫରେ ଖସଡ଼ା ଖସୁନାହଁ,” ଅଥବା, “ଦେଖରେ, ଝିଅମାନେ କିପରି ଥଣ୍ଡାରେ ଗୋଟାସୁଦ୍ଧା କୋଲ ମାରିଗଲେଣି” କିମ୍ବା, “ହେ ଝିଅମାନେ, ତୁମେମାନେ ମୋ’ ପଛରେ ଦଉଡ଼ିଲ !”

 

କୌଣସି ଧନୀ ପରିବାରରେ କୋଠିଆ କାମ କରୁଥିବା ଜଣେ ବ୍ୟକ୍ତିର ଦଶ ବର୍ଷର କୁନି ଝିଅଟି,–ବହୁତ ଓ ବହୁମୁଖୀ ବୁଦ୍ଧି–ସମ୍ଭବତଃ ଏକା ସେଇ ସାହାସ କରି ଅନ୍ୟ ଝିଅମାନଙ୍କର ମେଳରୁ ନିଜକୁ ବାହାର କରି ଆଣେ । ଏବଂ, ପୁଅ ପିଲାମାନେ ସତେଅବା ଜଣେ ପୁଅପିଲା ସହିତ ମିଶିବା ପରି ତା’ ସହିତ ଯାଇ ମିଶନ୍ତି, ତାକୁ ନିଜର ସମାସ୍କନ୍ଧ ପରି ଭାବନ୍ତି ଏବଂ ବେଶ୍ ଖୁସୀ ହୁଅନ୍ତି । ହଁ, ସେତେବେଳେ ସେମାନେ କିଞ୍ଚିତ୍ ସମ୍ଭ୍ରମ, ବିନୟ ଓ ଆତ୍ମସଞ୍ଜମର ପ୍ରଦର୍ଶନ ମଧ୍ୟ କରିଥାନ୍ତି ।

Image

 

ଦ୍ଵିତୀୟ ଅଧ୍ୟାୟ

ସ୍କୁଲ ଆରମ୍ଭ ହେଲେ

 

ଚାଲ ମନେ କରିବା ଯେ, ତିଆରି ହୋଇଥିବା ରୁଟିନ୍ ଅନୁସାରେ ଆମେ ପ୍ରଥମ ଶ୍ରେଣୀରେ ଅର୍ଥାତ୍ ସବାସାନ ପିଲାମାନଙ୍କର କ୍ଲାସରେ ପଠନକୁ ବିଷୟରୂପେ ରଖିଛୁ । ଦ୍ଵିତୀୟ ଘଣ୍ଟାରେ କ୍ରମବଦ୍ଧ ପଠନର କାର୍ଯ୍ୟକ୍ରମ ରହିଛି ଏବଂ ତୃତୀୟ ଘଣ୍ଟାରେ ଗଣିତ ରହିଛି ।

 

ଶିକ୍ଷକ ଶ୍ରେଣୀ ଭିତରକୁ ଗଲେ; ଦେଖିଲେ ଯେ ପିଲାମାନେ ଗଡ଼ାଗଡ଼ି ହେଉଛନ୍ତି, ପରସ୍ପର ସହିତ କୁସ୍ତି କରିବାରେ ଲାଗିଛନ୍ତି ଏବଂ ଏଡ଼େ ଏଡ଼େ ପାଟିରେ ଚିତ୍କାର କରିବାରେ ଲାଗିଛନ୍ତି: “ମୋ’, ତଣ୍ଟିକୁ କାହିଁକି ଚିପି ଧରୁଛୁ ?” “ସେମିତି ଚୁଟିକି ଟାଣିବୁ ନାହିଁ, ବୁଝିଲୁ ?” ଅଥବା, “ହଉ ହେଲା, ଏଥର ଛାଡ଼ି ଦେ’ ” ।

 

ଶିକ୍ଷକ ଶ୍ରେଣୀ ଭିତରକୁ ଆସୁଥିବାର ଦେଖି ପଲଟା ଭିତରୁ ଗୋଟିଏ ସ୍ଵର ହୁଏତ କହିବାକୁ ଆରମ୍ଭ କରେ, ‘‘ପିଓତର୍ ମିଖାଇଲୋଭିତ୍ ଆସିଲେଣି, ଏଥର ଖେଳ ବନ୍ଦ ହେବ ।”

 

ଅନ୍ୟମାନେ ଏକାବେଳେକେ ଚିଲେଇ କହି ଉଠନ୍ତି, “ନମସ୍କାର, ପିଓତର୍ ମିଖାଇଲୋଭିଚ୍ । ଏହାଦ୍ଵାରା ଘୋ’ ଘା’ ଟା ଆହୁରି ଅଧିକ ହୋଇଯାଏ ।

 

ଶିକ୍ଷକ ବହିଗୁଡ଼ିକୁ ନେଇ ପିଲାମାନଙ୍କ ଭିତରେ ବାଣ୍ଟିଦିଅନ୍ତି । ସେତେବେଳକୁ କିଛି ପିଲା ଯଥାସ୍ଥାନକୁ ଆସି ପାରିଥାନ୍ତି । ଯେଉଁମାନେ ଚଟାଣ ଉପରେ ଲାଗିଥିବା ଧସ୍ତାଧସ୍ତିର ଉପରେ ଥିଲେ, ସେମାନେ ଆଗ ଓ ତା’ପରେ ତଳେ ରହି ଯାଇଥିବା ପିଲାମାନେ,–ସମସ୍ତେ ବହି ମାଗିବାକୁ ଆସନ୍ତି ।

 

ଏଡ଼େ ବଡ଼ ଗଦାଟା କ୍ରମେ ସାନ ହୋଇ ଆସେ । ଅଧିକାଂଶ ପିଲାଙ୍କୁ ବହି ମିଳିଯିବା ପରେ ଅନ୍ୟମାନେ ମଧ୍ୟ ଦଉଡ଼ି ଯାଇ “ମୋତେ ଦିଅ” “ମୋତେ ଦିଅ” ବୋଲି ଚିତ୍କାର କରୁଥାନ୍ତି ।

 

“ମୁ କାଲି ଯୋଉ ବହି ନେଇଥିଲି, ଆଜି ମଧ୍ୟ ସେଇଖଣ୍ଡିକ ନେବି ।”

 

“ମୋତେ କୋଲଟସୋଫଙ୍କ ବହି ଦିଅନ୍ତୁ ।” (ଗତ ଶତାବ୍ଦୀରେ ଜଣେ ରୁଷୀୟ କବି)

 

ଏହି ପରି ଦୃଶ୍ୟ ଓ ଶ୍ରାବ୍ୟମାନ ଲାଗି ରହିଥାଏ ।

 

ଯଦି ସେତେବେଳେ ଯାଏ ମଧ୍ୟ ଦୁଇଟି ପିଲା ଚଟାଣ ଉପରେ ଧରାପରା ହୋଇଥାନ୍ତି, ତେବେ ନିଜ ନିଜ ବହି ନେଇ ନିଜ ନିଜ ଜାଗାରେ ବସିଥିବା ପିଲାମାନେ ପାଟି କରି କହନ୍ତି :

 

“ତୁମେ ଦୁହେଁ ଏପରି ଗର୍ଜନ କାହିଁକି କରୁଛ ? ଆମକୁ କିଛି ଶୁଭା ଯାଉନାହିଁ । ଚୁପ୍ କରିବଟି ।” ସମ୍ପୃକ୍ତ ଦୁଇଜଣଯାକ ଆବେଗ ସମ୍ବରଣ କରି ଏଥର ହୋସକୁ ଆସନ୍ତି । ନିଜ ନିଜର ବହି ନେବାବେଳେ ସେମାନଙ୍କର ନିଃଶ୍ଵାସ ତଥାପି ଖର ହୋଇ ରହିଥାଏ । ଏବଂ, ପ୍ରଥମ ଦୁଇ ବା ତିନି ମୂହୁର୍ତ୍ତ ପାଇଁ କ୍ଷୀଣ ହୋଇ ଆସୁଥିବା ସେମାନଙ୍କର ଉତ୍ତେଜନାଟା ବେଳେବେଳେ ଖର ବେଗରେ ଗୋଡ଼ ହଲାଇବାର ମାଧ୍ୟମରେ ବ୍ୟକ୍ତି ହେବାରେ ଲାଗିଥାଏ ।

 

ଯୁଦ୍ଧ କରିବାର ଭାବଟି ଅପସରି ଯାଇ ଶ୍ରେଣୀଗୃହରେ ଶିକ୍ଷାଲାଭ କରିବାର ଭାବଟି କ୍ରମେ ବିରାଜୀ ଆସିବାକୁ ଆରମ୍ଭ କରେ । ଯେତିକି ଉତ୍ସାହର ପ୍ରାବଲ୍ୟରେ ସିଏ କ୍ଷଣକ ଆଗରୁ ମିଟକାର ଚୁଟି ଟାଣିବାରେ ଲାଗିଥିଲା, ଠିକ୍ ସେତିକି ଉତ୍ସାହରେ ପିଲାଟି ବର୍ତ୍ତମାନ କୋଲଟସୋଫ୍ ଲେଖିଥିବା ବହିଟିକୁ ପଢ଼ିବାକୁ ଆରମ୍ଭ କରିଦିଏ । ତା’ର ଦୁଇ ଧାଡ଼ି ଦାନ୍ତଗୁଡ଼ିକ ମାଡ଼ି ହୋଇ ରହିଥାନ୍ତି, ଆଖି ଦୁଇଟି ଉଜ୍ୱଳ ଚକଚକ୍ ଦିଶୁଥାଏ ଏବଂ ବହିଟି ବ୍ୟତୀତ ଚତୁଷ୍ପାର୍ଶ୍ଵର ଜଗତଟି ବିଷୟରେ ତା’ର ଆଉ ଆଦୌ କୌଣସି ଚେତା ନଥାଏ । ମୁହୁର୍ତ୍ତେ ପୂର୍ବରୁ ତାକୁ ତା’ର କୁସ୍ତିକ୍ଷେତ୍ରରୁ ବାହାର କରି ଆଣିବାକୁ ଯେତିକି ଶକ୍ତି ଆବଶ୍ୟକ ହୋଇଥିଲା, ବର୍ତ୍ତମାନ ତା’ ବହିପଢ଼ା ଭିତରୁ ମଧ୍ୟ ତାକୁ ବାହାର କରି ଆଣିବାକୁ ହୁଏତ ପୂରାପୂରି ସେତିକି ଶକ୍ତି ହିଁ ଦରକାର ହେବ ।

Image

 

ତୃତୀୟ ଅଧ୍ୟାୟ

ଶ୍ରେଣୀଗୃହର ଚେହେରା

 

ପିଲାମାନେ ଶ୍ରେଣୀଗୃହରେ ଯିଏ ଯେଉଁଠି ମନ କରନ୍ତି, ସେଠାରେ ଯାଇ ବସନ୍ତି । କିଏ ବେଞ୍ଚ୍ ଉପରେ, କିଏ ଚଉକିରେ, କିଏ ଝରକା ବାଡ଼ ଉପରେ, କିଏ ଏକାବେଳେ ଚଟାଣ ଉପରେ ଓ ଆଉକିଏ ଆରମ ଚଉକିରେ ।

 

ଝିଅମାନେ ସବୁବେଳେ ଅଲଗା ଗୋଟିଏ ଯୂଥ ବାନ୍ଧି ବସନ୍ତି । ନିଜ ନିଜ ସାଙ୍ଗମାନଙ୍କୁ ବାଛି, ନିଜ ଗାଆଁର ଅନ୍ୟ ପିଲାଙ୍କ ସହିତ,–କାରଣ ସେମାନଙ୍କ ଭିତରେ ଅଧିକ ବନ୍ଧୁତା ରହିଥାଏ,–ବିଶେଷତଃ ସାନ ପିଲାମାନଙ୍କ କ୍ଷେତ୍ରରେ ସେହିପରି ହିଁ ଘଟିଥାଏ ।

 

ସେମାନଙ୍କ ଭିତରୁ ଜଣେ ପିଲା ଯେମିତି କୋଠରୀଟିର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବା କୋଣରେ ଯାଇ ବସିବାକୁ ନିଷ୍ପତ୍ତିଟିଏ କରେ, ତା’ର ଖେଳସାଥୀମାନେ ସମସ୍ତେ ସେହିଠାରେ ଯାଇ ରୁଣ୍ଡ ହୋଇ ଯାଆନ୍ତି । ଠେଲାଠେଲି ହୋଇ, ଆବଶ୍ୟକ ପଡ଼ିଲେ ବେଞ୍ଚମାନଙ୍କ ତଳେ ଗଳି ଖସିଯାଇ ସେମାନେ ସେଇଠି ଖୁନ୍ଦି ହୋଇଯାଆନ୍ତି । ସେଠାରେ ଧାଡ଼ିଟିଏ କରି ବସନ୍ତି ଏବଂ ତା’ପରେ ଯେମିତି ଚତୁର୍ଦ୍ଦିଗରେ ଆଖି ବୁଲାଇ ଆଣନ୍ତି, ସେତେବେଳେ ସେମାନଙ୍କର ମୁହଁ ଉପରେ ପୂର୍ଣ୍ଣ ଆନନ୍ଦ ଓ ସନ୍ତୋଷ ଭାବଟି ସ୍ପଷ୍ଟ ପରିସ୍ପୁଟ ହୋଇ ଉଠୁଥାଏ । ମନେ ହୁଏ, ଏହିପରି ସ୍ଥାନମାନଙ୍କରେ ବସିବା ଅପେକ୍ଷା ସେମାନେ ସତେ ଯେପରି ନିଜ ଜୀବନର କୌଣସି କଥାରୁ ମଧ୍ୟ ଏତେବେଶୀ ଆନନ୍ଦ କଦାପି ପାଉନଥାନ୍ତେ ।

 

ସେମାନେ ଶ୍ରେଣୀଗୃହ ମଧ୍ୟରେ ପ୍ରବେଶ କରିବା ମାତ୍ରକେ ବଡ଼ ଆରାମ ଚଉକିଟି ହିଁ ଅପେକ୍ଷାକୃତ ଅଧିକ ସ୍ଵାଧୀନ ବ୍ୟକ୍ତିତ୍ଵ ଥିବା ପିଲାମାନଙ୍କ ଲାଗି ଈର୍ଷାର ଏକ ବସ୍ତୁ ହୋଇଯାଏ,–ସାନ ଝିଅଟି ଓ ଅନ୍ୟମାନଙ୍କ ପାଇଁ ବିଶେଷ ଭାବରେ ଏହା ଘଟିଥାଏ । ଜଣେ ପିଲା ଯାଇ ସେଠାରେ ବସିବାର ଇଙ୍ଗିତ ବ୍ୟକ୍ତ କରିବା ମାତ୍ରକେ, ଏପରି ଗୋଟାଏ ଯୋଜନା ତା’ ମୁଣ୍ଡରେ ଆସି ପଶିଲାଣି ବୋଲି ତା’ ମୁହଁ ଉପରୁ ସନ୍ଧାନ ପାଇ ହୁଏତ ଆଉଜଣେ ତତକ୍ଷଣାତ୍ ସଚେତନ ହୋଇଉଠେ । ଦୁହେଁ ଏକାବେଳେ ପ୍ରତିଯୋଗିତା ଆରମ୍ଭ କରିଦିଅନ୍ତି,–ଧାଇଁ ଯାଇ ଆଗ ଉକ୍ତ ସ୍ଥାନଟିକୁ ଦଖଲ କରିବାରେ ଲାଗିପଡ଼ନ୍ତି ।

 

ଜଣେ ପିଲା ହୁଏତ ଆରଟି ଠାରୁ ଚଉକୀଟିକୁ ଟାଣି ନେଇଯାଏ ଏବଂ ସେଇଟି ଉପରେ ଆସୀନ ହୋଇଯାଇ ଅଣ୍ଟାଟିକୁ ବଙ୍କା କରିଦେଇ ନିଜର ଶରୀରଟାକୁ କେଡ଼େ ଆରାମରେ ଲମ୍ବାଇଦିଏ । ମାତ୍ର, ଏଣେ ଅନ୍ୟ ସମସ୍ତଙ୍କ ପରି ପୁସ୍ତକପାଠ କରିବାରେ ଲାଗିଥାଏ, ନିଜର କର୍ମରେ ସମ୍ପୂର୍ଣ୍ଣ ଭାବରେ ମଗ୍ନ ହୋଇ ରହିଥାଏ ।

 

ଶ୍ରେଣୀ ସମୟରେ ମୁଁ କେବେହେଲେ କାହାକୁ ଫସଫୁସ୍ ହେବାର, ଚୁମୁଟା ଚୁମୁଟି କରିବାର ହେଁ ହେଁ ହେବାର, ଅଶାଳୀନ ଭାବରେ କୌଣସି ଶବ୍ଦ କରିବାର ବା ଶିକ୍ଷକଙ୍କ ନାମରେ କୌଣସି କାହାଣୀ ଫାନ୍ଦି କହିବାର ଲକ୍ଷ୍ୟ କରିନାହିଁ । ଯେତେବେଳେ ଗୀର୍ଜାର କୌଣସି କର୍ମଚାରୀ ଅଥବା ସାଧାରଣ ଜିଲ୍ଲା–ବିଦ୍ୟାଳୟରେ ଶିକ୍ଷା ପାଇଥିବା କୌଣସି ପିଲା ଏହିଭଳି ଅନୁଚିତ ଆଚରଣର ଅଭିଯୋଗ ନେଇ କର୍ତ୍ତାମାନଙ୍କ ପାଖକୁ ଯାଏ, ତେବେ ତାକୁ ଏପରି ପ୍ରଶ୍ନଟିଏ ପଚରାଯାଏ ।”

 

“ତୁ ଯେ ନିଜେ ନିଜକୁ ଚୁମୁଟି ଦେଇନାହୁଁ, ସେ ବିଷୟରେ ତୁ ନିଶ୍ଚିତ ତ ?”

Image

 

ଚତୁର୍ଥ ଅଧ୍ୟାୟ

ଶ୍ରେଣୀ ଗୁଡ଼ିକ

 

ସାନ ଦୁଇଟିଯାକ କ୍ଲାସ୍ ଗୋଟିଏ କୋଠରୀରେ ହିଁ ହୁଏ । ବଡ଼ ଶ୍ରେଣୀର ପିଲାମାନେ ଅନ୍ୟ କୋଠରୀଟିରେ ବସନ୍ତି । ଶିକ୍ଷକ ପ୍ରଥମ ଶ୍ରେଣୀ ମଧ୍ୟରେ ପ୍ରବେଶ କରିବା ମାତ୍ରକେ ପିଲାମାନେ କଳାପଟା ପାଖକୁ ଯାଇ ତାଙ୍କୁ ବେଢ଼ି ଯାଆନ୍ତି, ଅଥବା ବେଞ୍ଚ୍ କିମ୍ବା ଟେବୁଲ୍ ଉପରେ ଛିଡ଼ା ହୋଇ ଯାଆନ୍ତି କିମ୍ବା ତାଙ୍କୁ ଘେରି ତଳେ ବସିପଡ଼ନ୍ତି । ପଢ଼ୁଥିବା ପିଲାଙ୍କ ମଧ୍ୟରୁ ଜଣକ ଚାରିପାଖରେ ପାଇ ବି ବସିଯାଆନ୍ତି ।

 

ଅବଶ୍ୟ କିଛି ଲେଖିବାକୁ ରହିଥିଲେ ସେମାନେ ଅପେକ୍ଷାକୃତ ଅଧିକ ସୁବିଧାଜନକ ସ୍ଥାନମାନଙ୍କରେ ଯାଇ ବସିପଡ଼ନ୍ତି,–ମାତ୍ର ତଥାପି ଗୋଟିଏ ଜାଗାରୁ ଉଠି ଆଉ ଗୋଟିଏ ଜାଗାକୁ ଯିବାର ପ୍ରକ୍ରିୟାଟି ଲାଗି ରହିଥାଏ । ସେମାନେ ପରସ୍ପରର ଖାତାକୁ ଯେପରି ଅନାଇ ଦେଖିପାରିବେ, ସେଥିପାଇଁ ସେଭଳି କରିଥାନ୍ତି । ନିଜ ଖାତାଟିକୁ ନେଇ ମଧ୍ୟ ଶିକ୍ଷକଙ୍କୁ ଦେଖାଉଥାନ୍ତି । ମଧ୍ୟାହ୍ନ ଭୋଜନ ଯାଏ ଚାରି ପିରିଅଡ଼୍ ପାଠ ପଢ଼ାହେବ ବୋଲି ଧାର୍ଯ୍ୟ କରାଯାଇଛି । ମାତ୍ର, ବାସ୍ତବ କ୍ଷେତ୍ରରେ କେବଳ ଦୁଇଟି କିମ୍ବା ତିନୋଟି ପିରିଅଡ଼୍ ସମ୍ଭବ ହୁଏ ଏବଂ ତାହା ଫଳରେ କାର୍ଯ୍ୟନିର୍ଘଣ୍ଟଟି ସମ୍ପୁର୍ଣ୍ଣ ଭାବରେ ବଦଳି ଯାଏ । ହୁଏତ ଶିକ୍ଷକ ପାଟୀଗଣିତରୁ ଆରମ୍ଭ କରିଥାନ୍ତି, ତା’ପରେ ଜ୍ୟାମିତିକୁ ଯାଆନ୍ତି । କିମ୍ବା, ଯଦି ଧର୍ମ–କାହାଣୀରୁ ଆରମ୍ଭ କରିଥାନ୍ତି, ତେବେ ତା’ ପରେ ବ୍ୟାକରଣ ପଢ଼ାନ୍ତି ।

 

ବେଳେବେଳେ ଶିକ୍ଷକ ଏବଂ ପିଲାମାନେ ଏପରି ହୁଏତ ମଜ୍ଜି ଯାଆନ୍ତି ଯେ, ଘଣ୍ଟାକ ଜାଗାରେ ତିନିଘଣ୍ଟା ଯାଏ ଗୋଟିଏ ବିଷୟ ଲାଗି ରହିଥାଏ । ଏପରି ବି ହୁଏ ଯେ, ସ୍ୱୟଂ ପିଲାମାନେ ହିଁ “ଆଉ, ଆଉ” ବୋଲି ଚିତ୍କାର କରୁଥାନ୍ତି । ଯୋଉ ବିଷୟଗୁଡ଼ିକ ସେମାନଙ୍କୁ ଆଦୌ ସରସ ଲାଗୁନଥାଏ, ସେଗୁଡ଼ିକର କ୍ଷେତ୍ରରେ ମଧ୍ୟ ସେମାନେ ଏଡ଼େ ପାଟି କରି “ମୋଟେ ଭଲ ଲାଗୁନାହିଁ, ବର୍ତ୍ତମାନ ଆପଣ ସାନ ପିଲାଙ୍କ କ୍ଲାସକୁ ଯାଆନ୍ତୁ ” ବୋଲି ଅଭିଯୋଗ ବି କରୁଥାନ୍ତି ।

 

କେବଳ ଧର୍ମଶିକ୍ଷାର ପିରିଅଡ଼ଟି ହିଁ ନିୟମିତ ଭାବରେ ହୁଏ । କାରଣ, ସେଇଟିକୁ ପଢ଼ାଉଥିବା ଶିକ୍ଷକ ବାହାରୁ ପ୍ରାୟ ଦୁଇ କୋଶ ବାଟରୁ ଆସନ୍ତି ଏବଂ ସପ୍ତାହକୁ ମାତ୍ର ଦୁଇଥର ଆସନ୍ତି । ସେତେବେଳେ ପିଲାମାନେ ଚିତ୍ରାଙ୍କନ କରିବାକୁ ରହିଥିବା କୋଠରୀରେ ଯାଇ ଏକାଠି ରୁଣ୍ଡ ହୁଅନ୍ତି । ଏହି ସବୁ ଶ୍ରେଣୀ ଆରମ୍ଭ ହେବା ପୂର୍ବରୁ ପ୍ରାୟ ସମସ୍ତେ ଚଞ୍ଚଳ ହୋଇ ଉଠନ୍ତି, ସବୁ ଉତ୍ତେଜନା ଓ ବାହ୍ୟ ବିଶୃଙ୍ଖଳା ସେତିକିବେଳେ ଆରମ୍ଭ ହୋଇଯାଏ । କିଏ ଗୋଟାଏ ବେଞ୍ଚକୁ ଏ ଘରୁ ଟାଣି ସେ ଘରେ ନେଇ ପକାଉଥାଏ, ଆଉକିଏ କାହା ସହିତ ଲଢ଼ିବ ବୋଲି ବାହାରେ, କିଏ ପାଉଁରୁଟି ଆଣିବ ବୋଲି ଘରକୁ ଯାଏ, ଆଉକିଏ ସେହି ରୁଟିକୁ ନେଇ ଚୁଲି ଉପରେ ସେକୁଥାଏ । କିଏ ଆଉ କାହାଠାରୁ କ’ଣଟିଏ ମାଗି ଖାଉଥାଏ, ଆଉକିଏ ଜିମନାଷ୍ଟିକ୍ କରୁଥାଏ । ମାତ୍ର, ସକାଳର କୋଳାହଳ ଓ ବିଶୃଙ୍ଖଳା ସମୟରେ ଯାହା ହୋଇଥାଏ, ପିଲାମାନଙ୍କ ଉପରେ ବଳ ପ୍ରୟୋଗ ନକରି ସେମାନଙ୍କୁ ସେମାନଙ୍କର ସ୍ଵାଭାବିକ ଆବେଗଗୁଡ଼ିକୁ ପ୍ରକଟ କରିବା ନିମନ୍ତେ ଛାଡ଼ି ଦେବାଦ୍ୱାରା ହିଁ ବିଶୃଙ୍ଖଳାକୁ ପୁନର୍ବାର ଶୃଙ୍ଖଳାରେ ପରିଣତ କରି ଦେଇହୁଏ ।

 

ବର୍ତ୍ତମାନ ବିଦ୍ୟାଳୟଟି ଯେପରି ଧାରାରେ ଚାଲୁଛି, ଶାରୀରିକ ବଳ ପ୍ରୟୋଗ କରି ପିଲାମାନଙ୍କୁ ଆୟତ୍ତରେ ରଖିବା ଆଦୌ ସମ୍ଭବ ହୁଅନ୍ତା ନାହିଁ । ଶିକ୍ଷକ ଯେଡିକି ବଡ଼ ପାଟିରେ ପିଲାମାନଙ୍କୁ ଶୃଙ୍ଖଳାକୁ ଆଣିବା ପାଇଁ ଚେଷ୍ଟା କରୁଥିବେ,–ଏହି ପ୍ରୟୋଗଟି ଆଗରୁ କରି ଦେଖା ମଧ୍ୟ ଯାଇଛି–ପିଲାମାନେ ସେତିକି ଅଧିକ ଜୋରରେ ରାବିବାରେ ଲାଗିଥିବେ । ଶିକ୍ଷକଙ୍କର ଚିତ୍କାର ସେମାନଙ୍କୁ କେବଳ ଅଧିକ ଉତ୍ତେଜିତ ହେବାରେ ସାହାଯ୍ୟ କରୁଥିବ । ଯଦି ତୁମେ ସେମାନଙ୍କୁ ଶାନ୍ତକରି ଆଣିବାରେ ସଫଳ ହେବ ବା ଆଉ କୌଣସି ଦିଗରେ ସେମାନଙ୍କୁ ଆକୃଷ୍ଟ କରିନେଇ ପାରିବ, ତେବେ ସେମାନଙ୍କର କୋଳାହଳ ରୂପକ ସମୁଦ୍ରଟି କ୍ରମେ କମ୍ ଓ ଆହୁରି କମ୍ ବିକ୍ଷୁବ୍ଧ ହୋଇ ଆସିବ ଏବଂ ପରିଶେଷରେ ଶାନ୍ତ ବି ହୋଇଯିବ । ମାତ୍ର, ଅଧିକାଂଶତଃ, ଆଦୌ କିଛି ନକହିଲେ ହିଁ ସବୁଠାରୁ ଅଧିକ ଫଳ ମିଳିବ ।

 

ଚିତ୍ରାଙ୍କନ କ୍ଲାସଟି ମଧ୍ୟାହ୍ନ ସମୟରେ ଭୋଜନ ପରେ ହୁଏ । ସମଗ୍ର ବିଦ୍ୟାଳୟଟିରେ ଏହି ବିଷୟଟି ହେଉଛି ସବୁଠାରୁ ଅଧିକ ପ୍ରିୟ । ସେତେବେଳକୁ ପିଲାମାନେ ତିନିଘଣ୍ଟା କ୍ଲାସରେ ବସି ପାଠ ପଢ଼ି ସାରିଥାନ୍ତି । ସେତେବେଳେ ମଧ୍ୟ ବେଞ୍ଚ୍ ଓ ଟେବୁଲଗୁଡ଼ିକୁ ଗୋଟିଏ କୋଠରୀରୁ ଆଉ ଗୋଟିଏ କୋଠରୀକୁ ଟାଣି ଟାଣି ନେବାକୁ ପଡ଼ିଥାଏ । ସେତେବେଳେ କମ୍ ବିଶୃଙ୍ଖଳା ବି ହୁଏନାହିଁ । ମାତ୍ର, ଶିକ୍ଷକ ସଜ ହୋଇଯିବା ସଙ୍ଗେ ସଙ୍ଗେ ପିଲାମାନେ ମଧ୍ୟ ସଜ ହୋଇଯାନ୍ତି । ଏବଂ ସେତେବେଳେ ଯଦି ଜଣେ କେହି ଗୋଳମାଳ ସୃଷ୍ଟି କରି କ୍ଲାସ୍ ଆରମ୍ଭ ହେବାରେ ବିଳମ୍ବ ଘଟାଉଥାଏ, ତେବେ ସେହି ପିଲାମାନେ ହିଁ ତାକୁ ଶୃଙ୍ଖଳିତ କରି ଦିଅନ୍ତି ।

Image

 

ପଞ୍ଚମ ଅଧ୍ୟାୟ

ବିଦ୍ୟାଳୟଟିର ମୁକ୍ତ ବିକାଶ

 

ଏଠାରେ ମୁଁ ନିଜ ପକ୍ଷଟିକୁ ସମର୍ଥନ କରି କେତୋଟି କଥା ଅବଶ୍ୟ କହିବି । ଏହି ୟସନାୟା ପୋଲ୍ୟାନା ବିଦ୍ୟାଳୟର ଏକ ବର୍ଣ୍ଣନାଦେବାକୁ ଯାଇ ମୁଁ କୌଣସି ଆଦର୍ଶ ସ୍କୁଲର ବର୍ଣ୍ଣନା ଦେବାକୁ ଆଦୌ ଇଚ୍ଛା କରୁନାହିଁ । ଗୋଟିଏ ଆଦର୍ଶ ସ୍କୁଲ ପାଇଁ ଯାହାକିଛି ପ୍ରୟୋଜନ ଓ ଆବଶ୍ୟକ, ସେ ବିଷୟରେ କିଛି କହିବାକୁ ଯାଉନାହିଁ । ଏହି ବିଦ୍ୟାଳୟଟି ପ୍ରକୃତରେ ଯେପରି, ମୁଁ କେବଳ ସେହି କଥାଟି କହିବାକୁ ଇଚ୍ଛା କରୁଛି । ମୁଁ ଭାବୁଛି, ଏଭଳି ବାସ୍ତବ ବର୍ଣ୍ଣନା ଦେବାର ମଧ୍ୟ ଏକ ଉପଯୋଗିତା ଅବଶ୍ୟ ରହିଛି । ବିଦ୍ୟାଳୟଟି ଯେପରି ଭାବରେ ବିକଶିତ ହୋଇ ଆସିଛି, ଯଦି ମୁଁ ପରବର୍ତ୍ତୀ କେତୋଟି ପୃଷ୍ଠାରେ ତାହାରି ଏକ ବାସ୍ତବ ବର୍ଣ୍ଣନା ପ୍ରଦାନ କରି ପାରିବି, ତେବେ, ବିଦ୍ୟାଳୟଟି କେଉଁସବୁ କାରଣରୁ ତା’ର ବର୍ତ୍ତମାନ ଅବସ୍ଥାଟିକୁ ପ୍ରାପ୍ତ ହେଲା ପାଠକମାନେ ସେହି କଥାଟିକୁ ଅତ୍ୟନ୍ତ ପରିଷ୍କାର ଭାବରେ ବୁଝି ପାରିବେ । ବିଦ୍ୟାଳୟଟି ଏହିପରି ଧରଣର ହେଉ ବୋଲି ମୁଁ କାହିଁକି ଅଧିକ ଅନୁକୂଳ ଓ ଉଚିତ ବୋଲି ଭାବିଲି ଏବଂ, ଇଚ୍ଛା କରିଥିଲେ ମଧ୍ୟ ତାହାକୁ ବଦଳାଇ ଦେବା ମୋ ଲାଗି କାହିଁକି ଅସମ୍ଭବ ହିଁ ହୋଇଥାନ୍ତା, ପାଠକେ ତାହା ହୃଦୟଙ୍ଗମ କରିପାରିବେ ।

 

ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ନିମନ୍ତେ ଯେଉଁସବୁ କଥାକୁ ନୀତି ବୋଲି ଗ୍ରହଣ କରିବାକୁ ଇଚ୍ଛା କଲେ, ତାହାକୁ ଆଧାର କରି ହିଁ ବିଦ୍ୟାଳୟଟି ମୁକ୍ତ ଭାବରେ ବିକଶିତ ହୋଇ ଆସିଥିଲା । ଶିକ୍ଷକର କର୍ତ୍ତୃତ୍ଵକୁ ଯେତେ ଗୁରୁତ୍ଵ ଓ ଓଜନ ଦିଆଗଲେ ମଧ୍ୟ, ପିଲା ଇଚ୍ଛା କଲେ ସ୍କୁଲରୁ ଅନୁପସ୍ଥିତ ରହି ପାରିବ ଓ ଶିକ୍ଷକଙ୍କର କଥାକୁ ଅମାନ୍ୟ ମଧ୍ୟ ଯେ କରିପାରିବ, ତାହାର ସେହି ଅଧିକାରଟି ସର୍ବଦା ରହିଥିଲା । ଶିକ୍ଷକର ମଧ୍ୟ ଏହି ବିଶେଷ କ୍ଷମତାଟି ରହିଥିଲା ଯେ, ସିଏ ଇଚ୍ଛା କଲେ ଗୋଟିଏ ପିଲାକୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ନାହିଁ ବି କରିଦେଇ ପାରିବେ ଏବଂ ନିଜ ପ୍ରଭାବରେ ସମସ୍ତ ଶକ୍ତିକୁ ସେ ଅଧିକସଂଖ୍ୟକ ପିଲାଙ୍କ ଉପରେ ଅର୍ଥାତ୍ ପିଲାମାନଙ୍କ ଭିତରେ ସର୍ବଦା ସାକାର ଭାବରେ ରହିଥିବା ମେଳଟି ଉପରେ ପ୍ରୟୋଗ ମଧ୍ୟ କରିପାରିବେ ।

 

ପିଲାମାନେ ଯେତିକି ଯେତିକି ଅଗ୍ରଗତି କଲେ, ଶିକ୍ଷାର ପରିସର ମଧ୍ୟ ସେତିକି ଅଧିକ ପରିମାଣରେ ବୃଦ୍ଧି ପାଇଥିଲା ଏବଂ ଶୃଙ୍ଖଳା ରକ୍ଷା କରିବା ମଧ୍ୟ ସେତିକି ଅନିବାର୍ଯ୍ୟ ହୋଇଗଲା । ତାହା ଫଳରେ, ଏକ ବିଦ୍ୟାଳୟର ସାଧାରଣ ଏବଂ କଟକଣାହୀନ ଏହି ବିକାଶଧାରା ମଧ୍ୟରେ, ଛାତ୍ରମାନେ ଯେତିକି ଯଥାର୍ଥ ଭାବରେ ଶିକ୍ଷିତ ହୋଇ ପାରିବେ, ସେମାନେ ଅବଶ୍ୟ ସେତିକି ଅଧିକ ଶୃଙ୍ଖଳାର ଯୋଗ୍ୟ ମଧ୍ୟ ହୋଇ ପାରିବେ; ସେମାନେ ସ୍ୱୟଂ ସେତିକି ଦୃଢ଼ ଭାବରେ ଶୃଙ୍ଖଳାର ଆବଶ୍ୟକତାକୁ ଅନୁଭବ କରି ପାରିବେ ଏବଂ ଏହି କ୍ଷେତ୍ରରେ ସେମାନଙ୍କ ଉପରେ ଶିକ୍ଷକଙ୍କର ପ୍ରଭାବଟି ମଧ୍ୟ ସେତିକି ଅଧିକ ଶକ୍ତିଶାଳୀ ଭାବରେ ଅନୁଭୂତ ହୋଇ ପାରିବ । ୟସନାୟା ପୋଲ୍ୟାନା ସ୍କୁଲର ଆରମ୍ଭରୁ ହିଁ ଏହି ନିୟମଟି ପ୍ରକୃତରେ ସତ୍ୟ ବୋଲି ପ୍ରମାଣିତ ହୋଇ ଯାଉଥିଲା । ପ୍ରଥମେ ପ୍ରଥମେ ପାଠକୁ ଆବୃତ୍ତି କରିବା, ବିଷୟଗୁଡ଼ିକୁ ଅଲଗା ଅଲଗା କରି ପଢ଼ାଇବା, ପଢ଼ିବାର ସମୟକୁ ଖେଳର ସମୟଠାରୁ ଅଲଗା କରି ରଖିବା ଓ ପିଲାମାନଙ୍କୁ ଘରପାଇଁ କିଛି ପାଠ ଦେବା,–ଏସବୁ କଥା ଆଦୌ ସମ୍ଭବ ହୋଇ ପାରିଲା ନାହିଁ; ସବୁକିଛି ଭାରି ଅଡ଼ୁଆ ହୋଇ ରହିଥିଲା ଓ ଗୋଟିକୁ ଆଉ ଗୋଟିକରୁ ଅଲଗା କରିବା ଲାଗି ଆମର ଯାବତୀୟ ଉଦ୍ୟମ ବ୍ୟର୍ଥ ହୋଇ ଯାଇଥିଲା । ବର୍ତ୍ତମାନ ଆମ ପ୍ରଥମ ଶ୍ରେଣୀରେ ମଧ୍ୟ ଏପରି ପିଲା ରହିଛନ୍ତି, ଯେଉଁମାନେ କି ବିଧିବଦ୍ଧ ଭାବରେ ଏକ ନିୟମିତ ନିର୍ଘଣ୍ଟ ଅନୁସାରେ ସବୁ ବ୍ୟବସ୍ଥା ହେଉ ବୋଲି ନିଜ ତରଫରୁ ଆସି ଦାବୀ କରୁଛନ୍ତି । ପାଠ ପଢ଼ୁଥିବା ସମୟରେ ସେମାନଙ୍କୁ ଡାକିଲେ ସେମାନେ ବିରକ୍ତ ହେଉଛନ୍ତି ଏବଂ ସେମାନଙ୍କର ପଢ଼ାରେ ବାଧା ହେଉଥିବା ସାନ ଛୁଆମାନଙ୍କୁ ସେମାନେ ସର୍ବଦା ବାହାରକୁ ବାହାର କରି ଦେଉଛନ୍ତି ।

 

ମୋ’ ମତରେ ଏହି ବାହ୍ୟ ବିଶୃଙ୍ଖଳାର ଅବଶ୍ୟ ଏକ ଉପଯୋଗିତା ରହିଛି ଏବଂ, ଜଣେ ଶିକ୍ଷକର କାନକୁ ଯେଡ଼େ ଅଦ୍ଭୁତ ଓ ଅସୁବିଧାଜନକ ଶୁଣାଗଲେ ମଧ୍ୟ ତାହାକୁ ମୁଁ ତଥାପି ଅପରିହାର୍ଯ୍ୟ ବୋଲି କହିବି । ଏପରି ଏକ ପଦ୍ଧତିରେ ପ୍ରକୃତରେ କିପରି ସୁବିଧାମାନ ଯେ ରହିଛି, ମୁଁ ଏକାଧିକ ଅବସରରେ ସେହି ବିଷୟରେ ଅବଶ୍ୟ କହିବି । ଏବଂ, ଏପରି ହେଲେ ଯେଉଁସବୁ ଅସୁବିଧା ହେବ ବୋଲି କଳ୍ପନା କରାଯାଉଛି, ତାହା ସମ୍ପର୍କରେ ମୁଁ ଏଠାରେ ଏହିପରି କହିବାକୁ ଇଚ୍ଛା କରୁଛି: ପ୍ରଥମତଃ, ଏହି ବିଶୃଙ୍ଖଳା ଅର୍ଥାତ୍ ମୁକ୍ତ ଶୃଙ୍ଖଳା ଆମକୁ ବହୁତ ଅସୁବିଧାରେ ଯେ ପକାଉଛି, ତାହାର ଏକମାତ୍ର କାରଣ ହେଉଛି ଯେ, ଆମେ ନିଜେ ଏକାବେଳେକେ ଏକ ଅନ୍ୟ ଧାରାରେ ଅଭ୍ୟସ୍ତ ହୋଇଆସିଛୁ । ଆମେ ଯେଉଁ ଶିକ୍ଷା ପାଇଛୁ, ସେହି ଧାରାରେ ହିଁ ପାଇଛୁ । ଦ୍ଵିତୀୟତଃ, ଏହିଭଳି ଅନ୍ୟାନ୍ୟ କ୍ଷେତ୍ର ପରି ଏହି କ୍ଷେତ୍ରରେ ମଧ୍ୟ ଆମ ଭିତରେ ଯଥେଷ୍ଟ ଧୈର୍ଯ୍ୟ ନଥାଏ ଓ ମନୁଷ୍ୟର ସ୍ଵଭାବ ପ୍ରତି କୌଣସି ସମ୍ମାନବୋଧ ନଥାଏ ବୋଲି ଆମେ ସଙ୍ଗେ ସଙ୍ଗେ ଶାରୀରିକ ଶକ୍ତିର ପ୍ରୟୋଗ କରି ପଳାଇଥାଉ । ଆମେ ଭାବୁଥାଉ ଯେ, ବିଶୃଙ୍ଖଳା ହିଁ କ୍ରମଶଃ ବଢ଼ି ବଢ଼ି ଯାଉଛି, ପ୍ରତି ମୁହୂର୍ତ୍ତରେ ଅଧିକ ତୀବ୍ର ହେଉଛି ଏବଂ ଏହାର ଆଉ କୌଣସି ସୀମା ରହୁନାହିଁ-। ଆମେ ଭାବୁଛୁ ଯେ ଶାରୀରିକ ଦଣ୍ଡ ପ୍ରୟୋଗ କରିବା ବ୍ୟତୀତ ଏହାକୁ ବନ୍ଦ କରିବା ନିମନ୍ତେ ପ୍ରକୃତରେ ଆଉ କୌଣସି ଉପାୟ ନାହିଁ । ମାତ୍ର, ଏଥିପାଇଁ କେବଳ ଏତିକି ଆବଶ୍ୟକ ଯେ, ଆମେ ମାତ୍ର ଅଳ୍ପ ସମୟ ଅପେକ୍ଷା କରିବା, ଏବଂ ତେବେ ବିଶୃଙ୍ଖଳାଟି, ପଶୁ ଆଚରଣର ସେହି ଉତ୍ସରଣଟି ମଧ୍ୟ ପ୍ରାୟ ଆପେ ଆପେ ହ୍ରାସ ହେବାକୁ ଲାଗିବ ଏବଂ ତା’ପରେ ଅନେକ ଅଧିକ କାମ୍ୟ ଓ ଅଧିକ ସ୍ଥାୟୀ ଏପରି ଏକ ଶୃଙ୍ଖଳାର ପ୍ରତିଷ୍ଠା ପ୍ରକୃତରେ ସମ୍ଭବ ହେବ, ଯାହାକି ଆମେ ଆଗରୁ କଳ୍ପନା ବି କରିନଥିବା ।

 

ଏହି ଛାତ୍ରମାନେ,–ସେମାନେ ବୟସରେ ଛୋଟ ହୋଇ ପାରନ୍ତି,–ସେମାନେ ତଥାପି ମଣିଷ । ଆମପରି ସେମାନଙ୍କର ମଧ୍ୟ ସେହି ଏକା ଆବଶ୍ୟକତା ଗୁଡ଼ିକ ରହିଛି ଏବଂ ସେମାନଙ୍କର ଭାବନାଗୁଡ଼ିକ ମଧ୍ୟ ସେହି ଏକା ମାର୍ଗରେ ପ୍ରବାହିତ ହେଉଛି । ସେମାନେ ସମସ୍ତେ କିଛି ଶିକ୍ଷା କରିବାକୁ ଇଚ୍ଛା କରନ୍ତି ଏବଂ ଖାସ୍ ସେଇଥିପାଇଁ ସେମାନେ ବିଦ୍ୟାଳୟକୁ ଆସୁଛନ୍ତି ଏବଂ, ସେଥିଲାଗି ସମ୍ପୂର୍ଣ୍ଣ ସହଜରେ ସେମାନେ ଏହି କଥାଟିକୁ ନିଶ୍ଚୟ ବୁଝିବେ ଯେ, ଆଦୌ କିଛି ନା କିଛି ଶିକ୍ଷା କରିବାକୁ ହେଲେ ସେମାନେ କେତେକ ଶୃଙ୍ଖଳାକୁ ସ୍ଵୀକାର କରିନେବା ଅବଶ୍ୟ ଆବଶ୍ୟକ । ସେମାନେ ସମସ୍ତେ ମନୁଷ୍ୟ; ଅଧିକିନ୍ତୁ ସେହି ଗୋଟିଏ ଆକାଂକ୍ଷାରେ ହିଁ ସେମାନେ ଏକ ଗୋଷ୍ଠୀରେ ଏକ ହୋଇ ରହିଥାନ୍ତି । ଏବଂ, ଯେଉଁମାନେ “ମୋ’ ନାମରେ ” ଦୁଇ ବା ତିନିଜଣ ମନୁଷ୍ୟ ଏକତ୍ର ହୁଅନ୍ତି, ସେଠାରେ ମୁଁ ମଧ୍ୟ ଅବଶ୍ୟ ରହିଥାଏ ।

Image

 

ଷଷ୍ଠ ଅଧ୍ୟାୟ

ପିଲା-ପିଲାଙ୍କ ଯୁଦ୍ଧ

 

ନିଜର ବୟସସୁଲଭ ସ୍ଵଭାବ ଦ୍ଵାରା ପରିଚାଳିତ ବିଧାନଗୁଡ଼ିକର ଅଧୀନ ହୋଇ ରହିଥିବାରୁ ଆମର ଏହି ଛାତ୍ରମାନେ କେବେହେଲେ ପ୍ରତିବାଦ କିମ୍ବା ଅଭିଯୋଗ କରନ୍ତି ନାହିଁ । ଯଦି ସେମାନେ ହସ୍ତକ୍ଷେପ କରିବାର ସେହି ପୁରୁଣା ବିଧାନଟିର ଅଧୀନ ହୋଇ ରହିଥାନ୍ତେ, ତେବେ ଆମର ଏଠାରେ ଯାବତୀୟ ଘଣ୍ଟି ବାଜିବା, ନିୟମର ପ୍ରଚଳନ କରାଯିବା ଏବଂ ଅଧ୍ୟାଦେଶ ଜାରି ହେବା ଉପରେ ସେମାନଙ୍କର ଆଦୌ କୌଣସି ବିଶ୍ଵାସ ରହିନଥାନ୍ତା ।

 

ମୁଁ ବହୁବାର ଦେଖିବାକୁ ପାଇଛି ଯେ, ପିଲାମାନେ ନିଜ ନିଜ ଭିତରେ ଲଢ଼ାଲଢ଼ି ହେଉଥିବା ସମୟରେ ଶିକ୍ଷକ ସେମାନଙ୍କୁ ଛଡ଼ାଇ ଦେବାକୁ ସଙ୍ଗେ ସଙ୍ଗେ ସେଠାକୁ ଧାଇଁ ଯାଆନ୍ତି ତା’ପରେ ଏହିପରି ଭାବରେ ଯୁଦ୍ଧରୁ ନିରସ୍ତ କରିଦିଆ ଯାଇଥିବା ପକ୍ଷମାନେ ଏଡ଼େ ଏଡ଼େ ଆଖି କରି ପରସ୍ପର ଆଡ଼କୁ ଅନାଇବାରେ ଲାଗିଥିବେ, ଏବଂ ଜଣେ ଭାରି କଡ଼ା ଶିକ୍ଷକଙ୍କର ସାମନାରେ ମଧ୍ୟ ଆଗ ଅପେକ୍ଷା ଅଧିକ ଭୟଙ୍କର ଦେଖା ଯାଉଥିବେ ଏବଂ ଏପରିକି ହୁଏତ ପୁନର୍ବାର ଧସ୍ତାଧସ୍ତି ଓ ମୁଥ ମରା ମରି ଆରମ୍ଭ କରିଦେବେ । ପ୍ରତ୍ୟହ ମୁଁ ବହୁବାର ଦେଖିଛି ଯେ କିରିଉସ୍କା ନାମକ ପିଲାଟିଏ ଦାନ୍ତଗୁଡ଼ାକୁ ଭିଡ଼ି ଦେଇ ଟାରସ୍କା ନାମକ ଆଉ ଗୋଟିଏ ପିଲା ଆଡ଼କୁ ଦଉଡ଼ିଯିବ, ତା’ର ଚୁଟିକୁ ଟାଣିଦେବ, ତାକୁ ମାଟି ଉପରେ ନେଇ ପକାଇଦେବ । ବାହାରୁ ସବୁ ପ୍ରମାଣ ମିଳି ଯାଉଥିବ, ସତେ ଯେପରି ସିଏ ତା’ର ଶତ୍ରୁଟିକୁ ଖଣ୍ଡିଆ କରିଦେବାକୁ ଚେଷ୍ଟା କରୁଛି ବା ଏପରିକି ତାକୁ ଏକାବେଳେକେ ଖତମ କରିଦେବ ବୋଲି ଠିକ୍ କରିସାରିଛି । ଏବଂ, ତା’ ପରେ, ମାତ୍ର କେତେଟା ମୂହୁର୍ତ୍ତ ପରେ ଦେଖାଯିବ ଯେ, ସେଇ ଟାରାସ୍କା କିରିଉସ୍କା ଆଡ଼କୁ ଅନାଇ କିରି କିରି ହୋଇ ହସିବାରେ ଲାଗିଛି । କାରଣ, ସବୁବେଳେ ପୁଣି ଏପରି କିଛି ଘଟେ, ଯାହାଦ୍ୱାରା କି ପୂର୍ବର ସମ୍ବନ୍ଧଟି ପୂରା ବଦଳିଯାଏ ଏବଂ ତା’ପରେ ପାଞ୍ଚ ମିନିଟ୍ ମଧ୍ୟରେ ଉଭୟେ ପୁନର୍ବାର ବନ୍ଧୁ ହୋଇଯାଆନ୍ତି ଏବଂ କୌଣସି ସ୍ଥାନରେ ହୁଏତ ଏକାଠି ଯାଇ ବସିଥାନ୍ତି ।

 

ଅଳ୍ପଦିନ ତଳେ, ଏକ ବିରତି ସମୟରେ, ଦୁଇଜଣ ପିଲାଙ୍କ ଭିତରେ ପରାପରି ଲାଗିଗଲା । ଗୋଟିକର ବୟସ ନଅ ବର୍ଷ, ଗଣିତରେ ଧୁରନ୍ଧର, ଦ୍ଵିତୀୟ ଶ୍ରେଣୀରେ ପଢ଼େ । ଆଉ ଜଣଙ୍କର ମୁଣ୍ଡରେ ସାନ ସାନ ବାଳଗୁଡ଼ିକ ଝିଙ୍କ କାଠି ପରି ଛିଡ଼ା ହୋଇଥାଏ, ତା’ର ବାପା କାହା ଘରେ କୋଠିଆ କାମ କରୁଥାନ୍ତି,–ଭାରି ଚତୁର ମାତ୍ର ଠିକ୍ ପିମ୍ପୁଡ଼ି ପରି ରାଗ । ଦେଖିବାକୁ ଟୁଙ୍ଗୁରା ଏଡ଼ିକି ଟିକିଏ । ତା’ର ଆଖିଗୁଡ଼ିକ କଳା ରଙ୍ଗର । ପୁଅଟିର ନାମ କୁଇସ୍କା ।

 

କୁଇସ୍କା ଆର ପିଲାଟିର ଲମ୍ବା ବାଳଗୁଡ଼ିକୁ ଧରିଥାଏ, ଗୋଟିଏ କାନ୍ଥପାଖରେ ତା’ମୁଣ୍ଡକୁ ନେଇ ଲଗାଇ ରଖିଥାଏ । ଗଣିତରେ ଧୁରନ୍ଧର ବିଚରା ସେଇ ପିଲାଟି କୁଇସ୍କାର ସାନ କଳା ବାଳଗୁଡ଼ାକୁ ଧରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ମୋଟେ ପାରୁ ନଥାଏ । କୁଇସ୍କାର କଳା କଳା ଆଖି ଦୁଇଟି ବିଜୟର ଦର୍ପରେ ଆଲୋକିତ ହୋଇ ଉଠୁଥାନ୍ତି । ଗଣିତ ପଣ୍ଡିତଙ୍କର ଆଖିରୁ ଆଉ ଲୁହ ମୋଟେ ସମ୍ଭାଳି ହେଲା ନାହିଁ । ସିଏ ଚିତ୍କାର କରି “ଆଚ୍ଛା, ଆଚ୍ଛା, କ’ଣ ହେଲା, କ’ଣ ହେଲା” ବୋଲି କହିବାରେ ଲାଗିଥାନ୍ତି ମାତ୍ର ବଡ଼, ଅକଳ ଭିତରେ ପଡ଼ି ଯାଇଥାନ୍ତି । କେବଳ ତା’ର ଗର୍ବଟା ହିଁ ତା’ ସାହସକୁ ଅତୁଟ କରି ରଖିଥାଏ । ଏମିତି କାଣ୍ଡଟାଏ ବେଶ୍ କିଛି ସମୟ ସକାଶେ ଚାଲିବାରେ ଲାଗିଥାଏ ଏବଂ ମୁଁ କ’ଣ କରିବି କିଛି ଠିକ୍ କରି ପାରୁ ନଥାଏ ।

 

“ଏମାନେ ଲଢ଼ାଲଢ଼ି ହେଉଛନ୍ତି,” ପିଲାମାନେ ଚିତ୍କାର କରି ଉଠିଲେ, ଏବଂ ସେହି ସ୍ଥାନକୁ ଯାଇ ସେମାନଙ୍କୁ ଘେରିଗଲେ । ସାନ ଛୁଆମାନେ ହସିବାରେ ଲାଗିଥାନ୍ତି ଏବଂ, ପ୍ରତିଦ୍ଵନ୍ଦୀ ଦୁଇ ଯୋଦ୍ଧାକୁ ଛଡ଼ାଇଦେବା ପାଇଁ କୌଣସି ଉଦ୍ୟମ ନ କଲେ ମଧ୍ୟ ବଡ଼ମାନେ ଅତ୍ୟନ୍ତ ଗମ୍ଭୀର ଭାବରେ ସେମାନଙ୍କ ଆଡ଼କୁ ଅନାଇ ଥାଆନ୍ତି । ସେମାନେ ନୀରବରେ ଯେ ଏହିପରି ଭାବରେ ଅନାଇ ଦେଖୁଥିଲେ,–କୁଇସ୍କା ଉପରେ ଅତ୍ୟନ୍ତ ସୁନିଶ୍ଚିନ୍ତ ଭାବରେ ତାରା ପ୍ରଭାବ ଯାଇ ପଡ଼ିଲା ସିଏ ଯେ ଭୁଲ୍ କାମଟାଏ କରୁଛି, କୁଇସ୍କା ସେହି ବିଷୟରେ ସଚେତନ ହୋଇ ଆସିଲା ଏବଂ ତା’ର ମୁଖମଣ୍ଡଳ ଉପରେ ଧୀରେ ଧୀରେ ଏକ ମୁରୁକି ହସ ଉକୁଟି ଆସୁଥିବା ପରି ମନେ ହେଲା । ସିଏ ନିଜର ହାତକୁ ବିଶାରଦଙ୍କର ବାଳ ଉପରୁ କ୍ରମେ ଶିଥିଳ କରିନେଲା । ଗଣିତ ବିଶାରଦ ଆଦୌ କୌଣସି କାଳବିଳମ୍ବ ନକରି ଧକ୍କାଟାଏ ମାରିବା ପରି ଆପଣାକୁ କୁଇସ୍କାର କବଳରୁ ବାହାର କରି ଆଣିଲା, ଯାହା ଫଳରେ କି କୁଇସ୍କାର ମୁଣ୍ଡ କାନ୍ଥ ଉପରେ ଢୁ’ କରି ବାଜିଲା ଏବଂ ତା’ପରେ ସଂପୂର୍ଣ୍ଣ ଭାବରେ କବଳମୁକ୍ତ ହୋଇ ସିଏ ଦଉଡ଼ି ପଳାଇଗଲା ।

 

କୁଇସ୍କାର ଆଖିରୁ ଝର ଝର ଲୁହ ବୋହି ଆସୁଥାଏ, ସିଏ ସଙ୍ଗେ ସଙ୍ଗେ ଶତ୍ରୁକୁ ପୁଣି ଯାଇ ଧରିବବୋଲି ଧାଇଁବାକୁ ଆରମ୍ଭକଲା । ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ତାକୁ ସେ ଆଚ୍ଛା କରି ମୁଥଟାଏ ଦେଲା । ମାତ୍ର ସେଥିରେ ଆଘାତ ପାଇନଥିଲା । ଗଣିତ ବିଶାଦର ତା’ର ପ୍ରତିବଦଳରେ ଗୋଟିଏ ମୁଥ ବସାଇବାର ଉପକ୍ରମ କରୁଥିଲେ, ମାତ୍ର ସେତିକିବେଳେ ଅନ୍ୟମାନଙ୍କର ନାନାବିଧ ମନ୍ତବ୍ୟ ତାକୁ ସେଥିରୁ ନିବର୍ତ୍ତାଇ ରଖିଥିଲା;

 

ଦେଖଣାହାରିମାନେ ଚିତ୍କାର କରି କହୁଥିଲେ, “ଦେଖ, ସିଏ କିପରି ତା’ ଠାରୁ ସାନ ପିଲାଟାକୁ ମାରିବ ବୋଲି ବାହାରିଛି ! କୁଇସ୍କା, ତୁ ଏଠୁ ଗଲୁ !”

 

ପ୍ରସଙ୍ଗଟି ସେହିଠାରୁ ହିଁ ଶେଷ ହୋଇ ଯାଇଥିଲା । ସତେ ଯେପରି ଏପରି ଘଟଣାଟିଏ ଆଦୌ ଘଟିନଥିଲା ପରି ମନେହେଉଥାଏ । କେବଳ, ମୁଁ କେବଳ ଏତିକି କହିବି, ଏହି ଯୁଦ୍ଧଟିର ଉଭୟ ପକ୍ଷକୁ କିଞ୍ଚିତ୍ ଅସ୍ପଷ୍ଟ ଭାବରେ ବେକାରଟାରେ ଏଥିରେ ଲିପ୍ତ ହୋଇଥିଲେ ବୋଲି ଏକ ଚେତନା ଘାରି କରି ରଖିଥିଲା । କାରଣ, ଏଥିରେ ଉଭୟ ପକ୍ଷ ହିଁ ଆଘାତ ପାଇଥିଲେ । ଏବଂ ଦେଖେଣାହାରି ଅନ୍ୟ ପିଲାମାନଙ୍କ ଭିତରେ ଯେଉଁ ପ୍ରଶଂସନୀୟ ନ୍ୟାୟବୋଧଟି ଅବଶ୍ୟ ଥିଲା, ସେଇଟି ପ୍ରତି ମୁଁ ନିଶ୍ଚୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବି । ଏହି ଆଧାର ଉପରେ ସମାଧାନଟି ସମ୍ଭବ ହୁଏ, ତୁମେ ସେହି କଥାଟିକୁ ଆଦୌ ଥିର କରି ଜାଣି ପାରିବନାହିଁ । ମାତ୍ର ତଥାପି ସେଥିରେ ଦୁଇପକ୍ଷ ଯାକର ସନ୍ତୋଷ ବିଧାନହୋଇଥାଏ । ଏହିସବୁ ସ୍ଥିତିରେ ସମାଧାନର ଯେଉଁ “ଶିକ୍ଷିତ ପ୍ରୟାସମାନ” କରାଯାଏ, ଏଇଟି ସହିତ ତୁଳନା କଲେ ସେଗୁଡ଼ିକ କେଡ଼େ ଏକପାଖିଆ ନଲାଗେ ! ଏବଂ ସେଥିରେ କୌଣସି ନ୍ୟାୟ ମଧ୍ୟ ନଥାଏ !

 

ଶୃଙ୍ଖଳାବାଦୀ ହୁଏତ କହୁଥାଏ, “ତୁମ ଦୁହିଁଙ୍କର ଭୁଲ୍ ହୋଇଛି । ତେଣୁ, ଦୁହେଁ ନିଲ୍ ଡାଉନ ହୁଅ !” ଏପରି କରି ଶୃଙ୍ଖଳାବାଦୀ ପ୍ରକୃତରେ ଭୁଲ୍ ହିଁ କରିଥାଏ; କାରଣ ଦୋଷ କେବଳ ଜଣକୁ ହିଁ ଦିଆଯାଇଥାନ୍ତା, ମାତ୍ର ସେହି ଦୋଷୀଟି ବିଜୟ ହାସଲ କରିଥିବା ପରି ତୁମ ଆଗରେ ନିଲ୍ ଡାଉନ୍ ହୋଇ ରହିଥାଏ ଏବଂ ସମ୍ପୂର୍ଣ୍ଣ ଭାବରେ ଆଦୌ ମିଳାଇ ଯାଇନଥିବା ନିଜ ରୋଷର ରୋମନ୍ଥନ କରୁଥାଏ । ଏବଂ, ନିର୍ଦ୍ଦୋଷ ବିଚରା ଡବଲ୍ ଶାସ୍ତି ପାଏ ।

 

ଅଥବା, ଶୃଙ୍ଖଳାବାଦୀ ଏଭଳି ବି କହେ, “ଅମୁକ ବା ସମୂକ ପାଇଁ ତୋର ଦୋଷ ହୋଇଛି ଓ ତୋତେ ସେଥିଲାଗି ନିଶ୍ଚୟ ଦଣ୍ଡ ଦିଆଯିବ ।” ଏବଂ, ଏହିପରି ଶାସ୍ତି ପାଉଥିବା ପିଲାଟି ତା’ର ଶତ୍ରୁକୁ ପୂର୍ବପେକ୍ଷା ଆହୁରି ଅଧିକ ଘୃଣା କରିବାକୁ ଆରମ୍ଭ କରେ କାରଣ ସିଏ ସତେଅବା ଯାବତୀୟ ନିରଙ୍କୁଶ କ୍ଷମତାକୁ ନିଜ ପକ୍ଷକୁ ସଂଗୃହିତ କରି ଆଣିଥାଏ । ଏପରି କରି ସିଏ କେତେଦୂର ଠିକ୍ କରୁଛି । ତାହାର କରିବା ନିର୍ଣ୍ଣୟ କରିବା ତା’ ବିଚାରର ସମ୍ପୂର୍ଣ୍ଣ ବାହାରେ ରହିଥାଏ ।

 

କିମ୍ବା, ଶୃଙ୍ଖଳାବାଦୀ ଏପରି ବି କହେ, “ଈଶ୍ଵରଙ୍କର ଆଦେଶ ପାଳନ କଲାପରି ତୁ ତାକୁ କ୍ଷମା ଦେ’ ଏବଂ ତା’ଠାରୁ ଅଧିକ ଭଲ ହେବାକୁ ଚେଷ୍ଟା କର ।” ତୁମେ ତାକୁ” ତା’ଠାରୁ ଅଧିକ ଭଲ ହୁଅ ।” ବୋଲି କହିଲି ନା ! ମାତ୍ର ସିଏ ତା’ଠାରୁ ପ୍ରକୃତରେ ଅଧିକ ବଳବାନ୍ ହେବାକୁ ହିଁ ଇଚ୍ଛା କରୁଛି ଏବଂ ତେଣୁ, ଅଧିକ ଭଲ ହେବାର କଥାଟି ତା’ର ମଥାଭିତରେ ଆଦୌ ପ୍ରବେଶ କରୁନାହିଁ ଆଦୌ ପ୍ରବେଶ କରି ପାରିବ ନାହିଁ ।

 

ଅଥବା, “ତୁମ ଦୁଇଜଣଙ୍କର ଦୋଷ । ତେଣୁ ପିଲାଏ, ଜଣେ ଜଣକ ପାଖରେ କ୍ଷମାମାଗ ଏବଂ ତାହାରି ସଂକେତ ସ୍ୱରୂପ ପରସ୍ପରକୁ ଚୁମା ଦିଅ ।”

 

ଏଇଟାର ପରିଣାମ ସବୁଠାରୁ ଅଧିକ ଖରାପ ହେବ,–କାରଣ ଭିତରେ ଆଦୌ କୌଣସି ଇଚ୍ଛା ନଥାଇ ସେମାନେ ପରସ୍ପରକୁ ଚୁମା ଦେବେ ଏବଂ, ଏହିପରି ଭାବରେ ଶାନ୍ତ କରିଦିଆ ଯାଇଥିବା ମନ୍ଦ ପ୍ରବୃତ୍ତିଟି ନିଶ୍ଚୟ ପରେ କୌଣସି ସମୟରେ ପୁଣି ଠୋ’ କରି ଫାଟି ପଦାକୁ ବାହାରି ପଡ଼ିବ । ତେଣୁ, ତୁମେ ଯଦି ନିଜେ ବାପା ବା ମାଆ ନହୋଇଥିବ, ଏହି କ୍ଷେତ୍ରରେ ତୁମେ ପ୍ରକୃତରେ କୌଣସି ହସ୍ତକ୍ଷେପ କରିବ ନାହିଁ । ବାପାମାଆ ହୋଇଥିଲେ ନିଜ ପିଲାଙ୍କ ଉପରେ ନିଶ୍ଚୟ କିଞ୍ଚିତ୍ ପରିମାଣରେ ଅନୁକମ୍ପା ଅଥବା ସହାନୁଭୁତି ଅବଶ୍ୟ ରହିଥିବ ଏବଂ ତେଣୁ ସେମାନଙ୍କର ଉପରେ ସର୍ବଦା ଏକପ୍ରକାରର ଅଧିକାର ମଧ୍ୟ ଥିବ । ହିଁ, ତେଣୁ ମୁଁ କହୁଛି, ଆଦୌ କୌଣସି ହସ୍ତକ୍ଷେପ କରନାହିଁ, ସେମାନଙ୍କ ହାତରେ ଛାଡ଼ି ଦିଅ ଏବଂ ଅପେକ୍ଷା କରି ଦେଖ, କିପରି ଆପେ ଆପେ ସବୁ କଥାର ସମାଧାନ ହୋଇଯାଉଛି ଏବଂ ଅତ୍ୟନ୍ତ ସରଳ ଓ ସ୍ଵାଭାବିକ ଭାବରେ ସବୁ ପୁନର୍ବାର ଠିକ୍ ବି ହୋଇଯାଉଛି । ଏବଂ ଯୁଗପତ ଭାବରେ ଜୀବନରେ ଅଚେତନା ସ୍ତରରେ ରହିଥିବା ଯାବତୀୟ ସମ୍ବନ୍ଧ ପରି କେତେ ବୈଚିତ୍ର୍ୟ ସହିତ ଏବଂ ବର୍ଣ୍ଣାଢ଼୍ୟ ଭାବରେ ସବୁକିଛିର ନିଷ୍ପତି ହୋଇଯାଉଛି !

 

ମାତ୍ର, ଯେଉଁ ଶିକ୍ଷକମାନଙ୍କର ଏଭଳି ବିଶୃଙ୍ଖଳା ଅଥବା ମୁକ୍ତ ଶୃଙ୍ଖଳା ବିଷୟରେ କୌଣସି ଅଭିଜ୍ଞତା ନଥିବ, ସମ୍ଭବତଃ ସେମାନେ ଭାବିବାକୁ ଆରମ୍ଭ କରିବେ ଯେ, ଶୃଙ୍ଖଳାର ରକ୍ଷା ହେବାଦୃଷ୍ଟିରୁ ଏହି ସବୁ ଘଟଣାରେ ହସ୍ତକ୍ଷେପ ନକଲେ ଏହି ବିଶୃଙ୍ଖଳାରୁ ହୁଏତ ଶରୀର ଉପରେ ଆଘାତ ହେଲାଭଳି ପରିଣାମମାନ ଆସି ଉପୁଜିବ । ଲଢ଼ୁଥିବା ପିଲାମାନେ ହୁଏତ ପରସ୍ପର ହାତଗୋଡ଼ ଭାଙ୍ଗି ପକାଇବେ ଅଥବା କାହାର ହୁଏତ ଜୀବନ ବି ଚାଲିଯିବ ।

 

ଗତ ବସନ୍ତ ରତୁରେ ୟସନାୟା ପୋଲ୍ୟାନା ସ୍କୁଲରେ ଏପରି ମୋଟେ ଦୁଇଟି ଗମ୍ଭୀର ଘଟଣା ଘଟିଥିଲା । ଗୋଟିଏ ପିଲାକୁ ପାହାଚ ଉପରୁ ଠେଲିଦେବାରୁ ତା’ର ଗୋଡ଼ କଟିଗଲା ଓ ହାଡ଼ଦେଖା ଯାଉଥିଲା, -ଘାଆଟି ଦୁଇ ସପ୍ତାହ ମଧ୍ୟରେ ଶୁଖି ଯାଇଥିଲା । ଆଉ ଥରେ ଗୋଟିଏ ପିଲାର ଗାଲ ଜଳନ୍ତା ପିଚୁ ପଡ଼ି ପୋଡ଼ି ଯାଇଥିଲା ଏବଂ ପ୍ରାୟ ପନ୍ଦରଦିନ ଯାଏ ତାକୁ ସେହି କ୍ଷମତାଟିକୁ ବହନ କରିବାକୁ ପଡ଼ିଥିଲା ।

 

ଏହା ବ୍ୟତୀତ ଆଉ କେବେହେଲେ କିଛି ଘଟିନଥିଲା । ହିଁ, ସପ୍ତାହକୁ ଥରେ ହୁଏତ କୌଣସି ପିଲା କେଡ଼େ ବଡ଼ ପାଟି କରି କାନ୍ଦିବାରେ ଲାଗିଥିଲା; ମାତ୍ର ଶାରୀରିକ ଯନ୍ତ୍ରଣାରୁ ନୁହେଁ, ସେ ବିରକ୍ତ ବା ଲଜ୍ଜା ହେତୁ କାନ୍ଦୁଥିଲା । ଉପରେ ଉଲ୍ଲେଖ କରାଯାଇଥିବା ଦୁଇ ପିଲାଙ୍କର ଘଟଣାଟିକୁ ବାଦ ଦେଲେ ସାରା ଗ୍ରୀଷ୍ମକାଳରେ ଆଦୌ ଅନ୍ୟ କୌଣସି ମରାମରି, ଖଣ୍ଡିଆ ଦଣ୍ଡିଆ, କିମ୍ବା ଧସ୍ତାଧସ୍ତିର ଘଟଣା ଘଟିଥିଲା ବୋଲି ମୋ’ର ମନେ ପଡ଼ୁନାହିଁ । ଆମ ବିଦ୍ୟାଳୟରେ ତିରିଶି ପିଲା ଥିଲେ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ନିଜ ଦାୟିତ୍ଵରେ ଛାଡ଼ି ଦିଆଯାଇଥିଲା । ତଥାପି ସେସବୁ ମୋଟେ କିଛି ଘଟି ନଥିଲା ।

Image

 

ସପ୍ତମ ଅଧ୍ୟାୟ

ଶୃଙ୍ଖଳା

 

ମୋ’ର ଦୃଢ଼ ପ୍ରତ୍ୟୟ ହୋଇଯାଇଛି ଯେ, ଶୃଙ୍ଖଳାର ଯେଉଁସବୁ କ୍ଷେତ୍ରକୁ ପରିବାରର ଅଧିକାର ବୋଲି କୁହାଯାଇ ପାରିବ, ସେହିସବୁ କ୍ଷେତ୍ରରେ ବିଦ୍ୟାଳୟ ଆଦୌ ହସ୍ତକ୍ଷେପ କରିବା ଉଚିତ ହେବ ନାହିଁ, ପୁରସ୍କାର ଅଥବା ଦଣ୍ଡ ଦେବାଲାଗି ବିଦ୍ୟାଳୟର ଆଦୌ କୌଣସି ଅଧିକାର ରହିବା ଅନୁଚିତ । ନିଜକୁ ଯେପରି ଭଲ ଲାଗିବ, ସେହି ଅନୁସାରେ ବିଦ୍ୟାଶିକ୍ଷା କରିବାକୁ ଏବଂ ଆଚରଣ ଦେଖାଇବାକୁ ପୂର୍ଣ୍ଣ ଅଧିକାର ପ୍ରଦାନ କରିବା ଦ୍ଵାରା ଗୋଟିଏ ବିଦ୍ୟାଳୟ ସର୍ବୋତ୍ତମ ଭାବରେ ନିଜର ତତ୍ତ୍ଵବଧାନ କରିବା ଏବଂ ଶୃଙ୍ଖଳା ରକ୍ଷା କରିବାର କାର୍ଯ୍ୟଟିକୁ ସମ୍ପନ କରିପାରିବ-। ଶୃଙ୍ଖଳା ଲଦି ଦେଉଥିବା ବିଦ୍ୟାଳୟମାନଙ୍କର ସେହି ପୁରାତନ ରୀତିଗୁଡ଼ିକୁ ବର୍ତ୍ତମାନ ତ ଏପରି ଶକ୍ତିଶାଳୀ ଭାବରେ ଜାରି ହୋଇ ରହିଛି ଯେ, ଆମର ଏହି ୟସନାୟା ପୋଲ୍ୟାନା ସ୍କୁଲରେ ମଧ୍ୟ ଆମେ ବେଳେ ବେଳେ ନିଜର ନୀତିଟିକୁ ପରିତ୍ୟାଗ କରି ତାହାର ଫାଶ ଭିତରେ ଯାଇ ପଡ଼ିଯାଉଛି । ଏପରି ହେଉଥିଲେ ମଧ୍ୟ ମୋ’ର ଉକ୍ତ ପ୍ରତ୍ୟୟଟି ସୁଦୃଢ଼ ହୋଇ ରହିଛି, ଗତ ପାଠ୍ୟକାଳ ମଧ୍ୟରେ, ନଭେମ୍ବର ମାସରେ, ଦଣ୍ଡ ଦିଆଯାଇ ଥିବାର ଦୁଇଗୋଟି ଦୃଷ୍ଟାନ୍ତ ରହିଛି ।

 

ଡ୍ରଇଁ କ୍ଲାସ୍‍ ହେଉଥିବା ଆମ ଶିକ୍ଷକ, -ଯିଏକି ଖୁବ୍ ବେଶୀଦିନ ହେଲା ଆମ ବିଦ୍ୟାଳୟରେ ଆସି ଯୋଗ ଦେଇନଥିଲେ,–ଦିନେ ଦେଖିବାକୁ ପାଇଲେ ଯେ ଗୋଟିଏ ପିଲା ଶିକ୍ଷକଙ୍କର କଥାକୁ ଆଦୌ ଧ୍ୟାନ ନଦେଇ ଖାଲି କଇଁ କଇଁ ହୋଇ କାନ୍ଦିବାରେ ଲାଗିଛି ଏବଂ ମୋଟେ କୌଣସି କାରଣ ନଥିଲେ ମଧ୍ୟ ନିଜ ପାଖରେ ବସିଥିବା ଅନ୍ୟ ପିଲାମାନଙ୍କୁ ରାଗରେ ମାରିବାରେ ଲାଗିଛି ।

 

ସେହି ପିଲାଟିକୁ ଉଚିତ କଥାମାନ କହି ଯେ ଶାନ୍ତ କରି ଅଣାଯାଇ ପାରିବ, ଶିକ୍ଷକ ଆଦୌ ସେକଥାଟିକୁ ହୃଦୟଙ୍ଗମ କରି ପାରିଲେ ନାହିଁ । ସିଏ ସେହି ପିଲାଟିକୁ ତା’ ବସିଥିବା ସ୍ଥାନକୁ ଭିଡ଼ି ବାହାର କରି ଆଣିଲେ ଏବଂ ନିଜ ଟେବୁଲ୍ ପାଖକୁ ନେଇଗଲେ । ଏଇଟା ପିଲାପ୍ରତି ଏକ ଶାସ୍ତିବିଧାନ କଲାପରି ହିଁ ହୋଇଥିଲା । ବିଚରା ସାନ ପିଲାଟି ସେହି ପାଠଘଣ୍ଟାଟିର ଶେଷ ପର୍ଯ୍ୟନ୍ତ କାନ୍ଦିବାରେ ହିଁ ଲାଗିଥିଲା ।

 

ଏହି ପିଲାଟିକୁ ବର୍ଷ ଆରମ୍ଭରେ ମୁଁ ସ୍କୁଲରେ ଭର୍ତ୍ତି କରିବା ପାଇଁ ରାଜୀ ହୋଇ ନଥିଲି, କାରଣ ତାକୁ ମୁଁ ଏକାବେଳେକେ ଗୋଟିଏ କୌଣସି ବୁଦ୍ଧି ନଥିବା ପିଲାବୋଲି ବିଚାର କରୁଥିଲି ।

 

ପିଲାଟି ବାହାରେ ସବୁବେଳେ ଭାରି ପ୍ରସନ୍ନ ମନରେ ରହିଥାଏ, ମାତ୍ର ତା’ର ବୁଦ୍ଧି ମୋଟେ କାମ କରୁନଥାଏ । ତା’ର ସାଥୀମାନେ ତାକୁ କେବେହେଲେ ଖେଳିବା ପାଇଁ ଡାକୁନଥିଲେ-। ସେମାନେ ତା’ ସହିତ ସର୍ବଦା ଟାପରା ଖେଳୁଥିଲେ, ତାକୁ ପରିହାସର ପାତ୍ର କରି ରଖିଥିଲେ-। ଏବଂ, ତଥାପି ସେମାନେ ଭାରି ଆଶ୍ଚର୍ଯ୍ୟ ହୋଇ କହୁଥିଲେ–

 

“ଏଇ...ପ୍ରକୃତରେ କେଡ଼େ ବିଚିତ୍ର ପିଲାଟାଏ ମ ! ତୁମେ ତାକୁ ମାରିଲେ ମଧ୍ୟ ଏପରିକି ଭାରି ସାନ ପିଲାମାନେ ମଧ୍ୟ ତା ସହିତ ବେଳେ ବେଳେ ଖୁରି ଖାଆନ୍ତି,–ସିଏ କିଛି କରିବ ନାହିଁ ଓ ତୁମପାଖକୁ ବାହାରି ପଳାଇଯିବ ।”

 

ଥରେ ଗୋଟିଏ ପିଲା ମୋ’ପାଖକୁ ଆସି ତା’ ବିଷୟରେକହିଲା, -“ସେ ପିଲାଟିର କୌଣସି ସାହସ ନାହିଁ ।” ଯଦି ଏହି ପିଲାଟି ଏକ ଆବେଗମୟ ସ୍ଥିତିରେ ଆସି ପଡ଼ିଥିଲା ଯେ ସ୍ଵୟଂ ଶିକ୍ଷକ ମଧ୍ୟ ତାକୁ ସେଥିଲାଗି ଶାସ୍ତି ଦେବାକୁ ଆବଶ୍ୟକ ବୋଲି ଭାବିଲେ ତେବେ ସେଇଥିରୁ ସ୍ପଷ୍ଟଭାବରେ ପ୍ରମାଣିତ ହୋଇଯାଉଛି ଯେ,ଏହି ଘଟଣାରେ ଶାସ୍ତି ନପାଇଥିବା ଅନ୍ୟ କୌଣସି ପିଲାଟିଏ ହିଁ ଏଥିରେ ଦୋଷୀ ବୋଲି ଅବଶ୍ୟ କୁହାଯିବ ।

Image

 

ଅଷ୍ଟମ ଅଧ୍ୟାୟ

ଚୋର

-୧-

 

ଏଠାରେ ମୁଁ ଆର ଘଟଣାଟି କଥା କହିବି । ଗ୍ରୀଷ୍ମଋତୁରେ ଗୃହ ମରାମତି ହେଉଥିବା ସମୟରେ ଟିଣ ଚଦର ଭିତରେ ରହିଥିବା ଗୋଟିଏ କାଚ ପିପାକୁ ବିଜ୍ଞାନର ପ୍ରୟୋଗଶାଳାକୁ ନିଆ ଯାଉଥିବା ସମୟରେ କେତେଥର ଦେଖିବାକୁ ମିଳିଲା ଯେ, ସେଠାରେ ଥିବା ପେନସିଲ୍ ଓ ବହିଗୁଡ଼ିକୁ କିଏ କୁଆଡ଼େ ନେଇଯାଇଛି । ସେତେବେଳେ କୌଣସି ବଢ଼େଇ କିମ୍ବା ରଙ୍ଗମିସ୍ତ୍ରୀ ସେଠାରେ କାମ କରୁନଥିଲେ, ତେବେ ଏସବୁ ଜିନିଷ ନେଲା କିଏ ?

 

ଆମେ ପିଲାମାନଙ୍କୁ ପଚାରିଲୁ । ସବୁଠାରୁ ଭଲ ଛାତ୍ରମାନେ, ସେତେବେଳର ସବା ଉପର ଶ୍ରେଣୀର ଛାତ୍ରୀମାନେ, ଯେଉଁମାନେ ଆମର ପୁରାତନ ସଙ୍ଗୀ ପରି ହୋଇ ଯାଇଥିଲେ ଏକଥା ଶୁଣି ସେମାନେ ଲାଜରେ ରଙ୍ଗା ପଡ଼ିଗଲେ ଏବଂ ଏପରି ଅଶ୍ଵସ୍ତ ଅନୁଭବ କଲେ ଯେକୌଣସି ମାଜିଷ୍ଟ୍ରେଟ୍ ସେମାନଙ୍କୁ ସେହି ଅବସ୍ଥାରେ ଦେଖିଥିଲେ ସେହିମାନେ ଚୋରି କରିଛନ୍ତି ବୋଲି ସିଧା କହିଦେଇ ଥାଆନ୍ତା । ଚୋରି ନକରିଥିଲେ ସେମାନେ ଏପରି ଘାବରେଇ ଯିବେ କାହିଁକି ? ମାତ୍ର, ମୁଁ ବି ପିଲାମାନଙ୍କୁ ଜାଣିଥିଲି ଏବଂ, ଠିକ୍ ନିଜ ଭଳି ମୁଁ ସେମାନଙ୍କ ଉପରେ ମଧ୍ୟ ବିଶ୍ଵାସ କରି ପାରୁଥିଲି ।

 

ମୁଁ ଭଲ କରି ବୁଝିପାରିଲି ଯେ, ସେମାନଙ୍କ ଉପରେ ଯେ ସନ୍ଦେହ କରାଯାଉଛି, କେବଳ ସେହି କଥାଟି ହିଁ ସେମାନଙ୍କୁ ଅତ୍ୟନ୍ତ ଗଭୀର ଏବଂ ଦୁଃଖଦାୟକ ଭାବରେ ଆଘାତ କରିଥିଲା । ଗୋଟିଏ ମେଧାବୀ ଓ ସଉଖୀନିଆ ସ୍ଵଭାବର ପିଲା-ତାକୁ ମୁଁ ଫିଓଡ଼ର୍ ବୋଲି କହିବି, ତା’ମୁହଁଟା ଗୋଟାସୁଦ୍ଧା ଶେତା ପଡ଼ିଗଲା ଓ ତା’ ଆଖିରୁ ଲୁହ ବାହାରି ଆସିଲା । ସେମାନେ ଘୋଷଣା କଲେ ଯେ, କିଏ ଚୋରି କରିଛି, ସେକଥା ଜାଣିଲେ ଆମକୁ ଆସି ନିଶ୍ଚୟ କହିଦେବେ । ମାତ୍ର ସେମାନଙ୍କର ଜିନିଷ ତଲାଶ କରାଯାଉ ବୋଲି ସେମାନେ ରାଜୀ ହୋଇନଥିଲେ ।

 

କିଛିଦିନ ପରେ ପ୍ରକୃତ ଚୋର ଧରା ପଡ଼ିଲା । ସିଏ ହେଉଛି କୋଠିଆ କାମ କରୁଥିବା ଗୋଟିଏ ଲୋକର ପୁଅ । ଏଠାରୁ ବହୁଦୂରରେ ଥିବା କୌଣସି ଗାଆଁରେ ଘର । ତା’ନିଜ ଗାଆଁରୁ ଆସିଥିବା ଆଉ ଗୋଟିଏ ଚାଷୀ ପିଲା ସହିତ ଏକାଠି ସଲା କରି ସିଏ ଚୋରିଟିକୁ କରିଥିଲା । ଚୋରି ଦ୍ରବ୍ୟଗୁଡ଼ିକୁ ସେମାନେ ଗୋଟିଏ ବାକ୍ସ ଭିତରେ ଲୁଚାଇ ରଖିଥିଲେ ।

 

କଥାଟି ଜଣାପଡ଼ିବା ପରେ ଛାତ୍ରମାନେ ଅତିଶୟ ପରିମାଣରେ ଆଶ୍ଵସ୍ତ ହେଲେ, ଏପରିକି କିଞ୍ଚିତ୍ ପରିମାଣରେ ଖୁସୀ ମଧ୍ୟ ହେଉଥିଲେ । ଅନ୍ୟ ପକ୍ଷରେ ଚୋରି କରିଥିବା ପିଲାଦୁହିଁଙ୍କ ପ୍ରତି ସେମାନଙ୍କର ଘୃଣା ଓ ଅନୁକମ୍ପା ମଧ୍ୟ ହେଉଥିଲା । ପିଲାମାନେ ହିଁ ନିଜେ ଚୋରମାନଙ୍କୁ କିଭଳି ଶାସ୍ତି ଦିଆଯିବ, ସେକଥା କହନ୍ତୁ ବୋଲି ଆମେ ଅଡ଼ି ବସିଲୁ । କେତେକ କହିଲେ, ସେମାନଙ୍କୁ ବେତ ଦିଆଯାଉ; ଅବଶ୍ୟ ସେମାନେ ନିଜେ ନିଜକୁ ବେତ ଦିଅନ୍ତୁ । ଅନ୍ୟମାନେ ପ୍ରସ୍ତାବ କରି କହିଲେ ଯେ ସେମାନଙ୍କ ଦେହରେ ଗୋଟିଏ କାଗଜ ଆଣି ଝୁଲାଇ ଦିଆଯାଉ, ଯାହା ଉପରେ “ଚୋର” ବୋଲି ଲେଖା ହୋଇଥିବ ।

 

ମୁଁ ଅତ୍ୟନ୍ତ ଲଜ୍ଜାର ସହିତ କହୁଛି ଯେ, ଆମେ ସ୍ଵୟଂ ଆଗରୁ ଥରେ ଏହି ଶାସ୍ତି ବିଷୟରେ ବି ପ୍ରସ୍ତାବ ଦେଇଥିଲୁ ଏବଂ, ଯୋଉପିଲାଟି ସେତେବେଳେ “ମିଥ୍ୟାବାଦୀ” ଲେଖାହୋଇଥିବା ବିଜ୍ଞାପନଟିକୁ ନିଜ ଦେହରେ ପରିଧାନ କରିଥିଲା, ବର୍ତ୍ତମାନ ସେହି ସବାଆଗ ବାହାରି ପଡ଼ି ଚୋରି କରିଥିବା ପିଲାଙ୍କ ଦେହରେ “ଚୋର” ବୋଲି ଲେଖି ଲଟକାଇ ଦିଆଯାଉ ବୋଲି ପ୍ରସ୍ତାବ ଆଗତ କରିଥିଲା ।

 

-୨-

 

ଶେଷକୁ “ଚୋର” ବୋଲି ଲେଖି ପିଲାମାନଙ୍କ ଦେହରେ ଲଟକା ହେବ ବୋଲି ନିଷ୍ପତି ହେଲା । ଗୋଟିଏ ଝିଅ ଖଣ୍ଡେ କନା ଉପରେ ଛୁଞ୍ଚିସୂତା ସାହାଯ୍ୟରେ ଶବ୍ଦଟିକୁ ଯେତେବେଳେ ଲେଖି ଦେଇଥିଲା, ସେତେବେଳେ ଛାତ୍ରୀମାନେ ଏକାବେଳେକେ ରୋଷ ଏବଂ ହର୍ଷ ବ୍ୟକ୍ତ କରି ସେଇଟି ଉପରେ ଦୃଷ୍ଟିପାତ କରିବାକୁ ଲାଗିଲେ ଏବଂ ଅପରାଧୀମାନଙ୍କୁ ବିଦ୍ରୂପ ମଧ୍ୟକଲେ । ସେମାନେ ଆହୁରି ଏକ ଅଧିକ କଠୋର ଶାସ୍ତିର ବି ପ୍ରସ୍ତାବ ବାଢ଼ିଲେ; “ଏହି ଚୋରମାନଙ୍କୁ ଗାଆଁ ଭିତରକୁ ନିଆଯିବ ଏବଂ କୌଣସି ଏକ ଛୁଟିଦିନରେ ସେମାନେ ସେଠାରେ ବିଜ୍ଞାପନଟିକୁ ଦେହରେ ଲଟକାଇ ବୁଲିଲେ ଓ ପ୍ରଦର୍ଶନଟିକୁ ସମସ୍ତେ ଭଲ କରି ଦେଖିବେ ।”

 

ଅପରାଧୀମାନେ କଇଁ କଇଁ ହୋଇ କାନ୍ଦୁଥାଆନ୍ତି ।

 

ଯୋଉ ଚାଷୀଘର ପିଲାଟିକୁ ଆରଜଣକ ଭୁଲାଇ ଚୋରିରେ ଲିପ୍ତ କରିପକାଇଥିଲା, ସିଏ ଚମତ୍କାର ଗପ କହି ପାରୁଥିଲା, ବେହେଲ କରି ସମସ୍ତଙ୍କୁ ଖୁବ୍ ହସାଇ ପାରୁଥିଲା । କୋଧା ହୋଇ କେଡ଼େ ପିଲାଟାଏ, ମୁଣ୍ଡରେ କହରା କହରା ବାଳ; କେଡ଼େ ଖର ବିଚିତ୍ର କଥା ସବୁ ଫାନ୍ଦି କହି ପାରୁଥିଲା । ବର୍ତ୍ତମାନ ସିଏ ଏପରି ଭୋ’ ଭୋ’ ହୋଇ କାନ୍ଦିବାକୁ ଆରମ୍ଭ କଲା, ସତେ ଯେପରି ତା’ର ଛାତି ଆଉ ଆଦୌ ସମ୍ଭାଳି ପାରିବ ନାହିଁ, ନିଶ୍ଚୟ ଫାଟିଯିବ । ଠିକ୍ ସାନ ପିଲାଟି ପରି ସିଏ ଚିତ୍କାର କରି କାନ୍ଦିବାକୁ ଲାଗିଲା । ଏବଂ ପ୍ରଧାନ ଅପରାଧୀ ସେହି ଚିଇନାକିଆ ଅନ୍ୟ ପିଲାଟି, -ଦେଖିବାକୁ ବଡ଼ ଶୁଷ୍କ, ମାତ୍ର ମୁହଁଟା ସବୁବେଳେ ବୁଦ୍ଧିଦୀପ୍ତ,–ସିଏ ଗୋଟାସୁଦ୍ଧା ଛେତା ପଡ଼ି ଯାଇଥାଏ, ତା’ର ଓଠ ଓ ଦୁଇଟା ଠକ ଠକ ହୋଇ ଥରୁଥାଏ । ତା’ର ଉଲ୍ଲସିତ ସାଙ୍ଗମାନଙ୍କ ଆଡ଼କୁ ସିଏ ହିଂସ୍ର ଓ କ୍ରୋଧପୂର୍ଣ୍ଣ ଭାବରେ କଟମଟ କରି ଅନାଉଥାଏ । ସିଏ ସ୍ଵଭାବତଃ କେବେ ଆଖିକୁ ଲୁହ ଗଡ଼ାଇ କାନ୍ଦୁନଥିଲା, ବର୍ତ୍ତମାନ ଲୁହଗୁଡ଼ାକ ବାହାରି ଆସୁଥିବାରୁ ତାକୁ ହୁଏତ ଖୁବ୍ ଆଶ୍ଵସ୍ତିକର ଲାଗୁଥିଲା ଏବଂ ସେଥିପାଇଁ ସେ ବେଳେ ବେଳେ ମୁହଁଟାକୁ ଢାଙ୍କି ରଖିଥାଏ । ଆଗ ଅଗଟା ଚିରି ଯାଇଥିବା ନିଜର ଟୋପିଟାକୁ ସେ ପଛପଟ ବେକର ତଳ ଯାଏ ଟାଣି ଆଣିଥାଏ । ମୁଣ୍ଡର ବାଳ ଗୋଟାସୁଦ୍ଧା ଅଲରାବଲରା ହୋଇ ପଡ଼ିଥାଏ ତା’ ପିନ୍ଧି କପଡ଼ାଟା ଉପରେ ଚକ୍‍ର ଚିହ୍ନ ଭର୍ତ୍ତି ହୋଇ ରହିଥାଏ । ତା’ ର ସମ୍ପୁର୍ଣ୍ଣ ଚେହେରାଟି ଉପରେ ଆଖି ପକାଇଲା ବେଳକୁ ମୋତେ ବଡ଼ ବିକଳ ଲାଗୁଥାଏ,–ଆମେ ସମସ୍ତେ ମଧ୍ୟ ସେହିପରି ଅନୁଭବ କରୁଥାଉ, -ସତେ ଯେପରି ପିଲାଟିକୁ ଆମେ ପ୍ରଥମଥର ପାଇଁ ଏପରି ଏକ ଅବସ୍ଥାରେ ଦେଖୁଛୁ !

 

ସେଇ ପିଲାଟି ଉପରେ ସମସ୍ତଙ୍କର ଘୃଣାପୂର୍ଣ୍ଣ ଦୃଷ୍ଟିମାନ ପତିତ ହୋଇ ରହିଥାଏ । ପିଲାଟା ନିଶ୍ଚୟ ଖୁବ୍ ଅପମାନିତ ବୋଧ କରିଥିବ । ହଠାତ୍, ଆଦୌ ନିଜ ଚାରିପାଖକୁ ନଅନାଇ ମାତ୍ର ଯେକୌଣସି ଅପରାଧୀର ସେହି ବିଚିତ୍ର ମୁଦ୍ରାରେ ମୁଣ୍ଡଟାକୁ ତଳକୁ କରି ସିଏ ନିଜ ଘରକୁ ଦଉଡ଼ି ପଳାଇବାକୁ ଆରମ୍ଭ କଲା । ଅନ୍ତତଃ ମୋତେ ସେହିପରି ଲାଗୁଥାଏ । ଅନ୍ୟ ପିଲାମାନେ ତା’ ପଛେ ପଛେ ଗୋଡ଼ାଉଥାନ୍ତି ଓ ଅତ୍ୟନ୍ତ ଅସ୍ଵାଭାବିକ ଏବଂ ନିର୍ଦ୍ଦୟ ଭାବରେ ଛି ଛକର କରି ତାକୁ କ’ଣ ସବୁ ଗାଳି ଦେବାରେ ଲାଗିଥାନ୍ତି । ମନେ ହେଉଥାଏ, ସତେ ଯେପରି କୋଉଠି କେଉଁ ଭୂତ ବା ଶଇତାନଟିଏ ଆସି ସେମାନଙ୍କର ଇଚ୍ଛା ବିରୁଦ୍ଧରେ ସେମାନଙ୍କୁ ପୂରା ମାଡ଼ିବସିଛି । ସେତେବେଳେ ମୋ’ଭିତରୁ କିଏ କହିବାକୁ ଲାଗିଲା ଯେ ଏହି ସମ୍ପୂର୍ଣ୍ଣ ଘଟଣାଟିରେ ନିଶ୍ଚୟ କେଉଁଠାରେ କ’ଣ ଭୁଲ୍ ରହିଯାଇଛି ।

 

ମାତ୍ର ଯାବତୀୟ ଘଟଣା ସେହି ପୂର୍ବଭଳି ଚାଲିଲା । ବେଶ୍ କେତେଦିନ ଯାଏ ସେହି ଚୋରପିଲାଟି ବିଜ୍ଞାପନଟିକୁ ଦେହରେ ଲଟକାଇ ସ୍କୁଲକୁ ଆସିଲା । ମାତ୍ର, ମୋତେ ଲାଗିଲା, ଯେପରି ସେହିଦିନ ଠାରୁ ତା’ର ପାଠପଢ଼ାରେ ଅବନତି ଘଟିବାକୁ ଆରମ୍ଭ କଲା । ସିଏ ଖେଳ କସରତରେ ଆଦୌ କୌଣସି ଅଂଶ ଗ୍ରହଣ କଲା ନାହିଁ ଏବଂ ଶ୍ରେଣୀ ବାହାରେ ନିଜ ସାଥୀମାନଙ୍କ ସହିତ କଥାବାର୍ତ୍ତା କଲାନାହିଁ ।

Image

 

-୩-

 

ପରେ ମୁଁ ଦିନେ ଯେତେବେଳେ କ୍ଲାସ୍‍କୁ ଗଲି, ସେତେବେଳେ ସବୁଯାକ ପିଲା ମୋତେ ଭାରି ଭୟଶଙ୍କିତ ହୋଇ କହିଥିଲେ ଯେ, ସେହି ପିଲାଟି ପୁନର୍ବାର ଚୋରି କରିବା ଆରମ୍ଭ କରି ଦେଇଛି । ଶିକ୍ଷକଙ୍କର କୋଠରୀରୁ ସିଏ କୋଡ଼ିଏ କୋପେକ୍ (ଋଷ୍ ଦେଶର ମୁଦ୍ରା) ଚୋରି କରିନେଇଛି ଏବଂ, ସିଡ଼ି ତଳେ ଚୋରି ପଇସା ଲୁଚାଇ ରଖୁଥିବା ସମୟରେ ସେମାନେ ତାକୁ ଧରିଛନ୍ତି ।

 

ଆମେ ପୁନର୍ବାର ତା’ଦେହରେ ବିଜ୍ଞାପନ କାଗଜଟିକୁ ଲଗାଇଲୁ ଏବଂ ଆଗର ସେହି କୁତ୍ସିତ ଦୃଶ୍ୟଟି ପୁଣିଥରେ ଅଭିନୀତ ବି ହେଲା । ଶୃଙ୍ଖଳାବାଦୀ ସବୁ ମଣିଷଙ୍କର ଯେପରି ଅଭ୍ୟାସ ଥାଏ, ମୁଁ ତାକୁ ଗୋଟାଏ ଭାଷଣ ମଧ୍ୟ ଦେଇଥିଲି । ତା’ପରେ ପିଲାମାନଙ୍କ ମଧ୍ୟରେ ବି ଅଧିକ ବୟସର ପିଲାଟିଏ ଥିଲା, ସବୁବେଳେ ଭଡ଼ର ଭଡ଼ର ହେବା ତା’ର ମଧ୍ୟ ଅଭ୍ୟାସ ଥିଲା, ସିଏ ମଧ୍ୟ ଭାଷଣଟାଏ ଦେଲା । ତା’ନିଜ ବାପା(ସିଏ ଜଣେ କୃଷକ ଥିଲେ)ଙ୍କ ଠାରୁ ନିଃସନ୍ଦେହ ଭାବରେ ଶୁଣି ଆସିଥିବା ଶବ୍ଦଗୁଡ଼ିକୁ ବ୍ୟବହାର କରି ସିଏ ନିଜର ଭାଷଣଟି ଦେଇଥିଲା ।

 

କେଡ଼େ ଖୋଲା ଗଳାରେ ଅଭିପ୍ରାୟପୂର୍ଣ୍ଣ ଭାଷାରେ ସିଏ କହୁଥାଏ, “ଇଏ ଥରେ ଚୋରି କଲା, ଆଉ ଥରେ ମଧ୍ୟ ଚୋରି କଲା । ଚୋରି କରିବାଟା ତା’ର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ଏଥିରେ ଆଦୌ କିଛି ହେଲେ ଭଲ ହେବନାହିଁ ।”

 

କଥାଗୁଡ଼ିକ ଶୁଣି ମୁଁ ବିରକ୍ତ ହୋଇ ଆସୁଥାଏ । ଚୋର ପିଲାଟି ଉପରେ ମୋର ପ୍ରକୃତରେ କ୍ରୋଧ ହେବାକୁ ଲାଗିଲା ।

 

ମାତ୍ର, ଯେମିତି ମୁଁ ସେହି ଅପରାଧୀ ବାଳକଟିର ମୁହଁଟିକୁ ଅନାଇଦେଲି,–ମୁହଁଟି ଆଗ ଅପେକ୍ଷା ଆହୁରି ବିବର୍ଣ୍ଣ, ମ୍ରିୟମାଣ, ଆବେଗ ଛଳଛଳ ଏବଂ କଠୋର ଦେଖା ଯାଉଥାଏ, ସେତେବେଳେ ମୋତେ ଜଣେ ତୁଚ୍ଛା ଅପରାଧୀର ମୁହଁ ଛଡ଼ା ଆଉ କିଛିହେଲେ ଦେଖା ଗଲାନାହିଁ ଏବଂ, ସମସ୍ତ ଦୃଶ୍ୟଟି ମୋତେ ଏପରି ଅନୁଚିତ ଏବଂ ଘୃଣାପୂର୍ଣ୍ଣ ମନେ ହେଲା ଯେ, ମୁଁ ସେହି ନିର୍ବୋଧପୂର୍ଣ୍ଣ ଲେଖା କାଗଜଟିକୁ ତା’ ଦେହ ଉପରୁ ଭିଡ଼ି ବାହାର କରି ଆଣିଲି ଏବଂ ବର୍ତ୍ତମାନ ସିଏ ଯୁଆଡ଼େ ଇଚ୍ଛା କରୁଛି, ସିଆଡ଼େ ଯାଇପାରେ ବୋଲି ତାକୁ କହି ପକାଇଲି । ଏବଂ ସେତିକିବେଳେ ମୋ ଭିତରେ ହଠାତ୍ ଏପରି ପ୍ରତ୍ୟୟଟିଏ ଆସି ଦେଖାଦେଲା–ସେହି ପ୍ରତ୍ୟୟଟିକୁ ଯେ ମୁଁ କେବଳ ମୋ’ବୁଦ୍ଧି ଦେଇ ଅନୁଭବ କରୁଥିଲି ତା’ ନୁହେଁ, ମୋର ସମସ୍ତ ସତ୍ତା ସତେଅବା ତାହା ଅନୁଭବ କରୁଥିଲା,–ଯେ ଏହି ବିଚରା ଦୁଃଖୀ ବାଳକଟିଏ ଦଣ୍ଡ ଦେବାକୁ ମୋର ଆଦୌ କୌଣସି ଅଧିକାର ନଥିଲା ଏବଂ ମୁଁ କିମ୍ବା ମୋ’ପରି ଏକ ଭାଷଣ ଦେଇଥିବା କୃଷକ ପୁଅଟି ସେହି ପିଲାଟି ହୁଏତ ଯେପରି ହେଉ ବୋଲି ଇଚ୍ଛା କରୁଥିଲୁ, ତାକୁ ସେହି ଅନୁସାରେ ତିଆରି କରିବା ପାଇଁ ମୋର ପ୍ରକୃତରେ କୌଣସି କ୍ଷମତା ନଥିଲା । ମୁଁ ଅତ୍ୟନ୍ତ ଦୃଢ଼ ଭାବରେ ଅନୁଭବ କଲି ଯେ ପ୍ରତ୍ୟେକ ମଣିଷର ଆତ୍ମାର ସ୍ତରରେ ଏପରି ରହସ୍ୟମାନ ଗୁପ୍ତ ହୋଇ ରହିଛି, ଯାହା ବିଷୟରେ କି ଆମକୁ ଆଦୌ କିଛିହେଲେ ଜଣା ନାହିଁ, ଏବଂ ଆମ ଜୀବନର ଅସଲ ଲେଖାଗୁଡ଼ିକ ସେହିଠାରେ ଲେଖି ହୋଇଯାଏ ତଥା ଅସଲ କଥାଗୁଡ଼ିକୁ ସେହିଠାରେ ହିଁ ଗଢ଼ି ହୋଇ ଯାଉଥାଏ; ଏବଂ ନିୟମ ଅଥବା ଶାସ୍ତିର ସେଠାରେ ମୋତେ କୌଣସି ବଳ ଖଟେ ନାହିଁ ।

 

ଏବଂ ପୂରା ବ୍ୟାପାରଟା କେଡ଼େ ଫାଲତୁ ନୁହଁ ଆପଣମାନେ କହିଲେ । ଜଣେ ବାଳକ ବହିଟିଏ ଚୋରି କଲା, -ଆଉ କାହାର ବହିଟିଏ ଚୋରାଇ ନେବାଲାଗି ତା’ ଭିତରେ ସିଏ ଦୀର୍ଘ ସମୟ ଧରି ଏକ ଜଟିଳ ପ୍ରକ୍ରିୟାର ବଶବର୍ତ୍ତୀ ହୋଇ କ’ଣ ଅନୁଭବ କରିନଥିବ ! ବହିଟିଏ ନେଇ ସିଏ ନିଜ ବାକ୍ସରେ ଲୁଚାଇ ରଖିଥିଲା ଏବଂ ସେଥିଲାଗି ମୁଁ “ଚୋର” ବୋଲି ଲେଖା ହୋଇଥିବା ଗୋଟାଏ ବିଜ୍ଞାପନ ଲେଖି ତା’ଦେହରେ ସୂତା ବାନ୍ଧି ଟାଙ୍ଗିଦେବାକୁ ବାହାରି ପଡ଼ୁଛି । ସିଏ ଯାହା କରିଥିଲା ଓ ମୁଁ ସେଥିପାଇଁ ଯାହା କଲି–ଦୁଇଟି ଭିତରେ ଏକ ସମୂର୍ଣ୍ଣ ପାର୍ଥକ୍ୟ ପ୍ରକୃତରେ ରହିନାହିଁ କି ?

 

କାହିଁକି !

 

ଜଣେ କିଏ ଉତ୍ତର ଦେବ, ହଁ, ତାକୁ ଲଜ୍ଜା ଦେଇ ତା’ପ୍ରତି ଦଣ୍ଡବିଧାନ କରିବା ଲାଗି ।

 

କାହିଁକି ? ଲଜ୍ଜାର ଅର୍ଥଟା ପ୍ରକୃତରେ କ’ଣ ? ଏବଂ, ଲଜ୍ଜା ପାଖରେ ତାହାର କୌଣସି ପ୍ରମାଣ ଅଛି କି ? ଏପରି ଦ୍ଵାରା ଚୋରି କରିବାର ସେହି ପ୍ରବୃତ୍ତି ହୁଏତ ବଢ଼ି ମଧ୍ୟ ଯାଇପାରେ । ଏବଂ, ବାଳକଟିର ମୁହଁ ଉପରେ ଯେଉଁ ଭାବଟି ଫୁଟି ଉଠୁଥିଲା, ତାକୁ ହୁଏତ ମୋଟେ ଲଜ୍ଜା ବୋଲି କୁହାଯାଇ ପାରିବନାହିଁ । ହୁଁ, ମୁଁ ଖୁବ୍ ସୁନିଶ୍ଚିତ ହୋଇଯାଇ ପାରିବି ଯେ, ସେହି ଭାବଟି ମୋଟେ ଲଜ୍ଜାରେ ଭାବ ନୁହେଁ । ଏହା ହେଉଛି ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଆଉ କ’ଣ ଗୋଟିଏ ଭାବ, ଯାହାକି ହୁଏତ ତା’ର ମୁହଁଟାରେ ସର୍ବଦା ପ୍ରଚ୍ଛନ୍ନ ହୋଇ ରହିଥିଲା ଏବହି ସେଇଟିକୁ ବାହାରକୁ ପ୍ରକଟକରି ଆଣି ନଥିଲେ ସମ୍ଭବତଃ ଅଧିକ ଭଲ ହୋଇଥାନ୍ତା ।

 

ବାସ୍ତବ ବୋଲି କୁହା ଯାଇଥିବା ଯେଉଁ ପୃଥିବୀରେ ଅତ୍ୟାଚାରୀ ଓ ଉତ୍ପୀଡ଼କମାନେ ରହିଛନ୍ତି, ଯାହା ବିବେକ କହୁଛି ତା’ ନୁହେଁ, ମାତ୍ର ଯାହା ବାସ୍ତବ କ୍ଷେତ୍ରରେ କାମ ଦେଇପାରୁଛି ଯେଉଁଠି ତାହାକୁ ହିଁ ଉଚିତ ବୋଲି କୁହାଯାଉଛି, ଏହି ପୃଥିବୀରେ ଏଭଳି ମନୁଷ୍ୟମାନେ ଅଛନ୍ତି, ଯେଉଁମାନେ କି ସ୍ଵୟଂ ନାନା ଦୋଷରେ ଦୋଷୀ ହୋଇରହିଛନ୍ତି, ସେମାନେ କେଡ଼େ ଉଦ୍ଧତ ଭାବରେ ଅନ୍ୟମାନଙ୍କୁ ଦଣ୍ଡ ଦେବାର ଅଧିକାର ଓ କର୍ତ୍ତବ୍ୟର ଡିଣ୍ଡିମ ବଜାଇ ବାହାରଛନ୍ତି ! ଆମ ପିଲାମାନଙ୍କର, –ସେମାନେ ସତେ କେଡ଼େ ସରଳ ଓ ସ୍ଵାଧୀନ ନୁହନ୍ତି ! –ପୃଥିବୀକୁ ଏହିସବୁ ଆତ୍ମପ୍ରବଞ୍ଚନାରୁ ମୁକ୍ତ ରଖିବାକୁ ହେବ ଏବଂ, ପ୍ରତିଶୋଧ ନେବାର ପ୍ରବୃତ୍ତିଟାକୁ ଆମେ ଦଣ୍ଡ ବୋଲି କହିବାମାତ୍ରକେ ତାହା ଯେ ନ୍ୟାୟସଙ୍ଗତ ହୋଇ ଯାଇଥାଏ, ଆମ ଭିତରେ ରହିଥିବା ସେହି ଭ୍ରମ ଓ ମିଛବିଶ୍ଵାସରୁ ପିଲାଙ୍କର ପୃଥିବୀକୁ ମୁକ୍ତ ରଖିବାକୁ ପଡ଼ିବ ।

 

ଏଥର, ଆମ ବିଦ୍ୟାଳୟର ଦୈନିକ କାର୍ଯ୍ୟକ୍ରମ ବିଷୟରେ ଆହୁରି କିଛି କଥା ପଡ଼ୁ !

Image

 

ନବମ ଅଧ୍ୟାୟ

ପରୀକ୍ଷାର ନମ୍ବର

 

ଦୁଇଟା ବାଜିଲେ ପିଲାମାନେ ଘରକୁ ଦଉଡ଼ନ୍ତି । ଭୋକରେ ପେଟ ଡାକୁଥାଏ । ତଥାପି ପ୍ରବଳ ଭୋକ କରୁଥିଲେ ମଧ୍ୟ ସେମାନେ ନିଜେ କେତେ କେତେ ନମ୍ବର ରଖିଛନ୍ତି, ସେ କଥା ଜାଣିବାକୁ କେତେ ମୂହୁର୍ତ୍ତ ଅପେକ୍ଷା କରି ରହନ୍ତି । ବର୍ତ୍ତମାନ ପିଲାମାନଙ୍କର କ୍ରମିକ ସ୍ଥାନ ନିର୍ଦ୍ଧାରଣ କରି ଦିଆ ଯାଉନାହିଁ ସତ, ତଥାପି ସେମାନେ ପରମ ଉତ୍ସୁକତାର ସହିତ ନିଜେ ରଖିଥିବା ନମ୍ବରଗୁଡ଼ିକୁ ଜାଣିବାକୁ ଇଚ୍ଛା କରୁଥାନ୍ତି ।

 

“ମୁଁ ପାଞ୍ଚ ନମ୍ବର ରଖିଛି, ତା’ଉପରକୁ ଯୁକ୍ତଚିହ୍ନ ବି ଦିଆଯାଇଛି । କୁନି ଅଲଗା ଗୋଟିଏ ଆକୁଲା ଶୂନ୍ ପାଇଛି ।” “ମୁଁ ଚାରି ପାଇଛି,” -ଏହିପରି ଚିତ୍କାରମାନ ଶୁଣା ଯାଉଥାଏ ।

 

ପିଲା ସିଏ ରଖିଥିବା ନମ୍ବରକୁ ସିଏ କରିଥିବା କାମର ଏକ ମାପକ ରୂପେ ଗ୍ରହଣ କରେ । ଏବଂ ଏହି ନମ୍ବର ଦେବାରେ ଯଦି କୌଣସି ଅବିଚାର କରା ଯାଇଥାଏ, କେବଳ ସେତିକିବେଳେ ଯାଇ କୌଣସି ପିଲା ଅସନ୍ତୋଷ ପ୍ରକାଶ କରେ । ଯଦି ଯେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥାଏ, ମାତ୍ର ଶିକ୍ଷକ ଯଦି ଭୁଲରେ ତାକୁ ତା’ ପ୍ରାପ୍ୟଠାରୁ କମ୍ ନମ୍ବର ଦେଇଥାନ୍ତି, ତେବେ ତାହା ଅତିଖରାପ ବ୍ୟାପାରଟିଏ ହୁଏ । ସେପରି କ୍ଷେତ୍ରରେ ସିଏ ଶିକ୍ଷକଙ୍କୁ ମୋଟେ ଶାନ୍ତି ଦିଏ ନାହିଁ ଏବଂ ନମ୍ବର ନବଦଳିଲା ପର୍ଯ୍ୟନ୍ତ ମିଳିବା କାଠ ଓ ସେହି ଅନୁସାରେ ସିଏ ଖରାପ ନମ୍ବର ପାଇଲା । ତେବେ ସିଏ ସେଥିରେ ଆଦୌ କୌଣସି ପ୍ରତିବାଦ କରେ ନାହିଁ ।

 

ଏହିନମ୍ବର ଦେବାଟାକୁ ଅବଶ୍ୟ ଏକ ପୁରାତନ ପ୍ରଣାଳୀର ଅବଶେଷ ବୋଲି କହିବାକୁ ପଡ଼ିବ । ଏବଂ ତେଣୁ ଏବେ ଏହା କ୍ରମେ ଆପେ ଆପେ ଅଚଳ ହେବାକୁ ଆରମ୍ଭ କଲାଣି ।

Image

 

ଦଶମ ଅଧ୍ୟାୟ

ଉପରଓଳିର ପାଠପଢ଼ା

 

ଘରୁ ଖାଇ ପିଲାମାନେ ଅପରାହ୍ନରେ ପୁଣି ସ୍କୁଲକୁ ଆସନ୍ତି । ସକାଳେ ଯେଉଁପରି ଆସିଥିଲେ, ଠିକ୍ ସେହିପରି । ଶିକ୍ଷକ ଆସିବା ପର୍ଯ୍ୟନ୍ତ ଠିକ୍ ସକାଳ ପରି ଅପେକ୍ଷା କରି ରହନ୍ତି ।

 

ସାଧାରଣତଃ ବର୍ତ୍ତମାନ ସେମାନେ ଧର୍ମକାହାଣୀ ଅଥବା ଋଷିଆର ଇତିହାସକୁ ବିଷୟ ହିସାବରେ ଅଧ୍ୟୟନ କରନ୍ତି ଏବଂ ସବୁଯାକ ଶ୍ରେଣୀର ପିଲା ଏଥିପାଇଁ ଏକାଠି ହୋଇ ବସନ୍ତି । ଏହି କ୍ଲାସ୍‍ଟି ଆରମ୍ଭ ହେଲା ବେଳକୁ ସାଧାରଣତଃ ଗୋଧୂଳି ସମୟ ହୋଇ ଆସିଥାଏ । ଶିକ୍ଷକ ଶ୍ରେଣୀଗୃହ ମଝିରେ ଛିଡ଼ା ହୋଇଥାନ୍ତି ଅଥବା ଆସନରେ ବସିଥାନ୍ତି ଏବଂ ଯାତ୍ରା ଦେଖିଲାବେଳେ ଯେମିତି ହୁଏ, ପିଲାମାନେ ତାଙ୍କୁ ଚାରିପାଖରେ ବେଢ଼ି ରହିଥାନ୍ତି । କେତେ ପିଲା ବେଞ୍ଚ୍ ଉପରେ ମଧ୍ୟ ଦେଖିବାକୁ ମିଳେ ।

 

ଅପରାହ୍ନର ଏହିସବୁ ପାଠପଢ଼ା, ବିଶେଷତଃ ପ୍ରଥମ ଘଣ୍ଟାର ପାଠପଢ଼ାଟି ସକାଳରେ ହେଉଥିବା ପାଠପଢ଼ା ତୁଳନାରେ ଏକାବେଳେକେ ଭିନ୍ନ ପ୍ରକାରର ହୋଇଥାଏ । ସମସ୍ତେ ସ୍ଵପ୍ନମଗ୍ନ ଥିବାପରି ଥିର ହୋଇ ବସିଥାନ୍ତି, ଆବେଶଟି ବେଶ୍ କବିତାଧର୍ମୀ ଲାଗୁଥାଏ ।

 

ସନ୍ଧ୍ୟା ପରେ ସ୍କୁଲକୁ ଆସିଲେ ଆପଣ ଦେଖିବେ ଯେ, ଝରକାମାନଙ୍କରେ କୌଣସି ଆଲୋକ ଦୃଷ୍ଟିଗୋଚର ହେଉନାହିଁ । ସବୁ ପ୍ରାୟ ନିସ୍ତବ୍ଧ ହୋଇ ରହିଛି । କେବଳ ସିଡ଼ି ଉପରେ ତାଜା ପଡ଼ିଥିବା କିଛି ବରଫ ସିଧା ରେଖାଟିଏ ଆଙ୍କି ଦେଇଛି । ଥିରି ଥିରି ହୋଇ ଫୁସ୍ ଫୁସ୍ ଶବ୍ଦ ଶୁଣାଯାଉଛି, ଏବଂ ଦୁଆର ସେପଟେ କ’ଣ ସବୁ ମନ୍ଥର ଗତିରେ ଚଳପ୍ରଚଳ ହେବାରେ ଲାଗିଛି ହୁଏତ ଜଣେ ବାଳକ ସିଡ଼ିର ବାଡ଼କୁ ଧରି ଏକାଥରକେ ଦୁଇ ପାହୁଣ୍ଡ ଉଠିଯିବାକୁ ଚେଷ୍ଟା କରୁଛି । ସେଇଥିରୁ ପ୍ରମାଣ ମିଳି ଯାଉଛି ଯେ, ଇସ୍କୁଲବନ୍ଦ ହୋଇନାହିଁ ଚାଲିଛି ।

 

ଆପଣା କୋଠରୀ ଭିତରକୁ ଆସନ୍ତୁ ।

 

ହିମପାତ ହେତୁ ଝରକାଗୁଡ଼ିକର ସେପଟଟା ପ୍ରାୟ ଅନ୍ଧରୁଆ ଦେଖାଯାଉଛି । ଅପେକ୍ଷାକୃତ ବେଶୀ ବୟସର ଓ ଅପେକ୍ଷାକୃତ ଅଧିକ ଭଲ ପଢ଼ୁଥିବା ଛାତ୍ରଥିବା ଛାତ୍ରୀମାନେ ଶିକ୍ଷକଙ୍କର ଚାରିପାଖରେ ତାଙ୍କ ଆଡ଼କୁ ଅଧିକ ଲାଗି ଲାଗି ଆସୁଛନ୍ତି ସୁନ୍ଦର ମୁହଁଗୁଡ଼ିକୁ ଉପରକୁ ଟେକି ତାଙ୍କ ମୁହଁ ସିଧା ଅନାଇବାକୁ ଚେଷ୍ଟା କରୁଛନ୍ତି । ଭାରି ସ୍ଵାଧୀନଚେତା ସାନ ଝିଅଟି ସତେଅବା ଏକାବେଳେକେ ଅନ୍ୟମନସ୍କ ହୋଇ କ’ଣ ଭାବୁଛି । ସିଏ ସବୁବେଳେ ସେହି ଉଚ୍ଚ ଚୌକିଟି ଉପରେ ଯାଇ ବସିଥାଏ ଏବଂ ଶିକ୍ଷକ କହୁଥିବା ଶବ୍ଦକୁ ପିଇଯିବାରେ ଲାଗିଥିବ । ଯେଉଁ ପିଲାମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଖୁଜୁବୁଜିଆ ଓ ବୟସରେ ସାନ, ସେମାନେ ଶିକ୍ଷକଙ୍କ ଠାରୁ ଯଥାସମ୍ଭବଅଧିକ ଦୂରରେ ଯାଇ ବସିଥିବେ । ମାତ୍ର, ସେମାନେ ସମସ୍ତେ ଗଭୀର ମନୋଯୋଗ ସହକାରେ ଶିକ୍ଷକଙ୍କର କଥା ଅବଶ୍ୟ ଶୁଣୁଥିବେ, ଏପରିକି ଭାରି ଗମ୍ଭୀର ଭାବରେ ବି ଶୁଣୁଥିବେ । ସେମାନେ ବି ଠିକ୍ ବଡ଼ ପିଲାମାନଙ୍କର ପରି ଉତ୍ତମ ଆଚରଣ ଦେଖାଇଥିବେ । ମାତ୍ର, ସେମାନଙ୍କର ଏହି ଯାବତୀୟ ମନୋଯୋଗ ସତ୍ତ୍ୱେ ଆମେ ଖୁବ୍ ସଚେତନ ଭାବରେ ଜାଣି ପାରୁଥିବେ ଯେ, ସେମାନେ ସେଗୁଡ଼ିକୁ ମୋଟେ ସ୍ମରଣ କରି କହିପାରିବେ ନାହିଁ, ଅବଶ୍ୟ ଶୁଣୁଥିବା କଥାଗୁଡ଼ିକର ଅଧିକାଂଶ ସେମାନଙ୍କର ନିଶ୍ଚୟ ମନେ ରହିଥିବ, ଗୋଟିଏ ପିଲା ହୁଏତ ଆଉ ଗୋଟିଏ ପିଲାର କାନ୍ଧ ଆଡ଼କୁ ଲଦିହୋଇ ବସିଥିବ । ଆଉଜଣେ ହୁଏତ ଟେବୁଲ ଉପରେ ଛିଡ଼ା ହୋଇଥିବ । ବେଳେ ବେଳେ ଏପରି ମଧ୍ୟ ବେଶ୍ ହୋଇପାରିବ ଯେ, ଆଉ କାହାର ପିଠି ଉପରେ ନିଜର ଦେହଟାକୁ ଲମ୍ବାଇ ଦେଇ ସେମାନଙ୍କ ଭିତରୁ ଜଣେ ନିଜକୁ ପୂରା ପଲଟାଇ ମଝିଯାଏ ଲମ୍ବାଇ ନେଇଆସିବ ଏବଂ ହୁଏତ କୌଣସି ପିଲାର ପିଠି ଉପରେ ନିଜ ଆଙ୍ଗୁଠିର ନଖ ସାହାଯ୍ୟରେ କ’ଣ ଗୋଟାଏ ଚିତ୍ର ମଧ୍ୟ ଆଙ୍କିଦେବ । ଆପଣ ଶ୍ରେଣୀଗୃହରେ ଥିଲେ ମଧ୍ୟ କେହି କ୍ଵଚିତ୍ ଆପଣଙ୍କୁ ଆଡ଼କୁ ଅନାଇବେ ।

 

ଯେତେବେଳେ ଗୋଟିଏ ନୂଆ କାହାଣୀ ଆରମ୍ଭ ହେଉଥିବ, ସେତେବେଳେ ସମସ୍ତେ ଠିକ୍ ଗୋଟାଏ ଗୋଟାଏ ଶବ ପରି ଥିର ହୋଇ ବସିଥିବେ ଓ କାହାଣୀ ଶୁଣୁଥିବେ । ଯଦି ତାହା ସେମାନେ ଆଗରୁ ଶୁଣୁଥିବା ଗୋଟିଏ ପୁରୁଣା ଗପ ହୋଇଥିବ, ତେବେ ସତେଅବା ଅସମ୍ଭାଳ ହୋଇ ଶିକ୍ଷକଙ୍କୁ ତାହା ମନେ ପକାଇ ଦେବା ପାଇଁ କେତେ ପିଲା ଭାରି ଗଉଁ କରି ସେକଥା ଜଣାଇ ଦେଉଥିବେ । ମାତ୍ର ସେହି ପୁରୁଣା ଗପଟିକୁ ଯଦି ସେମାନେ ଭଲ ପାଉଥିବେ, ତେବେ ସେମାନେ ଶିକ୍ଷକ ପୂରା ଗପଟିକୁ କହନ୍ତୁ ବୋଲି ତାଙ୍କ ପାଖରେ ଅଳି କରୁଥିବେ । ସେତେବେଳେ କେହି ଜଣେହେଲେ ତାଙ୍କୁ ବାଧା ଦେଉ ବୋଲି ଇଚ୍ଛା କରିବେ ନାହିଁ ।

 

“ଥିରି ହୋଇ ବସି ପାରୁନୁ କିରେ !”–ସମସ୍ତେ ଏକସ୍ଵର ହୋଇ ବାଧା ଦେଉଥିବା ଦୁଷ୍ଟ ପିଲାଟିକୁ ସାବଧାନ କରି ଦେଉଥିବେ ।

 

ଶିକ୍ଷକ କେଡ଼େ ଚମତ୍କାର ଏବଂ କଳାତ୍ମକ ଭାବରେ କାହାଣୀଟିଏ କହୁଛନ୍ତି, ସେତେବେଳେ କେହି ତାଙ୍କୁ ବାଧା ଦେଲେ ସେମାନେ ପ୍ରକୃତରେ ଭାରି ଆଘାତ ପାଆନ୍ତି । ଗତ ସପ୍ତାହରେ ସେମାନେ ଶିକ୍ଷକଙ୍କ ଠାରୁ ଯୀଶୁଖ୍ରୀଷ୍ଟଙ୍କର ଜୀବନକାହାଣୀ ଶୁଣୁଥିଲେ । ପ୍ରତ୍ୟେକ ଥର, ସେହି ଗପଟିକୁ ସେମାନଙ୍କୁ ସମ୍ପୂର୍ଣ୍ଣ କୁହାଯାଉ ବୋଲି ସେମାନେ ଜିଦ୍ କରୁଥିଲେ । ଯଦି ସେଥିରୁ ଗୋଟିଏ ଅଂଶ ଛାଡ଼ିହୋଇ ଯାଉଥିଲା, ତେବେ ସେମାନେ ନିଜେ ସେଥିରେ କାହାଣୀଟିରେ ଥିବା ନିଜର ପ୍ରିୟ ଶେଷଅଂଶଟିକୁ ଯୋଡ଼ି ଦେଉଥିଲେ; ପିଟର୍ କିପରି ବିଶ୍ଵାସଘାତକତା କଲା ଓ ତା’ଫଳରେ ପ୍ରଭୁ ଖ୍ରୀଷ୍ଟ କିପରି କେତେ କଷ୍ଟ ପାଇଲେ, ସେହି ଅଂଶଟିକୁ-

 

ସେତେବେଳେ ଲାଗୁଥିବା, ସେହି କୋଠରୀ ଥିବା କାହାରି ଜଣଙ୍କ ଦେହରେ ମଧ୍ୟ ଅବା କୌଣସି ଜୀବନ ନାହିଁ,–କେହି ହଲ୍ କି ଚଲ୍ କିଛି ହେଉନଥିଲେ । ମନେ ହେଉଥିଲା, ସେମାନେ ସମସ୍ତେ ଶୋଇ ପଡ଼ିଛନ୍ତି କି ?

 

ସେହି ଗୋଧୂଳି ସମୟରେ ଯଦି ଆପଣ ଯାଇ ସେଠି କୌଣସି ପିଲାର ମୁହଁକୁ ଅନାଇବେ, ତେବେ ଦେଖିବେ ଯେ ସିଏ ନିଜ ଶିକ୍ଷକଙ୍କର ମୁହଁ ଆଡ଼କୁ ଆଖିଗୁଡ଼ିକୁ ନିଶ୍ଚଳ କରି ରଖିଛି, ପୂର୍ଣ୍ଣ ମନୋଯୋଗରେ ମୁଦ୍ରାରେ ତା’ର ଆଖିପତାଗୁଡ଼ିକ ଥିର ହୋଇ ରହିଛି । ଯଦି କୌଣସି ସାଙ୍ଗପିଲା ପଛରୁ ତା’କାନ୍ଧ ଉପରେ ହାତ ଆଣିପକାଇ ଦେଉଥିବ, ତେବେ ସିଏ ଦଶଥର ପାଇଁ ମଧ୍ୟ ହାତଟାକୁ କାଳି ବାହାର କରି ଦେଉଥିବ । ଯଦି ତୁମେ ତା’ ବେକ ପାଖରେ ଯାଇ ସଲସଲ କରିବ । ତେବେ ସିଏ ଆଦୌ ହସିବ ବି ନାହିଁ ଏବଂ, ସତେଅବା ଗୋଟିଏ ମାଛିକୁ ବେକ ଉପରୁ ହୁରୁଡ଼ାଇ ଦେବାପାଇଁ ସିଏ ମୁଣ୍ଡଟାକୁ ହଲାଇ ଦେଉଥିବ ଏବଂ ତା’ପରେ ମନୋଯୋଗ ସହକାରେ ଶୁଣିଥିବା ସେହି ରହସ୍ୟମୟ କାବ୍ୟାତ୍ମକ କାହାଣୀଟି ଭିତରେ ଯାଇ ନିମ୍ନଗ ହୋଇ ଯାଉଥିବ । –କିପରି ମନ୍ଦିରର ଆବରଣଟି ବିଦୀର୍ଣ୍ଣ ହୋଇଗଲା ଓ ପୃଥିବୀର ଚତୁର୍ଦ୍ଦିଗ ଅନ୍ଧକାର ଭିତରେ ବୁଡ଼ିଗଲା, ସିଏ ସେହି କଥାଟିକୁ ଶୁଣୁଥିବ । ଏବଂ, ଯାହା ଶୁଣୁଥିବ ସେଥିରୁ ଦୁଃଖ ଅନୁଭବ କରୁଥିବ, ଆନନ୍ଦ ବି ଲାଭ କରୁଥିବ ।

Image

 

ଏକାଦଶ ଅଧ୍ୟାୟ

ଶେଷ ଘଣ୍ଟା ବାଜିଲା

 

ଶିକ୍ଷକଙ୍କର କାହାଣୀ କହିବା ସରିଲା, ପିଲାମାନେ ଗୋଟିଗୋଟି କରି ନିଜେ ବସିଥିବା ଜାଗାମାନଙ୍କରୁ ଉଠି ଛିଡ଼ା ହେଲେ । ସେମାନେ ଶିକ୍ଷକଙ୍କର ଚତୁର୍ଦ୍ଦିଗରେ ରୁଣ୍ଡ ହୋଇ କାହାଣୀର ଯେତିକି ଯାହା ମନେ ରଖିଥିଲେ, ତାହାକୁ ଶିକ୍ଷକଙ୍କ ଆଗରେ ଆରମ୍ଭ କଲେ । ବଡ଼ପାଟି କରି କହିବାକୁ ଗୋଟିଏ ପିଲା ଆଉ ସବୁ ପିଲାଙ୍କୁ ସତେଅବା ବଳିଯିବାକୁ ଚେଷ୍ଟା କରୁଥିଲା । ସେମାନଙ୍କର ପାଟିରେ କାନ ଅତଡ଼ା ପଡ଼ିଯିବା ପରି ମନେ ହେଉଥାଏ । ପିଲାମାନଙ୍କୁ ଶାନ୍ତ କରାଇ ଆଣିବାକୁ ଶିକ୍ଷକ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥାନ୍ତି । ନିଜେ ସମ୍ପୂର୍ଣ୍ଣ ଦୋଷହୀନ ଭାବରେ ଜାଣିଥିବା ଗୋଟିଏ କଥାକୁ କହିବାର ଅନୁମତି ଦିଆନଗଲେ, ସେପରି ଭାବରେ ପାଖକୁ ଧାଇଁଯିବେ, ସିଏ ନଥିଲେ ନିଜର କୌଣସି ସାଙ୍ଗ ପାଖକୁ ଏପରିକି କୌଣସି ଅପରିଚିତ ବ୍ୟକ୍ତି ପାଖକୁ ଦୌଡ଼ି ଯାଇ କାହାଣୀଟିକୁ କହି ପକାଇବା ପାଇଁ ମନ କରିବେ । ସେମାନେ ଦୁଇ ବା ତିନିଜଣ ହୋଇଯିବାକୁ ଲାଗିବେ, ଗୋଟିଏ କୋଠରୀରୁ ଆଉ ଗୋଟାଏ କୋଠରୀକୁ ଦୌଡ଼ିବାରେ ଲାଗିଥିବେ, ସେମାନଙ୍କର କଥାକୁ ଶୁଣିବା ଭଳି ଜଣେ ବ୍ୟକ୍ତିର ଅନ୍ଵେଷଣରେ ଧାଇଁଥିବେ । ବେଳେ ବେଳେ ନିଜ ପାଖରେ ବି ଗପଟିକୁ ବଖାଣି କହୁଥିବେ । ମନ ହେଲେ ସେଥିରେ ଆଉ କିଛି କଥା ଆଣି ମିଶାଇ ଦେଉଥିବେ ଓ ପରସ୍ପରକୁ ସଂଶୋଧନ ବି କରି ଦେଉଥିବେ ।

 

ଜଣେ ଆଉ ଜଣକୁ କହିବ, “ରହ ମୁଁ କାହାଣୀଟିକୁ ନିର୍ଭୁଲ କରି କହି ଦେଉଛି ।” ମାତ୍ର, ଯେଉଁପିଲାଟିକୁ ସେ କଥା କୁହାଗଲା, ସିଏ ଜାଣିଥିବ ଯେ, ପ୍ରଥମପିଲାଟି ମୋଟେ ସେକଥା କରି ପାରିବନାହିଁ ଏବଂ ତେଣୁ ସେ ତାକୁ କାହାପାଖକୁ ପଠାଇଦେବ । ସେମାନେ ପ୍ରତ୍ୟେକେ ଗପଟି କହିସାରିଲେ ଯାଇ କ୍ରମେ ଶାନ୍ତ ହୋଇ ଆସିବେ । ତା’ ପରେ ବତୀଗୁଡ଼ିକୁ ଜଳା ହେବ ପିଲାମାନେ ସେତେବେଳକୁ ଆଉ ଏକ ମିଜାଜକୁ ଆସି ସାରିଥିବେ ।

 

ସନ୍ଧ୍ୟା ସମୟରେ ପରବର୍ତ୍ତୀ ଶ୍ରେଣୀମାନଙ୍କରେ ସାଧାରଣତଃ କମ୍ ଗଣ୍ଡୋଗଳ ଓ ପାଟି ହୁଏ । କମ୍ ହରକତ ହେବାକୁ ପଡ଼େ । ପିଲାମାନେ ଶିକ୍ଷକଙ୍କୁ ଅଧିକ ମାନନ୍ତି ।

 

ସାଧାରଣତଃ ଗଣିତ ପ୍ରତି ପିଲାମାନଙ୍କର ଏକ ଅରୁଚି ରହିଥାଏ ବୋଲି ଜାଣି ହୋଇଯାଏ, ଏବଂ ସଙ୍ଗୀତ ଓ ପଠନ ପ୍ରତି ଅଧିକ ରୁଚି ଥାଏ । ଗପ ଶୁଣିବା ନିମନ୍ତେ ସବୁଠାରୁ ବେଶୀ ଆଗ୍ରହ ପରିଲକ୍ଷିତ ହୁଏ । ସେମାନେ ଅନେକ ସମୟରେ କହନ୍ତି, “ଗଣିତ ଆଉ ଲିଖନରେ କ’ଣ ଲାଭ ହେବ ? ଆମକୁ ଭୂଗୋଳ ବା ଇତିହାସ ବିଷୟରେ କହନ୍ତୁ, ଆମେ ନିଶ୍ଚୟ ଶୁଣିବୁ ।”

 

ଆଠଟା ବାଜିଲା ବେଳକୁ ପିଲାମାନଙ୍କର ଆଖି ଲାଗି ଲାଗି ଆସେ । କିଏ କେତେ ହାଇ ବି ମାରନ୍ତି । ଆଲୁଅମାନେ ମଧ୍ୟ କ୍ଷୀଣ ଦେଖା ଯାଅନ୍ତି । ପିଲାଏ ଫୁଙ୍କି କରି ସେଗୁଡ଼ିକୁ ନିଭାଇ ଦେବାକୁ ଅଧିକ ମନ କରନ୍ତି । ବଡ଼ ପିଲାମାନେ ତଥାପି ଚେଇଁଥାନ୍ତି; ମାତ୍ର ସାନମାନେ ଟେବୁଲ ଉପରେ କହୁଣିଗୁଡ଼ିକ ଉପରେ ଭାରାଦେଇ ଶୋଇ ପଡ଼ିବାକୁ ଆରମ୍ଭ କରନ୍ତି । ଶିକ୍ଷକମାନଙ୍କ ଗଳାର କଅଁଳ ଧ୍ୱନିଟି ମଧ୍ୟ ସେଥିରେ ସାହାଯ୍ୟ କରୁଥାଏ ।

 

ବେଳେ ବେଳେ, କ୍ଲାସ୍‍ଗୁଡ଼ିକ ଆଗ୍ରହେଦ୍ଦୀପକ ହେଉଥିବା ସମୟରେ,–ଏବଂ ବହୁସଂଖ୍ୟକ କ୍ଲାସ୍‍ ପ୍ରକୃତରେ ଖୁବ୍ ଆଗ୍ରହୋଦ୍ଦୀପୀକ ହୋଇଥାଏ,–ଅନେକ ସମୟରେ ଦୀର୍ଘ ସାତଘଣ୍ଟା ଯାଏ ସ୍କୁଲ ଚାଲିଥାଏ । ସେତେବେଳେକୁ ପିଲାମାନେ କ୍ଳାନ୍ତ ହୋଇ ଯାଆନ୍ତି । ଅଥବା ଯଦି ତହିଁ ଆରଦିନ ସ୍କୁଲ ଛୁଟିଥାଏ, ଯଦି ଘରେ ସମସ୍ତେ ସ୍ନାନ କରିବେ ବୋଲି ଚୁଲି ଉପରେ ପାଣି ଗରମ ହେଉଥାଏ, ତେବେ ହଠାତ୍ ଦେଖିବାକୁ ମିଳିବ ଯେ, ଦୁଇ ବା ତିନିଜଣ ପିଲା ଆଦୌ କୌଣସି କଥା ନକହି, ମଧ୍ୟାନ୍ନ ଭୋଜନ ପରେ ଦ୍ଵିତୀୟ କିମ୍ବା ତୃତୀୟ ଘଣ୍ଟାଟି ଚାଲିଥିବା ସମୟରେ କୋଠରୀ ଭିତରକୁ ପଶି ଆସିବେ ଏବଂ ତର ତର ହୋଇ ମୁଣ୍ଡରୁ ଟୋପିଗୁଡ଼ିକୁ କାଢ଼ିଦେବେ ।

 

“କୁଆଡ଼େ ବାହାରିଲ ?”

 

“ଘରକୁ ।”

 

“ପାଠପଢ଼ା ସରିନାହିଁ ପରା !–ଏହାପରେ ସଙ୍ଗୀତ ଅଛି ।”

 

ଟୋପିଟିକୁ ମୋଡ଼ି, ମୋଡ଼ି ଗୋଟିଏ ବାଳକ କହିବାକୁ ଆରମ୍ଭ କରିବ,

 

“ପିଲାମାନେ କହୁଛନ୍ତି ଯେ ଘରକୁ ଯିବା ସମୟ ହୋଇଗଲାଣି ।”

 

“ମାତ୍ର କୋଉପିଲା କହିଲେ ?”

 

“ସେମାନେ ଚାଲିଗଲେଣି ।”

 

“ଶିକ୍ଷକ ବିସ୍ମିତ ହୋଇ କହିବେ,‘‘ଏପରି କିଭଳି ହେବ ।” ସିଏ ଗୋଟାସୁଦ୍ଧା ଚକିତ ହୋଇଯିବେ । କାରଣ ସିଏ ପରବର୍ତ୍ତୀ ଘଣ୍ଟାଗୁଡ଼ିକୁ ଲାଗି ସେତେବେଳେ ପ୍ରସ୍ତୁତ ହେଉଥିବେ-।“ନାଇଁ ,ତୁମେମାନେ ଯାଇ ପାରିବ ନାହିଁ ।”

 

ଠିକ୍ ସେତିକିବେଳେ ଆଉଜଣେ ବାଳକ ଘର ଭିତରକୁ ପଶି ଆସିବ,–ତା’ର ମୁହଁଟା ଖୁବ ଉତ୍ସୁକ ଗମ୍ଭୀର ଦେଖା ଯାଉଥିବ ।

 

ସେଠାରେ ଅଟକ ରହିଥିବା ପିଲାଟିକୁ ଉଦ୍ଦେଶ୍ୟ କରି ସିଏ କ୍ରୋଧର ସହିତ ପଚାରିବ, “ତୁ ଏଠି ବସି କ’ଣ କରୁଛୁ ?” ମେଣ୍ଢା ଚମରେ ତିଆରି ନିଜର ଟୋପିକୁ ସିଏ ହୁଏତ ଥଙ୍ଗେଇ ହେଲାପରି ଉଲ୍ ସୂତା ବାହାର କରିବାରେ ଲାଗିଥିବ । “ସବୁ ପିଲା ତ କେତେ ବେଳୁଁ ” ବାହାରି ଗଲେଣି, ସେମାନେ କମାରଶାଳ ପାଖରେ ଯାଇ ହୋଇଯିବେଣି ।”

 

“ଚାଲିଗଲେଣି ?”

 

“ହୁଁ ଗଲେଣି ।” ତା’ପରେ ଦୁହେଁ ତତକ୍ଷଣାତ୍ ଧାଇଁ ପଳାଇବେ । ଏବଂ, କବାଟ ପାଖରେ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଦେଶ୍ୟ କରି ଏଡ଼େ ପାଟିରେ “ଆମେ ଯାଉଛୁ, ନମସ୍କାର” ବୋଲି କହିବେ ।

 

ମାତ୍ର, ଘରକୁ ଚାଲି ଯିବାକୁ ନିଷ୍ପତି କରିଥିବା ସେହି ପିଲାମାନେ ପକୃତରେ କିଏ ?

 

ସେକଥା କେବଳ ଭଗବାନ ଜାଣନ୍ତି । କିଏ ଏପରି ଏକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିବ, ସେକଥା ତୁମେ ଆଦୌ ଜାଣି ପାରିବନାହିଁ । କାରଣ ସେମାନେ ମେଳ ହୋଇ ଆଦୌ କୌଣସି ଆଲୋଚନା କରିନାହାନ୍ତି, ତୁଣ୍ଡ ଖୋଲି ପଦେ ବି କଥା କହିନାହାନ୍ତି । ତଥାପି ଏହି ପିଲାମାନେ ଘରକୁ ଯିବେ ବୋଲି ନିଷ୍ପତି କରିପାରିଲେ !

 

“ପିଲାଏ ଯାଉଛନ୍ତି !” –ଏବଂ ସିଡ଼ିର ପାହାଚ ଉପରୁ ସେମାନଙ୍କର ଗୋଇଠି ପଡ଼ୁଥିବା ଶବ୍ଦ ବେଶ୍‍ ଶୁଣା ଯାଉଥିବ । ଆଉଜଣେ ହୁଏତ ଗୋଟାଏ ବିଲେଇ ପରି ଦୁଆର ଆଡ଼କୁ ଡେଇଁ ପଡ଼ୁଥିବ, ଏବଂ ବରଫ ଉପରେ ଜଳି ଜଳି, ଦୋହଲି, ଅଣଓସାରିଆ ରାସ୍ତାଟି ଉପରେ ପରସ୍ପର ଠେଲାପେଲାକରି ପିଲାମାନେ ଆନନ୍ଦରେ ଚିତ୍କାର କରି ଘରମୁହାଁ ହୋଇ ଧାଇଁଥିବେ । ଏପରି ଦୃଶ୍ୟ ସପ୍ତାହକୁ ଥରେ କି ଦୁଇଥର ପ୍ରାୟ ଦେଖିବାକୁ ମିଳିଥାଏ ।

 

ଶିକ୍ଷକକୁ ଏହିଭଳି ଘଟଣା ମୋଟେ ଭଲ ଲାଗିବନାହିଁ । ସେ ଏହାକୁ ନିଜର ଅପମାନ ବୋଲି ଭାବୁଥିବ । ଏଇଟାକୁ ସିଏ ମୋଟେ ଅନୁମୋଦନ କରିବ ନାହିଁ ସତ, ମାତ୍ର ଏକଥାଟିକୁ ମଧ୍ୟ ଆଦୌ ଭାବିବନାହିଁ ଯେ, ଏହିପରି ଗୋଟିଏ ଘଟଣା ଘଟିପାରୁଛି ବୋଲି ପିଲା ପ୍ରତ୍ୟେକ ଦିନର ପାଞ୍ଚ, ଛଅ ବା ଏପରିକି ସାତୋଟି ପର୍ଯ୍ୟନ୍ତ ପାଠଘଣ୍ଟାକୁ ପ୍ରକୃତରେ କେତେ ଅଧିକ ମହତ୍ତ୍ଵ ଦେଇ ପାରୁଛି ! ପ୍ରତ୍ୟେକ ଶ୍ରେଣୀର ଦୈନିକ ଏତିକିଟି ପାଠଘଣ୍ଟା ରହିଛି ଓ ପିଲାମାନେ କେଡ଼େ ମୁକ୍ତ ଭାବରେ ନିଜ ଇଚ୍ଛାରେ ଆସି ସେଗୁଡ଼ିକରେ ଯୋଗ ଦେଉଛନ୍ତି !

 

ଏହିଭଳି ଘଟଣାଗୁଡ଼ିକର ପୁନରାବୃତ୍ତି ହେଉଥିଲେ ହିଁ, ଆମେ ପ୍ରକୃତରେ କହିପାରିବା ଯେ, ଏହାଦ୍ୱାରା ପାଠପଢ଼ା ଯଥେଷ୍ଟ ହୋଇ ପାରୁନଥିଲେ ମଧ୍ୟ ତଥାପି ଖୁବବେଶୀ ଖରାପ ବା କ୍ଷତିକାରକ ମୋଟେ ହେଉନାହିଁ । ମନେ କର, ଏହିପରି ଗୋଟିଏ ପ୍ରଶ୍ନ ପଚରା ଯାଇପାରିବ; ବର୍ଷଟା ମଧ୍ୟର ଏପରି ଘଟଣା କେବେହେଲେ ଘଟିବ ନାହିଁ ଅଥବା ଏଥିରେ ପାଠଘଣ୍ଟାର ଅଧା ସମୟ ଚାଲି ଯାଉଥିବ, -ଦୁଇଟା ମଧ୍ୟରୁ କେଉଁଟାକୁ ଅଧିକ ଭଲ ବୋଲି କୁହାଯିବ ? ଆମକୁ ଦ୍ଵିତୀୟଟିକୁ ହିଁ ଗ୍ରହଣ କରିବାକୁ ପଡ଼ିବ ।

 

ଗୋଟିଏ ମାସରେ ଏପରି ଘଟଣା ଏକାଧିକ ବାର ଘଟିବା ଦ୍ଵାରା ଏହି ୟସନାୟା ପୋଲ୍ୟାନା ବିଦ୍ୟାଳୟରେ ଅନ୍ତତଃ ମୁଁ ଖୁବ ଖୁସୀ ହୋଇଛି । ପିଲାମାନେ ଯେଉଁଠାକୁ ଖୁସୀ ଅବଶ୍ୟ ସେଠାକୁ ଯାଇପାରିବେ ବୋଲି ସେମାନଙ୍କୁ ଏତେ ବେଶୀ ପ୍ରଭାବ ରହିଛି ଯେ, ଏବେ କେତେଦିନ ହେଲା ମୋ’ ମନରେ ପ୍ରକୃତରେ ଖୁବ୍ ଆଶଙ୍କା ହେଉଛି ଯେ, କ୍ଲାସ୍‍ ସମୟ ପାଠନିର୍ଘଣ୍ଟ ଓ ପରୀକ୍ଷା ନମ୍ବର ପ୍ରଭୁତିର ଏହି ଶୃଙ୍ଖଳା ହୁଏତ କେଡ଼େ ଅଜାଣତରେ ପିଲାମାନଙ୍କର ସ୍ଵାଧୀନତାକୁ ଅତିରିକ୍ତ ପରିମାଣରେ ଖର୍ବ କରିଦେବ ଏବଂ ତାହା ଫଳରେ ସେମାନେ ଶୃଙ୍ଖଳାରକ୍ଷାର ଆମର ଏହି ଚତୁରତାର ସହିତ ଲୋଭନୀୟ କରି ତିଆରି ହୋଇଥିବା କୌଶଳଜାଲଟି ଭିତରେ ଯାଇ ପଡ଼ିଯିବେ ଏବଂ ଏହିପରି ଭାବରେ ସ୍ଵନିର୍ବାଚନ ତଥା ପ୍ରତିବାଦ କରିବାର ଯାବତୀୟ ସମ୍ଭାବନାକୁ ହରାଇ ବସିବେ ।

 

ସେମାନଙ୍କୁ ପ୍ରଦାନ କରା ଯାଇଥିବା ସ୍ଵାଧୀନତା ସତ୍ତ୍ୱେ ଯଦି ପିଲାମାନେ ତଥାପି ସ୍ଵେଚ୍ଛାପ୍ରବୃତ୍ତ ହୋଇ ବିଦ୍ୟାଳୟକୁ ଆସିବେ, ତେବେ ମୁଁ ତାହାକୁ ୟସନାୟା ପୋଲ୍ୟାନାର କେତେକ ବିଶେଷ ଗୁଣ ରହିଥିବାର ସେପରି ହେଉଛି ବୋଲି ମୋଟେ ବିଚାର କରିବି ନାହିଁ; କାରଣ ମୁଁ ଭାବୁଛି ଯେ, ଯେ କୌଣସି ବିଦ୍ୟାଳୟରେ ମଧ୍ୟ ଅନ୍ୟମାନଙ୍କୁ ଠିକ୍ ଏହି ଫଳଟି ଅବଶ୍ୟ ମିଳିବ । ଏବଂ ଏହି ପିଲା ବୟସରେ ଶିକ୍ଷାକରିବାର ଇଚ୍ଛାଟି ସାଧାରଣତଃ ଏପରି ପ୍ରବଳ ହୋଇ ରହିଥାଏ ଯେ ସେହି ଇଚ୍ଛାଟିକୁ ପୂରଣ କରିବା ନିମନ୍ତେ ସେମାନେ ବହୁକଷ୍ଟକର ସ୍ଥିତି ଭିତରେ ମଧ୍ୟ ନିଜକୁ ଅବଶ୍ୟ ବାଧ୍ୟ କରି ରଖିବେ ଏବଂ ଅନେକ ତ୍ରୁଟିକୁ ଅବଶ୍ୟ ମାର୍ଜନା କରୁଥିବେ ।

 

ତେଣୁ, ବିଦ୍ୟାଳୟରୁ ଏହିପରି ଚାଲିଯିବା ନିମନ୍ତେ ସେମାନଙ୍କୁ ଅଧିକ ସ୍ଵାଧୀନତା ଦିଆଯାଇ ପାରୁଥିଲେ । ତଦଦ୍ଵାରା ପ୍ରକୃତରେ ଉପକାର ହିଁ ହେବ ଏବଂ ଶିକ୍ଷକମାନେ ସେମାନଙ୍କର ଅନେକ ବଡ଼, ବଡ଼ ଓ ସାଂଘାତିକ ଅପାରଗତା ଏବଂ ଦୁରୁପଯୋଗରୁ ରକ୍ଷାପାଇବାର ଉପାୟରୂପେ ତାହାକୁ ଏକାନ୍ତ ଅପରିହାର୍ଯ୍ୟ ବୋଲି ମଧ୍ୟ କୁହାଯିବ ।

Image

 

ଦ୍ଵାଦଶ ଅଧ୍ୟାୟ

ସନ୍ଧ୍ୟାର କାର୍ଯ୍ୟକ୍ରମ

 

ସନ୍ଧ୍ୟାରେ ସଙ୍ଗୀତ ରହିଥାଏ, ଶ୍ରେଣୀ ଅନୁସାରେ ପୁସ୍ତକପଠନର କାର୍ଯ୍ୟକ୍ରମ ଥାଏ,–ପିଲାମାନେ ଆବୃତ୍ତି କରନ୍ତି, ପ୍ରୟୋଗଶାଳାରେ କାମକରନ୍ତି ଏବଂ ରଚନା ବି ଲେଖନ୍ତି । ପୁସ୍ତକପଠନ ଏବଂ ପ୍ରୟୋଗଗୁଡ଼ିକୁ ପିଲାମାନେ ସବୁଠାରୁ ଅଧିକ ଭଲ ପାଆନ୍ତି ।

 

ପୁସ୍ତକପଠନ ସମୟରେ ପିଲାମାନେ ମଝିରେ ପଡ଼ିଥିବା ବଡ଼ ଟେବୁଲଟିର ଚାରିପାଖରେ ଗୋଲ ହୋଇ ବସନ୍ତି । ମୁଣ୍ଡକୁ ମୁଣ୍ଡ ଲାଗି ଯାଇଥାଏ । ଗୋଡ଼ଗୁଡ଼ିକ ଦେହଟି ସହିତ ଯେକୌଣସି କୋଣ ଗଠନ କରି ଲମ୍ବି ରହିଥାଆନ୍ତି । ପ୍ରଥମେ ଜଣେ ପଢ଼େ ଏବଂ ତା’ପରେ ଅନ୍ୟମାନେ ବି ପଠିତ ବିଷୟଟିକୁ ପାଠ କରନ୍ତି । ସାନ ପିଲାମାନଙ୍କୁ ପ୍ରତି ଦୁଇଜଣରେ ଖଣ୍ଡେ ଲେଖାଏଁ ବହି ଦିଆଯାଇଥାଏ । ଏବଂ, ସେମାନେ ମଧ୍ୟ ଅର୍ଥ ବୁଝି ପାରୁଥିଲେ ଆମ ବଡ଼ମାନଙ୍କପରି ସେଥିରୁ କିଛି କିଛି ପାଠ କରୁଥାନ୍ତି । ବହିଟିକୁ ଆଲୁଅ ଆଡ଼କୁ ପ୍ରସାରିତ କରି ଧରିଥାନ୍ତି ଏବଂ ଅଧିକ ସହଜ ଲାଗିବ ବୋଲି କହୁଣି ଉପରେ ଭରା ଦେଇ ବସିଥାନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେଥିରୁ ସେମାନେ ବହୁତ ଆରାମ ମଧ୍ୟ ପାଆନ୍ତି, କେତେ ପିଲା ଏକାବେଳେକେ ଦୁଇଟିଯାକ ଆରାମକୁ ଉପଭୋଗ କରିବାକୁ ଇଚ୍ଛା କରୁଥାନ୍ତି । ସେମାନେ ଉଷୁମ ହେଉଥିବା ଚୁଲିଟି ପାଖରେ ବସି ଉଷୁମ ପାଉଥାନ୍ତି ଏବଂ ଏଣେ ବହି ମଧ୍ୟ ପଡ଼ୁଥାନ୍ତି ।

 

ବିଜ୍ଞାନରେ କରା ଯାଉଥିବା ପ୍ରଯୋଗଗୁଡ଼ିକୁ ଲକ୍ଷ୍ୟ କରିବାକୁ ସବୁ ପିଲାଙ୍କୁ ଆଦୌ ଅନୁମତି ଦିଆ ଯାଏନାହିଁ–କେବଳ ସବୁଠାରୁ ଭଲ ପଢ଼ୁଥିବା ପିଲାମାନେ ସେହି ସୁଯୋଗ ଲାଭ କରନ୍ତି । ସେମାନେ ଦ୍ଵିତୀୟ ଶ୍ରେଣୀରୁ ବଛା ହୋଇଥାନ୍ତି । ଏହି ଶ୍ରେଣୀଟି ଆମ ବିଦ୍ୟାଳୟର ଧାରାଟି ଅନୁସାରେ ସନ୍ଧ୍ୟା ସମୟରେ ପାଠକ୍ରମଗୁଡ଼ିକ ଲାଗି ପ୍ରକୃତରେ ସୁ-ଅନୁକୂଳିତ ହୋଇ ରହିଥାଏ । ଅତ୍ୟନ୍ତ ଚମତ୍କାର ଶ୍ରେଣୀଟିଏ ଏବଂ କାହାଣୀଗୁଡ଼ିକର ପଠନ ସମୟରେ ମଧ୍ୟ ତାହା ଉପଯୁକ୍ତ ମନଃସ୍ଥିତିରେ ସର୍ବଦା ରହିଥାଏ ।

 

ପିଲାମାନଙ୍କୁ ପ୍ରୟୋଗଶାଳାରେ ଯାହାକିଛି କୁହାଯାଏ, ସେମାନଙ୍କର କଳ୍ପନାରେ ତାହା ବାସ୍ତବରେ ହିଁ ରୂପାନ୍ତରିତ ହୋଇ ଯାଉଥାଏ । ସେମାନଙ୍କ ସକାଶେ ସବୁକିଛି ଜୀବନ୍ତ ଓ ମୂର୍ତ୍ତି ହୋଇଉଠେ । ଗୋଟିଏ ବସ୍ତୁ କିପରି ଆଉ ଗୋଟିଏ ବସ୍ତୁକୁ ନାତ ମାରି ଫୋପାଡ଼ି ଦେଉଛି, ଚୁମ୍ବକରେ କିପରି ଏପାଖ ସେପାଖ ଧାଇଁବାରେ ଲାଗିଛ, ତଳେ ଚୁମ୍ବକ ରହିଥିବା ଖଣ୍ଡେ କାଗଜଫର୍ଦ୍ଦ ଉପରେ ଲୁହାଖଣ୍ଡଟା କିପରି ନାଚିବାରେ ଲାଗିଯାଉଛି,–ଏଗୁଡ଼ିକ ସବୁକିଛି ସେମାନଙ୍କୁ ଜୀଇଥିବା ପରି ମନେ ହୁଅନ୍ତି । ଏପରିକି, ସବୁଠାରୁ ଅଧିକ ବୁଦ୍ଧିଆ ପିଲାମାନେ ମଧ୍ୟ ଚକିତ ହୋଇ ଉଠନ୍ତି ଏବଂ ଧାଉଁଥିବା ଛୁଞ୍ଚି ଓ ଅନ୍ୟାନ୍ୟ ଦ୍ରବ୍ୟଗୁଡ଼ିକୁ ଦେଖି ପାଟି କରି ଉଠନ୍ତି, “ଦେଖ, ଦେଖ, ଏଇଟା କୁଆଡ଼େ ଧାଇଁବାରେ ଲାଗିଛି କହିଲ ! ଧର ଧର,–ନାହିଁ, ଛାଡ଼ିଦିଅ,”–ଏହିପରି କେତେ କ’ଣ ।

 

ସାଧାରଣତଃ ଆଠଟା ନଅଟା ବେଳକୁ ଶ୍ରେଣୀଗୁଡ଼ିକ ଶେଷ ହୁଏ; ଅବଶ୍ୟ ବଢ଼େଇ କାମର ବିଭାଗଟି କେତେକ ବେଶୀ ବୟସର ବାଳକଙ୍କୁ ଆଉଟିକିଏ ଡେରି ପର୍ଯ୍ୟନ୍ତ ବି ଅଟକାଇ ରଖିପାରେ । ଛୁଟି ହେବା ମାତ୍ରକେ ପଲଟାଯାକ ପିଲା ନାନା ଚିତ୍କାର କରି ବାହାରକୁ ବାହାରି ଆସନ୍ତି । ତା’ପରେ ଗୋଟିଏ ଗୋଟିଏ ଦଳରେ ବିଭକ୍ତ ହୋଇ ଯାଆନ୍ତି ଗାଆଁ ଆଡ଼କୁ ପଡ଼ିଥିବା ରାସ୍ତାଗୁଡ଼ିକ ଅଲଗା ଅଲଗା ହୋଇ ଯାଉଥିବା ଅନୁସାରେ ସେମାନେ ବଡ଼ ପାଟିରେ ପରସ୍ପରଠାରୁ ବିଦାୟ ଦେଉଥାନ୍ତି । ବେଳେ ବେଳେ ସେମାନେ ବଡ଼ବଡ଼ ଖସଡ଼ା ସାହାଯ୍ୟରେ ରରଫ ଖସି ଖସି ବି ଯାଉଥାନ୍ତି । ଏକାବେଳେକେ ବିଦ୍ୟାଳୟର ଦରଜା ଠାରୁ ଗାଆଁଟି ଅବସ୍ଥିତି ଥିବା ନିମ୍ନ ଉପତ୍ୟକା ପର୍ଯ୍ୟନ୍ତ ଖସି ଖସି ଚାଲିଯାଉଥାନ୍ତି । ବେଳେ ବେଳେ ଯାନଗୁଡ଼ିକର ପଟାକୁ ଏକାଠି ଛନ୍ଦି ଦିଅନ୍ତି, ଦିଗ ନିର୍ଦ୍ଧାରଣ କରିବା ଲାଗି ସେମାନଙ୍କ ଭିତରେ ଅଦୃଶ୍ୟ ହୋଇ ଯାଆନ୍ତି । ମଝିରେ ମଝିରେ କେହି ଯାନଟି ଉପରୁ ତଳକୁ ଢଳି ପଡ଼ିଲେ ସେଠାରେ ରାସ୍ତା ଉପରେ ତାହାର ମୁଣ୍ଡଟା ଦୂରକୁ କଳା ହୋଇ ଦିଶି ଯାଉଥାଏ ।

 

ଅନୁଷ୍ଠାନଟିର ବାହାରେ, ବାହାରେ ଥିଲାବେଳେ ଏହାର ପୂର୍ଣ୍ଣ ସ୍ଵାଧୀନତା ରହିଥିଲେ ମଧ୍ୟ, ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ତଥାପି ନୂଆ ନୂଆ ସମ୍ବନ୍ଧମାନ ଯୋଡ଼ି ହୋଇ ଯାଉଥାଏ । ସବୁଠାରୁ ଅଧିକ ସ୍ଵାଧୀନତା ଥାଏ, ଅଧିକ ଅକପଟତା ଓ ଅଧିକ ବିଶ୍ଵାସ ମଧ୍ୟ ରହିଥାଏ । ସେହି ସମ୍ବନ୍ଧଗୁଡ଼ିକ ହିଁ ଆମ ସକାଶେ ବିଦ୍ୟାଳୟଟି ସମ୍ଭବ କରିବାକୁ ଚେଷ୍ଟାକରୁଥିବା ଆଦର୍ଶଟିର ଦୃଷ୍ଟାନ୍ତ ପରି କାର୍ଯ୍ୟ କରୁଥାଏ ।

Image

 

ତ୍ରୟୋଦଶ ଅଧ୍ୟାୟ

ଅରଣ୍ୟ-ଭ୍ରମଣ

-୧-

 

ଅଳ୍ପ ଦିନ ତଳେ ପ୍ରଥମ ଶ୍ରେଣୀର ପିଲାମାନେ ଗୋଗୋଲଙ୍କର ସେହି କାହାଣୀଟିକୁ ପଢ଼ୁଥିଲେ, ଯେଉଁଥିରେ ଗୋଟାଏ ଡାହାଣୀ ଜଣେ ସୁନ୍ଦରୀ ଯୁବତୀର ବେଶ ଧରି ଜଣେ ଯୁବକକୁ ଆକୃଷ୍ଟ କରି ଆଣିଲା ଓ ଯୁବକଟି ତା ଫାଶରେ ପଡ଼ିଯିବା ପରେ ତା’ର ଜୀବନ ନେଲା । କାହାଣୀଟିର ଶେଷ ଭାଗଟି ସେମାନଙ୍କ ଉପରେ ଖୁବ୍ ପ୍ରଭାବ ପକାଇଲା ଓ ସେମାନଙ୍କର କଳ୍ପନାକୁ ଚହଲାଇ ପକାଇଲା । କେତେକ ପିଲା ସ୍ଵୟଂ ଡାହାଣୀର ଭୂମିକାଟିକୁ ଅଭିନୟ କରିଥିଲେ ଏବଂ ପରସ୍ପରକୁ ଶେଷ ରାତ୍ରିର ଘଟଣାଟି ବିଷୟରେ ସ୍ମରଣ କରାଇ ଦେଉଥିଲେ ।

 

ବାହାରେ ସେତେ ଥଣ୍ଡା ନଥିଲା; ଶୀତରାତିର ଆକାଶରେ ଜହ୍ନଟି ମେଘ ଭିତରେ କୁଆଡ଼େ ଲୁଚି ଯାଇଥାଏ । ମେଘମାନେ ଆକାଶ ଉପରେ ଭାସିବାରେ ଲାଗିଥାନ୍ତି । ଆମେ ଛକ ଜାଗାମାନଙ୍କରେ କ୍ଷଣକ ପାଇଁ ଅଟକି ଠିଆ ହେଉଥାଉ । ମୋ’ ସହିତ ତିନିବର୍ଷ ରହି ସାରିଥିବା ବଡ଼ ପିଲାମାନେ ମୋ’ ପାଖରେ ଲାଗି ଛିଡ଼ା ହୋଇଥାନ୍ତି, ସେମାନଙ୍କୁ ଆଉ କିଛି ଆଗକୁ ନେଇଯିବା ପାଇଁ ଅନୁରୋଧ କରୁଥାନ୍ତି । ସାନମାନେ ମେଣ୍ଢାମାନଙ୍କ ପରି ଆଖି ମିଟି ମିଟି କରି ମୋ’ଆଡ଼କୁ ଅନାଉଥାନ୍ତି । ତା’ପରେ ସେମାନେ ପାହାଡ଼ରୁ ଗଡ଼ି, ତଳକୁ ଯିବାକୁ ଆରମ୍ଭ କଲେ ।

 

ସାନ ପିଲାମାନେ ଜଣେ ନୂଆ ଶିକ୍ଷକଙ୍କ ପାଖରେ ସେମାନଙ୍କର ପଢ଼ିବା ଆରମ୍ଭ କରିଥାନ୍ତି । ଏବଂ, ବଡ଼ ପିଲା ଓ ମୋ’ଭିତରେ ଯେଉଁ ପ୍ରତ୍ୟୟଟି ଥାଏ, ସେହି ସାନପିଲା ଓ ମୋ’ଭିତରେ ସେହି ପ୍ରତ୍ୟୟ ଏପର୍ଯ୍ୟନ୍ତ ସମ୍ଭବ ହୋଇନଥାଏ ।

 

ସେମାନଙ୍କ ମଧ୍ୟରୁ ଜଣେ କହିଲା, “ତେବେ ଆମେ କ’ଣ ‘ଜାକାସ୍’ ପର୍ଯ୍ୟନ୍ତ ଯିବା ?” ଜାକାସ୍ ଅର୍ଥାତ୍ ନିଷିଦ୍ଧ ଅଞ୍ଚଳ,–ଘରଠାରୁ ପ୍ରାୟ ଦୁଇଶହ ପାହୁଣ୍ଡ ଦୂରରେ ଥିବା ଗୋଟିଏ ସାନ ତୋଟା ।

 

ଫେଡ଼କା ନାମକ ପିଲାଟି ସେଥିପାଇଁ ସମସ୍ତଙ୍କ ଠାରୁ ଅଧିକ ଆଗ୍ରହାନ୍ଵିତ ହୋଇ ରହିଥିଲା । ଦଶ ବର୍ଷର ପୁଅଟିଏ, ଭାରି ସ୍ନେହ ଢଳଢ଼ଳ ମୁହଁ, ଦେଖିଦେଲେ ଖୁସୀ ଲାଗିବ–କବିଙ୍କ ପରି ସ୍ଵପ୍ନରେ ନିମଗ୍ନ ହୋଇ ରହିଥାଏ, ଅଥଚ ଖୁବ୍ ତେଜସ୍ଵୀ ସ୍ଵଭାବର, ବିପଦ ଆସି ପହଞ୍ଚିଲେ ଯାଇ ସତେଅବା ସିଏ ବଡ଼ ଖୁସୀ ହୋଇ ଉଠୁଥିଲା ! ଗ୍ରୀଷ୍ମଋତୁରେ ଯେତେବେଳେ ସିଏ ଆଉ ଦୁଇଜଣ ବାଳକଙ୍କ ସହିତ ୩୫୦ ଫୁଟ ଓସାରର ଗୋଟିଏ ପୋଖରୀର ଏକାବେଳେକେ ମଝିଯାଏ ପହଁରି ଚାଲି ଯାଉଥିଲା, ସେତେବେଳେ ପ୍ରକୃତରେ ଦେହ ଶୀତେଇ ଉଠୁଥିଲା । ସିଏ ବେଳେ ବେଳେ ପ୍ରଚଣ୍ଡ ମଧ୍ୟାହ୍ନ ସମୟରେ ଉତ୍ତପ୍ତ ଖରାର ପ୍ରତିଫଳନ ମଧ୍ୟରେ କୁଆଡ଼େ ଅନ୍ତର୍ନିହିତ ହୋଇ ଯାଉଥିଲା, ତା’ପରେ ଏକାବେଳେକେ ପୋଖରୀର ତଳେ ଯାଇ ପହଞ୍ଚି ଯାଉଥିଲା,–ସେଇଠୁ ପାଣି ଉପରେ ଭାସି ଉଠୁଥିଲା । ତିନିହେଁ ମିଶି ପୋଖରୀର ପାଣିକୁ ସତେଅବା ଦୁଇଭାଗ କରି ଦେଉଥିଲେ ଏବଂ କୂଳରେ ଛିଡ଼ା ହୋଇଥିବା ନିଜର ସାଙ୍ଗମାନଙ୍କୁ ଏଡ଼େ ପାଟି କରି କ’ଣ ସବୁ ଚିଲେଇ କହୁଥିଲେ । ସେମାନେ ପ୍ରକୃତରେ କେଡ଼େ ସାହାସୀ, ସେମାନେ ତାହା ଦେଖନ୍ତୁ ବୋଲି ସେମାନଙ୍କୁ ଡାକି କରି କହୁଥିଲେ ।

 

ଏହି ପିଲାଟି ଭଲ ଭାବରେ ଜାଣିଥିଲା ଯେ ସେହି ଜଙ୍ଗଲ ଭିତରେ ହେଟାମାନେ ଅଛନ୍ତି, ଏବଂ ସିଏ ସେହି କାରଣରୁ ହିଁ ସେଠାକୁ ଯିବାପାଇଁ ଇଚ୍ଛା କରୁଥିଲା । ପ୍ରସ୍ତାବଟି ସମସ୍ତଙ୍କର ମନକୁ ମଧ୍ୟ ପାଇଲା ଏବଂ ଆମେ ଚାରିଜଣ ଏକାଠି ସେହି ଜଙ୍ଗଲ ଭିତରକୁ ବାହାରିଲୁ ।

 

ଆଉଏକ ବାଳକ, ତାକୁ ମୁଁ ସେମକା ବୋଲି କହିବି–ତା’ର ଶରୀର ଓ ଆତ୍ମା ଦୁଇଟିଯାକ ବେଶ୍ ସ୍ୱାସ୍ଥ୍ୟସମ୍ପନ୍ନ; ଏବଂ ଆଉଜଣେ ବାର ବର୍ଷ ବୟସର ବାଳକ, ତା’ ନାଆଁ ଭାଭିଲୋ,–ଏମାନେ ଆଗେ ଆଗେ ଚାଲିଥାନ୍ତି ଏବଂ ଉଚ୍ଚତମ ସ୍ଵରରେ ଚିତ୍କାର କରିବାରେ ଲାଗିଥାନ୍ତି ।

 

ରୋଗିଣା ପିଲା ପ୍ରୋଙ୍କା,–ବେଶ୍ ମଧୁର ସ୍ଵଭାବର, ଖୁବ୍ ମେଧାବୀ ବାଳକଟିଏ,–ବାପାମାଆ ବେଶ୍ ଗରିବ । ଅନ୍ୟ କୌଣସି କାରଣ ଅପେକ୍ଷା ଅଧିକତର ପରିମାଣରେ ଖାଦ୍ୟାଭାବ ସକାଶେ ହିଁ ପିଲାଟି ଏପରି ରୋଗିଣା ହୋଇଛି,–ଏ ଦୁହେଁ ମୋ’ କଡ଼େ କଡ଼େ ଯାଉଥାନ୍ତି । ଫେଡ଼କା ସେମକା ଓ ମୋ’ ମଝିରେ ରହିଥାଏ ଏବଂ ତାର ବିଚିତ୍ର ଚେଁ ଚେଁ ସ୍ଵରରେ ବାଟଯାକ କଥା କହିବାରେ ଲାଗିଥାଏ । କହୁଥାଏ, ଆସନ୍ତା ଗ୍ରୀଷ୍ମଋତୁରେ ସେ ଘୋଡ଼ାମାନଙ୍କୁ ଏଠାକୁ ଆଣିବ, ଘୋଡ଼ାମାନେ ଚରିବେ ଓ ସେ ସେମାନଙ୍କୁ ଜଗିବ,–ପୁଣି କହୁଥାଏ, ସିଏ ଆଦୌ କୌଣସି କଥାକୁ କଦାପି ଭୟ କରେନାହିଁ । ତା’ପରେ, “ମନେ କରାଯାଉ, ଗୋଟାଏ କିଏ ଯଦି ଆମ ଉପରକୁ ଫକ୍ କରି ଡେଇଁ ପଡ଼ିବ,” ବୋଲି ପଚାରୁଥାଏ । ଏବଂ, ସମସ୍ତ ସମୟ ମୁଁ ସେମାନଙ୍କୁ ଗପ କହି ଶୁଣାଏ ବୋଲି ଜିଦ୍ ଧରି କହୁଥାଏ ।

 

ଆମେ ଜଙ୍ଗଲର ଏକାବେଳେକେ ଭିତରଯାଏ ଗଲୁନାହିଁ,–କାରଣ ତାହା ପ୍ରକୃତରେ ଏକ ଭୟପ୍ରଦର୍ଶନ କାର୍ଯ୍ୟ ହୋଇଥାନ୍ତା । ମାତ୍ର, ଜଙ୍ଗଲର ସେହି ଧାରଟାରେ ମଧ୍ୟ କ୍ରମେ ଅଧିକରୁ ଅଧିକ ଅନ୍ଧକାର ହୋଇ ଆସୁଥାଏ । ଖୁବ୍ କଷ୍ଟରେ ଯାଇ ବାଟ ବାରି ହେଉଥାଏ; ସେତେବେଳକୁ ଗାଆଁର ଆଲୋକମାଳା ଆଦୌ ଦୃଷ୍ଟିଗୋଚର ହେଉନଥିଲା ।

 

ସେମକା ଅଟକି ଛିଡ଼ା ହୋଇଗଲା । ସତେଅବା କ’ଣ ଗୋଟାଏ ଶବ୍ଦ ତା’ କାନରେ ଆସି ବାଜିଲା, ହଠାତ୍ ଏଡ଼େ ପାଟିରେ କହିଲା,“ପିଲାମାନେ, ରହିଯାଅ ! ସେଇଟା କ’ଣ କହିଲ !”

 

ଆମେ ନିସ୍ତବ୍ଧ ହୋଇଗଲୁ । ମାତ୍ର ପ୍ରକୃତରେ କିଛି ଶୁଣା ଯାଉନଥାଏ । ତଥାପି, ଆମ ସମସ୍ତଙ୍କୁ ଏକ ଭୟର ଭାବନା ଆସି ମାଡ଼ି ବସିଲାପରି ଲାଗୁଥାଏ ।

 

ଫେଡ଼କା ପଚାରିଲା, “ଯଦି ଲୋକଟା ଆସି ଆମ ଉପରକୁ କୁଦା ମାରିବ, କ’ଣ କରିବା-?” କକେସସ୍ ପାହାଡ଼ ଅଞ୍ଚଳରେ ଥିବା ଡକାଏତମାନଙ୍କ ବିଷୟରେ ଗୋଟାଏ କାହାଣୀକୁ ମଧ୍ୟ ପିଲାମାନେ ଶୁଣିଥିଲେ । ବର୍ତ୍ତମାନ ମଧ୍ୟ ମୁଁ ସେମାନଙ୍କୁ ଆବରେକ୍, କୋସାକ୍ ଓ ହାଜି ମୁରାତଙ୍କ ବିଷୟରେ କହିବାକୁ ଆରମ୍ଭ କଲି ।

 

ସେମକା ଏବେ ମଧ୍ୟ ଆଗେ ଆଗେ ଯାଉଥିଲା । ବଡ଼ ବଡ଼ ବୁଟ୍ ପିନ୍ଧା ଗୋଡ଼ରେ ସିଏ ଏଡ଼େ ଏଡ଼େ ପହୁଣ୍ଡମାନ ପକାଇବାରେ ଲାଗିଥାଏ । ତା’ ଚାଲିବାର ଛନ୍ଦ ଅନୁସାରେ ଏଣେ ତା’ର ମଜବୁତ ପିଠିଟା ମଧ୍ୟ ପଛକୁ ଉହୁଙ୍କି ଆସୁଥାଏ । ପ୍ରୋଙ୍କା ମୋ’ ସହିତ ଗତିରକ୍ଷା କରିବାକୁ ଚେଷ୍ଟା କରୁଥାଏ, ମାତ୍ର ଫେଡ଼କା ତାକୁ ବାଟରୁ ବଡ଼ଆଡ଼କୁ ଠେଲି ପକାଉଥାଏ, ଏବଂ, ସମ୍ଭବତଃ ନିଜର ଅଳପ ବଳ ହେତୁ ପ୍ରୋଙ୍କା ମଧ୍ୟ ଆଉ ସମସ୍ତଙ୍କ ପାଖରେ ସବୁବେଳେ ହାରି ଯାଉଥାଏ । କେବଳ, ଖୁବ୍ ଆଗ୍ରହୋଦ୍ଦୀପକ ଥାନମାନଙ୍କରେ ସିଏ ଆମ ସାଥିରେ ଏକାଠି ଚାଲୁଥାଏ ସିନା, ମାତ୍ର ଅନ୍ୟ ସମୟରେ ପଛରେ ପଡ଼ି ଯାଉଥାଏ । ଆଣ୍ଠୁଏ ବରଫ ଭିତରେ ବିଚରା ତଥାପି ଅଗ୍ରସର ହେବାରେ ଲାଗିଥାଏ ।

 

-୨-

 

କୃଷକ ଘରର ପିଲାଙ୍କ ବିଷୟରେ କିଞ୍ଚିତ୍ ଜ୍ଞାନ ରହିଥିବା ଯେକୌଣସି ବ୍ୟକ୍ତି ଅବଶ୍ୟ ଲକ୍ଷ୍ୟ କରିଥିବ ଯେ, ସେମାନେ ଗେଲ ଫେଲ ପ୍ରଭୃତିରେ ଆଦୌ ଅଭ୍ୟସ୍ତ ନଥାନ୍ତି । ଗେଲ ଶବ୍ଦଗୁଡ଼ିକୁ ପ୍ରୟୋଗ କରିବା, ଚୁମ୍ବନ ଦେବା, ହାତରେ ଆଉ କାହାର ହାତକୁ ଧରିବା ଏବଂ ସେହିଭଳି ବ୍ୟାପାରଗୁଡ଼ିକୁ ସେମାନେ ସହ୍ୟ କରି ପାରନ୍ତିନାହିଁ । ଜଣେ ମହିଳା ଥରେ ଚାଷୀପିଲା ପଢ଼ୁଥିବା ଗୋଟିଏ ସ୍କୁଲରେ ଜଣେ ବାଳକକୁ “ମୋ’ ସୁନା ପିଲାଟା, ବର୍ତ୍ତମାନ ତୋତେ ମୁଁ ଚୁମାଟିଏ ଦେବି” ବୋଲି କହି ଚୁମା ଦେବାକୁ ଇଚ୍ଛା ପ୍ରକାଶ କରିବାର ଘଟଣାଟିଏ ମୋ’ ଆଖିଆଗରେ ଘଟିଥିଲା । ଚୁମାଟି ଦିଆଯିବା ପରେ ସମ୍ପୃକ୍ତ ପିଲାଟି ଲଜ୍ଜାରେ ଏକାବେଳେକେ ସଢ଼ିଗଲା ପରି ହୋଇଗଲା, ଅପମାନିତ ବୋଧ କଲା ଏବଂ, ତା’ ପ୍ରତି କାହିଁକି ଏପରି ବ୍ୟବହାର ପ୍ରଦର୍ଶନ କରାଗଲା, ସେକଥା ଜାଣିବାକୁ ଇଚ୍ଛା କରି ସମ୍ପୂର୍ଣ୍ଣ ମ୍ରିୟମାଣ ହୋଇ ପଡ଼ିଲା । ବୟସ ମୋଟ ପାଞ୍ଚ ବର୍ଷ, ତଥାପି କିଏ ଗେଲ କଲେ ବା ସେହିପରି କୌଣସି ବ୍ୟବହାର ଦେଖାଇଲେ ସିଏ ଏହିପରି ଅନୁଭବ କରିବାକୁ ଲାଗିବେ,–ସିଏ ସେତେଅବା ବଡ଼ ମଣିଷଟିଏ ପରି ପ୍ରତିକ୍ରିୟା ଦେଖାଇବ !

 

ତେଣୁ, ମୋ’ କଡ଼େ କଡ଼େ ଚାଲୁଥିବା ଫେଡ଼କା ମୁଁ ମୋ’ କାହାଣୀର ସବୁଠାରୁ ଅଧିକ ପ୍ରଭାବଶାଳୀ ଅଂଶଟିକୁ ବର୍ଣ୍ଣନା କରି କହୁଥିବା ସମୟରେ ଯେତେବେଳେ ମୋ’ ଜାମାର ଧାରଟାକୁ ଆସି ଥିରି କରି ସ୍ପର୍ଶ କଲା ଓ ତା’ ପରେ ନିଜର ପୂରା ହାତଟା ଭିତରେ ମୋର ଦୁଇଟା ଆଙ୍ଗୁଠିକୁ ଆସି ଧରି ପକାଇଲା ଓ ଆଉ ମୋଟେ ଛାଡ଼ିଲା ନାହିଁ, ସେତେବେଳେ ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।

 

ମୋ’ର କଥା ବନ୍ଦ ହେବା ମାତ୍ରକେ ଫେଡ଼କା ମୁଁ ଆହୁରି କିଛି ଗପ କହି ଶୁଣାଏ ବୋଲି ମୋ’ ପାଖରେ ଅଳି କରିବାକୁ ଲାଗିଲା । ସିଏ ଏଡ଼େ କାକୁତିପୂର୍ଣ୍ଣ ଓ ବ୍ୟାକୁଳ ଭାବରେ ମୋତେ ଅନୁରୋଧ କରୁଥାଏ ଯେ, ତା’ର ଅନୁରୋଧଟିକୁ ସ୍ଵୀକାର ନକରିବାଟା ମୋତେ ଅସମ୍ଭବ ଲାଗିଲା-

 

ସିଏ କଠୋର ସ୍ଵରରେ ପ୍ରୋଙ୍କାକୁ କହିଲା, “ହେ, ମୋ’ ଗୋଡ଼ ପାଖରେ ଏମିତି ନସର ପସର କାହିଁକି ହେଉଛୁ ? ପ୍ରୋଙ୍କା ତାକୁ ସେତେବେଳକୁ ଟପି ଆଗକୁ ଚାଲିଯିବ ବୋଲି ଚେଷ୍ଟା କରୁଥାଏ । ସିଏ ଏପରିକି ଟିକିଏ ନୃଶଂସ ହୋଇପଡ଼ିବା ପରି ମନେ ହେଉଥାଏ । ମୋ’ର ଆଙ୍ଗୁଠି ଧରି ବାଟ ଚାଲିବାଟା ତାକୁ ଅସାଧାରଣ ଭାବରେ ଭାରି ସୁଖକର ବୋଧ ହେଉଥିଲା ଏବଂ, କେହି ଆଉଜଣେ ମଝିରେ ଆସି ତା’ର ସେହି ସୁଖରେ ବାଧା ସୃଷ୍ଟି କରୁ ବୋଲି ଫେଡ଼କା ଆଦୌ ଇଚ୍ଛା କରୁନଥିଲା ।

 

ସିଏ କହୁଥାଏ, “ବର୍ତ୍ତମାନ ଆମକୁ ଆହୁରି ଗପ କହନ୍ତୁ । ଏଇ ଜାଗାଟି ମଧ୍ୟ କେଡ଼େ ସୁନ୍ଦର ହୋଇଛି !”

 

ସେତେବେଳକୁ ଆମେ ଜଙ୍ଗଲଟିକୁ ଅତିକ୍ରମ କରି ଆରପାଖରେ ଥିବା ଗାଆଁରେ ଯାଇ ପହଞ୍ଚି ସାରିଲୁଣି ।

 

ଗାଆଁ ଭିତରୁ ଆଲୁଅମାନ ଦେଖା ଯାଉଥାଏ । ପିଲାମାନେ ଏକସ୍ଵର ହୋଇ କହିଉଠିଲେ, “ବର୍ତ୍ତମାନ ଚାଲ, ଫେରିଯିବା । ଯେଉଁ ବାଟରେ ଆସିଲେ, ସେହି ବାଟରେ !”

 

ଏଥର କୌଣସି କଥା ନକହି ଆମେ ଚାଲିବାକୁ ଆରମ୍ଭ କଲୁ । ନରମା ଖାବଖାବଡ଼ିଆ ମାଟିରେ ମଝିରେ ମଝିରେ ଝୁଣ୍ଟିବାକୁ ପଡ଼ୁଥାଏ । ଧୋବଲା ବର୍ଣ୍ଣର ଅନ୍ଧାରଟି ଭାରି ଗାଢ଼ ହୋଇ ଆଖିଆଗରେ ଝଲମଲ ହୋଇ ଉଠୁଥାଏ । ମେଘମାନେ ଏକାବେଳେକେ ଅନେକ ତଳକୁ ଲାଗି ଆସିଲେଣି, ସତେଯେପରି କୌଣସି କାରଣରୁ କିଏ ସେମାନଙ୍କୁ ତଳ ଆଡ଼କୁ ଟାଣିବାରେ ଲାଗିଛନ୍ତି । ସେହି କିମ୍ଭୂତ ଧଳା ବାଟଟା ଆଦୌ ସରିବାଭଳି ଲାଗୁନଥାଏ ଏବଂ ତା’ ଉପରେ କେବଳ ଆମେ କେତେଜଣ ହିଁ ବରଫ ମକଚି ଚାଲିବାରେ ଲାଗିଥାଉ । ପପଲାର୍ ବୃକ୍ଷଗୁଡ଼ିକର ଥୁଣ୍ଟା ଅଗରେ ପବନ ସୁ’ ସୁ’ ହୋଇ ବୋହୁଥାଏ ଏବଂ ଅରଣ୍ୟ ଭରି ନୀରବତା ରାଜତ୍ଵ କରୁଥାଏ । ଡାକୁ ଆର୍ବେକକୁ କିପରି ଚାରିଆଡ଼ୁ ଲୋକମାନେ ଆସି ଘେରିଗଲେ ଏବଂ ସିଏ କିପରି ନିଜର ଗୀତଗୁଡ଼ିକୁ ଗାଉ ଗାଉ ଛାତିରେ ଖଣ୍ଡାକୁ ଭୁଷିଦେଇ ମୃତ୍ୟୁ ବରଣ କଲା, ସେତେବେଳେ ମୁଁ କାହାଣୀରେ ସେହି ଅଂଶଟିକୁ କହି ଶେଷ କରୁଥାଏ ।

 

ସମସ୍ତେ ନୀରବ ହୋଇ ଶୁଣୁଥାନ୍ତି ।

 

ସେମକା ପଚାରିଲା, “ଚାରି ପାଖରୁ ଲୋକମାନେ ଘେରି ଆସିବା ଦେଖି ଆର୍ବେକ୍ କାହିଁକି ଗୀତ ଗାଇଲା ?”

 

ଫେଡ଼କା ତାକୁ ଉତ୍ତର ଦେଇ କହିଲା, “ତୁ କ’ଣ ଶୁଣି ପାରିଲୁ ନାହିଁ ? କୁହାଗଲା ପରା ମୃତ୍ୟୁ ବରଣ କରିବାପାଇଁ ସାହସ ସଂଗ୍ରହ କରିବା ସକାଶେ ।”

 

“ମୁଁ ଭାବୁଛି, ସିଏ ସେତେବେଳେ ନିଶ୍ଚୟ ଗୋଟିଏ ପ୍ରାର୍ଥନାଗୀତ ଗାଇଥିବ ।”–ପ୍ରୋଙ୍କା କହିଲା । ଅନ୍ୟ ସମସ୍ତେ ବି ସେହିପରି ଭାବୁଥିଲେ ।

 

...ଫେଡ଼କା ହଠାତ୍ ଚଲା ବନ୍ଦ କରି ଛିଡ଼ା ହେଲା ।

 

ପଚାରିଲା, “ମାତ୍ର ତୁମ ଖୁଡ଼ୀକୁ ହତ୍ୟା କରା ଯାଇଥିଲା ବୋଲି ତୁମେ କିପରି କହୁଥିଲ-?” ତାକୁ ତଥାପି ଟିକିଏ ଭୟ ଲାଗୁଥାଏ । “କହୁନ, କହ !”

 

ମୁଁ ସେମାନଙ୍କୁ ସାମନ୍ତାଣୀ ଟଲ୍‍ଷ୍ଟୟଙ୍କର ହତ୍ୟାକାହାଣୀଟିକୁ ପୁନର୍ବାର ବର୍ଣ୍ଣନା କରି କହିଲି । ପିଲାମାନେ ସମସ୍ତେ ନୀରବରେ ମୋତେ ବେଢ଼ି ଠିଆ ହୋଇ ମୋ’ ମୁହଁକୁ ଅନାଇ ରହିଥାନ୍ତି ।

 

“ଏବଂ ତା’ହେଲେ ହତ୍ୟାକାରୀ ଧରା ବି ପଡ଼ିଲା,” ଫେଡ଼କା ଉତ୍ତେଜିତ ଭାବରେ କହୁଥାଏ । “ସିଏ ସେଠାରେ ନିହତ ହୋଇ ପଡ଼ିଥିବା ବେଳେ ରାତିରେ ସେଠାକୁ ଯିବା ନିଶ୍ଚୟ ଖୁବ୍ ଭୟଙ୍କର ହୋଇଥିବ । ମୁଁ ହୋଇଥିଲେ ଦଉଡ଼ି ପଳାଇଥାନ୍ତି !”

 

ମୋ’ ଆଙ୍ଗୁଠି ଦୁଇଟିକୁ ସିଏ ଅଧିକ ଜୋରରେ ଜାବୁଡ଼ି ଧରିଲା । ଗାଆଁର ଏକାବେଳେକେ ଶେଷ ମୁଣ୍ଡକୁ ଥିବା ଶସ୍ୟ ଅମଳ ହେଉଥିବା ଜାଗାଗୁଡ଼ିକର ପଛକୁ ଅବସ୍ଥିତ ବୁଦାଅଞ୍ଚଳଟି ପାଖରେ ଆମେ ଛିଡ଼ା ହୋଇଥାଉ । ସେମକା ବରଫ ଭିତରେ ପୋତି ହୋଇ ଯାଇଥିବା ଖଣ୍ଡେ ଶୁଖିଲା ଡାଳକୁ ବାହାର କରି ଆଣି ହାତରେ ଧରିଲା ଓ ସେଇଟା ଦ୍ଵାରା ଏକ ଲିଣ୍ଡେନ୍ ଗଛର ବରଫ ଲେଶି ହୋଇଥିବା ଗଣ୍ଡିକୁ ବାଡ଼େଇବାକୁ ଲାଗିଲା । ସେହି ଆଘାତରୁ ଡାଳମାନଙ୍କରୁ ବରଫଗୁଡ଼ାକ ଖସି ପଡ଼ୁଥାଏ,–ତା’ ଟୋପି ଉପରେ ମଧ୍ୟ କିଛି ବରଫ ଆସି ପଡ଼ିଲା-। ଏବଂ, ତାହାର ପ୍ରତିଧ୍ଵନିଟି ଅରଣ୍ୟ ଭରି ବାଜି ଉଠିଲା ।

 

“ଲିଓଫ ନିକୋଲାଏଭିଚ୍”, ଫେଡ଼କା କହିଲା, (ମୁଁ ଭାବୁଥାଏ, ସିଏ ମୋ’ ସାମନ୍ତାଣୀ ଖୁଡ଼ୀଙ୍କ ବିଷୟରେ ପୁଣି କିଛି କହିବନାହିଁ ତ !) “ଗୀତ ଗାଇ ଶିଖିବାରେ ପ୍ରକୃତରେ ଆଦୌ କିଛି ଲାଭ ନାହିଁ । ଆମେ ଯେ ତଥାପି ଗୀତ ଗାଉ, ମୁଁ ଅନେକ ସମୟରେ ସେକଥା ଭାବି ଭାରି ଆଶ୍ଚର୍ଯ୍ୟ ହୋଇଯାଏ ।”

Image

 

ଚତୁର୍ଦ୍ଦଶ ଅଧ୍ୟାୟ

ଉପଯୋଗିତା ଓ ସୌନ୍ଦର୍ଯ୍ୟ

 

ସାମନ୍ତାଣୀ ମହିଳାଙ୍କୁ ଭୟଙ୍କର ଭାବରେ ହତ୍ୟା କରାଯାଇଥିବାର ପ୍ରସଙ୍ଗଟିରୁ ସେ କାହିଁକି ଓହରିଯାଇ ଏହି ଅନ୍ୟ ପ୍ରଶ୍ନଟିକୁ ପଚାରିଲା, ସେକଥା କେବଳ ଭଗବାନ୍ ହିଁ ଜାଣନ୍ତି । ମାତ୍ର, ପିଲାଟି ଯେପରି ଗଳାରେ କଥା କହୁଥିଲା, ଯେପରି ଗାମ୍ଭୀର୍ଯ୍ୟ ସହିତ ସିଏ ପ୍ରଶ୍ନଟିକୁ ପଚାରିଲା, ଏବଂ ଅନ୍ୟ ଦୁଇଟିଯାକ ପିଲା ମଧ୍ୟ ସେପରି ନୀରବ ରହି ସେହି ପ୍ରଶ୍ନଟି ଲାଗି ଆଗ୍ରହ ପ୍ରଦର୍ଶନ କରୁଥିଲେ, ଏହି ସବୁଟିରୁ ସ୍ରଷ୍ଟା ଇଙ୍ଗିତ ମିଳି ଯାଉଥିଲା ଯେ ଏହି ପ୍ରଶ୍ନଟି ସହିତ ପୂର୍ବବର୍ତ୍ତୀ କଥୋପକଥନଟିର ନ୍ୟାୟତଃ ଏକ ମହତ୍ତ୍ୱପୂର୍ଣ୍ଣ ସମ୍ବନ୍ଧ ନିଶ୍ଚୟ ରହିଥିଲା । ଶିକ୍ଷାର ଅଭାବ ରହିଥିବାରୁ ଯେ ଏଭଳି ଏକ ଅପରାଧ ସମ୍ଭବ ହେଲା,–ଆଗରୁ ମୁଁ ପିଲାମାନଙ୍କୁ ସେକଥା କହିଥିଲି,–ନିଜକୁ ସିଏ ହତ୍ୟାକାରୀର ମାନସିକ ସ୍ଥିତିରେ ନେଇ ରଖୁଥିଲା, ଏବଂ ନିଜ ଭିତରର ତା’ର ପ୍ରିୟ ରୁଚିଟିର କଥାକୁ ସ୍ମରଣ କରୁଥିଲା (ତା’ର ଚମତ୍କାର କଣ୍ଠଟିଏ ଥିଲା, ସଙ୍ଗୀତ ପ୍ରତି ଚମତ୍କାର ପ୍ରତିଭା ମଧ୍ୟ ରହିଥିଲା ) ଅଥବା, ବର୍ତ୍ତମାନ ପୂର୍ଣ୍ଣ ସାଧୁତାର ସହିତ ତାକୁ ସବୁକଥା ବ୍ୟକ୍ତ କରିଦେବା ଉଚିତ ବୋଲି ସେ ଅନୁଭବ କରୁଥିଲା ଓ ସେଥିପାଇଁ ଯଥାର୍ଥ ବ୍ୟାଖ୍ୟା ଆବଶ୍ୟକ କରୁଥିବା ପ୍ରଶ୍ନଗୁଡ଼ିକ ତା’ମନ ଭିତରେ ଆସି ଆବିର୍ଭୂତ ହେବାରେ ଲାଗିଗଲେ,–ସେକଥା ଯାହା ହୋଇଥାଉ ପଛକେ, ତା’ର ସେହି ପ୍ରଶ୍ନଟିରେ ଆମେ କେହି ଆଦୌ ବିସ୍ମିତ ହୋଇନଥିଲୁ ।

 

କଳା ଶିକ୍ଷା କରିବାଦ୍ଵାରା କ’ଣସବୁ ଲାଭ ହୁଏ, ସେକଥା ବୁଝାଇ କହିଦେବାର ମାର୍ଗ ମୋତେ ପ୍ରକୃତରେ ଜଣା ନଥିବାରୁ ମୁଁ କେବଳ ଏତିକି ପଚାରିଲି, “ତେବେ ଚିତ୍ରାଙ୍କନ ବି କାହିଁକି ଶିକ୍ଷା କରିବ, ଭଲ ଅକ୍ଷର ଲେଖି ଶିଖିବାରେ ମଧ୍ୟ କି ଲାଭ ଅଛି ?”

 

ସିଏ ମଧ୍ୟ ବେଶ୍ ଭାବନାମଗ୍ନ ହୋଇ ଉତ୍ତର ଦେଲା, “ସତେ ତ ! ଚିତ୍ରାଙ୍କନ ଶିକ୍ଷା କରିବାରେ କି ଲାଭ ହେବ ?”

 

“କଳା ଶିକ୍ଷାରେ ପ୍ରକୃତରେ କି ଲାଭ ଅଛି ?” ବସ୍ତୁତଃ ସିଏ ଏହି ପ୍ରଶ୍ନଟିକୁ ହିଁ ଉପସ୍ଥାପିତ କରିବାକୁ ଇଚ୍ଛା କରୁଥିଲା ।

 

ଏହି ପ୍ରଶ୍ନଟିର କୌଣସି ଉତ୍ତର ଦେବାକୁ ମୁଁ ସାହସ କଲିନାହିଁ ।

 

ସେଉଠୁ ସେମକା ବୁଝାଇ ଦେଇ କହିଲା, “ଚିତ୍ରାଙ୍କନ ଦ୍ଵାରା ଲାଭ କ’ଣ ହେବ-? ତୁମେ ନକ୍ସାମାନ ଆଙ୍କିବା ଶିଖିପାରିବ । ଏହାଦ୍ଵାରା ଆହୁରି ଯାବତୀୟ କେତେ କ’ଣ କରିପାରିବ-।”

 

“ସିଏ ହେଉଛି ନକ୍ସା ଆଙ୍କିବା କଥା । ମାତ୍ର ଚିତ୍ର ଆଙ୍କିବାଦ୍ଵାରା କି ଲାଭ ହେବ ?”

 

ସୁସ୍ଥ ସ୍ଵଭାବର ପିଲା ସେମକାକୁ ଏହି ପ୍ରଶ୍ନଟିର ଉତ୍ତର ଦେବା ମୋଟେ କଷ୍ଟକର ହେଲାନାହିଁ : ସିଏ ପଚାରିଲା, “ତେବେ ଏହି ଡଙ୍ଗାଟା ଦ୍ଵାରା, ଏହି ଲିଣ୍ଡେନ୍ ଗଛର ଦ୍ଵାରା ବି କି ଲାଭ ହେବ ?” ଡାଙ୍ଗଟାକୁ ସେ ତଥାପି ପୂର୍ବପରି ଗଛଟା ଉପରେ ପିଟିବାରେ ଲାଗିଥାଏ ।

 

ମୁଁ ପଚାରିଲି,“ହଁ, ସତେ ତ ! ଲିଣ୍ଡେନ୍ ଗଛଦ୍ଵାରା କି ଉପକାର ହେବ ?”

 

ସେମକା ଠୋ’ କରି ଉତ୍ତର ଦେଲା, “ଲିଣ୍ଡେନରୁ ଘରପାଇଁ ଶେଣି ତିଆରି ହେବ ।”

 

“ତେବେ ଚାଲ, ଆସନ୍ତା ଗ୍ରୀଷ୍ମଋତୁରେ ଆମେ ଏଇଟିକୁ କାଟି ପକାଇବା ।”

 

“ହଁ, କାଟିଦେଲେ କ୍ଷତି କ’ଣ ?”

 

ଫେଡ଼କା ଦୃଢ଼ ଭାବରେ ଆପତ୍ତି କରି କହିଲା, “ନାଇଁ ନାଇଁ, ଆମେ ପ୍ରକୃତରେ ଗୋଟିଏ ଲିଣ୍ଡେନ୍ ଗଛକୁ କାହିଁକି ବଢ଼ିବାକୁ ଦେଇଥାଉ ?”

 

ତା’ପରେ ଆମେ ଯେଉଁସବୁ କଥାର ଆଲୋଚନା କଲୁ, ତାହା ହେଉଛି, ସବୁକିଛି ଯେ ଆମର କୌଣସି କାମରେ ଲାଗେ, ସେକଥା ନୁହେଁ, ସୌନ୍ଦର୍ଯ୍ୟ ବୋଲି ମଧ୍ୟ ଗୋଟିଏ ଅନ୍ୟ ଜଗତ ରହିଛି । କଳା କହିଲେ ଏହି ସୌନ୍ଦର୍ଯ୍ୟକୁ ବୁଝାଏ । ଆମେ ଏଥର ପରସ୍ପରକୁ ବେଶ୍ ବୁଝିପାରିଲୁ । ଏବଂ, ଗୋଟିଏ ଲିଣ୍ଡେନ୍ ଗଛକୁ କାହିଁକି ବଢ଼ିବାକୁ ଦିଆଯାଏ, ଏବଂ ଆମେ କାହିଁକି ଗୀତ ଗାଉ, ଫେଡ଼କା ସେହି କଥାଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ବୁଝି ଯାଇଥିଲା ।

 

ପ୍ରୋଙ୍କା ମଧ୍ୟ ଆମସହିତ ଏକମତ ହେଲା, ମାତ୍ର ନୈତିକ ସୌନ୍ଦର୍ଯ୍ୟର ତାତ୍ପର୍ଯ୍ୟଟିକୁ ମଧ୍ୟ ସେ ଅଧିକ ଭଲ ଭାବରେ ବୁଝିଥିଲା । ଅନ୍ୟ ଭାଷାରେ ତାହାକୁ ସଜ୍ଜନତା ବୋଲି କୁହାଯିବ । ସେମକା ତା’ର କ୍ଷିପ୍ର ବୁଦ୍ଧିଟି ସାହାଯ୍ୟରେ କଥାଟିକୁ ବୁଝିଲା ସତ, ମାତ୍ର ପ୍ରୟୋଜନରେ ନଲାଗୁଥିଲେ କୌଣସି ପଦାର୍ଥର ସୌନ୍ଦର୍ଯ୍ୟ କହିଲେ ଆଉ କ’ଣ ବୁଝାଇବ, ସେହି କଥାଟି ବିଷୟରେ ସିଏ ଆଦୌ ସ୍ପଷ୍ଟ ହୋଇ ପାରୁନଥାଏ । ବେଶୀ ବୁଦ୍ଧି ଥିବା ବ୍ୟକ୍ତିମାନଙ୍କର କ୍ଷେତ୍ରରେ ଯାହା ହୁଏ, ଯେଉଁମାନେ ସୌନ୍ଦର୍ଯ୍ୟକୁ ଶକ୍ତି ବୋଲି କହନ୍ତି ଅଥଚ ସେହି ଶକ୍ତିର କି ଆବଶ୍ୟକତା ରହିଛି, ନିଜ ଅନ୍ତର ଭିତରେ ସେକଥାଟିକୁ ବୁଝି ପାରନ୍ତି ନାହିଁ, ସେମାନଙ୍କ ଉପରେ ତା’ର ସନ୍ଦେହ ହେଉଥିଲା, ସେହି ବୁଦ୍ଧିଆମାନଙ୍କ ପରି ସିଏ ମଧ୍ୟ ବୁଦ୍ଧିର ସାହାଯ୍ୟରେ କଳାର କ୍ଷେତ୍ରରେ ପ୍ରବେଶ କରିବାକୁ ଇଚ୍ଛା କରୁଥିଲା ଏବଂ ନିଜ ଭିତରେ ସେହି ବୁଦ୍ଧିର ଅଗ୍ନିକୁ ପ୍ରଜ୍ଜ୍ଵଳିତ କରିବାକୁ ଇଚ୍ଛା କରୁଥିଲା ।

 

ସିଏ କହିଲା, “କାଲି ଆମେ ଏକାଠି ଚେରୁବିମ୍ ଗୀତଟିକୁ ଗାଇବା । ମୋ’ ଅଂଶଟି ମୋ’ର ପୂରା ହେତୁ ଅଛି ।”

 

ତା’ର କାନଟି ପୂରା ଠିକ୍,–ମାତ୍ର କୌଣସି ରୁଚି ନାହିଁ,–ସଙ୍ଗୀତ ପ୍ରତି କୌଣସି ସମ୍ବେଦନଶୀଳତା ନାହିଁ ।

 

ଅବଶ୍ୟ ଫେଡ଼କା ସମ୍ପୂର୍ଣ୍ଣ ଭାବରେ ବୁଝିଥିଲା ଯେ, ଗ୍ରୀଷ୍ମଋତୁରେ ଲିଣ୍ଡେନ୍ ଗଛଟି ନିଜର ପତ୍ରଗୁଚ୍ଛକୁ ମୁକୁଳାଇ ଦେଇ କେତେ ସୁନ୍ଦର ଦେଖା ଯାଉଥିଲା । ଦେଖିଲେ କେଡ଼େ ଖୁସୀ ଲାଗୁଥିଲା ଏବଂ, ଏହି କ୍ଷେତ୍ରରେ ଏତିକି ଅବଶ୍ୟ ଯଥେଷ୍ଟ ।

 

ଗଛଟିକୁ କାଟିଦେବାଟା ଏକ ଲଜ୍ଜାର କଥା ହେବ ବୋଲି ପ୍ରୋଙ୍କା ବୁଝୁଥିଲା, କାରଣ ଗଛର ବି ଗୋଟାଏ ଜୀବନ ଅଛି : “ଗୋଟାଏ ଭୁର୍ଜ ଗଛର ରସ ବାହାର କରି ପାନ କଲେ ତାହା ତା’ର ରକ୍ତକୁ ହିଁ ପାନ କରିବାପରି ହେବ ।”

 

ସେମକା ଆଦୌ କିଛି କହୁନଥାଏ । ଆପାତତଃ ଭାବୁଥାଏ ଯେ ଗଛଟା ଖତରା ହୋଇଗଲେ ତାହା ଆଉ ମୋଟେ ଖୁବବେଶୀ କାମରେ ଲାଗିବନାହିଁ । ସେତେବେଳେ ଆମେ ସମସ୍ତେ ଯାହାସବୁ କଥା ହୋଇଥିଲୁ, ସେଗୁଡ଼ିକୁ ପୁନର୍ବାର କହିବାକୁ ବର୍ତ୍ତମାନ ଟିକିଏ ବିଚିତ୍ର ଲାଗୁଛି ସତ, ମାତ୍ର ମୁଁ ଖୁବ୍ ଭଲ କରି ସ୍ମରଣ କରି ପାରୁଛି ଯେ, ପ୍ରୟୋଜନ ଓ ସୌନ୍ଦର୍ଯ୍ୟ ବିଷୟରେ, ବ୍ୟାବହାରିକ ଏବଂ ନୈତିକ ଉଭୟ କ୍ଷେତ୍ରର ପ୍ରୟୋଜନ ଓ ସୌନ୍ଦର୍ଯ୍ୟ ବିଷୟରେ ଯାହାକିଛି କୁହାଯିବା ସମ୍ଭବ ବୋଲି ମୁଁ ଭାବୁଛି, ସେଦିନ ଆମେ ସେହି ସବୁକିଛି ବିଷୟରେ କଥାବାର୍ତ୍ତା ହୋଇଥିଲୁ ।

Image

 

ପଞ୍ଚଦଶ ଅଧ୍ୟାୟ

ମୁଁ ଯାଉଛି !!

 

ଆମେ ଗାଆଁକୁ ଫେରି ଆସିଥିଲୁ । ଫେରିବା ରାସ୍ତାରେ ମଧ୍ୟ ଫେଡ଼କା ମୋ’ ହାତକୁ ଥରେହେଲେ ବି ଛାଡ଼ି ନଥିଲା । ମୁଁ ଭାବୁଥିଲି ଯେ ବର୍ତ୍ତମାନ କୃତଜ୍ଞତା ପ୍ରକାଶ କରି ସେ ବର୍ତ୍ତମାନ ହାତଟିକୁ ନିଜ ହାତରେ ଧରିଥିଲା । ସେହି ରାତିରେ ଆମେ ସମସ୍ତେ ପ୍ରକୃତରେ ପରସ୍ପରର ଖୁବ୍ ନିକଟବର୍ତ୍ତୀ ହୋଇ ପାରିଥିଲୁ । ଆଗରୁ କେବେ ଏପରି ହୋଇନଥିଲା । ପ୍ରୋଙ୍କା ମଧ୍ୟ ଆମ ସହିତ ପାଦ ମିଳାଇ ଚାଲିପାରିଲା । ବର୍ତ୍ତମାନ ଆମେ ଗାଆଁର ଓସାରିଆ ରାସ୍ତାରେ ଆସି ପହଞ୍ଚି ଯାଇଥିଲୁ ।

 

"ଦେଖ, ଏତେ ରାତିରେ ବି ମାଜାନୋଫ୍‍ଙ୍କ ଘରେ ଆଲୁଅ ନିଭିନାହିଁ,”–ସିଏ କହିଲା, “ମୁଁ ଆଜି ସ୍କୁଲକୁ ଆସୁଥିବା ସମୟରେ ଗାବ୍ରିଙ୍ଖା ମଦଖଟିରୁ ବାହାରି ଆସୁଥିଲା । ପୂରା ମାତାଲ୍ ହୋଇ, ତା’ର କୌଣସି ଚେତା ବି ନଥିଲା । ତା’ ଘୋଡ଼ୀର ମୁହଁରୁ ଫେଣ ବାହାରି ଯାଉଥାଏ ଏବଂ ସିଏ ତାକୁ ନିର୍ଘାତିଆ ପିଟିବାରେ ଲାଗିଥାଏ । ମୋତେ ସେଥି ସକାଶେ ବର୍ତ୍ତମାନ ମଧ୍ୟ ଭାରି ଦୁଃଖ ଲାଗୁଛି । ହଁ ଭାରି ଦୁଃଖ ଲାଗୁଛି । ସିଏ ତାକୁ କାହିଁକି ପିଟିବ କହିଲ ?”

 

ସେଇଠୁ ସେମକା କହିଲା, “ଏବେ ଅଳ୍ପଦିନ ତଳେ ସିଏ ତାକୁ ଗୋଟାଏ ବରଫଗଦା ପାଖରେ ନେଇ ହାବୁଡ଼ାଇ ଦେଲା । ମାତ୍ର, ସିଏ ସେତେବେଳେ ନିଦରେ ଶୋଇଥାଏ, ପୂରା ମତାଲ୍ !"

 

ପ୍ରୋଙ୍କା ପୁଣି କହିଲା, “ମାତ୍ର ଗାବ୍ରିଙ୍ଖା ଘୋଡ଼ୀର ଆଖି ଉପରେ ମଧ୍ୟ ଛାଟରେ ପିଟୁଥାଏ, ଏବଂ ସେଇଟା ଦେଖି ମୋତେ ଏଡ଼େ ଦୁଃଖ ଲାଗିଲା ଯେ..ସିଏ କାହିଁକି ତାକୁ ଏପରି ପିଟୁଥିଲା କହିଲ ? ତା’ ପିଠିରୁ ଓହ୍ଳାଇବା ପରେ ମଧ୍ୟ ସିଏ ତାକୁ ସେହିପରି ପିଟୁଥାଏ ।"

 

ସେମକା ହଠାତ୍ ଅଟକି ଠିଆ ହୋଇଗଲା ।

 

ବଙ୍କା ହୋଇ ଦିଶୁଥିବା ଗୋଟିଏ ଘର ଆଡ଼କୁ ଅନାଇ ସିଏ କହିଲା, “ଆମ ଘରେ ସମସ୍ତେ ଶୋଇ ପଡ଼ିଲେଣି । ଭିତରକୁ ଆସନ୍ତୁ !”

 

“ନାଇଁ, ଆଜି ଥାଉ !”

 

“ମୁଁ ଯାଉଛି, ଲିଅଫ ନିକୋଲାଏଭିଚ୍ !” ସିଏ ସଙ୍ଗେ ସଙ୍ଗେ ପାଟିକରି ଉଠିଲା ଏବଂ ସତେଅବା ନିଜର ସମସ୍ତ ଇଚ୍ଛାଶକ୍ତିକୁ ପ୍ରୟୋଗ କରି ଆମ ଗହଣରୁ ନିଜକୁ ଅଲଗା କରିନେଲା ଏବଂ ଘରଟି ଆଡ଼କୁ ଦଉଡ଼ି ଗଲା । ଦୁଆରଟି ଖୋଲିଦେଇ ଅନ୍ତର୍ହିତ ହୋଇଗଲା ।

 

ଫେଡ଼କା ଜିଜ୍ଞାସୁ ହୋଇ ପଚାରିଲା, “ତୁମେ କ’ଣ ଏହିପରି ଭାବରେ ଆମକୁ ଜଣ ଜଣ କରି ଘରେ ଛାଡ଼ିଦେଇ ଆସିବ ?”

 

ପ୍ରୋଙ୍କାଙ୍କ ଘରେ ଆଲୁଅ ଜଳୁଥିଲା । ଆମେ ଝରକା ବାଟେ ଭିତରକୁ ଅନାଇଲୁ । ତା’ର ମାଆ ଟେବୁଲ୍ ପାଖରେ ବସି ଆଳୁର ଚୋପା ଛେଲୁଥାନ୍ତି । ଦେଖିବାକୁ ଡେଙ୍ଗା, ସୁନ୍ଦର, କଳା କଳା ଆଖି ଓ ଭ୍ରୂଲତା, ମାତ୍ର ନାନା ଚିନ୍ତାରେ ସତେଅବା ଭାରି ଶୀର୍ଣ୍ଣ ଦେଖା ଯାଉଛନ୍ତି । ଘର ମଝିରେ ଦୋଳିଟିଏ ଝୁଲୁଥାଏ; ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ଗଣିତପ୍ରବୀଣ ପ୍ରୋଙ୍କାର ଅନ୍ୟ ଭାଇଟି ଟେବୁଲ୍ ପାଖରେ ଛିଡ଼ା ହୋଇ ଲୁଣରେ ମଡ଼ାଇ ଆଳୁ ଖାଇବାରେ ଲାଗିଥାଏ । ଘର ଭିତରଟା ବେଶ୍ ଅଣଓସାରିଆ, ଅନ୍ଧାରୁଆ ଓ ମଇଳା ହୋଇ ରହିଥାଏ ।

 

ପ୍ରୋଙ୍କାର ମାଆ ପାଟି କରି କହିଲେ, “ତୋ’ପାଇଁ ଆଉ ବେଶୀ କିଛି ଖାଇବାକୁ ନାହିଁ । ଏତେବେଳ ଯାଏ କୁଆଡ଼େ ଯାଇଥିଲୁ ?”

 

ନିଜର ଶୀର୍ଣ୍ଣ ଓଠରେ ପ୍ରୋଙ୍କା ମଧୁର ହସଟିଏ ହସିଦେଲା । ସିଏ ଝରକା ଫାଙ୍କ ଦେଇ ସେହିପରି ଚାହିଁଥାଏ । ସିଏ ଯେ ଏକା ଆସିନାହିଁ, ତାର ମାଆ ସେକଥା ଜାଣିପାରିଲେ ଏବଂ ତାଙ୍କ ମୁଖମୁଦ୍ରାଟି ତତକ୍ଷଣାତ୍ ଦଳି ଯାଇଥିଲା–ସତେଯେପରି ଅସୁନ୍ଦର ଓ କପଟପୂର୍ଣ୍ଣ ହୋଇଗଲା ।

 

ବର୍ତ୍ତମାନ କେବଳ ଫେଡ଼କା ବାକି ରହିଥାଏ ।

 

ସନ୍ଧ୍ୟାବେଳପରି ସିଏ କଅଁଳ ଗଳାରେ ମୋତେ କହିଲା, “ଆମ ଘରେ ଦରଜୀମାନେ କାମ କରୁଛନ୍ତି, ତେଣୁ ଆଲୁଅଟିଏ ଜଳୁଛି । ଖୁବ୍ ମଧୁର ସ୍ନେହପୂର୍ଣ୍ଣ ଭାବରେ “ଯାଉଛି” ବୋଲି କହି ସେ ମୋ’ଠାରୁ ବିଦାୟ ନେଲା ଏବଂ ବନ୍ଦ ହୋଇଥିବା କବାଟ ଉପରେ ଠକ ଠକ ଶବ୍ଦ କଲା । ନିଜର ଖୋଲା ଗଳାରେ “କବାଟ ଖୋଲ” ବୋଲି କହୁଥାଏ । ଶୀତ ରାତିରେ ଗ୍ରାମର ରାସ୍ତାଟି ନିସ୍ତବ୍ଧ ହୋଇ ରହିଥାଏ । ବହୁତ ବିଳମ୍ବରେ ଯାଇ ଭିତରୁ ଜବାବ ଆସିଲା । ଝରକା ବାଟ ବେଲ ମୁଁ ଭିତରକୁ ଅଣାଇଲି । ବେଶ୍ ପ୍ରସସ୍ଥ ଘରଟିଏ । ଚୁଲି ପାଖରେ ବେଞ୍ଚଗୁଡ଼ିକ ଉପରେ ବସିଥିବା ଲୋକମାନଙ୍କର ଗୋଡ଼ ତଳକୁ ଝୁଲୁଥାଏ । ଫେଡ଼କାର ବାପା ଦରଜୀମାନଙ୍କ ସାଙ୍ଗରେ ତାଆସ ଖେଳୁଥାନ୍ତି । ଟେବୁଲ୍ ଉପରେ ତମ୍ବା ମୁଦ୍ରା କେତେଟା ପଡ଼ି ରହିଥାଏ । ଜଣେ କୃଷକ-ଘରଣୀ, ଫେଡ଼କାର ନୂଆ ମାଆ ତେଲଟିଣ ପାଖରେ ବସି ମୁଦ୍ରାଗୁଡ଼ିକ ଆଡ଼କୁ ଅନାଇଥାନ୍ତି । ଜଣେ ଦରଜୀ, କାମାସକ୍ତ ପ୍ରାୟ ଚେହେରାଟିଏ କରିଥିବା ଜଣେ ତରୁଣ କୃଷକ, ଟେବୁଲ୍ ଉପରେ ତାଆସଗୁଡ଼ିକୁ ହାତରେ ଧରିଥାନ୍ତି ଏବଂ ବିଜୟଦୀପ୍ତ ମୁଦ୍ରାରେ ନିଜ ଯୋଡ଼ିଟି ଆଡ଼କୁ ଅନାଇ ରହିଥାନ୍ତି । ଫେଡ଼କାର ବାପା,–ତାଙ୍କ ଜମାର କଲାର୍ ଖୋଲା ହୋଇ ଯାଇଥାଏ, ମାନସିକ ଉତ୍ତେଜନା ଓ ବିରକ୍ତି ହେତୁ ତାଙ୍କ ମୁହଁଟି ପେଚରେ ମୋଡ଼ା ହୋଇଥିବା ପରି ରୋଷପୂର୍ଣ୍ଣ ଦିଶୁଥାଏ,–ସିଏ ତାଆସଗୁଡ଼ିକୁ ଫେଣ୍ଟୁ ଥାଆନ୍ତି ଏବଂ ସତେଅବା ଶ୍ରମ କରି କରି କଠିନ ହୋଇ ଯାଇଥିବା ନିଜର ହାତଟିକୁ ଶିଥିଳ ଭାବରେ ତାଆସଗୁଡ଼ିକ ଉପରେ ସଞ୍ଚାଳିତ କରୁଥାନ୍ତି ।

 

“କବାଟ ଖୋଲ !”

 

ମାଆ ବସିବା ଜାଗାରୁ ଉଠି କବାଟଟିକୁ ଖୋଲିଦେଲେ ।

 

ଫେଡ଼କା ମୋତେ ଆଉଥରେ “ମୁଁ ଯାଉଛି” ବୋଲି କହିଲା,–“ଏଥର ଆମେ ସବୁବେଳେ ସେମିତି ଚାଲି ଚାଲି ଯିବା ।”

Image

 

ଷୋଡ଼ଶ ଅଧ୍ୟାୟ

ଶଙ୍କାଗୁଡ଼ିକର ସମାଧାନ

 

ମୁଁ ଏପରି ଅନେକ ସମ୍ମାନାସ୍ପଦ, ବହୁଯୋଗ୍ୟ ଓ ଉଦାର ବ୍ୟକ୍ତିମାନଙ୍କୁ ଦେଖିଥାଏ, ଯେଉଁମାନେ କି ବିଭିନ୍ନ ଦାତବ୍ୟ ଅନୁଷ୍ଠାନର ସଦସ୍ୟ ହୋଇ ରହିଥାନ୍ତି, ଯେଉଁମାନେ ନିଜ ସମ୍ପତିର ଏକ ଅଂଶକୁ ଦରିଦ୍ରମାନଙ୍କୁ ଦାନ କରିବାର ସାମର୍ଥ୍ୟ ରଖିଥାନ୍ତି । ସେମାନେ ବାସ୍ତବରେ ମଧ୍ୟ ଏହିଭଳି ଦାନମାନ କରିଥାନ୍ତି, ବିଦ୍ୟାଳୟ ମାନଙ୍କର ପ୍ରତିଷ୍ଠା କରିଛନ୍ତି ଓ କରୁଛନ୍ତି । ମୋର ଏହି କଥାଗୁଡ଼ିକୁ ପଢ଼ି ସେମାନେ ମୁଣ୍ଡ ହଲାଇବେ ଓ କହିବେ :

 

“ଏହି କାମଟା ମୋଟେ ଉଚିତ ନୁହେଁ, ସେମାନଙ୍କର ବିକାଶରେ ଆମେ କାହିଁକି ଏତେ ଶକ୍ତି ବ୍ୟୟ କରିବା ? କ’ଣ ପାଇଁ ସେମାନଙ୍କ ମଧ୍ୟରେ ଆମେ ଏପରି ନାନା ବୋଧ ଏବଂ ସାମର୍ଥ୍ୟର ଅନୁଶୀଳନ କରାଇବା, ଯାହାକି ସେମାନଙ୍କୁ ନିଜର ଶ୍ରେଣୀଟି ଆଡ଼କୁ ଏକ ମିଛ ଓ ବିପଜ୍ଜନକ ଦୃଷ୍ଟିଭଙ୍ଗୀ ପୋଷଣ କରିବା ନିମନ୍ତେ ପ୍ରବର୍ତ୍ତନା ଯୋଗାଇ ଦେବେ ? କ’ଣ ପାଇଁ ସେମାନଙ୍କୁ ଶିକ୍ଷିତ କରାଇ ନିଜର ଆୟତନଟି ଭିତରୁ ବାହାର କରି ଅଣାଯିବ ?”

 

ବର୍ତ୍ତମାନ ମୁଁ ସେମାନଙ୍କ ସମ୍ବନ୍ଧରେ ଆଦୌ କିଛି କହୁନାହିଁ ଯେଉଁମାନେ କି ଏଭଳି କଥାସବୁ କହି ଆପଣଙ୍କୁ ଧରା ପକାଇଦିଅନ୍ତି : “ଯେତେବେଳେ ସମସ୍ତେ ଉଚ୍ଚ ଭାବନାମାନ ଭାବିବେ ଏବଂ କଳାକାର ହେବେ, ଆଦୌ କେହିହେଲେ କୌଣସି ଶ୍ରମ ଖଟିବାକୁ ମନ କରିବେ ନାହିଁ, ସେତେବେଳେ ଅବସ୍ଥାଟି ଖୁବ୍ ଚମତ୍କାର ହୋଇଯିବ ।”

 

ଏହି ବ୍ୟକ୍ତିମାନେ ଯାଉଣୁ ଆସୁଣୁ ସର୍ବଦା କହିବାରେ ଲାଗିଥାନ୍ତି ଯେ, ସେମାନଙ୍କୁ କୌଣସି ଶ୍ରମ କରିବାକୁ ମୋଟେ ଭଲ ଲାଗେନାହିଁ ଏବଂ ତେଣୁ, ସମାଜରେ ଏପରି କେତେକ ଲୋକ ଅବଶ୍ୟ ରହିଥିବା ଉଚିତ ଯେଉଁମାନେ କି ଯାବତୀୟ ପ୍ରକାରର ଜୀବିକା ନିମନ୍ତେ ଅଯୋଗ୍ୟ ହୋଇ ରହିଥିବେ ଏବଂ ଅନ୍ୟମାନଙ୍କ ପାଇଁ କେବଳ ଭୃତ୍ୟପରି କାମ କରୁଥିବେ । ଏହି ଲୋକଙ୍କୁ ଶିକ୍ଷାଲାଭର ସୁଯୋଗ ଦେଇ ସେମାନଙ୍କୁ ସେହି ମଣ୍ଡଳଟି ଭିତରୁ ବାହାର କରି ଆଣିବାଟା ଏକ ଭଲ ନା ମନ୍ଦ କାର୍ଯ୍ୟ ଓ ତାହା ଆଦୌ ଆବଶ୍ୟକ କି ନୁହେଁ, ସେକଥା ପ୍ରକୃତରେ କିଏ ଜାଣିଛି ? ସେଇଟା ତ ସଂପୂର୍ଣ୍ଣ ଭାବରେ ଏକ ଯାନ୍ତ୍ରିକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାଭଳି ମନେ ହେଉଛି । ଅଟାରେ ଚିନି ମିଶାଇବା ଭଲ ନା ମନ୍ଦ, ମଦରେ ଲୁଣ ପକାଇବା ଭଲ ନା ମନ୍ଦ ?

 

ଚିରା ଟୋପିଟିଏ ପିନ୍ଧିଛି ବୋଲି ଫେଡ଼କା ଆଦୌ ବିବ୍ରତ ହୋଇ ପଡ଼ୁନାହିଁ, ମାତ୍ର ବହୁବିଧ ନୈତିକ ପ୍ରଶ୍ନ ଏବଂ ସନ୍ଦେହ ତାକୁ ସର୍ବଦା ଚିନ୍ତାମଗ୍ନ କରି ରଖୁଛି ଏବଂ ତୁମେ ତା’ ହାତରେ କେତେଟା ରବଲ୍ ଏବଂ ଧର୍ମପୁସ୍ତକଟିଏ ନେଇ ଧରାଇ ଦେବାକୁ ଚାହୁଛ ଏବଂ ସେହି ଶ୍ରମ ଓ ସେହି ନମ୍ରତା ପ୍ରତ୍ୟେକ ମନୁଷ୍ୟ ପାଇଁ କେତେ ଦରକାରୀ ବୋଲି ବୁଝାଇ ଦେବାକୁ ତୁମେ ତାକୁ କାହାଣୀଟିଏ ବି କହୁଛ । ତିନିଟି ରବଲ୍ ତା’ର ଆଦୌ ଲୋଡ଼ା ନାହିଁ ଏବଂ ଆବଶ୍ୟକ ହେଲା ମାତ୍ରକେ ତାକୁ ତିନି ରବଲ୍ ମିଳି ବି ଯିବ । ଏବଂ, ସିଏ ଯେତିକି ସହଜରେ ନିଃଶ୍ଵାସ ନେବାକୁ ଶିକ୍ଷା କରିଛି, ସେତିକି ସହଜରେ କାମ କରିବାକୁ ବି ଶିଖିଯାଇ ପାରିବ । ଏବଂ, ତୁମର ଜୀବନ ଏବଂ ତୁମ ଦଶଦଶଟା ପୂର୍ବପୁରୁଷ ତୁମପାଇଁ ଯାହା ଆଣି ଦେଇଛି, ତା’ପାଇଁ ପ୍ରକୃତରେ ସେହି ଦ୍ରବ୍ୟର ହିଁ ପ୍ରୟୋଜନ ରହିଛି । କୌଣସି ଶ୍ରମକଷଣ ତୁମକୁ ବା ତୁମର ଦଶ ପୁରୁଷଙ୍କୁ କଦାପି ପେଷି ପକାଇନାହିଁ । ଜିଜ୍ଞାସାର ତୃପ୍ତିସାଧନ ସକାଶେ, ଭାବିବା ସକାଶେ ଏବଂ ସାଧନା ସକାଶେ ତୁମ ପାଖରେ ସମୟ ରହିଛି । ତୁମେ ନିଜ ସାଧନାରୁ ଲବ୍ଧ ସମ୍ପଦଗୁଡ଼ିକୁ ହିଁ ତାକୁ ପ୍ରଦାନ କର,–ତା’ର କେବଳ ସେଇଟିରେ ପ୍ରୟୋଜନ ରହିଛି ।

 

ଏବଂ, ଇତିହାସ ତୁମକୁ ଯେଉଁ ପ୍ରତିଭାଟିକୁ ପ୍ରଦାନ କରିଛି, ତୁମେ ତାକୁ ପୁରାତନ ମିଶରର ଧର୍ମପୁରୋହିତ ମାନଙ୍କ ପରି ଗୋଟାଏ ରହସ୍ୟର ଘେର ଭିତରେ ତା’ଠାରୁ ଗୋପନ କରି ରଖିଛ, ମାଟିତଳେ ପୋତି ରଖିଦେଇଛ । ତୁମେ ବାବୁ ମୋଟେ କୌଣସି ଭୟ କରିବ ନାହିଁ,–ମାନବୀୟ ବୋଲି ଯାହାକିଛି ରହିଛି, ତାହା କଦାପି ମନୁଷ୍ୟର ଅନିଷ୍ଟ କରିବନାହିଁ । ଏଥିରେ ତୁମର ସନ୍ଦେହ ହେଉଛି କି ? ନିଜର ସେହି ଭାବଟିକୁ ପରିହାର କର ଏବଂ ତଦ୍ୱାରା ତୁମର କୌଣସି କ୍ଷତି ହେବନାହିଁ । ନିଜର ତନୟଟିକୁ ତୁମେ ତା’ ସ୍ଵଭାବ ହାତରେ, ପ୍ରକୃତି ହାତରେ ଛାଡ଼ିଦିଅ ଏବଂ ନିଶ୍ଚିତ ରହ ଯେ, ତାକୁ ଯାହାକିଛି ଦେବାଲାଗି ଇତିହାସ ନିର୍ଦ୍ଦେଶ ଦେଇଥିଲା ଏବଂ ବହୁ ପ୍ରୟାସ ଫଳରେ ଯାହା ତୁମଭିତରେ ବିକଶିତ ହୋଇ ଆସିଛି, ସିଏ କେବଳ ସେତିକି ନେବ, ସେତିକି ଗ୍ରହଣ କରିବ ।

Image

 

ସପ୍ତଦଶ ଅଧ୍ୟାୟ

ଛାତ୍ରମାନଙ୍କର ଗୁଣାତ୍ମକ ମାନ

 

ଏହି ବିଦ୍ୟାଳୟ ଏକ ମୁକ୍ତ ବିଦ୍ୟାଳୟ । ଏବଂ ପ୍ରଥମେ କେବଳ ୟସନାୟା ପୋଲ୍ୟାନା ଗାଆଁରୁ ହିଁ ପିଲାମାନେ ଏଠାକୁ ପଢ଼ିବାପାଇଁ ଆସୁଥିଲେ । ସେମାନଙ୍କୁ ମଧ୍ୟରୁ ଅନେକେ ଇସ୍କୁଲ ଛାଡ଼ି ଚାଲିଗଲେ, କାରଣ ଏଠାରେ ଭଲ ପାଠପଢ଼ା ହେଉଛି ବୋଲି ବାପାମାଆମାନେ ବିଚାର କଲେନାହିଁ । ପୁଣି, ପଢ଼ିବା ଓ ଲେଖିବା ଶିକ୍ଷାକରି ସାରିବା ପରେ ଆହୁରି ଅନେକେ ଆସିବା ବନ୍ଦ କରି ଦେଇଥିଲେ । ସେମାନେ ସ୍ଥାନୀୟ ପୋଷ୍ଟଷ୍ଟେସନରେ ନାନା କାମରେ ଯାଇ ପଶିଗଲେ, କାରଣ ଆମ ଗାଆଁରେ ସେଇଟା ହିଁ ସର୍ବପ୍ରଧାନ ଉଦ୍ୟୋଗ୍ୟ ହୋଇ ରହିଥିଲା ।

 

ପ୍ରଥମେ ପାଖ ଦରିଦ୍ର ଗାଆଁମାନଙ୍କରୁ କେତେକ ପିଲା ଆସିବାକୁ ଲାଗିଲେ । ମାତ୍ର, ସ୍କୁଲକୁ ଆସିବା ଓ ପୁଣି ସ୍କୁଲରୁ ଘରକୁ ଫେରିବାର କ୍ଷେତ୍ରରେ ଅସୁବିଧା ରହିଥିବାରୁ ଅଥବା ସ୍କୁଲରେ ଖରାବେଳର ଖାଇବାପାଇଁ ଖର୍ଚ୍ଚ ଦେବାକୁ ପଡ଼ିବାରୁ ସେମାନେ ମଧ୍ୟ ଇସ୍କୁଲ ଆସିବା ବନ୍ଦ କରି ଦେଇଥିଲେ । ଏହି ଖାଇବା ଖର୍ଚ୍ଚ ମାସକୁ ଅତି କମରେ ଦୁଇ ରବଲ୍ ଯାଏ ପଡ଼ୁଥିଲା ।

 

ଏହି ବିଦ୍ୟାଳୟ ପାଠ ପଢ଼ିବା ନିମନ୍ତେ କୌଣସି ଦରମା ଦେବାକୁ ପଡ଼ୁ ନଥିବାରୁ ଅଧିକ ଦୂର ଗାଆଁର ଥିଲାବାଲା ଚାଷୀମାନେ ମଧ୍ୟ ଏହି ସ୍କୁଲ ପ୍ରତି ଆକୃଷ୍ଟ ହୋଇଥିଲେ । ହଁ, ୟସନାୟା ପୋଲ୍ୟାନା ସ୍କୁଲରେ ଭଲ ପଢ଼ା ହେଉଛି ବୋଲି ଲୋକମୁଖରେ ଚାରିଆଡ଼େ ପ୍ରଚାର ହୋଇ ଯାଇଥିବାରୁ ମଧ୍ୟ ସେମାନଙ୍କ ମନରେ ଏକ ଆଗ୍ରହର ସୃଷ୍ଟି ହୋଇଥିଲା । ଏମାନେ ନିଜ ପିଲାମାନଙ୍କୁ ପଠାଇଲେ । ମାତ୍ର ଏହି ବର୍ଷ ଶୀତଋତୁଠାରୁ ଗାଆଁମାନଙ୍କରେ ବିଦ୍ୟାଳୟମାନ ଖୋଲିବାରୁ ସେମାନେ ଆମ ଏଠାରୁ ପିଲାମାନଙ୍କୁ ପୁଣି ଉଠାଇନେଲେ ଏବଂ ସେହିସବୁ ବିଦ୍ୟାଳୟରେ ସେମାନଙ୍କର ନାମ ଲେଖାଇଦେଲେ । ସେଗୁଡ଼ିକରେ ଦରମା ନିଆ ଯାଉଥିଲା ।

 

ଏହିପରି ଭାବରେ ୟସନାୟା ପୋଲ୍ୟାନା ସ୍କୁଲରେ କେବଳ ଏହି ଗାଆଁର ପିଲାମାନେ ହିଁ ରହିଗଲେ । ସେମାନେ ଶୀତଋତୁରେ ସ୍କୁଲକୁ ପାଠ ପଢ଼ି ଆସୁଥିଲେ ଓ ଏପ୍ରିଲରୁ ଅକ୍ଟୋବର ଅଧା ପର୍ଯ୍ୟନ୍ତ ଗ୍ରୀଷ୍ମମାସ ଗୁଡ଼ିକରେ କ୍ଷେତମାନଙ୍କରେ କାମ କରୁଥିଲେ । ସେମାନଙ୍କ ବ୍ୟତୀତ ଭାଗଚାଷୀ, ଓଭରସିଅର୍, ସୈନିକ, ଘରୋଇ ଭୃତ୍ୟ, ସରାଇଖାନାର ପରିଚାଳକ, ଗୀର୍ଜାମାନଙ୍କର କର୍ମଚାରୀ ଓ ଧନୀ କୃଷକମାନଙ୍କ ଘରୁ ଆସିଥିବା ପିଲାମାନେ ମଧ୍ୟ ରହିଥିଲେ । ଏମାନେ ସମସ୍ତେ ପ୍ରାୟ କୋଡ଼ିଏ ତିରିଶି ମାଇଲ୍ ଆକ୍ରାନ୍ତରୁ ଆସିଥିଲେ ।

 

ବିଦ୍ୟାଳୟର ମୋଟ ପିଲାସଙ୍ଖ୍ୟା ଚାଳିଶି ହେବ, ମାତ୍ର ସେମାନଙ୍କ ଭିତରୁ କ୍ଵଚିତ୍ ତିରିଶିରୁ ଅଧିକ ପିଲା ଉପସ୍ଥିତ ରହୁଥିଲେ । ଶତକଡ଼ା ଛଅରୁ ଦଶ ଅର୍ଥାତ୍ ତିନିରୁ ପାଞ୍ଚଜଣ ଯାଏ ଝିଅପିଲା ବି ଥିଲେ । ପୁଅପିଲା ମାନଙ୍କର ବୟସ ସାତରୁ ତେର ଭିତରେ ଥିଲା । ଆପଣାର ସାଧାରଣ ଆକାରଟିରେ ତାହା ଦୃଷ୍ଟିଗୋଚର ହେଉଥିଲା ।

 

ତଦୁପରି, ପ୍ରତ୍ୟେକ ବର୍ଷ ତିନି ଚାରିଜଣ ବଡ଼ ବି ଆସୁଥିଲେ । ଏମାନେ ମାସକ ପାଇଁ ଅଥବା ପୂରା ଶୀତଋତୁଟା ପାଇଁ ଆସୁଥିଲେ ଏବଂ ତା’ପରେ ବିଦ୍ୟାଳୟ ଛାଡ଼ି ଚାଲି ଯାଉଥିଲେ । ବ୍ୟକ୍ତିଗତ ଦାୟିତ୍ଵରେ ଆସୁଥିବା ଏହି ବୟସ୍କମାନଙ୍କ ପାଇଁ ବିଦ୍ୟାଳୟର ପଦ୍ଧତିଟି ଅତ୍ୟନ୍ତ ଆୟାସକର ହୋଇ ଯାଉଥିଲା । କାରଣ, ସେମାନଙ୍କର ବୟସ ଏବଂ ବୟୋସଚିତ ସମ୍ମାନବୋଧ ହେତୁ ସେମାନଙ୍କୁ ବିଦ୍ୟାଳୟର ଜୀବନରେ ଅଂଶଗ୍ରହଣ କରିବାକୁ ଦିଆ ଯାଉନଥିଲା । ସେମାନେ ବି ପ୍ରାୟ ନିୟମିତ ଏକ ଘୃଣାଭାବ ପୋଷଣ କରୁଥିଲେ ଓ ତେଣୁ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇ ରହୁଥିଲେ । ବିଦ୍ୟାଳୟଟି ଯେ ଏପରି ଭାବରେ ଜୀବନସଚଳ ହୋଇ ରହିଥିଲା, ତାହା ସେମାନଙ୍କୁ ଭାରି ଗୋଳମାଳରେ ପକାଇ ଦେଉଥିଲା । ସେମାନେ ଆଗରୁ କିଛି କିଛି ପଢ଼ିଥିଲେ ଏବଂ ପଢ଼ାଟିକୁ ସଂପୂର୍ଣ୍ଣ କରିବା ଲାଗି ଏଠାକୁ ଆସିଥିଲେ । ସେମାନେ ଯେଉଁସବୁ ବହିର ନାଆଁ ଆଗରୁ ଶୁଣିଛନ୍ତି ଅଥବା ବେଳେବେଳେ ଯେଉଁଗୁଡ଼ିକ ବିଷୟରେ କିଛି ଅଭିଜ୍ଞତା ମଧ୍ୟ ଲାଭ କରିଛନ୍ତି, ସେହିଗୁଡ଼ିକୁ ବ୍ୟବହାର କରି ଶିଖିବାକୁ ହିଁ ସେମାନେ ଅଧ୍ୟୟନ ବୋଲି ବୁଝୁଥିଲେ ।

 

ବିଦ୍ୟାଳୟକୁ ଆସିବାକୁ ହେଲେ ବୟସ୍କ ବ୍ୟକ୍ତିଟିକୁ ସବାଆଗ ନିଜର ସମସ୍ତ ଭୟ ଏବଂ ସଙ୍କୋଚକୁ ଜୟ କରିବାକୁ ପଡ଼ୁଥିଲା, ନିଜ ଘରେ ବହୁ ବିରୋଧର ଝଡ଼ଟିକୁ ସହିବାକୁ ହେଉଥିଲା, ସାଙ୍ଗମାନଙ୍କର ଥଟ୍ଟା ଟାପରାକୁ ମଧ୍ୟ ଅଙ୍ଗେ ନିଭାଇବାକୁ ପଡ଼ୁଥିଲା :

 

“ଦେଖିଲ, ଏ ବୁଢ଼ା ଘୋଡ଼ାଟା କେମିତି ଇସ୍କୁଲକୁ ଆସିଲାଣି !”

 

ଏବଂ ତା’ପରେ, ତାକୁ ସବୁବେଳେ ଏପରି ବି ଅନୁଭବ କରିବାକୁ ପଡ଼ୁଥିଲା ଯେ, ଦିନେ ଇସ୍କୁଲପାଇଁ ଦେଲେ ତାକୁ ନିଜ କାମରୁ ମଧ୍ୟ ଦିନଟିଏ ହରାଇବାକୁ ପଡ଼ିବ । ଏବଂ, ନିଜର ଶ୍ରମ ବ୍ୟତୀତ ତା’ ହାତରେ ଅନ୍ୟ ପୁଞ୍ଜି ଆଉ କ’ଣ ରହିଛି ? ତେଣୁ, ସେ ଯେତେ ସମୟ ଇସ୍କୁଲରେ ଅତିବାହିତ କରୁଥିଲା, ତାକୁ ନିରନ୍ତର ଅତ୍ୟନ୍ତ କାତର ଏବଂ ଅସ୍ଥିର ଭାବରେ ରହିବାକୁ ହେଉଥିଲା-। ନିଜ ଅଧ୍ୟୟନ ଦୃଷ୍ଟିରୁ ଏହାଦ୍ଵାରା ତା’ର ବହୁତ କ୍ଷତି ହେଉଥିଲା ।

 

ମୁଁ ଯେଉଁ ସମୟଟି ବିଷୟରେ ଲେଖିବାକୁ ବସିଛି, ସେତେବେଳେ ଆମ ସ୍କୁଲରେ ତିନିଜଣ ବୟସ୍କ ଛାତ୍ର ପଢ଼ୁଥିଲେ ଏବଂ ବର୍ତ୍ତମାନ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ତଥାପି ସ୍କୁଲ ଆସୁଛନ୍ତି । ବଯସ୍କମାନେ ଯେପରି ଭାବରେ ସ୍କୁଲରେ ଆଚରଣ କରନ୍ତି, ଦେଖିଲେ ମନେ ହେଉଥାଏ, ସେମାନେ ସତେ ଯେପରି କେଉଁଠାକୁ ନିଆଁ ନିଭାଇବା ସକାଶେ ଆସିଛନ୍ତି ! ଲେଖା ଶେଷ ହେବା ମାତ୍ରକେ ସେମାନେ କଲମଟାକୁ ଫିଙ୍ଗି ଦିଅନ୍ତି ଓ ଏ ହାତରୁ କଲମଟି ଫିଙ୍ଗି ଦେଉ ଦେଉ ଅନ୍ୟ ହାତଟିରେ ଗୋଟାଏ ବହି ଧରି ପକାନ୍ତି ଓ ଛିଡ଼ା ହୋଇ ପଢ଼ିବାକୁ ଆରମ୍ଭ କରନ୍ତି । ବହିଟା ଛଡ଼ାଇ ନେଇଗଲେ ସିଲଟଟିକୁ ଯାଇ ଧରନ୍ତି ଏବଂ ସେଇଟିକୁ ମଧ୍ୟ ଛଡ଼ାଇନେଲେ କି˚କର୍ତ୍ତବ୍ୟମୂଢ଼ ହୋଇପଡ଼ନ୍ତି ।

 

ଏବର୍ଷ ଶରତ ଋତୁରେ ଆମ ପାଖରେ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏକି ଚୁଲିଟିର ତତ୍ତ୍ଵାବଧାନ କରିବା ସହିତ ପାଠ ମଧ୍ୟ ପଢ଼ୁଥିଲେ । ସିଏ ପନ୍ଦରଟା ଦିନରେ ପଢ଼ିବା ଲେଖିବା ଶିଖି ପକାଇଲେ । ମାତ୍ର, ଏହାକୁ ଆଦୌ କୌଣସି ପଢ଼ିବା ବା ଲେଖିବା ବୋଲି କୁହାଯିବନାହିଁ; ବର˚ ଏକ ବ୍ୟାଧି ବୋଲି କୁହାଯିବ । ତାଙ୍କୁ ସତେଯେପରି ନିଶା ଲାଗିଗଲା । ଗୋଛାଏ କାଠ ଧରି ଶ୍ରେଣୀଗୃହ ଭିତରେ ଦେଇ ଯାଉ ଯାଉ ସିଏ ମଝିରେ ଅଟକି ଯାଉଥିଲେ, କାଠବିଡ଼ାଟିକୁ ସେମିତି ହାତରେ ଧରିଥିବା ଅବସ୍ଥାରେ ଆଉଜଣେ କୌଣସି ପିଲାର ମୁଣ୍ଡ ଉପରେ ତଳକୁ ନଇଁ ପଡ଼ୁଥିଲେ ଏବଂ କୌଣସି ଏକ ଶବ୍ଦର ବନାନକୁ ମୁଖସ୍ଥ କରୁ କରୁ ପୁଣି ନିଜ କାମରେ ଚାଲି ଯାଉଥିଲେ ।

 

ଯଦି ସେହିପରି କରି ପାରୁନଥିଲେ, ତେବେ ଈର୍ଷାର ସହିତ ପିଲାମାନଙ୍କ ଆଡ଼କୁ ଚାହିଁ ରହୁଥିଲେ,–ତାହାକୁ କ୍ରୋଧ ବୋଲି ମଧ୍ୟ କୁହାଯାଇ ପାରିବ । ଯଦି କାହାଠାରୁ କୌଣସି ବାଧା ନପାଉଥିଲେ, ତେବେ ତାଙ୍କୁ ଆଉ ମୋଟେ ସଂଯତ କରି ରଖି ହେଉନଥିଲା । ସିଏ ବହିଟାକୁ ଧରି ଗିଳି ପକାଇବା ଭଳି ବ, ବ, ର, ର, ବୋଲି ପଢ଼ିବାକୁ ଆରମ୍ଭ କରି ଦେଉଥିଲେ ଏବଂ ଏସବୁ କରୁଥିବା ସମୟରେ ଆଉ କିଛିହେଲେ ବୁଝିବାର ସମସ୍ତ ଶକ୍ତି ମଧ୍ୟ ତାଙ୍କଠାରୁ ଅନ୍ତର୍ନିହିତ ହୋଇ ରହୁଥିଲା ।

 

ଏହି ବୟସ୍କମାନଙ୍କୁ ଯେତେବେଳେ ଗୀତ ଗାଇବାକୁ, ଛବିଟିଏ ଆଙ୍କିବାକୁ, ଇତିହାସରୁ ଗପଟିଏ ଶୁଣିବାକୁ ଅଥବା ବିଜ୍ଞାନର ପ୍ରୟୋଗଗୁଡ଼ିକୁ ଅନାଇ ଦେଖିବାକୁ ପଡ଼ୁଥିଲା, ସେତେବେଳେ ଗୋଟାସୁଦ୍ଧା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇ ଯାଉଥିଲା ଯେ, ସେମାନେ ସତେଅବା ବାଧ୍ୟ ହୋଇ ଏକ ପ୍ରୟୋଜନ ପାଖରେ ମୁଣ୍ଡ ନୂଆଁଇ ରଖୁଥିଲେ ଏବଂ, ଗୋଟିଏ ଭୋକିଲା ବ୍ୟକ୍ତିଠାରୁ ଖାଇବା ପତରକୁ ଛଡ଼ାଇ ନେଇଗଲେ ଯେପରି ହୁଏ, ସେମାନେ କେତେବେଳେ ସେମାନଙ୍କ ବର୍ଣ୍ଣବୋଧ ବହିଟି ପାଖକୁ ଫେରି ଆସିବେ, ସେହି ମୂହୁର୍ତ୍ତଟି ସକାଶେ ଆକୁଳ ଭାବରେ ଅପେକ୍ଷା କରି ରହିଥିଲେ । ମୋ’ ନିଜର ନୀତି ପରେ ଅଟଳ ରହି, ପିଲାଟିଏ ଯେତେବେଳେ ଇଚ୍ଛା କରୁନଥିଲା, ମୁଁ ସେତେବେଳେ ବର୍ଣ୍ଣମାଳା ଶିକ୍ଷା କରିବା ଲାଗି ମୋଟେ ବାଧ୍ୟ କରୁନଥିଲି; ଅଥବା, ଜଣେ ବୟସ୍କ ବିଜ୍ଞାନ ବା ଅଙ୍କନ ନିମନ୍ତେ ଆଗ୍ରହ ନଦେଖାଇଲେ ମୁଁ ତାକୁ ମଧ୍ୟ ସେଥିପାଇଁ ବାଧ୍ୟ କରୁନଥିଲି, ସିଏ ଅକ୍ଷର ଶିଖିବାକୁ ଅଧିକ ଇଚ୍ଛା କରୁଥିଲା ଓ ମୁଁ ତାକୁ ତାହାହିଁ କରିବାକୁ ଛାଡ଼ି ଦେଉଥିଲି । ଯାହାର ଯାହା ଇଚ୍ଛା, ସିଏ ସେହି ଅନୁସାରେ ସେଇଟିକୁ ବାଛି ନେଉଥିଲା ।

 

ଯେଉଁ ବୟସ୍କମାନେ ଆଗରୁ ପାଠ ପଢ଼ିଛନ୍ତି, ସେମାନଙ୍କୁ ନିୟମତଃ ଏପର୍ଯ୍ୟନ୍ତ ୟସନାୟା ପୋଲ୍ୟାନା ବିଦ୍ୟାଳୟରେ ଗ୍ରହଣ କରା ଯାଇନାହିଁ । ସେମାନଙ୍କୁ ପାଠ ବଡ଼ କଠିନ ଲାଗୁଥିଲା ଓ ବିଦ୍ୟାଳୟ ସହିତ ରହିଥିବା ସେମାନଙ୍କର ସମ୍ବନ୍ଧଗୁଡ଼ିକରେ ମଧ୍ୟ କିଛି ଅସ୍ଵାଭାବିକତା ଏବଂ ଅସହଜତା ରହି ଯାଉଥିଲା । ମୁଁ ଦେଖିଥିବା ସନଡ଼େ ସ୍କୁଲଗୁଡ଼ିକରେ ମଧ୍ୟ ବୟସ୍କମାନଙ୍କର କ୍ଷେତ୍ରରେ ଠିକ୍ ସେହିକଥା ଦେଖିବାକୁ ମିଳୁଥିଲା ଏବଂ ତେଣୁ, ସ୍ଵତଃପ୍ରବୃତ୍ତ ଭାବରେ ବଯସ୍କମାନଙ୍କୁ ଶିକ୍ଷା ଦେବାର କ୍ଷେତ୍ରରେ ହୋଇଥିବା ଶିକ୍ଷାଦାନର ଯାବତୀୟ ସରଳ ଦୃଷ୍ଟାନ୍ତ ଆମ ପାଇଁ ଅତ୍ୟନ୍ତ ଉପଯୋଗୀ ଏବଂ ମୂଲ୍ୟବାନ୍ ହୁଅନ୍ତା ।

Image

 

ଅଷ୍ଟାଦଶ ଅଧ୍ୟାୟ

ସ୍କୁଲ ବିଷୟରେ ବାପାମାଆଙ୍କ ଧାରଣା

 

ସ୍କୁଲ ବିଷୟରେ ପ୍ରଥମ ଅବସ୍ଥାରେ ବାପାମାଆଙ୍କର ଯେଉଁ ଧାରଣା ହୋଇଥିଲା, ସେଥିରେ ବହୁତ ପରିବର୍ତ୍ତନ ଘଟିଛି । ୟସନାୟା ପୋଲ୍ୟାନା ସ୍କୁଲର ଇତିହାସ ସମ୍ବନ୍ଧରେ କହିଲାବେଳେ ଏହିସବୁ ପୂର୍ବବର୍ତ୍ତୀ ଧାରଣା ବିଷୟରେ କହିବା ପାଇଁ ମଧ୍ୟ ବହୁତ ଅବକାଶ ମିଳିବ-। ଲୋକମାନେ ଏବେମଧ୍ୟ ଏପରି କୁହାକୁହି ହେଉଥିବାର ଶୁଣା ଯାଇଥାଏ : “ଏହି ସ୍କୁଲରେ ସବୁକିଛି–ଯାବତୀୟ ବିଜ୍ଞାନ ଶିକ୍ଷା ଦିଆଯାଏ ଏବଂ ଶିକ୍ଷକମାନେ ମଧ୍ୟ ପ୍ରକୃତରେ ଅସାଧାରଣ ! କାହିଁକି ଜାଣିଛ ? କାରଣ ସେମାନେ ଇଚ୍ଛାକଲେ ଘଡ଼ଘଡ଼ି ଓ ବିଜୁଳି ମଧ୍ୟ ସମ୍ଭବ କରିଦେଇ ପାରିବେ । ଅନ୍ୟ ସକଳ ଦୃଷ୍ଟିରୁ ବିଚାର କଲେ, ସେଠାରେ ଛାତ୍ରମାନେ ଉତ୍ତମ ଭାବରେ ଶିକ୍ଷା କରନ୍ତି,–ପଢ଼ିବା, ଲେଖିବା ସବୁକିଛି ଶିଖିପାରନ୍ତି ।” କେତେକ ଧନୀଘର ମଧ୍ୟ ଏଠାକୁ ପିଲାମାନଙ୍କୁ ପଠାନ୍ତି,–ଏପରି କରିବା ପଛରେ ସେମାନଙ୍କର କିଛି ଦମ୍ଭ ବି ରହିଥାଏ । ସେମାନେ ଇଚ୍ଛା କରିଥାନ୍ତି ଯେ, ତାଙ୍କର ପିଲାଏ ଏହି ବିଦ୍ୟାଳୟଟିର ସଂପୂର୍ଣ୍ଣ ଶିକ୍ଷାକାଳଟି ପାଇଁ ପାଠ ପଢ଼ିବେ, ଯେପରିକି “ହରଣ” ମଧ୍ୟ ଶିଖିଯିବେ । ସେମାନେ ସତେଅବା ହରଣକୁ ହିଁ ବିଦ୍ୟା ଅର୍ଜନ କରିବାର ଉଚ୍ଚତ୍ତମ ସୀମା ବୋଲି ଧରି ନେଇଛନ୍ତି । ପିଲାମାନେ କିଛି ପାଠ ପଢ଼ିଥିଲେ ତାହା ବହୁତ କାମକୁ ଆସିବ ବୋଲି ଅନ୍ୟ ବାପାମାଆମାନେ ଭାବିଥାନ୍ତି, ମାତ୍ର, ଅଧିକାଂଶ ବାପାମାଆ ପିଲାମାନଙ୍କୁ ଏଠାକୁ ପଠାଇବା ବେଳେ ମନରେ ଏ ବିଷୟରେ ଆଦୌ କିଛି ଚିନ୍ତା କରିନଥାନ୍ତି । ସବୁ ପିଲା ପାଠ ପଢ଼ୁଛନ୍ତି, ତେଣୁ ସେମାନଙ୍କ ପିଲାଏ ମଧ୍ୟ ପଢ଼ିବାକୁ ଯାଆନ୍ତୁ–ସେମାନେ କେବଳ ଏତିକି ଜାଣିଥାନ୍ତି । ଅଧିକାଂଶ ପିଲାଙ୍କର ଏହି ଦଳଟି ଆମପାଇଁ ଏହି କାରଣରୁ ସର୍ବାଧିକ ସନ୍ତୋଷଲାଭର କାରଣ ହୋଇଥାନ୍ତି ଯେ, ସେମାନେ ନିଜର ପାଠ ପଢ଼ିବାକୁ ଏତେ ଅଧିକ ପରିମାଣରେ ଭଲ ପାଉଥାନ୍ତି ଯେ, ସେମାନଙ୍କର ବାପାମାନେ ନିଜେ ପିଲାଙ୍କର ସେହି ଅଭିଳାଷ ପାଖରେ ସମ୍ମତ ହେବାକୁ ବାଧ୍ୟ ହୁଅନ୍ତି ଏବଂ ସମ୍ପୂର୍ଣ୍ଣ ଅଚେତନ ଭାବରେ ଏପରି ଭାବିବାକୁ ଆରମ୍ଭ ମଧ୍ୟ କରିଦେଇଥାନ୍ତି ଯେ ଏପରି କରି ସେମାନେ ନିଜ ପିଲାମାନଙ୍କର ନିଶ୍ଚୟ କିଛି ହିତ କରୁଛନ୍ତି ଏବଂ ତେଣୁ ସେମାନେ କେବେହେଲେ ସେହି ପିଲାଙ୍କୁ ସ୍କୁଲରୁ ଉଠାଇ ନେବାକୁ ଚିନ୍ତା ମଧ୍ୟ କରିନଥାନ୍ତି ।

 

ଥରେ ଜଣେ ବାପା ମୋ’ ଆଗରେ କହୁଥିଲେ ଯେ, ଦିନେ ରାତିରେ ତାଙ୍କ ପୁଅର ବହି ଉପରେ ସିଏ ଗୋଟିଏ ମହମବତୀ ପୂରା ଜଳିସାରିବା ଯାଏ ଧରି ଦେଖାଇଥିଲେ । ନିଜ ପୁଅ ଏବଂ ବହିଟିର ସିଏ ସେଦିନ ଉଚ୍ଚ ପ୍ରଶଂସା କରିଥିଲେ । ସେହି ବହିଟି ହେଉଛି ବାଇବେଲ୍ ବହି ।

 

ପିଲାମାନଙ୍କ ଭିତରୁ ମୋତେ ଜଣେ ଥରେ କହୁଥିଲା, “ମୋ’ କାହାଣୀଗୁଡ଼ିକ ମଧ୍ୟରୁ ମୁଁ ଗୋଟିଏ ପଢ଼ୁଥିବା ସମୟରେ ଦିନେ ମୋ’ ‘ବା’–ପାଖରେ ବସି ଶୁଣୁଥିଲେ । ପ୍ରଥମେ ପ୍ରଥମେ ମୁରୁକି ହସୁଥିଲେ, ମାତ୍ର, ସେଇଟି ଗୋଟିଏ ଧର୍ମ କାହାଣୀ ବୋଲି ଜାଣିପାରିବା ମାତ୍ରକେ ସେ ପୂରା ଆଧାରିତ ଯାଏ ମୋ’ ପାଖରେ ବସି ଶୁଣିଲେ । ଏବଂ, ପୂରା ସମୟଟା ମୁଁ ପଢ଼ିବି ବୋଲି ଆଲୁଅ ଦେଖାଇଥିଲେ ।”

 

ଥରେ ଆମର ଜଣେ ନୂଆ ଶିକ୍ଷକଙ୍କ ସହିତ ମୁଁ ଗୋଟିଏ ପିଲାର ଘରକୁ ଯାଇଥିଲି; ଏବଂ, ପିଲାଟି ଯେପରି ଶିକ୍ଷକଙ୍କ ଆଗରେ ନିଜର ଉତ୍ତମ ପରିଚୟ ଦେଇପାରିବ, ସେଥିପାଇଁ ତାକୁ ମୁଁ ବୀଜଗଣିତରୁ ଖଣ୍ଡେ ଅଙ୍କ କଷିବାକୁ ଦେଲି । ପିଲାଟିର ମାଆ ତ ଏକାବେଳେକେ ଚୁଲିର ପଖାଟା ଉପରେ ପଚିଯାଇ ସେହି ଦୃଶ୍ୟଟିକୁ ଚାହିଁ ଦେଖୁଥାନ୍ତି । ପିଲାଟି ଅତୀବ ସାହାସର ସହିତ ଗୋଟିଏ ସମୀକରଣ ତିଆରି କରି ରଖି ଦେଉଥିବା ବେଳେ ଆମେ ମାଆଙ୍କ ବିଷୟରେ ସବୁକଥା ପୂରା ଭୁଲି ଯାଇଥିଲୁ ।

 

ମାଆ ନିଜର ପାଟିଟାକୁ ହାତ ଦେଇ ଘୋଡ଼ାଇ ରଖିଥାନ୍ତି ଏବଂ ନିଜକୁ ଆୟତ୍ତରେ ରଖିବାକୁ ଚେଷ୍ଟା କରୁଥାନ୍ତି । ମାତ୍ର, ଶେଷକୁ ସିଏ ଫେଁ’ କରି ହସିଉଠିଲେ ଏବଂ କ’ଣ ପାଇଁ ଯେ ତାଙ୍କୁ ଏପରି ହସ ମାଡ଼ିଲା, ଆମକୁ ତାହାର କାରଣ ବିଷୟରେ ଆଦୌ କିଛି କହି ପାରିଲେନାହିଁ ।

 

ମୁଁ ଭାବୁଛି, ସାଧାରଣ ଧାରଣାଟି ଏହି ପ୍ରକାରର ଥିଲା : “ସମ୍ଭ୍ରାନ୍ତ ଘରର ପିଲାମାନଙ୍କ ପରି ଏମାନଙ୍କୁ ମଧ୍ୟ ସବୁ ବିଷୟ ଶିକ୍ଷା ଦେବାରେ ପ୍ରକୃତରେ କୌଣସି ଲାଭ ବା ଅର୍ଥ ମଧ୍ୟ ନାହିଁ; କିନ୍ତୁ, ଏଠାରେ ବେଶ୍ ଦକ୍ଷତାର ସହିତ ପଢ଼ିବା ଏବଂ ଲେଖିବା ଶିକ୍ଷା ଦିଆଯାଇ ପାରୁଛି,–ତେଣୁ ଏଠାକୁ ଆମ ପିଲାମାନଙ୍କୁ ଆମେ ନିଶ୍ଚୟ ପଠାଇବା ।”

 

ଆମ ବିଷୟରେ ନାନା ଅନିଷ୍ଟକାରୀ ଗୁଜବର ପ୍ରଚାର ମଧ୍ୟ ହୋଇଥାଏ; ମାତ୍ର ସେଗୁଡ଼ିକ ବିଷୟରେ କ୍ରମେ କମ୍ ଆସ୍ଥା ପ୍ରକାଶ ପାଉଛି । ଆମର ଏଠି ପିଲାମାନଙ୍କୁ ଠିକ୍ ଭାବରେ ଲେଖିବା ଶିକ୍ଷା ଦିଆଯାଉନାହିଁ ବୋଲି ଏବେ ଦୁଇଟି ଭଲ ପଢ଼ୁଥିବା ପିଲା ସ୍କୁଲ ଛାଡ଼ି ଚାଲିଗଲେ ।

 

ଆଉଜଣେ ସୈନିକ ନିଜର ବାବୁଟିକୁ ପଠାଇବେ ବୋଲି ପ୍ରାୟ ଠିକ୍ କରି ସାରିଥିଲେ, ମାତ୍ର, ଆମର ସର୍ବୋତ୍ତମ ପିଲାଟିକୁ ପଚାରି ସିଏ ସ୍ତୋତ୍ରଗୀତ ଗୁଡ଼ିକୁ ଉତ୍ତମ ରୂପେ ପଢ଼ିପାରୁନାହିଁ ବୋଲି ଜାଣିପାରି ସିଏ ବୁଝିପାରିଲେ ଯେ, ଏହି ବିଦ୍ୟାଳୟ ବିଷୟରେ ଏତେ ତାରିଫ୍ ସିନା କରାଯାଉଛି, ମାତ୍ର ଏଠାରେ ଶିକ୍ଷାଦାନର କ୍ଷେତ୍ରରେ ବହୁତ ଗଲତି ରହିଯାଇଛି ।

 

ୟସନାୟା ପୋଲ୍ୟାନା ଗାଆଁର କେତେକ ଚାଷୀଙ୍କ ମନରେ ଏବେ ମଧ୍ୟ କେତେକ ଆଶଙ୍କା ରହିଛି ଯେ, ଏକଦା ବିଦ୍ୟାଳୟଟି ସମ୍ବଦ୍ଧରେ ଶୁଣା ଯାଉଥିବା ଜନରବଗୁଡ଼ିକର ହୁଏତ ତଥାପି କେତେକ ଚେର ଅବଶ୍ୟ ରହିଥିବ । ଆମେ କୌଣସି ଚତୁର ମତଲବରେ ଏଠି ପିଲାମାନଙ୍କୁ ଶିକ୍ଷା ଦେଉଛୁ ଏବଂ ସେମାନେ ଆଦୌ କିଛି ଜାଣିବା ପୂର୍ବରୁ ପିଲାମାନଙ୍କୁ ଏକାଠି ଶଗଡ଼ରେ ବୋଝାଇ କରି ମସ୍କୋକୁ ଚାଲାଣ କରି ନିଆଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି ।

 

ଏହି ବିଦ୍ୟାଳୟରେ ବେତମାଡ଼ ଦିଆ ଯାଉନାହିଁ ଓ ପରୀକ୍ଷାଫଳ ଅନୁସାରେ ପିଲାମାନଙ୍କୁ ଉପର ଓ ତଳ ବୋଲି ବିଚାର କରା ଯାଉନାହିଁ ବୋଲି ବର୍ତ୍ତମାନ ଅବଶ୍ୟ କ୍ୱଚିତ୍‍ କୌଣସି ଅସନ୍ତୋଷ ତଥାପି ରହିଛି । କୌଣସି ବାପା ବା ମାଆ ନିଜର ପିଲାଟିକୁ ଦେଖିବା ଲାଗି ସ୍କୁଲକୁ ଆସିଥିଲେ ଓ ପିଲାମାନେ ଦଉଡ଼ୁଥିବାର ଦେଖିବାକୁ ପାଇଲେ, ସେମାନଙ୍କ ଭିତରେ କୌଣସି ଶୃଙ୍ଖଳା ନଥିଲା କିମ୍ବା ତାଙ୍କ ନିଜ ଆଖି ଆଗରେ ସେ ପିଲାମାନେ ନିଜ ଭିତରେ ଯୁଦ୍ଧ ଓ କଳହ କରୁଥିବାର ଦେଖି ଭାରି ଅଶ୍ଵସ୍ତ ଓ ଅପ୍ରସ୍ତୁତ ହୋଇପଡ଼ିଲେ । ଅନେକ ସମୟରେ ମୁଁ ଅବଶ୍ୟ ଦେଖିବାକୁ ପାଇଛି, ପିଲାମାନଙ୍କୁ ଏସବୁ କରିବାଲାଗି ଛାଡ଼ି ଦିଆଗଲେ ତଦ୍ୱାରା ସେମାନଙ୍କର ଅନିଷ୍ଟ ହୁଏ ବୋଲି ସିଏ ହୁଏତ ବିଚାର କରିଛନ୍ତି । ଶିକ୍ଷାଲାଭ ଯେ ଏକ ଉତ୍ତମ କଥା, ଏକଥାରେ ତାଙ୍କର ନିଶ୍ଚୟ ବିଶ୍ଵାସ ରହିଛି; ମାତ୍ର ଦୁଇଟା ଯାକ, ପାଠପଢ଼ା ଓ ଝଗଡ଼ା ପ୍ରଭୃତି ସେହି ଅନ୍ୟ କଥାଗୁଡ଼ିକ କିପରି ଏକାଠି ରହିପାରିବ, ସେକଥାଟିକୁ ସିଏ ଆଦୌ ବୁଝି ପାରୁନାହାନ୍ତି-

 

ବିଦ୍ୟାଳୟରେ ରହିଥିବା ବ୍ୟାୟାମ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ବେଳେ ବେଳେ ଟୀକା କରା ଯାଇଥାଏ । ବ୍ୟାୟାମ କରିବା ଦ୍ଵାରା ପେଟ ଭିତରର ଅନ୍ତ୍ରଗୁଡ଼ିକ ଯେ ଛିଣ୍ଡିଛାଣ୍ଡି ଯାଆନ୍ତି, ସେହି ବିଶ୍ଵାସଟାକୁ ଏବେ ମଧ୍ୟ ଦୂର କରାଯାଇ ପାରିନାହିଁ । ଉପବାସ ଭାଙ୍ଗିବା ସମୟରେ ଅଥବା ଶରତ ଋତୁରେ ପରିବାସବୁ ପାକଳ ହୋଇ ଆସୁଥିବା ସମୟରେ କସରତ୍ ଓ ବ୍ୟାୟାମ କରିବା ଦ୍ଵାରା ସବୁଠାରୁ ଅଧିକ ଅନିଷ୍ଟ ହୋଇଥାଏ, ଏବଂ, ଆଈବୁଢ଼ୀମାନେ ବି ବାସନ ମାଜିବା ସମୟରେ ବୁଝାଇ କହିବାରେ ଲାଗିଥାନ୍ତି ଯେ ଅତ୍ୟଧିକ କସରତ୍ କରିବା ହିଁ ଯାବତୀୟ ରୋଗର କାରଣ ହୋଇଥାଏ ।

 

ସଂଖ୍ୟାରେ ଅଳ୍ପ ହେଲେ ହେଁ କେତେ ବାପାମାଆ ବିଦ୍ୟାଳୟରେ ରହିଥିବା ସମାନ ବ୍ୟବହାରର ପ୍ରଦର୍ଶନରେ ଅସନ୍ତୋଷ ପ୍ରକାଶ କରିଥାନ୍ତି । ଏହି ନଭେମ୍ବର ମାସରେ ଜଣେ ଧନୀ ଗୃହସ୍ଵାମୀଙ୍କର ଦୁଇ ଝିଅ ଦେହରେ କୋଟ୍ ଓ ମୁଣ୍ଡରେ ଟୋପି ଲଗାଇ ବିଦ୍ୟାଳୟକୁ ପଢ଼ିବାକୁ ଆସିଥିଲେ । ସେମାନେ ପ୍ରଥମେ ପ୍ରଥମେ ଅନ୍ୟମାନଙ୍କ ଠାରୁ ନିଜକୁ ଭାରି ଅଲଗା ରଖୁଥିଲେ । ମାତ୍ର, କିଛିଦିନ ପରେ ସବୁ କଥାରେ ଏପରି ଅଭ୍ୟସ୍ତ ହୋଇ ଯାଇଥିଲେ ଯେ, ଖୁବ୍ ଭଲ ପଢ଼ିବାକୁ ଆରମ୍ଭ କଲେ ଏବଂ ଚାହା ପିଇବା ଓ ଧୂଆଁପତ୍ର ଦେଇ ଦାନ୍ତ ସଫା କରିବାରେ ମଧ୍ୟ କୌଣସି ଆପତ୍ତି କଲେନାହିଁ । ପୂରା କଷି କରି ବୋତମ ଦିଆଯାଇଥିବା ଚପକନଟାଏ ପିନ୍ଧି ସେମାନଙ୍କର ବାପା ଥରେ ଗାଡ଼ିରେ ବସି ଯେମିତି ବିଦ୍ୟାଳୟରେ ହଠାତ୍ ଆସି ପହଞ୍ଚିଗଲେ, ନିଜର ଝିଅମାନଙ୍କୁ ଭାରି ମଇଳା ଦେଖା ଯାଉଥିବା ଓ କାଠତିଆରି ଜୋତା ପିନ୍ଧିଥିବା ଅନ୍ୟ ପିଲାଙ୍କ ମେଳରେ ଦେଖିବାକୁ ପାଇଲେ । ପିଲାମାନେ ଦୁଇ ଝିଅଙ୍କର ଟୋପି ଉପରେ କହୁଣିକୁ ଭରା ଦେଇ ଶିକ୍ଷକଙ୍କର କଥା ଶୁଣିବାରେ ଲାଗିଥାନ୍ତି । ଏପରି ଦେଖି ବାପାଜଣକ ଭାରି ଅପମାନିତ ବୋଧ କଲେ ଓ ନିଜର ଝିଅମାନଙ୍କୁ ସ୍କୁଲରୁ ନେଇଗଲେ । ଅବଶ୍ୟ, ଏପରି ଅରାଜୀ ହୋଇଥିବାର କାରଣଟାକୁ ସିଏ ଆଦୌ ସ୍ଵୀକାର କରୁନଥିଲେ ।

 

ପୁନଶ୍ଚ, ଏପରି କେତେକ ଛାତ୍ର ଅଛନ୍ତି, ଯେଉଁମାନେ ବିଦ୍ୟାଳୟ ଛାଡ଼ି ଚାଲି ଯାଇଛନ୍ତି-। କାରଣ ହେଉଛି ଯେ, କାହାକୁ ଖୁସୀ କରିବାଲାଗି ସେମାନଙ୍କର ପିତାମାତା ସେମାନଙ୍କୁ ଆଣି ଏଠାରେ ଭର୍ତ୍ତି କରାଇ ଥିଲେ ଏବଂ ମତଲବଟା ସିଦ୍ଧ ହୋଇଯିବା ପରେ ପିଲାଙ୍କୁ ଅନ୍ୟତ୍ର ନେଇ ଯାଇଥିଲେ ।

 

ଏହିପରି ଭାବରେ ଆମ ସ୍କୁଲରେ ଚାରୋଟି ବିଷୟ ପଢ଼ା ହେଉଛି, ତିନୋଟି ଶ୍ରେଣୀ ରହିଛି ଏବଂ ସର୍ବମୋଟ ଚାଳିଶି ପିଲା ଅଛନ୍ତି । ମୋଟ ଚାରିଜଣ ଶିକ୍ଷକ ଅଛନ୍ତି ଓ ଦିନମାନ ପାଞ୍ଚଟିରୁ ସାତୋଟି ଘଣ୍ଟା ରହିଛି । ଶିକ୍ଷକମାନେ ନିଜ କାର୍ଯ୍ୟଗୁଡ଼ିକର ଦୈନିକ ବିବରଣୀ ଲେଖି ରଖନ୍ତି ଏବଂ ରବିବାର ମାନଙ୍କରେ ସେଗୁଡ଼ିକୁ ପରସ୍ପରକୁ ଦେଖିବାକୁ ଦିଅନ୍ତି ଏବଂ ତାହାରି ଅନୁସାରେ ସେମାନେ ପରବର୍ତ୍ତୀ ସପ୍ତାହଟିର ଶିକ୍ଷାଦାନର ଯୋଜନାମାନ ତିଆରି କରନ୍ତି । ଏହି ଯୋଜନାଗୁଡ଼ିକ ଯେ ସର୍ବଦା କାର୍ଯ୍ୟକାରୀ ହୁଏ, ସେକଥା ମୋଟେ ନୁହେଁ, ଛାତ୍ରମାନଙ୍କର ଦାବୀ ଅନୁସାରେ ସେଗୁଡ଼ିକରେ ଅନେକ ସମୟରେ କିଛି ଅଦଳବଦଳ ମଧ୍ୟ କରା ଯାଇଥାଏ ।

Image

 

ଉନ୍ନବିଂଶ ଅଧ୍ୟାୟ

Unknown

ପୁସ୍ତକ-ପଠନ

 

ପଠନଶିକ୍ଷା ହେଉଛି ଭାଷାଶିକ୍ଷାର ଏକ ଅଙ୍ଗ ।

 

ପୁସ୍ତକମାନଙ୍କରେ ସାହିତ୍ୟିକ ଭାଷାରେ ଯାହାସବୁ ଲେଖାଯାଇଛି, ତାହାର ଅର୍ଥ ବୁଝିପାରିବା ନିମନ୍ତେ ପିଲାମାନଙ୍କୁ ଉପାୟ ବତାଇଦେବା ହେଉଛି ମୋ’ ମତରେ ଭାଷା ଶିକ୍ଷା ଦେବାର ଅସଲ ସମସ୍ୟା । ଏବଂ, ସାହିତ୍ୟିକ ଭାଷାଟିରେ ଜ୍ଞାନ ଥିବା ପ୍ରକୃତରେ ଅପରିହାର୍ଯ୍ୟ, କାରଣ ସବୁଯାକ ଭଲ ବହି କେବଳ ସେହି ଭାଷାରେ ହିଁ ଲେଖା ହୋଇଛି ।

 

ଆଗେ, ବିଦ୍ୟାଳୟଟି ଆରମ୍ଭ ହେବା ସମୟରୁ ହିଁ, ପୁସ୍ତକ-ପଠନ ଓ ଆନୁକ୍ରମିକ ପଠନ ଭିତରେ ଆଦୌ କୌଣସି ପ୍ରଭେଦ ନଥିଲା । ପିଲାମାନେ ଯାହାକିଛିର ଅର୍ଥ ବୁଝୁଥିଲେ, କେବଳ ତାହାକୁ ହିଁ ପାଠ କରୁଥିଲେ । ବିଶେଷ ବହିମାନ ପଢ଼ୁଥିଲେ, ପ୍ରାଚୀରରେ ଲେଖା ହୋଇଥିବା ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକୁ ମଧ୍ୟ ପଢ଼ୁଥିଲେ, –ଏହାଛଡ଼ା କେତେକ କାହାଣୀ ମଧ୍ୟ ପାଠ କରୁଥିଲେ ।

 

ମୁଁ ଭାବିବାକୁ ଲାଗିଲି ଯେ, ପିଲାମାନେ ଯେପରି ପଢ଼ିବାର କଳାଟିକୁ ଶିକ୍ଷା କରି ପାଇବେ, ସେଥିପାଇଁ ସେମାନଙ୍କର ପଠନ ପାଇଁ ପ୍ରକୃତରେ ଏକ ଶ୍ରଦ୍ଧା ରହିଥିବା ଏକାନ୍ତ ଆବଶ୍ୟକ । ଏବଂ, ସେହି ଶ୍ରଦ୍ଧାଟିକୁ ଅର୍ଜନ କରିବାକୁ ହେଲେ, ଏକଥା ମଧ୍ୟ ଆବଶ୍ୟକ ଯେ, ସେମାନେ ଯାହାକିଛି ପାଠ କରିବେ, ତାହାର ଅର୍ଥକୁ ସେମାନେ ବୁଝି ପାରୁଥିବେ ଓ ତାହା ସେମାନଙ୍କ ପାଇଁ ଆଗ୍ରହୋଦ୍ଦୀପକ ମଧ୍ୟ ହୋଇଥିବ । ଏହି କଥାଟି କେଡ଼େ ସ୍ପଷ୍ଟ ଏବଂ ବୁଦ୍ଧିସମର୍ଥିତ ପରି ମନେ ହୋଇଥିଲା ସିନା, ମାତ୍ର ଧାରଣାଟି ଭିତରେ ଏକ ଭୁଲ୍ ରହି ଯାଇଥିଲା ।

 

ପ୍ରଥମ କଥା ହେଉଛି, କଳାପଟା ଉପରୁ ପଢ଼ିବାର ସ୍ତରଟିରୁ ପୁସ୍ତକରୁ ପାଠ କରିବାର ସ୍ତରକୁ ଆସିବାକୁ ହେଲେ, ପିଲାଟି ଯେକୌଣସି ବହିକୁ ଅର୍ଥ ନବୁଝି ମଧ୍ୟ ପଢ଼ି ପାରୁଥିବା ନିମନ୍ତେ ଅବଶ୍ୟ ତାଲୀମ ପାଇଥିବ । ଆମ ବିଦ୍ୟାଳୟରେ ପିଲାମାନଙ୍କର ସଂଖ୍ୟା ବହୁତ କମ୍ ଥିବାରୁ ଏବଂ ବିଷୟଗୁଡ଼ିକର ଅଲଗା ଅଲଗା କୌଣସି ଶ୍ରେଣୀ ବିଭାଜନ ହୋଇ ନଥିବାରୁ ଏକଥା ସମ୍ଭବ ହୋଇ ପାରିଲା ଏବଂ, ବେଶୀ କିଛି ଅସୁବିଧାର ସମ୍ମୁଖୀନ ନହୋଇ ମୁଁ ପ୍ରଥମ ପର୍ଯ୍ୟାୟର ପିଲାମାନଙ୍କୁ କଳାପଟା ଉପରୁ ପଢ଼ିବାର ସ୍ତରରୁ ବହିରୁ ପଢ଼ି ପାରିବାର ସ୍ତରକୁ ଉତ୍ତୀର୍ଣ୍ଣ କରାଇଆଣି ପାରିଥିଲି । ମାତ୍ର, ନୂଆ ନୂଆ ପିଲାମାନେ ଆସି ପହଞ୍ଚିବା ପରେ ତାହା ଆଦୌ ସମ୍ଭବ ହେଲାନାହିଁ । ନୂଆ ଆସିଥିବା ସାନମାନେ ପଢ଼ି ପାରୁନଥିଲେ । ଏଣେ ଶବ୍ଦଗୁଡ଼ିକର ବନାନ୍ କରିପାରିବ ଓ ସେଗୁଡ଼ିକର ଅର୍ଥଗୁଡ଼ିକୁ ମଧ୍ୟ ବୁଝିବ, -ସେମାନଙ୍କ ପାଇଁ ସେହି ଶ୍ରମଟି ଅତିରିକ୍ତ ହୋଇଗଲା ।

 

ଏହି କ୍ଷେତ୍ରରେ ଆଉଗୋଟିଏ ଅସୁବିଧା ମଧ୍ୟ ଆସି ପହଞ୍ଚିଲା ଯେ, ଆନୁକ୍ରମିକ ପଠନ ଭିତରେ ଏହିସବୁ ଗପ ପଢ଼ି ଶୁଣାଇବା ଅନ୍ତର୍ଭୁକ୍ତ ହୋଇ ରହିଥିବାରୁ, ଆମେ ଯାହାକିଛି ପୁସ୍ତକ ପଢ଼ିବା ସକାଶେ ବାଛିଲୁ, ଏହି କଥାଟି ଅଚିରେ ପ୍ରମାଣିତ ହୋଇଗଲା ଯେ ବଡ଼ ଓ ସାନ ଉଭୟ ଗୋଷ୍ଠୀର ପିଲାମାନେ ପଠନ ଏବଂ ପଠିତ ବିଷୟଟିର ଅର୍ଥଜ୍ଞାନ,–ଏହି ଦୁଇଟି ଯାକ ଲାଗି ସେମାନେ କରୁଥିବା ଶ୍ରମକୁ ପରସ୍ପର ସହିତ ସମ୍ବନ୍ଧିତ କରି ପାରିଲେନାହିଁ, ମାତ୍ର, ଆମେ ପଢ଼ି ସେମାନଙ୍କୁ କିଛି ଶୁଣାଇବା ସମୟରେ ସେମାନେ ଖୁବ୍ ଭଲ ଭାବରେ ସବୁକିଛି ବୁଝି ପାରୁଥିଲେ ।

 

ପ୍ରଥମେ ଆମେ ଭାବିଲୁ ଯେ, ପିଲାମାନେ ଯେପରି ଯାନ୍ତ୍ରିକ ଭାବରେ ପଠନ କାର୍ଯ୍ୟଟିକୁ କରୁଛନ୍ତି, ଅସୁବିଧାଟା ବୋଧହୁଏ ସେଥିରେ କିଛି ଦୋଷ ରହିଥିବାରୁ ହେଉଛି । ଆମେ ପଠନର ଆହୁରି ଅଲଗା ପ୍ରକାରର ଯାନ୍ତ୍ରିକ ଉପାୟମାନ-ପଠନ ପାଇଁ ହିଁ ପଠନ ବାହାର କଲୁ, ଯେଉଁଥିରେ କି ଆଗ ଶିକ୍ଷକ କିଛି ପଢ଼ି ଶୁଣାଇଲେ ଓ ପିଲାମାନେ ତା’ପରେ ସେହି ଅନୁସାରେ ପାଠ କରୁଥିଲେ,–ମାତ୍ର ….କୌଣସି ଫଳ ମିଳିଲାନାହିଁ । ଏପରିକି, ରବିନସନ୍ କ୍ରୁସୋ ଗପଟିକୁ ପଢ଼ିବା ସମୟରେ ମଧ୍ୟ ସେହି ଅସୁବିଧାଟି ରହି ଯାଉଥିଲା ।

 

ଗ୍ରୀଷ୍ମ ଋତୁରେ, ବିଦ୍ୟାଳୟର ଗୋଟିଏ ବର୍ଷ ସରି ଆଉଗୋଟିଏ ବର୍ଷ ଆରମ୍ଭ ହେଉଥିବା ସମୟରେ ଆମେ ଭାବିଲୁ ଯେ ଆମେ ସମ୍ଭବତଃ ଅତ୍ୟନ୍ତ ସରଳ ଏବଂ ବ୍ୟାବହାରିକ ଗୋଟିଏ ପଦ୍ଧତି ଦ୍ୱାରା ଅସୁବିଧାଟିକୁ ଅତିକ୍ରମ କରିଯାଇ ପାରିଛୁ । ବାହାରୁ ବହୁତ ଲୋକ ବିଦ୍ୟାଳୟଟିକୁ ଆସୁଥିଲେ ଓ ଆମ କାର୍ଯ୍ୟଟିର ପର୍ଯ୍ୟବେକ୍ଷଣ କରୁଥିଲେ ବୋଲି ଆମକୁ ଯେଉଁ ମିଛ ଲାଜ ମାଡ଼ି ବସୁଥିଲା, ସେଇଟିକୁ ଆମେ କାହିଁକି ବା ସ୍ଵୀକାର ନକରିବା ?–ଆମେ ଏପରି ବି ଚିନ୍ତା କଲୁ । ଗୀର୍ଜାର କର୍ମଚାରୀମାନେ ଯେଉଁ ଅନ୍ୟ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ, ସେମାନଙ୍କ ତୁଳନାରେ ସେତିକି ସମୟ ମଧ୍ୟରେ ଆମ ପିଲାମାନେ ଅଧିକ ପଛରେ ପଡ଼ିଥିବାର ପ୍ରମାଣ ଦେଉଥିଲେ । ଆମର ଜଣେ ନୂତନ ଶିକ୍ଷକ ପ୍ରସ୍ତାବ କଲେ ଯେ, ଆମେ ଏଣିକି ଅଲଗା ଅଲଗା ବହିରୁ ନୁହେଁ, ମାତ୍ର ଏକା ବହିରୁ ବଡ଼ପାଟି କରି ପଢ଼ି ପିଲାମାନଙ୍କୁ ଶୁଣାଇବା । ଆମେ ସମସ୍ତେ ସେଥିରେ ରାଜୀ ହୋଇଗଲୁ । ପିଲାମାନେ ଗୋଟିଏ ବର୍ଷ ମଧ୍ୟରେ ଖୁବ୍ ଭଲ ଭାବରେ ପୁସ୍ତକପଠନ ଅବଶ୍ୟ ଶିକ୍ଷା କରିବେ, ଥରେ ସେହି ଭୁଲ୍ ଧାରଣାଟି ଦ୍ୱାରା ପରିଚାଳିତ ହୋଇଥିବାରୁ ଆମେ ମୁକ୍ତ ଏବଂ ଆନୁକ୍ରମିକ ଉଭୟ ପଠନକୁ ପାଠ୍ୟକ୍ରମ ଭିତରେ ରଖିଥିଲୁ ଓ ପିଲାମାନଙ୍କୁ ଦିନକୁ ଦୁଇଘଣ୍ଟା ପଠନର ଅଭ୍ୟାସ କରିବାକୁ ବାଧ୍ୟ ମଧ୍ୟ କଲୁ । ସବୁ ପିଲା ସେହି ଗୋଟିଏ ବହିକୁ ହିଁ ବ୍ୟବହାର କରୁଥିଲେ । ଏବଂ, ଏଇଟା ଆମମାନଙ୍କୁ ଖୁବ୍ ସୁବିଧାଜନକ ପରି ମନେ ହେଉଥିଲା ।

 

ମାତ୍ର, ପିଲାମାନେ ସ୍ଵାଧୀନ ଭାବରେ ସବୁକିଛି ଶିକ୍ଷା କରିବା ନିୟମଟିର ଏହି ଗୋଟିଏ ଉଲ୍ଲଂଘନ ହିଁ ନାନା ମିଥ୍ୟାକୁ ବରଣ କରି ଆଣିଥିଲା ଓ ତା’ପରେ ଆମେ ଗୋଟିଏ ପରେ ଗୋଟିଏ ଅନେକ ଭୁଲ୍ କରିବାରେ ଲାଗିଲୁ ।

 

ପୁଷ୍କିନ୍ ପ୍ରଭୃତି କେତେକ ଲେଖକଙ୍କର ଗପବହିମାନ କିଣାଗଲା । ପିଲାମାନଙ୍କୁ ଆଣି ବେଞ୍ଚ୍ ଉପରେ ବସାଇ ଦିଆଗଲା । ଆଗ ଜଣେ ପିଲାକୁ ଗୋଟିଏ ବହିରୁ ବଡ଼ ପାଟିରେ ପଢ଼ିବାକୁ କୁହାଗଲା ଏବଂ ଅନ୍ୟମାନେ ମଧ୍ୟ ତାକୁ ଅନୁସରଣ କରି ବଡ଼ ପାଟିରେ ପଢ଼ିଲେ । ସବୁ ପିଲା ଯେପରି ଏହି କାର୍ଯ୍ୟଟିରେ ଅବଶ୍ୟ ମନୋନିବେଶ କରିବେ, ସେଥିପାଇଁ ଶିକ୍ଷକଜଣଙ୍କର ନାମ ଡାକୁଥିଲେ ଓ ପଢ଼ିବାକୁ ଆଦେଶ ଦେଉଥିଲେ ।

 

ପ୍ରଥମେ ପ୍ରଥମେ ଏହି ଯୋଜନାଟି ଆମକୁ ଅତ୍ୟନ୍ତ ଉତ୍ତମ ଲାଗିଲା । ସେତେବେଳେ ବିଦ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଅବଶ୍ୟ ଦେଖୁଥାଆନ୍ତେ ଯେ ପିଲାମାନେ ଚମତ୍କାର ଶୃଙ୍ଖଳାର ସହିତ ବେଞ୍ଚ ଉପରେ ବସିଛନ୍ତି । ଜଣେ ପିଲା ପଢ଼ୁଛି ଓ ଅନ୍ୟ ପିଲାମାନେ ତା’ର ଅନୁସରଣ କରୁଛନ୍ତି ।

 

ପଠନକାରୀ ଛାତ୍ରଟି ପାଠ କରୁଥିବ, ଅନ୍ୟମାନେ ବା ନିଜେ ଶିକ୍ଷକ ଭୁଲ୍ ହେଉଥିଲେ ସଂଶୋଧନ କରି ଦେଉଥିବେ ଓ ତା’ପରେ ଅନ୍ୟ ସମସ୍ତେ ମଧ୍ୟ ପାଠ କରୁଥିବେ ।

 

“ଇଭନଫ୍, ତୁ ପ’ଢ଼ !”

 

ଇଭନଫ୍ କେଉଁଠାରୁ ପଢ଼ିବାକୁ ହେବ, କନ କନ କରି ଏଣେତେଣେ ଅନାଇ ସେଇଟାକୁ ଖୋଜି ପକାଇବ ଏବଂ ପଢ଼ା ଆରମ୍ଭ କରିଦେବ । ସମସ୍ତେ ମନୋଯୋଗ ସହିତ ଶୁଣୁଥିବେ; ଶିକ୍ଷକଙ୍କ ଆଡ଼କୁ ସମ୍ପୂର୍ଣ୍ଣ ସତର୍କ ହୋଇ ରହିଥିବେ । ପ୍ରତ୍ୟେକ ଶବ୍ଦର ନିର୍ଭୁଲ ଉଚ୍ଚାରଣ ହେଉଥିବ ଏବଂ ଅତୀବ ନିର୍ବୋଧ ଭାବରେ ପଠନର କାର୍ଯ୍ୟଟି ଚାଲିଥିବ । ସବୁକିଛି ଖୁବ୍ ଚମତ୍କାର ଭାବରେ ଚାଲିଛି ବୋଲି ମନେ ହେଉଥିବ; ମାତ୍ର, ଟିକିଏ ଭିତରକୁ ଯାଇ ଦେଖନ୍ତୁ,–ଯେଉଁ ପିଲାଟି ପଠିତ ବିଷୟଟିକୁ ପାଠ କରୁଛି, ସିଏ ତାହାକୁ, ସେହି ଅଂଶଟିକୁ, ତିରିଶି ବ ଚାଳିଶି ଥର ପାଇଁ ପାଠ କରୁଛି ।

 

ତେଣୁ, ଗୋଟିଏ ସପ୍ତାହକୁ ମାତ୍ର ଗୋଟିଏ ପୃଷ୍ଠା ଯଥେଷ୍ଟ ହୋଇଯାଉଛି । କାରଣ ପ୍ରତ୍ୟେକ ଥର ପାଇଁ ଗୋଟିଏ ନୂଆ ବହି କିଣୁଥିଲେ ଭୟଙ୍କର ଭାବରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥାନ୍ତା । ଏବଂ, ଚାଷୀଘରର ପିଲାମାନେ ବୁଝି ପାରିବା ଭଳି ବହି ମୋଟେ ଦୁଇଖଣ୍ଡ ରହିଛି,–ଦୁଇଟିଯାକ ଗପବହି । ଏବଂ, ଗୋଟିଏ ଶ୍ରେଣୀ ଗୋଟିଏ ବହିକୁ ଥରେ ବ୍ୟବହାର କଲେ ତାହା ସମସ୍ତଙ୍କ ପାଖରେ ଏତେ ପରିଚିତ ହୋଇଯାଉଛି ଯେ, କେତେ ପିଲାଙ୍କର ତାହା ପୂରା ମୁଖସ୍ଥ ହୋଇଯାଉଛି । ଏବଂ, ତା’ ପରେ ସମସ୍ତଙ୍କୁ ଭାରି ବିଜାର ଲାଗୁଛି ଏବଂ ପିଲାମାନଙ୍କର ପରିବାରମାନେ ମଧ୍ୟ ବ୍ୟାପାରଟିକୁ ଅତ୍ୟନ୍ତ କ୍ଳାନ୍ତିକର ବୋଲି ଅନୁଭବ କରୁଛନ୍ତି ।

 

ଯେଉଁ ପିଲାଟି ବଡ଼ ପାଟି କରି ପଢ଼ୁଛି, ତାକୁ ମଧ୍ୟ ଲାଜ ଲାଗୁଛି;–ଶ୍ରେଣୀଟା ଭିତରେ ନୀରବତା ରହିଥିବା ସମୟରେ ତା’ ନିଜ କଣ୍ଠର ସ୍ଵରଟା ତା’ କାନରେ ଆସି ଝାଇଁ ଝାଇଁ ହୋଇ ବାଜୁଥିବାରୁ ତା’ର ସମସ୍ତ ଶକ୍ତି କେବଳ ଫଳା ଓ ସ୍ଵରାଘାତ ଗୁଡ଼ିକୁ ଦେଖିବାରେ ସଂକେନ୍ଦ୍ରିତ ହୋଇ ରହିଥିବ । ଏବଂ, ମୋଟେ କିଛି ବୁଝିବାପାଇଁ ଚେଷ୍ଟା ନକରି ମଧ୍ୟ ସିଏ ଖାଲି ଯନ୍ତ୍ର ପରି ପଢ଼ିବାରେ ଅଭ୍ୟସ୍ତ ହୋଇ ଯାଉଥିବ । କାରଣ, ତା’ର ମନଟା ମଧ୍ୟ ଆହୁରି କେତେ ପ୍ରକାରେ ଅନ୍ୟମନସ୍କ ହେବାଦ୍ଵାରା ଭାରାକ୍ରାନ୍ତ ହୋଇ ରହିଥିବ । ଶୁଣୁଥିବା ଅନ୍ୟମାନେ ମଧ୍ୟ ସେହି ଦଶା ଭୋଗ କରୁଥିବେ; ଏବଂ, ସେମାନଙ୍କର ପାଳି ମଧ୍ୟ ପଡ଼ିବ ଓ ସେମାନଙ୍କୁ କେବେ ଡକା ହେବ, ସେତେବେଳ ପାଇଁ ପ୍ରସ୍ତୁତ ରହିବାର ଚେଷ୍ଟାରେ ସେମାନେ ଅନବରତ ବହିରୁ ପଢ଼ା ହେଉଥିବା ଧାଡ଼ିଗୁଡ଼ିକୁ ଉପରେ ଅଙ୍ଗୁଳି ସଂଚାଳନ କରିବାରେ ବି ଲାଗିଥିବେ । ଏହାଦ୍ଵାରା ସେମାନେ ମଧ୍ୟ ବିଜାର ହୋଇ ଯାଉଥିବେ ଏବଂ ବାହାରର ନାନା ଘଟଣା ଅଘଟଣା ଆଡ଼କୁ ମଧ୍ୟ ସେମାନଙ୍କର ମନ ଆକୃଷ୍ଟ ହେବାରେ ଲାଗିଥିବ । ଏବଂ, ଆଉ କେହିଜଣେ ପଢ଼ୁଥିବା କଥାଗୁଡ଼ିକର ଅର୍ଥଟିକୁ ସେମାନେ ବେଳେବେଳେ ହୁଏତ ଗ୍ରହଣ କରୁଥିବେ, ବେଳେ ବେଳେ ଆଦୌ ଧରି ରଖି ପାରୁନଥିବେ ।

 

ବ୍ୟାପାରଗୁଡ଼ିକ ଏହିପରି ଭାବରେ ଲାଗି ରହିଥିଲେ ସର୍ବତ୍ର ଶିକ୍ଷକ ଏବଂ ଛାତ୍ରମାନଙ୍କ ଭିତରେ ଚତୁର ହେବାର ଓ ଠକି ଦେବାର ଯେଉଁ ନିରନ୍ତର ଦ୍ଵନ୍ଦ୍ୱଟି ଲାଗି ରହିଥାଏ, ସେହି କ୍ଷେତ୍ରରେ ହିଁ ଏହାଦ୍ଵାରା ପ୍ରଧାନ କ୍ଷତିଟି ଘଟିଥାଏ । ଏବଂ, ଭାଗ୍ୟବଶତଃ ଆମ ବିଦ୍ୟାଳୟରେ ଏପର୍ଯ୍ୟନ୍ତ କେବେ ସେପରି ହୋଇନାହିଁ, ଏବଂ, ଏକଥା ମଧ୍ୟ ସତ୍ୟ ଯେ, ଶବ୍ଦଗୁଡ଼ିକୁ ଶୁଦ୍ଧ ଭାବରେ ଉଚ୍ଚାରଣ କରି ପୁସ୍ତକପାଠରେ ଏହି ପଦ୍ଧତିରେ ସମ୍ପୂର୍ଣ୍ଣ ସୁବିଧାଟାର ମଧ୍ୟ ଆମ ପିଲାମାନଙ୍କ ଉପରେ ଆଦୌ କୌଣସି ପ୍ରଭାବ ପଡ଼ିନଥିଲା ।

 

ଆମ ପିଲାମାନେ ସବାଆଗ କଳାପଟା ଉପରେ ଲେଖା ହୋଇଥିବା ବାକ୍ୟାଂଶଗୁଡ଼ିକୁ ପଢ଼ିଲେ ଏବଂ ମନକୁ ମନ ସେଗୁଡ଼ିକର ଉଚ୍ଚାରଣ କରିଥିଲେ । ଏବଂ, ଗୋଟିଏ ଗୋଟିଏ ଶବ୍ଦ ଗୋଟିଏ ପ୍ରକାରେ ଲେଖା ହେଉଥିଲେ ମଧ୍ୟ ଉଚ୍ଚାରଣରେ ଅନ୍ୟପ୍ରକାରେ କୁହାହୁଏ ବୋଲି ସମସ୍ତଙ୍କୁ ମାଲୁମ ଥିଲା । ମୋର ମତ ହେଉଛି ଯେ, ପିଲାମାନେ ବଡ଼ ପାଟି କରି ଶବ୍ଦଗୁଡ଼ିକୁ ପଢ଼ିବେ ଓ ଚିହ୍ନିତ ଫଳାଗୁଡ଼ିକ ଅନୁସାରେ ନିଜର ସ୍ଵରଗୁଡ଼ିକୁ ମଧ୍ୟ ବଦଳାଇ ପାରୁଥିବେ । ସେମାନଙ୍କୁ ଏସବୁ ଶିଖାଇବା ଦ୍ଵାରା କୌଣସି ଲାଭ ହୁଏନାହିଁ । କାରଣ, ନିଜର କହୁଥିବା କଥାଟିର ଅର୍ଥଟିକୁ ବୁଝି ପାରୁଥିଲେ ପାଞ୍ଚବର୍ଷ ବୟସର ପ୍ରତ୍ୟେକ ପିଲା କଥା କହିବାବେଳେ ବାକ୍ୟରେ ଥିବା ବିରାମବିଧାନ ଗୁଡ଼ିକୁ ଶୁଦ୍ଧଭାବରେ ସର୍ବଦା ଅନୁସରଣ କରିଥାଏ । ତେଣୁ, ସିଏ ବହିରୁ ଯାହାକିଛି ପାଠ କରିବ, ସିଏ ତାହାର ଅର୍ଥକୁ ମଧ୍ୟ ବୁଝିପାରୁଥିବ, ଏହାଦ୍ଵାରା ସବୁକିଛି ଅଧିକ ସହଜ ହୋଇଯିବ । ଏବଂ, ଦିନେ ଦିନେ ତାକୁ ଯେପରି ହେଲେ ତ ପଢ଼ିବାର ସାମର୍ଥ୍ୟଟିକୁ ଲାଭ କରିବାକୁ ହେବ ! ଏବଂ, ଗୀତ ଗାଉଥିବା ସମୟରେ ସ୍ୱରଚିହ୍ନଗୁଡ଼ିକୁ ଅନୁସରଣ କରୁଥିବା ପରି ପଠନ ସମୟରେ ବିରାମସ୍ଥାନ ଗୁଡ଼ିକ ବିଷୟରେ ଶିକ୍ଷା ଦେବାଦ୍ଵାରା ଆଦୌ କୌଣସି ଅଧିକ ଫଳ ମିଳିବ ନାହିଁ । ମାତ୍ର, ଏହି ଦ୍ଵିତୀୟ ପଦ୍ଧତିଟି ହିଁ ଜଣେ ଶିକ୍ଷକ ପାଇଁ ଖୁବ୍ ଆରାମଦାୟକ ମନେ ହେଉଥାଏ ।

 

ଶିକ୍ଷକ ସତେଅବା ବାଧ୍ୟ ହେଲାପରି ତାଙ୍କରି ପାଇଁ ସବୁଠାରୁ ଅଧିକ ସୁବିଧାଜନକ ପଦ୍ଧତିଟିକୁ ବାଛି ବାଛି ବାହାର କରନ୍ତି ।

 

ଏହି ପଦ୍ଧତିଟି ଶିକ୍ଷକଙ୍କ ନିମନ୍ତେ ଯେତିକି ସୁବିଧାଜନକ ବୋଧ ହୁଏ, ପିଲାପାଇଁ ତାହା ହୁଏତ ସେତିକି ଅନୁପଯୁକ୍ତ ବୋଲି ପ୍ରମାଣିତ ହୁଏ ।

 

ଯେଉଁଥିରେ ପିଲାମାନଙ୍କର ସନ୍ତୋଷ ହୁଏ, କେବଳ ସେଇଟି ହେଉଛି ଉପଯୁକ୍ତ ପଦ୍ଧତି-

 

ପୁସ୍ତକପଠନର କାର୍ଯ୍ୟକ୍ରମଟିରେ ୟସନାୟା ପୋଲ୍ୟାନା ସ୍କୁଲରେ ସବୁଠାରୁ ଅଧିକ ବ୍ୟାବହାରିକ ଭାବରେ ଶିକ୍ଷ୍ୟାଦାନର ଉପରଲିଖିତ ଏହି ତିନୋଟି ନିୟମର ହିଁ ପ୍ରତିଫଳନ ହୋଇଥାଏ ।

Image

 

ବିଂଶ ଅଧ୍ୟାୟ

କେତେ କେତେ ପ୍ରୟୋଗ

 

ବିଦ୍ୟାଳୟର ଆନ୍ତର୍ଜୀବନରେ ସର୍ବଦା ଯେଉଁ ପ୍ରାଣଶକ୍ତି ରହିଥିଲା, ସେଇଥି ସକାଶେ ଏବଂ, ବିଦ୍ୟାଳୟର ଅଧିକ ବୟସର ଛାତ୍ରମାନେ ଗାଆଁରେ ସେମାନଙ୍କର କାମଧନ୍ଦା ଶେଷ କରି ବିଦ୍ୟାଳୟକୁ ଫେରି ଆସୁଥିଲେ, ପୁସ୍ତକପଠନର ଏହି ପଦ୍ଧତିଟି ସେତେବେଳେ ଆପଣାଛାଏଁ ବିଫଳ ହୋଇ ପ୍ରମାଣିତ ହୋଇଗଲା । ସେମାନେ ଅଧିକରୁ ଅଧିକ ଅଧୀର ହୋଇ ପଡ଼ୁଥିଲେ, ନିଜ ନିଜ ଭିତରେ କେତେ ଚଗଲାମି କରୁଥିଲେ ଓ ପାଠ ପଢ଼ିବାରେ କମ୍ ମନ ଦେଉଥିଲେ । ସବୁଠାରୁ ପ୍ରଧାନ କଥାଟି,–କାହାଣୀଗୁଡ଼ିକୁ ପଢ଼ି ଶିଖିବାରୁ ଯେ ପଠନର ଏହି ଯାନ୍ତ୍ରିକ ପଦ୍ଧତିଟିର ସଫଳତା ପ୍ରମାଣିତ ହୋଇଯିବ,–ସେଥିରୁ ପ୍ରତିପାଦିତ ହୋଇଗଲା ଯେ ଆମକୁ ଏଥିରୁ ମୋଟେ କୌଣସି ସଫଳତା ମିଳିଲାନାହିଁ,–ସାବ୍ୟସ୍ତ ହୋଇଗଲା ଯେ ପାଞ୍ଚ ସପ୍ତାହ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଆମେ ଗୋଟିଏ ପାହାଚ ମଧ୍ୟ ଆଗକୁ ଯାଇ ପାରି ନଥିଲୁ ଓ ଅନେକ ଛାତ୍ର ପଛରେ ପଡ଼ି ରହିଥିଲେ । ପ୍ରଥମ ଶ୍ରେଣୀର ଯେଉଁ ପିଲାଟି ସବୁଠାରୁ ଭଲ ଅଙ୍କ ଜାଣିଥିଲା, ଯିଏକି ମୁହେଁ ମୁହେଁ ବହୁତ ସଂଖ୍ୟାର ବର୍ଗମୂଳ କହି ଦେଇ ପାରୁଥିଲା, ସିଏ ମଧ୍ୟ ପଠନର ଏହି ସମୟଟି ମଧ୍ୟରେ ଏପରି ପଛରେ ପଡ଼ି ରହିଲା ଯେ, ତାକୁ ଶବ୍ଦଗୁଡ଼ିକର ବନାନ୍ କରିକରି ପଢ଼ିବାକୁ ପଡ଼ୁଥିଲା ।

 

ଆମେ ବହିରୁ ପଢ଼ିବାର ପଦ୍ଧତିଟିକୁ ବନ୍ଦ କରିଦେଲୁ ଏବଂ ଯାନ୍ତ୍ରିକ ପଠନର ଗୋଟିଏ ପଦ୍ଧତି ବାହାର କରିବା ନିମନ୍ତେ ଘୋରତର ଭାବରେ ଚିନ୍ତା କରିବାରେ ଲାଗିଗଲୁ । ଉତ୍ତମରୂପେ ଯାନ୍ତ୍ରିକ ପଠନ ସକାଶେ ଏପର୍ଯ୍ୟନ୍ତ ସମୟ ଆସିନାହିଁ, ଏପର୍ଯ୍ୟନ୍ତ ତାହାର କୌଣସି ଆବଶ୍ୟକତା ମଧ୍ୟ ଉପସ୍ଥିତ ହୋଇନାହିଁ ଏବଂ ପିଲାମାନେ ଯେ ଉପଯୁକ୍ତ ସମୟରେ ଆପେ ଆପେ ସର୍ବୋତ୍ତମ ପଦ୍ଧତିଟିକୁ ପାଇବାରେ ଅବଶ୍ୟ ସମର୍ଥ ହେବେ, ସେତେବେଳେ ଏହି ନିତାନ୍ତ ସରଳ କଥାଟା ଆମ ମୁଣ୍ଡକୁ ଆଦୌ ଆସି ପାରିନଥିଲା ।

 

ନାନାପ୍ରକାର ପ୍ରୟୋଗ କରୁଥିବା ସମୟରେ ନିମ୍ନଲିଖିତ ଯୋଜନାଟି ଠିକ୍ ବୋଲି ମନେ ହୋଇଥିଲା : ସ୍ଥୂଳତଃ ଆନୁକ୍ରମିକ ଓ ଯାନ୍ତ୍ରିକ ଏହିପରି ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ପିଲାମାନଙ୍କର ପୁସ୍ତକପଠନ ଶ୍ରେଣୀଗୁଡ଼ିକ ଚାଲିଥିବା ସମୟରେ, ସବୁଠାରୁ ପଛୁଆ ପିଲାମାନଙ୍କୁ ଦୁଇ ଦୁଇ ଜଣରେ ଗୋଟିଏ ଲେଖାଏଁ ବହି ଦିଆ ଯାଇଥିଲା । ବେଳେ ବେଳେ ଗପବହିଟାଏ, ବେଳେ ବେଳେ ବାଇବେଲ୍ ପୁସ୍ତକ, ଅଥବା କୌଣସି ଗୀତବହି ବା କୌଣସି ଲୋକପ୍ରିୟ ପତ୍ରିକା ଦିଆ ଯାଉଥିଲା । ଏବଂ ସେମାନେ ଉଭୟେ ସେଇଥିରୁ ପଠନ ଅଭ୍ୟାସ କରୁଥିଲେ । ମାତ୍ର, ଯଦି ପଢ଼ୁଥିବା ଗପବହିର ଗପଗୁଡ଼ିକୁ ସେମାନେ ବୁଝି ପାରୁଥିଲେ, ତେବେ ସେମାନେ ସେଗୁଡ଼ିକୁ ଉତ୍ତମ ଭାବରେ ପାଠ କରୁଥିଲେ ଓ ଶିକ୍ଷକ ମଧ୍ୟ ସେମାନେ ପଢ଼ିବା ସମୟରେ ତାହାକୁ ଶୁଣନ୍ତୁ ବୋଲି ବାରବାର ଅନୁରୋଧ କରୁଥିଲେ । ଅବଶ୍ୟ ଯାନ୍ତ୍ରିକ ପଠନ ସମୟରେ ଶ୍ରେଣୀଟି ସାଧାରଣତଃ ଅବିଭାଜିତ ଭାବରେ ଚାଲୁଥିଲା ।

 

ବେଳେ ବେଳେ ପିଲାମାନେ–ଅଧିକାଂଶ ସମୟରେ ପଛୁଆ ପିଲାମାନେ ସେଇ ଏକା ବହିକୁ ବାରବାର ମାଗି ନେଉଥିଲେ, ସେହି ଏକା ପୃଷ୍ଠାରୁ ସେହି ଏକା ଗପଟିକୁ ପାଠ କରୁଥିଲେ ଏବଂ ପୂରା ମୁଖସ୍ଥ କରି ପକାଉଥିଲେ । ଶିକ୍ଷକ ସେମାନଙ୍କୁ ସେଇଟିକୁ ପଢ଼ିବାପାଇଁ ନକହିଥିଲେ ମଧ୍ୟ ସେମାନେ ଯେ ସେପରି କରୁଥିଲେ ତା’ ନୁହେଁ, ଶିକ୍ଷକ ହୁଏତ ଆଉ ଅନ୍ୟକିଛି ପଢ଼ିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେପରି କରୁଥିଲେ । ବେଳେବେଳେ ଏହି ପଛୁଆ ପିଲାମାନେ ଶିକ୍ଷକଙ୍କ ପାଖକୁ କିମ୍ବା ବଡ଼ ପିଲାମାନଙ୍କ ପାଖକୁ ଆସି ସେମାନଙ୍କ ସହିତ ଏକାଠି ମିଶି ପଢ଼ିବା ସକାଶେ ଅନୁମତି ବି ମାଗୁଥିଲେ ।

 

ଦ୍ଵିତୀୟ ଶ୍ରେଣୀରେ ସବୁଠରୁ ଉତ୍ତମରୂପେ ପଢ଼ି ପାରିଥିବା ପିଲାମାନେ ଅନ୍ୟମାନଙ୍କ ସହିତ ଏକାଠି ମିଶି ପଢ଼ିବା ଲାଗି ଆଦୌ ଏତେବେଶୀ ପସନ୍ଦ କରୁନଥିଲେ ଓ କେବଳ ଅଭ୍ୟାସ କରିବା ସକାଶେ ଆହୁରି ଅଧିକ କ୍ଵଚିତ୍ ଇଚ୍ଛା କରୁଥିଲେ । ଏବଂ, ଯଦି ଆଦୌ କିଛି ମୁଖସ୍ଥ କରି ପାରୁଥିଲେ, ତେବେ ଗଦ୍ୟରେ ଲେଖା ହୋଇଥିବା କାହଣୀଗୁଡ଼ିକୁ ନୁହେଁ, କେବଳ ପଦ୍ୟଗୁଡ଼ିକୁ ହିଁ ମୁଖସ୍ଥ କରୁଥିଲେ ।

 

ଗତ ମାସରେ ବଡ଼ପିଲା ମାନଙ୍କର କ୍ଷେତ୍ରରେ ଯେଉଁ ଅନନ୍ୟ ଘଟଣାଟି ଘଟିଲା, ମୋତେ ତାହା ବିଶେଷ ଭାବରେ ଚକିତ କରି ଦେଇଥିଲା । ଆନୁକ୍ରମିକ ପଠନର ଶ୍ରେଣୀରେ ସେମାନଙ୍କୁ କୌଣସି ଏକ ବହି ଦିଆ ଯାଇଥିଲା ଓ ସେମାନେ ପାଳି କରି ସେଇଟିକୁ ପାଠ କରୁଥିଲେ । ଏବଂ, ତା’ପରେ ସମସ୍ତେ ମିଶି ମୁହେଁ ମୁହେଁ ତାହାର ଆବୃତ୍ତି ମଧ୍ୟ କରିପାରିଲେ । ଏବର୍ଷ ଶରତଋତୁରେ ଚ ନାମକ ପିଲାଟିଏ, ସିଏ ଗୀର୍ଜାର କର୍ମଚାରୀ ପଢ଼ାଉଥିବା ସ୍କୁଲକୁ ଆଗରୁ ଦୁଇବର୍ଷ ପାଇଁ ଯାଇଥିଲା ଏବଂ ତେଣୁ ଏଠି ଅନ୍ୟ ପିଲାମାନଙ୍କର ତୁଳନାରେ ପଠନରେ ଖୁବ୍ ଆଗୁଆ ଥିଲା । ସିଏ ଠିକ୍ ଆମରି ପରି ପଢ଼ୁଛି ଏବଂ ତାହା ଫଳରେ ଯାନ୍ତ୍ରିକ ପଠନର ଶ୍ରେଣୀରେ କେବଳ ସେହି ପିଲାଟି ପଢ଼ିବା ସମୟରେ ହିଁ ଅନ୍ୟ ପିଲାମାନେ ଯାହାକିଛି ବୁଝି ପାରୁଛନ୍ତି । ତଥାପି ପ୍ରତ୍ୟେକ ପିଲା ନିଜେ ପଢ଼ିବେ ବୋଲି ତଦ୍ଦ୍ୱାରା ଆକାଂକ୍ଷିତ ହୋଇ ଉଠୁଛନ୍ତି ।

 

ମାତ୍ର, ଆଦୌ ଭଲ ଭାବରେ ପଢ଼ି ପାରୁନଥିବା ପିଲାଟିଏ ପଢ଼ିବ ବୋଲି ଉଠି ଠିଆ ହେବା ମାତ୍ରକେ ସମସ୍ତେ ଭାରି ଅସନ୍ତୋଷ ପ୍ରକାଶ କରୁଛନ୍ତି । ବିଶେଷକରି, ଗପଟି ଆଗ୍ରୋହୋଦ୍ଦୀପକ ହୋଇଥିବା ବେଳେ ଏପରି ଅଧିକ ମାତ୍ରାରେ ହେଉଛି । ସେମାନେ ସେହି ପଠନକୁ ପରିହାସ କରୁଛନ୍ତି, ରାଗି ଯାଉଛନ୍ତି ଏବଂ ବିଚାର ମନ୍ଦ ପାଠକଟି ଭାରି ଲଜ୍ଜା ଅନୁଭବ କରୁଛି । ଏବଂ ତା’ ପରେ, ଶ୍ରେଣୀରେ ନାହିଁ ନଥିବା ଗୋଳମାଳ ଆରମ୍ଭ ହୋଇ ଯାଉଛି, ମୋଟେ ଶାନ୍ତ ହୋଇ ପାରୁନାହିଁ ।

 

ଗତ ମାସରେ ସେମାନଙ୍କ ଭିତରୁ ଗୋଟିଏ ପିଲା ଘୋଷଣା କରି କହି ଦେଇଥିଲା ଯେ, ସିଏ ଆଉ ସପ୍ତାହକ ପରେ ଠିକ୍ ଚ–ଭଳି ଖୁବ୍ ଭଲ ଭାବରେ ବହି ପଢ଼ି ପାରିବ । ଶ୍ରେଣୀର ଅନ୍ୟମାନେ ମଧ୍ୟ ସେହି ଶପଥଟିକୁ କରିଥିଲେ ଏବଂ ତା’ପରେ ହଠାତ୍ ଯାନ୍ତ୍ରିକ ପଠନ ସମସ୍ତଙ୍କ ପାଇଁ ଏକ ପ୍ରିୟ ଓ ପ୍ରୀତିକର ଅନୁଭବରେ ପରିଣତ ହୋଇ ଯାଇଥିଲା ।

 

ତା’ପରେ ସେମାନେ ଘଣ୍ଟାଏ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପୂରା ନିଶ୍ଚଳ ହୋଇ ବସୁଥିଲେ, ବହିଟି ଭିତରେ ଏକାବେଳେକେ ଲାଖି ଯାଉଥିଲେ । ସେଥିରେ ଲେଖା ହୋଇଥିବା କଥାଗୁଡ଼ିକୁ ସେମାନେ ଅବଶ୍ୟ ବୁଝି ପାରୁନଥିଲେ । ବହିଟିକୁ ସେମାନେ ସାଙ୍ଗରେ ଘରକୁ ନେଇ ଯାଉଥିଲେ ଏବଂ, ସତକୁ ସତ ତିନି ସପ୍ତାହ ମଧ୍ୟରେ ସେମାନେ ଅତ୍ୟନ୍ତ ଆଶାତୀତ ଭାବରେ ଅଗ୍ରଗତି କରିଥିବାର ପରିଚୟ ଦେଲେ ।

 

ପଢ଼ି ଜାଣିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସଚରାଚର ଯାହା ଘଟିଥାଏ, ଏମାନଙ୍କ ବେଳକୁ ତାହାର ଠିକ୍ ବିପରୀତ ଘଟଣାଟି ହିଁ ଘଟିଥାଏ ।

 

ସାଧାରଣତଃ ଏହିଭଳି ଘଟିଥାଏ ଯେ, ଜଣେ ବ୍ୟକ୍ତି ପଢ଼ିବା ଶିଖିଯାଏ, ମାତ୍ର ସେଥିରେ ରହିଥିବା ଅର୍ଥକୁ ବୁଝି ପାରିନଥାଏ । ମାତ୍ର, ଏହି ଘଟଣାଟିରେ ଏପରି ଘଟିଲା ଯେ, ସେମାନେ ପଢ଼ିବାକୁ ଯାଉଥିବା ବିଷୟଟିରେ ବୁଝିବାଲାଗି ମଧ୍ୟ କିଛି ସାମଗ୍ରୀ ରହିଛି ବୋଲି ପିଲାମାନଙ୍କର ଦୃଢ଼ ପ୍ରତ୍ୟୟ ହୋଇ ଯାଇଥିଲା ଏବଂ ସେଇଟିକୁ ହାସଲ କରିବା ନିମନ୍ତେ ଆବଶ୍ୟକ କୌଶଳର ପ୍ରୟୋଜନ ରହିଛି ବୋଲି ଜାଣି ସେମାନେ ପଠନରେ ପାରଙ୍ଗମତା ଲାଭ କରିବାକୁ ଚେଷ୍ଟା କରିଥିଲେ ।

 

ବର୍ତ୍ତମାନ ଆମ ବିଦ୍ୟାଳୟରେ ଆଦୌ କୌଣସି ଯାନ୍ତ୍ରିକ ପଠନ ହେଉନାହିଁ । ମାତ୍ର, ପୂର୍ବରୁ ଯେପରି ଉଲ୍ଲେଖ କରାଯାଇଛି, ବ୍ୟାପାରଟିକୁ ସେହିଠାରେ ହିଁ ଛାଡ଼ି ଦିଆଯାଇଛି : ପ୍ରତ୍ୟେକ ଛାତ୍ରକୁ ନିଜର ରୁଚି ଅନୁସାରେ ଯାବତୀୟ ପଦ୍ଧତିର ସାହାଯ୍ୟ ନେବାପାଇଁ ଛାଡ଼ି ଦିଆଯାଇଛି ଏବଂ ପ୍ରକୃତରେ ଦେଖିବାକୁ ମିଳିଛି ଯେ, ପ୍ରତ୍ୟେକେ ମୁଁ ଜାଣିଥିବା ସବୁଯାକ ପ୍ରଣାଳୀକୁ ପ୍ରୟୋଗ ମଧ୍ୟ କରୁଛି ।

 

୧. ଜଣେ ଶିକ୍ଷକଙ୍କ ସହିତ ପାଠ କରିବା

 

୨. ଅଭ୍ୟାସ ପାଇଁ ପାଠ କରିବା

 

୩. ପଢ଼ିବା ଓ ମୁଖସ୍ଥ କରିବା

 

୪. ଏକାଠି ପାଠ କରିବା

 

୫. ଯାହା ପଢ଼ୁଛ, ତାହାର ଅର୍ଥ ବୁଝି ପଢ଼ିବା ।

 

ପ୍ରଥମ ପଦ୍ଧତିଟି ପୃଥିବୀସାରା ସବୁ ମାଆ ଗ୍ରହଣ କରିଥାନ୍ତି ସତ, ମାତ୍ର ସେଇଟି ଆଦୌ କୌଣସି ଶିକ୍ଷଣ–ପଦ୍ଧତି ନୁହେଁ, ତାହା ଏକ ପାରିବାରିକ ପଦ୍ଧତି । ଏଥିରେ ପିଲା ଆଉଜଣେ ବ୍ୟକ୍ତି ପାଖକୁ ଆସେ ଓ ତା’ ସହିତ ପଢ଼ିବା ପାଇଁ ତାଙ୍କୁ ଅନୁରୋଧ କରେ । ଶିକ୍ଷକ ପଢ଼ନ୍ତି, ପ୍ରତ୍ୟେକ ଅକ୍ଷର ଓ ଶବ୍ଦରେ ଥିବା ବିରାମସ୍ଥାନ ଗୁଡ଼ିକୁ ଦର୍ଶାଇ ଦିଅନ୍ତି । ଏଇଟି ହେଉଛି ସବୁଠାରୁ ଅଧିକ ବୁଦ୍ଧିସଙ୍ଗତ କୌଶଳ,–ଆଉ କୌଣସି ପଦ୍ଧତି ତାହାର ବିକଳ୍ପ ହୋଇ ପାରିବ ନାହିଁ-। ଏବଂ, ପିଲା ଅନ୍ୟ ପଦ୍ଧତିଗୁଡ଼ିକର ତୁଳନାରେ ଆଗ ଏଇଟି ସକାଶେ ପ୍ରଥମେ ଦାବି କରିଥାଏ । ଶିକ୍ଷକ ମଧ୍ୟ ପ୍ରାୟ ଏକ ସହଜାତ ପ୍ରବୃତ୍ତି ଦ୍ଵାରା ପ୍ରେରିତ ହେଲା ତାରି ସେଇଟିକୁ ଗ୍ରହଣ କରିନିଏ ।

 

ଶିକ୍ଷାର ଉନ୍ନତିବିଧାନ ନିମନ୍ତେ ଓ ଅଧିକାଂଶ ପିଲାଙ୍କର କ୍ଷେତ୍ରରେ ଜଣେ ଶିକ୍ଷକ ଯେପରି ସହଜ ଭାବରେ ନିଜର କାର୍ଯ୍ୟଟିକୁ କରିପାରିବ, ସେଥିଲାଗି କଳ୍ପନା କରାଯାଇଥିବା ପ୍ରଣାଳୀଗୁଡ଼ିକ ସତ୍ତ୍ୱେ ପିଲାଙ୍କୁ ପଠନଶିକ୍ଷା ଦେବାଲାଗି ଓ ସେମାନଙ୍କୁ ଉତ୍ତମ ପଠନ ନିମନ୍ତେ ସମର୍ଥ କରାଇ ପାରିବାଲାଗି ଏଇଟିକୁ ହିଁ ସର୍ବୋତ୍ତମ ଏବଂ ବସ୍ତୁତଃ ଏକମାତ୍ର ପଦ୍ଧତି ବୋଲି ସ୍ଵୀକାର କରି ନିଆଯାଇଛି ।

 

ପଠନଶିକ୍ଷାର ଦ୍ଵିତୀୟ ପଦ୍ଧତିଟି ମଧ୍ୟ ସେହିପରି ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି ଏବଂ, ଅନାୟାସରେ ପଢ଼ି ପାରିବାକୁ ଶିଖିବା ପାଇଁ ପ୍ରତ୍ୟେକେ ସେହି ପଦ୍ଧତିଟିକୁ ହିଁ ବ୍ୟବହାର କରିଥାନ୍ତି । ଏହି ପଦ୍ଧତିଟିରେ ଛାତ୍ରକୁ ପଢ଼ିବା ଲାଗି ବହିଟିଏ ଦିଆଯାଏ ଏବଂ, ପିଲା ସେଥିରୁ ଯାହା ପାରିବ, ତାହାହିଁ ବା ସେତିକି ବୁଝୁ ବୋଲି ଛାଡ଼ି ଦିଆ ଯାଇଥାଏ । ଯେଉଁ ପିଲାଟା ତା’ଠାରୁ ଅଧିକ ଜାଣିଥିବା କୌଣସି ବୟସରେ ବଡ଼ ବ୍ୟକ୍ତିଙ୍କର ସାହାଯ୍ୟ ନେବାକୁ ଯଦି ସଙ୍କୋଚ କରୁଥାଏ ଓ ନିଜ ଉପରେ ହିଁ ସପୂର୍ଣ୍ଣ ଆସ୍ଥା ରଖିଥାଏ, ସିଏ ଏହି ପ୍ରକ୍ରିୟାଟି ପ୍ରତି ଏକ ବିଶେଷ ଅନୁରାଗ ଅନୁଭବ କରିଥାଏ ଓ କ୍ଷିପ୍ର ଅଗ୍ରଗତି ମଧ୍ୟ କରିପାରେ । ପଠନର ଏହି ପଦ୍ଧତିଟି କିପରି ତା’ ମଥା ଭିତରକୁ ଆସିଥାଏ, ତାହା କେବଳ ଈଶ୍ଵର ହିଁ ଜାଣନ୍ତି, ମାତ୍ର କୌଣସି ନା କୌଣସି ଉପାୟରେ ସିଏ ଅକ୍ଷରଗୁଡ଼ିକର ଆକାର ଓ ବର୍ଣ୍ଣମାଳାର ଗଠନ ସହିତ ପରିଚିତ ହୋଇଯାଏ, ଏପରିକି ଶବ୍ଦଗୁଡ଼ିକର ଉଚ୍ଚାରଣ ଏବଂ ସେଗୁଡ଼ିକର ଅର୍ଥକୁ ମଧ୍ୟ ଠଉରାଇ ନିଏ । ଏବଂ, ଗୋଟିଏ ପିଲା ଯାହା ପଢ଼ିବାକୁ ଯାଉଛି, ସିଏ ଆଗ ତାହାର ଅର୍ଥ ଅବଶ୍ୟ ବୁଝୁ ବୋଲି କଠୋର ଭାବରେ ଗୁରୁତ୍ଵ ଦେଇ ଆମେ କିପରି ନିଜକୁ ସଂଯତ କରି ରଖିଛୁ, ଏକାଧିକ ବାର ପ୍ରୟୋଗ ଦ୍ଵାରା ମୁଁ ସେହି ବିଷୟରେ ସନ୍ତୋଷ ଲାଭ କରିଛି ।

 

ନିଜକୁ ନିଜେ ଶିକ୍ଷା ଦେଇଥିବା ଅନେକ ବ୍ୟକ୍ତି ଏହି ପ୍ରଣାଳୀଟିକୁ ଅନୁସରଣ କରି ଉତ୍ତମରୂପେ ପଢ଼ିବାକୁ ସମର୍ଥ ହୋଇଛନ୍ତି । ଅବଶ୍ୟ, ଏକଥା ମଧ୍ୟ ସତ ଯେ, ଏଥିରେ ରହିଥିବା ଦୋଷଗୁଡ଼ିକ ମଧ୍ୟ କଦାପି ଆମ ଆଖିକୁ ଏଡ଼ିଦେଇ ଚାଲି ଯାଉନଥିବ ।

 

ପଠନ-ଶିକ୍ଷାର ତୃତୀୟ ପ୍ରଣାଳୀଟି ହେଉଛି, ଆମେ ପ୍ରାର୍ଥନାଗୀତ, ପଦ୍ୟ ବା ଛାପା ହୋଇଥିବା ଯେକୌଣସି ସାମଗ୍ରୀକୁ କଣ୍ଠସ୍ଥ କରି ପକାଇବା, ମୁଖସ୍ଥ କରିଥିବା ବାକ୍ୟଗୁଡ଼ିକୁ ଉଚିତ ଭାବରେ ଉଚ୍ଚାରଣ କରି ଶିଖିବା ଏବଂ ସେଥିଲାଗି ପୁସ୍ତକର ସାହାଯ୍ୟ ନେବା ।

 

ଏବଂ, ଚତୁର୍ଥ ପଦ୍ଧତିଟି,–ଏଇଟିକୁ ଆମେ ୟସନାୟା ପୋଲ୍ୟାନା ସ୍କୁଲରେ ଅତ୍ୟନ୍ତ କ୍ଷତିକାରକ ବୋଲି ଆବିଷ୍କାର କରିଥିଲୁ,–ହେଉଛି ଗୋଟିଏ ସାଧାରଣ ବହିରୁ ପଠନ ଶିକ୍ଷା କରିବା-। ଆମ ବିଦ୍ୟାଳୟରେ ଆମେ ଏହି ପଦ୍ଧତିରେ ରହିଥିବା ଅନେକ ଭୁଲକୁ ସଂଶୋଧିତ କରି ନେଇଥିଲୁ । ପ୍ରଥମ କଥା ହେଉଛି, ସମସ୍ତଙ୍କ ହାତରେ ଦେବାପାଇଁ ଆମ ପାଖରେ ଯଥେଷ୍ଟ ସଂଖ୍ୟାର ବହି ନଥିଲା ଏବଂ, ଯେତେବେଳେ “ବର୍ତ୍ତମାନ କ୍ଲାସ୍‍ଯାକ ସମସ୍ତେ ପଢ଼ିବେ” ବୋଲି ଘୋଷଣା କରାଯାଉଥିଲା, ସେଥିରେ ସେମାନେ ଖୁବ୍ ଆମୋଦିତ ଅନୁଭବ କରିବାକୁ ବି ଆରମ୍ଭ କଲେ । ସଙ୍ଗେ ସଙ୍ଗେ ସମାନ ଶକ୍ତିର ଦୁଇଜଣ ପିଲା ଯୋଡ଼ି ହୋଇ ବସି ଯାଉଥିଲେ,–ବେଳେ ବେଳେ ଗୋଟିଏ ବହିକୁ ତିନିଜଣ ବି ଧରୁଥିଲେ । ତା’ପରେ ସେମାନଙ୍କ ଭିତରୁ ଜଣେ ପଢ଼ୁଥିଲା ଓ ଅନ୍ୟମାନେ ତାକୁ ଅନୁସରଣ କରିଥିଲେ ଓ ସଂଶୋଧନମାନ କରି ନେଉଥିଲେ ।

 

ଯଦି ତୁମେ ପିଲାମାନଙ୍କୁ ନିଜେ ବସାଇବାକୁ ଚେଷ୍ଟା କରିବ, ତେଣୁ ସବୁକଥା ଗୋଳମାଳ ହୋଇଯିବ; ତା’ ଯୋଡ଼ି କିଏ ହୋଇପାରିବ, ପ୍ରତ୍ୟେକ ପିଲା ତାହା ସର୍ବଦା ଜାଣିଥାନ୍ତି-। ଟାରାସ୍କା ବାଛିବାବଳେ ସବୁବେଳେ ଟୁନକାକୁ ହିଁ ବାଛିବ । ଆଦୌ ଭୁଲ୍ କରିବ ନାହିଁ-

 

“ବର୍ତ୍ତମାନ ତୁମେସବୁ ଆସି ପଢ଼, -ହେ-, ତୁ ତୋ’ ଜାଗାକୁ ଯାଇ ବସ’’

 

ଏମିତି ଯୋଡ଼ି ହୋଇ ବସି ପଢ଼ିବାକୁ କେତେକ ପିଲାଙ୍କୁ ମୋଟେ ଭଲ ଲାଗୁନଥିଲା, କାରଣ, ତାହାର କୌଣସି ପ୍ରୟୋଜନ ବି ନଥିଲା ।

 

ଏପରି ଏକାଠି ହୋଇ ପଠନଶିକ୍ଷାର ଗୋଟିଏ ଲାଭ ରହିଛି ଯେ, ଏହାଦ୍ୱାରା ଶବ୍ଦର ଉଚ୍ଚାରଣମାନ ଅଧିକ ସ୍ପଷ୍ଟ ହୁଏ । ଯିଏ ନିଜେ ପଢ଼ୁନଥାଏ, ମାତ୍ର ବୁଝିପାରିବା ନିମନ୍ତେ ଆଉ କାହାକୁ ଅନୁସରଣ କରୁଥାଏ, ଏହା ଦ୍ଵାରା ତାକୁ ଅଧିକ ସୁଯୋଗ ମଧ୍ୟ ମିଳେ । ମାତ୍ର ତଥାପି, ଏହି ପ୍ରଣାଳୀଟି ଦ୍ଵାରା ଯେତେ ଯାହା ଲାଭ ମିଳିଥାଏ, ସମ୍ପୂର୍ଣ୍ଣ ବିଦ୍ୟାଳୟରେ ସେଇଟିକୁ ଚଳାଇବା ମାତ୍ରକେ ସେଗୁଡ଼ିକ କେବଳ କ୍ଷତିକାରକ ହିଁ ହୋଇଥାଏ ।

 

ପରିଶେଷରେ, ପଦ୍ଧତିଟି ହେଉଛି ଆନୁକ୍ରମିକ ପଥ,–ଏଇଟିକୁ ଆମେ ଏବେ ମଧ୍ୟ ବେଶ୍ ପସନ୍ଦ କରୁଛୁ । ଏହାଦ୍ୱାରା ଆଗ୍ରହ ସହକାରେ ଓ ବିଷୟଗୁଡ଼ିକର ଅର୍ଥକୁ ବୁଝି ପଢ଼ିବାର କାର୍ଯ୍ୟକ୍ରମଟିକୁ କ୍ରମେ ଅଧିକରୁ ଅଧିକ ଜଟିଳ କରି ଦିଆଯାଏ ।

 

ଉପରେ ବର୍ଣ୍ଣିତ ଯାବତୀୟ ପଦ୍ଧତିକୁ ନେଇ ଆମ ବିଦ୍ୟାଳୟରେ ଆମେ ପ୍ରୟୋଗରୂପେ ପ୍ରଚଳିତ କରାଇଛୁ ଏବଂ ଏହାଦ୍ୱାରା ଗୋଟିଏ ମାସରେ ପ୍ରକୃତ ଅଗ୍ରଗତି ଲକ୍ଷ୍ୟ କରାଯାଇଛି ।

 

ଶିକ୍ଷଣର କ୍ଷେତ୍ରରେ ଛାତ୍ରର ସହାୟତା କରିବା ଭଳି ମନେ ହେଉଥିବା ଜ୍ଞାତ ଓ ଅଜ୍ଞାତ ଯାବତୀୟ ପଦ୍ଧତି ମଧ୍ୟରୁ ଗୋଟିଏ ବାଝିନେବାକୁ ଶିକ୍ଷକ ପିଲାମାନଙ୍କୁ କେବଳ କହିବ । ଅର୍ଥାତ୍, କେତେକ ଦୃଷ୍ଟିରୁ, ଗୋଟିଏ ବହିରୁ ସମସ୍ତେ ପାଠ କରିବାର ପଦ୍ଧତି ଦ୍ଵାରା ଶିକ୍ଷାଦାନ ଶିକ୍ଷକ ଲାଗି ସହଜ ହୋଇଯାଏ, ବେଶ୍ ସୁବିଧାଜନକ ବି ହୋଇଥାଏ । ସବୁ ନିୟମିତ ଭାବରେ ଆଗକୁ ଆଗକୁ ଯାଉଥିବା ପରି ଭାରି ମନେ ହେଉଥାଏ । ମାତ୍ର, ଆମ ବ୍ୟବସ୍ଥାଟି ମଧ୍ୟରେ ଏଇଟି ବଡ଼ କଠିନ ବୋଲି ପ୍ରମାଣିତ ହୁଏ ଓ କେତେକ ବ୍ୟକ୍ତି ଏହାକୁ ଅସମ୍ଭବ ବୋଲି ବି ମନେ କରିଥାନ୍ତି ।

 

ଲୋକମାନେ ପଚାରିବେ, ‘‘ସବୁ ପିଲାଙ୍କ ପାଇଁ କେଉଁଟା ଆବଶ୍ୟକ, ସେକଥା ଆଗରୁ କିଏ କିପରି କହିଦେଇ ପାରିବ ? ଏବଂ, ପ୍ରତ୍ୟେକ ପିଲା ଯେପରି ପ୍ରଣାଳୀରେ ଶିକ୍ଷା କରିବାକୁ ଇଛା କରୁଛି, ତାହା କେତେଦୂର ସଙ୍ଗତ କି ନୁହେଁ, ସେହି କଥାଟିର ବି କିପରି ନିଷ୍ପତ୍ତି ହେବ ?” ଲୋକେ ପଚାରିବେ, “ଏମିତି ନାନା ପ୍ରକାରର ପିଲା ରହିଥିବା ଏକ ବିଚିତ୍ର ପଲରେ ତୁମେ ବିଭ୍ରାନ୍ତ ହୋଇଯିବନାହିଁତ ଆଉ କ’ଣ ହେବ ? ତେଣୁ, ଗୋଟାଏ ସାଧାରଣ ନିୟମରେ ସମସ୍ତଙ୍କୁ ରଖିବାକୁ ହିଁ ପଡ଼ିବ !”

 

ଏହିସବୁ ପ୍ରଶ୍ନର ଉତ୍ତର ଦେଇ ମୁଁ କହିବି: ‘ଗୋଟିଏ ବିଦ୍ୟାଳୟ ବିଷୟରେ ଆମର ପୁରାତନ କାଳରୁ ଯେଉଁ ଧାରଣାଟି ରହିଆସିଛି, ଆମେ ନିଜକୁ ସେଇଟିରୁ ମୁକ୍ତ କରି ପାରୁନାହିଁ ବୋଲି ଏହି ଯାବତୀୟ ଅସୁବିଧା ଆସି ଉପସ୍ଥିତ ହେଉଛି । ସେଥିରେ ଏକ ସ୍କୁଲକୁ ଶୃଙ୍ଖଳାଧୀନ ସୈନ୍ୟମାନଙ୍କର ଏକ ବାହିନୀ ପରି କଳ୍ପନା କରା ଯାଉଥିଲା, ଜଣେ ସେନାପତି ଦିନେ ଯାହାର ପରିଚାଳନା କରୁଥିଲେ ଓ ଆଉଦିନେ ଆଉଜଣେ ସେନାପତି ଆସି ପରିଚାଳନା କରୁଥିଲେ । ମାତ୍ର, ବିଦ୍ୟାଳୟ ସ୍ଵାଧୀନ ହୋଇ ରହିବ ବୋଲି ସ୍ଵୀକାର କରି ନେଇଥିବା ଜଣେ ଶିକ୍ଷକ ପାଇଁ, ପ୍ରତ୍ୟେକ ଛାତ୍ର ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ଵର ହିଁ ପ୍ରତିନିଧିତ୍ଵ କରୁଥାଏ; ପ୍ରତ୍ୟେକ ପିଲାର ସ୍ଵତନ୍ତ୍ର ଆବଶ୍ୟକତାମାନ ରହିଥାଏ ଏବଂ, ସେଗୁଡ଼ିକର ପୂରଣ କରିବାକୁ ହେଲେ ନିଜପାଇଁ ବାଛି ନେବାର ସ୍ଵାଧୀନତାକୁ ସମ୍ଭାବ୍ୟ ଏକମାତ୍ର ସମାଧାନ ବୋଲି ଗ୍ରହଣ କରିବାକୁ ହିଁ ପଡ଼ିବ ।

 

ଏହି ସ୍ଵାଧୀନତା ଓ ବାହାରେ ଶୃଙ୍ଖଳା ନରହିବାକୁ କେତେକ ଲୋକ ଭାରି ବିଚିତ୍ର ବୋଲି ମନେ କରିଥାନ୍ତି । ଏହା କଦାପି ସମ୍ଭବ ହେବନାହିଁ ବୋଲି ସେମାନଙ୍କର ଅତ୍ୟନ୍ତ ଦୃଢ଼ଭାବରେ ଏକ ଧାରଣା ରହିଥାଏ । ମାତ୍ର, ସେହି ଦୁଇଟି ଉପରେ ଗୁରୁତ୍ଵ ଦେଉନଥିଲେ ଆମେ ପଠନଶିକ୍ଷାରେ କଦାପି ପାଞ୍ଚଟାଯାକ ପ୍ରଣାଳୀର ପ୍ରୟୋଗ କରିବାକୁ ମନ କରିନଥାନ୍ତୁ ଏବଂ ପିଲାମାନଙ୍କର ରୁଚି ଓ ଦାବୀ ଅନୁସାରେ କଦାପି ସେଗୁଡ଼ିକର ନିର୍ଦ୍ଧାରଣ କରିନଥାନ୍ତୁ ଏବଂ, ତାହାର ଫଳସ୍ୱରୂପ, ପର୍ଯ୍ୟାୟଟିର ଶେଷ ଭାଗରେ ଆମେ ଯେଉଁ ଅଦ୍ଭୁତ ସୁଫଳଗୁଡ଼ିକୁ ପ୍ରକୃତରେ ପାଇଲୁ, ସେଗୁଡ଼ିକକୁ ମଧ୍ୟ କଦାପି ପାଇନଥାନ୍ତୁ ।

 

ଯେଉଁମାନେ ଆମ ବିଦ୍ୟାଳୟକୁ ବାହାରୁ ଦେଖିବାକୁ ଆସନ୍ତି, ସେମାନେ ପ୍ରକାଶ କରୁଥିବା ବିସ୍ମୟଟି ଆମର କେତେ କେତେ ଥର ଦୃଷ୍ଟିଗୋଚର ନହୋଇଛି । ସେମାନେ ମାତ୍ର ଦୁଇଟା ଘଣ୍ଟା ସ୍କୁଲରେ ରହିବା ମଧ୍ୟରେ ହିଁ ଆମ ଶିକ୍ଷଣପଦ୍ଧତି ବିଷୟରେ ସବୁକିଛି ଜାଣିବା ନିମନ୍ତେ ଇଛା କରୁଥିଲେ । ମାତ୍ର, ପଦ୍ଧତି ବୋଲି ଆମର ଆଦୌ କିଛିହେଲେ ନଥିଲା, ଏବଂ, ସେମାନେ ସେହି ଦୁଇଘଣ୍ଟା ମଧ୍ୟରେ ଆମକୁ ସେମାନଙ୍କର ନିଜ ପଦ୍ଧତିଟି ବିଷୟରେ ବି ସବୁକଥା କହିଦେବାକୁ ଆଗଭର ହୋଇ ଆସୁଥିଲେ ! ଏବଂ, ସେମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେମାନଙ୍କ ସ୍କୁଲରେ ପ୍ରଚଳିତ ହେଉଥିବା,–ସେମାନେ ସ୍ଵୟଂ ସେଇଟି ବିଷୟରେ କିଛି ଜାଣି ନଥିଲେ,–ପଦ୍ଧତିଟିକୁ ଆମର ଏଠାରେ ଗ୍ରହଣ କରିବା ସକାଶେ ସେମାନେ ଆମକୁ ପରାମର୍ଶ ବି କମ୍ ଦେଉନଥିଲେ । ସେହି ପଦ୍ଧତିଟିକୁ ନିରଙ୍କୁଶ ଭାବରେ ସମସ୍ତଙ୍କ ଉପରେ ଲଦି ଦିଆଯିବା ଉଚିତ ନୁହେଁ ବୋଲି ମଧ୍ୟ ସେମାନେ ଆମକୁ କୈଫିୟତ୍ ଦେଇ କହୁଥିଲେ ।

Image

 

ଏକବିଂଶ ଅଧ୍ୟାୟ

ଅନୁକ୍ରମବଦ୍ଧ ପଠନ

 

ମୁଁ ଯେପରି ଆଗରୁ କହିଛି, ଅନୁକ୍ରମବଦ୍ଧ ପଠନ ଓ ଯାନ୍ତ୍ରିକ ପଠନ ବାସ୍ତବ କ୍ଷେତ୍ରରେ ପରସ୍ପର ସହିତ ମିଶାମିଶି ହୋଇ ରହିଥିଲେ ହେଁ, ସେଗୁଡ଼ିକ ସାଧନ କରୁଥିବା ଉଦ୍ଦେଶ୍ୟ ଅନୁସାରେ ଆମେ ସେଗୁଡ଼ିକୁ ସବୁବେଳେ ଅଲଗା ଅଲଗା କରି ଦେଖିପାରିବା । ଦ୍ଵିତୀୟଟିର ଉଦ୍ଦେଶ୍ୟ ହେଉଛି, କେତେକ ସଙ୍କେତକୁ ଦେଖି ଶବ୍ଦଗୁଡ଼ିକୁ ତୁମେ ସ୍ପଷ୍ଟ ଭାବରେ ପଢ଼ି ପାରୁଥିବ; ଏବଂ, ପ୍ରଥମଟିର ଉଦ୍ଦେଶ୍ୟ ହେଉଛି ଯେ, ତୁମେ ପଠନଦ୍ଵାରା କଥାଟିର ଭାଷାଗତ ଅର୍ଥଟିକୁ ମଧ୍ୟ ବୁଝି ପାରୁଥିବ । ଲିଖିତ ଭାଷାଟିକୁ ଉଚିତ ଅର୍ଥରେ ବୁଝି ପାରିବା ଲାଗି ଆମେ ଯେଉଁ ପ୍ରଣାଳୀଟିକୁ ପାଇଥିଲୁ, ସେଇଟି ଉପରକୁ ଖୁବ୍ ସରଳ ପରି ବୋଧ ହେଉଥିଲା ସତ, ମାତ୍ର ପ୍ରକୃତରେ ସବୁଠାରୁ ଅଧିକ କଷ୍ଟକର ଥିଲା । ଆମେ ଭାବିଲୁ ଯେ, ଛାତ୍ରମାନେ ନିଜ ନିଜ ସିଲଟ ଉପରେ ନିଜ ଲେଖିଥିବା ବାକ୍ୟାଂଶଗୁଡ଼ିକୁ ପଢ଼ିପାରିବା ପରେ ସେମାନଙ୍କୁ ଆମେ କିଛି କାହାଣୀ ବି ପଢ଼ିବାକୁ ଦେବା, ତା’ପରେ ଅଧିକ କଷ୍ଟ ଆଉକିଛି ଦେବା ଯାହାକି ଟିକିଏ ଅଧିକ ଜଟିଳ ଶୈଳୀରେ ଲେଖା ହୋଇଥିବ, -ତା’ପରେ ଆହୁରି ଅଧିକ କଷ୍ଟକର ଆଉକିଛି ଏବଂ ଏହିପରି ଭାବରେ ଅଗ୍ରସର ହେଉ ହେଉ ସେମାନେ ପୁଷ୍କିନ୍ ପ୍ରଭୃତି ଲେଖକମାନଙ୍କର ଲେଖାକୁ ମଧ୍ୟ ପଢ଼ିପାରିବେ । ମାତ୍ର, ସାଧାରଣତଃ ଅନୁମାନଗୁଡ଼ିକର କ୍ଷେତ୍ରରେ ଯାହା ହୋଇଥାଏ, ଏହି ଅନୁମାନଟି ଅନୁସାରେ ମଧ୍ୟ ଆମକୁ କୌଣସି ଫଳ ମିଳି ନଥିଲା ।

 

ପିଲାମାନେ ନିଜେ ସିଲଟ ବା କଳାପଟା ଉପରେ ଯେଉଁ ଭାଷା ଲେଖିଥିଲେ, ସେଥିରୁ ମୁଁ ସେମାନଙ୍କୁ କାହାଣୀଗୁଡ଼ିକର ଭାଷାଯାଏ ନେଇ ଆସି ପାରିଥିଲି । ମାତ୍ର, କାହାଣୀଗୁଡ଼ିକର ଭାଷାସ୍ତରରୁ ସେମାନଙ୍କୁ ଅଧିକ ଉଚ୍ଚ ସ୍ତରକୁ ଆଣିବା ସମୟରେ ଆମ ସାହିତ୍ୟରେ ମଝିରେ ରହିଥିବା କୌଣସି ଗୋଟିଏ ସୋପାନର ବହି ଆମେ ଆଦୌ ପାଇ ପାରିଲୁ ନାହିଁ । ଆମେ “ରବିନସନ୍” ପୁସ୍ତକଟିକୁ ଚେଷ୍ଟା କରି ଦେଖିଲୁ, ମାତ୍ର ତାହା କୌଣସି କାମ ଦେଲାନାହିଁ । ବିରକ୍ତିରେ ପିଲାମାନେ ପ୍ରାୟ କାନ୍ଦି ପକାଇଲେ, କାରଣ ସେମାନେ କାହାଣୀଟିର ଅର୍ଥ ବୁଝି ପାରିଲେନାହିଁ ଓ କହି ମଧ୍ୟ ପାରିଲେନାହିଁ । ମୁଁ ସେମାନଙ୍କୁ କାହାଣୀଟିକୁ ନିଜ ଶୈଳୀରେ କହିବାକୁ ଚେଷ୍ଟା କଲି ଏବଂ ତେବେଯାଇ ସେମାନେ କଥାଟିର ମର୍ମ ପ୍ରକୃତରେ ବୁଝିହେବ ବୋଲି ବିଶ୍ଵାସ କରିପାରିଲେ । ସେମାନେ ଅର୍ଥ ବୁଝିବାରେ ବି ସଫଳ ହେଲେ ଓ ମାସକ ମଧ୍ୟରେ ନିଜେ କାହାଣୀଟିକୁ ପଢ଼ି ବି ପାରିଲେ । ମାତ୍ର, ତେବେ ବି ସେମାନଙ୍କୁ ତାହା ଖୁବ୍ ବିଜାର ଲାଗୁଥିଲା ଓ ବିରକ୍ତି ଆଣି ଦେଉଥିଲା । ସେମାନେ ଏତେଗୁଡ଼ାଏ ପରିଶ୍ରମ କରିବାକୁ ଆଦୌ ରାଜୀ ନଥିଲେ । ନିଜର ସ୍ମରଣଶକ୍ତି ଉପରେ ସେମାନଙ୍କର ବରଂ ଅଧିକ ବିଶ୍ଵାସ ରହିଥିଲା ଏବଂ ଗୋଟିଏ ସମ୍ପୂର୍ଣ୍ଣ ସନ୍ଧ୍ୟାରେ ସେମାନଙ୍କ ଆଗରେ ଯାହାକିଛି ପଢ଼ା ଯାଉଥିଲା, ସେମାନେ ତାହାକୁ ଶୁଣିବାପରେ ସଙ୍ଗେ ସଙ୍ଗେ ନିଜେ ବି କହିଦେଇ ପାରୁଥିଲେ । ହିଁ, କେବଳ ଏଠୁ ଟିକିଏ ସେଠୁ ଟିକିଏ କରି ମନେ ରଖି ପାରୁଥିଲେ, ମାତ୍ର କେହି ଜଣେହେଲେ ପୂରା ଗ୍ରହଣ କରି ପାରୁନଥିଲେ । ଦୁର୍ଭାଗ୍ୟବଶତଃ, ସେମାନେ ଅର୍ଥ ବୁଝି ନଥିବା କେତେକ ଶବ୍ଦ ମଧ୍ୟ ସେମାନଙ୍କର ମନେ ରହି ଯାଉଥିଲା ଏବଂ ସେମାନେ ବେଶ୍ ତେଢ଼ା ଓ ଭୁଲ୍ ଭାବରେ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରୁଥିଲେ । ଅର୍ଦ୍ଧଶିକ୍ଷିତ ବ୍ୟକ୍ତିମାନେ ଯେପରି କରନ୍ତି, ଠିକ୍ ସେହିପରି ।

 

ଏପରି ଯେ ମୋଟେ ଭଲ ହେଉନାହିଁ, ମୁଁ ତାହା ଦେଖି ପାରୁଥିଲି, ମାତ୍ର ଦୋଷଟିକୁ କିପରି ସୁଧାରିବାକୁ ହେବ, ସେଥିଲାଗି କୌଣସି ବାଟ ପାଉନଥିଲି । ନିଜର ଅସ୍ଥାଭାଜନ ହେବାଲାଗି ଓ ନିଜ ବିବେକଟିକୁ ନିର୍ମଳ ରଖିବା ଲାଗି ମୁଁ ପିଲାମାନଙ୍କୁ ଆହୁରି କେତୋଟି ଲୋକପ୍ରିୟ ଜଟିଳ କାହାଣୀ ପଢ଼ିବାକୁ ଦେଲି । ଅବଶ୍ୟ ତା ଆଗରୁ ଜାଣିଥିଲି ଯେ ଏଗୁଡ଼ିକ ମଧ୍ୟ ସେମାନଙ୍କର ସନ୍ତୋଷବିଧାନ କରି ପାରିବନାହିଁ, ଏବଂ ମୋର ସେହି ଅନୁମାନଟି ମଧ୍ୟ ପରୀକ୍ଷିତ ହୋଇଯାଇ ପାରିଲା । ଏହି ବହିଗୁଡ଼ିକ ପିଲାମାନଙ୍କୁ ଆହୁରି ଅଧିକ ପରିମାଣରେ ବିଜାର ଲାଗିଲା,–ସେଗୁଡ଼ିକ ସେମାନେ ପୁନର୍ବାର ମନେ ପକାଇ କରନ୍ତୁ କୁହା ଯିବାବେଳେ ସେମାନେ ଖୁବ୍ ଅସମ୍ମତି ପ୍ରକାଶ କରୁଥିଲେ ।

 

“ରବିନସନ୍” ପରେ ମୁଁ ସେମାନଙ୍କୁ ପୁଷ୍କିନଙ୍କର ଗୋଟିଏ କାହାଣୀ ପଢ଼ିବାକୁ ଦେଲି, ମାତ୍ର, ଆଉ କାହାରି ସାହାଯ୍ୟ ବିନା ସେମାନେ “ରବିନସନ୍” ତୁଳନାରେ ପରେ ଏଇଟିକୁ କହିବାରେ ଆହୁରି କମ୍ ସମର୍ଥତା ପ୍ରକାଶ କରିଥିଲେ । ତା’ ପରେ ମୁଁ ଗୋଗୋଲଙ୍କର ଗୋଟିଏ କହାଣୀକୁ ପରୀକ୍ଷା କରି ଦେଖିଲି । ସେମାନଙ୍କୁ ସେଇଟି ପଢ଼ି ଶୁଣାଇବା ପରେ ପ୍ରଥମେ ପ୍ରଥମେ ସେମାନେ ଖୁବ୍ ଖୁସୀ ହୋଇଗଲେ; ବିଶେଷ କରି ବଡ଼ମାନଙ୍କୁ ତାହା ଭାରି ଭଲ ଲାଗିଥିଲା । ମାତ୍ର, ଯେମିତି କହାଣୀଟିକୁ ନିଜେ ପଢ଼ିବା ସକାଶେ ସେମାନଙ୍କୁ କୁହାଗଲା, ସେମାନେ ସେଥିରୁ କିଛି ବୁଝି ପାରିଲେ ନାହିଁ ଓ ବିଜାର ଅନୁଭବ କଲେ । ଏପରିକି, ମୁଁ ପଢ଼ିବା ସମୟରେ ମଧ୍ୟ ସେମାନେ ମୁଁ ଆହୁରି ଆଗକୁ ପଢ଼େ ବୋଲି ଉତ୍ସୁକତା ପ୍ରକାଶ କରି ମୋତେ କିଛି କହୁନଥିଲେ । କହାଣୀଟିର ବର୍ଣ୍ଣାଜ୍ୟତା, ଆକର୍ଷଣ ଏବଂ ଅଙ୍ଗରଚନା,–ଏସବୁ ସେମାନଙ୍କର ପରିଚିତ ରୁଚିର ଠିକ୍ ବିପରୀତ ଥିଲା ।

 

ତା’ ପରେ ମୁଁ ଗ୍ରୀକ୍ କାବ୍ୟ ‘ଇଲିୟାଡ଼’ କହାଣୀର ଏକ ରୁଷୀୟ ଅନୁବାଦ ସେମାନଙ୍କୁ ପଢ଼ି ଶୁଣାଇଲି ଓ ସେଇଟିକୁ ଶୁଣି ସେମାନଙ୍କର ମଥା ବଣା ହୋଇଗଲା ପରି ମନେ ହେଲା । ମୂଳ ବହିଟି ଫରାସୀରେ ଲେଖା ହୋଇଛି ବୋଲି ସେମାନେ ଭାବୁଥିଲେ ଏବଂ, ବିଷୟବସ୍ତୁଟିକୁ ମୁଁ ମୋ’ ନିଜ ଭାଷାରେ ବର୍ଣ୍ଣନା କରି କହିଦେବା ପରେ ମଧ୍ୟ ସେମାନେ କାବ୍ୟଟିରେ ରହିଥିବା କହାଣୀଟିକୁ ବୁଝି ପାରିଲେ ନାହିଁ ।

 

ସେମକା ପିଲାଟି ସହଜରେ କୌଣସି କଥାକୁ ବିଶ୍ଵାସ କରୁନଥିଲା, ସୁସ୍ଥ ମଥାରେ ନିଜ ବୁଦ୍ଧି ଦେଇ ସବୁକଥା ଭାବି ପାରୁଥିଲା । କାବ୍ୟରେ ଥିବା ନାୟକ ତା’ ପିଠିରେ ଆସି ତୀରସବୁ ବାଜୁଥିବା ସମୟରେ କିପରି ଓଲିମ୍ପସ୍ ପାହାଡ଼ରୁ ତଳକୁ ଡେଇଁପଡ଼ିଲା, ସେହି ଚିତ୍ରଟିକୁ ସିଏ ଗୋଟେ କଳ୍ପନା କରି ପାରିଲାନାହିଁ ।

 

ସିଏ ବାରବାର ପଚାରୁଥାଏ, “ପାହାଡ଼ ଉପରୁ ସିଏ କେମିତି ଡେଇଁ ପଡ଼ିଥିବ, ତା’ ହାତଗୋଡ଼ ଖଣ୍ଡ ଖଣ୍ଡ ହୋଇଯାଇ ନଥିବ ?”

 

“ନାଇଁ, ସେମାନେ ତାକୁ ଜଣେ ଦେବତା ବୋଲି ଭାବୁଥିଲେ ।’’–ମୁଁ ଉତ୍ତର ଦେଲି ।

 

“ସିଏ କେମିତି ଦେବତା ହୋଇ ପାରିବ ?”

 

“ସେମାନେ ବହୁ ଦେବତାଙ୍କର କଳ୍ପନା କରୁଥିଲେ ।”

 

“ତେବେ ସିଏ ଜଣେ ମିଛ ଦେବତା ହୋଇଥିବ, ଅଥବା ସେହି ପାହାଡ଼ ଉପରୁ ସିଏ ଥିରି ଥିରି ହୋଇ ଖସି ଆସିଥିବ; ତା’ ନହେଲେ ତ ତା’ର ଦେହ ଚୂନା ହୋଇ ଯାଇଥାନ୍ତା ।”–ହାତଟାକୁ ଲମ୍ବାଇ ଦେଇ ସେମକା ଚିତ୍କାର କରି କହିଲା ।

 

ତା’ ଠାରେ ମୁଁ ଆଉକିଛି ଲେଖାକୁ ମଧ୍ୟ ପରୀକ୍ଷା କରିଥିଲି, ମାତ୍ର ସବୁ ବ୍ୟର୍ଥ ହୋଇଗଲା ।

 

ସଦ୍ୟ ଡାକରେ ଆସି ପହଞ୍ଚିଥିବା ଗୋଟିଏ ତଥାକଥିତ ଲୋକପ୍ରିୟ ବହିକୁ ତୁମେ ସ୍କୁଲରେ ବସି ଖୋଲିବାକୁ ଆରମ୍ଭ କରିବ । ସଙ୍ଗେ ସଙ୍ଗେ ଏକାଧିକ କଣ୍ଠରୁ ଏକାବେଳେକେ ଶୁଣିବାକୁ ମିଳିବ, “ଆଜ୍ଞା, “ମୋତେ ଦିଅନ୍ତୁ । ମତେ, ମତେ ।“ ସମସ୍ତେ ହାତଗୁଡ଼ାକୁ ପ୍ରସାରି ଦେଉଥିବେ । “ଏହି ବହିଟିକୁ ଆମେ ନିଶ୍ଚୟ ଭଲ ଭାବରେ ବୁଝିପାରିବୁ ।”

 

ତୁମେ ବହିଟିକୁ ଖୋଲିବ ଏବଂ ପଢ଼ିବାକୁ ଆରମ୍ଭ କରିବ । “ଏହି ମହାନ୍ ସନ୍ଥଙ୍କର ଜୀବନ କଥାରେ ଅଟଳ ବିଶ୍ଵାସ, କରୁଣା, ଅଦମ୍ୟ ଉତ୍ସାହ ଏବଂ ନିଜର ଦେଶ ପ୍ରତି ଉଜ୍ଜ୍ଵଳ ପ୍ରେମର ନିଦର୍ଶନଟିଏ ରହିଛି–ଏହି ପୁଣ୍ୟାତ୍ମା ବ୍ୟକ୍ତି ନିଜକୁ ସେହି ଦେଶର ଅନେକ ମହାନ୍ କାର୍ଯ୍ୟରେ ଉତ୍ସର୍ଗ କରି ଦେଇଥିଲେ ।”

 

ଅଥବା, “ଚେକମାନଙ୍କର ଦେଶକୁ ଜର୍ମାନ୍ ସାମ୍ରାଜ୍ୟ ଦଖଲ କରି ନେବାର ଆଜିକୁ ତିନିଶହ ବର୍ଷ ହୋଇଗଲା ।’’

 

ଅଥବା, “ପାହାଡ଼ର କାଲୁରେ ଆପଣାର ଦେହକୁ ବିସ୍ତାର କରି ରହିଥିବା–ଗାଆଁଟି ରୁଷିଆ ଦେଶର ଅତ୍ୟନ୍ତ ଉର୍ବର ଶସ୍ୟସମୃଦ୍ଧ ଅଞ୍ଚଳରେ ଅବସ୍ଥିତ ।”

 

କିମ୍ବା, “ପ୍ରଶସ୍ତ ରାସ୍ତାଟି ଅଙ୍କା ବଙ୍କା ହୋଇ କୁଆଡ଼େ ଅଦୃଶ୍ୟ ହୋଇ ଯାଇଥିଲା ’’ ଅଥବା, ହୁଏତ ଗୋଟିଏ ଛାପା ପୃଷ୍ଠା ଉପରେ ପ୍ରକୃତି ବିଜ୍ଞାନର କୌଣସି ଏକ ବିଷୟକୁ ସରଳ ଭାବରେ ବୁଝାଇ ଦିଆ ଯାଇଥିବ । କିମ୍ବା ଆଉ କେଉଁଠାରେ କୌଣସି କୃଷକର ଜୀବନ ବିଷୟରେ ଲେଖକ ଅତିରଞ୍ଜନ କରି କେତେ କ’ଣ କହି ଯାଇଥିବେ ।

 

ଯଦି ତୁମେ ଏହିପରି ଗୋଟିଏ ବହି ନେଇ ପିଲାମାନଙ୍କ ଭିତରୁ କାହା ହାତରେ ଧରାଇଦେବ, ତେବେ ତା’ର ଆଖିଦୁଇଟି କ୍ରମେ ବିବର୍ଣ୍ଣ ହୋଇ ଆସିବ, ସିଏ ହାଇ ମାରିବାକୁ ଆରମ୍ଭ କରିବ !

 

ପିଲାଟି କହିବ, “ନାଇଁ ନାହିଁ, ଏଇଟା ଆମପାଇଁ ଅତି ଗଭୀର ହୋଇଯିବ,”–ଏବଂ ବହିଟାକୁ ସିଏ ତୁମକୁ ଆଣି ଫେରାଇଦେବ । ଏଣୁ, କାହାପାଇଁ ଓ କାହାଦ୍ୱାରା ଏହିସବୁ “ଲୋକପ୍ରିୟ ବହି” ଲିଖିତ ହୋଇଥାଏ, ସେକଥା ପ୍ରକୃତରେ ବୁଝି ହୁଏନାହିଁ । ଏଭଳି ବହିମାନଙ୍କ ମଧ୍ୟରୁ କେବଳ ଗୋଟିଏକୁ ଛାଡ଼ି ପିଲାମାନେ ସବୁଗୁଡ଼ିକ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । କେତେକ ପୁସ୍ତକ ଅତ୍ୟନ୍ତ ଦୟନୀୟ ଶୈଳୀରେ ଲେଖା ହୋଇଥିବ ଏବଂ ସେଗୁଡ଼ିକ ପାଇଁ ଉପଯୁକ୍ତ ସାଧାରଣ ପାଠକ କେହି ମିଳୁନଥିବେ ବୋଲି ସେଗୁଡ଼ିକୁ ଆଣି ଦରିଦ୍ର ଲୋକମାନଙ୍କ ପାଖରେ କୁଢ଼ାଇ ଦିଆଯିବ ।

 

ମୁଁ ଦେଖିଛି, ବଡ଼ମାନଙ୍କ ତୁଳନାରେ ପିଲାମାନଙ୍କର ହିଁ ଲୋକକାହାଣୀ ଓ ସେହି ବାଟର ଅନ୍ୟ ସାମଗ୍ରୀମାନ ପଢ଼ିବା ନିମନ୍ତେ ଅଧିକ ଆଗ୍ରହ ରହିଥାଏ । ଏଗୁଡ଼ିକୁ ସେମାନେ ବାରମ୍ବାର ପଢ଼ୁଥିବେ, ମୁଖସ୍ଥ କରି ପକାଉଥିବେ, କେଡ଼େ ଖୁସୀ ହୋଇ ସାଙ୍ଗରେ ଘରକୁ ନେଇ ଯାଉଥିବେ ଏବଂ ଖେଳ ବେଳେ ବା ସାଙ୍ଗ ହୋଇ କଥା ହେଉଥିବା ବେଳେ ପରସ୍ପରକୁ ସେହି ବହିରୁ ଆଣିଥିବା ନାଆଁଗୁଡ଼ିକୁ ଦେଇ ଭାରି ଖୁସୀ ହୋଇ ଯାଉଥିବେ ।

 

ବଡ଼ମାନଙ୍କ ଭିତରେ କିଛି କୃତ୍ରିମତା ପଶି ଯାଇଥାଏ ବା ବହିଭାଷାର ଚାକଚକ୍ୟପୂର୍ଣ୍ଣ ଭାଷା ପ୍ରତି ସେମାନଙ୍କର ଏକ ରୁଚି ଆସି ଯାଇଥାଏ କି କ’ଣ କେଜାଣି, ସେମାନେ ଏଭଳି ବହିଗୁଡ଼ିକ ପ୍ରତି ବିଶେଷ ଆକର୍ଷଣ ଅନୁଭବ କରନ୍ତି ନାହିଁ ଏବଂ, ଯେଉଁସବୁ ବହିରେ ଲେଖା ହୋଇଥିବା ଶବ୍ଦ, ଚିତ୍ର ତଥା ବିଚାରଗୁଡ଼ିକୁ ସେମାନେ ହୁଏତ ଅଧେ ବୁଝିପାରୁ ନଥାନ୍ତି, ସେମାନେ ସେହିଗୁଡ଼ିକୁ ପଢ଼ିବାପାଇଁ ଅଶେଷ ପସନ୍ଦ କରନ୍ତି ।

 

ମାତ୍ର, ଛୁଆମାନେ ସେସବୁ ବହିକୁ ଆଦୌ ପସନ୍ଦ କରି ନଥିବାରୁ, ଏହି କ୍ଷେତ୍ରଟିରେ ବଡ଼ମାନେ ସମ୍ଭବତଃ ଏକ ଭ୍ରମରେ ପଢ଼ି ଆମେ ଯେଉଁସବୁ ଲକ୍ଷ୍ୟ ନିର୍ଦ୍ଧାରଣ କରି ଦେଇଥାଉ, ସେମାନେ ସେହି ଲକ୍ଷ୍ୟରେ ମୋଟେ ପହଞ୍ଚି ପାରନ୍ତିନାହିଁ ।

 

ଏହି ବିଷଚକ୍ରଟି ମଧ୍ୟରୁ ବାହାରି ଆସିବାକୁ ଆମେ ଏପର୍ଯ୍ୟନ୍ତ କୌଣସି ବାଟ ପାଇନାହୁଁ-। ମାତ୍ର, ତଥାପି ନାନା ନୂତନ ଅନୁମାନକୁ ଆଧାର କରି ଆମର ନାନା ପ୍ରୟୋଗ ସର୍ବଦା ଲାଗିରହିଛି । ଆମେ ନିଜର ଭୁଲଗୁଡ଼ିକ ବାହାର କରିବାକୁ ଚେଷ୍ଟା କରୁଛୁ ଏବଂ, ଅନ୍ୟ ଯେଉଁମାନଙ୍କର ଏହି ବିଷୟରେ ଆଗ୍ରହ ରହିଛି, ସେମାନେ ମଧ୍ୟ ଆମକୁ ସେମାନଙ୍କର ବିଚାର, ପ୍ରୟୋଗ ତଥା ସଫଳତାଗୁଡ଼ିକ ବିଷୟରେ ଜଣାଇବେ ବୋଲି ଆମେ ବିନୀତ ଅନୁରୋଧ କରୁଛୁ-

 

ତେବେ, ପ୍ରକୃତ ଭୁଲଟି କେଉଁଠାରେ ରହିଛି ଏବଂ ଏହି ଅବସ୍ଥାରୁ ମୁକୁଳି ଆସିବାର ଉପାୟଟି କ’ଣ ? ହୁଏତ, ଏକ ମଧ୍ୟବର୍ତ୍ତୀ ସୋପାନ ପରି କାର୍ଯ୍ୟ କଲାଭଳି ସାହିତ୍ୟର ପୁସ୍ତକଗୁଡ଼ିକ ମଧ୍ୟ ରହିଛି, ମାତ୍ର ଆମେ ସେଗୁଡ଼ିକ ବିଷୟରେ କିଛି ଜାଣିନାହୁଁ ସାଧାରଣ ଲୋକମାନଙ୍କ ଭିତରେ ଯେଉଁସବୁ ବହି ଭଲ ଚଳୁଛି ଓ ସେଗୁଡ଼ିକ ବିଷୟରେ ସେମାନଙ୍କର କିଭଳି ମତ ରହିଛି, ଆମେ ସେହି ଦିଗରେ କିଛି ଅଧ୍ୟୟନ କରିବା । ଏବଂ, ସମ୍ଭବତଃ ସେଇଥିରୁ ଏକ ମାର୍ଗ ମଧ୍ୟ ବାହାରିବ, ଯାହାଫଳରେ କି ସାଧାରଣ ସ୍ତରର ଲୋକମାନେ କ୍ରମେ ସାହିତ୍ୟିକ ଭାଷାକୁ ବୁଝିବାକୁ ମଧ୍ୟ ସାମର୍ଥ୍ୟ ଲାଭ କରି ପାରିବେ ।

 

ଆମ ପତ୍ରିକାରେ ଏହି ଅଧ୍ୟୟନ ନିମନ୍ତେ ଏକ ବିଶେଷ ବିଭାଗ ରହିବ ଏବଂ, ଯେଉଁମାନେ ଏହି ବିଷୟଟିର ଗୁରୁତ୍ଵକୁ ହୃଦୟଙ୍ଗମ କରୁଛନ୍ତି, ସେମାନେ ଏବିଷୟରେ ଲେଖାମାନ ଲେଖି ଆମପାଖକୁ ପଠାଇବେ ବୋଲି ଆମେ ବିନୀତ ଅନୁରୋଧ ଜଣାଉଛୁ ।

Image

 

ଦ୍ଵାବିଂଶ ଅଧ୍ୟାୟ

ସମ୍ଭାବ୍ୟ କାରଣ ଓ ସମ୍ଭାବ୍ୟ ସହାୟତା

 

ସମ୍ଭବତଃ ଏହାର କାରଣ ହେଉଛି ଯେ, ଆମେ ଲୋକମାନଙ୍କ ଠାରୁ ନିଜକୁ ଦୂରଛଡ଼ା କରି ରଖିଛୁ ଏବଂ ଉଚ୍ଚବର୍ଗମାନେ ସମଗ୍ର ସମାଜ ଉପରେ ନିଜର ସଂସ୍କୃତିକୁ ସମସ୍ତଙ୍କ ଉପରେ ବଳପୂର୍ବକ ଲଦି ଦେବାକୁ ଇଛା କରୁଛନ୍ତି । ଏବଂ, ନାନା ସ୍ଥାନରୁ ସଙ୍କଳିତ ହୋଇଥିବା ଏକ ପାଠସାମଗ୍ରୀ ନୁହେଁ, ବର୍ତ୍ତମାନ ପ୍ରାପ୍ତ ହେଉଥିବା ପୁସ୍ତକଗୁଡ଼ିକରୁ ମଧ୍ୟବର୍ତ୍ତୀ ସୋପାନର ସଂପୂର୍ଣ୍ଣ ସାହିତ୍ୟ-ସଂଗ୍ରହଟିଏ ଯଦି ସମ୍ଭବ ହୋଇ ପାରିବ ଓ ଅନୁକ୍ରମବଦ୍ଧ ପଠନର ଏକ କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇ ପାରିବ, ତେବେ ସମୟ ଅନୁସାରେ ଆମେ ହୁଏତ ଏହି ଅସୁବିଧାଟି ମଧ୍ୟରୁ ବାହାରିଯାଇ ପାରିବା ।

 

ସମ୍ଭବତଃ ଏକଥା ମଧ୍ୟ ସତ ଯେ, ସାଧାରଣ ଲୋକେ ଆମ ସାହିତ୍ୟିକ ଭାଷାକୁ ବୁଝି ପାରନ୍ତିନାହିଁ ଓ ବୁଝିବାପାଇଁ ଇଛା ବି କରନ୍ତି ନାହିଁ, କାରଣ ଏଥିରେ ସେମାନଙ୍କର ବୁଝିବାଲାଗି ମୋଟେ କିଛି ନଥାଏ, କାରଣ ଆମର ସାହିତ୍ୟ ଆଦୌ ସେମାନଙ୍କର ଉପଯୁକ୍ତ ହୋଇନଥାଏ ଏବଂ ସେମାନେ ନିଜର ଏକ ସାହିତ୍ୟ ସମ୍ଭବ କରି ଆଣିବାପାଇଁ ଇଛା କରୁଥାନ୍ତି, ଏବଂ, ସର୍ବଶେଷ କଥାଟି ହେଉଛି, ଏବଂ ଏଇଟି ଆମକୁ ଅନ୍ୟଗୁଡ଼ିକ ଅପେକ୍ଷା ଅଧିକ ସମୀଚୀନ ବୋଲି ଲାଗୁଛି ଯେ, ବିଷୟଟି ମଧ୍ୟରେ ସ୍ଵଭାବତଃ ଆଦୌ କୌଣସି ଦୋଷ ନାହିଁ; ମାତ୍ର, ପିଲାମାନେ ସାହିତ୍ୟର ଭାଷାକୁ ବୁଝିପାରିବା ପର୍ଯ୍ୟନ୍ତ ଭାଷାକୁ ଶିକ୍ଷା କରୁଥିବେ ବୋଲି ଆମେ ଯେଉଁ ଜିଦ୍ ଧରି ବସିଥାଉ ଏବଂ ସର୍ବୋପରି ସେହି ଲକ୍ଷ୍ୟଟିରେ ସେମାନେ ଖୁବ୍ ଶୀଘ୍ର ଯାଇ ପହଞ୍ଚିପାରନ୍ତୁ ବୋଲି ଯେ ଇଚ୍ଛା କରୁଥାଉ, ଦୋଷଟି ପ୍ରକୃତରେ ସେହିଠାରେ ରହିଛି । ଏପରି ବି ହୁଏତ ହୋଇପାରେ ଯେ, ଆମେ ଯେଉଁ ଅନୁକ୍ରମବଦ୍ଧ ପଠନ ବିଷୟରେ କଳ୍ପନା କରୁଛୁ, ତାହା କାଳକ୍ରମେ ଆପଣାଛାଏଁ ସମ୍ଭବ ହୋଇଯିବ ଓ ସାହିତ୍ୟିକ ଭାଷାଜ୍ଞାନ ମଧ୍ୟ କାଳକ୍ରମେ ପ୍ରତ୍ୟେକ ଛାତ୍ରର ପହୁଞ୍ଚ ଭିତରକୁ ଆସିଯିବ-। କାରଣ, ଆଦୌ କୌଣସି ଅର୍ଥ ନବୁଝି ଜଣକ ପରେ ଜଣେ ପଠନ କରୁଥିବା ଲୋକଙ୍କ ଭିତରେ ଆମେ ସର୍ବଦା ଦେଖିବାକୁ ପାଉଛୁ ଯେ, ସେମାନେ ସ୍ତବବହି, ଉପନ୍ୟାସ ଓ କଚେରୀର ଆଇନସଂକ୍ରାନ୍ତୀୟ କାଗଜଗୁଡ଼ିକୁ ପଢ଼ୁ ପଢ଼ୁ କ୍ରମେ ସେଗୁଡ଼ିକରେ ବ୍ୟବହୃତ ଭାଷାକୁ ଆୟତ୍ତ କରି ପାରୁଛନ୍ତି ଏବଂ ଏହିପରି କ୍ରମଶଃ ଅଗ୍ରସର ହୋଇ ବହିର ଭାଷା ବିଷୟରେ ଜ୍ଞାନଲାଭ କରୁଛନ୍ତି-

 

ମାତ୍ର, ଆମେ ତଥାପି ବୁଝିବାକୁ ସମର୍ଥ ହେଉନାହୁଁ କାହିଁକି ଲୋକମାନଙ୍କୁ ବହି ମାତ୍ରକେ ସବୁ କିଛି ଏପରି ଖରାପ ଲାଗୁଛି ଓ ସେମାନଙ୍କର ପସନ୍ଦ ମୁତାବକ ହୋଇ ପାରୁନାହିଁ । ଏବଂ, ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହି କ୍ଷେତ୍ରରେ ବର୍ତ୍ତମାନ ଆମେ ପ୍ରକୃତରେ କ’ଣ କରିପାରିବା ? କାରଣ, ଆମେ କଦାପି ସ୍ଵୀକାର କରିନେଇ ପାରିବା ନାହିଁ ଯେ, ସାହିତ୍ୟିକ ଭାଷାର ଜ୍ଞାନ ଅବଶ୍ୟ ଉପଯୋଗୀ ବୋଲି ନିଜ ମନରେ ନିଷ୍ପତ୍ତିଟିଏ କରିସାରିବା ପରେ, ଲୋକମାନଙ୍କୁ ବାଧ୍ୟ କରି ସରଳାର୍ଥମାନ ଶୁଣାଇ ଓ ପୁନରାବୃତ୍ତିମାନ କରାଇ ଆମେ ସେମାନଙ୍କୁ ସେମାନଙ୍କର ଇଚ୍ଛା ବିରୁଦ୍ଧରେ ସାହିତ୍ୟିକ ଭାଷାଟିକୁ ଶିଖାଇଦେଇ ପାରିବା । ସେମାନେ ଫରାସୀ ଭାଷାକୁ ମଧ୍ୟ ଠିକ୍ ଏହିପରି ଶିଖିବାକୁ ବାଧ୍ୟ ହୁଅନ୍ତି । ଆମକୁ ସ୍ଵୀକାର କରିବାକୁ ହେବ ଯେ, ବିଗତ ଦୁଇମାସ ଭିତରେ ଆମେ ଆମର ଶିକ୍ଷାକ୍ରମରେ ସେଥିପାଇଁ କେତେ ଉଦ୍ୟମ କରିଛୁ ଏବଂ ସବୁବେଳେ କେବଳ ଅନିଚ୍ଛାର ହିଁ ସମ୍ମୁଖୀନ ହୋଇଛୁ । ସେହି ଅନିଚ୍ଛାକୁ ଆମେ ଆଦୌ ଦୂର କରି ପାରିନାହୁଁ ଏବଂ ତାହାର ଅର୍ଥ ହେଉଛି ଯେ ଆମେ ଅନୁସରଣ କରିଥିବା ପଦ୍ଧତିଟିରେ ଯେ ଭୁଲ୍ ରହିଛି ତାହା ପ୍ରମାଣିତ ହୋଇଯାଇଛି ।

 

ଏହିସବୁ ପ୍ରୟୋଗଗୁଡ଼ିକ ଦ୍ଵାରା ମୋର ଏହି ବିଶ୍ଵାସଟି କେବଳ ସୁଦୃଢ଼ ହୋଇ ଯାଇଥିଲା ଯେ, ଗୋଟିଏ ଶବ୍ଦ ଅଥବା ପାରାର ଅର୍ଥକୁ ପିଲାମାନଙ୍କ ଆଗରେ ଯେପରି ବୁଝାଇ କହି ଦିଆଯାଏ, ଜଣେ ପ୍ରତିଭାଶାଳୀ ଶିକ୍ଷକର କ୍ଷେତ୍ରରେ ମଧ୍ୟ ତାହାର କୌଣସି ସ୍ଥାନ ରହିବା ଉଚିତ ନୁହେଁ । ମାମୁଲୀ ସ୍ତରର ସାମର୍ଥ୍ୟ ଥିବା ଶିକ୍ଷକମାନେ ଏପରି ଅର୍ଥ ବୁଝାଇ କହିଦେବାର କାର୍ଯ୍ୟଟିକୁ କରିବାରେ ଅତ୍ୟନ୍ତ ନୈପୁଣ୍ୟ ପ୍ରଦର୍ଶନ କରିଥାନ୍ତି । ଗୋଟିଏ କଷ୍ଟ ଶବ୍ଦର ଅର୍ଥକୁ ବୁଝାଇ ଦେବାକୁ ଯାଇ ସେମାନେ ଆଉଗୋଟିଏ କଷ୍ଟ ଓ ଅବୋଧ୍ୟ ଶବ୍ଦର ବ୍ୟବହାର କରନ୍ତି ।

 

ପିଲାମାନେ ପଠିତ ଶବ୍ଦ ଗୁଡ଼ିକର ଅର୍ଥକୁ ବୁଝିବା ଉଚିତ ବୋଲି କୁହା ଯାଇଥାଏ । ସମସ୍ତେ କାହିଁକି ଆବଶ୍ୟକ ଅର୍ଥଟିକୁ ବୁଝି ପାରନ୍ତିନାହିଁ ଏବଂ, ସେହି ଗୋଟିଏ ପୁସ୍ତକରୁ କିଛି ପାଠ କରୁଥିବା କ୍ଷେତ୍ରରେ ମଧ୍ୟ ଭିନ୍ନ ଭିନ୍ନ ବ୍ୟକ୍ତି କାହିଁକି ଭିନ୍ନ ଭିନ୍ନ କଥା ବୁଝିଥାଆନ୍ତି ? ଜଣେ ଛାତ୍ର ହୁଏତ ପଢ଼ୁଥିବା ବାକ୍ୟଟିରେ ରହିଥିବା ଦୁଇ ତିନୋଟି ଅର୍ଥ ବୁଝି ପାରୁନଥାଏ, ତଥାପି ନିଜର ଭାବନାରେ ସେ ପଠିତ ସାମଗ୍ରୀର ସୂକ୍ଷ୍ମ ବ୍ୟଞ୍ଜନାଗୁଡ଼ିକୁ ବେଶ୍ ବୁଝିନେଇ ପାରୁଥାଏ । ତୁମେ ଶିକ୍ଷକ ମହାଶୟ ପିଲାକୁ କୌଣସି ଶବ୍ଦର ଗୋଟିଏ ଦୃଷ୍ଟିକୋଣରୁ ହେଉଥିବା ଅର୍ଥଟିକୁ ବୁଝାଇ ଦେବାକୁ ଏତେ ଉଦ୍ୟମ କରିବାରେ ଲାଗିଥାଅ, ମାତ୍ର ତୁମେ ଯାହା ବୁଝାଇ କହିଦେବାକୁ ଇଚ୍ଛା କରୁଛ, ଛାତ୍ରଟି ନିମନ୍ତେ ହୁଏତ ତାହାର ଆଦୌ କୌଣସି ଆବଶ୍ୟକତା ହିଁ ନଥାଏ ! ବେଳେ ବେଳେ ସେ ଖୁବ୍ ଭଲ ଭାବରେ ସବୁକିଛି ବୁଝିଥାଏ, ମାତ୍ର, ସିଏ ବୁଝିଛି ବୋଲି ତୁମକୁ ବୁଝାଇଦେଇ ପାରେନାହିଁ । ହୁଏତ ସିଏ ନିଜ ଅନୁମାନ ଦ୍ଵାରା ତୁମେ କହୁଥିବା ଅର୍ଥଟି ଠାରୁ ଏକାବେଳେକେ ଭିନ୍ନ ଆଉ ଏକ ଅର୍ଥରେ କଥାଟିକୁ ବୁଝୁଥାଏ, ଏବଂ ତା’ ନିଜ ସକାଶେ ତାହାର ବେଶ୍ ମୂଲ୍ୟ ଓ ଉପଯୋଗିତା ରହିଥାଏ । ତୁମେ ତାକୁ ବୁଝାଇବାରେ ଲାଗିଥାଅ; ମାତ୍ର, ସିଏ ଯେପରି ବୁଝିଛି, ତାହାକୁ ତୁମ ଆଗରେ ଶବ୍ଦରେ ବ୍ୟକ୍ତ କରି ପାରୁନଥାଏ ବୋଲି ସିଏ ନୀରବ ରହିଯାଏ, ବା ୟାଡ଼ୁସାଡ଼ୁ କିଛି ଗୋଟିଏ ଅର୍ଥ କହିଦିଏ, ହୁଏତ ମିଛ କହେ ଓ ନିଜକୁ ଠକିବାରେ ଲାଗିଥାଏ । ତୁମକୁ ସନ୍ତୁଷ୍ଟ କରି ପାରିବ ବୋଲି ଚେଷ୍ଟା କରୁଥାଏ । କିମ୍ବା ନାନା ମିଛ ଆୟସକୁ ଡାକିଆଣେ ଓ ତାହାରି ଭିତରେ ଧନ୍ଦି ହେଉଥାଏ । ଏବଂ, କୌଣସି ପୁସ୍ତକ ତା’ ମନରେ ଯେଉଁ ସାଧାରଣ ଧାରଣାଟି ଜନ୍ମାଇଥାଏ ବା ଯେଉଁ କାବ୍ୟଗତ ବୋଧଟି ତାକୁ ପଠିତାଂଶ ବିଷୟରେ ଧାରଣାଟିଏ ଆଣି ଦେବାରେ ସାହାଯ୍ୟ କରୁଥାଏ, ସେଇଟି କୁଆଡ଼େ ବିତାଡ଼ିତ ହୋଇ ପଳାଏ, ତାହା ଲୁକ୍କାୟିତ ହୋଇ ରହିଥାଏ ।

 

ପଠିତ ବିଷୟଟିର ମୋଟାମୋଟି ଧାରଣାଟିରୁ ଜଣେ ଛାତ୍ର ଯେପରି ନୂତନ ବିଚାର ଏବଂ ନୂତନ ଶବ୍ଦାବଳୀ ଶିଖି ପାରୁଥିବ, ସେଥିପାଇଁ ତାକୁ ସୁଯୋଗ ଦିଆଯିବା ଉଚିତ । ମନେ କରାଯାଉ ଯେ ସିଏ ବୁଝି ପାରୁଥିବା କୌଣସି ବାକ୍ୟରେ ଏମିତି ଶବ୍ଦଟିଏ ପଢ଼ୁଛି, ଯାହାର ଅର୍ଥଟିକୁ ଜାଣିନାହିଁ । ପରେ, ଆଉଗୋଟିଏ ବାକ୍ୟରେ ସିଏ ସେହି ଶବ୍ଦଟିକୁ ଭେଟୁଛି,–ଏଥର ଶବ୍ଦଟିର ଅର୍ଥ ବିଷୟରେ ସିଏ ଏକ ଅସ୍ପଷ୍ଟ ଧାରଣା କରିପାରୁଛି ଏବଂ ପରିଶେଷରେ ଏପରି ଏକ ସମୟ ଆସି ପହଞ୍ଚୁଛି, ଯେତେବେଳେ କି ସିଏ ନିଜେ ମଧ୍ୟ ଶବ୍ଦଟିକୁ ବ୍ୟବହାର କରି ପାରିବାର ଆବଶ୍ୟକତାକୁ ଅନୁଭବ ବି କରୁଛି ଏବଂ, ଏପରି ଗୋଟିଏ ଥର କରିବାପରେ ଶବ୍ଦଟି ଓ ତା’ର ଅର୍ଥଟି ତା’ ନିଜର ସମ୍ପତ୍ତିରେ ପରିଣତ ହୋଇ ଯାଉଛନ୍ତି । ଏହିପରି ହୁଏତ ହଜାର ଅନ୍ୟ ବାଟ ମଧ୍ୟ ରହିଥିବ । ମାତ୍ର, ମୋ’ର ଦୃଢ଼ ବିଶ୍ଵାସ ଯେ, କୌଣସି ଛାତ୍ରର ମଥାଭିତରେ ନୂତନ ବିଚାର କିମ୍ବା ନୂତନ ଶବ୍ଦଗଠନ ଗୁଡ଼ିକୁ ନେଇ ପୁରାଇବାକୁ ଚେଷ୍ଟା କରିବା,–ତାହା ଆଦୌ ସମ୍ଭବ ହେବନାହିଁ ଏବଂ ଆମର ପ୍ରୟାସ ବୃଥା ବୋଲି ପ୍ରମାଣିତ ହେବ ।

 

ଏହିପରି କରା ଯାଉଥିବା ଯାବତୀୟ ପ୍ରୟାସ ଛାତ୍ରକୁ ଆମର ଅଭିଳଷିତ ଉଦ୍ଦେଶ୍ୟଟି ଠାରୁ ବହୁତ ଦୂରକୁ ନେଇ ଯାଉଥିବ । ଜଣେ ଅକୁଶଳୀ ମଣିଷର ହାତ ଯେପରି କୌଣସି ଫୁଲକୁ ଖୋଲିଯିବାରେ ସାହାଯ୍ୟ କରିବାକୁ ଯାଇ ତାହାକୁ ଏକାବେଳେକେ ଖିନଖରାପ କରିପକାଏ ଏବଂ ତା’ପରେ ଫୁଲଟିର ପାଖୁଡ଼ାଗୁଡ଼ିକୁ ପୁଣି ପୂର୍ବର ଅବସ୍ଥାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥାଏ, ଇଏ ପ୍ରାୟ ସେହିପରି କଥା ହେବ ।

Image

 

ତ୍ରୟୋବିଂଶ ଅଧ୍ୟାୟ

ପିଲାମାନେ କିପରି ଲେଖି ଶିଖିଲେ

 

ଲେଖିବାକୁ ଶିଖାଇବାର କାର୍ଯ୍ୟଟିକୁ ଆମେ ଏହିପରି ପଦ୍ଧତିରେ ଆରମ୍ଭ କରିଥିଲୁ :

 

ପିଲାମାନେ ପ୍ରଥମେ ଯୁଗପତ୍ ଭାବରେ ଅକ୍ଷରଗୁଡ଼ିକୁ ଚିହ୍ନିବାର ଓ ଗଠନ କରିବାର ଶିକ୍ଷା ପାଇ ତା’ ପରେ ଯାଇ ଲେଖିଲେ । ସେମାନେ ଆଗ ଲେଖିବାର ଫଳକଟି ଚାରିପାଖରେ ଯାଇ ବସି ଯାଉଥିଲେ, ଚକ୍ ନେଇ ସେହି ଫଳକଟି ଉପରେ କୋଠିମାନ କାଟି ଦେଉଥିଲେ । ଜଣେ ପିଲା ତା’ପରେ ତା’ମନକୁ ଯାହା କିଛି ଆସୁଥିଲା, ତାକୁ ବଡ଼ ପାଟି କରି ଡାକି ଦେଉଥିଲା ଏବଂ ଅନ୍ୟମାନେ ସେଇଟିକୁ ଲେଖିବା ଆରମ୍ଭ କରି ଦେଉଥିଲେ । ପିଲାସଂଖ୍ୟା ଅଧିକ ଥିଲେ ସେମାନେ କେତୋଟି ଦଳରେ ବାଣ୍ଟି ହୋଇ ଯାଉଥିଲେ । ତା’ ପରେ ଜଣ ଜଣ କରି ପାଠ ଡାକୁଥିଲେ ଓ ସମସ୍ତେ ପରସ୍ପରକୁ ପଢ଼ି ଶୁଣାଉଥିଲେ । ସେମାନେ ଅକ୍ଷରଗୁଡ଼ିକୁ ଲେଖୁଥିଲେ, ପ୍ରଥମେ ବନାନ୍ ଓ ଶବ୍ଦ ବସାଣରେ ସଂଶୋଧନଗୁଡ଼ିକୁ କରି ଦେଉଥିଲେ ଏବଂ ତା’ ପରେ ଉଚିତ ଭାବରେ ବ୍ୟବହୃତ ନହୋଇଥିବା ଅକ୍ଷରଗୁଡ଼ିକୁ ମଧ୍ୟ ଠିକ୍ କରି ଦେଉଥିଲେ ।

 

ଲିଖନର ଏହି ଶ୍ରେଣୀଟି ମନକୁ ମନ ଗଢ଼ିହୋଇ ଯାଉଥିଲା । ଅକ୍ଷରଗୁଡ଼ିକୁ ଲେଖି ଶିଖୁଥିବା ସମୟରେ ଲେଖିବାର ଏକ ପ୍ରବଳ ଅଭିଳାଷ ତାକୁ ଅଧିକାର କରି ରହିଥାଏ । ଏବଂ, ପ୍ରଥମେ କବାଟଗୁଡ଼ିକରେ, ବିଦ୍ୟାଳୟର କାନ୍ଥଗୁଡ଼ିକର ବାହାର ପଟେ ତଥା ପିଲାମାନେ ବାସ କରୁଥିବା ଘରଟିର କାନ୍ଥଗୁଡ଼ିକ ମଧ୍ୟ ସେମାନେ ଲେଖିଥିବା ଅକ୍ଷର ଓ ଶବ୍ଦରେ ଭର୍ତ୍ତି ହୋଇଯାଏ । ବେଳେ ବେଳେ ସମ୍ପୂର୍ଣ୍ଣ ବାକ୍ୟାଂଶଟିଏ ଲେଖିବାରେ ମଧ୍ୟ ଆହୁରି ଅଧିକ ଆନନ୍ଦ ଲାଭ କରନ୍ତି । ଉଦାହରଣ ସ୍ୱରୂପ ବାକ୍ୟଟିଏ : “ଆଜି ମାର୍ଥା ଓ ଓଲଗା ନିଜ ଭିତରେ ଯୁଦ୍ଧ କରୁଥିଲେ ।”

 

ଏହି ଶ୍ରେଣୀଟିକୁ ସଂଗଠିତ କରି ରଖିବା ନିମନ୍ତେ, ପିଲାମାନେ କିପରି ଏକତ୍ର ସକ୍ରିୟ ହୋଇ ରହିପାରିବେ, ଶିକ୍ଷକଙ୍କୁ କେବଳ ଏତିକିମାତ୍ର ଶିକ୍ଷା ଦେବାକୁ ହେଉଥିଲା । ପିଲାମାନେ ଖେଳିବାବେଳେ ଜଣେ ବୟସ୍କ ଯେପରି ସେମାନଙ୍କୁ ଖେଳଟିର ବାଗ ଶିଖାଇଦିଏ, ଏହା ଠିକ୍ ସେହିପରି ଗୋଟିଏ କଥା । ଏବଂ, ଆମର ଏହି ଶ୍ରେଣୀଟି ବସ୍ତୁତଃ ଦୁଇବର୍ଷ ପାଇଁ ଚାଲିଲା ଏବଂ ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା । ଏବଂ ପ୍ରତ୍ୟେକ ଥର ସତେଅବା କୌଣସି ଭଲ ଖେଳଟିଏ ଖେଳୁଥିବା ପରି ପିଲାମାନେ ଆନନ୍ଦ ଏବଂ ପ୍ରାଣମୟତାରେ ପୂର୍ଣ୍ଣ ହୋଇ ରହିଥିଲେ । ଏଥିରେ ବହି ପଢ଼ିବା ରହିଥିଲା, କଥୋପକଥନ ରହିଥିଲା, ଲିଖନ ଓ ବ୍ୟାକରଣ ମଧ୍ୟ ରହିଥିଲା ।

 

ଏହି ଲିଖନପ୍ରକ୍ରିୟାଟି ଦ୍ଵାରା ଗୋଟିଏ ଭାଷାକୁ ନୂଆ କରି ଶିଖୁଥିବା ଗୋଟିଏ ପିଲାର ସବୁଠାରୁ ଅଧିକ ଆୟସସାଧ୍ୟ କାର୍ଯ୍ୟଟି ମଧ୍ୟ ବେଶ୍ ସ୍ଵତଃସ୍ପୂର୍ତ୍ତ ଭାବରେ ହାସଲ ହୋଇ ଯାଇଥାଏ: ଅର୍ଥାତ୍, ଗୋଟିଏ ଶବ୍ଦର ଗଠନର ଯେ କୌଣସି ପରିବର୍ତ୍ତନ କରାଯାଇ ପାରିବନାହିଁ, ସେଥିରେ ପିଲାର ଆବଶ୍ୟକତା ପ୍ରତ୍ୟୟଟି ଆସିଯାଏ । ଶବ୍ଦଟି ବହିରେ ଛପା ହୋଇଥାଉ କିମ୍ବା କେହି ତାହାକୁ ମୁହଁରେ କହୁଥାଉ,–ସେଇଟି ସେମାନଙ୍କର ନିଜ ଶବ୍ଦରେ ପରିଣତ ହୋଇଯାଏ । ମୋ’ ର ମନେ ହେଉଛି, କୌଣସି ବ୍ୟାକରଣ ଉପରେ ନିର୍ଭର ନକରି ଯେଉଁ ଶିକ୍ଷକ ଗୋଟିଏ ଭାଷା ଶିକ୍ଷା ଦେବାକୁ ଚେଷ୍ଟା କରୁଥାଏ, ତାକୁ ସର୍ବପ୍ରଥମେ ଏହି ସମସ୍ୟାଟିଏ ସମ୍ମୁଖୀନ ହେବାକୁ ପଡ଼ିଥାଏ ।

 

ମନେ କରାଯାଉ, ତୁମେ ‘ମୋତେ’ ଶବ୍ଦଟି ଉପରକୁ ଜଣେ ପିଲାର ଦୃଷ୍ଟି ଆକର୍ଷଣ କରିବାକୁ ଇଚ୍ଛା କରୁଛି । ତୁମେ ସେ କହିଥିବା ଏହି ବାକ୍ୟଟିକୁ ସହାୟତା ରୂପେ ଗ୍ରହଣ କରିଛ; “ମିକିଶକା ମୋତେ ସିଡ଼ି ଉପରକୁ ଠେଲିଦେଲା ।”

 

ତୁମେ ପଚାରିଲ, “କାହାକୁ ଠେଲିଦେଲ ?” ତୁମେ ଭାବୁଛ ଯେ ପିଲାଟି ଆଉଥରେ ବାକ୍ୟଟିକୁ କହିବ ଓ ନିଶ୍ଚୟ ଶବ୍ଦଟିର ଅର୍ଥକୁ ବୁଝିଯିବ ।

 

“ଆମକୁ”,–ପିଲାଟି ଉତ୍ତର ଦେଲା ।

 

“ନାଇଁ, ନାଇଁ, ତୁ ଯାହା କହିଥିଲୁ, ସେହି କଥାଟିକୁ ପୁଣି କହ ।”–ତୁମେ କହିଲ ।

 

ସିଏ ଉତ୍ତର ଦେବ, “ହଁ, ମିକିଶକା ପାଇଁ ଆମେ ସମସ୍ତେ ସିଡ଼ିରୁ ପଡ଼ିଗଲୁ ।”

 

କିମ୍ବା “ଆମକୁ ସିଏ ଠେଲି ଦେଲା, ଆଗ ଆମୁକ ପଡ଼ିଲା, ଏବଂ ତା’ ପରେ ମୁଁ ବି ।”

 

ଏହି କ୍ଷେତ୍ରରେ ତୁମେ ତାକୁ କର୍ମକାରକ ଓ ଦ୍ଵିତୀୟା ବିଭକ୍ତିଟିକୁ ନିଜେ କହିବ, ତେବେ ସିଏ ତୁମକୁ ଅନୁସରଣ କରିବାକୁ ଚେଷ୍ଟା କରି ଅସଲ ଶବ୍ଦଟିକୁ ନୁହେଁ, ହୁଏତ ଏକାବେଳେକେ ଭିନ୍ନ ଆଉକିଛି କହିବାକୁ ଆରମ୍ଭ କରିବ ।

 

ଯେତେବେଳେ ସିଏ ଡାକୁଥିବ, ଅନ୍ୟ ପିଲାମାନେ ଚଟ୍ କରି ପ୍ରତ୍ୟେକଟି ଶବ୍ଦକୁ ବଡ଼ ପାଟି କରି କହୁଥିବେ ଏବଂ ଲେଖି ମଧ୍ୟ ପକାଉଥିବେ ।

 

“ଏମିତି କ’ଣ କହୁଛୁ ? ସେଇଟା କ’ଣ ଲେଖିଲୁ ?”–ସେମାନେ ତାକୁ ଗୋଟାଏ ଅକ୍ଷରକୁ ମଧ୍ୟ ବଦଳାଇବାକୁ ଛାଡ଼ି ଦେବେନାହିଁ ।

 

ଏହିପରି ଭାବରେ, ଜଣେ ଗୋଟାଏ ପ୍ରକାରର ଓ ଆଉଜଣେ ଆଉଗୋଟାଏ ପ୍ରକାରର ଲେଖୁଛି ବୋଲି ବେଶ୍ ଝଗଡ଼ା ମଧ୍ୟ ହେଉଥିବ ଏବଂ, ଏହା ଫଳରେ ଡାକି ଦେଉଥିବା ପିଲାଟି ପ୍ରକୃତରେ କିପରି କହିବାକୁ ହେବ, ସେହି ବିଷୟରେ ଚିନ୍ତା କରିବାକୁ ଲାଗିବ ଓ ପ୍ରତ୍ୟେକ କଥାରେ ଦୁଇଟି ଦିଗ ରହିଛି ବୋଲି ହୃଦୟଙ୍ଗମ ମଧ୍ୟ କରିବ: ଗୋଟିଏ ହେଉଛି ଗଠନ, ଅନ୍ୟଟି ଅର୍ଥ, ସିଏ ହୁଏତ ଖାଲି ଅର୍ଥଟା ବିଷୟରେ ଚିନ୍ତା କରି କୌଣସି ବାକ୍ୟାଂଶକୁ କହି ପକାଇବ ଏବଂ କଥାଟି ତା’ ମୁହଁରୁ ହଠାତ୍ ବାହାରି ପଡ଼ିବ । “ନାଇଁ, ନାଇଁ, ଏମିତି କିପରି ହେବ ?” ବୋଲି ଅନ୍ୟମାନେ ସାଙ୍ଗେ ସାଙ୍ଗେ ତାକୁ ପ୍ରଶ୍ନ କରିବାକୁ ଆରମ୍ଭ କରିବେ ।

 

ଏହିପରି ଭାବରେ ସେମାନେ ସବାତଳ ଅର୍ଥାତ୍ ତୃତୀୟ ଶ୍ରେଣୀରେ ଲେଖିବାକୁ ଶିକ୍ଷା କରନ୍ତି; ସାନ ଅକ୍ଷରରେ ଅକ୍ଷରକୁ ଯୋଡ଼ି ଲେଖିବାରେ ସମର୍ଥ ହୋଇଯାନ୍ତି ।

 

ଆମେ ଯେ ପିଲାମାନେ ସାନ ଅକ୍ଷରରେ ଲେଖିବାକୁ ଆଦୌ ଉତ୍ସାହିତ କରୁନାହିଁ ତା’ ନୁହେଁ, ମାତ୍ର, ଯଦି ସେମାନଙ୍କୁ କୌଣସି ନିୟମ ଭିତରେ ରହି ଶିକ୍ଷା କରିବାକୁ ଆମେ ଇଚ୍ଛା କରନ୍ତୁ, ତେବେ ସେମାନେ ଏହି ସାନ ଅକ୍ଷର ବ୍ୟବହାର କରି ଲେଖିବେ ନାହିଁ ବୋଲି ନିୟମ କରିଦିଅନ୍ତି । କାରଣ ତଦ୍ଦ୍ଵାରା ଅକ୍ଷର ଖରାପ ହୋଇଯାଏ ଏବଂ ଲିଖିତ କଥାଗୁଡ଼ିକୁ ଭଲ ଭାବରେ ପଢ଼ି ହୁଏନାହିଁ ।

 

ଏହି ସାନ ଅକ୍ଷର ଲେଖିବାର ଅଭ୍ୟାସଟି ମଧ୍ୟ ସେମାନଙ୍କ ପାଖକୁ ଆପେ ଆପେ ଆସି ଯାଇଥାଏ; ଗୋଟିଏ ପିଲା କୌଣସି ବଡ଼ ପିଲାଠାରୁ ଗୋଟିଏ ଦୁଇଟି ସାନ ଅକ୍ଷର ଶିଖି ନେଇଥାଏ । ଅନ୍ୟମାନେ ଅନୁକରଣ କରି ମଧ୍ୟ ଶିଖିଥାନ୍ତି ଓ ଗୋଟିଏ ଗୋଟିଏ ପୂରା ଶବ୍ଦକୁ ସାନ ଅକ୍ଷରରେ ଲେଖନ୍ତି । ତା’ ପରେ, ଗୋଟାଏ ସପ୍ତାହ ମଧ୍ୟରେ ଅନ୍ୟ ପିଲାମାନେ ମଧ୍ୟ ସେହି ସାନ ଅକ୍ଷରମାନ ବ୍ୟବହାର କରିବା ଆରମ୍ଭ କରି ଦେଇଥାନ୍ତି ।

Image

 

ଚତୁବିଂଶ ଅଧ୍ୟାୟ

ଲେଖିବାରେ ଉନ୍ନତି-ସାଧନ

 

ଯାନ୍ତ୍ରିକ ପଠନ ପରି ହସ୍ତାକ୍ଷର-ଶିକ୍ଷାର କ୍ଷେତ୍ରରେ ମଧ୍ୟ ଏହି ଗ୍ରୀଷ୍ମଋତୁରେ ଆମକୁ ସେହି ଏକ ପ୍ରକାରର ଅଭିଜ୍ଞତାର ସମ୍ମୁଖୀନ ହେବାକୁ ପଡ଼ିଲା ।

 

ପିଲାମାନେ ମୋଟେ ଭଲ ହସ୍ତାକ୍ଷର ଲେଖି ପାରୁନଥିଲେ ଏବଂ, ନୂଆ ହୋଇ ଆସିଥିବା ଜଣେ ଶିକ୍ଷକ ସେମାନେ ଆଉଗୋଟିଏ ସ୍ଥାନରୁ ନକଲ କରି ହସ୍ତାକ୍ଷର ଲେଖନ୍ତୁ ବୋଲି ଏକ ଉଦ୍ୟମ ଆରମ୍ଭ କରି ଦେଇଥିଲେ । ଏଇଟି ସର୍ବଦା ହିଁ ଶିକ୍ଷକଙ୍କ ଲାଗି ଏକ ନିୟମିତ ଓ ସହଜ ପ୍ରଣାଳୀଭାବରେ ଚଳି ଆସିଛି । ପିଲାମାନେ ସେହି ପ୍ରଣାଳୀଟିକୁ ଆଦୌ ସ୍ଵୀକାର କଲେନାହିଁ । ତେଣୁ ଆମେ ବାଧ୍ୟ ହୋଇ ଆମ କାର୍ଯ୍ୟକ୍ରମରୁ ହସ୍ତାକ୍ଷରକୁ ବହିର୍ଭୂତ କରି ରଖିଲୁ ଏବଂ ଖରାପ ହସ୍ତାକ୍ଷର ଲେଖିବାକୁ ସଂଶୋଧନ କରି ପାରିବାଲାଗି ଆମ ପାଖରେ ଆଉ ଅନ୍ୟ କୌଣସି ନୂଆ ଉପାୟ ମଧ୍ୟ ନଥିଲା ।

 

ମାତ୍ର ସବୁଠାରୁ ଅଧିକ ପୁରୁଣା ଶ୍ରେଣୀଟି ହିଁ ଏହି ସଙ୍କଟର ଏକ ସମାଧାନ ବାହାର କରିଥିଲା । ଧର୍ମ-ଇତିହାସର ପାଠଗୁଡ଼ିକୁ ଲେଖିବା ସାରିଦେବା ପରେ ଅଧିକ ବୟସର ପିଲାମାନେ ନିଜର ଖାତାଗୁଡ଼ିକୁ ସାଙ୍ଗରେ ଘରକୁ ନେଇଯିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଖାତାଗୁଡ଼ିକ ବଡ଼ ଅସନା ହୋଇ ରହିଥିଲା,–କେତେ ଜାଗାରେ ଚିରି ଯାଇଥିଲା । ସେଥିରେ ଲେଖା ହୋଇଥିବା ଅକ୍ଷରଗୁଡ଼ିକ ମଧ୍ୟ ତଦ୍ରୂପ ଥିଲେ । ପିଲାଙ୍କ ଭିତରୁ ଯିଏ ଗଣିତରେ ଅତ୍ୟନ୍ତ ଥିରମତି ଓ ଧୁରନ୍ଧର ଥିଲା, ସିଏ ଗୋଟିଏ ନୂଆ ଖାତା ଆସି ମାଗିଲା ଏବଂ ସେଇଥିରେ ହିଁ ତାର ପାଠଗୁଡ଼ିକୁ ଉତାରିବାକୁ ଲାଗିଗଲା । ଏ କଥାଟି ଅନ୍ୟ ସମସ୍ତଙ୍କୁ ମଧ୍ୟ ଖୁବ୍ ଭଲ ଲାଗିଲା । “ମୋତେ ଖଣ୍ଡେ କାଗଜ ଦିଅନ୍ତୁ,” “ମୋ’ର ବି ଖାତାଟିଏ ଦରକାର” ବୋଲି ସମସ୍ତେ କହିବାକୁ ଆରମ୍ଭ କଲେ ଏବଂ ଏହିପରି ଭାବରେ ହସ୍ତାକ୍ଷର-ଲିଖନର ରୀତିଟି ପ୍ରବତ୍ତିତ ହୋଇଗଲା ଓ ଉଚ୍ଚତର ଶ୍ରେଣୀଟିରେ ଅବ୍ୟାହତ ହୋଇ ରହିଲା । ସେମାନେ ଗୋଟିଏ ଗୋଟିଏ ନୂଆ ଖାତା ନେଇ ଯାଉଥିଲେ, ଆଗରେ ଛପା ବର୍ଣ୍ଣବୋଧକୁ ପକାଇ ପ୍ରତ୍ୟେକଟି ଅକ୍ଷରର ଅଭ୍ୟାସ କରୁଥିଲେ-। ଏଥିରେ ଜଣେ ଆଉଜଣକ ସହିତ ପ୍ରତିଯୋଗିତା କରି ଟପିଯିବାକୁ ବି ଇଚ୍ଛା କଲା ଏବଂ ଦୁଇ ସପ୍ତାହ ମଧ୍ୟରେ ସମସ୍ତେ ଏହି କ୍ଷେତ୍ରରେ ପ୍ରଭୂତ ଅଗ୍ରଗତି କରି ପାରିଥିଲେ ।

 

ପିଲା ଥିଲାବେଳେ ଆମେ ପ୍ରାୟ ସମସ୍ତେ ଟେବୁଲରେ ବସି ନିଜର ଖାଦ୍ୟ ଖାଇବାକୁ ବାଧ୍ୟ ହେଉଥିଲୁ ଓ ଖାସ୍ ସେହି କାରଣଟି ସକାଶେ ହିଁ ସେହି କାର୍ଯ୍ୟଟି ଆମକୁ ମୋଟେ ଭଲ ଲାଗୁନଥିଲା । ମାତ୍ର, କ୍ରମେ ଅର୍ଥାତ୍ ଶେଷରେ ତାହା ଦିନେ ଭଲ ବି ଲାଗୁଥିଲା ଆଙ୍ଗୁଠିଗୁଡ଼ିକ ଛୋଟଛୋଟ ଥିବାରୁ ଆମେ ସମସ୍ତେ ଆଙ୍ଗୁଠିକୁ ବଙ୍କା କରି ହିଁ କଲମକୁ ଧରିବା ଆରମ୍ଭ କରିଥିଲୁ । ମାତ୍ର, ବର୍ତ୍ତମାନ ଆଙ୍ଗୁଠିମାନଙ୍କୁ ସିଧା ରଖି ବେଶ୍ କଲମକୁ ଧରିପାରୁଛୁ । ତେଣୁ, ଏଠାରେ ପ୍ରଶ୍ନ ବି କରାଯାଇ ପାରିବ: ଆବଶ୍ୟକ ପଡ଼ିବା ମାତ୍ରକେ ଯଦି ଅଭ୍ୟାସଗୁଡ଼ିକ ଆପେ ଆପେ ହୋଇଯାଉଛି, ତେବେ ଆମକୁ ପ୍ରଥମେ କାହିଁକି ଏତେ ଉତ୍ପୀଡ଼ନ ସହ୍ୟ କରିବାକୁ ପଡ଼ୁଛି ? ତେଣୁ ଜ୍ଞାନଲୋଭ ସକାଶେ ଶ୍ରଦ୍ଧା ଓ ଜ୍ଞାନଲୋଭ ସକାଶେ ଆଗ୍ରହ,–ଏହା କ’ଣ ସମସ୍ତଙ୍କ କ୍ଷେତ୍ରରେ ଠିକ ସେହିପରି ଭାବରେ ସମ୍ଭବ ହୋଇ ପାରନ୍ତାନାହିଁ ?

 

ଦ୍ଵିତୀୟ ଶ୍ରେଣୀର ପିଲାମାନେ ଧର୍ମ-ଇତିହାସରୁ ଏକାଧିକ ଥର କୁହା ଯାଇଥିବା କୌଣସି କାହାଣୀକୁ ଆଧାର କରି ରଚନାସବୁ ଲେଖିଥାନ୍ତି । ସେମାନେ ପ୍ରଥମେ ସିଲଟ ଉପରେ ସେଗୁଡ଼ିକୁ ବାକ୍ୟ ସହିତ ବାକ୍ୟକୁ ଯୋଡ଼ି, ରଚନା କରିଥାନ୍ତି ତା’ ପରେ କାଗଜ ଉପରେ ଉତାରି ନିଅନ୍ତି । ତୃତୀୟ ଅର୍ଥାତ୍ ସବାତଳ ଶ୍ରେଣୀର ପିଲାଏ ଯାହା ଲେଖିବାକୁ ମନ ହୁଏ, ତାହା ଲେଖିଦିଅନ୍ତି, ଏବଂ, ସନ୍ଧ୍ୟା ସମୟରେ ଆସୁଥିବା ଆହୁରି ସାନ ପିଲାମାନେ ଅଲଗା ଅଲଗା କରି ବିଭିନ୍ନ ବାକ୍ୟ ଲେଖନ୍ତି ଏବଂ ତା’ ପରେ ପରସ୍ପରର ଲେଖାଗୁଡ଼ିକୁ ତୁଳନା କରି ଦେଖିଥାନ୍ତି । ଜଣେ ଲେଖୁଥିବା ସମୟରେ ଅନ୍ୟମାନେ ଏକାଠି ଫୁସଫାସ୍ ହେଉଥାନ୍ତି, ତା’ ର ଭୁଲଗୁଡ଼ିକୁ ଲକ୍ଷ୍ୟ କରୁଥାନ୍ତି ଏବଂ ଅପେକ୍ଷା କରି ରହିଥାନ୍ତି । ଶେଷରେ କୋଉଠି ସ୍ଵରବର୍ଣ୍ଣଟିଏ ଠିକ୍ ଭାବରେ ବ୍ୟବହୃତ ହୋଇନାହିଁ କିମ୍ବା ବିଭକ୍ତିଟିଏ ଠିକ୍ ଜାଗାରେ ବସିନାହିଁ,–ସେମାନେ ତାହାକୁ ସଂଶୋଧନ କରି ଦେଖାଇ ଦିଅନ୍ତି । ବେଳେ ବେଳେ ଭୁଲ୍ ଭାବରେ କୁହା ଯାଇଥିବା କୌଣସି କଥାକୁ ମଧ୍ୟ ନିର୍ଦ୍ଦେଶ କରି ଦିଆଯାଏ ।

 

ସଂଶୋଧିତ ଭାବରେ ଲେଖିବା ଓ ଅନ୍ୟମାନଙ୍କର ଭୁଲଗୁଡ଼ିକୁ ସଂଶୋଧନ କରିଦେବା,–ସେମାନଙ୍କୁ ଏଥିରୁ ବହୁତ ଆନନ୍ଦ ମିଳିଥାଏ । ବଡ଼ ପିଲାମାନେ ସେମାନଙ୍କ ନଜରକୁ ଆସୁଥିବା ଯେକୌଣସି ଲେଖାକୁ ପରୀକ୍ଷା କରି ଦେଖିବାକୁ ମନ କରନ୍ତି, ସେଥିରେ ଥିବା ଭୁଲଗୁଡ଼ିକୁ ଠିକ୍ କରି ଦିଅନ୍ତି, ଅଧିକ ଭଲ ଭାବରେ ଲେଖିବା ନିମନ୍ତେ ପ୍ରାଣପଣେ ଚେଷ୍ଟା କରନ୍ତି; ମାତ୍ର ବ୍ୟାକରଣ ଓ ଭାଷା-ବିଶ୍ଳେଷଣକୁ ମୋଟେ ସହ୍ୟ କରି ପାରନ୍ତିନାହିଁ । ଏବଂ, ସେହି ବିଶ୍ଳେଷଣ ନିମନ୍ତେ ଆଗରୁ ଆମ ଭିତରେ ବହୁତ ଓ ପ୍ରବଳ ଆଗ୍ରହ ରହିଥିଲେ ମଧ୍ୟ, ସେମାନେ ସେଥିପାଇଁ ଆମକୁ ପ୍ରକୃତରେ ଅତ୍ୟନ୍ତ ଅଳ୍ପ ଅବସର ଦେଇଥାନ୍ତି । ସେତେବେଳେ ସେମାନେ ଶୋଇ ପଡ଼ନ୍ତି ଅଥବା ଶ୍ରେଣୀରୁ ଅନୁପସ୍ଥିତ ରହିଯାଆନ୍ତି ।

Image

 

ପଞ୍ଚବିଂଶ ଅଧ୍ୟାୟ

ବ୍ୟାକରଣ-ଶିକ୍ଷା

 

ବ୍ୟାକରଣ ଶିକ୍ଷା ଦେବାର କ୍ଷେତ୍ରରେ ଆମେ ବିଭିନ୍ନ ପ୍ରକାରର ପ୍ରୟୋଗ କରିଥିଲୁ ସତ, ମାତ୍ର ତଥାପି ସ୍ଵୀକାର କରିବାକୁ ହେବ ଯେ, ଏହି ଅଧ୍ୟୟନଟିକୁ ଆକର୍ଷକ କରିବାର ଲକ୍ଷ୍ୟଟିକୁ ପୂରଣ କରିବାରେ କୌଣସି ଗୋଟିଏ ପ୍ରୟୋଗ ମଧ୍ୟ ସଫଳତା ଲାଭ କରିନଥିଲା । ଗ୍ରୀଷ୍ମଋତୁରେ ଦ୍ଵିତୀୟ ଓ ପ୍ରଥମ ଶ୍ରେଣୀରେ ଜଣେ ନୂତନ ଶିକ୍ଷକ ବିଭିନ୍ନ ପଦଗୁଡ଼ିକୁ ବୁଝାଇବା ଆରମ୍ଭ କରିଥିଲେ ଏବଂ ପିଲାଏ,–ପ୍ରଥମେ ସେମାନଙ୍କ ମଧ୍ୟରୁ ଅନ୍ତତଃ କେତେଜଣ ପିଲା ବେଶ୍ ଆଗ୍ରହ ପ୍ରକାଶ କଲେ; ବ୍ୟାକରଣ ପଢ଼ାଟା ସେମାନଙ୍କୁ ସତେଅବା କୌଣସି ଖେଳ ଖେଳିବାପରି ମନେ ହେଉଥିଲା । ବ୍ୟାକରଣ-ଶିକ୍ଷା ସରିବାପରେ ସେମାନେ ତଥାପି ସେହି ବିଷୟରେ କୌତୁହଳକୁ ଅବିଚ୍ଛିନ୍ନ ରଖୁଥିଲେ ଏବଂ, “ଏହି ବାକ୍ୟରେ କ୍ରିୟା କେଉଁଠି ଅଛି, କହିଲୁ ?” ବୋଲି ପଚାରି ପରସ୍ପରକୁ ବୋକା ବନାଇ ଦେଉଥିଲେ ।

 

ମାତ୍ର, ନିର୍ଭୁଲ୍ ଭାବରେ ଲେଖିବାର କ୍ଷେତ୍ରରେ ସେମାନେ ତଥାପି ବ୍ୟାକରଣକୁ ଆଦୌ କୌଣସି କାର୍ଯ୍ୟରେ ଲଗାଉ ନଥିଲେ ଏବଂ, କିଛି ପରିମାଣରେ ତାହା କରିବା ସମୟରେ ବାକ୍ୟଗଠନରେ ବରଂ ଅଧିକ ଭୁଲ୍ କରି ପକାଉଥିଲେ । କୌଣସି ବାକ୍ୟରେ କର୍ତ୍ତା କେଉଁଠି ଓ କ୍ରିୟା କେଉଁଠି, ତାହା ଦର୍ଶାଇ ଦେଇ ପାରିବା ସେମାନଙ୍କ ପକ୍ଷରେ ନିତାନ୍ତ ଅସମ୍ଭବ ହୋଇ ରହିଥିଲା । ପ୍ରକୃତ ଧାରାଟିକୁ ଶିଖି ଯାଉଥିଲେ ମଧ୍ୟ, ବାକ୍ୟଗୁଡ଼ିକରୁ ସେଗୁଡ଼ିକୁ ଖୋଜି ଦେଖାଇଦେବା ବେଳକୁ ପିଲାର ଆଦୌ କୌଣସି ଇଚ୍ଛା ହେଉନଥିଲା । ତେଣୁ ଶୁଦ୍ଧ ଭାବରେ କିଛି ଲେଖିବା ମଧ୍ୟ କିପରି ସମ୍ଭବ ହୁଅନ୍ତା ? ଫଳରେ, ଶିକ୍ଷକ ମଧ୍ୟ ସେମାନଙ୍କ ଆଗରେ ସର୍ବଦା ଚାଲାଖି କରି ସେମାନଙ୍କୁ ଠକି ଦେବାକୁ ବାଧ୍ୟ ବି ହେଉଥିଲେ ଏବଂ ପିଲାମାନେ ଏକଥାଟିକୁ ମଧ୍ୟ ଅତ୍ୟନ୍ତ ଭଲ ଭାବରେ ଜାଣିଥିଲେ ।

 

ଉଦାହରଣ ସ୍ୱରୂପ, “ପୃଥିବୀ ଉପରେ କୌଣସି ପର୍ବତ ନଥିଲା” ବାକ୍ୟଟିର ଅନ୍ଵୟ କରା ଯାଉଥିଲା । ଜଣେ ପୃଥିବୀକୁ କର୍ତ୍ତାପଦ ବୋଲି କହୁଥିଲା ତ ଆଉଜଣେ ପର୍ବତକୁ କର୍ତ୍ତାପଦ ବୋଲି କହୁଥିଲା । ମାତ୍ର ଏହି ବାକ୍ୟଟି ଭାବ-ବାଚ୍ୟରେ ଅଛି (ରୁଷିଆର ଭାଷାରେ ତାହାହିଁ ଠିକ୍ ଥିଲା) ବୋଲି ଆମେ କହିବା ସମୟରେ ଖୁବ୍ ସ୍ପଷ୍ଟ ଭାବରେ ଲକ୍ଷ୍ୟ କରି ପାରୁଥିଲୁ ଯେ, ପିଲାମାନେ ଭଦ୍ରତା ରକ୍ଷା କରି ସିନା ଚୁପ୍ ରହୁଥିଲେ, ମାତ୍ର ସେମାନଙ୍କର ପୂର୍ଣ୍ଣ ଧାରଣା ହେଉଥିଲା ଯେ, ସେମାନଙ୍କର ନିଜ ଉତ୍ତରର ତୁଳନାରେ ଆମେ ଦେଇଥିବା ଉତ୍ତରଟି ପ୍ରକୃତରେ ଅଧିକ ମୂର୍ଖତାପୂର୍ଣ୍ଣ ଥିଲା । ସେମାନଙ୍କର ସେହି ଧାରଣା ବିଷୟରେ ଆମ ଶିକ୍ଷକମାନଙ୍କ ଭିତରେ ମଧ୍ୟ କୌଣସି ଦ୍ଵିମତ ନଥିଲା ।

 

ବାକ୍ୟଗଠନର ବିଶ୍ଳେଷଣ ପିଲାମାନଙ୍କ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ବୋଲି ଆମେ ଦୃଢ଼ ଭାବରେ ବିଶ୍ଵାସ କରୁଥିବାରୁ, ଆମେ ଶବ୍ଦଗୁଡ଼ିକର ବ୍ୟୁତ୍ପତ୍ତି ବିଷୟରେ ମଧ୍ୟ କିଛି ଧାରଣା ଦେବାକୁ ଉଦ୍ୟମ କଲୁ,–ବିଭିନ୍ନ ପଦ, କ୍ରିୟା ଓ ଅନ୍ୟ ପଦଗୁଡ଼ିକର ବ୍ୟୁତ୍ପତ୍ତି, ଇତ୍ୟାଦି । ଏବଂ, ଠିକ୍ ସେହିପରି ଭାବରେ ସମ୍ପ୍ରଦାନ କାରକ ଓ କ୍ରିୟା ବିଶେଷଣଗୁଡ଼ିକ ବେଳକୁ ମଧ୍ୟ ପିଲାମାନଙ୍କୁ ସବୁ ଖାଲି ପ୍ରହେଳିକା ପରି ଲାଗିଲା, ସେମାନେ ଠିକ୍ ସେହିପରି ବିଜାର ହୋଇ ପଡ଼ିଥିଲେ । ଆମେ ମଧ୍ୟ ପ୍ରଚଳିତ ରୀତିରେ ଆମର କର୍ତ୍ତୃତ୍ଵଗୁଡ଼ିକୁ ଜାହିର କରିଥିଲୁ ଏବଂ ପିଲାମାନେ ତଥାପି ମନଯୋଗୀ ହୋଇ ପାରିନଥିଲେ ।

 

ଖାଲି ବଡ଼ମାନେ ନୁହନ୍ତି, ପଦ କାହାକୁ କୁହାଯାଏ ବୋଲି ଏପର୍ଯ୍ୟନ୍ତ ଜାଣି ନଥିବା ସାନ ପିଲାମାନେ ମଧ୍ୟ ସମ୍ପ୍ରଦାନ କାରକ ବୋଲି ଚିହ୍ନାଇ ଦେଉଥିବା ସଙ୍କେତକୁ ଏଡ଼େ ବଡ଼ ପାଟିରେ କହିଦେଇ ପାରନ୍ତି, କିନ୍ତୁ ସେମାନେ ନିଜେ ତାହାର କୌଣସି କାରଣ ଜାଣି ନଥାନ୍ତି ଏବଂ ତେଣୁ, ଅନ୍ଦାଜ କରି ଠିକ୍ ଉତ୍ତରଟି ଦେଇ ପାରିଛନ୍ତି ବୋଲି କିଞ୍ଚିତ୍ ଖୁସୀ ବି ହେଉଥାନ୍ତି ।

 

ବିଗତ କେତୋଟି ସପ୍ତାହରେ ମୁଁ ନିଜ ମନକୁ ଧାରାଟିଏ ଉଦ୍ଭାବନ କରି ଦ୍ଵିତୀୟ ଶ୍ରେଣୀର ପିଲାମାନଙ୍କ ସହିତ ଏକ ପ୍ରୟୋଗ ଆରମ୍ଭ କରି ଦେଇଥିଲି ଏବଂ, ଯେକୌଣସି ଉଦଭାବନକାରୀଙ୍କ ପରି ସେହି ପ୍ରୟୋଗଟି ବିଷୟରେ ଚମତ୍କୃତ ହୋଇଗଲି । ପ୍ରୟୋଗଟି ମୋତେ ଅତ୍ୟନ୍ତ ସୁବିଧାଜନକ ଏବଂ ବୁଦ୍ଧିସମର୍ଥିତ ବୋଲି ମନେ ହେଉଥିଲା ସତ, ମାତ୍ର ଶେଷରେ ତାହାର ନିଷ୍ଫଳତା ବିଷୟରେ ମଧ୍ୟ ମୁଁ ଅଚିରେ ସ୍ପଷ୍ଟ ହୋଇ ଯାଇଥିଲି । କୌଣସି ବାକ୍ୟରେ ରହିଥିବା ପଦଗୁଡ଼ିକର ନାମକରଣ ନକରି ମୁଁ ପିଲାମାନଙ୍କୁ କିଛି ନା କିଛି ଲେଖିବାକୁ କହୁଥିଲି । ବେଳେ ବେଳେ ଲେଖିବାପାଇଁ ବିଷୟଟିଏ ବି ଦେଉଥିଲି ଏବଂ ତା’ ପରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଦିଆ ଯାଇଥିବା ବାକ୍ୟଟିରେ ବିଶେଷଣ, ନୂଆ ନୂଆ କର୍ତ୍ତାପଦ, ଗୌଣ ବାକ୍ୟାଂଶ ପ୍ରଭୃତି ଯୋଡ଼ି ତାହାକୁ ବଡ଼ କରିବା ନିମନ୍ତେ ପ୍ରବର୍ତ୍ତାଇଥିଲି ।

 

“ହେଟାମାନେ ଦଉଡ଼ୁଛନ୍ତି ।”

 

“କେତେବେଳେ ?” –“କେଉଁଠି ?” –“କିପରି ?” –“କେଉଁ ହେଟାମାନେ ?” –“କିଏ ଦଉଡ଼ୁଛନ୍ତି ଓ ଆଉ କ’ଣ କରୁଛନ୍ତି ?” ମୁଁ ଭାବୁଥିଲି ଯେ, ଏହିପରି ଭାବରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଚେଷ୍ଟା କରି ସେମାନେ ବାକ୍ୟରେ ରହିଥିବା ବିଭିନ୍ନ ପାର୍ଥକ୍ୟଗୁଡ଼ିକୁ ଜାଣିଯାଇ ପାରିବେ ।

 

ହଁ, ସେକଥା ସେମାନେ ଅବଶ୍ୟ ଜାଣିଲେ, ମାତ୍ର ଏଇଟା ମଧ୍ୟ ସେମାନଙ୍କୁ ବଡ଼ ବିଜାର ଲାଗିବାକୁ ଆରମ୍ଭ କଲା ଓ ନିଜର ଅନ୍ତରଗଭୀରରେ ସେମାନେ ତଥାପି “କାହିଁକି” ବୋଲି ପ୍ରଶ୍ନ ପରିବାରେ ଲାଗିଥିଲେ । ମୁଁ ନିଜକୁ ମଧ୍ୟ ସେହି ପ୍ରଶ୍ନଟିକୁ ପଚାରିବାକୁ ବାଧ୍ୟ ହେଲି ଓ କୌଣସି ଉତ୍ତର ପାଉନଥିଲି ।

 

ନିଜ ସହିତ କୌଣସି ନା କୌଣସି ସଂଗ୍ରାମ ନକରି ଜଣେ ମନୁଷ୍ୟ ବା ଜଣେ ଶିଶୁ କେବେହେଲେ ନିଜର ଜୀବନ୍ତ କଥାଗୁଡ଼ିକର ଏକ ଯାନ୍ତ୍ରିକ ବିଶ୍ଳେଷଣ ଓ ବ୍ୟବଚ୍ଛେଦ କରିବାକୁ ଇଚ୍ଛା କରିବନାହିଁ । ଏହି ଜୀବନ୍ତ କଥା ଓ ଭାଷାଟିରେ ସର୍ବଦା ଆତ୍ମସୁରକ୍ଷଣର ଏକ ସହଜାତ ଇଚ୍ଛା ନିହିତ ହୋଇ ରହିଥାଏ । ଯଦି ସେଥିରେ କୌଣସି ବିକାଶ ହେବା ଆବଶ୍ୟକ ହୁଏ, ତେବେ ତାହା ଅତ୍ୟନ୍ତ ସ୍ଵତଃସ୍ପୂର୍ତ୍ତ ଭାବରେ ହିଁ ସେହି ଉଦ୍ୟମଟିକୁ କରିଥାଏ ଏବଂ ସେତେବେଳେ ମଧ୍ୟ ସକଳ ମୌଳିକ ଅନୁବନ୍ଧ ମଧ୍ୟରେ ତାହା କରିବାକୁ ହୁଏ । ଏବଂ, ଗୋଟିଏ ଶବ୍ଦକୁ ଧରି ଯଦି ତାହାକୁ ଷଣ୍ଡୁଆସିରେ ପକାଇତାକୁ, ତାହାର ଗୋଟିଏ ଅଙ୍ଗକୁ ତା’ ଠାରୁ ଫାଡ଼ି ଅଲଗା କରିଦେବାକୁ ଆରମ୍ଭ କରିବ ଅଥବା, ତୁମେ ଆବଶ୍ୟକ ବୋଲି ଭାବୁଥିବା ଗହଣାଗୁଡ଼ିକୁ ନେଇ ତା’ ଦିହରେ ପିନ୍ଧାଇଦେବ, ତେବେ ସେଥିରେ ଥିବା ଜୀବନ୍ତ ଅର୍ଥ ଏବଂ ତାତ୍ପର୍ଯ୍ୟଟି ସତେଅବା ସଙ୍ଗେ ସଙ୍ଗେ ସଙ୍କୁଚିତ ହୋଇଯିବ ଓ ଅନ୍ତର୍ହିତ ହୋଇଯିବାକୁ ଆରମ୍ଭ କରିବ ଏବଂ ତୁମର ହାତରେ କେବଳ ତାହାର ଖୋଳଟା ହିଁ ଅବଶିଷ୍ଟ ରହି ଯାଇଥିବ । ହଁ, ସେହି ଖୋଳଟା ଉପରେ ତୁମେ ନିଜର କାରିଗରୀ ଦେଇ ହୁଏତ କେତେ କ’ଣ ତିଆରି କରି ପାରିବ ଏବଂ ସେଥିରେ ତୁମେ ଗଠନ କରିବାକୁ ଇଚ୍ଛା କରୁଥିବା ଶବ୍ଦଟିର କୌଣସି କ୍ଷତି ହେବନାହିଁ, କୌଣସି ଲାଭ ମଧ୍ୟ ହେବନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ଵିତୀୟ ଶ୍ରେଣୀର ଛାତ୍ରମାନେ ବାକ୍ୟ ଓ ବ୍ୟାକରଣକୁ ନେଇ ନାନାବିଧ ବିଶ୍ଳେଷଣ କରିବାରେ ଲାଗିଛନ୍ତି, ବାକ୍ୟଗୁଡ଼ିକର ନାନା ପରିବର୍ଦ୍ଧନ ମଧ୍ୟ କରୁଛନ୍ତି; ମାତ୍ର ତାହା ଭାରି କ୍ଳାନ୍ତିକର ହେବାକୁ ଆରମ୍ଭ କଲାଣି ଓ ମୋ’ର ଭୟ ହେଉଛି ଯେ, ତାହା ଅଚିରେ ବନ୍ଦ ହୋଇଯିବ । ପୁନଶ୍ଚ, ସମ୍ପୂର୍ଣ୍ଣ ଭାବରେ ବ୍ୟାକରଣ ନିୟମର ବହିର୍ଭୂତ ହେଲେ ମଧ୍ୟ ଆମେ ଭାଷା-ଅଭ୍ୟାସର ଏକ ଅଂଶରୂପେ ଏକଥାଟିକୁ ମଧ୍ୟ କରିଥାଉ:

 

(୧) କେତୋଟି ନିର୍ଦ୍ଦିଷ୍ଟ ଶବ୍ଦରୁ ପିଲାମାନେ ତୁଳନାତ୍ମକ ବାକ୍ୟମାନ ବି ରଚନା କରନ୍ତି-। ଉଦାହରଣ ସ୍ୱରୂପ ନିକୋଲାଇ, କାଠ ଓ ପାଠ,–ଏହି ତିନୋଟି ଶବ୍ଦରୁ ଗୋଟିଏ ପିଲା ହୁଏତ ଲେଖିବ,” ଯଦି ନିକୋଲାଇ କାଠ କାଟି ଯାଇ ନଥାନ୍ତା, ତେବେ ସେ ନିଶ୍ଚୟ ପାଠ ପଢ଼ି ଆସିଥାନ୍ତା,” କିମ୍ବା, ଆଉଗୋଟିଏ, “ନିକୋଲାଇ ଘରେ କାଠ ବି କାଟେ ପାଠ ବି ପଢ଼େ ।” ଇତ୍ୟାଦି, ଇତ୍ୟାଦି ।

 

(୨) ଏକ ନିର୍ଦ୍ଦିଷ୍ଟ ଗଢ଼ଣରେ ଆମେ ପଦ୍ୟ ବି ଲେଖାଉ । ବଡ଼ ପିଲାମାନେ ଫାନ୍ଦିଥିବା ସେହିପରି ଗୋଟିଏ କବିତା:

 

ବୁଢ଼ା ମଣିଷଟି ଝରକା ପାଖରେ ବସିଛି

ତା’ ପିନ୍ଧିଥିବା କୋର୍ଟଟି ଚିରିଚାରି ଗଲାଣି,

ତେଣେ ରାସ୍ତାଆଡ଼କୁ ଚାହିଁ ଚାଷୀଟିକୁ ଦେଖ,

ଖାଇବ ବୋଲି ଅଣ୍ଡାରୁ ଚୋପା ଛଡ଼ାଉଛି ।

 

(୩) ଆଉ ଗୋଟିଏ ଅଭ୍ୟାସ, ଯାହାକି ସବାତଳ ଶ୍ରେଣୀରେ ଖୁବ୍ ସଫଳ ଭାବରେ କରାଇ ହୋଇଥିଲା : କେତେକ ଶବ୍ଦ ଦିଆଯିବ । ତା’ ଭିତରେ ବିଶେଷ୍ୟ ଥିବ, କ୍ରିୟା-ବିଶେଷଣ ମଧ୍ୟ ରହିଥିବ, ଗୋଟିଏ ପିଲା ଦୁଆର ପଛକୁ ଚାଲିଯିବ ଏବଂ ତା’ ପରେ ପ୍ରତ୍ୟେକ ଅନ୍ୟ ପିଲା ଏପରି ଗୋଟିଏ ଗୋଟିଏ ବାକ୍ୟ ତିଆରି କରିବେ, ଯେଉଁଥିରେ ନିର୍ଦ୍ଦିଷ୍ଟ ଶବ୍ଦଟି ମଧ୍ୟ ରହିଥିବ । ଏବଂ, କେଉଁ ଶବ୍ଦଟିର ପ୍ରୟୋଗ କରାଯାଇଛି, ଲୁଚିବାକୁ ଯାଇଥିବା ପିଲାଟିକୁ ସେକଥା ଅନୁମାନ କରି କହିବାକୁ ହେବ । ଏହି ଯାବତୀୟ ଅଭ୍ୟାସ ପଛରେ କେବଳ ଏହି ଗୋଟିଏ ଲକ୍ଷ୍ୟ ରହିଥିଲା ଯେ, ପିଲାମାନେ ଗୋଟିଏ ଶବ୍ଦକୁ ସକଳାଙ୍ଗ ଭାବରେ ବୁଝିପାରିବେ; ମାତ୍ର ଏହି ବୋଧଟି ପିଲାମାନଙ୍କର ମୁଣ୍ଡ ଭିତରେ ପଶିବାକୁ ବହୁତ ସମୟ ଲାଗିବ ଏବଂ ଏହା ପୂର୍ବରୁ ସେମାନେ ଅବଶ୍ୟ ବ୍ୟାକରଣର ବି ଅଧ୍ୟୟନ କରିଥିବେ ।

 

ଏହି ଅଭ୍ୟାସଗୁଡ଼ିକୁ ପିଲାମାନେ ଖୁସୀ ହୋଇ କରନ୍ତି, କିନ୍ତୁ ବ୍ୟାକରଣ ଆସିଲେ ହିଁ ସେମାନେ ବିଜାର ହୋଇ ଯାଆନ୍ତି । ଆହୁରି ବିଚିତ୍ର ଅଥଚ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କଥାଟି ହେଉଛି ଯେ, ବ୍ୟାକରଣ ପଢ଼ିବାକୁ ମୋଟେ ଖୁସୀ ଲାଗୁନାହିଁ, ମାତ୍ର ଆଉ ବିଷୟମାନ ଯେ ତାହାଠାରୁ ଅଧିକ ସହଜ ହେଉଛି, ସେକଥା ମଧ୍ୟ ନୁହେଁ । ବହିର କୌଣସି ସାହାଯ୍ୟ ନନେଇ ବ୍ୟାକରଣ ପଢ଼ାଇବା ମାତ୍ରକେ ଛଅବର୍ଷର ସାନ ପିଲାଟିଏ ମଧ୍ୟ ଅଧଘଣ୍ଟାଏ ସମୟ ଭିତରେ ପଦଗୁଡ଼ିକର ଅନ୍ଵୟ ଶିଖିଯାଉଛି; ଲିଙ୍ଗ, ବଚନ, କାଳ, କର୍ତ୍ତା ଓ କ୍ରିୟାର ନିରୂପଣ କରିଦେଇ ପାରିଛି ଏବଂ, ଏଗୁଡ଼ିକ ବିଷୟରେ ତା’ ର ଜ୍ଞାନ ଯେ ଆଦୌ କମ୍ ନୁହେଁ, ତୁମେ ସେହିପରି ଅନୁଭବ କରିବାକୁ ଲାଗୁଛ ।

 

ଆମ ଅଞ୍ଚଳର ବୋଲିରେ କ୍ଳୀବଲିଙ୍ଗ ବୋଲି କିଛି ନାହିଁ : ବନ୍ଧୁକ, କୁଟା, ମାଂସ, ଝରକା,–ଏମାନେ ସମସ୍ତେ ସ୍ତ୍ରୀଲିଙ୍ଗ । ଏବଂ, ଏହି ଦୃଷ୍ଟିରୁ ଦେଖିଲେ, ବ୍ୟାକରଣର ପୁଣି କେଉଁ ଉପଯୋଗିତା ରହିଛି ?

 

ତିନି ବର୍ଷ ପାଠ ପଢ଼ିବାକୁ ବଡ଼ ପିଲାମାନେ ବ୍ୟୁତ୍ପତ୍ତି ଓ କାରଣ ବିଷୟରେ ସବୁଯାକ ପାଠ ଶିଖି ସାରିଛନ୍ତି, ମାତ୍ର ତଥାପି, ଗୋଟିଏ ଛୋଟ ବାକ୍ୟ ଲେଖିବା ସମୟରେ ସେମାନେ ଏକାଧିକ ଭୁଲ୍ କରି ପକାଉଛନ୍ତି ଏବଂ, ତୁମେ ଯେତେ ଯାହା ସଂଶୋଧନ କରି ଦେଉଥିଲେ ମଧ୍ୟ ଓ ଯେତେ ଯାହା ବହି ପଢ଼ି ସାରିଲେ ମଧ୍ୟ, ସେମାନେ ବାରବାର ଭୁଲ୍ ଶବ୍ଦଟିଏ ଯେ ଅବଶ୍ୟ ବ୍ୟବହାର କରିବେ, ସେଥିରେ କୌଣସି ସନ୍ଦେହ ନାହିଁ ।

 

ମାତ୍ର, ତୁମେ ନିଜକୁ ହୁଏତ ପଚାରିବ : ସେମାନେ ତ ତୁମପରି ସବୁକିଛି ଭଲ ଭାବରେ ଜାଣିଛନ୍ତି, ତେବେ ସେସବୁ ଅଲଗା ପରି ଶିଖାଇବାରେ ପୁଣି କି ଲାଭ ହେବ ? ଯଦି ପିଲାମାନଙ୍କୁ ଜଣେ କୌଣସି ଶବ୍ଦର ବହୁବଚନ ପଚାରୁଛି, ଯଦି କର୍ତ୍ତା କିଏ କ୍ରିୟା କିଏ ଚିହ୍ନାଇ ଦେବାକୁ କହୁଛି, କୌଣସି ଶବ୍ଦର ବ୍ୟୁତ୍ପତ୍ତି ପଚାରୁଛି, ସେତେବେଳେ ବ୍ୟାକରଣ ନିୟମର ସେହି ଶବ୍ଦଟା ହିଁ ତାକୁ କଷ୍ଟକର ମନେ ହେଉଛି । ମାତ୍ର ସେହି ନିୟମଗୁଡ଼ିକୁ ପ୍ରୟୋଗ କରିବାରେ ତା’ର କୌଣସି ଅସୁବିଧା ହେଉନାହିଁ । କଥା କହିବା ସମୟରେ ମଧ୍ୟ ସିଏ ସେଗୁଡ଼ିକୁ ଠିକ୍ ଭାବରେ ବ୍ୟବହାର କରିପାରୁଛି ।

 

ପ୍ରକୃତ ଜୀବନକ୍ଷେତ୍ରରେ ପିଲାମାନେ ହିଁ ଅନ୍ୟମାନଙ୍କ ତୁଳନାରେ ଅଧିକ ନୂତନ ଶବ୍ଦ ଉଦ୍ଭାବନ କରି ପାରନ୍ତି । ତେବେ ବ୍ୟାକରଣର ବିଶେଷ ନାଆଁଗୁଡ଼ିକୁ ଜାଣିବା ଓ ନିର୍ଦ୍ଦିଷ୍ଟ ଭାଷାରେ ସେଗୁଡ଼ିକର ସଂଜ୍ଞାନିରୂପଣ କରିବା,–ଏସବୁର ପୁଣି କାହିଁକି କି ପ୍ରୟୋଜନ ରହିବ ? ଏସବୁ ସେମାନଙ୍କ ଶକ୍ତିର ବାହାର ହୋଇ ହିଁ ରହିଥିବ । ହଁ, ପରୀକ୍ଷା ସମୟରେ ଏହି ସଂଜ୍ଞାନିରୂପଣର ଯାହା ଦାବୀ କରାଯାଇଥାଏ ଏବଂ ସେଇଥିଲାଗି ବ୍ୟାକରଣକୁ ଆବଶ୍ୟକ ବୋଲି କୁହାଯାଏ ।

 

ଆଗ ବ୍ୟାକରଣ ଜାଣିବାପରେ ଯେ ଲୋକମାନେ ନିର୍ଭୁଲ ଭାବରେ କହିପାରନ୍ତି ଓ ଲେଖିପାରନ୍ତି, ମୋ’ ବ୍ୟକ୍ତିଗତ ଜୀବନର ଅଭିଜ୍ଞତାରେ ମୁଁ କେବେହେଲେ ସେକଥା ଅନୁଭବ କରିନାହିଁ । କେତେ କେତେ ବ୍ୟକ୍ତି ରହିଛନ୍ତି, ଯେଉଁମାନେ କି ବ୍ୟାକରଣର ଜ୍ଞାନ ଅର୍ଜନ କରିନଥାନ୍ତି ଅଥଚ ନିର୍ଭୁଲ ଭାବରେ ସବୁକିଛି ଲେଖି ପାରୁଥାନ୍ତି । ବରଂ, ଭାଷାବିଜ୍ଞାନ ଅଧ୍ୟୟନ କରିଥିବା ପରୀକ୍ଷାର୍ଥୀମାନେ ଲେଖିବାବେଳେ ଭୁଲମାନ କରନ୍ତି । ଏବଂ, ବ୍ୟାକରଣର ଜ୍ଞାନ ଯେ କାହାର ପ୍ରକୃତରେ କୌଣସି ପ୍ରୟୋଜନରେ ଆସିଛି, ୟସନାୟା ପୋଲ୍ୟାନାର ଛାତ୍ରମାନଙ୍କ ଭିତରୁ ମୁଁ ସମ୍ଭବତଃ କୌଣସି ଜଣକୁ ମଧ୍ୟ ତାହାର ଦୃଷ୍ଟାନ୍ତରୂପେ ଦେଖାଇ ପାରିବି ନାହିଁ ।

 

ମୁଁ ଭାବୁଛି ଯେ, ବ୍ୟାକରଣର ଏକ ସ୍ଵତନ୍ତ୍ର କ୍ଷେତ୍ର ସବୁବେଳେ ରହିଥାଏ,–ମଥାସ୍ତରର ଗୋଟିଏ କସରତ ପରି ତାହା ଲାଗି ରହିଥାଏ । ହୁଏତ ତାହାର କୌଣସି ପ୍ରୟୋଜନ ମଧ୍ୟ ଅବଶ୍ୟ ଥାଏ । ଏବଂ, ଭାଷା, ଅର୍ଥାତ୍ ଲେଖିବା, ପଢ଼ିବା ଏବଂ ବୁଝିବାର ସାମର୍ଥ୍ୟଟି ମଧ୍ୟ ତା’ ନିଜ ସ୍ଵତନ୍ତ୍ର ମାର୍ଗରେ ଯିବାରେ ଲାଗିଥାଏ ।

 

ଜ୍ୟାମିତି ଓ ଗଣିତ ମଧ୍ୟ ସାଧାରଣତଃ ସେହିପରି ପ୍ରଥମେ କେବଳ ଏକ ମାନସିକ କସରତ ଓ ଅଭ୍ୟାସ ପରି ଚାଲିଥାଏ; ଅବଶ୍ୟ ସେଥିରେ ଏହି ପାର୍ଥକ୍ୟଟିଏ ରହିଥାଏ ଯେ, ଜ୍ୟାମିତିର ପ୍ରତ୍ୟେକ ଉପପାଦ୍ୟ ଓ ଗଣିତର ପ୍ରତ୍ୟେକ ସଂଜ୍ଞା ବସ୍ତୁତଃ ଏକ ଅନନ୍ତ ସଂଖ୍ୟା ତଥା ଅନୁସିଦ୍ଧାନ୍ତ ଓ ପ୍ରତିପାଦ୍ୟ ଆଡ଼କୁ ଅଗ୍ରସର କରାଇ ନେଇଯାଏ । ବ୍ୟାକରଣ ଆମକୁ ଭାଷାକୁ ପରିଚାଳନା କରୁଥିବା ସଙ୍ଗତିଟି ସହିତ ପରିଚିତ କରାଇଦିଏ ବୋଲି କହୁଥିବା ବ୍ୟକ୍ତିମାନଙ୍କ ସହିତ ଏକମତ ହେଉଥିଲେ ମଧ୍ୟ ତଥାପି ସ୍ଵୀକାର କରିବାକୁ ପଡ଼ିବ ଯେ, ବ୍ୟାକରଣରେ ସେହି ଅନୁସିଦ୍ଧାନ୍ତ ଓ ପ୍ରତିପାଦ୍ୟଗୁଡ଼ିକର ପରିସର ଅତ୍ୟନ୍ତ ସଂକୀର୍ଣ୍ଣ ହୋଇ ରହିଥାଏ, ଯେକୌଣସି ବାଟରେ ଅଗ୍ରସର ହୋଇ ଗୋଟିଏ ପିଲାର ଯେତେବେଳେ ଏକ ଭାଷା ବିଷୟରେ ଦଖଲ ଆସିଯାଏ, ସେତେବେଳେ ବ୍ୟାକରଣର ଯାବତୀୟ ପ୍ରୟୋଗ ପ୍ରକୃତରେ ପଛରେ ରହିଯାଆନ୍ତି ଓ ଆଉ ଆଦୌ କୌଣସି ଆବଶ୍ୟକତା ନଥିବା କୌଣସି ବସ୍ତୁ ପରି ଲୁପ୍ତ ହୁଅନ୍ତି ।

 

ଭାବନା ଶକ୍ତିର ଶୃଙ୍ଖଳିତ ବିକାଶ ନିମନ୍ତେ ବ୍ୟାକରଣ ଅର୍ଥାତ୍ ଭାଷାଗତ ନିୟମଗୁଡ଼ିକୁ ଜାଣିବା ଅପରିହାର୍ଯ୍ୟ ବୋଲି ଯେଉଁ ପାରମ୍ପରିକ ଧାରଣାଟି ରହିଛି, ଆମେ ବ୍ୟକ୍ତିଗତ ଭାବରେ ଏବେ ମଧ୍ୟ ସେଥିରୁ ନିଜକୁ ମୁକ୍ତ କରି ଆଣି ପାରିବୁ ନାହିଁ । ଆମେ ହୁଏତ ଏକଥା ମଧ୍ୟ ଅନୁଭବ କରୁଛୁ ଯେ ପିଲାମାନଙ୍କ ସକାଶେ ବ୍ୟାକରଣର ଏକ ପ୍ରୟୋଜନ ରହିଛି ଓ ଅଚେତନ ଭାବରେ ହେଲେ ମଧ୍ୟ ସେମାନଙ୍କ ଭିତରେ ବ୍ୟାକରଣର ନିୟମଗୁଡ଼ିକର ଏକ ମୂଳଦୁଆ ଆଗରୁ ହିଁ ପଡ଼ିସାରିଛି । ମାତ୍ର, ତଥାପି ଆମେ ସମ୍ପୂର୍ଣ୍ଣ ଭାବରେ ବିଶ୍ଵାସ କରୁଛୁ ଯେ, ବ୍ୟାକରଣ କହିଲେ ଆମେ ଯାହା ଜାଣିଛୁ ଓ ଯାହା ବୁଝିଛୁ, ଛାତ୍ରମାନେ ପ୍ରକୃତରେ ଆବଶ୍ୟକ କରୁଥିବା ବ୍ୟାକରଣଟି ତା’ ଠାରୁ ଏକାବେଳେକେ ଭିନ୍ନ ପ୍ରକାରର ଏବଂ, ବ୍ୟାକରଣ ଶିକ୍ଷା ଦେବାର ବର୍ତ୍ତମାନର ଏହି ଧାରାଟି ମଧ୍ୟରେ ବହୁକାଳରୁ ଏକ ବିରାଟ ଭୁଲଧାରଣା ମଧ୍ୟ ରହିଯାଇଛି ।

 

ଆମ ସ୍କୁଲରେ ଆଉଗୋଟିଏ ବିଦ୍ୟାଳୟରୁ ଜଣେ ପିଲା ଆସି ପଢ଼ୁଛି, ବ୍ୟାକରଣ ସମ୍ବନ୍ଧରେ ତା’ର ଅତି ଚମତ୍କାର ଜ୍ଞାନ ରହିଛି; ମାତ୍ର ସିଏ ବି ପ୍ରୟୋଗ କ୍ଷେତ୍ରରେ ବହୁତ ଭୁଲ୍ କରି ପକାଇଛି । ଅଥବା, ଫେଡ଼କା ନାମକ ଆଉ ଏଠାକାର ପିଲାଟି,–ଯିଏକି ବିଧିବଦ୍ଧ ଭାବରେ ବ୍ୟାକରଣ ପଢ଼ିନାହିଁ, ସିଏ ଆଦୌ କୌଣସି ଭୁଲ୍ କରୁନାହିଁ । ଏବଂ, ସହାୟକ କ୍ରିୟାଗୁଡ଼ିକୁ ସିଏ ପୂର୍ଣ୍ଣ ସଂଗତି ସହିତ ବ୍ୟବହାର କରିପାରୁଛି ।

 

ପଠନ ଓ ଲିଖନ ଶିକ୍ଷା ଦେବା ସମୟରେ ଅବଜ୍ଞାତ ଯାବତୀୟ ନିୟମର ନିଜସ୍ଵ ଉପଯୋଗିତାମାନ ଅବଶ୍ୟ ରହିଛି ବୋଲି ୟସନାୟା ପୋଲ୍ୟାନା ବିଦ୍ୟାଳୟରେ ଆମେ ସ୍ଵୀକାର କରୁଥିଲେ ମଧ୍ୟ, ଆମେ ସେଗୁଡ଼ିକୁ ପିଲାମାନେ କେତେଦୂର ଖୁସୀ ହୋଇ ଗ୍ରହଣ କରୁଛନ୍ତି ଓ ଜ୍ଞାନଅର୍ଜନର କ୍ଷେତ୍ରରେ ସେଗୁଡ଼ିକର କେତେଦୂର ପ୍ରୟୋଜନ ରହିଛି, ସେହି ଅନୁପାତରେ ହିଁ ସେଗୁଡ଼ିକୁ ପ୍ରୟୋଗ କରିଥାଉ । ପୁନଶ୍ଚ, ଗୋଟିଏ ପ୍ରଣାଳୀକୁ ପୂରା ଗ୍ରହଣ କରିବାକୁ ଯାଇ ଆମେ କେବେହେଲେ ଆଉଗୋଟିଏ ପ୍ରଣାଳୀକୁ ବର୍ଜନ ବି କରୁନାହିଁ, ଏବଂ ସର୍ବଦା ନୂତନ ପଦ୍ଧତି ଓ ପ୍ରଣାଳୀମାନ ବାହାର କରିବାକୁ ଚେଷ୍ଟା ମଧ୍ୟ କରିଥାଉ । ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀକୁ ଆମେ ଏଠାରେ ହୁଏତ ମାତ୍ର ଦୁଇଦିନ ପାଇଁ ପରୀକ୍ଷା କରି ଦେଖିଛୁ ଓ ତା’ ପରେ ତାହାକୁ ଛାଡ଼ିଦେଇଛୁ । ୟସନାୟା ପୋଲ୍ୟାନା ବିଦ୍ୟାଳୟରେ ଲିଖନକୁ ଭାଷାଶିକ୍ଷାର ସର୍ବପ୍ରଧାନ ଧାରା ରୂପେ ଗ୍ରହଣ କରା ଯାଉଥିଲେ ମଧ୍ୟ, ଲିଖନ ଯେ ସେହି କ୍ଷେତ୍ରରେ ଏକମାତ୍ର ଧାରା ଓ ଏକମାତ୍ର ପଦ୍ଧତି, ଆମେ ସେହି କଥାଟି ଲାଗି ବି ବିଶେଷ ସହାନୁଭୂତି ଦେଖାଇ ପାରିନାହୁଁ । ଆମେ ତଥାପି ଅନ୍ଵେଷଣ କରୁଛୁ ଓ କିଛି ଅବଶ୍ୟ ମିଳିବ ବୋଲି ସର୍ବଦା ଆଶା ରଖିଛୁ ।

Image

 

ଷଡ଼ବିଂଶ ଅଧ୍ୟାୟ

ରଚନାଲେଖାର ଅଭ୍ୟାସ

 

ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀରେ ପିଲାମାନଙ୍କୁ ସେମାନଙ୍କର ଯୋଉ ବିଷୟରେ ଖୁସୀ ସେ ବିଷୟରେ ରଚନା ଲେଖିବାକୁ ଦିଆଯାଏ । ବାଇବେଲ୍‍ର ପୁରାତନ ଭାଗଟିରେ ରହିଥିବା କାହାଣୀଗୁଡ଼ିକୁ ନିଜ ମନରୁ ଲେଖିବାକୁ ହିଁ ପିଲାମାନେ ସବୁଠାରୁ ଅଧିକ ଭଲ ପାଆନ୍ତି, ଶିକ୍ଷକଙ୍କ ଠାରୁ ସେହି କାହାଣୀଗୁଡ଼ିକ ଶୁଣିଥିବାର ଦୁଇମାସ ପରେ ସେମାନେ ନିଜେ ସେଗୁଡ଼ିକୁ ଲେଖନ୍ତି ।

 

ଅଳ୍ପଦିନ ତଳେ ପ୍ରଥମ ଶ୍ରେଣୀର ପିଲାମାନେ ବାଇବେଲ୍‍ର ନୂତନ ଭାଗଟିରେ ରହିଥିବା ଇତିହାସରୁ ମଧ୍ୟ କାହାଣୀମାନ ଲେଖିଲେ, କିନ୍ତୁ ଏଗୁଡ଼ିକରେ ଆରଟି ପରି ଏତେ ସଫଳତା ମିଳି ନଥିଲା । ଏଥିରେ ଅଧିକ ବନାନ୍ ଭୁଲ୍ ମଧ୍ୟ ହୋଇଥିଲା । ସେମାନେ ଏହି ଇତିହାସଟିକୁ ଏତେ ଭଲ ଭାବରେ ବୁଝି ପାରିନଥିଲେ । ପ୍ରଥମ ଶ୍ରେଣୀରେ ଆମେ ନିର୍ଦ୍ଦିଷ୍ଟ ବିଷୟମାନ ଦେଇ ରଚନା ଲେଖାଇବା ଆରମ୍ଭ କରିଥିଲୁ । ଅତ୍ୟନ୍ତ ସ୍ଵାଭାବିକ ଭାବରେ ଏହି ବିଷୟଗୁଡ଼ିକ ହିଁ ଆମ ବିଚାରକୁ ଆସିଥିଲା : କୌଣସି ଏକ ଫସଲ, ଏକ ଘର ବା ଏକ ଗଛ, ଇତ୍ୟାଦି, ଇତ୍ୟାଦି । ଏହି ସହଜ ବସ୍ତୁଗୁଡ଼ିକ ବିଷୟରେ ପିଲାମାନେ ନିଜର ବର୍ଣ୍ଣନା ଦେଉଥିଲା । ମାତ୍ର, ଆମେ ପ୍ରକୃତରେ ଏକଥା ଦେଖି ଏକାବେଳେକେ ବିସ୍ମିତ ହୋଇ ଯାଉଥିଲୁ ଯେ, ଏହିସବୁ ବିଷୟରେ କିଛି ଲେଖିବାକୁ ଯାଇ ସେମାନଙ୍କର ଆଖିରୁ ପ୍ରାୟ ପାଣି ବାହାରି ଆସୁଥିଲା ଏବଂ, ଶିକ୍ଷକ ସେମାନଙ୍କୁ ଯେତେ ଯାହା ସାହାଯ୍ୟ କରୁଥିଲେ ମଧ୍ୟ, ପିଲାମାନେ ଏସବୁ ବିଷୟରେ କିଛି ଲେଖିବାକୁ ପ୍ରାୟ ସବୁବେଳେ ମନାକରି ଦେଉଥିଲେ । ଉଦାହରଣ ସ୍ୱରୂପ, ଫସଲ ବିଷୟରେ ଲେଖିଲାବେଳେ, ଫସଲ କିପରି ବଢ଼େ, କିପରି କଟା ହୁଏ ଓ କେଉଁସବୁ କାମରେ ଲାଗେ, ଏହିସବୁ କଥାକୁ ଭାଗ ଭାଗ କରି ଶିକ୍ଷକମାନେ କହୁଥିଲେ । ପିଲାମାନେ ବେଳେ ବେଳେ ଅରାଜୀ ହୋଇ ଲେଖିଲେ ମଧ୍ୟ ସେଥିରେ ଅଭାବନୀୟ ଓ ଅନ୍ୟନ୍ତ ହାସ୍ୟାସ୍ପଦ ଭୁଲସବୁ କରୁଥିଲେ;–ବନାନରେ, ଭାଷାରେ ଏବଂ ଭାବନାଗୁଡ଼ିକରେ ବହୁତ ଭୁଲ୍ ରହି ଯାଉଥିଲା ।

 

ଏହିସବୁ ବିଷୟରେ ରଚନା ଦେବାକୁ ଆମେ ବର୍ଜନ କରିବାକୁ ଚେଷ୍ଟା କଲୁ ଏବଂ, ପିଲାମାନେ ଏଥିରେ ଖୁବ୍ ଆନନ୍ଦିତ ହୋଇଗଲେ, ସତେଯେପରି ଏପରି କରି ଆମେ ସେମାନଙ୍କୁ ପୁରସ୍କୃତ କରିବାକୁ ଇଚ୍ଛା କରୁଥିଲୁ ! ତଥାକଥିତ ସହଜ ବିଷୟଗୁଡ଼ିକ ଉପରେ ରଚନା ଲେଖାଇବାର ଯେଉଁ ରୀତିଟି ବିଦ୍ୟାଳୟମାନଙ୍କରେ ଏତେ ଅଧିକ ପରିମାଣରେ ପ୍ରଚଳିତ ରହିଆସିଛି,–ଅର୍ଥାତ୍, ଘୁଷୁରି, ଚାହାକେଟଲି ଓ ଟେବୁଲ୍ ପ୍ରଭୃତି ବିଷୟରେ ଯେଉଁ ରଚନା ଲେଖିବାକୁ ଦିଆଯାଉଛି, ପିଲାମାନଙ୍କର ନିଜ ଅନୁଭୂତିରୁ ସମ୍ପୂର୍ଣ୍ଣ କାହାଣୀମାନ ଲେଖିବା ତୁଳନାରେ ତାହା ସେମାନଙ୍କ ଲାଗି ଅମାପ ଗୁଣରେ ଅଧିକ କଷ୍ଟକର ମନେ ହୋଇଥିଲା ।

 

ଶିକ୍ଷାଦାନର ଅନ୍ୟ ଯାବତୀୟ କ୍ଷେତ୍ର ପରି ଏହି କ୍ଷେତ୍ରରେ ମଧ୍ୟ ଏହି ଗୋଟିଏ ପ୍ରକାରର ଭୁଲ୍‍ର ସର୍ବଦା ପୁନରାବୃତ୍ତି କରାଯାଇଥାଏ: ଶିକ୍ଷକ ଭାବନ୍ତି ଯେ, ଯାହା ସବୁଠାରୁ ଅଧିକ ସରଳ ଓ ଅଧିକ ସାଧାରଣ, ତାହା ପିଲାମାନଙ୍କ ଲାଗି ନିଶ୍ଚୟ ସବୁଠାରୁ ଅଧିକ ସହଜ ହେବ । ମାତ୍ର, ଯାହା ଅଧିକ ଜଟିଳ ଏବଂ ଅଧିକ ଜୀବନ୍ତ, ପିଲାମାନଙ୍କୁ ତାହାହିଁ ସହଜ ବୋଲି ବୋଧ ହୋଇଥାଏ ।

 

ପ୍ରାକୃତିକ ବିଜ୍ଞାନର ଯେତେ ଯେତେ ପାଠ୍ୟପୁସ୍ତକ ରହିଛି, ସେଥିରେ ସାଧାରଣ ସିଦ୍ଧାନ୍ତଗୁଡ଼ିକ ହିଁ ସବାମୂଳରେ ରହିଥାଏ, ଭାଷାପୁସ୍ତକଗୁଡ଼ିକର ଆରମ୍ଭରେ ସଜ୍ଞାଗୁଡ଼ିକ ଦିଆଯାଇଥାଏ, ଇତିହାସକୁ ଭିନ୍ନ ଭିନ୍ନ କାଳରେ ବିଭକ୍ତ କରାଯାଇଥାଏ; ଏପରିକି ଜ୍ୟାମିତିରେ ମଧ୍ୟ ସ୍ଥାନ, କ୍ଷେତ୍ର ଓ ଗାଣିତିକ ବିନ୍ଦୁ ଭଳି ସୂକ୍ଷ୍ମ କଥାଗୁଡ଼ିକର ସଂଜ୍ଞା ବତାଇ ଦିଆ ଯାଇଥାଏ ।

 

ଶିକ୍ଷକମାନେ ପ୍ରାୟ ସମସ୍ତେ ଏହିପରି ଏକ ବିଚାରଦ୍ଵାରା ପରିଚାଳିତ ହୁଅନ୍ତି ଓ ରଚନା ଲେଖିବାର ସର୍ବପ୍ରଥମ ବିଷୟଗୁଡ଼ିକ ରୂପେ ପିଲାମାନଙ୍କୁ ଗୋଟିଏ ଟେବୁଲ୍ ବା ଗୋଟିଏ ବେଞ୍ଚର ସଂଜ୍ଞା ନିରୂପଣ କରିବାକୁ ଦେଇଥାଆନ୍ତି । ସେମାନେ ଆପଣାକୁ ଏତିକି ବୁଝାଇ ଦେଇ ପାରନ୍ତିନାହିଁ ଯେ, ଗୋଟିଏ ଟେବୁଲ୍ କିମ୍ବା ବେଞ୍ଚର ସଂଜ୍ଞା ଦେଇ ପାରିବାକୁ ହେଲେ ଦାର୍ଶନିକ ଓ ଯୁକ୍ତିମୂଳକ ଜ୍ଞାନର ସର୍ବୋଚ୍ଚ ଭୂମିରେ ଯାଇ ଠିଆ ହେବାକୁ ପଡ଼ିବ ଏବଂ, ଟେବୁଲ୍ ଓ ବେଞ୍ଚଗୁଡ଼ିକ ବିଷୟରେ ରଚନା ଲେଖିବାକୁ ପଡ଼ୁଥିବାରୁ ଆଖିରୁ ପାଣି ଗଡ଼ି ଆସୁଥିବା ବାଳକଟିଏ ଭଲ ପାଇବା ଓ ଘୃଣା କରିବାର ଆବେଗଟି ଉପରେ ପ୍ରଶଂସାଯୋଗ୍ୟ କେତେ କଣ ଲେଖିଦେଇ ପାରିବ,–ସେମାନଙ୍କ ନିଜ ଭିତରେ ହୋଇଥିବା ଏକ କଳହକୁ ମଧ୍ୟ କେଡ଼େ ସୁନ୍ଦର ଭାବରେ ବର୍ଣ୍ଣନା କରି କହିପାରିବ ।

 

ସେମାନଙ୍କର ଆଖି ଆଗରେ ଘଟିଥିବା କୌଣସି ଘଟଣା ବା ସେମାନେ ପଢ଼ିଥିବା କୌଣସି କାହାଣୀ,–ଏହିଗୁଡ଼ିକ ବିଷୟରେ ଲେଖିବାକୁ ସେମାନେ ସବୁଠାରୁ ଅଧିକ ପସନ୍ଦ କରନ୍ତି-

 

ରଚନା ଲେଖିବା ସେମାନଙ୍କର ଏକ ପ୍ରିୟ କାର୍ଯ୍ୟରେ ପରିଣତ ହୋଇଛି । ବିଦ୍ୟାଳୟ ସମୟର ବାହାରେ ହାତକୁ କାଗଜ ଓ ପେନସିଲ୍ ଆସିବା ମାତ୍ରକେ ବଡ଼ ପିଲାମାନେ ନିଜେ ଫାନ୍ଦି କରି ଗପଟିଏ ଲେଖି ପକାନ୍ତି ।

 

ଯେପରି ଅନିୟମିତ ଓ ଅନୁପାତଶୂନ୍ୟ ଭାବରେ ପିଲାମାନେ ସେମାନଙ୍କର ରଚନାଗୁଡ଼ିକୁ ଲେଖୁଥିଲେ, ସେଥିରେ ପ୍ରଥମେ ପ୍ରଥମେ ମୁଁ ଚିନ୍ତିତ ହୋଇ ପଡ଼ୁଥିଲି । ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେଉଥିଲି; ମାତ୍ର ସେମାନେ ମୋ’ ଅଭିପ୍ରାୟଗୁଡ଼ିକୁ ଏକାବେଳେକେ ଓଲଟା ବୁଝୁଥିଲେ ଏବଂ ସବୁକିଛି ଅତ୍ୟନ୍ତ ବିଗିଡ଼ି ଯାଉଥିଲା । ସେମାନଙ୍କର ଲେଖିବାରେ କୌଣସି ଶବ୍ଦଗତ ଭୁଲ୍ ରହିବନାହିଁ, ସତେଅବା ଏତିକି ବ୍ୟତୀତ ଏହି କ୍ଷେତ୍ରରେ ଅନ୍ୟ କୌଣସି ପ୍ରୟୋଜନ ରହିଛି ବୋଲି ସେମାନେ ସ୍ଵୀକାର କରିବାକୁ ରାଜୀ ହେଉନଥିଲେ । ଅବଶ୍ୟ ବର୍ତ୍ତମାନ ସ୍ଥିତି ଏପରି ହୋଇଛି ଯେ, ଯେତେବେଳେ ସେମାନଙ୍କର ରଚନାଟି ଅତ୍ୟଧିକ ପରିମାଣରେ ଲଟେଇ ଯାଉଛି ଅଥବା ଯଦି କଥାଗୁଡ଼ିକର ପୁନରାବୃତ୍ତି ହେଉଛି ବା ଲେଖିବାରେ କ୍ରମସଙ୍ଗତି ରହି ପାରୁନାହିଁ, ତେବେ ସେମାନେ ଅନେକ ସମୟରେ ଆପଣାଆଡ଼ୁ ହିଁ ମନ୍ତବ୍ୟମାନ କରି ପାରୁଛନ୍ତି । ସେମାନଙ୍କର ପ୍ରକୃତରେ କେଉଁସବୁ ଦାବୀ ରହିଛି ତାହାକୁ ଆଧାର ନିରୂପଣ ସହିତ କହିବା ପ୍ରକୃତରେ ଏକ କଠିନ କାର୍ଯ୍ୟ ସତ, ମାତ୍ର ସେହି ଦାବୀଗୁଡ଼ିକୁ ହିଁ ନିୟମରୂପେ ପାଳନ କରିବାକୁ ପଡ଼ୁଛି ।

 

କୌଣସି ସାଙ୍ଗ ଲେଖିଥିବା ଏକ ରଚନାକୁ ଶୁଣି ସେମାନଙ୍କ ମଧ୍ୟରୁ କେତେଜଣ ବେଳେ ବେଳେ “ବାଜେ” ବୋଲି ଚିତ୍କାର ବି କରନ୍ତି; ଶୁଣିଥିବା ଆଉଜଣକର ରଚନା କେଡ଼େ ଭଲ ହୋଇଛି ବୋଲି ଅନୁଭବ କରି କେତେ ପିଲା ନିଜର ରଚନାକୁ ପଢ଼ି ଶୁଣାଇବାକୁ ମୋଟେ ରାଜୀ ହୁଅନ୍ତିନାହିଁ, ଆଉ କେହି ଶିକ୍ଷକଙ୍କ ହାତରୁ ନିଜର ଖାତାଟିକୁ ଛଡ଼ାଇ ନେଇ ଦୁଇଖଣ୍ଡ କରି ଚିରି ଦିଅନ୍ତି । ସେମାନେ ରଚନାଟି ଯେପରି ହେବ ବୋଲି ଆଶା କରିଥିଲେ, ପଠିତ ହେବା ସମୟରେ ସେଇଟି ସେଭଳି ଶୁଭିଲାନାହିଁ ବୋଲି ହିଁ ସେପରି କରିଥାନ୍ତି । ସେମାନେ ସେଇଟିକୁ ନିଜେ ପଢ଼ିବେ ବୋଲି ଇଚ୍ଛା କରୁଥାନ୍ତି ।

 

ରଚନାଗୁଡ଼ିକରେ ପିଲାମାନଙ୍କର ଭିନ୍ନ ଭିନ୍ନ ସ୍ଵଭାବଗୁଡ଼ିକ ଏପରି ତୀକ୍ଷ୍‍ଣ ଭାବରେ ବ୍ୟସ୍ତ ହୋଇ ଯାଇଥାଏ ଯେ, କୌଣସି ଏକ ନିର୍ଦ୍ଦିଷ୍ଟ ରଚନାକୁ ସେମାନଙ୍କ ଭିତରୁ କିଏ ଲେଖିଥିବ ବୋଲି ଅନୁମାନ କରିବାଲାଗି ଆମେ ପିଲାଙ୍କ ଭିତରେ ଏକ ପ୍ରୟୋଗ ଆରମ୍ଭ କରିଦେବାକୁ ମଧ୍ୟ ଚେଷ୍ଟା କରିଥିଲୁ । ଏବଂ, ସବା ଉପର ଶ୍ରେଣୀରେ ଏହି ଅନୁମାନ କରିବାରେ କ୍ଵଚିତ୍ କୌଣସି ଭୁଲ୍ ହେଉଥିଲା ।

Image

 

ସପ୍ତବିଂଶ ଅଧ୍ୟାୟ

ରଚନାଗୁଡ଼ିକରୁ କେତୋଟି ନମୁନା

 

ସ୍ଥାନାଭାବ ହେତୁ ଆମେ ଭାଷା ଓ ଅନ୍ୟାନ୍ୟ ବିଷୟର ଶିକ୍ଷା ବିଷୟରେ ଏଠାରେ ଆଉ କୌଣସି ବର୍ଣ୍ଣନା ଦେବାନାହିଁ । ଶିକ୍ଷକମାନଙ୍କର ଡାଏରୀରୁ ମଧ୍ୟ ଆଦୌ କିଛି ଉଲ୍ଲେଖ କରିବାନାହିଁ-। ମାତ୍ର, ସବାଉପର ଶ୍ରେଣୀର ଦୁଇଜଣ ଛାତ୍ର ଯେଉଁ ରଚନାମାନ ଲେଖିଥିଲେ, ଆମେ ସେଥିରୁ କେତେକ ନମୁନା ଅବଶ୍ୟ ଦେବା । ସେମାନଙ୍କର ଲେଖାରେ କୌଣସି ପରିବର୍ତ୍ତନ କରିବାନାହିଁ ।

 

ଭାରି ଗରିବଘରର ପିଲାଟିଏ, କିନ୍ତୁ ମନରେ ଗଭୀର ଜିଜ୍ଞାସା ଓ ମୌଳିକତା ରହିଛି,–ସିଏ ନିକଟବର୍ତ୍ତୀ ସହର ଟୁଲା ବିଷୟରେ ଓ ତା’ ପାଠପଢ଼ା ବିଷୟରେ କେତୋଟି ରଚନା ଲେଖିଥିଲା । ବୟସ ଏଗାର ବର୍ଷ, ୟସନାୟା ପୋଲ୍ୟାନା ସ୍କୁଲରେ ତା’ର ତିନୋଟି ଶୀତ ଅତିବାହିତ ହୋଇଛି । ମାତ୍ର, ସିଏ ଆଗରୁ ମଧ୍ୟ ଆଉଗୋଟିଏ ସ୍କୁଲରେ ପଢ଼ିଥିଲା ।

 

ଟୁଲା

 

“ସେଥର ଏକ ରବିବାର ଦିନ ମୁଁ ପୁଣି ଟୁଲା ସହରକୁ ଯାଇଥିଲି । ଆମେ ସେଠାରେ ପହଞ୍ଚିବା ପରେ ଆମର ଶିକ୍ଷକଦୁହେଁ ଆମକୁ ରବିବାସରୀୟ ବିଦ୍ୟାଳୟକୁ ଯିବାକୁ କହିଥିଲେ । ଆମେ ଚାଲିଛୁ ଯେ ଚାଲିଛୁ, ଶେଷରେ ବହୁ କଷ୍ଟରେ ସେଠାରେ ଯାଇ ପହଞ୍ଚି ପାରିଲୁ । ଭିତରକୁ ଯାଇ ଦେଖିଲୁ, ସବୁପିଲା ନିଜ ନିଜ ଜାଗାରେ ବସିଛନ୍ତି । ସେଠାରେ ଆମ ବିଜ୍ଞାନ-ଶିକ୍ଷକଙ୍କୁ ମଧ୍ୟ ଦେଖିଲି । ତାଙ୍କୁ ମୁଁ “ଆପଣ କିପରି ଅଛନ୍ତି ?” ବୋଲି ପଚାରିଥିଲି ଓ ସିଏ ମଧ୍ୟ ମୋତେ “ତୁମେ କିପରି ଅଛ ?” ବୋଲି ପଚାରିଥିଲେ । ମୁଁ ଶ୍ରେଣୀ ଭିତରକୁ ଯାଇ ଟେବୁଲ୍ ପାଖରେ ଛିଡ଼ା ହେଲି । ମାତ୍ର, ସେଠାରେ ମୋତେ ସବୁକିଛି ଏପରି ଭାବରେ ଗୋଳମାଳିଆ ଲାଗିଲା ଯେ ମୁଁ ସେଠୁ ବାହାରି ସହର ଭିତରକୁ ଚାଲି ଆସିଲି । ବହୁତ ବାଟ ଚାଲି ଚାଲି କେକ୍ ତିଆରି କରୁଥିବା ଜଣେ ସ୍ତ୍ରୀଲୋକକୁ ଦେଖିଲି । ପକେଟରୁ ପଇସା ବାହାର କରି କେକ୍ କିଣିଲି । କିଣି ସାରି ପୁଣି ଚାଲିଲି । ତା’ ପରେ ଜଣେ ମଣିଷକୁ ଦେଖିଲି ଯିଏକି ଗୋଟିଏ ଉଚ୍ଚ ଅଟ୍ଟାଳିକାରେ ତଳ ଉପର ହେବାରେ ଲାଗିଥିଲା । କୋଉଠି ନିଆଁ ଲାଗିଛି କି କ’ଣ ବୋଲି ଦେଖୁଥିଲା । ବାସ୍, ଏତିକି ।”

 

ମୋ’ ପାଠପଢ଼ା ବିଷୟରେ ରଚନା

 

“ମୋତେ ଆଠବର୍ଷ ହୋଇଥିବା ସମୟରେ ମୋତେ ଗ୍ରୁମାରେ ରହୁଥିବା ଜଣେ ଗଉଡ଼ୁଣୀ ପାଖକୁ ପଠାଇ ଦିଆଗଲା । ସେଠାରେ ମୁଁ ବହୁତ କିଛି ଶିଖିଥିଲି । ମାତ୍ର ପରେ ସେହି କାମଗୁଡ଼ାକ ବଡ଼ ନୀରସ ଲାଗିଲା ଓ ମୁଁ କାନ୍ଦିବାକୁ ଆରମ୍ଭ କଲି । ସେଇଠୁ ସେ ଗଉଡ଼ୁଣୀ ହାତରେ ବାଡ଼ିଟିଏ ଧରି ମୋତେ ପିଟିଲା । ମୁଁ ଆହୁରି ବଡ଼ପାଟି କରି କାନ୍ଦିଲି । ତା’ର କିଛିଦିନ ପରେ ମୁଁ ସେଠାରୁ ଆମ ଘରକୁ ପଳାଇ ଆସିଲି । ଘରଲୋକଙ୍କୁ ସବୁ କଥା କହିଲି । ସେମାନେ ମୋତେ ଗଉଡ଼ୁଣୀ ପାଖରୁ ନେଇ ଆସି ଡୁଙ୍କାର ମାଆଙ୍କ ପାଖକୁ ପଠାଇଦେଲେ । ମୁଁ ସେଠାରେ ଭଲ ପଢ଼ିଲି । ସେଠାରେ କେହି କେବେ ମାରୁନଥିଲେ । ମୁଁ ସେଠାରେ ସବୁଯାକ ଅକ୍ଷର ଶିଖିଗଲି-। ତା’ ପରେ ମୋତେ ପୋଂକା ଡେମିଡୋଭିଚ୍‍ଙ୍କ ପାଖକୁ ପଠାଗଲା । ସିଏ ମୋତେ ଭାରି ନିଷ୍ଠୁର ଭାବରେ ପିଟୁଥିଲେ । ଥରେ ତାଙ୍କ ପାଖରୁ ମୁଁ ଲୁଚିକରି ପଳାଇ ଆସିଲି ଏବଂ ମୋତେ ଖୋଜିବା ସକାଶେ ସେ ଲୋକମାନଙ୍କୁ ପଠାଇଥିଲେ । ଲୋକମାନେ ମୋତେ ଖୋଜି ଯେତେବେଳେ ପୁଣି ତାଙ୍କ ପାଖକୁ ନେଇଗଲେ, ସେତେବେଳେ ସିଏ ମୋତେ ନେଇ ଗୋଟାଏ ଚଉକୀଗୋଡ଼ରେ ବାନ୍ଧିଦେଲେ ଓ ଗୋଛାଏ ବାଡ଼ି ନେଇ ବାଡ଼େଇବାକୁ ଲାଗିଲେ । ମୁଁ ଡକା ପାରି କାନ୍ଦିବାକୁ ଲାଗିଲି-। ତା’ ପରେ କିଛି ସମୟ ଉତ୍ତାରୁ ମୋତେ ସେଠାରୁ ଫିଟାଇ ବହି ପଢ଼ିବାକୁ କହିଲେ-। ମୁଁ ପଢ଼ୁଥାଏ ଓ ସେ କହୁଥାନ୍ତି, “ଗଧ ! ତୁ ଏମିତି ପଢ଼ି ଶିଖିଛୁ, ନାଇଁ ? ଗୋଟାଏ ଘୁଷୁରି ଛଡ଼ା ମୋଟେ କିଛି ନୁହେଁ ।”

 

ତଳେ ମୁଁ ଫେଡ଼କା ଲେଖିଥିବା ରଚନାରୁ ଦୁଇଟି ଦେଇଛି । ଗୋଟିଏ ମାଣ୍ଡିଆ ଫସଲ ବିଷୟରେ, ସେଇଟି ତାକୁ ଲେଖିବାକୁ ଦିଆ ଯାଇଥିଲା । ଏବଂ, ଟୁଲା ସହରକୁ ଯିବାପରେ ଆର ବିଷୟଟିକୁ ସେ ନିଜେ ଠିକ୍ କରିଥିଲା । ଫେଡ଼କା ଏହି ବିଦ୍ୟାଳୟରେ ତିନୋଟି ଶୀତ କଟାଇଛି । ବୟସ ଦଶ ।

 

ମାଣ୍ଡିଆ ଫସଲ

 

“ମାଣ୍ଡିଆ ବିଲରେ ଫଳେ । ଗଛଗୁଡ଼ିକ ପ୍ରଥମେ ସାଧାରଣତଃ ଶାଗୁଆ ଦିଶନ୍ତି । ଗଛମାନେ ପୂରା ବଢ଼ିଗଲେ ସେଥିରୁ କେଣ୍ଡା ବାହାରି ଆସେ ଓ ସେଗୁଡ଼ିକ ପାଚିଗଲେ ସ୍ତ୍ରୀଲୋକମାନେ ଯାଇ ତାକୁ କାଟିଆଣନ୍ତି । ଆଉ ଗୋଟିଏ ପ୍ରକାର ମାଣ୍ଡିଆ ଅଛି, ଠିକ୍ ଘାସଗଛ ପରି ଓ ଗାଈମାନେ ତାକୁ ଖାଇବାକୁ ଖୁବ୍ ଭଲ ପାଆନ୍ତି ।”

 

ଫେଡ଼କା କେବଳ ସେତିକି ଲେଖିଥିଲା । ଲେଖାଟି ଭଲ ହେଲାନାହିଁ ବୋଲି ଖୁବ୍ ସଚେତନ ଥିଲା ଓ ସେଥିପାଇଁ ଦୁଃଖ କରିଥିଲା । ଏବଂ, ଟୁଲା ସହର ବିଷୟରେ ସିଏ ଏହିପରି ଲେଖିଥିଲା :

 

ଟୁଲା ସହର

 

ସେତେବେଳେ ମୁଁ ଭାରି ସାନ ପିଲାଟିଏ ହୋଇଥିଲି । ମୋଟେ ପାଞ୍ଚ ବର୍ଷ ବୟସ । ଲୋକମାନେ ଟୁଲା ବୋଲି ଗୋଟିଏ ଜାଗାକୁ ଯାଉଥିଲେ ବୋଲି ମୁଁ ଅନେକ ସମୟରେ ଶୁଣୁଥିଲି-। ଟୁଲା କ’ଣ ବା କେଉଁଠାରେ, ସେ ବିଷୟରେ କିଛି ଜାଣିନଥିଲି । ତେଣୁ ବାପାଙ୍କୁ ପଚାରିଲି–“ବାପା, ତୁମେ ଯେଉଁ ଟୁଲା ବୋଲି ଜାଗାକୁ ଯାଉଛ, ସେହି ଜାଗାଟି କିପରି ? ଭଲ ଜାଗା ?”

 

ବାପା ହଁ ବୋଲି କହିଲେ ।

 

ତା’ ପରେ ମୁଁ କହିଥିଲି, “ମୋତେ ଥରେ ସେଠାକୁ ନିଅନ୍ତ ନାହିଁ ! ମୁଁ ବି ଟୁଲା ସହର ଦେଖିବି ।”

 

ବାପା କହିଲେ, “ହଉ, ରବିବାର ହେଉ, ତୋତେ ମୁଁ ସାଙ୍ଗରେ ନେଇଯିବି ।”

 

ମୁଁ ଭାରି ଖୁସୀ ହୋଇଗଲି ।

 

ଶେଷକୁ ରବିବାର ଆସିଲା । ବଡ଼ିସକାଳୁ ଉଠି ଦୁଆରକୁ ଯାଇ ଦେଖିଲି ଯେ ବାପା ଘୋଡ଼ାମାନଙ୍କୁ ନେଇ ଗାଡ଼ିରେ ଯୋଚିବାକୁ ଆରମ୍ଭ କଲେଣି । ମୁଁ ଜୋତା ମୋଜା ପିନ୍ଧି ପକାଇଲି-। ତର ତର ହୋଇ ଲୁଗାପଟାବି ପିନ୍ଧି ନେଲି । ପୋଷାକ ପିନ୍ଧି ଦୁଆରକୁ ଗଲାବେଳକୁ ବାପା ଘୋଡ଼ାମାନଙ୍କୁ ଯୋଚିସାରିଲେଣି । ମୁଁ ଗାଡ଼ିରେ ଯାଇ ବସିଲି ଓ ଗାଡ଼ି ଚାଲିଲା । ଯାଇ, ଯାଇ, ପ୍ରାୟ ନଅମାଇଲ୍ ବାଟ କଟିଗଲା । ମୁଁ ଗୋଟିଏ ଡେଙ୍ଗା ଗୀର୍ଜାଘର ଦେଖିବାକୁ ପାଇଲି ଓ “ବାପା, ଦେଖ, କେଡ଼େ ଡେଙ୍ଗା ଗୀର୍ଜାଟିଏ !” ବୋଲି ଚିତ୍କାର କଲି ।

 

ବାପା କହିଲେ, “ଅବଶ୍ୟ ଏଡ଼େ ବଡ଼ ଉଚ୍ଚ ନୁହେଁ, ମାତ୍ର ଖୁବ୍ ସୁନ୍ଦର ।” ମୁଁ କହିଲି, “ବାପା, ଚାଲ ଆମେ ଗୀର୍ଜା ଭିତରକୁ ଯିବା । ମୁଁ ସେଠି ପ୍ରାର୍ଥନା କରନ୍ତି ।”

 

ବାପା ମୋତେ ଭିତରକୁ ନେଇଗଲେ । ଆମେ ଭିତରକୁ ଯାଉଥିବା ସମୟରେ ଗୀର୍ଜାର ଘଣ୍ଟା ବାଜିବାକୁ ଆରମ୍ଭ କଲା । ମୋ’ କାନରେ ଢାଏଁ ଢାଏଁ ଶବ୍ଦ ଆସି ଶୁଭୁଥାଏ । ଏଇଟା କ’ଣ ବୋଲି ବାପାଙ୍କୁ ପଚାରିଲି । “ସେମାନେ କ’ଣ ଗୋଟାଏ ଢୋଲ ବାଡ଼ୋଉଛନ୍ତି କି ?”

 

ବାପା କହିଲେ, “ନାଇଁ, ବର୍ତ୍ତମାନ ସମବେତ ପ୍ରାର୍ଥନା ଆରମ୍ଭ ହେବ ।”

 

ଆମେ ବି ଗୀର୍ଜା ଭିତରକୁ ଗଲୁ, ପ୍ରାର୍ଥନା କଲୁ । ପ୍ରାର୍ଥନା ସାରି ବଜାରକୁ ଗଲୁ । ମୁଁ ଚାଲୁଥାଏ ଓ ଝୁଣ୍ଟିବାରେ ଲାଗିଥାଏ । ଚାଲିବା ସମୟରେ ଚାରିଆଡ଼କୁ ଅନାଇ ଦେଖୁଥାଏ ।

 

ଆମେ ବଜାର ଭିତରେ ଆସି ପହଞ୍ଚିଲୁ । ଜଣେ ଖାଇବା ଜିନିଷ ବିକ୍ରୀ କରୁଥିଲା ।

 

ମୁଁ ସେଥିରୁ କିଛି ନେବାକୁ ଇଚ୍ଛା କଲି । ମାତ୍ର, ସେଥିଲାଗି ପଇସା ଦେବାପାଇଁ ମୋ’ର ଆଦୌ ମନ ନଥାଏ । ବାପା କିନ୍ତୁ କହିଲେ “ସେମିତି ନିଅନ୍ତି ନାହିଁ; ନହେଲେ ସେମାନେ ତୋ’ ମୁଣ୍ଡରୁ ଟୋପିଟିକୁ କାଢ଼ି ନେଇଯିବେ ।”

 

ମୁଁ ପଚାରିଲି, “ମୋ’ ଟୋପି କାହିଁକି ନେଇଯିବେ ?” ବାପା ଉତ୍ତର ଦେଲେ, “ପଇସା ନଦେଇ ସେଥିରୁ ମୋଟେ କିଛି ନେବୁ ନାହିଁ ।’’ ମୁଁ କହିଲି, “ତେବେ ମୋତେ କିଛି ପଇସା ଦିଅ ମୁଁ ସେଥିରୁ କିଛି କିଣିବି ।”

 

ବାପା ପଇସା ଦେଲେ । ମୁଁ ଖାଇବା ଜିନିଷରୁ କିଛି କିଣିଲି ଓ ଖାଇ ଦେଇ କହିଲି, “ବାପା, ଭାରି ବଢ଼ିଆ ଲାଗିଲା !”

 

ସଉଦାକିଣା ସରିବା ପରେ ଆମେ ଘୋଡ଼ାମାନଙ୍କ ପାଖକୁ ଫେରି ଯାଇଥିଲୁ, ସେମାନଙ୍କ ଆଗରେ ନଡ଼ା ପକାଇଲୁ ଓ ପାଣି ପିଇବାକୁ ଦେଇଥିଲୁ । ସେମାନେ ସାଷ୍ଟାମ ହୋଇ ସାରିବାପରେ ଆମେ ସେମାନଙ୍କୁ ନେଇ ଗାଡ଼ିରେ ଯୋଚିଲୁ ଓ ଘରକୁ ଫେରିଲୁ । ଘରେ ପହଞ୍ଚି ମୁଁ ସମସ୍ତଙ୍କୁ ମୋ’ ଦିନଯାକର ସବୁ କଥା କହିଥିଲି; ମୁଁ କିପରି ଟୁଲା ସହରକୁ ଯାଇଥିଲି, ବାପା ଓ ମୁଁ କିପରି ଗୀର୍ଜାକୁ ଗଲୁ ଓ ପ୍ରାର୍ଥନା କଲୁ, ଇତ୍ୟାଦି ସବୁ କଥା । ତା’ପରେ ମୁଁ ଶୋଇବାକୁ ଗଲି ଓ ସ୍ଵପ୍ନରେ ଦେଖିଲି ଯେ ବାପା ପୁଣି ଟୁଲା ଯାଉଛନ୍ତି । ସାଙ୍ଗେ ସାଙ୍ଗେ ମୋ’ର ନିଦ ଭାଙ୍ଗି ଯାଇଥିଲା ଓ ମୁଁ ଦେଖିଲି ଯେ ସମସ୍ତେ ନିଘୋଡ଼ ନିଦରେ ଶୋଇଛନ୍ତି । ତେଣୁ ମୁଁ ମଧ୍ୟ ପୁନର୍ବାର ଶୋଇ ପଡ଼ିଲି ।”

Image

 

ଅଷ୍ଟାବିଂଶ ଅଧ୍ୟାୟ

ଆବୃତ୍ତି ଓ ପରୀକ୍ଷାମାନ

 

ବିଦ୍ୟାଳୟଟି ଆରମ୍ଭ ହେବା ଦିନଠାରୁ, ଏବଂ ବର୍ତ୍ତମାନ ମଧ୍ୟ ସେହି ଏକା ରୀତିଟି ପ୍ରଚଳିତ ଅଛି, ବାଇବେଲ୍ ଇତିହାସ ଓ ରୁଷିଆ ଇତିହାସର ଯାବତୀୟ କାର୍ଯ୍ୟକ୍ରମ ଆମର ଏହିପରି ଭାବରେ ଚାଲିଛି ! ପିଲାମାନେ ଶିକ୍ଷକଙ୍କୁ ଏକାଠି ଘେରିକରି ବସନ୍ତି ଏବଂ ଶିକ୍ଷକ କେବଳ ବାଇବେଲ୍ ପୁସ୍ତକ ଓ ରୁଷିଆ ଇତିହାସର ଗୋଟିଏ ପୁସ୍ତକ ବ୍ୟବହାର କରି ସେମାନଙ୍କୁ କାହାଣୀଗୁଡ଼ିକ କହନ୍ତି । ଏବଂ, ସବୁବେଳେ ସବୁ ପିଲା କଥା କହିବାକୁ ଆରମ୍ଭ କରିଦିଅନ୍ତି ।

 

ଯେତେବେଳେ ପିଲାମାନଙ୍କର ପାଟିରେ କାନ ଅତଡ଼ା ପଡ଼ିବାକୁ ଆରମ୍ଭ କରେ, ସେତେବେଳେ ଯାଇ ଶିକ୍ଷକ ପିଲାମାନଙ୍କୁ ଚୁପ୍ ରହିବାକୁ କହନ୍ତି ଏବଂ ଜଣକ ପରେ ଆଉଜଣକୁ କଥା କହିବାକୁ ଦିଅନ୍ତି । ଗୋଟିଏ ପିଲା କଥା କହୁ କହୁ ଗୋଳମାଳରେ ପଡ଼ିଯିବା ମାତ୍ରକେ ସିଏ ଆଉମାନଙ୍କୁ କହିବା ନିମନ୍ତେ ନିର୍ଦ୍ଦେଶ ଦିଅନ୍ତି । କୌଣସି ପିଲା ବୁଝିନାହିଁ ବୋଲି ଜାଣି ପାରିଲେ ସିଏ ତା’ ଠାରୁ ଟିକିଏ ଅଧିକ ଭଲ ପଢ଼ୁଥିବା କୌଣସି ପିଲାକୁ ଗଳ୍ପଟିକୁ କହିବାପାଇଁ କହନ୍ତି । ତଦ୍ଦ୍ଵାରା, ବୁଝି ନପାରିଥିବା ପିଲାମାନେ ଉପକୃତ ହୁଅନ୍ତି ।

 

ଆଗରୁ ଚିନ୍ତା କରି ଯେ ଏଭଳି ଯୋଜନାଟିଏ କରା ହୋଇଥିଲା, ସେକଥା ଆଦୌ ନୁହେଁ । ସତେଅବା ସବୁକିଛି ଆପେ ଆପେ ବିବର୍ତ୍ତିତ ହୋଇ ଆସିଥିଲା । ଏବଂ, ଉପସ୍ଥିତ ଥିବା ପିଲାମାନଙ୍କର ସଂଖ୍ୟା ପାଞ୍ଚ ବା ତିରିଶ ଯାହା ହୋଇଥାଉ ପଛକେ, ସବୁବେଳେ ବେଶ୍ ସଫଳତା ସହିତ ସେଇଟିକୁ କାର୍ଯ୍ୟକାରୀ କରାଯାଇଥାଏ । ଅବଶ୍ୟ ସର୍ତ୍ତ ହେଉଛି ଯେ, ଶିକ୍ଷକ ସମସ୍ତଙ୍କ ଉପରେ ଆଖି ରଖିଥିବେ, କାହାକୁ ହଲ୍ଲା କରିବାକୁ ଅନୁମତି ଦେବେନାହିଁ,–ଆଗରୁ କୁହା ଯାଇଥିବା ଶବ୍ଦଗୁଡ଼ିକୁ ପୁନରାୟ କହୁଥିବେ । ପିଲାମାନଙ୍କର ପାଟି କରିବାଟା ଯେପରି ଏକ ପାଗଳା ହାଟରେ ପରିଣତ ହୋଇ ନଯାଏ, ସେଥିପାଇଁ ସେ ସତର୍କ ରହିଥିବେ ମାତ୍ର, ସେହି ଆନନ୍ଦପୂର୍ଣ୍ଣ ଜୀବନ୍ତତା ଏବଂ ପ୍ରତିଯୋଗିତାର ସ୍ରୋତକୁ ଆବଶ୍ୟକତା ମୁତାବକ ନିଜର ପୂର୍ଣ୍ଣ ଆୟତ୍ତରେ ରଖିଥିବେ ।

 

ଗ୍ରୀଷ୍ମ ଋତୁରେ ବିଦ୍ୟାଳୟକୁ ବହୁ ସଂଖ୍ୟାରେ ପରିଦର୍ଶକମାନେ ଆସୁଥିବା ସମୟରେ ଏବଂ ଶିକ୍ଷକମାନେ ବି ବଦଳି ଯାଉଥିବା ବେଳେ ଆମର ଏହି କାର୍ଯ୍ୟଗୁଡ଼ିକର କ୍ରମରେ କିଞ୍ଚିତ୍ ପରିବର୍ତ୍ତନ କରାଯାଇଥିଲା ଏବଂ ଫଳରେ ଇତିହାସ-ଶିକ୍ଷା ଆଦୌ ସନ୍ତୋଷଜନକ ହୋଇ ପାରିଲାନାହିଁ । ପିଲାମାନେ ଏକାବେଳେକେ ହୋ’ ହୋ’ ହୋଇ ଉଠୁଥିବା ସମୟରେ ନୂଆ ଶିକ୍ଷକ ବେଶ୍ ଘବରାଇ ଯାଇଥିଲେ; ସିଏ ଭାବୁଥିଲେ ଯେ ଯେଉଁ ପିଲାମାନେ ନିଜର ଉଚ୍ଚତମ ସ୍ଵରରେ ପାଠଗୁଡ଼ିକର ଆବୃତ୍ତି କରୁଥିଲେ, ସେମାନେ ପ୍ରକୃତରେ କେବଳ ଆବୃତ୍ତି କରୁନଥିଲେ; ସିଏ ଭାବୁଥିଲେ ଯେ ସେମାନେ ଚିତ୍କାର କରିବାପାଇଁ ହିଁ ଚିତ୍କାର କରୁଥିଲେ । ଏତେ ପିଲାଙ୍କର ଭିଡ଼ ଭିତରେ ବେଶ୍ ଗରମ ଓ ଅଣନିଃଶ୍ଵାସୀ ବି ଲାଗୁଥିଲା । କେତେ ପିଲା ତାଙ୍କର ପିଠି ଉପରେ ଆସି ଲଦିହୋଇ ଯାଉଥିଲେ ଏବଂ ଠେଲାଠେଲି ହୋଇ ଏକାବେଳେକେ ତାଙ୍କର ମୁହଁ ଉପରେ ଆସି ପଡ଼ୁଥିଲେ ।

 

କାରଣ, ପିଲାମାନେ ଭଲ କରି ସବୁ ବୁଝନ୍ତୁ ବୋଲି ଯଦି ଇଚ୍ଛା କରୁଥିବେ, ତେବେ ସେମାନେ କଥା କହୁଥିବା ବ୍ୟକ୍ତିଟିର ଏକାବେଳେକେ ପାଖକୁ ଚାଲିଆସିବେ । ସେଥିରେ କେବେହେଲେ କୌଣସି ବ୍ୟତିକ୍ରମ ହେବନାହିଁ; ସେହି ବ୍ୟକ୍ତିଙ୍କର ମୁହଁର ଭାବରେ ଯାହାକିଛି ପରିବର୍ତ୍ତନ ହେଉଥିବ ଓ ସିଏ ଯେତେବେଳେ ଯେପରି ଅଙ୍ଗଭଙ୍ଗୀ କରୁଥିବେ, ସେଗୁଡ଼ିକୁ ସେମାନେ ଅବଶ୍ୟ ଲକ୍ଷ୍ୟ କରୁଥିବେ । ମୁଁ ଏକାଧିକ ବାର ଏହିପରି ଭାବିଛି ଯେ, କାହାଣୀ କହୁଥିବା ବ୍ୟକ୍ତି କାହାଣୀର ଯେଉଁ ଅଂଶଟି କହିବା ସମୟରେ ଯଥାର୍ଥ ଅଙ୍ଗଭଙ୍ଗୀଗୁଡ଼ିକୁ କରୁଥାନ୍ତି ଓ ଯଥାର୍ଥ ସ୍ଵର ଗୁଡ଼ିକର ପ୍ରୟୋଗ କରୁଥାନ୍ତି, ପିଲାମାନେ ସେହି ଅଂଶଗୁଡ଼ିକୁ ହିଁ ସବୁଠାରୁ ଅଧିକ ଭଲ ଭାବରେ ବୁଝିବାକୁ ସମର୍ଥ ହୋଇଥାନ୍ତି ।

 

ନୂଆ ଆସିଥିବା ଜଣେ ଶିକ୍ଷକ ପିଲାମାନଙ୍କୁ ଆଗ ବେଞ୍ଚଗୁଡ଼ିକ ଉପରେ ବସାଇଦେଲେ ଓ ଜଣ ଜଣ କରି ଉତ୍ତର ଦେବାକୁ କହିଲେ । ସିଏ ଯେଉଁ ପିଲାଟିକୁ ଉତ୍ତର ଦେବାକୁ କହୁଥିଲେ, ସିଏ ମୁହଁ ଖୋଲି କିଛି କହି ପାରୁନଥିଲା ଓ ଭାରି ଗୋଳମାଳରେ ଯାଇ ପଡ଼ି ଯାଉଥିଲା । ଏବଂ ତା’ପରେ, ଶିକ୍ଷକ ତା’ଆଡ଼କୁ ଆଦୌ ନଅନାଇ ପିଲାଟିର ଅସମର୍ଥତାରେ ସତେଅବା ଏକ ସହାନୁଭୂତି ପ୍ରକାଶ କରି ବା ମଧୁର ହସଟିଏ ହସି ହୁଏତ ଏହିପରି ନିଜର ପ୍ରତିକ୍ରିୟା ବ୍ୟକ୍ତ କରିବେ :

 

“ହଁ–ହେଲା । ଭଲ......ଖୁବ୍ ଭଲ ।’’–ଏହି କଥାଗୁଡ଼ିକୁ ସେ ସମ୍ପୂର୍ଣ୍ଣ ଭାବରେ ଜଣେ ଶିକ୍ଷକର ଭଙ୍ଗୀରେ କହୁଥିବେ, ଯାହାକି ଆମ ସମସ୍ତଙ୍କୁ ଖୁବ୍ ଭଲ ଭାବରେ ଜଣା ଅଛି ।

 

ପୁନଶ୍ଚ, ନିଜ ଅଭିଜ୍ଞତାରୁ ମୋ’ର ଦୃଢ଼ ପ୍ରତ୍ୟୟ ହୋଇ ଯାଇଛି ଯେ, ପିଲାମାନଙ୍କୁ ଏହିପରି ଭାବରେ ଅଲଗା ଅଲଗା ଜଣ ଜଣ କରି ପ୍ରଶ୍ନ କଲେ ତାହା ପିଲାର ବିକାଶରେ ଘୋର ଅନିଷ୍ଟ ଘଟାଇଥାଏ । ଶିକ୍ଷକ ଆପଣାକୁ ପିଲାଟିଠାରୁ ଅଧିକ ବୋଲି ଦର୍ଶାଇବାର ଧାରଣାରୁ ପ୍ରଶ୍ନ କରିବାର ଏହି ଧାରାଟିକୁ ଗ୍ରହଣ କରିଥାନ୍ତି । ଏବଂ, ମୁଁ ଏପରି ଏକ ଦୃଶ୍ୟକୁ ପ୍ରକୃତରେ ସବୁଠାରୁ ଅଧିକ ବ୍ୟାଘାତସୃଷ୍ଟିକାରୀ ବୋଲି ମନେ କରେ । ନିଜର କୌଣସି କର୍ତ୍ତୃତ୍ଵଶକ୍ତି ନଥାଇ ମଧ୍ୟ ଜଣେ ବୟସ୍କ ଗୋଟିଏ ପିଲାକୁ ଉତ୍ପୀଡ଼ିତ କରିବାକୁ ମନ କରୁଥାଏ । ପିଲାଟିଏ ଯେ ଲଜ୍ଜିତ ହୋଇ ତା’ ଆଗରେ ଛିଡ଼ା ହୋଇଥାଏ ଓ ତା’ ଦେହରୁ ଝାଳ ବୋହି ଯାଉଥାଏ, ଜଣେ ଶିକ୍ଷକ ପିଲାକୁ ସହ୍ୟ କରିବାକୁ ପଡ଼ୁଥିବା ଉତ୍ପୀଡ଼ନକୁ ଉତ୍ତମରୂପେ ଜାଣିଥାଏ । ଖୋଦ୍ ଶିକ୍ଷକକୁ ମଧ୍ୟ ତାହା ଅତ୍ୟନ୍ତ କ୍ଳାନ୍ତିକର ଓ କଷ୍ଟଦାୟକ ମନେ ହେଉଥାଏ; ମାତ୍ର ତଥାପି ସିଏ ଏପରି ଗୋଟିଏ ନିୟମ ତିଆରି କରି ରଖିଥାଏ ଯେ ପ୍ରତ୍ୟେକ ପିଲାକୁ ଏକା ଏକା କରି ଶିଖିବାପାଇଁ ଅଭ୍ୟସ୍ତ ହେବାକୁ ପଡ଼ିବ ।

 

ମାତ୍ର, ପିଲାକୁ ସିଏ କାହିଁକି ଏପରି ଏକ ଅଭ୍ୟାସ ଭିତରେ ନେଇ ପକାଇବ, ତାହାର କାରଣ କେହି ଜାଣି ନାହାନ୍ତି । ପିଲାଟି ଯେପରି ତା’ ମହାମହିମ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀଙ୍କ ସମ୍ମୁଖରେ ଗୋଟିଏ କାହାଣୀକୁ ପଢ଼ି ଶୁଣାଇ ପାରିବ, ସମ୍ଭବତଃ ସେଇଥିପାଇଁ ତାହା କରା ହୋଇଥାଏ । କେହି ହୁଏତ ମୋତେ ଏପରି କହିବେ ଯେ, ଏଭଳି ତାଲିମ ନପାଇଲେ କୋଉ ପିଲା କେତେ ମାତ୍ରାରେ ସାମର୍ଥ୍ୟ ହାସଲ କଲା, ସେହି କଥାଟିକୁ ଆଦୌ ନିର୍ଦ୍ଧାରଣ କରି ହେବନାହିଁ-। ମାତ୍ର, ମୁଁ ଉତ୍ତର ଦେଇ କହିବି ଯେ, ଘଣ୍ଟାକ ଭିତରେ ଗୋଟିଏ ଛାତ୍ରର ଜ୍ଞାନର ନିର୍ଦ୍ଧାରଣ କରିବା ଜଣେ ଅପରିଚିତ ବ୍ୟକ୍ତି ପାଇଁ କଦାପି ସମ୍ଭବ ହେବନାହିଁ ସିନା, କିନ୍ତୁ ଜଣେ ଶିକ୍ଷକ ଆଦୌ କୌଣସି ମୌଖିକ ଅଥବା ଲିଖିତ ପରୀକ୍ଷା ନନେଇ ମଧ୍ୟ ଜଣେ ଛାତ୍ର କେତେ ପରିମାଣରେ ସେହି ସାମର୍ଥ୍ୟଟିକୁ ଅର୍ଜନ କରି ପାରିଛି, ସେକଥା ଅବଶ୍ୟ ଜାଣିପାରିବ । ମୁଁ ଭାବୁଛି ଯେ, ପୁରାତନ ଅନ୍ଧବିଶ୍ଵାସର କେବଳ ଏକ ଅବଶେଷ ଭାବରେ ହିଁ ପିଲାମାନଙ୍କୁ ଅଲଗା ଅଲଗା ପ୍ରଶ୍ନ ପଚାରିବାର ଏହି ଧାରାଟି ବଳବତ୍ତର ରହିଛି । ପୁରାକାଳରେ ଶିକ୍ଷକମାନେ ସବୁକିଛିକୁ ମୁଖସ୍ଥ କରିବାଲାଗି ଛାତ୍ରମାନଙ୍କୁ ବାଧ୍ୟ କରୁଥିଲେ ଏବଂ ତେଣୁ ଶବ୍ଦ ପରେ ଶବ୍ଦ ଅନୁସାରେ ସମସ୍ତ ପାଠଟିକୁ ଛାତ୍ରମାନେ ପୁନରାବୃତ୍ତି କରି କହିବା ବ୍ୟତୀତ ସେମାନଙ୍କ ଶିକ୍ଷାଗତ ସଫଳତାର ବିଚାର କରିବା ନିମନ୍ତେ ସେମାନଙ୍କ ପାଖରେ କୌଣସି ଅନ୍ୟ ଉପାୟ ହିଁ ନଥିଲା । ତା’ପରେ ଜଣାପଡ଼ିଲା ଯେ ଗୋଟାଏ ଶୁଆ ପରି ଶବ୍ଦଗୁଡ଼ିକୁ ପୁନରାବୃତ୍ତି କରି କହିବାକୁ କଦାପି ଶିକ୍ଷା ବୋଲି କୁହାଯାଇ ପାରିବନାହିଁ । ତା’ ପରେ, ପିଲାମାନେ ଯାହାକିଛି ଶିକ୍ଷା କରିଛନ୍ତି, ଛାତ୍ରମାନଙ୍କୁ ତାହାକୁ ନିଜ ଭାଷାରେ କହିବାପାଇଁ କୁହାଗଲା । ତଥାପି, ପିଲାମାନଙ୍କୁ ଜଣ ଜଣ କରି ଡାକି ଶିକ୍ଷକର ଇଚ୍ଛା ଅନୁସାରେ ପଠିତ ପାଠର ଆବୃତ୍ତି କରାଇବାର ପ୍ରଥାଟିରେ ଏବେ ମଧ୍ୟ କୌଣସି ପରିବର୍ତ୍ତନ ହୋଇ ପାରିନାହିଁ ।

 

ଏହି କଥାଟି ଉପରେ ଆଦୌ କାହାରି ଦୃଷ୍ଟି ରହିଲାନାହିଁ ଯେ, ପାଠକୁ ମୁଖସ୍ଥ ରଖିଥିବା ଜଣେ ଛାତ୍ରକୁ ଆଦେଶ ଦେଇ ଯେକୌଣସି ସମୟରେ ଓ ଯେକୌଣସି ପରିବେଶରେ ସ୍ତୋତ୍ରାବଳୀ ଅଥବା କାହାଣୀଗୁଡ଼ିକର ପୁନରାବୃତ୍ତି ଅବଶ୍ୟ କରାଯାଇ ପାରିବ । ମାତ୍ର, ପିଲା ଯେପରି କୌଣସି ପାଠ୍ୟାଂଶର ମର୍ମକୁ ପ୍ରକୃତରେ ବୁଝି ଓ ସମଝି ପାରିବ ଏବଂ ତାହାକୁ ନିଜ ଭାଷାରେ ପ୍ରକାଶ କରି ପାରିବ, ସେଥିଲାଗି ସିଏ ତାହାର ଏକାନ୍ତ ଅନୁକୂଳ ଓ ଉପଯୁକ୍ତ ଏକ ପରିବେଶ ମଧ୍ୟରେ ରହିଥିବାର ସୁଯୋଗଟିକୁ ଅବଶ୍ୟ ଲାଭ କରି ପାରୁଥିବ ।

 

କେବଳ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ନୁହେଁ, ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ପ୍ରଶ୍ନଭିତ୍ତିକ ଯାବତୀୟ ପରୀକ୍ଷାରେ ପାଠ୍ୟାଂଶ ବା ପାଠବସ୍ତୁଗୁଡ଼ିକୁ ଶବ୍ଦକୁ ଶବ୍ଦ ମନେ ରଖିଥିବା ଉପରେ ହିଁ ମୂଲ୍ୟାୟନ କରାଯାଉଛି ବୋଲି ମୁଁ ଜାଣିବାକୁ ପାଉଛି । ମୋ’ ପଢ଼ିବା ସମୟରେ,–ମୁଁ ୧୮୪୫ ମସିହାରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ କରିଥିଲି,–ଏପରି ଶବ୍ଦକୁ ଶବ୍ଦ ମୁଖସ୍ଥ କରି ମୁଁ ଆଦୌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉନଥିଲି । ମୁଁ ପାରାକୁ ପାରା ମନେ ରଖିଥିଲି ଏବଂ, ଯେଉଁ ଅଧ୍ୟାପକମାନଙ୍କର ନୋଟକୁ ମୁଁ କଣ୍ଠସ୍ଥ କରି ରଖିଥିଲି, ସେମାନେ ମୋତେ ମୋଟେ ପାଞ୍ଚ ନମ୍ବର ଦେଇଥିଲେ ।

 

ୟାସନାୟା ପୋଲ୍ୟାନା ବିଦ୍ୟାଳୟର ଶିକ୍ଷାରେ ଯେଉଁ ପରିଦର୍ଶକମାନେ ପ୍ରଭୂତ କ୍ଷତିର କାରଣ ହୋଇଛନ୍ତି, ସେମାନେ ଗୋଟିଏ ଦୃଷ୍ଟିରୁ ମୋ’ର ବହୁତ ଉପକାର କରିଛନ୍ତି । ସେମାନେ ସୁନିଶ୍ଚିତ ଭାବରେ ମୋ’ ଭିତରେ ଏହି ବିଶ୍ଵାସଟିକୁ ଦୃଢ଼ କରି ଦେଇଛନ୍ତି ଯେ, ଯାବତୀୟ ଲିଖିତ ଏବଂ ମୌଖିକ ପରୀକ୍ଷା ପ୍ରକୃତରେ ମଧ୍ୟଯୁଗୀୟ ଶିକ୍ଷା ବ୍ୟବସ୍ଥାରେ ରହିଥିବା ଅନ୍ଧବିଶ୍ଵାସଟିର ଏକ ଅବଶେଷ ବ୍ୟତୀତ ଅନ୍ୟ କିଛି ନୁହେଁ ଏବଂ, ବର୍ତ୍ତମାନର ପରିସ୍ଥିତିରେ ସେଗୁଡ଼ିକ ନିଃସନ୍ଦେହ ଭାବରେ କ୍ଷତି ହିଁ କରିବେ ଓ ଏକାନ୍ତ ଅସମ୍ଭବ ବୋଲି ପ୍ରମାଣିତ ହେବେ ।

 

ଅନେକ ସମୟରେ, ପ୍ରାୟ ଏକ ପିଲାଳିଆ ଦାମ୍ଭିକତାର ପ୍ରଭାବରେ ପଡ଼ି, ମୁଁ କେତେକ ସମ୍ମାନାସ୍ପଦ ପରିଦର୍ଶକଙ୍କୁ ଗୋଟିଏ ଘଣ୍ଟା ସମୟ ମଧ୍ୟରେ ଆମ ପିଲାଏ ଲାଭ କରିଥିବା ଦକ୍ଷତା ସହିତ ପରିଚୟ କରାଇଦେବାକୁ ଇଚ୍ଛା ପୋଷଣ କରିଛି । ଫଳରେ ଏପରି ହୋଇଛି ଯେ, ସେମାନେ ଆଗରୁ ଯାହା ଜାଣିନଥିଲେ, ତାହାକୁ ବର୍ତ୍ତମାନ ଜାଣିପାରିଲେ ବୋଲି ଇଙ୍ଗିତ ଦେଇଛନ୍ତି । ଅର୍ଥାତ୍ ମୁଁ ସେମାନଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ କିମିଆଗିରି ଦ୍ଵାରା ଚକିତ କରି ଦେଇଛି, ଅଥବା ସେମାନେ ଅନୁଭବ କରିଛନ୍ତି ଯେ, ସେମାନେ ଯାହା ପ୍ରକୃତରେ ଅତ୍ୟନ୍ତ ଭଲ ଭାବରେ ଜାଣିଥିଲେ, ତାକୁ ଜାଣିନଥିଲେ ବୋଲି ଭାବୁଥିଲେ । ଏହିପରି ଭାବରେ ପରିଦର୍ଶକ ତଥା ମୋ’ ଭିତରେ ରୀତିମତ ଏକ ବିଭ୍ରମ ଓ ଭୁଲଧାରଣା ମଧ୍ୟ ଜନ୍ମଲାଭ କରୁଥିଲା । ସେମାନେ ମୋତେ ଅତ୍ୟନ୍ତ ବୁଦ୍ଧିମାନ୍ ଓ ମେଧାସମ୍ପନ୍ନ ବୋଲି ଭାବୁଥିଲେ, ଏହିସବୁ ବିଷୟରେ ଜଣେ ବିଶେଷଜ୍ଞ ବୋଲି ଭାବୁଥିଲେ ଏବଂ ମୁଁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେବାରେ ବିଶ୍ଵାସ କରେ ବୋଲି ଅନୁମାନ କରୁଥିଲେ । ତେବେ, ଶିକ୍ଷା ନିର୍ଦ୍ଦେଶକ ଓ ପର୍ଯ୍ୟବେକ୍ଷକମାନେ ଔପଚାରିକ ଭାବରେ ପରିଦର୍ଶନରେ ଆସିଲେ ପ୍ରକୃତରେ ଆହୁରି କ’ଣ ନଘଟନ୍ତା । ଆମର ଅଧ୍ୟୟନକ୍ରମରେ ଯେଉଁସବୁ ବ୍ୟାଘାତ ଉପସ୍ଥିତ ହୁଅନ୍ତା ଏବଂ ଏହିସବୁ ପରୀକ୍ଷା ଦ୍ଵାରା ପିଲାମାନଙ୍କର ବିଚାରରେ କିପରି ଗୋଳମାଳ ସବୁ ହୋଇଯାଆନ୍ତା, ସେବିଷୟରେ ଆଦୌ କିଛି ନ କହିବା ହିଁ ବରଂ ଭଲ ।

 

ବର୍ତ୍ତମାନ ପାଇଁ ମୋ’ର ଦୃଢ଼ ପ୍ରତ୍ୟୟ ହୋଇ ଯାଇଛି ଯେ, ଜଣେ ଶିକ୍ଷକ ଅଥବା ଅଚିହ୍ନା ବ୍ୟକ୍ତିଙ୍କ ପକ୍ଷରେ କୌଣସି ଛାତ୍ରର ସମସ୍ତ ଜ୍ଞାନ ବିଷୟରେ ଏକ ସମଷ୍ଟୀଭୂତ ଧାରଣା କରିନେବା କେବେହେଲେ ସମ୍ଭବ ହେବନାହିଁ । କୌଣସି ବିଷୟରେ ବର୍ଷ ବର୍ଷ ଧରି ମୁଁ ଯେଉଁ ଜ୍ଞାନ ଅର୍ଜନ କରିଛି, ତାହାର ଏକ ସମଷ୍ଟୀଭୂତ ଧାରଣା କରିବା ଯେପରି ଅସମ୍ଭବ, ଇଏ ମଧ୍ୟ ଠିକ୍ ସେହିପରି କଥା । ଚାଳିଶିବର୍ଷ ବୟସର ଜଣେ ଶିକ୍ଷିତ ବ୍ୟକ୍ତିକୁ ଭୂଗୋଳରେ ପରୀକ୍ଷା କରିବା ପରି ଦଶବର୍ଷର ଆଉଜଣେ ମନୁଷ୍ୟକୁ ମଧ୍ୟ ସେହିପରି ଏକ ପରୀକ୍ଷାରେ ନେଇ ବସାଇବାକୁ ମଧ୍ୟ ଅନୁରୂପ ଭାବରେ ଅଦ୍ଭୁତ ଏବଂ ନିର୍ବୋଧତାପୂର୍ଣ୍ଣ ବୋଲି କୁହାଯିବ । ସେମାନେ ଉଭୟେ କେବଳ ଶବ୍ଦକୁ ଶବ୍ଦ ପୁନରାବୃତ୍ତି କରି ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ ଏବଂ ଗୋଟିଏ ଘଣ୍ଟାରେ ସମୟ ମଧ୍ୟରେ ସେମାନଙ୍କର ଜ୍ଞାନର କଳନା କରିବା ପ୍ରକୃତରେ ଆଦୌ ସମ୍ଭବ ହେବନାହିଁ । ଉଭୟେ କ’ଣ ଜାଣିଛନ୍ତି ତାହାକୁ ପ୍ରକୃତରେ ଜାଣିବାକୁ ହେଲେ ସେମାନଙ୍କ ସହିତ ମାସ ମାସ ଧରି ଯାଇ ରହିବାକୁ ହିଁ ପଡ଼ିବ ।

 

ପରୀକ୍ଷା କହିଲେ ମୁଁ ପଚରା ହୋଇଥିବା କେତୋଟି ପ୍ରଶ୍ନର ଉତ୍ତର ଦେବାକୁ ହିଁ ବୁଝିଥାଏ; ଏବଂ, ଯେତେ ଯେତେ ସ୍ଥାନରେ ଏହି ପରୀକ୍ଷାର ପ୍ରଣାଳୀଟିକୁ ପ୍ରଚଳିତ କରା ଯାଇଥାଏ, ସେଠାରେ ସର୍ବତ୍ର ସେଥିପାଇଁ ନିରର୍ଥକ ଭାବରେ ଅଧିକା ପରିଶ୍ରମ କରିବାକୁ ପଡ଼େ,–କେତୋଟି ବିଶେଷ ପ୍ରବଣତା ରହିଥିବା ଆବଶ୍ୟକ ହୁଏ ଏବଂ ଏହାକୁ ପରୀକ୍ଷା ଅର୍ଥାତ୍ ପାଠଗୁଡ଼ିକୁ ପ୍ରସ୍ତୁତ କରି ରଖିବା ବୋଲି କୁହାଯାଏ । କୌଣସି ମାଧ୍ୟମିକ ବିଦ୍ୟାଳୟରେ ଜଣେ ଛାତ୍ର ଇତିହାସ ବା ଗଣିତ ଶିକ୍ଷା କରିଥାଏ ଏବଂ ତା’ସହିତ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ବିଦ୍ୟାକୁ ମଧ୍ୟ ହାସଲ କରିଥାଏ,–ତାକୁ ପରୀକ୍ଷାରେ ପଢ଼ୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ପାରିବାର କଳାଟିକୁ ମଧ୍ୟ ଆୟତ୍ତ କରିବାକୁ ହୋଇଥାଏ । ଏହି କଳାଟିକୁ ଶିକ୍ଷାର ଏକ ଉପଯୋଗୀ ଅଙ୍ଗ ବୋଲି ମୁଁ ଆଦୌ ବିଚାର କରୁନାହିଁ । ଜଣେ ଶିକ୍ଷକ ହିସାବରେ, ମୁଁ ନିଜେ ହାସଲ କରିଥିବା ଜ୍ଞାନକୁ ଯେତିକି ତାତ୍ପର୍ଯ୍ୟ ଦେଇ ଦେଖିଥାଏ, ମୋ’ର ଜଣେ ଛାତ୍ର ହାସଲ କରିଥିବା ଜ୍ଞାନକୁ ମଧ୍ୟ ସେତିକି ତାତ୍ପର୍ଯ୍ୟ ଦେଇ ଦେଖିଥାଏ । ଏବଂ, ଏକଥା ମଧ୍ୟ ସତ୍ୟ ଯେ, ମୋ’ର ଛାତ୍ରଟି ଏବଂ ମୁଁ କେହିକହିଲେ ଆଦୌ ଏହିପରି ଭାବରେ ଜ୍ଞାନ ଅର୍ଜନ କରିବାକୁ ବାଧ୍ୟ ହୋଇନାହୁଁ । ମାତ୍ର, ଯଦି ବାହାରର କୌଣସି ବ୍ୟକ୍ତି ତୁମେ ପ୍ରକୃତରେ କେତେ ପରିମାଣରେ ଜ୍ଞାନ ହାସଲ କରିଛ, ତାହା ମାପିକରି ଜାଣିବାକୁ ଇଚ୍ଛା କରୁଥାଏ, ତେବେ ସିଏ ଆମମାନଙ୍କ ସହିତ ଏକାଠି ରହୁ, ଫଳଗୁଡ଼ିକୁ ଜାଣୁ ଏବଂ, ଆମେ ହାସଲ କରିଥିବା ଜ୍ଞାନକୁ କେତେଦୂର ଜୀବନରେ ପ୍ରୟୋଗ କରି ପାରୁଛୁ, ସେ ସେଇଟି ବିଷୟରେ ମଧ୍ୟ ଅବଗତ ହେଉ ।

 

ଏହା ବ୍ୟତୀତ ଆଉ କୌଣସି ଉପାୟ ନାହିଁ; ଏବଂ ପରୀକ୍ଷା ଆଦିର ଯାହାକିଛି ପ୍ରୟାସ କରାଯାଉଛି, ତାହାକୁ କେବଳ ପ୍ରବଞ୍ଚନା, ମିଥ୍ୟା ଏବଂ ଶିକ୍ଷାର ପଥରେ ପ୍ରତିବନ୍ଧକ ବୋଲି ହିଁ କୁହାଯିବ । ଶିକ୍ଷାରେ କ୍ଷେତ୍ରରେ ସ୍ଵାଧୀନ ବିଚାରକ କେବଳ ଜଣେ ରହିଛି; ସିଏ ହେଉଛି ସ୍ଵୟଂ ଶିକ୍ଷକ; ଏବଂ, କେବଳ ଛାତ୍ରମାନେ ହିଁ ତାକୁ ଆୟତ୍ତ ମଧ୍ୟରେ ରଖିପାରିବେ ।

 

ଇତିହାସ ଶିକ୍ଷାରେ ଛାତ୍ରମାନେ ସମସ୍ତେ ଏକାଠି ମିଶି ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଥିଲେ ନିଜ ଜ୍ଞାନର ପରିଚୟ ଦେବାକୁ ଯେ ସେମାନେ ସେପରି କରୁଥିଲେ ତାହା ନୁହେଁ, ମାତ୍ର, ସେମାନଙ୍କୁ ଶିକ୍ଷାଦାନ ସମୟରେ ଯେଉଁ ଧାରଣାସବୁ ଦିଆ ଯାଇଥିଲା, ସେମାନଙ୍କ ମଧ୍ୟରେ ତାହାକୁ କଥାରେ ପ୍ରକାଶ କରିବାର ଏକ ପ୍ରୟୋଜନ ଅବଶ୍ୟ ରହିଥିଲା । ଗ୍ରୀଷ୍ମ ଋତୁରେ ନୂଆ ହୋଇ ଆସିଥିବା ଶିକ୍ଷକ ଅଥବା ମୁଁ କେହି ସେକଥା ବୁଝି ପାରିନଥିଲୁ; ଆମେ ଭାବୁଥିଲୁ ଯେ ଆମେ ଯେ ଆମେ ଏହା ଦ୍ଵାରା କେବଳ ସେମାନେ ଗ୍ରହଣ କରି ପାରିଥିବା ଜ୍ଞାନର ପରୀକ୍ଷା କରୁଛୁ ଏବଂ ସେହି କାରଣରୁ ହିଁ ସେମାନଙ୍କୁ ଜଣ ଜଣ କରି ପରୀକ୍ଷା କରିବାକୁ ହିଁ ଅପେକ୍ଷାକୃତ ଅଧିକ ସୁବିଧାଜନକ ବୋଲି ମନେ କରିଥିଲୁ । ଏହି ପଦ୍ଧତିଟି ପ୍ରକୃତରେ କାହିଁକି କ୍ଳାନ୍ତିକର ଓ କ୍ଷତିକାରକ, ମୁଁ ସେକଥାଟିକୁ ଆବିଷ୍କାର କରି ପାରିନଥିଲି ସତ, ମାତ୍ର ପିଲାମାନଙ୍କୁ ସ୍ଵାଧୀନତା ଦେବାରେ ମୋ’ର ଯେଉଁ ବିଶ୍ଵାସ ରହିଥିଲା, ତାହାହିଁ ମୋ’ ଲାଗି ପରିତ୍ରାଣର କାରଣ ହେଲା । ଅଧିକାଂଶ ପିଲା ଅଧିକରୁ ଅଧିକ ନିରୁତ୍ସାହିତ ଅନୁଭବ କରିବାକୁ ଆରମ୍ଭ କଲେ; ସେମାନଙ୍କ ମଧ୍ୟରେ ଥିବା ସବୁଠାରୁ ସାହସୀ ତିନିଜଣ ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଲାଗିଗଲେ ମାତ୍ର, ସବୁଠାରୁ ଅଧିକ ଲଜ୍ଜାକୁ ତିନିଜଣ ଆଦୌ କିଛି ନକହି ଖାଲି କାନ୍ଦୁଥିଲେ । ସେମାନେ ଶୂନ ପାଇଲେ । ଗ୍ରୀଷ୍ମଋତୁରେ ମୁଁ ବାଇବେଲ୍ କାହାଣୀର କ୍ଲାସଗୁଡ଼ିକୁ ଅତ୍ୟନ୍ତ ଅବହେଳା କରିଥିଲି ଏବଂ ଅନ୍ୟ ଶିକ୍ଷକଜଣକ,–ସିଏ ଶୃଙ୍ଖଳାକୁ ଅତ୍ୟନ୍ତ ଭଲ ପାଉଥିଲେ,–ସିଏ ପିଲାମାନଙ୍କୁ ବେଞ୍ଚ ଉପରେ ବସାଇ ରଖିବାରେ ପୂର୍ଣ୍ଣ ଅବସର ଲାଭ କରିଥିଲେ, ଜଣ ଜଣ କରି ସେମାନଙ୍କୁ ଖୁବ୍ ଉତ୍ପୀଡ଼ିତ କରିପାରିଲେ ଏବଂ ପିଲାମାନଙ୍କ ଠାରେ କୌଣସି ଅବାଧ୍ୟତା ଦେଖିବା ମାତ୍ରକେ ସେମାନଙ୍କ ପ୍ରତି ଆପଣାର କ୍ରୋଧକୁ ମଧ୍ୟ ପ୍ରକାଶ କରୁଥିଲେ ।

 

ଇତିହାସ କ୍ଲାସରେ ପିଲାମାନେ ବେଞ୍ଚରେ ନବସନ୍ତୁ, ଶିକ୍ଷକଙ୍କୁ ମୁଁ ସେକଥା କେତେ ଥର କହିଲି, ଏବଂ ମୋ’ର ସେହି ଅନ୍ୟ ପ୍ରକାରର ଭାବନାଟିକୁ ସେ ଅତ୍ୟନ୍ତ ଅକଠୋର ଓ ତେଣୁ କ୍ଷମଣୀୟ ବୋଲି ଗ୍ରହଣ କରିଥିଲେ । ମୋ’ର ପାଠକମାନେ ପ୍ରାୟ ସମସ୍ତେ ସେହିପରି ଭାବିବେ ବୋଲି ମୁଁ ଆଗରୁ ମଧ୍ୟ ଭଲକରି ଜାଣେ, ଏବଂ, ଆଗର ଶିକ୍ଷକ ଫେରିଆସିବା ପର୍ଯ୍ୟନ୍ତ ସେଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏବଂ, ତାଙ୍କର ଖାତାରୁ ଏହିସବୁ ମନ୍ତବ୍ୟ ଦେଖିବାକୁ ମିଳିଲା-। ଅମୁକର ପାଟିରୁ ପଦେହେଲେ କଥା ବାହାରିଲା ନାହିଁ, ଅମୁକର ଆଦୌ କିଛି କହିବାର ନଥିଲା, ଫେଡ଼କାର ଅବାଧ୍ୟତା ଦେଖି ମୁଁ ବିସ୍ମିତ ହୋଇଗଲି, କାରଣ ସେ ମଧ୍ୟ ମୁହଁ ଖୋଲି ଗୋଟିଏ କି ଶବ୍ଦ କହି ନଥିଲା, ଅମୁକ ପିଲାଟା ଆଗଠାରୁ ଆହୁରି ଅଧିକ ମାନ୍ଦା ହୋଇଗଲାଣି ପରା,–ଇତ୍ୟାଦି ଇତ୍ୟାଦି ।

 

ପ୍ରଥମ ପିଲାଟି ଜଣେ କୃଷକ କିମ୍ବା ଜଣେ ଦୋକାନୀର ପୁଅ,–ଦେହଟା ମୋଟା, ମୁହଁଟା ଲାଲ୍ ଚକଚକ ଦେଖାଯାଏ । ବଡ଼ ବଡ଼ ଆଖିପତା ଏବଂ ଆଖିଭିତରୁ ସବୁବେଳେ ଆଲୁଅ ବାହାରୁଥାଏ । ସିଏ ଚମଡ଼ାର ପ୍ୟାଣ୍ଟଟିଏ ପିନ୍ଧିଥାଏ, ଗୋଡ଼ରେ ପିନ୍ଧିଥିବା ବୁଟଜୋତାଗୁଡ଼ିକ ତା’ ବାପାର ବୁଟ୍ ପରି ବଡ଼ବଡ଼ ଦେଖାଯାଏ । ନାଲି ରଙ୍ଗର ଉଜ୍ଜ୍ୱଳ ଜାମାଟିଏ ପିନ୍ଧେ । ଏହି ପିଲାଟିର ସୁଖକର ଏବଂ ଆକର୍ଷକ ବ୍ୟକ୍ତିତ୍ଵରେ ମୁଁ ବିଶେଷ ଭାବରେ ଆକୃଷ୍ଟ ହୋଇ ପଡ଼ିଥିଲି, କାରଣ ପାଟୀଗଣିତରେ ଶ୍ରେଣୀରେ ସିଏ ସମସ୍ତଙ୍କ ଆଗରେ ରହିଥିଲା–ଗଣିତରେ ଯେକୌଣସି ହିସାବ ସିଏ ଚଟ୍ କରି କରି ଦେଉଥିଲା । ସବୁବେଳେ ଖୁସୀ, ସବୁବେଳେ ଭାରି ଜୀବନ୍ତ । ତା’ର ପଢ଼ିବା ଓ ଲେଖିବାକୁ କଦାପି ମନ୍ଦ ବୋଲି କୁହାଯାଇ ପାରିବନାହିଁ ।

 

ମାତ୍ର, ପ୍ରଶ୍ନଟିଏ ପଚରାହେବା ମାତ୍ରକେ ସିଏ କୁଞ୍ଚୁକୁଞ୍ଚିଆ ବାଳ ଝୁଲୁଥିବା ସୁନ୍ଦର ମୁଣ୍ଡଟିକୁ ଗୋଟିଏ ଆଡ଼କୁ ବଙ୍କାଇ ନେବ, ତା’ର ବଡ଼ ବଡ଼ ଆଖିପତାରୁ ଥପ ଥପ ଲୁହ ଗଡ଼ିବାକୁ ଆରମ୍ଭ କରିବ ଏବଂ ସିଏ ଯେପରି ସେଠୁ ପଳାଇଯାଇ ଆଉ କେଁଉଠି ଲୁଚି ରହିବାକୁ ଇଚ୍ଛା କରୁଥିବା ପରି ମନହେବ । ତା’ ଭିତରେ ଯେ ଅସହନୀୟ ଦୁଃଖ ରହିଥିଲା, ସେଥିରେ କୌଣସି ସନ୍ଦେହ ନାହିଁ । ଯଦି ତୁମେ ତାକୁ ଆବୃତ୍ତି କରିବାକୁ ବାଧ୍ୟ କରିବ, ତେବେ ସିଏ ମୁହଁ ଖୋଲି କିଛି କହିବ ସତ, ମାତ୍ର ନିଜ ମନରୁ ଗୋଟିଏ ବାକ୍ୟ ବି ତିଆରି କରି କହି ପାରୁନଥିବ । ତା’ର ପୂର୍ବ ଶିକ୍ଷକ ତା’ଭିତରେ ଏତେ ବେଶୀ ଭୟ ଆଣି ପୂରାଇ ଦେଇଛନ୍ତି କି ନାହିଁ, କେବଳ ଭଗବାନ ସେକଥା ଜାଣିଥିବେ । କାରଣ, ଆଗରୁ ଗୀର୍ଜାବିଭାଗର ଜଣେ ବ୍ୟକ୍ତି ତାକୁ ପାଠ ପଢ଼ାଉଥିଲେ । ଅଥବା, ଏହା କଣ ଆତ୍ମବିଶ୍ଵାସର ଅଭାବର ପରିଣାମ କି ? ଅଥବା, ଏକ ପ୍ରକାରର ଗର୍ବ ହେତୁ ହେଉଛି, ଯାହାଫଳରେ କି ସିଏ ନିଜଠାରୁ ଅନ୍ୟ ବାଳକମାନଙ୍କୁ କମ୍ ବୋଲି ଭାବୁଥିବାରୁ ସେମାନଙ୍କର ମେଳରେ ବେଶ୍ ଅଶ୍ଵସ୍ତିକର ବୋଧ କରୁଛି । କିମ୍ବା, ଏହି ବିଷୟଟିରେ ସିଏ ଅନ୍ୟମାନଙ୍କ ପଛରେ ରହିଛି ବୋଲି ନିଜପ୍ରତି ତା’ର ଏକ ବିରକ୍ତ ଭାବ ରହିଛି ? କାରଣ, ସିଏ ଆଗରୁ ମଧ୍ୟ ଥରେ ଶିକ୍ଷକଙ୍କର ଅଶ୍ରଦ୍ଧାର କାରଣ ହୋଇଛି । ଅଥବା, ଏହି କୁନି ଆତ୍ମାଟିକୁ ଶିକ୍ଷକ ତାକୁ ଉଦ୍ଦେଶ୍ୟ କରି ତରତର ହୋଇ କହି ପକାଇଥିବା କିଛି କଠୋର ଶବ୍ଦର ସମ୍ମୁଖୀନ ହେବାକୁ ପଡ଼ିଛି । କିମ୍ବା, ଏହି ସବୁକିଛି ଏକାଠି ମିଶି ହୁଏତ କିଛି ଘଟିଛି । ମାତ୍ର, ତା’ର ଏହି ଲଜ୍ଜାଳୁତା, ଏହାକୁ ଏକ ଅବାଞ୍ଛିତ ଆଚରଣ ବୋଲି ଯେତେ କୁହାଗଲେ ମଧ୍ୟ ତଥାପି, ଏହି ଶିଶୁଟି ମଧ୍ୟରେ ଯାହାକିଛି ସର୍ବୋତ୍ତମ, ସେଗୁଡ଼ିକ ସହିତ ଅତ୍ୟନ୍ତ ଅବିଚ୍ଛିନ୍ନ ଭାବରେ ସଂଲଗ୍ନ ହୋଇ ରହିଛି ଏବଂ କୌଣସି ଶାରୀରିକ ବା ନୈତିକ ଶୃଙ୍ଖଳା ଦ୍ଵାରା ଏହାକୁ ତା’ ଭିତରୁ ବଳପ୍ରୟୋଗ କରି ବାହାର କରିନେବା ସମ୍ଭବ ହେଲେ ମଧ୍ୟ ହୁଏତ ତା’ସହିତ ଆମେ ସେହି ପିଲାଟି ମଧ୍ୟରେ ରହିଥିବା କେତେ କେତେ ମୂଲ୍ୟବାନ୍ ଗୁଣକୁ ମଧ୍ୟ ଏକାବେଳେକେ ନଷ୍ଟ କରିଦେବା । ପୁନଶ୍ଚ, ସେଗୁଡ଼ିକ ନଥିଲେ ପିଲାଟିକୁ ଅଧିକ ଆଗକୁ ନେଇ ପାରିବା ପ୍ରକୃତରେ ଅତ୍ୟନ୍ତ କଷ୍ଟକର ହୋଇଯିବ ।

 

ନୂଆ ଶିକ୍ଷକଜଣକ ମୋ’ର ପରାମର୍ଶଟିକୁ ଶୁଣିଲେ ଏବଂ ଫଳରେ ପିଲାମାନଙ୍କୁ ବେଞ୍ଚଉପରୁ ଓହ୍ଲାଇ ଆଣିଲେ; ସେମାନଙ୍କୁ ସେ ସେମାନଙ୍କର ଖୁସୀ ଅନୁସାରେ ନିଜ ଚାରିପାଖରେ ଘେରି ରହିବାକୁ ଛାଡ଼ି ଦେଇଥିଲେ । ହୁଏତ କେହି ପିଲା ତାଙ୍କର ପିଠି ଉପରେ ଯାଇ ନାଉ ବି ହୋଇ ଯାଇଥିଲା । ଏବଂ, ସେ ଏହିପରି କରିବା ପରେ ସେମାନେ ସମସ୍ତେ ଅଭୂତପୂର୍ବ ଉତ୍ତମ ଭାବରେ ଉତ୍ତର ଦେବାକୁ ଆରମ୍ଭ କରି ଦେଇଥିଲେ । ଏବଂ, “ଅବାଦ୍ଦ ଅମୁକ ପିଲାଟା ମଧ୍ୟ କିଛି ନା କିଛି କହିଲା’’–ତାଙ୍କ ଡାଏରୀରେ ଏହି ମନ୍ତବ୍ୟଟି ଲେଖା ହୋଇଥିବାର ଦେଖିବାକୁ ମିଳିଥିଲା ।

Image

 

ଊନ୍ନତ୍ରିଂଶ ଅଧ୍ୟାୟ

ବିଦ୍ୟାଳୟର ପ୍ରାଣାତ୍ମା

 

ବିଦ୍ୟାଳୟରେ ଏପରି କିଛି ଅନିଶ୍ଚିତ ତଥା ପ୍ରାୟ ସ୍ଵତନ୍ତ୍ର ହୋଇ ରହିଥାଏ, ଯାହାକି ଜଣେ ଶିକ୍ଷକର ନିୟନ୍ତ୍ରଣ ମଧ୍ୟରେ କେବେହେଲେ ଧରା ଦିଏନାହିଁ, ଶିକ୍ଷାବିଜ୍ଞାନର ଆଦୌ କୌଣସି ସୂତ୍ରଦ୍ଵାରା ତାହାକୁ ଆଦୌ ଧରି ହୁଏନାହିଁ; ମାତ୍ର ତଥାପି ଆମ ଶିକ୍ଷାଦାନର କ୍ଷେତ୍ରରେ ଯାବତୀୟ ସଫଳତା ନିମନ୍ତେ ତାହାହିଁ ଅସଲ ମୂଳଦୁଆ ହୋଇ ରହିଥାଏ: ତାହାକୁ ଆମେ ବିଦ୍ୟାଳୟର ପ୍ରଣାତ୍ମା ବୋଲି କହିପାରିବା ।

 

ସେହି ପ୍ରାଣାତ୍ମା କେତେଗୁଡ଼ିଏ ନିୟମ ଓ ଜଣେ ଶିକ୍ଷକର ନକରାତ୍ମକ ପ୍ରଭାବ ଉପରେ ହିଁ ନିର୍ଭର କରୁଥାଏ । ଅର୍ଥାତ୍, ଶିକ୍ଷକକୁ କେତୋଟି କଥାରେ ସାବଧାନ ହୋଇ ରହିବାକୁ ପଡ଼େ, ତା’ ନହେଲେ ବିଦ୍ୟାଳୟର ସେହି ଭାଗବତ ରୂପଟି ଏକାବେଳେକେ ନଷ୍ଟ ହୋଇଯାଏ ।

 

ଉଦାହରଣ ସ୍ୱରୂପ, କୌଣସି ବିଦ୍ୟାଳୟରେ ଯେତିକି ଅଧିକ ପରିମାଣରେ ବାଧ୍ୟବାଧକତା ରହିଥାଏ ଓ ଶୃଙ୍ଖଳା ରକ୍ଷା କରା ଯାଉଥାଏ, ବିଦ୍ୟାଳୟର ଭାବକ୍ଷେତ୍ରରେ ସବୁକିଛି ସେହି ପରିମାଣରେ ହ୍ରାସ ହୋଇଯାଏ । ପିଲାମାନଙ୍କର ଭାବନାଶୈଳୀରେ ଶିକ୍ଷକ ଯେତିକି ହସ୍ତକ୍ଷେପ କରନ୍ତି, ଅସଲ ପ୍ରାଣଟି ସେତିକି ଅଧିକ ବ୍ୟାହତ ହୋଇପଡ଼େ । ଏବଂ, ପିଲାମାନଙ୍କର ସଂଖ୍ୟା ଉପରେ ମଧ୍ୟ ତାହା ଖୁବ୍ ନିର୍ଭରଶୀଳ ହୋଇ ରହିଥାଏ । କେତେ ସମୟ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢ଼ା ଯାଉଥାଏ, ଏକଥାଟି ମଧ୍ୟ ତାହାକୁ କମ୍ ବା ବେଶୀ କରାଇ ଦେବାରେ ଏକ ଉପାଦାନରୂପେ କାର୍ଯ୍ୟ କରେ; ଇତ୍ୟାଦି, ଇତ୍ୟାଦି । ସେହି ଭାବଟି ଅତ୍ୟନ୍ତ ତ୍ୱରାର ସହିତ ଗୋଟିଏ ପିଲା ପାଖରୁ ଆଉଗୋଟିଏ ପିଲା ପାଖକୁ ସଞ୍ଚାରିତ ହୋଇ ଆସିଥାଏ । ଏପରିକି ଜଣେ ଶିକ୍ଷକକୁ ମଧ୍ୟ ସଂକ୍ରାମିତ କରିପାରେ ଏବଂ ବସ୍ତୁତଃ ଆମେ କହୁଥିବା କଥାରେ, ଆଖି ଭିତରେ, ଯାବତୀୟ କ୍ରିୟାଶୀଳତାରେ ଏବଂ ଦେଖିକରି ଶିକ୍ଷା କରିବାର ଉତ୍ସାହ ଭିତରେ ମଧ୍ୟ ବାରି ହୋଇପଡ଼େ । ଏହାକୁ ସମ୍ପୂର୍ଣ୍ଣ ଭାବରେ ସ୍ପର୍ଶ କରିହୁଏ ଏବଂ ସର୍ବଦା ଏକାନ୍ତ ଅପରିହାର୍ଯ୍ୟ ଓ ଅମୂଲ୍ୟ ହୋଇ ରହିଥାଏ । ତେଣୁ, ସେଇଟି ପ୍ରତ୍ୟେକ ଶିକ୍ଷକର ମଧ୍ୟ ସର୍ବଦା ଲକ୍ଷ୍ୟ ହୋଇ ରହିଥିବା ଉଚିତ ।

 

ଖାଇବା ଜିନିଷ ହଜମ ହୋଇ ପାରିବା ସକାଶେ ମୁହଁ ଭିତରେ ଯେପରି ଲାଳର ଅବଶ୍ୟକତା ରହିଛି, ମାତ୍ର ଭୋଜନ ବ୍ୟତୀତ ଯେପରି ତାହା ଅତ୍ୟନ୍ତ ତାହା ଅରୁଚିକର ଓ ଅନାବଶ୍ୟକ ମନେ ହୋଇଥାଏ, ଠିକ୍ ସେହିପରି ଶ୍ରେଣୀବାହାରେ ଯେତେ କ୍ଳାନ୍ତିକାରକ ଓ ଅରୁଚିକର ମନେ ହେଉଥିଲହେଁ ନିରନ୍ତର ଉତ୍ସାହର ଏହି ଭାବଟି ବୌଦ୍ଧିକ ଯାବତୀୟ ଭୋଜନ ହଜମ ହୋଇ ପାରିବା ନିମନ୍ତେ ଏକ ଅପରିହାର୍ଯ୍ୟ ସର୍ତ୍ତ ପରି ହୋଇ ରହିଥାଏ । ମାତ୍ର, କୌଣସି କୃତ୍ରିମ ଉପାୟରେ ଏହି ଭାବଟିକୁ କଦାପି ଜାଗୃତ ତଥା ପ୍ରେରିତ ହେବନାହିଁ, ସେପରି କରିବାର ବସ୍ତୁତଃ କୌଣସି ପ୍ରୟୋଜନ ମଧ୍ୟ ନଥାଏ; କାରଣ ତାହା ସର୍ବଦା କେବଳ ସ୍ଵତଃସ୍ପୂର୍ତ୍ତ ଭାବରେ ହିଁ ଆବିର୍ଭୂତ ହୋଇଥାଏ ।

 

ବିଦ୍ୟାଳୟଟି ଆରମ୍ଭ ହେଉଥିବା ସମୟରେ ମୁଁ ବହୁତ ଭୁଲ କରିଥିଲି । ଶିକ୍ଷା କରିବା କ୍ଷେତ୍ରରେ କୌଣସି ଛାତ୍ର ନିଜର ମାନ୍ଦାଭାବ ଏବଂ ଅନିଚ୍ଛୁକତା ପ୍ରକାଶ କରିବା ମାତ୍ରକେ ଏବଂ, ଆମେ ଅତି ସାଧାରଣତଃ ଯେଉଁ ଅବସ୍ଥାକୁ ‘ମୂର୍ଖ’ ବୋଲି କହୁ, ସିଏ ସେହି ଅବସ୍ଥାକୁ ଆସି ଯାଉଥିବା ପରି ମନେ ହେବା ମାତ୍ରକେ, ମୁଁ ତାକୁ “ଡେଁ, ଡେଁ’’ ବୋଲି କହୁଥିଲି ।

 

ଏବଂ ପିଲାଟି ଡେଇଁବାକୁ ଆରମ୍ଭ କରି ଦେଉଥିଲା । ଅନ୍ୟ ପିଲାମାନଙ୍କ ସହିତ ସିଏ ନିଜେ ମଧ୍ୟ ସେଥିରେ ଭାରି ହସିବାକୁ ଆରମ୍ଭ କରି ଦେଉଥିଲା । ଏବଂ, କିଛି ସମୟ ଏହିପରି ଡେଇଁବା ପରେ ସିଏ ବେଶ୍ ଅଲଗା ପ୍ରକାରର ହୋଇ ଯାଉଥିଲା । ମାତ୍ର, କେତୋଟି ଥର ବ୍ୟାୟାମଟିକୁ କରିସାରିବା ପରେ, ତାକୁ ସେତେବେଳେ ଆଉ ଥରେ “ଡେଁ ଡେଁ’’ ବୋଲି କୁହାହେବା ମାତ୍ରକେ ସିଏ ସତେଅବା ଆହୁରି ଅଧିକ ଜଡ଼ତା ଓ ଅନିଚ୍ଛାର ବଶବର୍ତ୍ତୀ ହୋଇ ଯାଉଥିଲା ଓ ଶେଷକୁ ଭେଁ’ କରି କାନ୍ଦି ପକାଉଥିଲା ।

 

ତା’ର ମାନସିକ ଅବସ୍ଥାଟି ଯେପରି ହେବା କଥା, ସେପରି ନାହିଁ, ବୋଲି ସିଏ ବେଶ୍ ଜାଣି ପାରୁଥିଲା, ମାତ୍ର ସିଏ ତଥାପି ନିଜକୁ ବିହିତ ଭାବରେ ଚାଳିତ କରି ଆଣି ପାରୁନଥିଲା ଏବଂ, ଆଉଜଣେ କେହି ଆସି ତା’ର ସେହି ଦାୟିତ୍ଵଟି ଗ୍ରହଣ କରୁ ବୋଲି ମଧ୍ୟ ସେ ମୋଟେ ଇଚ୍ଛା କରୁନଥିଲା ।

 

ପିଲା ଏବଂ ବୟସ୍କ ଉଭୟେ କେବଳ ଏକ ଉଦ୍ଦୀପନାର ଅବସ୍ଥାରେ ହିଁ ଗ୍ରହଣଶୀଳ ହୋଇଥାନ୍ତି : ତେଣୁ, ବିଦ୍ୟାଳୟଟି ଖୁସୀ ଭିତରେ ଉଚ୍ଛଳ ହୋଇ ରହିଥିବାର ସ୍ଥିତିଟିକୁ ଶିକ୍ଷାଦାନର ପ୍ରତିକୂଳ ବୋଲି ଗ୍ରହଣ କରିବା,–ଏଇଟି ହେଉଛି ଏକ ସାଂଘାତିକ ଭୁଲ୍ ଏବଂ ଆମେ ବହୁତ ସମୟରେ ହିଁ ସେହି ଭୁଲ କରିଥାଉ । ମାତ୍ର, କୌଣସି ଶ୍ରେଣୀ ଭିତରେ ସେହି ଉଦ୍ଦୀପନା ଅତିବେଶୀ ହୋଇ ପଡ଼ି ଶିକ୍ଷକ ପାଇଁ ପିଲାମାନଙ୍କୁ ନିଜ ଆୟତ୍ତରେ ରଖିବାର ପଥରେ ପ୍ରତିବନ୍ଧକଟିଏ ହୋଇ ଠିଆ ହେବାକୁ ବସିଲେ, ତୁମେ ସେତେବେଳେ କିପରି ଭାବରେ ପିଲାମାନଙ୍କର ସେହି ଉଚ୍ଚରୋଳକୁ ଏଡ଼ି ପାରିବ ଓ ସେହି ଅବସ୍ଥାଟିକୁ ଶାନ୍ତ କରିଆଣି ପାରିବ ?

 

ଯଦି ଅଧ୍ୟୟନ ହିଁ ଉଦ୍ଦୀପନାର ଲକ୍ଷ୍ୟ ହୋଇଥାଏ, ତେବେ ତା’ଠାରୁ ଆଉ ଅନ୍ୟକିଛିକୁ କଦାପି ଅଧିକ କାମ୍ୟ ବୋଲି କୁହଯାଇ ପାରିବ ନାହିଁ । ମାତ୍ର, ଲକ୍ଷ୍ୟଟି ଯଦି ଆଉକିଛି ହେବାକୁ ଲାଗିଯାଏ, ତେବେ ତାହାକୁ ଶିକ୍ଷକଙ୍କର ଦୋଷ ବୋଲି ଅବଶ୍ୟ କୁହାଯିବ, କାରଣ ସିଏ ସେହି ଉତ୍ସାହକୁ ଉଚିତ ବାଟରେ ଆଦୌ ପରିଚାଳିତ କରି ନେଇ ପାରିଲେନାହିଁ । ପ୍ରାୟ ସର୍ବଦା ଅତ୍ୟନ୍ତ ଅଜାଣତ ଭାବରେ ଶିକ୍ଷକ ଏହି ସ୍ଥିତିଟିର ଯେଉଁଭଳି ସମାଧାନ କରନ୍ତି, ସେଇଟି ହେଉଛି ଯେ, ସେ ନିରନ୍ତର ସେହି ଉତ୍ସାହଟିକୁ ଆହୁରି ଖାଦ୍ୟ ଯୋଗାଇ ଦିଅନ୍ତି ଓ ତା’ପରେ ଅବସ୍ଥାଟିକୁ କ୍ରମଶଃ ଆୟତ୍ତାଧୀନ କରିଆଣନ୍ତି ।

 

ମନେକର, ତୁମେ ଜଣକୁ ଗୋଟିଏ ପ୍ରଶ୍ନ ପଚାରିଲ; ଦେଖିବା ଯେ ହୁଏତ ଆଉଜଣେ ସେହି ପ୍ରଶ୍ନଟିର ଉତ୍ତର କହିବାପାଇଁ ଇଚ୍ଛା କରୁଛି । ସିଏ ଉତ୍ତରଟିକୁ ଜାଣିଛି ! ତୁମଆଡ଼କୁ ହାମୁଡ଼େଇ ପଡ଼ି ସିଏ ଏକାବେଳେକେ ପୂରା ଆଖିରେ ତୁମକୁ ଅନାଇ ଦେଖୁଛି; ତା’ଭିତରୁ ବାହାରି ଆସିବାକୁ ଇଚ୍ଛା କରୁଥିବା ଶବ୍ଦଗୁଡ଼ିକର ସୁଅଟାକୁ ସିଏ ସତେଅବା ଆଦୌ ଅଟକାଇ ରଖି ପାରୁନାହିଁ । ସିଏ ଅତ୍ୟନ୍ତ ଉତ୍ସୁକ ଭାବରେ ଉତ୍ତର ଦେଉଥିବା ପିଲାଟିର ଉତ୍ତରକୁ କାନ ଦେଇ ଶୁଣୁଛି ଓ ତାକୁ କୌଣସି ଗୋଟିଏ ବି ଭୁଲ୍ କରିବାକୁ ଦେଉନାହିଁ । ଯଦି ତୁମେ ତାକୁ ପ୍ରଶ୍ନଟିକୁ ପଚାରିବ, ସିଏ ତା’ କଥାଟିକୁ ଅତ୍ୟନ୍ତ ଆଗ୍ରହର ସହିତ କହିଯିବ ଏବଂ, ଯାହାକିଛି କହିବ, ତାହା ତା’ର ସ୍ମୃତିରେ ସବୁଦିନ ପାଇଁ ଖୋଦିତ ହୋଇ ରଖିଯିବ । ମାତ୍ର, ଯଦି ତୁମେ ତାକୁ କହିବାଲାଗି ଅନୁମତି ନଦେବ ଓ ଏହିପରି ଭାବରେ ଅଧଘଣ୍ଟା ସକାଶେ ତାକୁ ଏପରି ଏକ ଉଦ୍ଦୀପନାର ସ୍ଥିତିରେ ରହିବାକୁ ଛାଡ଼ିଦେବ, ତେବେ ସିଏ ତା’ ପାଖରେ ବସିଥିବା ସାଙ୍ଗପିଲାଟିକୁ ହୁଏତ ଚୁମୁଟି ପକାଇବାରେ ଲାଗିଯିବ ।

 

ଆଉଗୋଟିଏ ଉଦାହରଣ :

 

ଯଦି ଜିଲ୍ଲାସ୍ତରୀୟ କୌଣସି ଶିକ୍ଷାନୁଷ୍ଠାନ କିମ୍ବା ଜର୍ମାନୀର କୌଣସି ବିଦ୍ୟାଳୟରେ ତୁମେ ଶ୍ରେଣୀ ଭିତରୁ ବାହାରକୁ ଚାଲିଆସିବ (ଏହି ବିଦ୍ୟାଳୟରେ ସବୁକିଛି ଶାନ୍ତ ଓ ସ୍ଥିର ହୋଇ ରହିଥାଏ) ଏବଂ ଶ୍ରେଣୀରେ ଥିବା ପିଲାମାନଙ୍କୁ “ତୁମେମାନେ ପଢ଼ୁଥାଅ’’ ବୋଲି କହିଥିବ, ଏବଂ, ଯଦି ଅଧଘଣ୍ଟାକ ପରେ ତୁମେ ପୁନର୍ବାର ଆସି ଦୁଆର ପାଖରେ ଛିଡ଼ା ହୋଇ କାନ ଡେରି ଶୁଣିବ, ତେବେ ଶ୍ରେଣୀଟି ଅତ୍ୟନ୍ତ ଜୀବନ୍ତ ହୋଇ ଉଠିଥିବାର ଜାଣିବାକୁ ପାଇବ । ମାତ୍ର, ଏହି କ୍ଷେତ୍ରରେ ଏକ ଭିନ୍ନ ଉଦ୍ଦେଶ୍ୟରେ ହିଁ ସମସ୍ତେ ଜୀବନ୍ତ ଓ ସରବ ହୋଇଥିବେ : ଉଦ୍ଦେଶ୍ୟ ହେଉଛି କେବଳ ଦୁଷ୍ଟାମି ।

 

ଆମର ଏହି ବିଦ୍ୟାଳୟରେ ଶ୍ରେଣୀଗୁଡ଼ିକରେ ମଧ୍ୟ ଆମେ ସେହି ପରୀକ୍ଷାଟି କରି ଦେଖିଛୁ । ପାଠପଢ଼ା ସମୟରେ ଆଗରୁ ମଧ୍ୟ ବେଶ୍ ଅନେକ ପରିମାଣରେ ଶୋରଗୋଳ ହେଉଥିବ ଏବଂ ଯଦି ତୁମେ ସେତିକିବେଳେ ଅଧାରୁ ବାହାରକୁ ଚାଲି ଆସିବ, ତେବେ ଫେରିଆସି ଦୁଆରବାଟେ ଭିତରକୁ ଅନାଇ ତୁମେ ଦେଖିବାକୁ ପାଇବ, ପିଲାମାନେ ତଥାପି ପାଠ ଆବୃତ୍ତି କରୁଛନ୍ତି, ପରସ୍ପରର ସଂଶୋଧନ ଏବଂ ତଦାରଖ ବି କରୁଛନ୍ତି ଏବଂ, ଅନେକ ସମୟରେ, ତୁମେ ବାହାରକୁ ଯାଇଛ ବୋଲି କୌଣସି ଦୁଷ୍ଟାମି ନକରି ସେମାନେ ତୁମର ଅନୁପସ୍ଥିତିରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସ୍ଥିର ହୋଇ ରହିଥିବେ ।

 

ପିଲାମାନଙ୍କୁ ବେଞ୍ଚ୍ ଉପରେ ବସାଇବାର ଏବଂ ଜଣେ ଜଣେ ପିଲାକୁ ଅଲଗା ଅଲଗା ଭାବରେ ପ୍ରଶ୍ନ ପଚାରିବାର ପଦ୍ଧତିଟିରେ ଯେଉଁଭଳି ହୋଇଥାଏ, ସେହିପରି ଏହି ପଦ୍ଧତିଟିରେ ମଧ୍ୟ ଖୁବ୍ ସହଜ କେତେ ଉପାୟସବୁ ଅବଶ୍ୟ ରହିଛି, ମାତ୍ର ସେଥିଲାଗି ତୁମ ପାଖରେ ଆବଶ୍ୟକ ଜ୍ଞାନ ରହିଥିବା ମଧ୍ୟ ଉଚିତ ଏବଂ ଯଦି ତୁମେ ସେହି ଉପାୟଗୁଡ଼ିକୁ କାର୍ଯ୍ୟରେ ନଲଗାଇବ, ତେବେ ତୁମର ପ୍ରଥମ ପ୍ରୟୋଗଟି ହୁଏତ ବିଫଳ ବି ହୋଇଯିବ । ତୁମେ ସମ୍ପୂର୍ଣ୍ଣ ସତର୍କ ରହିଥିବ ଏବଂ ଦେଖିବ ଯେ, କୋଳାହଳ କରିବାକୁ ଭଲ ଲାଗୁଥିବା ଏପରି ଅନେକ ପିଲା ଥିବେ ଯେଉଁମାନେ କି କେବଳ ବିଶୃଙ୍ଖଳା ସୃଷ୍ଟି କରିବାର ଉଦ୍ଦେଶ୍ୟରେ ହିଁ କୁହାଯାଇଥିବା ଶେଷ ଶବ୍ଦଟିର ପୁନରାବୃତ୍ତି କରିବାରେ ଲାଗିଥିବେ । ଗଣ୍ଡଗୋଳ କରିବା ନିମନ୍ତେ ସେମାନଙ୍କ ଭିତରେ ରହିଥିବା ଏହି ଆକର୍ଷଣ ଯେପରି ସେମାନଙ୍କ ସର୍ବପ୍ରଧାନ ଉଦ୍ଦେଶ୍ୟ ଓ ଆଗ୍ରହରେ ପରିଣତ ହୋଇ ନଯାଏ, ତୁମକୁ ସେଥିପାଇଁ ବହୁତ ସାବଧାନ ରହିବାକୁ ପଡ଼ିବ । ତୁମେ ସେମାନଙ୍କ ଭିତରୁ କେତେଜଣଙ୍କର ପରୀକ୍ଷା ନେବ ଓ ସେମାନେ ନିଜେ ନିଜେ ସମୁଦାୟ ପାଠଟିର ଆବୃତ୍ତି କରି ପାରୁଛନ୍ତି କି ନାହିଁ ଏବଂ ତାହାର ଅର୍ଥ ବୁଝିଛନ୍ତି କି ନାହିଁ, ସେହି କଥାଟି ଅବଶ୍ୟ ଦେଖିବ । ଯଦି ପିଲାମାନଙ୍କର ସଂଖ୍ୟା ଅତ୍ୟଧିକ ହୋଇଥାଏ, ତେବେ ତୁମେ ସେମାନଙ୍କୁ ଏକାଧିକ ଭାଗରେ ବାଣ୍ଟିଦେବ ଏବଂ ସେମାନେ ସାନ ଭାଗଟି ମଧ୍ୟରେ ପାଠଗୁଡ଼ିକୁ ଆବୃତ୍ତି କରି ପରସ୍ପରକୁ ଶୁଣାଇବେ । ନୂଆ ହୋଇ ଆସିଥିବା କୌଣସି ପିଲା ମାସକ ପର୍ଯ୍ୟନ୍ତ ମୁହଁ ନଖୋଲିଲେ ମଧ୍ୟ ଆଶଙ୍କା କରିବାର ଆଦୌ କୌଣସି କାରଣ ନାହିଁ । କୌଣସି କାହାଣୀରେ କିମ୍ବା ଅନ୍ୟ କେଁଉଥିରେ ତାହାର ଆଗ୍ରହ ରହିଛି କି ନାହିଁ, ତୁମେ କେବଳ ସେତିକି ଦେଖୁଥିବ । ନୂଆ ହୋଇ ଆସିଥିବା ଗୋଟିଏ ପିଲା ସାଧାରଣତଃ ବିଷୟରେ ବାହ୍ୟ ଦିଗଟିକୁ ବୁଝି ପାରୁଥାଏ ଏବଂ, ଅନ୍ୟ ପିଲାମାନେ କିପରି ବସିଛନ୍ତି, ଶିକ୍ଷକଙ୍କର ଓଠଗୁଡ଼ିକ କିପରି ଭାବରେ ଗତିଶୀଳ ହୋଇ ରହିଛନ୍ତି ଏବଂ ମଝିରେ ମଝିରେ ସବୁପିଲା କିପରି ହଠାତ୍ ଏକାଠି ଉଚ୍ଚ ସ୍ଵରରେ ରାବି ଉଠୁଛନ୍ତି, ସିଏ ସେହିଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବାରେ ସଂପୂର୍ଣ୍ଣ ରୂପେ ନିମଗ୍ନ ହୋଇରହିଥାଏ ଏବଂ ଯଦି ସିଏ ଥିର ପିଲାଟିଏ ହୋଇଥାଏ, ତେବେ, ଅନ୍ୟ ପିଲାମାନେ ଯେମିତି ବସିଛନ୍ତି, ସିଏ ମଧ୍ୟ ଠିକ୍ ସେହିପରି ବସିବାକୁ ଚେଷ୍ଟା କରୁଥିବ; ମାତ୍ର ଯଦି ସାହସୀ ହୋଇଥିବ, ତେବେ ଅନ୍ୟମାନଙ୍କ ପରି ସିଏ ମଧ୍ୟ ଚିଲେଇବାକୁ ଆରମ୍ଭ କରିଦେବ;–ଅବଶ୍ୟ ଆଦୌ କିଛି ବୁଝୁନଥିବ ଏବଂ, ପାଖର ପିଲାଟି ତାକୁ ଯେଉଁପରି କହୁଥିବ, ସିଏ ତାହାର ପୁନରାବୃତ୍ତି ହିଁ କରୁଥିବ । ଶିକ୍ଷକ ଓ ତା’ ସାଥିମାନେ ତାକୁ ଚୁପ୍ କରି ଦେଉଥିବେ ଏବଂ ତା’ଠାରୁ ପ୍ରକୃତରେ ଆଉକିଛି ଆଶା କରାଯାଉଛି ବୋଲି ସେତେବେଳେ ଯାଇ ସିଏ ବୁଝିବାକୁ ଆରମ୍ଭ କରିବ । ଏମିତି କିଛି ସମୟ କଟିଯିବ ଓ ସିଏ ନିଜେ ମଧ୍ୟ ଆବୃତ୍ତି କରିବାକୁ ଆରମ୍ଭ କରିଦେବ । ବୋଧର ଏହି କୁସୁମଟି ପ୍ରକୃତରେ କିପରି ବା କେତେବେଳେ ବିକଶିତ ହୋଇ ଆସିବାକୁ ଆରମ୍ଭ କରେ, ସେହି କଥାଟିକୁ କହିଦେଇ ପାରିବା ସର୍ବଦା ଅତ୍ୟନ୍ତ କଷ୍ଟକର ହୋଇଥାଏ ।

 

ବେଶୀ ଦିନର କଥା ନୁହେଁ, ଗୋଟିଏ ସାନ ଝିଅଠାରେ ବୋଧଶକ୍ତିର ସେହି କୁସୁମଟି କ୍ରମେ ଖୋଲି ଖୋଲି ଆସୁଥିବାର ପ୍ରକ୍ରିୟାଟିକୁ ଲକ୍ଷ୍ୟ କରି ଦେଖିବାପାଇଁ ମୋତେ ଗୋଟିଏ ସୁଯୋଗ ମିଳିଥିଲା । ପିଲାଟି ଭାରି ଦବି ଦବି ରହିଥିଲା, ମାସେ ପର୍ଯ୍ୟନ୍ତ ମୁହଁ ଖୋଲି ଶବ୍ଦଟିଏ ବି କହିନଥିଲା । ଜଣେ ଶିକ୍ଷକ ଶ୍ରେଣୀରେ ବସି ଆବୃତ୍ତି କରାଉଥାନ୍ତି, ମୁଁ କେବଳ ଜଣେ ଦର୍ଶକ ଭାବରେ ବସିଥାଏ । ସମସ୍ତେ ଆବୃତ୍ତି କରିବାକୁ ଆରମ୍ଭ କଲେ । ମୁଁ ଦେଖିପାରିଲି ଯେ ମାର୍ଫୃତକା (ସେଇ ଝିଅର ନାମ) ବେଞ୍ଚ୍ ଉପରୁ ତଳକୁ ଖସି ଆସିଲା; କାହାଣୀ–କହୁଥିବା ଲୋକମାନେ କେବଳ କାହାଣୀକୁ ଶୁଣିବାର ଭୂମିକାରୁ ଯେତେବେଳେ ନିଜେ କହିବେ ବୋଲି ମିଜାଜ ପରିବର୍ତ୍ତନ କରନ୍ତି, ସେତେବେଳେ ସେମାନେ ଯେଉଁପରି ଗତିଶୀଳ ହୋଇଥାନ୍ତି, ମୋତେ ଝିଅଟିର ଅଙ୍ଗଭଙ୍ଗୀ ଦେଖି ସେହିପରି ଲାଗିଲା । ଝିଅଟି ଆହୁରି ନିକଟକୁ ଚାଲି ଆସିଲା । ସମସ୍ତେ ଚିତ୍କାର କରୁଥିବା ବେଳେ ମୁଁ ତା’ଆଡ଼କୁ ଅନାଇ ଦେଖିଲି । ସିଏ ଧୀରେ ଧୀରେ ଓଠଗୁଡ଼ିକୁ ସଂଚାଳିତ କରୁଥାଏ ଏବଂ ତା’ ଆଖିଭିତରେ ବହୁ ଭାବନା ଏବଂ ସଜୀବତା ଭରି ରହିଥାଏ । ତା’ ଆଖି ହଠାତ୍ ମୋ’ ଆଖି ଦୁଇଟିକୁ ଆସି ହାବୁଡ଼ିଗଲେ, -ଏବଂ ସିଏ ଆଖିଗୁଡ଼ିକୁ ତଳକୁ କରିନେଲା । ପର ମୁହୂର୍ତ୍ତରେ ମୁଁ ପୁନର୍ବାର ଅନାଇ ଦେଖିଲି, ସିଏ ଆଗପରି ସେହିଭଳି ଫୁସଫୁସ୍ ହେଉଥିବା ପରି ଦିଶୁଥିଲା । ମୁଁ ତାକୁ ଆବୃତ୍ତି କରିବାକୁ କହିବା ମାତ୍ରକେ ସିଏ ବଡ଼ ଅଡ଼ୁଆରେ ପଡ଼ିଗଲା ପରି ହେଲା; ମାତ୍ର ଦୁଇଦିନ ଭିତରେ ସିଏ ଅତି ସୁନ୍ଦର ଭାବରେ ଗୋଟିଏ ସଂପୂର୍ଣ୍ଣ କାହାଣୀ କହି ପାରିଥିଲା ।

Image

 

ତ୍ରିଂଶ ଅଧ୍ୟାୟ

Unknown

ବାଇବେଲ୍ କାହାଣୀ

 

ଏହିସବୁ ଯାବତୀୟ ଆବୃତ୍ତି ଓ ଶିକ୍ଷଣରୁ ପିଲାମାନେ କେତେ ମନେ ରଖିପାରିଲେ ତାହା ଜାଣିବାପାଇଁ ଆମ ବିଦ୍ୟାଳୟରେ ନିମ୍ନଲିଖିତ ଭାବରେ ଏହିସବୁ କଥା କରାଯାଏ : ପିଲାମାନେ ନିଜେ ମନେ ରଖିଥିବା କଥାଗୁଡ଼ିକୁ ଲେଖନ୍ତି ଏବଂ ସେମାନେ ଯାହା ଲେଖନ୍ତି, ସେଥିରୁ କେବଳ ବନାନଭୁଲ୍ ଗୁଡ଼ିକୁ ସଂଶୋଧନ କରି ଦିଆଯାଏ । ଦର୍ଶବର୍ଷର ଗୋଟିଏ ପିଲାର ଖାତାରୁ ମୁଁ ଏହି ଲେଖାଟି ଉତାରି ଆଣିଛି ।

 

ଆଇଜାକ୍‍ର କାହାଣୀ : ଆବ୍ରାହାମ୍ ତାଙ୍କ ନିଜ ପୁଅ ଆଇଜାକକୁ ବଳି ଦେବେ ବୋଲି ଈଶ୍ଵର ତାଙ୍କୁ ଆଦେଶ ଦେଲେ । ଆବ୍ରାହାମ୍ ତାଙ୍କ ଚାକରମାନଙ୍କ ଭିତରୁ ଦୁଇଜଣଙ୍କୁ ସାଙ୍ଗରେ ନେଲେ, ଆଇଜାକ୍ କାଠ ଓ ନିଆଁ ଧରିଲା ଏବଂ ଆଇଜାକ୍‍ଙ୍କ ହାତରେ ଛୁରୀଟିଏ ଥାଏ । ସମସ୍ତେ ଖୋରେବ୍ ପର୍ବତପାଖରେ ଆସି ପହଞ୍ଚିବା ପରେ ଆବ୍ରାହାମ୍ ଚାକରମାନଙ୍କୁ ସେହିଠାରେ ରଖି ପୁଅକୁ ନେଇ ପର୍ବତ ଉପରକୁ ଗଲେ । ଆଇଜାକ୍ ପଚାରିଲା, “ବାପା, ସବୁ ଜିନିଷର ତ ଯୋଗାଡ଼ ହୋଇଗଲା, ମାତ୍ର ବଳି କାହିଁ ?’’

 

ଆବ୍ରାହାମ୍ କହିଲେ, “ଈଶ୍ଵର ମୋତେ ତୋତେ ଆଣିବାଲାଗି ଆଦେଶ ଦେଇଛନ୍ତି ।’’

 

ତା'ପରେ ଆବ୍ରାହାମ୍ କାଠଗଦାରେ ନିଆଁ ଲଗାଇଲେ ଓ ପୁଅକୁ ନେଇ ତା’ ଉପରେ ବସାଇଦେଲେ । ଆଇଜାକ୍ କହିଲା :

 

“ବାପା, ମୋତେ ବାନ୍ଧି ପକାଅ, ନଚେତ୍ ମୁଁ ତଳକୁ ହୁଏତ ଡେଇଁପଡ଼ିବି ଓ ତୁମକୁ ହତ୍ୟା କରିବି ।’’

 

ଆବ୍ରାହାମ୍ ତାକୁ ବାନ୍ଧି ଦେଲେ । ସିଏ ନିଜର ହାତ ଉଠାଇବାକୁ ଯାଉଛନ୍ତି, ଏହି ସମୟରେ ଜଣେ ଦେବଦୂତ ସ୍ଵର୍ଗରୁ ଉଡ଼ି ଆସି ତାଙ୍କ ହାତକୁ ଅଟକାଇ ଧରିଲେ ଓ କହିଲେ :

 

“ଆବ୍ରାହାମ୍, ନିଜ ପୁଅ ଦେହରେ ତୁମେ ଆଦୌ ହାତ ଦିଅନାହିଁ । ଈଶ୍ଵର ତୁମ ବିଶ୍ଵାସରେ ପ୍ରମାଣ ପାଇ ସାରିଲେଣି ।” ତାପରେ ଦେବଦୂତ କହିଲେ, “ତୁମେ ସେହି ବୁଦା ପାଖକୁ ଯାଅ । ଦେଖିବ, ତା’ଭିତରେ ଗୋଟିଏ ମେଣ୍ଢା ଛନ୍ଦିହୋଇ ପଡ଼ିଛି; ପୁଅ ବଦଳରେ ସେହି ମେଣ୍ଢାଟିକୁ ବଳି ଦିଅ ।’’

 

ଆବ୍ରାହାମ୍ ସେହିପରି କଲେ ଓ ମେଣ୍ଢାଟିକୁ ବଳି ଦେଲେ ।

 

କିଛିଦିନ ପରେ ପୁଅଟିର ବିବାହବୟସ ହୋଇଗଲା । ଏଲିଏଜେର୍ ନାମରେ ଜଣେ ବ୍ୟକ୍ତି ଥିଲା । ଆବ୍ରାହାମ୍ ତାକୁ ଡାକି କହିଲେ :

 

“ତୋତେ ପ୍ରତିଜ୍ଞା କରି କହିବାକୁ ହେବ ଯେ ତୁ ଆମର ଏହି ସହରକୁ କାହାକୁ କନିଆଁ ହିସାବରେ ବାଛିବୁ ନାହିଁ, ମାତ୍ର, ମୁଁ ଯେଉଁଠାକୁ ଯିବାକୁ କହିବି, ତୁ ସେଠାକୁ ଯିବୁ ।’’

 

ଆବ୍ରାହାମ ଲୋକଟିକୁ ମେସୋପୋଟାମିଆର ନାଚୋର୍ ନାମକ ସ୍ଥାନକୁ ପଠାଇଲେ । ଏଲିଏଜେର୍ ଓଟମାନଙ୍କୁ ନେଇ ନାଚୋର୍ ଅଭିମୁଖରେ ଯାତ୍ରା କଲେ । ଗୋଟିଏ କୂଅ ପାଖରେ ପହଞ୍ଚି ସିଏ ଭାବିଲେ :

 

“ହେ ଈଶ୍ଵର, ମୋତେ ଏପରି ଗୋଟିଏ ବାଳିକାକୁ ଆଣି ଦିଅ, ଯିଏକି ଏଠାକୁ ଆସି ମୋତେ ଓ ମୋ’ର ଓଟମାନଙ୍କୁ ପାଣି ପିଇବାକୁ ଦେବ ଏବଂ ତା’ ପରେ ସିଏ ଆମ ମୁନିବ ଆଇଜାକର କନିଆଁ ହେବ ।’’

 

ଏଲିଏଜେର୍ ଏତିକି କହିସାରିବା ମାତ୍ରକେ ସେଠାରେ କନିଆଁଟିଏ ଆସି ଉଭା ହୋଇଗଲା । ଏଲିଏଜେର୍ ତାକୁ ପିଇବାପାଇଁ ପାଣି ମାଗିଲେ । କହିଲେ, “ତୁ ମତେ ପିଇବାକୁ ପାଣି ଦେ ।’’

 

ଝିଅଟି ତାଙ୍କୁ ପାଣି ଆଣି ଦେଲା ଓ କହିଲା, “ତୁମ ଓଟମାନେ ବି ପାଣି ପିଇବେନାହିଁ-?’’

 

ଏଲିଏଜର୍ ଉତ୍ତର ଦେଲେ, “ହଁ, ସେମାନଙ୍କୁ ମଧ୍ୟ କିଛି ପାଣି ଦେ ।’’ ତେଣୁ ସେ ଝିଅ ଓଟମାନଙ୍କୁ ମଧ୍ୟ ପିଇବା ପାଇଁ ପାଣି ଦେଲା । ତା’ପରେ ସେହି ଝିଅକୁ ଗୋଟିଏ ହାର ଦେଇ ଏଲିଏଜେର୍ କହିଲେ :

 

“ମୁଁ ତୋ’ ଘରେ ରାତିଟା ରହି ପାରନ୍ତିନାହିଁ ?’’

 

ଝିଅ ହଁ ବୋଲି କହିଲା ।

 

ସେମାନେ ଝିଅଟିର ଘରେ ପହଞ୍ଚିଲା ବେଳକୁ ତା’ ଘରଲୋକେ ରାତ୍ରିଭୋଜନ କରୁଥିଲେ । ସେମାନେ ଏଲିଏଜେରଙ୍କୁ ମଧ୍ୟ ସେମାନଙ୍କ ସହିତ ବସି ଖାଇବାଲାଗି ଅନୁରୋଧ କଲେ । ଏଲିଏଜର ଉତ୍ତର ଦେଲେ, “ଆପଣମାନଙ୍କୁ ଗୋଟିଏ କଥା କହିବା ପୂର୍ବରୁ ମୁଁ ଆଦୌ ଅନ୍ନଗ୍ରହଣ କରିବିନାହିଁ ।’’ ତା’ପରେ ସେ ଯେଉଁ କାମ ପାଇଁ ଆସିଥିଲେ, ସେହି କଥାଟିକୁ କହିଦେଲେ ।

 

ଘରଲୋକେ କହିଲେ, “ ଆମେ ରାଜୀ, କିନ୍ତୁ ଝିଅ କ’ଣ କହୁଛି ?’’

 

ସେମାନେ ଝିଅକୁ ମଧ୍ୟ ପଚାରିଲେ । ସିଏ ବି ରାଜୀ ହେଲା । ତା’ପରେ ବାପା ମାଆ ରେବେକାକୁ କଲ୍ୟାଣ କଲେ । ଏଲିଏଜେର୍ ଝିଅକୁ ଓଟପିଠିରେ ବସାଇଲେ ଓ ସେମାନେ ସେଠାରୁ ପ୍ରସ୍ଥାନ କଲେ । ମାତ୍ର, ଆଇଜାକ୍ ସେତେବେଳକୁ ପଡ଼ିଆରେ ବୁଲୁଥିଲା । ରେବେକା ଆଇଜାକକୁ ଦେଖିଲା ଓ ଗୋଟିଏ ତଉଲିଆ ଦେଇ ନିଜର ମୁହଁକୁ ଆବୃତ କରିଦେଲା । ଆଇଜାକ୍ ତା’ ପାଖକୁ ଆସିଲା, ତା’ର ହାତକୁ ନିଜ ହାତରେ ଧରିଲା ଓ ତାକୁ ଘରକୁ ନେଇଗଲା । ତା’ପରେ ବିବାହ ହୋଇଗଲା ।

 

ଜାକବର କାହାଣୀ : (ଆଉଗୋଟିଏ ପିଲାର)

 

ଉଣେଇଶି ବର୍ଷ ହେଲା ରେବେକାର ଛୁଆପିଲା ହୋଇ ନଥିଲା । ତା’ପରେ ଜାଆଁଳା ଏସାଉ ଓ ଜାକବ୍ ଜନ୍ମ ହେଲେ । ଏସାଉର ମନ ଶିକାର କରିବାରେ ଲାଗିଗଲା, କିନ୍ତୁ ଜାକବ୍ ତା’ର ମାଆକୁ ସାହାଯ୍ୟ କରୁଥିଲା । ଥରେ ଏସାଉ ଜନ୍ତୁ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲା । ମାତ୍ର କୌଣସି ଜନ୍ତୁ ମିଳିଲେ ନାହିଁ । ସେ ବିରକ୍ତ ହୋଇ ଘରକୁ ଫେରିଲା । ଜାକବ୍ ଶାଗ ଦେଇ ଝୋଳ ରାନ୍ଧୁଥାଏ । ଏସାଉ ଘର ଭିତରକୁ ଆସି କହିଲା :

 

“ସେତକ ମୋତେ ଖାଇବାକୁ ଦେ’ !’’

 

“ତେବେ ତୋତେ ଜ୍ୟେଷ୍ଠ ହୋଇଥିବାର ଅଧିକାରଟି ମୋତେ ଦେବାକୁ ହେବ ।’’

 

“ଦେବି ।’’

 

“ତେବେ ପ୍ରତିଜ୍ଞା କର ।’’

 

ଏସାଉ ପ୍ରତିଜ୍ଞା କଲା । ତା’ପରେ ଯାଇ ଜାକବ୍ ତାକୁ ଶାଗର ଝୋଳତକ ଖାଇବାକୁ ଦେଲା ।

 

ଆଇଜାକ୍ ଅନ୍ଧ ହୋଇଯିବା ପରେ ଦିନେ କହିଲା ,

 

“ଏସାଉ, ମୋ’ ପାଇଁ କିଛି ଶିକାର ଆଣନ୍ତୁନାହିଁ ?’’

 

ଏସାଉ ଚାଲିଗଲା । ରେବେକା ସେକଥା ଶୁଣି ଜାକବ୍‍କୁ କହିଲା,

 

“ତୁ ଯାଆ ଓ ଦୁଇଟି ଛେଳିଛୁଆ ମାରି ନେଇଆ ।’’

 

ଜାକବ୍ ଦୁଇଟି ଛେଳିଛୁଆ ମାରି ମାଆକୁ ଆଣି ମାଂସ ଦେଲା । ମାଆ ମାଉଁସକୁ ରାନ୍ଧିଲେ ଓ ଜାକବ୍‍ର ଦେହ ଉପରେ ଚମଡ଼ାଗୁଡ଼ିକ ପକାଇଦେଲେ । ଜାକବ୍ ମାଉଁସ ନେଇ ବାପାଙ୍କ ପାଖକୁ ଗଲା ଓ କହିଲା :

 

“ତୁମ ଲାଗି ମୁଁ ତୁମର ପ୍ରିୟ ଖାଦ୍ୟଟିକୁ ନେଇକରି ଆସିଛି ।’’

 

ଆଇଜାକ୍ କହିଲା, “ଆହୁରି ଟିକିଏ ପାଖକୁ ଆସିଲୁ, ବାବୁ !’’ ଜାକବ୍ ପାଖକୁ ଗଲା । ଆଇଜାକ୍ ତା ଦେହ ଉପରେ ହାତ ମାରି କହିଲେ, “ପାଟି ଜାକବର, କିନ୍ତୁ ଦେହଟା ଏସାଉର ।’

 

ତା’ପରେ ସିଏ ଜାକବ୍‍କୁ ଆଶୀର୍ବାଦ ଦେଲେ । ଜାକବ୍ ଘରୁ ବାହାରି ଚାଲିଯାଉଛି, ସେତିକିବେଳେ ଏସାଉ ଆସି ପହଞ୍ଚିଗଲା ଓ କହିଲା,

 

“ବାପା, ତୁମେ ଯୋଉ ମାଂସ ଭଲ ପାଅ, ମୁଁ ସେହି ମାଂସ ଆଣିଛି ।’’

 

ଆଇଜାକ୍ କହିଲେ, “ଏସାଉ ପର ଇହାଦେ ମୋ’ ପାଖକୁ ଆସିଥିଲା !’’

 

“ନାଇଁ ବାପା, ଜାକବ୍ ତୁମକୁ ଏପରି କରି ଠକି ଦେଇଛି ।’’

 

ଏପରି କହି ସେ ବାହାରକୁ ଚାଲିଗଲା ଓ କାନ୍ଦିବାକୁ ଲାଗିଲା । କହିଲା : “ରହ, ରହ, ବାପା ମରନ୍ତୁ, ମୁଁ ନିଶ୍ଚୟ ଏହାର ପ୍ରତିଶୋଧ ନେବି !’’

 

ରେବେକା ଜାକବ୍‍କୁ କହିଲା, “ତୁ ଯାଇ ତୋ’ ବାପାଙ୍କୁ ଗୋଟାଏ ବର ମାଗିବୁ ଓ ତା’ପରେ ଶୀଘ୍ର କକା ଲାବାନ୍‍ଙ୍କ ପାଖକୁ ଚାଲିଯିବୁ । ଆଇଜାକ୍ ଜାକବ୍‍କୁ ଆଶୀର୍ବାଦ କଲେ ଓ ସେ କକା ଲାବାନ୍‍ଙ୍କ ପାଖକୁ ଚାଲିଗଲା । ଏମିତି ଯାଉଯାଉ କ୍ରମେ ରାତି ଆସିଲା । ସିଏ ବାହାରେ ଖୋଲାରେ ଶୋଇବ ବୋଲି ଚାଲିଗଲା । ସେଠାରେ ଖଣ୍ଡେ ପଥର ଦେଖିବାକୁ ପାଇଲା ଓ ତାହାକୁ ମୁଣ୍ଡତଳେ ଦେଇ ଶୋଇପଡ଼ିଲା । ତା’ପରେ ହଠାତ୍ ସ୍ଵପ୍ନରେ ଦେଖିଲା ଯେ, ଗୋଟିଏ ସିଡ଼ି ଏକାବେଳେକେ ମାଟି ଉପରୁ ଆକାଶ ମଧ୍ୟରୁ ଚାଲି ଯାଇଛି ଏବଂ ତା’ ଉପରେ ଦେବଦୂତମାନେ ଯିବାଆସିବା କରୁଛନ୍ତି । ଏବଂ, ସବା ଉପରେ ଈଶ୍ଵର ଠିଆ ହୋଇ କହୁଛନ୍ତି :

 

“ଜାକବ୍, ତୁ ଯେଉଁ ଭୂଇଁ ଉପରେ ଠିଆ ହୋଇଛୁ, ସେହି ଭୂଇଁକୁ ମୁଁ ତୋତେ ଓ ତୋ’ର ବଂଶଧରମାନଙ୍କୁ ଦାନ କରୁଛି ।’’

 

ଜାକବ୍‍ର ନିଦ ଭାଙ୍ଗିଗଲା । ସେ କହିଲା,

 

“ଏ ଜାଗାଟା କେଡ଼େ ଭୟଙ୍କର ଲାଗୁଛି ! ଏଇଟା ନିଶ୍ଚୟ ଈଶ୍ଵରଙ୍କର ଘର ହୋଇଥିବ-। ମୁଁ ଏଠାକୁ ଫେରିଆସି ଗୋଟିଏ ଗୀର୍ଜା ତିଆରି କରାଇବି ।’’

 

ତା’ ପରେ ସେ ଦୀପଟିଏ ଜଳାଇଲା ଓ ଘରୁ ବାହାରିଗଲା । ଗୋରୁଚରାଳି ମାନଙ୍କୁ ଗୋରୁ ଚରାଉ ଥିବାର ଦେଖିଲା । ସେମାନଙ୍କୁ ସେ କକା ଲାବାନ୍ କେଁଉଠାରେ ବାସ କରନ୍ତି ବୋଲି ପଚାରିଲା । ଗାଈଆଳମାନେ ଉତ୍ତର ଦେଇ କହିଲେ :

 

“ହେଇ ପରା ଲାବାନର ଝିଅ ମେଣ୍ଢାମାନଙ୍କୁ ପାଣି ପିଆଇବାକୁ ନେଉଛି ।’’

 

ଜାକବ୍ ଝିଅଟି ପାଖକୁ ଗଲା । ପଥରର ପାତ୍ରଟିକୁ ଝିଅଟି କୂଅଭିତରୁ ଉଠାଇ ଆଣି ପାରୁନଥିଲା । ଜାକବ୍ ସେଇଟିକୁ ଉଠାଇ ଆଣିଲା ଓ ମେଣ୍ଢାମାନଙ୍କୁ ପାଣି ଦେଲା ।’’ କହିଲା,

 

“ତୁ କାହା ଝିଅ ?”

 

“ଲାବାନ୍‍ର ।’’

 

“ମୁଁ ତୋ’ର ଭାଇ ହିସାବ ହେବି ।’’

 

ସେମାନେ ପରସ୍ପରକୁ ଚୁମା ଦେଲେ ଓ ଏକାଠି ହୋଇ ଘରକୁ ଗଲେ । କକା ଲାବାନ୍ ଜାକବ୍‍କୁ ଘରକୁ ପାଛୋଟି ନେଲା ଓ କହିଲା,

 

“ତୁ ମୋ’ ପାଖରେ ରହ, ଜାକବ୍ । ମୁଁ ତୋତେ ପଇସା ଦେବି ।’’

 

ଜାକବ୍ କହିଲା, ମୁଁ କାମ କରିବି ସିନା, ମାତ୍ର ପଇସା ନେବିନାହିଁ । ମାତ୍ର, ତୁମେ ତୁମ ସବାସାନ ଝିଅ ରାଚେଲକୁ ମୋ’ ହାତରେ ଦେବ ।’’

 

ଲାବାନ୍ କହିଲା, “ଆଗ ମୋ’ ପାଖରେ ସାତବର୍ଷ ରହିଲେ ମୁଁ ରାଚେଲକୁ ଦେବି ।’’

 

ଜାକବ୍ ସାତବର୍ଷ କାଳ ସେଠାରେ କାମ କଲା ଏବଂ, ତା’ର କକା ଲାବାନ୍ ରାଚେଲ୍ ପରିବର୍ତ୍ତେ ଆଉଗୋଟିଏ ଝିଅ ଲେଆକୁ ଆଣି ଦେଲା ।

 

“କକା, ମୋତେ ତୁମେ ଏମିତି କାହିଁକି ଠକିଦେଲ ?”

 

ଲାବାନ୍ କହିଲା, “ତୁ ମୋ’ ସହିତ ଆଉ ସାତ ବର୍ଷ ରହ, ତେବେଯାଇ ସବାସାନ ଝିଅ ରାଚେଲକୁ ପାଇବୁ । କାରଣ, ଆଗ ସାନଝିଅକୁ ପ୍ରଥମେ ବାହା ହେବା ଏଠିକାର ରୀତି ନୁହେଁ ।’’

 

ଜାକବ୍ କକାଘରେ ଆହୁରି ସାତବର୍ଷ ରହିଲା ଏବଂ ତା’ପରେ ଯାଇ ରାଚେଲକୁ ପାଇ ପାରିଲା ।

 

ଯୋସେଫ୍‍ର କାହାଣୀ

 

(ଆଠବର୍ଷର ଗୋଟିଏ ବାଳକର ଖାତାରୁ)

 

ଜାକବର ବାର ପୁଅ । ସେମାନଙ୍କ ମଧ୍ୟରୁ ସେ ଯୋଶେଫ୍‍କୁ ସବୁଠାରୁ ଅଧିକ ଭଲ ପାଉଥିଲା । ତା’ ପାଇଁ ଗୋଟିଏ ବହୁରଙ୍ଗର କୋଟ୍ ତିଆରି କରି ଦେଇଥିଲା । ଥରେ ଯୋଶେଫ୍ ଦୁଇଟି ସ୍ଵପ୍ନ ଦେଖିଲା ଓ ସେଗୁଡ଼ିକୁ ତା’ ଭାଇମାନଙ୍କ ଆଗରେ ଆସି କହିଲା: “ମୁଁ ଦେଖିଲି ଆମେ ସତେଯେପରି ମାଣ୍ଡିଆବିଲରୁ ମାଣ୍ଡିଆ କାଟୁଛୁ । କଟା ସରିବା ପରେ ସେଥିରୁ ବାରଟା ହଳା ବନ୍ଧାଗଲା । ମୋ’ ହଳାଟି ଭୂଇଁରେ ସିଧା ଠିଆହୋଇ ପାରିଲା, କିନ୍ତୁ ଅନ୍ୟ ଏଗାରଟିଯାକ ହଳ ସିଧା ଠିଆ ନହୋଇ ଗୋଟାଏ ଆଡ଼କୁ ନଇଁ ହୋଇ ପଡ଼ୁଥାଏ ।’’ ସେକଥା ଶୁଣି ଭାଇମାନେ କହିଲେ, “ତେବେ ଆମେ ବି କ’ଣ ଦିନେ ତୋ’ ଆଗରେ ନଇଁ କରି ଠିଆ ହେବୁ ?”

 

ସିଏ ଆଉଗୋଟିଏ ସ୍ଵପ୍ନ ମଧ୍ୟ ଦେଖିଥିଲା :

 

“ମୁଁ ଦେଖିଲି ଯେ ଆକାଶରେ ଥିବା ଏଗାରଟି ତାର, ସୂର୍ଯ୍ୟ ଓ ଚନ୍ଦ୍ର ମୋ ତାରାଟିକୁ ପୂଜା କରୁଛନ୍ତି ।’’

 

ଏକଥା ଶୁଣି ତା’ ବାପାମାଆ ତାକୁ ପଚାରିଲେ, “ତେବେ ଆମେ ବି କ’ଣ ତୋତେ ପୂଜା କରିବୁ ?”

 

ଭାଇମାନେ ଗୋରୁ ଚରାଇ ଚାଲିଗଲେ ଏବଂ ଯୋଶେଫ୍‍ର ବାପା ମା’ ହାତରେ ସେମାନଙ୍କ ପାଇଁ ଖାଇବା ପଠାଇଦେଲେ । ଭାଇମାନେ ତାକୁ ଦେଖି କହିଲେ,

 

“ହେଇ ସ୍ଵପ୍ନ ଦେଖୁଥିବା ବାବୁ ଆସିଗଲେ । ଚାଲ, ତାକୁ ଗୋଟାଏ ଗାଢ଼ୁଆ କୂଅରେ ପକାଇଦେବା ।”

 

ମାତ୍ର, ରୁବିନ୍ ମନେ ମନେ ଭାବିଲା,

 

“ତେବେ ସେମାନେ ଚାଲିଯିବା ପରେ ମୁଁ ତାକୁ କୂଅ ଭିତରୁ କାଢ଼ିନେଇ ଆସିବି । ମାତ୍ର ହେଇ, ବେପାରୀମାନେ ବି ଆସି ପହଞ୍ଚିଲେଣି ।’’

 

ତା’ ପରେ କହିଲା, “ଚାଲ, ଆମେ ତାକୁ ମିଶରର ବେପାରୀମାନଙ୍କୁ ବିକିଦେବା ।’’

 

ସେମାନେ ଏହିପରି ଭାବରେ ଯୋଶେଫ୍‍କୁ ବିକିଦେଲେ ଏବଂ ବେପାରୀମାନେ ତାକୁ ନେଇ ଦରବାରୀ ପୋଟିଫରକୁ ବିକିଦେଲେ । ପୋଟିଫର୍ ତାକୁ ଖୁବ୍ ଭଲ ପାଇଲା, ତା’ ସ୍ତ୍ରୀ-ମଧ୍ୟ ସେହିପରି ଭଲ ପାଇବାକୁ ଆରମ୍ଭ କଲା । ଥରେ ପୋଟିଫର୍ କୁଆଡ଼େ ଯାଇଥାଏ, ତା’ର ସ୍ତ୍ରୀ ଯୋଶେଫ୍‍କୁ କହିଲା, “ଯୋଶେଫ୍, ଚାଲ ଆମେ ମୋ’ ସ୍ଵାମୀକୁ ମାରିଦେବା, ତା’ ହେଲେ ତୁ ମୋର ସ୍ଵାମୀ ହେବୁ ।’’

 

ଯୋଶେଫ୍‍ ଉତ୍ତର ଦେଲା, “ତୁ ମୋତେ ଯଦି ଆଉଥରେ ଏକଥା କହିବୁ, ତେବେ ମୁଁ ତୋ’ ସ୍ଵାମୀ ଆଗରେ ଯାଇ କହିଦେବି ।’’

 

ପୋଟିଫୋର୍‍ର ସ୍ତ୍ରୀ ଯୋଶେଫ୍‍ ପିନ୍ଧିଥିବା ପୋଷାକକୁ ଧରି ବଡ଼ପାଟିରେ ଚିତ୍କାର କରିବାକୁ ଲାଗିଲା । ଚାକରମାନେ ତା’ ପାଟି ଶୁଣି ଧାଇଁ ଆସିଲେ । ତା’ପରେ ପୋଟିଫର୍ ମଧ୍ୟ ଘରକୁ ଫେରିଲା । ତା’ର ସ୍ତ୍ରୀ ତା’ଆଗରେ ଯାଇ କହିଲା ଯେ ଯୋଶେଫ୍ ତାକୁ (ସ୍ଵାମୀକୁ) ପ୍ରାଣରେ ମାରିଦେବ ବୋଲି ଭାବିଛି । ତା’ପରେ ସିଏ ତାକୁ (ସ୍ତ୍ରୀକୁ) ବାହା ହେବାକୁ ମନ କରିଛି । ପୋଟିଫର୍ ଯୋଶେଫ୍‍କୁ ବନ୍ଦୀଶାଳାକୁ ପଠାଇ ଦେଲା । ଯୋଶେଫ୍ ଜଣେ ଭଲ ମନୁଷ୍ୟ ଥିବାରୁ ସେଠାରେ ମଧ୍ୟ ବହୁତ କାମରେ ଆସିପାରିଲା ଏବଂ ଶେଷକୁ ତାକୁ ବନ୍ଦୀଶାଳାର ତତ୍ତ୍ଵାବଧାନରେ ରଖାଗଲା । ଦିନେ ଯୋଶେଫ୍ ବନ୍ଦୀଶାଳା ଭିତରେ ଚାଲି ଚାଲି ଦେଖାଇଲା ଯେ ଦୁଇଜଣ ବନ୍ଦୀ ଭାରି ବିରସ ହୋଇ ଗୋଟିଏ ଜାଗାରେ ବସିଛନ୍ତି । ଯୋଶେଫ୍ ସେମାନଙ୍କୁ ପଚାରିଲା,

 

“ତୁମେମାନେ ବିରସ ଦିଶୁଛ କାହିଁକି ?

 

ସେମାନେ ଉତ୍ତର ଦେଲେ, “ଗୋଟିଏ ରାତିରେ ଆମେ ଦୁଇଟି ସ୍ଵପ୍ନ ଦେଖିଲୁ ଯେ, ଆମକୁ କେହି ସେଗୁଡ଼ିକର ଅର୍ଥ କହିଦେଇ ପାରୁନାହାନ୍ତି ।’’

 

“କି ସ୍ଵପ୍ନ ?” –ଯୋଶେଫ୍‍ ପଚାରିଲା ।

 

ଜଣେ କହିବାକୁ ଆରମ୍ଭ କଲା, “ମୁଁ ଦେଖିଲେ ଯେ, ମୁଁ ଗଛରୁ ତିନୋଟି କୋଳି ତୋଳିଲି ଓ ସେଥିରେ ରସଯାକ ଚିପୁଡ଼ି ସମ୍ରାଟଙ୍କୁ ଦେଲି ।’’

 

ଯୋଶେଫ୍ କହିଲା, “ଏହାର ଅର୍ଥ ହେଉଛି ଯେ, ତୁମେ ଖଲାସ ହୋଇ ତିନିଦିନରେ ଘରକୁ ଚାଲିଯିବ ।’’

 

ଆରଜଣକ କହିଲା, “ମୁଁ ଦେଖିଲେ, ମୁଁ ଝୁଡ଼ିରେ ବାରୋଟି ପାଉଁରୁଟି ନେଇ ଯାଉଥିଲି-। ଚଢ଼େଇମାନେ ଉଡ଼ି ଉଡ଼ି ଆସି ପହଞ୍ଚିଗଲେ ଓ ରୁଟିକୁ ଖୁମ୍ପିବାକୁ ଲାଗିଲେ ।’’

 

ଯୋଶେଫ୍‍ କହିଲା, “ଏହି ତିନିଦିନ ଭିତରେ ତୁମକୁ ଫାଶୀ ଦିଆଯିବ ଏବଂ ଚଢ଼େଇମାନେ ଉଡ଼ିଆସି ତୁମର ଶରୀରକୁ ଖୁମ୍ପିବାରେ ଲାଗିବେ ।’’

 

ଘଟଣାଗୁଡ଼ିକ ସତ୍ୟ ହେଲା ।

 

ଥରେ ସମ୍ରାଟ ଗୋଟିଏ ରାତିରେ ଦୁଇଟି ସ୍ଵପ୍ନ ଦେଖିଲେ । ପଣ୍ଡିତମାନଙ୍କୁ ଡକାଇ ସେଗୁଡ଼ିକର ଅର୍ଥ ପଚାରିଲେ । ମାତ୍ର କେହି ଅର୍ଥ କରି ପାରିଲେନାହିଁ, ଖଲାସ ହୋଇଥିବା ବନ୍ଦୀଟି ଆଗର କଥା ମନେ ରଖିଥିଲା । ସେ କହିଲା, “ମୁଁ ଜଣେ ମଣିଷକୁ ଜାଣେ, ଯିଏକି ସ୍ଵପ୍ନଗୁଡ଼ିକର ଅର୍ଥ କହିଦେବ ।’’

 

ସମ୍ରାଟ ଯୋଶେଫ୍ ପାଇଁ ଗାଡ଼ି ପଠାଇଲେ । ଯୋଶେଫ୍ ଡକରା ହୋଇ ଆସିବାପରେ ସିଏ ତାଙ୍କ ସ୍ଵପ୍ନଟିକୁ ବର୍ଣ୍ଣନା କରି କହିଲେ :

 

“ମୁଁ ଦେଖିଲି, ମୁଁ ଗୋଟିଏ ନଦୀର କୂଳରେ ଛିଡ଼ା ହୋଇଛି । ସେଠାରେ ସାତୋଟି ହୃଷ୍ଟପୁଷ୍ଟ ଓ ଆଉ ସାତୋଟି ଦୁର୍ବଳିଆ ଗାଈ ଆସି ପହଞ୍ଚିଲେ । ଦୁର୍ବଳିଆମାନେ ହୃଷ୍ଟପୁଷ୍ଟମାନଙ୍କୁ ମାଡ଼ି ବସିଲେ ଓ ସେମାନଙ୍କୁ ପୂରା ଖାଇଦେଲେ । ମାତ୍ର ସେମାନେ ତଥାପି ମୋଟା ହେଲେନାହିଁ । ଏବଂ, ଆର ସ୍ଵପ୍ନଟିରେ ମୁଁ ଦେଖିଲି, ଗୋଟିଏ ଶସ୍ୟଗଛରେ ସାତୋଟି କେଣ୍ଡାରେ ଶସ୍ୟ ଥିଲା ଓ ଆର ସାତୋଟି କେଣ୍ଡାରେ ଶସ୍ୟଗୁଡ଼ିକ ଅଗାଡ଼ି ହୋଇ ଯାଇଥିଲା । ଅଗାଡ଼ିଗୁଡ଼ିକ ଶସ୍ୟ ଥିବା କେଣ୍ଡାଗୁଡ଼ିକୁ ଯାଇ ଗିଳିଦେଲେ । ମାତ୍ର, ତଥାପି ସେଇ ଅଗାଡ଼ି ହୋଇ ରହିଲେ ।’’

 

ଯୋଶେଫ୍‍ କହିଲା :

 

“ତାହାର ଅର୍ଥ ହେଉଛି: ସାତ ବର୍ଷ ଖୁବ୍ ଭଲ ଫସଲ ଫଳିବ ଓ ତା’ପରେ ସାତବର୍ଷ ଦୁର୍ବିକ୍ଷ ପଡ଼ିବ ।’’

 

ସମ୍ରାଟ ଯୋଶେଫ୍ ବେକରେ ଗୋଟିଏ ସୁନାହାର ପିନ୍ଧାଇଦେଲେ, ଡାହାଣ ହାତରେ ମୁଦିଟିଏ ବି । ସିଏ ତାକୁ ଶସ୍ୟାଗାରମାନ ତିଆରି କରିବାକୁ ଆଦେଶ ଦେଲେ ।

Image

 

ଏକତ୍ରିଂଶ ଅଧ୍ୟାୟ

ପିଲାଙ୍କ ପାଇଁ ବାଇବେଲ୍

 

ମୁଁ ଏପର୍ଯ୍ୟନ୍ତ ଯାହାସବୁ କହିଛି, ସେଗୁଡ଼ିକୁ ଧର୍ମର ଇତିହାସ, ରୁଷିଆର ଇତିହାସ, ପ୍ରାକୃତିକ ପୃଥିବୀର ଇତିହାସ ତଥା ଆଂଶିକ ଭାବରେ ପଦାର୍ଥବିଜ୍ଞାନ, ରସାୟନଶାସ୍ତ୍ର, ପ୍ରାଣୀବିଜ୍ଞାନ ବିଷୟରେ କହିଛି । ବିଶେଷ ଭାବରେ ସଙ୍ଗୀତ, ଗଣିତ ଏବଂ ଅଙ୍କନକୁ ଛାଡ଼ିଦେଲେ ପ୍ରାୟ ସବୁ ବିଷୟରେ ସନ୍ଦର୍ଭରେ ମୁଁ ସେଗୁଡ଼ିକୁ କହିଛି ଏବଂ, ଧର୍ମର ଇତିହାସ ବିଷୟରେ ଶିକ୍ଷାଦାନ ସମ୍ବନ୍ଧରେ ମୁଁ ବର୍ତ୍ତମାନ ଏହିପରି ହିଁ କହିବି :

 

ସର୍ବପ୍ରଥମ କଥା ହେଉଛି, ସବାଆଗ ପଢ଼ା ହେବାପାଇଁ ବାଇବେଲ୍‍ର ପ୍ରଥମ ପୁସ୍ତକଟିକୁ କାହିଁକି ବଛା ଯାଇଛି ? ଏକଥା ଅବଶ୍ୟ ସତ ଯେ, ସ୍ଵୟଂ ପିଲାମାନେ ଓ ସେମାନଙ୍କର ବାପମାଆ ଧର୍ମର ଇତିହାସ ବିଷୟରେ କିଛି ଜ୍ଞାନ ନିଶ୍ଚିୟ ଦିଆଯାଉ । ବୋଲି ସର୍ବଦା ଦାବୀ କରିଛନ୍ତି । ବସ୍ତୁତଃ, ଗତ ତିନିବର୍ଷ ମଧ୍ୟରେ ମୁଁ ଯାହାକିଛି ମୌଖିକ ଶିକ୍ଷାଦାନର ପ୍ରୟୋଗ କରିଛି, ଆପଣାର ମାନସିକ ସାମର୍ଥ୍ୟ ଦୃଷ୍ଟିରୁ ପିଲାମାନେ ବାଇବେଲ୍‍ର ବିଷୟଗୁଡ଼ିକୁ ହିଁ ସବୁଠାରୁ ଭଲଭାବରେ ବୁଝିଛନ୍ତି । ସେହି ଆରମ୍ବକାଳରେ ମୁଁ ଯେତେ ଯେତେ ଅନ୍ୟ ବିଦ୍ୟାଳୟଗୁଡ଼ିକୁ ବୁଲି ଦେଖିଛି ସେଗୁଡ଼ିକ ବିଷୟରେ ମଧ୍ୟ ଠିକ୍ ଏହିକଥା କୁହାଯାଇ ପାରିବ । ମୁଁ ପ୍ରୟୋଗ ସ୍ୱରୂପ ବାଇବେଲ୍‍ର ଦ୍ଵିତୀୟ ଭାଗଟିକୁ ପରୀକ୍ଷା କରିଛି, ରୁଷିଆର ଇତିହାସ ଓ ଭୂଗୋଳକୁ ମଧ୍ୟ ଚେଷ୍ଟା କରିଛି; ଏବଂ, ଆମ ସମୟରେ ଯାହା ସବୁଠାରୁ ଏତେ ଅଧିକ ଲୋକପ୍ରିୟ, ପ୍ରକୃତିବିଜ୍ଞାନର ବ୍ୟାଖ୍ୟାକୁ ମଧ୍ୟ ବାଛିଛି,–ମାତ୍ର ପିଲାମାନେ ଏହି ସବୁକିଛିକୁ ଖୁବଶୀଘ୍ର ଭୁଲି ଯାଇଛନ୍ତି, ଶୁଣିବା ସମୟରେ ମଧ୍ୟ ଭାରି କୁଣ୍ଠା ପ୍ରକାଶ କରିଛନ୍ତି । ମାତ୍ର, ସେମାନେ ବାଇବେଲ୍‍ର ପ୍ରଥମ ଭାଗଟିକୁ ପ୍ରବଳ ଆଗ୍ରହ ସହକାରେ ମନେ ରଖିଛନ୍ତି, ପଚାରିବା ମାତ୍ରେ ଡଗ ଡଗ କରି କହି ଦେଇ ପାରିଛନ୍ତି,–ଶ୍ରେଣୀଗୃହ ଏବଂ ଘର ଉଭୟ ସ୍ଥାନରେ କେଡ଼େ ଉତ୍ସାହ ଦେଖାଇଛନ୍ତି । ସେମାନେ ତାହାକୁ ଏତେ ଉତ୍ତମ ଭାବରେ ମନେ ରଖିଛନ୍ତି ଯେ କାହାଣୀ ଗୁଡ଼ିକ ପିଲାମାନଙ୍କୁ କୁହାଯିବାର ଦୁଇମାସ ପରେ ମଧ୍ୟ ସେମାନେ ସେଗୁଡ଼ିକୁ ନିଜ ମସ୍ତିସ୍କ ଭିତରୁ କାଢ଼ି ନିଜ ଖାତାମାନଙ୍କରେ ଲେଖିଦେଇ ପାରିଛନ୍ତି, କ୍ଵଚିତ୍ କୌଣସି କଥା ଛାଡ଼ି ଯାଇଛନ୍ତି ।

 

ମୁଁ ଭାବୁଛି, ମନୁଷ୍ୟଜାତିର ବାଲ୍ୟକାଳ ବିଷୟରେ ଲିଖିତ ଏହି ବହିଟି ପ୍ରତ୍ୟେକ ବ୍ୟକ୍ତିର ବାଲ୍ୟକାଳ ନିମନ୍ତେ ସର୍ବଦା ନିଶ୍ଚୟ ସର୍ବୋତ୍ତମ ପୁସ୍ତକ ହୋଇ ରହିଥିବ । ଏହି ବହିଟିକୁ ବଦଳାଇ ଆଉ କୌଣସି ଅନ୍ୟ ବହିର ବ୍ୟବହାର କରିବା ଆଦୌ ସମ୍ଭବ ହେବନାହିଁ । କେତେକ କ୍ଷେତ୍ରରେ ତାହାକୁ ଯେପରି କେତେକ ସ୍ଥାନରେ ପରିବର୍ତ୍ତିତ ଅଥବା ସଂକ୍ଷିପ୍ତ କରି ଦିଆଯାଇଛି, ମୁଁ ତାହାକୁ କ୍ଷତିକାରକ ବୋଲି ଭାବୁଛି । ସେଥିରେ ଲେଖା ହୋଇଥାଏ ପ୍ରତ୍ୟେକ ବସ୍ତୁ ଓ ପ୍ରତ୍ୟେକ ଶବ୍ଦ ଇତିହାସ ହିସାବରେ ନିର୍ଭୁଲ୍ ଏବଂ କଳାତ୍ମକତା କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ଉପାଦେୟ । ପୃଥିବୀର ସୃଷ୍ଟି ବିଷୟରେ ବାଇବେଲରେ ଯାହା ଲେଖା ଯାଇଛି, ତୁମେ ତାକୁ ପଢ଼ିବ ଏବଂ ତାପରେ ତାହାକୁ ସଂକ୍ଷିପ୍ତ କରି ପାଠ୍ୟପୁସ୍ତକରେ ଲେଖା ହୋଇଥିବା ବିବରଣୀଗୁଡ଼ିକୁ ପାଠ କରିବ, ତେବେ ଯାଇ ଏହାକୁ ଏପରି ବଦଳାଇ ଦେବାର ପଛରେ ରହିଥିବା ଅବିବେକିତାକୁ ତୁମେ ଅତ୍ୟନ୍ତ ସହଜରେ ବୁଝିପାରିବ । ବଦଳାଇ ଦିଆଯାଇ ଧର୍ମର ଇତିହାସରୂପେ ଲେଖା ଯାଇଥିବା କଥାଗୁଡ଼ିକୁ ପିଲାମାନେ କେବଳ ଘୋଷିକରି ହିଁ ମନେ ରଖିବେ; ମାତ୍ର, ବାଇବେଲ୍‍ର ମାଧ୍ୟମରେ ପିଲାପାଇଁ ସବୁକିଛି ଏପରି ଏକ ଜୀବନ୍ତ ଓ ବିପୁଳ ଚିତ୍ରରୂପେ ପ୍ରକାଶିତ ହୋଇ ଉଠିବ ଯେ, ସିଏ ତାହାକୁ ଭୁଲିଯିବ ନାହିଁ । ଯେତେବେଳେ ଆଦୌ କେଉଁଠାରେ କିଛିହେଲେ ନଥିଲା, ସେତେବେଳେ ପରମେଶ୍ଵରଙ୍କର ଆତ୍ମା ସେହି ଶୂନ୍ୟ ଉପରେ ବିଚରଣ କରୁଥିଲା, ପରେମେଶ୍ଵର ଆପେ ଗଢ଼ିଥିବା ସୃଷ୍ଟି ଉପରେ ଦୃଷ୍ଟିପାତ କରି ଏହାକୁ ଏକ ଉତ୍ତମ ସୃଷ୍ଟି ବୋଲି ମଣିଲେ, ଏବଂ, ସକାଳ ଓ ସନ୍ଧ୍ୟା ଏକତ୍ର ମିଶି ଗୋଟିଏ ଦିବସକୁ ସମ୍ଭବ କଲେ, ଧର୍ମ–ଇତିହାସର ବହିରୁ ଏସବୁକୁ କାହିଁକି ବାଦ୍ ଦିଆଯିବ ? ପ୍ରଥମ ମନୁଷ୍ୟ ଆଡାମ୍‍ର ନାକପୁଡ଼ା ମଧ୍ୟଦେଇ ପରେମେଶ୍ଵର ଆତ୍ମାର ପ୍ରବେଶ ଘଟାଇଥିଲେ, ଖଣ୍ଡେ ପିଞ୍ଜରାହାଡ଼କୁ ନେଇ ସିଏ ସେଥିରେ ମାଂସ ଆଣି ଯୋଡ଼ିଦେଲେ, ଏହି କଥାଗୁଡ଼ିକୁ କାହିଁକି ସ୍ଥାନ ଦିଆନଯିବ ? ଏହିସବୁ ବିଶଦ ବିବରଣୀ ମଧ୍ୟରେ କେତେ ମର୍ମସତ୍ୟ ଯେ ଭର୍ତ୍ତି ହୋଇ ରହିଛି, ନିର୍ମଳମନା ପିଲାଙ୍କ ଆଗରେ ଥରେ ତାହାକୁ ପାଠ କଲେ ଯାଇ ତୁମେ ସେହି କଥାକୁ ଉପଲବ୍ଧି କରିପାରିବ । ହୁଏତ ଏପରି ହୋଇପାରେ ଯେ ଚରିତ୍ରହୀନା ତରୁଣୀମାନଙ୍କୁ ବାଇବେଲ୍ ପୁସ୍ତକଟି ଦେବା ଆଦୌ ଉଚିତ ହେବନାହିଁ; ମାତ୍ର, କୃଷକଘରର ପିଲାମାନଙ୍କ ଆଗରେ ବାଇବେଲ୍ ପାଠ କରି ଶୁଣାଇବା ସମୟରେ ମୁଁ ସେଥିରୁ ଗୋଟିଏ ହେଲେ ଶବ୍ଦକୁ ବାଦ୍‍ ଦେଇନାହିଁ କିମ୍ବା ଏପାଖସେପାଖ କରିନାହିଁ । ଏବଂ, ସେତେବେଳେ କୌଣସି ଗୋଟିଏ ପିଲା ମଧ୍ୟ ତା’ପାଖରେ ବସିଥିବା ପିଲାଟି ପଛରେ ନିଜ ମୁହଁକୁ ଲୁଚାଇ ମୋଟେ ହିଁ ହିଁ ହେବାକୁ ଇଚ୍ଛା କରିନାହିଁ । ଏବଂ, ସେତେବେଳେ କୌଣସି ଗୋଟିଏ ପିଲା ମଧ୍ୟ ତା’ ପାଖରେ ବସିଥିବା ପିଲାଟି ପଛରେ ନିଜ ମୁହଁକୁ ଲୁଚାଇ ମୋଟେ ହିଁ ହିଁ ହେବାକୁ ଇଚ୍ଛା କରିନାହିଁ । ସମସ୍ତେ ବିସ୍ମୟର ସହିତ ଏବଂ ପ୍ରକୃତ ମନୋଯୋଗ ସହକାରେ ସବୁକିଛି ଶୁଣିଛନ୍ତି । ହଁ, ବାଇବେଲ୍‍ର କେତେକ କାହାଣୀ ପିଲାମାନଙ୍କୁ ଭୟଙ୍କର ମନେ ହୋଇଥାଏ ସତ, ମାତ୍ର କଦାପି କୌଣସି ବିଦ୍ରୂପର ଉଦ୍ରେକ କରେନାହିଁ ।

 

ପିଲା ତାହାକୁ ସ୍ପଷ୍ଟ ଓ ସହଜ ଭାବରେ ବୁଝେ, ତା’ର ମନରେ ତାହା ସମ୍ମାନ ତଥା ଗାମ୍ଭୀର୍ଯ୍ୟ ମଧ୍ୟ ଆଣି ଦେଇଥାଏ ।–ଏହିସବୁ ଭାବକୁ ଉଦ୍ରେକ କରି ଆଣିବା ବ୍ୟତୀତ କୌଣସି ଶିକ୍ଷାଦାନ ଯେ କିପରି ସମ୍ଭବ ହେବ, ମୁଁ ସେକଥା ଆଦୌ କଳ୍ପନା କରି ପାରୁନାହିଁ । ମାତ୍ର, ହୁଏତ ଏକଥା ମଧ୍ୟ ସତ ଯେ, ତୁମେ ଯଦି କେବଳ ପିଲାଦିନରେ ଏହି କାହାଣୀଗୁଡ଼ିକୁ ଶିକ୍ଷା କରିଥିବ ମାତ୍ର ପରେ ସେଗୁଡ଼ିକୁ ଆଂଶିକ ଭାବରେ ପାସୋରି ଦେବ, ତେବେ ସେଗୁଡ଼ିକ ଦ୍ଵାରା ଆମର କୌଣସି ଉପକାର ହେବନାହିଁ । ଆମେ ସତେଅବା ସେଗୁଡ଼ିକୁ ଆଦୌ କେବେହେଲେ ଜାଣିନଥିଲୁ, ଏକଥା ପ୍ରକୃତରେ ସେହିପରି ହେବନାହିଁ କି ?

 

ତେଣୁ, ଅନ୍ୟ ପିଲାଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରିବା ପରେ, ସେମାନଙ୍କଠାରେ ତୁମ ନିଜ ଶିକ୍ଷାପ୍ରାପ୍ତି ସମୟର ଯାବତୀୟ ଉପାଦାନକୁ ଲକ୍ଷ୍ୟ କରିପାରିବା ପର୍ଯ୍ୟନ୍ତ, ତୁମକୁ ସେହିପରି ବୋଧ ହେଉଥିବ । ପିଲାମାନେ ଲେଖି ଶିଖିବେ, ପଢ଼ି ଜାଣିବେ, ଇତିହାସ, ଭୂଗୋଳ, ପ୍ରକୃତିର ସତ୍ୟାବଳୀ ସବୁକିଛି ଜାଣିବେ ଏବଂ ବାଇବେଲ୍ ଆଦୌ ବ୍ୟବହାର ନକରି ତଥା ବାଇବେଲ୍ ପାଠ କରିବା ପୂର୍ବରୁ ସେମାନେ ଏହି ସବୁକିଛି ହାସଲ କରିପାରିବେ,–ସିଦ୍ଧାନ୍ତ ଦୃଷ୍ଟିରୁ ତାହା ଅବଶ୍ୟ ସମ୍ଭବ ହେବ । ମାତ୍ର ତଥାପି ସେପରି କେଉଁଠିହେଲେ ହୁଏନାହିଁ । ସବୁଠାରେ ପିଲା ସର୍ବପ୍ରଥମେ ବାଇବେଲକୁ ଜାଣେ, ସେଥିରେ ଥିବା କାହାଣୀଗୁଡ଼ିକ ସହିତ ପରିଚିତ ହୁଏ ବା ସେଥିରୁ ଆହୃତ ଉଦ୍ଧୃତିଗୁଡ଼ିକୁ ଜାଣେ । ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସ୍ଥାପିତ ସର୍ବପ୍ରଥମ ସମ୍ବନ୍ଧଟି ଏହି ପୁସ୍ତକ ଉପରେ ଆଧାରିତ ହୋଇ ରହିଥାଏ । ସର୍ବତ୍ର ପରିଦୃଷ୍ଟ ହେଉଥିବା ଏହି ସତ୍ୟଟିକୁ କଦାପି ଆକସ୍ମିକ ବୋଲି କୁହା ଯିବନାହିଁ । ୟସନାୟା ପୋଲ୍ୟାନା ବିଦ୍ୟାଳୟର ଆରମ୍ଭ କାଳରେ ମୁଁ ମୋ ପିଲାମାନଙ୍କ ସହିତ ଯେଉଁ ସଂପୂର୍ଣ୍ଣ ଭାବରେ ସଙ୍କୋଚହୀନ ସମ୍ପର୍କଗୁଡ଼ିକୁ ସ୍ଥାପନ କରି ପାରିଥିଲି, ମୋତେ ତାହାହିଁ ସେହି କଥାଟିର ଏକ ବ୍ୟାଖ୍ୟା ପାଇବାରେ ସାହାଯ୍ୟ କରିଥିଲା ।

 

ବିଦ୍ୟାଳୟରେ ପ୍ରବେଶ କରୁଥିବା ଗୋଟିଏ ପିଲା ବା ମନୁଷ୍ୟ–ମୁଁ ଦଶ, ତିରିଶି ଅଥବା ସତୁରି ବର୍ଷ ବୟସର ମନୁଷ୍ୟଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖେନାହିଁ,–ସିଏ ନିଜ ଜୀବନରୁ ମଧ୍ୟ କିଛି ସତ୍ୟ ସଂଗ୍ରହ କରିଥାଏ ଏବଂ ବସ୍ତୁଗୁଡ଼ିକ ବିଷୟରେ ତା’ ନିଜର ବିଶେଷ ତଥା ପ୍ରିୟ ଦୃଷ୍ଟିକୋଣ ଗୁଡ଼ିକୁ ସେ ସାଙ୍ଗରେ ନେଇ ଆସିଥାଏ । ଜଣେ ମନୁଷ୍ୟ ଯେକୌଣସି ବୟସର ହୋଇଥାଉ ପଛକେ‚ ଅଧ୍ୟୟନ କରିବାକୁ ହେଲେ ଅଧ୍ୟୟନ ପ୍ରତି ତା’ର ଶ୍ରଦ୍ଧା ରହିଥିବା ଆବଶ୍ୟକ । ଏବଂ‚ ଅଧ୍ୟୟନ ପ୍ରତି ସେହି ଶ୍ରଦ୍ଧା ଅର୍ଜନ କରିବାକୁ ହେଲେ‚ ବସ୍ତୁଗୁଡ଼ିକ ବିଷୟରେ ତା’ ନିଜର ଦୃଷ୍ଟିକୋଣ ଯେ ଆଦୌ ଯଥାର୍ଥ ଓ ଯଥେଷ୍ଟ ନୁହେଁ‚ ସେକଥା ତାକୁ ଅବଶ୍ୟ ସ୍ଵୀକାର କରିବାକୁ ପଡ଼ିବ । ଏବଂ‚ ଯେଉଁ ନୂତନ ଦିଗଟିକୁ ଶିକ୍ଷା ତା’ ଲାଗି ଉନ୍ମୋଚିତ କରିଦେବାକୁ ଯାଉଛି‚ ସେଇଟି ବିଷୟରେ ମଧ୍ୟ ତା’ର ଅବଶ୍ୟ ଏକ ପୂର୍ବବୋଧ ରହିଥିବ । ଯେଉଁ ମନୁଷ୍ୟର ଶିକ୍ଷା ତା’ ଆଗରେ କେବଳ ଲେଖିବାର‚ ପଢ଼ିବାର ଅଥବା ଗଣିତ କରିବାର କଳାଟିକୁ ଆଣି ଉପସ୍ଥାପିତା କରି ଦେଇଥିବ‚ ସେହି ମନୁଷ୍ୟ ବା ଶିଶୁ କଦାପି ଅଧ୍ୟୟନ କରିବାର ଯଥାର୍ଥ ଶକ୍ତିଟିକୁ ହାସଲ କରି ପାରିବନାହିଁ । ଏହି ପୃଥିବୀଟି ବିଷୟରେ ପିଲାମାନଙ୍କର ଯେତିକି ଦୃଷ୍ଟି ରହିଛି‚ ତା’ ଠାରୁ ଅଧିକ ଉଚ୍ଚ ଦୃଷ୍ଟିଗୁଡ଼ିକୁ ଆୟତ୍ତ କରିନଥିବା କୌଣସି ଶିକ୍ଷକ କଦାପି ଶିକ୍ଷାଦାନର ଯୋଗ୍ୟ ହୋଇ ପାରିବନାହିଁ । ଜଣେ ଛାତ୍ର ନିଜକୁ ଯେପରି ଶିକ୍ଷକ ପାଖରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦେଇ ପାରିବ‚ ସେଥିଲାଗି ତା’ ସମ୍ମୁଖରେ ସେହି ପରଦାଟିର ଅନ୍ତତଃ ଗୋଟିଏ କାନି ଉନ୍ମୋଚିତ ହୋଇପାରିବା ଉଚିତ‚ ଯାହାକି ତା’ ଠାରୁ ବିଚାର‚ ଜ୍ଞାନ ଏବଂ କାବ୍ୟର ସେହି ପୃଥିବୀର ସମ୍ମୋହନ ଗୁଡ଼ିକୁ ଲୁକ୍କାୟିତ କରି ରଖିଥାଏ । ତା’ର ଶିକ୍ଷା ହିଁ ତାକୁ ସେହି ପୃଥିବୀ ମଧ୍ୟକୁ ପଥ ଦେଖାଇ ନେଇଯିବ । ଜଣେ ଛାତ୍ର ଯେତେବେଳେ ତା’ର ଆଖି ଆଗରେ ସେହି ଆଲୋକର ନିରନ୍ତର ସମ୍ମୋହନଟିକୁ ଝଲମଲ କରୁଥିବାର ଦେଖିବାକୁ ପାଇବ ଓ ତାହାରି ଆବେଶ ଭିତରକୁ ଆସିଯିବ‚ କେବଳ ସେତିକିବେଳେ ଯାଇ‚ ଆମେ ତା’ ଠାରୁ ଯାହା ଯେଉଁଭଳି ପ୍ରତ୍ୟାଶା କରୁଛୁ, ସିଏ ନିଜକୁ ସେହିପରି ଭାବରେ ସକ୍ରିୟ କରିବା ନିମନ୍ତେ ସମର୍ଥ ହେବ ।

 

ସେହି ପର୍ଦ୍ଦାର କୋଣଟିକୁ ଆମ ଛାତ୍ରମାନଙ୍କ ଆଗରେ ଉତ୍ତୋଳିତ କରି ନେବାପାଇଁ ଆମପାଖରେ କ’ଣ ସବୁ ସାଧନ ରହିଛି ?

 

ଆଗକୁ ମୁଁ ଯେଉଁପରି ରହିଛି, ଅନ୍ୟମାନଙ୍କ ପରି ମୁଁ ମଧ୍ୟ ଭାବିଥିଲି ଯେ, ମୋ ଛାତ୍ରମାନଙ୍କୁ ମୁଁ ଯେଉଁ ପୃଥିବୀଟି ମଧ୍ୟକୁ ଚାଳିତ କରି ନେଇଯିବାକୁ ଇଚ୍ଛା କରୁଥିଲି, ମୁଁ ସ୍ଵୟଂ ସେହି ପୃଥିବୀରେ ବାସ କରୁଥିବାରୁ, ସେହି କାର୍ଯ୍ୟଟି ମୋ’ ଲାଗି ବେଶ୍ ସହଜ ହୋଇଯିବ । ଏହିପରି ଭାବି ମୁଁ ପିଲାମାନଙ୍କୁ ପଢ଼ିବା ଓ ଲେଖିବା ଶିକ୍ଷା ଦେଇଥିଲି । ପ୍ରକୃତି ମଧ୍ୟରେ କାର୍ଯ୍ୟ କରିଥିବା ସତ୍ୟଗୁଡ଼ିକୁ ବୁଝାଇ ଦେଉଥିଲି । ପ୍ରାଥମିକ ପୁସ୍ତକଗୁଡ଼ିକ ପରି ମୁଁ ସେମାନଙ୍କୁ କହୁଥିଲି ଯେ, ଶିକ୍ଷାବୃକ୍ଷର ଫଳଗୁଡ଼ିକ ଅତ୍ୟନ୍ତ ମଧୁର । ମାତ୍ର, ଛାତ୍ରମାନେ ମୋ’ କଥାରେ ବିଶ୍ଵାସ କରିନଥିଲେ ଓ ମୋତେ ଏଡ଼ି ରହିବାକୁ ମଧ୍ୟ ଚେଷ୍ଟା କରୁଥିଲେ ।

 

ଏବଂ, ମୁଁ ସେମାନଙ୍କୁ ବାଇବେଲ୍ ପଢ଼ି ଶୁଣାଇବାକୁ ଚେଷ୍ଟା କଲି ଏବଂ ସେମାନଙ୍କୁ ଜୟ କରିନେଲି । ପରଦାର କାନିଟି ଉତ୍ତୋଳିତ ହୋଇଗଲା ଏବଂ ସେମାନେ ତନ ମନ ସବୁକିଛି ମୋ’ପାଖରେ ଆଣି ସମର୍ପଣ କରି ଦେଇଥିଲେ । ସେମାନେ ବହିଟିକୁ ଭଲ ପାଇଲେ, ମୋତେ ବି-। ତା’ ପରେ ମୋତେ ସେମାନଙ୍କୁ ଆଗକୁ ଆଗକୁ ସାଙ୍ଗରେ ନେଇଯିବାକୁ ହିଁ ପଡ଼ିଥିଲା ।

 

ବାଇବେଲ୍‍ର ପୁରାତନ ଭାଗଟି ପରେ ମୁଁ ନୂତନ ଭାଗଟି ପାଠକରି ଶୁଣାଇଥିଲି । ପିଲାମାନେ ଅଧ୍ୟୟନକୁ ଭଲ ପାଇଲେ, ମୋତେ ବି ଅଧିକରୁ ଅଧିକ ଭଲ ପାଇଥିଲେ । ବାଇବେଲ୍ ପରେ ମୁଁ ସେମାନଙ୍କୁ ସାଧାରଣ ଇତିହାସ ବିଷୟରେ କହିଥିଲି । ରୁଷିଆର ଇତିହାସ ଓ ପ୍ରକୃତିର ଇତିହାସ ବିଷୟରେ ମଧ୍ୟ କହିଥିଲି । ସେମାନେ ସବୁକିଛିକୁ ମନଯୋଗ ସହିତ ଶୁଣିଲେ, ବିଶ୍ଵାସ ବି କରିପାରିଲେ । ଆଗକୁ ଆଗକୁ ଯିବାକୁ ଲାଗିଲେ, ଆଉ ଅଟକି ରହିଲେ ନାହିଁ-। ଏବଂ, ଭାବନା, ଜ୍ଞାନ ତଥା କାବ୍ୟର ଦିଗ୍‍ବଳୟଗୁଡ଼ିକ ସେମାନଙ୍କର ସମ୍ମୁଖରେ ଅଧିକରୁ ଅଧିକ ପରିମାଣରେ ଉନ୍ମୋଚିତ ହୋଇ ଯାଉଥିଲା ।

 

ହୁଏତ ଆକସ୍ମିତ ଭାବରେ ଏପରି ଘଟିଲା । ସମ୍ଭବତଃ, ଅନ୍ୟ କୌଣସି ବିଦ୍ୟାଳୟରେ ଆଉଗୋଟିଏ ପଦ୍ଧତିରେ ଆରମ୍ଭ କରିଥିଲେ ମଧ୍ୟ ଠିକ୍ ଏହି ଫଳଗୁଡ଼ିକ ମିଳି ପାରିଥାନ୍ତା । ହଁ, ପାରିଥାନ୍ତା; ମାତ୍ର, ଏହି ଆକସ୍ମିକ ଘଟଣାଟି ସର୍ବତ୍ର ସବୁ ସ୍କୁଲରେ ଓ ସବୁ ପରିବାରରେ ମଧ୍ୟ ଘଟିଛି ଏବଂ, ଏହି ଘଟଣାଟି ମୋ’ ପାଇଁ ଏତେ ସ୍ପଷ୍ଟ ଭାବରେ ବୋଧଗତ ହୋଇଯାଇଛି ଯେ, ମୁଁ ଏହାକୁ କଦାପି ଏକ ଆକସ୍ମିକ ଘଟଣା ବୋଲି କହିବାକୁ ଇଚ୍ଛା କରିବିନାହିଁ ।

 

ପିଲା ଆଗରେ ନୂତନ ପୃଥିବୀଟିକୁ ଉନ୍ମୋଚିତ କରି ଆଣିବାକୁ ହେଲେ, ସିଏ ଯେ କିପରି ଜ୍ଞାନପ୍ରତି ଶ୍ରଦ୍ଧା ଅନୁଭବ କରିବାକୁ ଆରମ୍ଭ କରିବ, ଆମେ ତାହାର କୌଣସି ଉପାୟ ନଜାଣିଥିବାର ସେହି ଅବସ୍ଥାରେ କେବଳ ବାଇବେଲ୍ ବ୍ୟତୀତ ଆଉ ଆଦୌ କୌଣସି ପୁସ୍ତକର ପ୍ରୟୋଜନ ହେବନାହିଁ । ବାଇବେଲ୍ ଗ୍ରନ୍ଥକୁ ଏକ ସତ୍ୟୋଦଘାଟନର ସମାଚାର ବୋଲି ବିଚାର କରୁନଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ କଥାଟିକୁ କହିବି । ହଁ, ଅନ୍ତତଃ ମୁଁ ବାଇବେଲ୍ ପରି ଏପରି ଅନ୍ୟକୌଣସି ପୁସ୍ତକକୁ ଜାଣେନାହିଁ, ଯେଉଁଥିରେ କି ଏଡ଼େ କାବ୍ୟମୟ ଅଥଚ ସଂକ୍ଷିପ୍ତ ଭାବରେ ମନୁଷ୍ୟଭାବନାର ଯାବତୀୟ ଦିଗଗୁଡ଼ିକୁ ଏକତ୍ର ଗୁନ୍ଥିକରି ରଖାଯାଇ ପାରିଛି । ପ୍ରକୃତିର ବ୍ୟାପାରଭୂମିରୁ ଉତ୍ଥିତ ହେଉଥିବା ଯାବତୀୟ ପ୍ରଶ୍ନର ବ୍ୟାଖ୍ୟା ଏହି ପୁସ୍ତକଟିରେ ହିଁ କରାଯାଇଛି । ଏଥିରେ ମନୁଷ୍ୟସମୂହ, ପରିବାର, ରାଷ୍ଟ୍ର, ଧର୍ମବିଷୟକ ଯାବତୀୟ ଆଦିମ ସମ୍ପର୍କର ଦୃଷ୍ଟାନ୍ତମାନ ରହିଛି । ଭାବନାର ସାଧାରଣ ସତ୍ୟଗୁଡ଼ିକର ଆଲୋଚନା କରାଯାଇଛି, ଶିଶୁସୁଲଭ ସରଳ ଶୈଳୀରେ ଏଥିରେ କେତେ କେତେ ପ୍ରଜ୍ଞା ସ୍ଥାନ ପାଇଛି ଏବଂ ସେଗୁଡ଼ିକର ପ୍ରଥମ ପରିଚୟରେ ଆସିବା ସଙ୍ଗେ ସଙ୍ଗେ ଗୋଟିଏ ପିଲାର ମନ ସେଗୁଡ଼ିକ ଆଡ଼କୁ ଆକୃଷ୍ଟ ହୋଇ ଯାଉଛି । କେବଳ ଯେ ବଡ଼ ପିଲାମାନଙ୍କର ମନ ଉପରେ ସେଥିରେ ରହିଥିବା ଗୋତ୍ରଗୁଡ଼ିକର ପ୍ରଭାବ ପଡ଼ୁଛି ତା’ ନୁହେଁ, ଆପଣାର ସରଳତା ତଥା ପ୍ରଭାବଶାଳିତା ଦ୍ଵାରା ଏକ ଅନନୁକରଣୀୟ ରୀତିରେ ମହାକାବ୍ୟିକ ଉପାଦାନଗୁଡ଼ିକ କିପରି ଯେ ମୋହିତ କରି ନେଇଯାଏ, ପ୍ରତ୍ୟେକ ବ୍ୟକ୍ତି ପ୍ରଥମ ଥର ପାଇଁ ସେହି କଥାଟିକୁ ହୃଦୟଙ୍ଗମ କରିପାରୁଛି ।

 

ଯୋଶେଫ୍ ପୁନର୍ବାର ତା’ର ଭାଇମାନଙ୍କୁ ଭେଟିଥିବାର କାହାଣୀଟିକୁ ପାଠ କରି କାହା ଆଖିରୁ ଲୁହ ବୋହି ଆସିନଥିବ ? ଫାଶରେ ବନ୍ଧାହୋଇ ପଡ଼ିଥିବା ଏକାକୀ ଓ ଅସହାୟ ସାମ୍‍ସନ୍ ଯେତେବେଳେ ଶତ୍ରୁମାନଙ୍କର ପ୍ରତିଶୋଧ ନେବାପାଇଁ ଚେଷ୍ଟା କରି ସେହି ଜୀର୍ଣ୍ଣ ପ୍ରାସାଦର ଭଗ୍ନାବିଶେଷ ଭିତରେ ମୃତ୍ୟୁବରଣ କରୁଛି ଓ ଶତ୍ରୁମାନଙ୍କୁ ଅଭିଭୂତ କରିଦେଉଛି, ସେହି କାହାଣୀଟିକୁ ପାଠ କରି କିଏ ନିଜର ହୃଦୟ ମଧ୍ୟରେ ନିଷ୍ପେଷିତ ଅନୁଭବ କରିନଥିବ ? ଏହିପରି ଶହ ଶହ ଦୃଷ୍ଟାନ୍ତ ସେହି ପୁସ୍ତକରେ ରହିଛି, ଯାହାକି ଆମକୁ ଜନନୀର ସ୍ତନ୍ୟଦାନ ପରି ପରିପୃଷ୍ଟ କରି ରଖିଥାଏ ।

 

ବାଇବେଲ୍ ବହିର କୌଣସି ଶିକ୍ଷାଗତ ମୂଲ୍ୟ ରହିଛି ବୋଲି ଯେଉଁମାନେ ସ୍ଵୀକାର କରୁନାହାନ୍ତି, ଏହି ଗ୍ରନ୍ଥଟିର ଏବେ ଆଉ କୌଣସି ଉପଯୋଗିତା ନାହିଁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ତେବେ ବାକୀ ଇତିହାସରୁ ଅଥବା ନିଜର କଳ୍ପନା ଭିତରୁ ତାହାରିଭଳି ବହିଟିଏ, ସେହିପରି କାହାଣୀମାନ ଏବଂ ପ୍ରକୃତିର ଘଟଣାଗୁଡ଼ିକ ବିଷୟରେ ବ୍ୟାଖ୍ୟାମାନ ଉଦ୍ଭାବନା କରନ୍ତୁ, ଯାହାକୁ ବି ଲୋକେ ବାଇବେଲ୍ ପରି ତଥା ସେଥିରେ ଥିବା କାହାଣୀ ଓ ବ୍ୟାଖ୍ୟାଗୁଡ଼ିକ ପରି ଗ୍ରହଣ କରି ପାରିବେ ଏବଂ, ବାଇବେଲ୍ ଯେ ପ୍ରକୃତରେ ଅନୁପଯୋଗୀ ହୋଇଗଲାଣି, ଆମେ ତେବେଯାଇ ସେଥିରେ ଏକମତ ହୋଇପାରିବୁ ।

 

ଶିକ୍ଷାଶାସ୍ତ୍ରରେ ଜୀବନ ସମ୍ପର୍କୀୟ ବହୁ ବ୍ୟାପାରର ସାମାଜିକ ତଥା ତାତ୍ତ୍ୱିକ ପ୍ରଶ୍ନର ସମାଧାନ ନିରୂପିତ ହୋଇଛି ।

 

ଯେତେବେଳେ ବସ୍ତୁବାଦକୁ ଆଧାର କରି ଏକ ବାଇବେଲ୍ ଲେଖା ହୋଇପାରିବ ଓ ଆମର ଶୈଶବକାଳଟି ଏହି ବାଇବେଲକୁ ଆଧାର କରି ଯାବତୀୟ ଶିକ୍ଷା ପାଇବ, କେବଳ ସେତିକିବେଳେ ଯାଇ ଆପଣାକୁ ବିଜୟୀ ବୋଲି ଘୋଷଣା କରିବା ସକାଶେ ବସ୍ତୁବାଦର ଆଦୌ କୌଣସି ଅଧିକାର ରହିବ । ଶ୍ରୀଯୁକ୍ତ ଓଏନ୍ ଯେଉଁ ପ୍ରୟୋଗଟି କରୁଛନ୍ତି, ତାହାକୁ ସେଭଳି ଏକ ସମ୍ଭାବନାର ପ୍ରମାଣରୂପେ କଦାପି ଗ୍ରହଣ କରାଯାଇ ପାରିବନାହିଁ; ମସ୍କୋ ସହରର କୌଣସି ନିବୁଜ କାଚଘରେ ଗୋଟିଏ ଲେମ୍ବୁଗଛ ଉଧେଇ ପାରିଲା ବୋଲି, ମୁକ୍ତ ଆକାଶ ଏବଂ ଖୋଲା ଆଲୁଅ ନଥାଇ ମଧ୍ୟ ତାହା ଅବଶ୍ୟ ଉଧେଇବ ବୋଲି ସେପରି ଆଦୌ ପ୍ରମାଣ କରି ହେବନାହିଁ, ଏକଥାଟି ଠିକ୍ ସେହିପରି ।

 

ମୋ’ର ପ୍ରୟୋଗଟିକୁ ହୁଏତ ଏକପାଖିଆ ବୋଲି କୁହାଗଲେ ମଧ୍ୟ, ମୋର ଏହି ବିଶ୍ଵାସଟିକୁ ମୁଁ ପୁନର୍ବାର କହି ରଖିଛି ଯେ, କବି ହୋମର୍‍ଙ୍କ ବ୍ୟତୀତ ଗ୍ରୀକ୍ ସମାଜର ଯେପରି କୌଣସି ଚିନ୍ତା କରାଯାଇ ପାରିବନାହିଁ ଠିକ୍ ସେହିପରି ବାଇବେଲ୍ ବ୍ୟତୀତ କୌଣସି ଶିଶୁ ଅଥବା ମନୁଷ୍ୟର ବିକାଶ ବିଷୟରେ ମଧ୍ୟ ଆଦୌ କୌଣସି ଚିନ୍ତା କରାଯାଇ ପାରିବନାହିଁ । ସାନ ପିଲାମାନଙ୍କର ପ୍ରାଥମିକ ଶିକ୍ଷାଲାଭ ନିମନ୍ତେ ବାଇବେଲକୁ ମୁଁ ଏକମାତ୍ର ପୁସ୍ତକ ବୋଲି କହିବି । ବାଇବେଲ୍‍ର ଶରୀରସଜ୍ଜା ଏବଂ ବାଇବେଲରେ ରହିଥିବା ବିଷୟଚୟ ଉଭୟେ ହିଁ ପିଲାମାନେ ବ୍ୟବହାର କରୁଥିବା ସକଳ ପୁସ୍ତକ ତଥା ପାଠ୍ୟର ଆଦର୍ଶ ନମୁନା ହୋଇ ଅବଶ୍ୟ ରହିବେ । ସମସ୍ତେ ବୁଝି ପାରିବାଭଳି କରାଯାଇଥିବା ବାଇବେଲ୍‍ର ଏକ ସରଳ ଅନୁବାଦ ଅନ୍ୟାନ୍ୟ ଯାବତୀୟ ପୁସ୍ତକ ତୁଳନାରେ ନିଶ୍ଚୟ ଅଧିକ ଲୋକପ୍ରିୟ ହୋଇପାରିବ । ଆମର ଏହି କାଳରେ ସେହି ଅନୁବାଦଟିର ପ୍ରକାଶ ରୁଷୀୟ ଜନଗଣଙ୍କର ଇତିହାସରେ ଏକ ନୂତନ ଯୁଗର ଅବତାରଣା କରାଇ ଆଣିବ ।

 

ବାଇବେଲ୍ ଇତିହାସକୁ ଶିକ୍ଷା ଦେବାର ପ୍ରଣାଳୀ ହିସାବରେ, ରୁଷୀୟ ଭାଷାରେ ରହିଥିବା ଯାବତୀୟ ସଂକ୍ଷିପ୍ତ ଲେଖାକୁ ମୁଁ ଶୁଦ୍ଧତା ତଥା କାବ୍ୟକବିତାର ବିରୋଧରେ ଅତ୍ୟନ୍ତ ପରିମାଣରେ ଅପରାଧୀ ବୋଲି ବିଚାର କରୁଛି । ଧର୍ମୀୟ ଇତିହାସକୁ ଅଧିକ ସହଜ କରିବାର ମତଲବରେ ରଚିତ ହୋଇଥିବା ଏହିସବୁ ସଂସ୍କରଣ ବିଷୟଟିକୁ ପ୍ରକୃତରେ ଅଧିକ କଷ୍ଟକର କରି ଦେଇଛନ୍ତି । ଅଥଚ, ନିଜ ନିଜ ଘରମାନଙ୍କରେ ସମସ୍ତେ ବାଇବେଲକୁ କେଡ଼େ ଆନନ୍ଦର ସହିତ ପାଠ କରୁଛନ୍ତି; ପାଠ କରୁଥିବା ବ୍ୟକ୍ତିଟି ଦୁଇହାତ ଉପରେ ନିଜର ମୁଣ୍ଡଟିକୁ ଭରା ଦେଇ ବସିଥିବ ଓ ବାଇବେଲ୍ ପାଠ କରୁଥିବ । ଅନ୍ୟ ପକ୍ଷରେ ଇତିହାସ ବହିଗୁଡ଼ିକୁ ତ ପିଲାମାନେ ବାଧ୍ୟ ହୋଇ ଘୋଷି ପକାଉଛନ୍ତି ! ଅତ୍ୟନ୍ତ ନୀରସ ଏବଂ ଅବୋଧ୍ୟ ହେବା ସଙ୍ଗେ ସଙ୍ଗେ, ବାଇବେଲ୍ ଇତିହାସର ଏହି ବହିଗୁଡ଼ିକ ବାଇବେଲରେ ରହିଥିବା କାବ୍ୟପକ୍ଷଟିକୁ ଉପଭୋଗ କରିବାକୁ ରହିଥିବା ପିଲାର ସାମର୍ଥ୍ୟଟିକୁ ମଧ୍ୟ ନଷ୍ଟ କରି ଦେଉଛନ୍ତି । ସେଗୁଡ଼ିକର ଅଯୋଗ୍ୟ ଓ ଅସ୍ପଷ୍ଟ ଶୈଳୀଟି ଯେ ବାଇବେଲ୍‍ର ଅନ୍ତର୍ଗତ ମର୍ମଟିକୁ ବୁଝିବାରେ କିପରି ବାଟ ବନ୍ଦକରି ଛିଡ଼ା ହୋଇଛି, ମୁଁ ତାହା ଏକାଧିକ ବାର ଲକ୍ଷ୍ୟ କରି ପାରିଛି । ଘଟଣାଗୁଡ଼ିକୁ ମନେରଖିବା ସହିତ ଏକାବେଳେକେ ଅଚଳନ୍ତି ଓ ଦୁର୍ବୋଧ୍ୟ ଶବ୍ଦଗୁଡ଼ିକୁ ମଧ୍ୟ ମୁଖସ୍ଥ କରିବାକୁ ପଡ଼ୁଛି, ନିଜର ନବୀନତା ହେତୁ ପିଲାମାନଙ୍କର ଧ୍ୟାନକୁ ମଧ୍ୟ ପଥଚ୍ୟୁତ କରିଦେଉଛି ଏବଂ ସେମାନେ କାହାଣୀଟିକୁ ମନେ ରଖିବାର ପ୍ରକ୍ରିୟାରେ ପଥନିର୍ଦ୍ଦେଶକ ପଥର ପରି କାମ କରୁଛନ୍ତି ।

 

ନିଜକୁ ଭଲ ଲାଗୁଥିବା କୌଣସି ନିର୍ଦ୍ଦିଷ୍ଟ ଶବ୍ଦକୁ ବ୍ୟବହାର କରିବାପାଇଁ ହିଁ ଅଧିକାଂଶ ସମୟରେ ଗୋଟିଏ ପିଲା ହୁଏତ କିଛି କହିବ ବୋଲି ଇଚ୍ଛା କରୁଥାଏ ଏବଂ ସେହି ଶବ୍ଦଟିର ଅର୍ଥ ବିଷୟରେ ତା’ର ହୁଏତ ଏକ କ୍ଷୀଣ ଧାରଣା ମଧ୍ୟ ନଥାଏ । ଅନ୍ୟାନ୍ୟ ବହୁ ବିଦ୍ୟାଳୟରେ ଛାତ୍ରମାନେ ବାଇବେଲରେ ଥିବା କାହାଣୀଗୁଡ଼ିକ ମଧ୍ୟରେ ରହିଥିବା ସୌନ୍ଦର୍ଯ୍ୟକୁ କିପରି ଅପେକ୍ଷାକୃତ ଅଧିକ କମ୍ ବୁଝନ୍ତି ଓ ବେଳେ ବେଳେ ହୁଏତ ମୋଟେ ମଧ୍ୟ ବୁଝନ୍ତି ନାହିଁ, ମୁଁ ତାହା ଏକାଧିକ ବାର ଲକ୍ଷ୍ୟ କରି ଦେଖିଛି । ସେଗୁଡ଼ିକୁ ଶିକ୍ଷା କରିବାକୁ ବାଧ୍ୟ ହୋଇ ସେମାନେ ସେହି ସୌନ୍ଦର୍ଯ୍ୟରୁ ବଞ୍ଚିତ ହୋଇଛନ୍ତି, ଶିକ୍ଷକମାନେ ସେହି କ୍ଷେତ୍ରରେ ଅନୁସରଣ କରୁଥିବା ନିର୍ଦ୍ଦୟ ପଦ୍ଧତିଗୁଡ଼ିକ ମଧ୍ୟ ସେଥିରେ କେତେ ସହଯୋଗ କରିଛନ୍ତି । ବଡ଼ ପିଲାମାନେ ମଧ୍ୟ ସାନମାନଙ୍କୁ ସେହି କାହାଣୀଗୁଡ଼ିକୁ କହିବାବେଳେ ବାଇବେଲ୍ ଇତିହାସ ବହିଗୁଡ଼ିକରେ ରହିଥିବା ଦୟନୀୟ କୌଶଳଗୁଡ଼ିକୁ ଅନୁସରଣ କରି ସାନମାନଙ୍କର ରୁଚିକୁ ନଷ୍ଟ କରି ଦେଇଛନ୍ତି । ଅନିଷ୍ଟକାରୀ ପୁସ୍ତକଗୁଡ଼ିକର ମାଧ୍ୟମରେ ଏହି ଅଧମ କାହାଣୀଗୁଡ଼ିକ ଲୋକମାନଙ୍କ ହାତରେ ଯାଇ ପଡ଼ୁଛି ଏବଂ ଏହିପରି ଭାବରେ ପିଲାମାନେ ମଧ୍ୟ ବହୁତ ସମୟରେ ଘରୁ କାହାଣୀଗୁଡ଼ିକର କିମ୍ଭୂତ ରୂପକୁ ସାଙ୍ଗରେ ନେଇ ବିଦ୍ୟାଳୟକୁ ଆସୁଥିଲେ । ଆଦୌ ପ୍ରଦୂଷିତ ହୋଇନଥିବା ପିଲାମାନଙ୍କର ଅଭିଜ୍ଞତାଠାରୁ ଏମାନଙ୍କର ଅଭିଜ୍ଞତା ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ଅବିକୃତମାନେ ବିସ୍ମିତ ହୋଇ ବାଇବେଲ୍‍ର କାହାଣୀଗୁଡ଼ିକୁ ଶୁଣନ୍ତି, ସେଥିରେ ଥିବା ପ୍ରତ୍ୟେକ ଶବ୍ଦକୁ ଗ୍ରହଣ କରି ପାରୁଥାନ୍ତି ଏବଂ ସାରା ପୃଥିବୀର ସବୁଯାକ ଜ୍ଞାନ ଯେ ସେମାନଙ୍କର ସମକ୍ଷରେ ଉଦଘାଟିତ ହେବାକୁ ଯାଉଛି, ସେମାନେ ପ୍ରକୃତରେ ସେହିପରି ଭାବୁଥାନ୍ତି ।

 

ତେଣୁ, କେବଳ ବାଇବେଲ୍ ପୁସ୍ତକରୁ ହିଁ ମୁଁ ଧର୍ମର ଇତିହାସ ବିଷୟଟିକୁ ପଢ଼ାଇ ଆସିଛି ଏବଂ ଏବେ ମଧ୍ୟ ପଢ଼ାଉଛି । ଏବଂ, ଅନ୍ୟ ଯାବତୀୟ ପ୍ରଣାଳୀକୁ ମୁଁ କେବଳ କ୍ଷତିକାରକ ବୋଲି ହିଁ ଭାବୁଛି ।

Image

 

ଦ୍ଵାତ୍ରିଂଶ ଅଧ୍ୟାୟ

ରୁଷିଆର ଇତିହାସ

 

ବାଇବେଲ୍‍ର ପୁରାତନ ଭାଗଟି ସାରିବାପରେ ମୁଁ ସ୍ଵଭାବତଃ ଇତିହାସ ଓ ଭୂଗୋଳ ପଢ଼ାଇବି ବୋଲି ଚିନ୍ତା କଲି । କାରଣ, ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଏହା ସର୍ବଦା ପଢ଼ାହୋଇ ଆସିଛି ଏବଂ ମୁଁ ନିଜେ ଏହି ବିଷୟଗୁଡ଼ିକ ପଢ଼ାଇଛି । ମୁଁ ପ୍ରଥମେ ଇତିହାସର ପ୍ରାଚୀନ କାଳରୁ ହିଁ ଆରମ୍ଭ କଲି । ମାତ୍ର, ମୁଁ ଓ ମୁଁ ବ୍ୟବହାର କରୁଥିବା ଦୁଇଟିଯାକ ବହି,–ସମସ୍ତେ ମିଶି ଯେତେ ଚେଷ୍ଟା କଲେ ମଧ୍ୟ ତାହା ପିଲାମାନଙ୍କର ମନକୁ ଆଦୌ ଆକର୍ଷିତ କରି ପାରିଲାନାହିଁ । ଭୂଗୋଳ ବେଳକୁ ମଧ୍ୟ ଠିକ୍ ସେହିପରି ହୋଇଥିଲା । ଏବଂ, ତା’ପରେ ମୁଁ ରୁଷିଆର ଇତିହାସ ଆରମ୍ଭ କଲି-। ସବୁଠାରେ ସମସ୍ତେ ତାହାକୁ ଜାତୀୟ ଇତିହାସ ବୋଲି କହୁଥିଲେ ।

 

ଏହି ଇତିହାସରେ ପିଲାମାନଙ୍କର ଯେ ଖୁବ୍ ବେଶୀ ଆଗ୍ରହ ଥିଲା, ସେକଥା ନୁହେଁ । ଅବଶ୍ୟ ଏହା ସାଧାରଣ ଇତିହାସ ତୁଳନାରେ ଅଧିକ ଭଲ ଲାଗୁଥିଲା । “ଏସବୁ ପଢ଼ି କି ଲାଭ-?” ଏହି ପ୍ରଶ୍ନଟି ମଧ୍ୟ ସେମାନେ ଏହି କ୍ଷେତ୍ରରେ ବେଶୀ ପଚାରୁ ନଥିଲେ । ରୁଷିଆର ଜନଗଣକୁ ସେମାନେ ନିଜର ବୀର ବୋଲି ବିଚାର କରୁଥିଲେ । ସେହି ଇତିହାସରେ ସେପରି କୌଣସି କଳାତ୍ମକ ସମଗ୍ରତା ଅବଶ୍ୟ ନଥିଲା, ମାତ୍ର ତାହା ପଛରେ ଏକ ଜାତୀୟ ଭାବନାର ସମର୍ଥନ ରହିଥିଲା । ତଥାପି ବଡ଼ ଶୁଷ୍କ, ଶୀତଳ ଏବଂ ଉତ୍ସାହବିବର୍ଜିତ ମନେ ହେଉଥିଲା । ଦୁର୍ଭାଗ୍ୟର ବିଷୟ ଯେ, ଏହି ଇତିହାସ ମଧ୍ୟ ଜାତୀୟ ଭାବନାର ଉଦ୍ରେକ କରାଇ ଆଣିବାର ପ୍ରକୃତରେ ଅତ୍ୟନ୍ତ କ୍ଵଚିତ୍ ଅବସର ସୃଷ୍ଟି କରିଥାଏ ।

 

ଥରେ ମୁଁ ଆଉଗୋଟିଏ କୋଠରୀରେ ଅନ୍ୟ ଶ୍ରେଣୀରେ ଥିଲି । ଇତିହାସ ଶ୍ରେଣୀରେ ପିଲାମାନେ ଅତୀବ ଆଗ୍ରହ ଓ ଆନନ୍ଦ ପ୍ରକାଶ କରୁଥିବାର ଦେଖି ମୁଁ ସେହି କୋଠରୀଟିରେ ଯାଇ ପହଞ୍ଚିଗଲି । ୧୩୭୮ ଖ୍ରୀଷ୍ଟାବ୍ଦରେ ରୁଷିଆରେ କୁଲିକୋଭୋଠାରେ ଲଢ଼ା ହୋଇଥିବା ଯୁଦ୍ଧଟିର କଥା ପଡ଼ିଥିଲା । ସେହି ଯୁଦ୍ଧରେ ରୁଷିଆର ଯୁବରାଜ ଡିମିଟ୍ରି ତାତାରମାନଙ୍କୁ ପରାସ୍ତ କରି ଉତ୍ତର ଇଉରୋପରୁ ଘଉଡ଼ାଇ ଦେଇଥିଲେ । ପିଲାମାନେ ଭାରି ଉତ୍ତେଜିତ୍ତ ହୋଇ ସେହି କାହାଣୀକୁ ଶୁଣିଥିଲେ ।

 

“ୟାକୁ ସିନା ଇତିହାସ କହନ୍ତି ! କେଡ଼େ ବୁଦ୍ଧିର କାମ ସତେ । ଯୁବରାଜ କେଡ଼େ କୌଶଳର ସହିତ ଦାତାରମାଙ୍କୁ ଦଳିଦେଇ ପାରିଲେ । ଶୁଣ, ମୁଁ ବର୍ତ୍ତମାନ ନିଜେ ସେହି କାହାଣୀଟିକୁ କହିଦେଉଛି ।” ତା’ପରେ ଆହୁରି ଅନେକ କଣ୍ଠ “ନାଇଁ, ମୁଁ କହିବି” ବୋଲି ଚିତ୍କାର କରି ଉଠିଲେ । “ଶତ୍ରୁ ମାନଙ୍କର ରକ୍ତ ନଦୀମାନଙ୍କୁ ବୋହିଯାଇ ପାଣିକୁ ଲାଲ୍ˎ କରି ଦେଇଥିବ !”

 

ପ୍ରାୟ ସମସ୍ତେ କହିବାପାଇଁ ବାହାରି ପଡ଼ୁଥିଲେ, ସମସ୍ତଙ୍କ ଭିତରେ ଉତ୍ସାହ ପ୍ରବଳ ହୋଇ ଉଠିଥିଲା । ମାତ୍ର, ଯଦି ତୁମେ କେବଳ ଜାତୀୟ ଭାବନାଟିକୁ ହିଁ ଉଦ୍ରେକ କରି ବାହାରିଥିବ, ତେବେ ତାକୁ ଛାଡ଼ିଦେଲେ ଆମର ସାରା ଇତିହାସଟି ଭିତରେ ତା’ପରେ ଆଉ କ’ଣ ବାକୀ ରହିବ ? ହଁ, ତା’ପରେ ୧୭୧୨ ମସିହା ଓ ପୁଣି ତା’ପରେ ୧୮୧୨ ମସିହା, ଯେତେବେଳେ ନେପୋଲିଅନ୍ ଓ ଫରାସୀମାନେ ରୁଷିଆର ଜାତୀୟ ବୀର ମୋରୋଜ୍‍ଙ୍କ ଦ୍ଵାରା ପରାସ୍ତ ହୋଇଥିଲେ । ବାସ୍‍, ତା’ପରେ ଆଉ କ’ଣ ଅଛି ? ଜାତୀୟ ଭାବନାର ସନ୍ତୋଷବିଧାନ ପାଇଁ ଜଣେ ବ୍ୟକ୍ତି କାହିଁକି ରୁଷିଆର ପୂରା ଇତିହାସକୁ ପଢ଼ିବ ? ହଁ, ମୁଁ ବୁଝୁଛି ଯେ, ପିଲାମାନଙ୍କ ଭିତରେ ସର୍ବତ୍ର ବିଦ୍ୟମାନ ଥିବା କଳାତ୍ମକ ଆଗ୍ରହଟିର ବିକାଶ ଓ ପରିତର୍ପଣ ନିମନ୍ତେ ଜଣେ ଶିକ୍ଷକଙ୍କୁ ଜାତୀୟ କୃତିପରମ୍ପରାଟିର ଅବଶ୍ୟ ସୁଯୋଗ ନେବାକୁ ହେବ; ମାତ୍ର ସେତେବେଳେ ତାହାକୁ ମୋଟେ ଇତିହାସ ବୋଲି କୁହା ଯିବନାହିଁ । ତେଣୁ, ଇତିହାସ ପଢ଼ାଇବାକୁ ହେଲେ ପିଲାମାନଙ୍କ ଭିତରେ ଆଗ ଇତିହାସ ବିଷୟରେ ଏକ ଆଗ୍ରହ ରହିଥିବା ଅତ୍ୟାବଶ୍ୟକ । ଏହି ଆଗ୍ରହଟିକୁ କିପରି ସୃଷ୍ଟି କରାଯାଇ ପାରିବ ?

 

ଅନେକ ସମୟରେ ମୁଁ ଏପରି କୁହାଯିବାର ଶୁଣିଛି ଯେ, ଆମେ ଇତିହାସକୁ ମୂଳରୁ ନୁହେଁ, ଶେଷଆଡ଼ୁ ହିଁ ପଢ଼ାଇବା, ଅର୍ଥାତ୍ ଆଗ ପୁରାତନ ଇତିହାସ ନୁହେଁ, ଆଗ ଆଧୁନିକ ଇତିହାସ ହିଁ ପଢ଼ାଇବା, ନୀତିଦୃଷ୍ଟିରୁ ଏହି ବିଚାରଟି ସମ୍ପୂର୍ଣ୍ଣ ଠିକ୍ˎ । ମାତ୍ର, ଗୋଟିଏ ପିଲା ରୁଷିଆର ସାମ୍ରାଜ୍ୟ କିମ୍ବା ଆଦୌ କୌଣସି ସାମ୍ରାଜ୍ୟ ପ୍ରକୃତରେ କ’ଣ ବୋଲି ଜାଣି ନଥିବା ପର୍ଯ୍ୟନ୍ତ ତୁମେ ତାକୁ ରୁଷୀୟ ସାମ୍ରାଜ୍ୟର ଆରମ୍ଭ ବିଷୟରେ କହି କିପରି ତା’ର ଆଗ୍ରହକୁ ଜାଗୃତ କରିପାରିବ ? ପିଲାଙ୍କ ସହିତ ସଂଶ୍ଳିଷ୍ଟ ହୋଇ ରହିଥିବା ଜଣେ ବ୍ୟକ୍ତିର ଅବଶ୍ୟ ଜାଣିରଖିବା ଉଚିତ ଯେ, ଗୋଟିଏ ପିଲା ଯେଉଁ ରୁଷିଆରେ ବାସ କରୁଛି, ସମଗ୍ର ପୃଥିବୀ ମଧ୍ୟ ସେହିଭଳି ଏକ ରୁଷିଆ ବୋଲି ସିଏ ଅତ୍ୟନ୍ତ ଦୃଢ଼ ଭାବରେ ଧାରଣା କରି ରଖିଥାଏ । ଫରାସୀ ଏବଂ ଜର୍ମାନ୍ ପିଲାଟିଏ ମଧ୍ୟ ଏକ ଅନୁରୂପ ଧାରଣା ପୋଷଣ କରୁଥାଏ । ଏବଂ ସେହି କାରଣରୁ ହିଁ ସବୁ ପିଲା ଓ ପିଲାଦିନର ସରଳ ଧାରଣାଗୁଡ଼ିକ ଦ୍ଵାରା ପରିଚାଳିତ ହେଉଥିବା ଏପରିକି କେତେକ ବୟସ୍କ ଲୋକ ମଧ୍ୟ ଜର୍ମାନୀରେ ପିଲାମାନେ ଜର୍ମାନ୍ ଭାଷାରେ କଥା କହନ୍ତି ବୋଲି ଜାଣି ସର୍ବଦା ଭାରି ଆଶ୍ଚର୍ଯ୍ୟାନ୍ଵିତ ହୋଇଯାଆନ୍ତି ।

 

କଳାପ୍ରତି ଏକ ଆଗ୍ରହର ଜାଗୃତି ଘଟିବା ପରେ ଯାଇ ସାଧାରଣତଃ ଇତିହାସ ପ୍ରତି ରହୁଥିବା ଆଗ୍ରହଟି ଜନ୍ମଲାଭ କରିଥାଏ । ମୁଁ ଯେତେଦୂର ପର୍ଯ୍ୟାଲୋଚନା କରି ଦେଖିପାରୁଛି ଓ ମୋ’ର ଯେତିକି ଅଭିଜ୍ଞତା ରହିଛି, ମୁଁ ସେଥିରୁ ଏପରି ଅବଶ୍ୟ କହିବି ଯେ, ସମସାମୟିକ ଇତିହାସ ବିଷୟରେ କିଛି ଜ୍ଞାନ ହୋଇଯିବା ଫଳରେ ହିଁ ଆମ ଭିତରେ ଇତିହାସ ପ୍ରତି ଏକ ଆଗ୍ରହ ଜନ୍ମଲାଭ କରିଥାଏ । ବେଳେବେଳେ ସେହି ସମସମାୟିକ ଇତିହାସରେ ଆମେ ସ୍ଵୟଂ ଏକ ଭୂମିକା ଗ୍ରହଣ କରିଥାଉ, -ରାଜନୀତିରେ ରହିଥିବା ଆମର ଆଗ୍ରହ, ରାଜନୀତି ସମ୍ବନ୍ଧରେ ଆମର ମତ, ଆଲୋଚନା, ସମ୍ବାଦପତ୍ରର ପଠନ,–ଏହି ସବୁଥିରୁ ହିଁ ଇତିହାସ ପାଇଁ ଏକ ଆଗ୍ରହ ଜନ୍ମିଥାଏ ଏବଂ ବସ୍ତୁତଃ ସେହି କାରଣରୁ ହିଁ, ବର୍ତ୍ତମାନ କାଳରୁ ଆମେ ଇତିହାସର ଅଧ୍ୟୟନ ଆରମ୍ଭ କରିବା ବୋଲି ବିଚାରଶୀଳ ପ୍ରତ୍ୟେକ ଶିକ୍ଷକ ଅନୁଭବ କରିଥାଏ ।

 

ଏହି ଗ୍ରୀଷ୍ମଋତୁଟିରୁ ମୁଁ ଏଠାରେ ବର୍ଣ୍ଣିତ ଏହି ପ୍ରୟୋଗଗୁଡ଼ିକୁ ଆରମ୍ଭ କରିଥିଲି । ଏଠାରେ ସେଥିରୁ ଗୋଟିଏ ପ୍ରୟୋଗର କଥା କହିବାକୁ ଯାଉଛି ।

Image

 

ତ୍ରୟତିଂଶ ଅଧ୍ୟାୟ

ଇତିହାସର ପ୍ରଥମ ପାଠ

 

କେଉଁସବୁ କ୍ଷେତ୍ରରେ ରୁଷିଆଦେଶର ଅନ୍ୟ ଦେଶମାନଙ୍କ ଠାରୁ ଏକ ପାର୍ଥକ୍ୟ ରହିଛି,–ତା’ ସୀମା ଓ ସେଠାରେ ଚାଲିଥିବା ଶାସନରେ କି ବିଶେଷତ୍ଵମାନ ରହିଛି, ପ୍ରଥମ ପାଠଟିରେ ଆମେ ସେହିସବୁ ବିଷୟରେ ଆଲୋଚନା କରିଥିଲୁ । ବର୍ତ୍ତମାନ ଏଠାରେ କେଉଁ ସମ୍ରାଟଙ୍କର ରାଜତ୍ଵ ଚାଲିଛି ଏବଂ ବର୍ତ୍ତମାନର ସମ୍ରାଟ କିପରି ଓ କେବେ ସିଂହାସନ ଆରୋହଣ କରିଥିଲେ, ଆମର ସବାଆଗ ସେହିକଥା ପଡ଼ିଥିଲା ।

 

ଶିକ୍ଷକ : ଆମେସବୁ କେଉଁଠାରେ ବାସ କରୁଛୁ ? କେଉଁ ଦେଶରେ ?

 

ଜଣେ ଛାତ୍ର : ୟସନାୟା ପୋଲ୍ୟାନାରେ ।

 

ଦ୍ଵିତୀୟ ଛାତ୍ର : ଏହି ଦେଶରେ ।

 

ଶିକ୍ଷକ : ନାଇଁ, ୟସନାୟା ପୋଲ୍ୟାନା ଓ ଟୁଲା ସହର, ଉଭୟେ କେଉଁ ଦେଶରେ ଅବସ୍ଥିତ ?

 

ଛାତ୍ର : ଟୁଲା ଆମ ଏଠାରୁ ପନ୍ଦର ମାଇଲ୍‍ ଦୂରରେ । ତାହା କେଉଁ ଦେଶରେ ଅବସ୍ଥିତ-? ... କେଉଁଠାରେ... ?

 

ଶିକ୍ଷକ : ଟୁଲା ତ ଗୋଟିଏ ସ୍ଥାନୀୟ ରାଜଧାନୀ । ଏହା କେଉଁ ଦେଶରେ ଅପସ୍ଥିତ ?

 

ଛାତ୍ର: (ସିଏ ଭୂଗୋଳ ବି କିଛି ପଢ଼ିଥିଲା) ଭୂମିଟା ବଲ୍ ପରି ଗୋଲ୍ ।

 

ଜଣେ ଜର୍ମାନ କେଉଁ ଭୂମିରେ ବାସ କରୁଛି ଓ ଗୋଟିଏ କୌଣସି ଦିଗରେ ଆଗକୁ ଆଗକୁ ଯାଉଥିଲେ ତୁମେ ଶେଷକୁ କେଉଁଠାରେ ଯାଇ ପହଞ୍ଚିବ,–ଏହିଭଳି ପ୍ରଶ୍ନମାନ ପଚରାଯିବା ପରେ ଯାଇ ଛାତ୍ରମାନେ ଉତ୍ତର ଦେଇ ପାରିଲେ ଯେ, ସେମାନେ ରୁଷିଆ ଦେଶରେ ବାସ କରୁଛନ୍ତି-। କେତେକ ଛାତ୍ର ଅବଶ୍ୟ ଦ୍ଵିତୀୟ ପ୍ରଶ୍ନଟିର ଉତ୍ତର ଏହିଭଳି ଦେଇଥିଲେ : “ସିଧା ସିଧା ଯିବାରେ ଲାଗିଥିଲେ ଆମେ ଆଦୌ କେଉଁଠିହେଲେ ପହଞ୍ଚି ପାରିବୁନାହିଁ ।” ଆଉକେତେ କହିଥିଲେ, “ତେବେ ତୁମେ ପୃଥିବୀର ଶେଷରେ ଯାଇ ପହଞ୍ଚିଯିବ ।”

 

ଶିକ୍ଷକ : ତୁମେ କହିଲ ଯେ ତୁମେ ଅନ୍ୟ ଦେଶମାନଙ୍କରେ ଯାଇ ପହଞ୍ଚିବ । ତେବେ, ରୁଷିଆ ଦେଶ କେଉଁଠାରେ ସରିଛି ଏବଂ ଅନ୍ୟ ଦେଶଗୁଡ଼ିକ କେଉଁଠାରେ ଆରମ୍ଭ ହୋଇଛି ?

 

ଛାତ୍ର : ଯେଉଁଠି ଜର୍ମାନମାନେ ବାସ କରୁଛନ୍ତି ।

 

ଶିକ୍ଷକ: ତେବେ, ଯଦି ତୁମେମାନେ ଟୁଲା ସହରରେ ଦୁଇଜଣ ଜର୍ମାନ୍ ନାମ ଥିବା ପିଲାଙ୍କୁ ଭେଟିବ, ତେବେ ତୁମେ ତାହାକୁ ଜର୍ମାନମାନଙ୍କର ଦେଶ ବୋଲି କହିବ କି ? ତାକୁ କ’ଣ ଜର୍ମାନୀ ବୋଲି କହିବ ?

 

ଛାତ୍ର: ନାଇଁ, ଯେଉଁଠାରେ ବହୁତ ଜର୍ମାନ୍ ବାସ କରୁଥିବେ ।

 

ଶିକ୍ଷକ : ନାଇଁ, ଏକଥା ସବୁବେଳେ ମୋଟେ ଠିକ୍ ହେବ ନାହିଁ । ରୁଷିଆରେ ମଧ୍ୟ ଏପରି ଗୋଟିଏ ଅଞ୍ଚଳ ରହିଛି, ଯେଉଁଠାରେ କି ଜର୍ମାନମାନେ ବହୁସଂଖ୍ୟାରେ ବାସ କରୁଛନ୍ତି ।

 

ସମସ୍ତେ ନୀରବ ରହିଲେ ।

 

ଶିକ୍ଷକ : ଜର୍ମାନ୍ ହେଲେ ମଧ୍ୟ ସେମାନେ ରୁଷୀୟମାନଙ୍କ ପରି ଏକା ଆଇନ୍ ମାନୁଛନ୍ତି-

 

ଛାତ୍ର : ସେମାନେ ଏକ ଆଇନ୍ ମାନୁଛନ୍ତି କିପରି ? ଜର୍ମାନମାନେ ଆମେ ଯାଉଥିବା ଗୀର୍ଜାକୁ ଯାଆନ୍ତି ନାହିଁ, ଆମେ ମାଂସ ନଖାଉଥିବା ଗୋଟିଏ ପର୍ବରେ ସେମାନେ ମାଂସ ଖାଆନ୍ତି ।

 

ଶିକ୍ଷକ : ଏକା ଆଇନ୍ ନହେଲେ ମଧ୍ୟ ସେମାନେ ଏକ ସମ୍ରାଟଙ୍କୁ ମାନନ୍ତି ।

 

ଛାତ୍ର(ସବୁଥରେ ସଂଶୟ ପ୍ରକାଶ କରୁଥିବା ସେମକା) : ବଡ଼ ବିଚିତ୍ର କଥା ତ ! ସେମାନେ ଏକ ଅଲଗା ଆଇନ୍ ମାନନ୍ତି ଓ ତଥାପି କାହିଁକି ଆମ ସମ୍ରାଟଙ୍କର ଆଇନକୁ ପାଳନ କରନ୍ତି ?

 

ଆଇନ୍ କହିଲେ କ’ଣ ବୁଝାଏ, ଶିକ୍ଷକ ତାହା ବୁଝାଇ ଦେବାର ଆବଶ୍ୟକତା ଅନୁଭବ କଲେ । ଏକ ଆଇନକୁ ମାନିବାର ଅର୍ଥ କ’ଣ ବୋଲି ସେ ପିଲାମାନଙ୍କୁ ପଚାରିଲେ ।

 

ଜଣେ ଛାତ୍ର : ଆଇନ୍ ମାନିବା ହେଉଛି–ବାହା ହେବା ।

 

ପିଲାମାନେ ପ୍ରଶ୍ନପୂର୍ଣ୍ଣ ଚାହାଣିରେ ଶିକ୍ଷକଙ୍କ ଆଡ଼କୁ ଅନାଇଲେ । ସେହି ଉତ୍ତରଟା ଠିକ୍ ହେଲା କି ?

 

ଶିକ୍ଷକ ବୁଝାଇ କହିଦେଲେ ଯେ, ଆଇନ୍‍ର ଅର୍ଥ ହେଉଛି, ଯଦି କେହି ଚୋରି କରିବ କିମ୍ବା ମଣିଷ ମାରିବ, ତେବେ ତାକୁ ବନ୍ଦୀଶାଳାରେ ରଖାଯିବ ଏବଂ ଦଣ୍ଡ ଦିଆଯିବ ।

 

ସେମକା : ମାତ୍ର ଜର୍ମାନମାନଙ୍କ ପାଇଁ ମଧ୍ୟ ଠିକ୍ ସେହିକଥା ହୁଏ !

 

ଶିକ୍ଷକ : ଆଇନର ଅର୍ଥ ହେଉଛି, ଆମର ଏଠି ସମ୍ଭ୍ରାନ୍ତମାନେ ଅଛନ୍ତି, ଚାଷୀ, ବ୍ୟାପାରୀ ଏବଂ ପୁରୋହିତମାନେ ମଧ୍ୟ ରହିଛନ୍ତି ।

 

ସେମକା : ଜର୍ମାନମାନଙ୍କର ମଧ୍ୟ ଏମାନେ ରହିଛନ୍ତି ।

 

ଶିକ୍ଷକ : କେତେ ଦେଶରେ ଅଛନ୍ତି, କେତେ ଦେଶରେ ନାହାନ୍ତି । ଆମର ଏଠି ରୁଷୀୟ ସମ୍ରାଟ, ଜର୍ମାନୀରେ ଜର୍ମାନ୍ ସମ୍ରାଟ ।

 

ଏହି ଉତ୍ତରଟି ସମସ୍ତଙ୍କୁ ସନ୍ତୋଷ ଦେଇଥିଲା, ସଂଶୟବାଦୀ ସେମକାକୁ ମଧ୍ୟ ।

 

ସମାଜରେ ରହିଥିବା ଶ୍ରେଣୀଗୁଡ଼ିକ ବିଷୟରେ ଶିକ୍ଷକ ବୁଝାଇ ଦେବାକୁ ଇଚ୍ଛା କଲେ । ସମାଜରେ କେଉଁସବୁ ଶ୍ରେଣୀ ଅଛନ୍ତି ବୋଲି ପିଲାମାନଙ୍କୁ ପଚାରିଲେ ।

 

ପିଲାମାନେ ଗଣିକରି କହିବାକୁ ଚେଷ୍ଟା କଲେ–ସମ୍ଭ୍ରାନ୍ତ ଶ୍ରେଣୀ, କୃଷକ, ପୁରୋହିତ, ସୈନ୍ୟ…

 

“ଆଉ କିଛି ?” –ଶିକ୍ଷକ ପଚାରିଲେ ।

 

ପିଲାମାନେ ଆଉ କେତୋଟି ଶ୍ରେଣୀର ନାଆଁ କହିଦେଲେ ।

 

ଏହିସବୁ ଶ୍ରେଣୀଗୁଡ଼ିକ ମଧ୍ୟରେ କ’ଣସବୁ ପାର୍ଥକ୍ୟ ରହିଛି ବୋଲି ଶିକ୍ଷକ ପଚାରିଥିଲେ-

 

ଛାତ୍ରମାନେ : ଚାଷୀମାନେ ହଳ କରନ୍ତି, କୋଠିଆମାନେ ଅନ୍ୟମାନଙ୍କ ଘରେ କାମ କରନ୍ତି, ବେପାରୀମାନେ ବିକାକିଣା କରନ୍ତି, କୁମ୍ଭାର ପାତ୍ର ତିଆରି କରନ୍ତି, ଧର୍ମଯାଜକ ପ୍ରାର୍ଥନାସଭାରେ ଉପଦେଶ ଦିଅନ୍ତି ଓ ସମ୍ଭ୍ରାନ୍ତମାନେ କୌଣସି କାମ କରନ୍ତି ନାହିଁ ।

 

ଶିକ୍ଷକ ପ୍ରକୃତ ପାର୍ଥକ୍ୟଗୁଡ଼ିକୁ ବୁଝାଇ କହିଦେଲେ । ଯୁଦ୍ଧ ନଥିବା ସମୟରେ ସୈନ୍ୟମାନଙ୍କର କି ପ୍ରୟୋଜନ ରହିଛି ବୋଲି କଥାଟିକୁ ପିଲାମାନେ ଆଦୌ ବୁଝି ପାରିଲେନାହିଁ । ହଁ, ସେମାନେ ସେତେବେଳେ ଦେଶରେ ଶୃଙ୍ଖଳାରକ୍ଷା କରୁଥାନ୍ତି । ହଁ, ସମ୍ଭ୍ରାନ୍ତମାନେ ଉଚ୍ଚ କର୍ମସ୍ଥାନ ମାନଙ୍କରେ ରହନ୍ତି । ସେହିପରି ଭାବରେ ଶିକ୍ଷକ ରୁଷିଆ ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ରହିଥିବା ପାର୍ଥକ୍ୟଗୁଡ଼ିକୁ ବୁଝାଇଦେଲେ । ସିଏ କହିଲେ ଯେ, ପୂରା ପୃଥିବୀରେ କେତେ କେତେ ଜାତି ରହିଛନ୍ତି : ରୁଷୀୟ, ଫରାସୀ, ଓ ଜର୍ମାନମାନେ ପୂରା ପୃଥିବୀଟାକୁ ନିଜ ଭିତରେ ଭାଗ କରିଦେଲେ ଓ କହିଲେ, “ଏପର୍ଯ୍ୟନ୍ତ ଆମ ଭୂମି ଓ ଏହିଠାରୁ ତୁମ ଭୂମି,” ଏବଂ, ସେହି କାରଣରୁ ରୁଷିଆ ଓ ଅନ୍ୟ ଦେଶମାନଙ୍କର ନିଜନିଜର ସୀମାମାନ ରହିଛି ।

 

ଶିକ୍ଷକ : ସୀମା କ’ଣ ବୁଝିପାରୁଛ ? ଗୋଟିଏ ଉଦାହରଣ ଦେଇ କହ !

 

ଜଣେ ଛାତ୍ର (ଭାରି ବୁଦ୍ଧିଆ ଜଣେ) : ଆମ ଅଞ୍ଚଳର ଏହି ପର୍ବତ ସେପାଖରୁ ଗୋଟିଏ ସୀମା ଅଛି । ଟୁଲା ଓ ୟସନାୟା ପୋଲ୍ୟାନା ଭିତରେ ପଡ଼ିଥିବା ରାସ୍ତାର ଗୋଟିଏ ଜାଗାରେ ପଥରଖୁଣ୍ଟିଟିଏ ପୋତି ଦିଆଯାଇଛି ଓ ସେହିଠାରୁ ଟୁଲା ଜିଲ୍ଲା ଆରମ୍ଭ ହୋଇଛି ।

 

ସବୁ ପିଲା ବୁଝିଲେ ।

 

ଶିକ୍ଷକ ଆଉ କେତୋଟି ସୀମା ବିଷୟରେ ଉଦାହରଣ ଦେଲେ । ଦୁଇଟି କୋଠରୀର ଚିତ୍ର ଆଙ୍କି ମଝିରେ ଥିବା ସୀମାଟିକୁ ଦେଖାଇଦେଲେ । ତା’ ପରେ ଗାଆଁର ନକ୍ସା ଆଣି ଦେଖାଇଲେ ଓ ପିଲାମାନେ ସେଥିରେ ଥିବା କେତୋଟି ପରିଚିତ ସୀମାକୁ ଚିହ୍ନି ପାରିଲେ । ଶିକ୍ଷକ ବ୍ୟାଖ୍ୟା କରିଦେଲା ପରି କହିଲେ : ୟସନାୟା ପୋଲ୍ୟାନାର ଯେମିତି ଗୋଟିଏ ସୀମା ଅଛି, ରୁଷିଆ ଦେଶର ମଧ୍ୟ ସେହିପରି ସୀମାଟିଏ ରହିଛି । ପିଲାମାନେ ଏଥର ସବୁ ବୁଝିଗଲେ ବୋଲି ଭାବି ସେ ମନେ ମନେ ଖୁସି ବି ହେଉଥିଲେ । ମାତ୍ର ତା’ ପରେ ସିଏ ଯେତେବେଳେ “ଆମର ଏଠାରୁ ରୁଷିଆର ସୀମା କେତେ ଦୂର ?” ବୋଲି ପଚାରିଲେ, ସେତେବେଳେ ପିଲାମାନେ ଭାରି ଅଡ଼ୁଆରେ ପଡ଼ିଗଲେ ଓ ଭାରି ସହଜରେ ଏହାର ଉତ୍ତର ଦିଆଯାଇ ପାରିବ ବୋଲି କହିଲେ : ଆମେ ଗୋଟିଏ ବାଡ଼ି ନେଇ ରୁଷିଆର ସୀମାଯାଏ ଦୂରତାଟିକୁ ମାପିଦେବା ।

 

ଶିକ୍ଷକ : କେଉଁ ଦିଗରେ ?

 

ପିଲାମାନେ : ଆମେ ସିଧା ଏଠୁ ସୀମାଯାଏ ଚାଲିଯିବା । ଏବଂ କେତେ ବାଟ ଗଲୁ, ମାପିକରି ଲେଖି ରଖିବା ।

 

ତା’ ପରେ ଆମେ ପୁନର୍ବାର ଛବି ନକ୍ସା ଓ ମାନଚିତ୍ର ଆଦିର ସାହାଯ୍ୟ ନେଇଥିଲୁ । ସେତେବେଳେ ପିଲାମାନଙ୍କୁ “ଜରିବ” କଥାଟିର ଅର୍ଥକୁ ମଧ୍ୟ ବୁଝାଇ ଦେବାକୁ ପଡ଼ିଲା । ବିଭିନ୍ନ ରାସ୍ତାଗୁଡ଼ିକୁ ଦର୍ଶାଇ ଗାଆଁର ଏକ ନକ୍ସା ତିଆରି କରାଯାଉ ବୋଲି ଶିକ୍ଷକ ପ୍ରସ୍ତାବ ଦେଲେ । ଆମେ କଳାପଟା ଉପରେ ନକ୍ସାଟିକୁ ଆଙ୍କିଲୁ, ମାତ୍ର ତା’ ଭିତରେ ପୁରା ଗାଆଁଟିକୁ ଆଣି ପାରିଲୁନାହିଁ । ତେଣୁ, ତାହାକୁ ନିଭାଇ ଦେଇ ଗୋଟିଏ ସ୍ଲେଟ ଉପରେ ନୂଆ ନକ୍ସାଟିଏ ତିଆରି କଲୁ । ତା’ ପରେ ଯାଇ ସବୁକିଛି ସ୍ପଷ୍ଟ ହୋଇ ଆସିଲା । ଶିକ୍ଷକ ମଧ୍ୟ ଆଉଥରେ ସବୁଯାକ କଥାକୁ ବୁଝାଇ କହିଦେଲେ ଏବଂ ତା’ପରେ ରୁଷିଆ କହିଲେ କ’ଣ ବୁଝାଏ ବୋଲି ପଚାରିଲେ ।

 

ଛାତ୍ର : ଯେଉଁ ଭୂମିରେ ଆମେ ବାସ କରୁଛୁ, ଯେଉଁଠାରେ ଜର୍ମାନ୍ ଓ ତାତାରମାନେ ମଧ୍ୟ ବାସ କରୁଛନ୍ତି ।

 

ଆଉଜଣେ ଛାତ୍ର : ଯେଉଁ ଭୂମିଟି ରୁଷୀୟ ସମ୍ରାଟଙ୍କ ଅଧୀନରେ ରହିଛି ।

 

ଝିଅଟିଏ : ତେବେ ବିଧର୍ମୀ ଜର୍ମାନମାନେ କେଉଁଠାରେ ଥାଆନ୍ତି ?

 

ଶିକ୍ଷକ : ଜର୍ମାନମାନେ ବିଧର୍ମୀ ନୁହନ୍ତି । ସେମାନେ ମଧ୍ୟ ଖ୍ରୀଷ୍ଟିଆନ । (ସେ ତା’ପରେ ଧର୍ମ ଓ ବିଶ୍ଵାସର ବ୍ୟାଖ୍ୟା କରି ଦେଇଥିଲେ ।)

 

ଛାତ୍ର : (ଖୁବ୍ ଖୁସୀ ହୋଇ ଓ ସିଏ ସବୁକିଛି ମନେ ରଖିପାରିଛି ବୋଲି ଅନୁଭବ କରି) ରୁଷିଆରେ ବହୁତ ଆଇନ୍ ଅଛି । ଯିଏ ମଣିଷ ମାରୁଛି, ତାକୁ ବନ୍ଦୀଶାଳାରେ ରଖାଯାଉଛି । ଏବଂ ଏଠାରେ ଧର୍ମଯାଜକ, ସୈନିକ ଓ ସମ୍ଭ୍ରାନ୍ତ ଲୋକ–ଏହିପରି ବହୁ କିସମର ମଣିଷ ଅଛନ୍ତି ।

 

ସେମକା : ସୈନ୍ୟମାନଙ୍କୁ କିଏ ଦରମା ଦେଉଛି ?

 

ଶିକ୍ଷକ : ସମ୍ରାଟ ଦେଉଛନ୍ତି । ମାତ୍ର ସମ୍ରାଟ ମଧ୍ୟ ସମସ୍ତଙ୍କଠାରୁ ଖଜଣା ଆଦାୟ କରୁଛନ୍ତି । କାରଣ ସମସ୍ତେ ସେମାନଙ୍କ ସେବାଦ୍ଵାରା ଉପକୃତ ବି ହେଉଛନ୍ତି ।

 

ତା’ପରେ ଶିକ୍ଷକ ବଜେଟ୍ ବିଷୟରେ ମଧ୍ୟ କିଛି ବୁଝାଇ କହି ଦେଉଛନ୍ତି ଏବଂ, ତା’ପରେ ସୀମା ବିଷୟରେ କୁହା ହୋଇଥିବା କଥାମାନ ସେମାନଙ୍କୁ ପୁନର୍ବାର କହିବାଲାଗି ଶିକ୍ଷକ ଯେତେବେଳେ ଆଦେଶ ଦେଉଛନ୍ତି, ସେତେବେଳେ ସେଥିରେ କେବଳ କାମ ଚଳିଯିବା ଭଳି ସଫଳତା ମିଳିପାରୁଛି ।

 

ଏହି ପାଠ ଦୁଇଘଣ୍ଟା ଯାଏ ଚଳୁଛି । କୁହା ଯାଇଥିବା ବିଷୟଗୁଡ଼ିକର ବେଶ୍ ବହୁତ ଅଂଶ ପିଲାମାନେ ମନେ ରଖିଛନ୍ତି ବୋଲି ଶିକ୍ଷକ ଅନୁଭବ କରୁଛନ୍ତି । ପରବର୍ତ୍ତୀ ପାଠଗୁଡ଼ିକ ମଧ୍ୟ ଠିକ୍ ସେହି ଶୈଳୀରେ ଚାଲୁଛି ମାତ୍ର ତଥାପି, ଏହି ପଦ୍ଧତିଗୁଡ଼ିକ ଯେ ଆଦୌ ସନ୍ତୋଷଜନକ ନୁହେଁ, ଶିକ୍ଷକ ତା’ପରେ ସେହି କଥାଟିକୁ ଅନୁଭବ କରି ପାରୁଛନ୍ତି । ସିଏ ଭାବୁଛନ୍ତି, ଏପର୍ଯ୍ୟନ୍ତ ସିଏ ଯାହାକିଛି କରିଛନ୍ତି, ତାହା ହେଉଛି ପୂରାପୂରି ମୂଲ୍ୟହୀନ ।

 

ମୁଁ ଏସବୁ ପ୍ରୟୋଗକୁ ଛଅମାସ ପୂର୍ବେ କରିଥିଲି । ପ୍ରଥମେ ପ୍ରଥମେ ସେଥିରୁ ପୂରା ସନ୍ତୋଷ ମିଳିଥିଲା ଓ ମୁଁ ସେଗୁଡ଼ିକ ଲାଗି ଗର୍ବ ଅନୁଭବ କରୁଥିଲି । ଯେଉଁମାନଙ୍କ ଆଗରେ ତାହାକୁ ପଢ଼ି ଶୁଣାଇଥିଲି, ସେମାନେ ମଧ୍ୟ ଏଗୁଡ଼ିକ ସଂପୂର୍ଣ୍ଣ ଭାବରେ ଭଲ ଏବଂ ଆଗ୍ରହୋଦ୍ଦୀପକ ବୋଲି କହିଥିଲେ । ମାତ୍ର, ତା’ପରେ ତିନି ସପ୍ତାହ ପର୍ଯ୍ୟନ୍ତ ମୁଁ ବିଦ୍ୟାଳୟର ନିଜେ କୌଣସି ତତ୍ତ୍ଵ ନେଇ ପାରିନଥିଲି ଏବଂ ଯାହା ଆରମ୍ଭ କରିଥିଲି, ତିନି ସପ୍ତାହ ପରେ ସେଗୁଡ଼ିକୁ ପୁନର୍ବାର ଚଳାଇବି ବୋଲି ସ୍ଥିର କଲି । ସେତେବେଳେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ହୃଦୟଙ୍ଗମ କଲି ଯେ ମୁଁ ଆଗରୁ ଯାହା କିଛି କରିଥିଲି, ତାହାର ଆଦୌ କୌଣସି ମୂଲ୍ୟ ହିଁ ନଥିଲା । ମୋତେ ନିଜେ ନିଜକୁ ବଞ୍ଚିତ କରିଥିବା ପରି ଲାଗୁଥିଲା । ଗୋଟିଏ ପିଲା ବି ଆଗର ପାଠଗୁଡ଼ିକୁ କହି ପାରିଲାନାହିଁ । ସେମାନେ ଯାହାକିଛି ଶିକ୍ଷା କରିଥିଲେ, ସେଗୁଡ଼ିକୁ ପୂରା ପାସୋରି ଦେଇଥିଲେ । ଅବଶ୍ୟ ନିଜ ମାର୍ଗରେ ସେଥିରୁ ଏଣୁ ତେଣୁ କିଛି କହି ପାରିଲେ । ନିଜ ଭୁଲଟି ବିଷୟରେ ମୋ’ର ଆଉ କୌଣସି ସନ୍ଦେହ ରହିଲାନାହିଁ । ମାତ୍ର, ମୁଁ ଏକ ଭୁଲ୍ ପ୍ରଣାଳୀ ଅନୁସରଣ କରିଥିଲି ବୋଲି ଏପରି ହେଲା ବା ଆଉ କ’ଣପାଇଁ ହେଲା, ସେକଥା କିଛି ଜାଣିପାରିଲି ନାହିଁ । ହୁଏତ, ପିଲାର ସାଧାରଣ ବିକାଶର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟ ପୂର୍ବରୁ ଏହି କ୍ଷେତ୍ରରେ ଆଦୌ କୌଣସି ସମ୍ଭାବନା ନଥାଏ ଏବଂ, ସେତେବେଳେ ମଧ୍ୟ ସମ୍ବାଦପତ୍ର ତଥା ସ୍ଥାନଭ୍ରମଣର ସାହାଯ୍ୟ ନନେଇ ଇତିହାସ କିମ୍ବା ଭୂଗୋଳ ପଢ଼ାରେ ପିଲା ଭିତରେ ଆଦୌ କୌଣସି ଆଗ୍ରହ ସୃଷ୍ଟି କରାଯାଇ ପାରେନାହିଁ । ହୁଏତ, ଆମକୁ ଏପରି ଗୋଟିଏ ପ୍ରଣାଳୀ ଦିନେ ମିଳିଯିବ, ଯାହାଦ୍ୱାରା କି ଏହା ସମ୍ଭବ ହୋଇ ପାରିବ ଏବଂ ତେଣୁ ମୁଁ ଏବେ ମଧ୍ୟ ମୋ’ର ଚେଷ୍ଟା ଏବଂ ପ୍ରୟୋଗକୁ ଅବ୍ୟାହତ ରଖିଛି । ମୁଁ କେବଳ ଗୋଟିଏ ମାତ୍ର କଥା ଜାଣିପାରିଛି : ତାହା ହେଉଛି ଯେ, ତଥାକଥିତ ଇତିହାସ ତଥା ଭୂଗୋଳ ଦ୍ଵାରା ସେହି ପ୍ରଣାଳୀଟିକୁ କଦାପି ହାସଲ କରି ହେବନାହିଁ । ଅର୍ଥାତ୍, ବହିଗୁଡ଼ିକୁ ପଢ଼ାଇବା ଦ୍ଵାରା ତାହା ସମ୍ଭବ ହେବନାହିଁ । କାରଣ, ତାହା ଏହି ଆଗ୍ରହକୁ ମାରି ପକାଇବ ସିନା, ତାହାକୁ କଦାପି ଜାଗୃତ କରି ପାରିବନାହିଁ ।

Image

 

ଚତ୍ଵାତିଂଶ ଅଧ୍ୟାୟ

ରୁଷିଆ ଇତିହାସରେ ଏକ ପ୍ରୟୋଗ

 

ଆମ ସମୟରେ ଇତିହାସ ବିଷୟରେ ଶିକ୍ଷା ଦେବାର କ୍ଷେତ୍ରରେ ମୁଁ ଆହୁରି ଅନ୍ୟ କେତେ ପ୍ରୟୋଗ ମଧ୍ୟ କରିଥିଲି ଓ ସେଗୁଡ଼ିକରେ ପୂର୍ଣ୍ଣ ସଫଳତା ମଧ୍ୟ ମିଳିଥିଲା । ଇତିହାସର କଥାଗୁଡ଼ିକୁ ମୁଁ ମୂଳତଃ କାହାଣୀ ପରି କହିଥିଲି, ଇତିହାସର ଜଣେ ଜଣେ ପ୍ରଧାନ ବ୍ୟକ୍ତିଙ୍କୁ କେନ୍ଦ୍ର କରି ସେହି କାହାଣୀଗୁଡ଼ିକୁ କହିଥିଲି । ନେପୋଲିଅନଙ୍କ ସହିତ ରୁଷିଆର ଯେଉଁ ଯୁଦ୍ଧ ଲାଗିଥିଲା, ମୋ’ର ସବୁଠାରୁ ଅଧିକ ସଫଳତା ସେଇଥିରେ ହିଁ ହେଲା । ଆଗରୁ ମୁଁ ତାହାହିଁ ଆଶା କରିଥିଲି ।

 

ଆମର ଜୀବନ ପାଇଁ ମଧ୍ୟ ଏହି ପାଠଟି ଏକ ସ୍ମରଣୀୟ ମୂହୁର୍ତ୍ତ ସମ୍ଭବ କରି ପାରିଥିଲା-। ମୁଁ ଏହି ସମୟଟିକୁ କେବେହେଲେ ଭୁଲି ପାରିବିନାହିଁ । କେତେ ଦିନ ହେଲା ପିଲାମାନଙ୍କୁ ଏପରି ଗୋଟିଏ ପ୍ରତିଶ୍ରୁତି ଦିଆ ଯାଇଥିଲା ଯେ ସେମାନଙ୍କୁ ଶେଷ ଭାଗଟି କହିବି ଓ ଅନ୍ୟ ଶିକ୍ଷକଜଣକ ପ୍ରଥମ ଭାଗଟିକୁ କହିବେ ଏବଂ ଏହିପରି ଭାବରେ ସମସ୍ତ ବିଷୟଟି କୁହା ହୋଇଯିବ-। ମୋ’ ସନ୍ଧ୍ୟାକାଳୀନ ଛାତ୍ରମାନେ ଯିବାକୁ ଆରମ୍ଭ କରୁଥିଲେ ଏବଂ ମୁଁ ତା’ପରେ ରୁଷିଆର ଇତିହାସ ପଢ଼ାହେଉଥିବା ଶ୍ରେଣୀ ଭିତରକୁ ଗଲି । ସେତେବେଳେ ସେବାସ୍ତ୍ରୋପୋଲର ବର୍ଣ୍ଣନାଟି ପଡ଼ିଥାଏ-। ପିଲାମାନଙ୍କୁ ନୀରସ ଲାଗୁଥାଏ । ସବୁଦିନ ପରି, ଉଞ୍ଚା ବେଞ୍ଚଟି ଉପରେ ଚାଷୀଘରର ତିନୋଟି ଝିଅ ଶାଲ୍ ଘୋଡ଼ି ହୋଇ ଏକାଠି ଗୁଞ୍ଚିଗଞ୍ଜି ହୋଇ ବସିଥାନ୍ତି । ଜଣେ ପ୍ରକୃତରେ ଶୋଇ ପଡ଼ିଥାଏ । ମିଶକା କହୁଣିଟାକୁ ମୋ’ ଦେହରେ ବାଡ଼େଇ ଦେଇ କ’ଣ ଯେପରି କହିବାକୁ ଇଚ୍ଛା କରୁଥିଲା-

 

“ସେଠି ଦେଖ, ତିନୋଟିଯାକ କୋଇଲି ସେଠି ବସିଛନ୍ତି, ଗୋଟିକୁ ନିଦ ବି ଲାଗିଗଲାଣି-। “ସିଏ ବି ଠିକ୍ କୋଇଲିଟିଏ ପରି ଏକଥା କହୁଥିଲା ।

 

“ତୁମେ ଆମକୁ ଶେଷଆଡ଼ୁ ସବୁ କହ,”–କିଏ ଜଣେ ପ୍ରସ୍ତାବ ଦେଲା ଓ ସମସ୍ତେ ଏକାବେଳେକେ ଚେଙ୍ଗା ହୋଇ ଉଠିଲେ ।

 

ମୁଁ ବସିଲି ଓ କାହାଣୀଟିକୁ ଆରମ୍ଭ କରିଦେଲି । ସବୁଦିନେ ଯେପରି ହୋଇଥାଏ, ପ୍ରଥମେ କେତେ ମିନିଟ ସକାଶେ କିଞ୍ଚିତ୍ ଗୋଳମାଳ ହେଲା, କିଛି ଚିତ୍କାର ଶୁଣାଗଲା, ପିଲାମାନଙ୍କର ପାଟି ଶୁଣା ଯାଉଥିଲା । ଜଣେ ଟେବୁଲ୍ ଉପରେ ଯାଇ ଚଢ଼ିଗଲା, ଆଉଜଣେ ଚେୟାର୍ ଉପରେ, ଆଉଜଣେ ଗୋଟିଏ ବେଞ୍ଚ୍ ଉପରେ । ଗୋଟିଏ ପିଲା ତା’ ପାଖପିଲାର କାନ୍ଧ ଉପରକୁ ଆଉଜି ବସିଥାଏ । ଆଉଜଣେ ଯାଇ ତା’ ସାଙ୍ଗର କୋଡ଼ରେ । ମାତ୍ର, ପରିଶେଷରେ ସମସ୍ତେ ସ୍ଥିର ହୋଇଗଲେ ।

 

ମୁଁ ସମ୍ରାଟ ଆଲେକଜାଣ୍ଡରଙ୍କ ଠାରୁ କାହାଣୀଟିକୁ ଆରମ୍ଭ କଲି । ପିଲାମାନଙ୍କୁ ଫରାସୀ ବିପ୍ଳବ ଓ ନେପୋଲିଅନଙ୍କରଙ୍କର ବିଜୟଗୁଡ଼ିକ ବିଷୟରେ କହିଲି । ସିଏ କିପରି କ୍ଷମତା ଛଡ଼ାଇ ଦେଇଥିଲେ ଓ ଯୁଦ୍ଧ କରି ସନ୍ଧି କରାଇଲେ, ସେବିଷୟରେ ମଧ୍ୟ ।

 

ଯେଉଁଠାରୁ କାହାଣୀରେ ରୁଷିଆ କଥା ଆସି ପଡ଼ିଲା, ସେତେବେଳେ ଚାରିଆଡ଼ୁ କେତେ ପ୍ରକାରର ଆବାଜ ଓ ଶବ୍ଦସବୁ ଶୁଭିଲା ଏବଂ ସମସ୍ତେ ଆଗ୍ରହରେ ଜୀବନ୍ତ ହୋଇ ଉଠିଥିଲେ ।

 

“ନୋପୋଲିଅନ୍ କାହିଁକି ଆମକୁ ବିଜୟ କରିବାକୁ ଇଚ୍ଛା କଲେ ?”

 

“ସେ ପ୍ରଶ୍ନ ଥାଉ । ଆଲେକଜାଣ୍ଡର୍ ସେହି ପ୍ରଶ୍ନଟିର ଉତ୍ତର ଦେବେ ।”–ପ୍ରଥମ ଆଲେକଜାଣ୍ଡରଙ୍କ ବିଷୟ ଆଗରୁ କିଛି ଜାଣିଥିବା ଗୋଟିଏ ପିଲା ଉତ୍ତର ଦେଇଥିଲା । ମାତ୍ର, ମୁଁ ମଧ୍ୟ ସେମାନଙ୍କର ଆଶାକୁ ଧୂଳିସାତ୍ କରିଦେବାକୁ ବାଧ୍ୟ ହୋଇଥିଲି : ବିଜୟର ମୁହୂର୍ତ୍ତଟି ସେପର୍ଯ୍ୟନ୍ତ ଆସିନଥିଲା ଓ ନୋପୋଲିଅନ୍ ଜାରଙ୍କର ଭଉଣୀକୁ ବିବାହ କରିବାକୁ ପ୍ରସ୍ତାବଟିକୁ ଶୁଣି ପିଲାମାନେ ଅତ୍ୟନ୍ତ ଦୁଃଖିତ ହୋଇ ପଡ଼ିଥିଲେ ।

 

ଏକ ଭୟଙ୍କର ଅଙ୍ଗମୁଦ୍ରା କରି ଫେଡ଼କା “ରହ, ରହ”ବୋଲି କହିଲା ।

 

“ନାଇଁ, ନାଇଁ, କହିଯାଅ !”

 

ଆଲେକଜାଣ୍ଡର୍ ଯେତେବେଳେ ନେପୋଲିଅନଙ୍କ ପାଖରେ ବଶ୍ୟତା ସ୍ଵୀକାର ନକଲେ, ଅର୍ଥାତ୍ ଯେତେବେଳେ ସେ ଯୁଦ୍ଧଘୋଷଣା କଲେ, ପିଲାମାନେ ସମର୍ଥନସୂଚକ ହଁ ମାନ ମାରିବାକୁ ଲାଗିଲେ । ଏବଂ, ଯେତେବେଳେ ନେପୋଲିଅନ୍ ତାଙ୍କର “ବାର ଭୁଜ” ବିସ୍ତାର କରି ଆମ ବିରୁଦ୍ଧରେ ଅଗ୍ରସର ହେଲେ ଓ ଜର୍ମାନମାନଙ୍କୁ ତଥା ପୋଲାଣ୍ଡକୁ ଆମ ବିରୁଦ୍ଧରେ ଉସˎକାଇ ଆଣିଲେ, ସେତେବେଳେ ସେହି ଦୁଃଖକଥା ଶୁଣି ପିଲାମାନେ ସମସ୍ତେ ଦୁଃଖରେ ଅଧୀର ହୋଇ ପଡ଼ିଲେ । ସେହି ପ୍ରକୋଷ୍ଠରେ ମୋ’ର ଜଣେ ଜର୍ମାନ୍ ବନ୍ଧୁ ମଧ୍ୟ ବସିଥାନ୍ତି । ତାଙ୍କୁ ଲକ୍ଷ୍ୟ କରି ଆମର ସର୍ବୋତ୍ତମ କାହାଣୀ କହିଲାବାଲା ଫେଡ଼କା ଗର୍ଜନ କରି ଉଠିଲା ଓ କହିଲା, “ହଁ, ତୁମେ ମଧ୍ୟ ଆମ ବିରୁଦ୍ଧ ପକ୍ଷରେ ଥିଲ !”

 

ଅନ୍ୟ ପିଲାମାନେ “ଚୁପ୍ କର୍” ବୋଲି କହି ପ୍ରତିକ୍ରିୟା ବ୍ୟକ୍ତ କଲେ ।

 

ଆମ ଦେଶର ସେନାବାହିନୀ ପଛଘୁଞ୍ଚା ଦେଲେ ଶୁଣି ମୋ’ କଥା ଶୁଣୁଥିବା ପିଲାମାନେ ଅତ୍ୟନ୍ତ ନିର୍ମମ ଭାବରେ ହତାଶ ଅନୁଭବ କଲେ; ଚାରିଆଡ଼ୁ ଆମ ପକ୍ଷର ସେନାପତିମାନଙ୍କ ଉପରେ କ୍ରୋଧରେ ଗାଳି ବର୍ଷଣ ହେବାକୁ ଲାଗିଲା ।

 

“କ’ଣ ହେଲା ! ଆମ ସେନାପତି କ’ଣ ଏଡ଼େ ଭୀରୁ ଥିଲେ ?”

 

“ରହ, ତୁ କିଛି କହନା !”

 

“ସିଏ କାହିଁକି ଆତ୍ମସମର୍ପଣ କଲେ ?” ଆଉଜଣେ ପଚାରିଲା ।

 

ଆମେ ଯେତେବେଳେ ଶେଷ ଯୁଦ୍ଧ ପାଖରେ ଆସି ପହଞ୍ଚିଲୁ ଓ ଆମେ ବିଜୟୀ ହୋଇ ପାରିଲୁନାହିଁ ବୋଲି ମୁଁ ଯେତେବେଳେ ସେମାନଙ୍କୁ କହିଲି, ସେତେବେଳେ ପିଲାମାନଙ୍କର ଅବସ୍ଥା ଦେଖି ପ୍ରକୃତରେ କରୁଣା ହେଲା : ସେମାନଙ୍କୁ ସମସ୍ତଙ୍କୁ ମୁଁ ଏକ ଭୟଙ୍କର ଆଘାତ ହିଁ ଦେଇଥିଲି ।

 

“କିନ୍ତୁ ପ୍ରକୃତରେ ଆମର ଜୟା ହେଲାନାହିଁ କି ତାଙ୍କର ଜୟ ବି ହେଲାନାହିଁ ।”

 

ଯେତେବେଳେ ନେପୋଲିଅନ୍ ମସ୍କୋରେ ଆସି ପହଞ୍ଚିଲେ, ଚାବିଗୁଡ଼ିକୁ ମାଗିଲେ ଓ ତାଙ୍କୁ ବିହିତ ଭାବରେ ଅଭିନନ୍ଦନମାନ ଦିଆଯାଉ ବୋଲି ଦାବୀ କଲେ, ସେତେବେଳେ ପିଲାମାନେ ଏକାବେଳେକେ କ୍ରୋଧୀ ହୋଇ ଉଠିଲେ,–ସତେଅବା କ୍ରୋଧର ଏକ ଝଡ଼ ବୋହି ଯାଉଥିଲା ।

 

ତା’ପରେ ମସ୍କୋନଗରୀରେ ନିଆଁ ଲଗାଇ ଦିଆ ଯାଇଥିଲା । ପିଲାମାନେ ଗଭୀର ସନ୍ତୋଷ ପ୍ରକାଶ କରି ତାହାକୁ ସ୍ଵାଗତ କଲେ । ସବାଶେଷର ବିଜୟ ବି ଆସିଲା ଓ ଶତ୍ରୁପକ୍ଷ ହଟିଗଲା ।

 

ମୁଁ କହିଲି, “ନେପୋଲିଅନ୍ ମସ୍କୋ ଛାଡ଼ି ଚାଲି ଯାଉଥିବା ସମୟରେ ଆମ ସେନାପତି ତାଙ୍କ ପଛରେ ଗୋଡ଼ାଇ ଆକ୍ରମଣ ଆରମ୍ଭ କରିଦେଲେ ।”

 

ଫେଡ଼କା ମଝିରୁ ଥାଇ କହିଲା, “ସିଏ ତାଙ୍କୁ ନାତେ ଦେଲେ ।” ଫେଡ଼କା ମୋ’ ସାମନାରେ ବସିଥାଏ, ତା’ର ଆଖିମାନେ ଉଜ୍ଜ୍ଵଳ ଦିଶୁଥାନ୍ତି ଏବଂ ଅତିଶୟ ଉତ୍ତେଜନାରେ ସିଏ ତା’ର ସାନ ମଇଳା ଆଙ୍ଗୁଠିଗୁଡ଼ିକୁ ମୋଡ଼ି ମୋଡ଼ି ଦେବାରେ ଲାଗିଥାଏ, ସେଇଟା ତା’ର ଏକ ସବୁଦିନର ଅଭ୍ୟାସ ।

 

ଫେଡ଼କା ସେଇ ପଦକ କହିଦେବା ମାତ୍ରକେ ଘରଟାଯାକ ସତେଅବା ଗର୍ବୋତଫୁଲ୍ଲ ଉତ୍ସାହରେ ନିନାଦିତ ହୋଇ ଉଠିଥିଲା । ସେମାନେ ପଛରେ ବସିଥିବା ଗୋଟିଏ ସାନ ପିଲାକୁ ଯାଇ ଘେରିଗଲେ ।

 

“ହଁ, ଏମିତି ଏମିତି ! ତାକୁ ଚାବିଗୁଡ଼ିକ ଠିକ୍ ଏହିପରି ମିଳି ଯାଇଥିବ !” –ଇତ୍ୟାଦି ।

 

ତା’ପରେ ଆମେ କିପରି ଫରାସୀମାନଙ୍କୁ ଦେଶରୁ ନିକାଲିଲୁ, ମୁଁ ସେହିକଥା କହିବାକୁ ଆରମ୍ଭ କଲି । ପିଲାମାନେ ଆଗ୍ରହରେ ମୋ’ କଥା ଶୁଣୁଥାନ୍ତି ।

 

ଫେଡ଼କା ଏଡ଼େ ବଡ଼ ପାଟିକରି କହୁଥାଏ, “ମୁଁ ଥିଲେ ଗୋଟିଏ ଗୁଳିରେ ମାରି ଶୁଆଇ ଦେଇଥାନ୍ତି !”

 

ତା’ ପରେ ଫରାସୀ ସୈନ୍ୟବାହିନୀ କିପରି ବରଫରେ ପଡ଼ି କଲବଲ ହେଲେ, ସେକଥା ଶୁଣି ଆମ ସମସ୍ତଙ୍କର ଟିକିଏ ଦୟା ମଧ୍ୟ ହୋଇଥିଲା । ହଁ, ଯେତେବେଳେ ଆମେ ସୀମାଯାଏ ଚାଲିଆସିଲୁ ଏବଂ ପ୍ରଥମେ ଆମର ବିପକ୍ଷରେ ଥିବା ଜର୍ମାନମାନେ ଆମ ପଟର ହୋଇଗଲେ, ଶ୍ରେଣୀଘରେ ଉପସ୍ଥିତ ଥିବା ଜର୍ମାନ୍ ବ୍ୟକ୍ତିଙ୍କ କଥା ଗୋଟିଏ ପିଲାର ମନେ ପଡ଼ିଗଲା ।

 

“ତା’ ହେଲେ ତୁମେମାନେ ଏହିପରି ଆଚରଣ କରିଥିଲ ! ପ୍ରଥମେ ଆମ ବିପକ୍ଷରେ ଥିଲ ଓ ତା’ ପରେ ଆମର ବଳ ଅଧିକ ହୋଇ ଆସିବାରୁ ଆମ ପକ୍ଷକୁ ଚାଲି ଆସିଲ !” ସେଇଠୁ ସମସ୍ତେ ଛିଡ଼ା ହୋଇଗଲେ ଓ ସେହି ଜର୍ମାନ୍ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି “ଓହୋ, ଆହା” ହେବାକୁ ଲାଗିଲେ । ସେମାନଙ୍କ ପାଟି ସେତେବେଳେ ରାସ୍ତା ପର୍ଯ୍ୟନ୍ତ ବି ଶୁଣା ଯାଉଥିଲା ।

 

ସେମାନେ ଶାନ୍ତ ହୋଇ ଆସିବାରୁ, ଆମେ ନେପୋଲିଅନଙ୍କୁ କିପରି ପାରିସ୍ ପର୍ଯ୍ୟନ୍ତ ଘଉଡ଼ାଇ ନେଇଥିଲୁ, ପିଲାମାନଙ୍କୁ ମୁଁ ସେହିକଥା କହିବାକୁ ଆରମ୍ଭ କଲି । ସିଂହାସନରେ କିପରି ଆମେ ପ୍ରକୃତ ରାଜାଙ୍କୁ ନେଇ ବସାଇଲୁ, କିପରି ବିଜୟର ଉଲ୍ଲାସଟିକୁ ପାଳନ କଲୁ,–ସେହିସବୁ କଥା ବି ପଡ଼ିଲା । ତଥାପି ସେହି ଯୁଦ୍ଧର ସ୍ମୃତି ଆମକୁ ସର୍ବଦା ବିଷାଦଗ୍ରସ୍ତ ହିଁ କରି ପକାଉଥିଲା ।

 

ଫେଡ଼କା ପୁଣି “ରହ” ବୋଲି କହିଲା । କହିବା ସମୟରେ ତା’ ମୁଣ୍ଡର କୁଞ୍ଚୁକୁଞ୍ଚିଆ ବାଳସବୁ ଏକାବେଳେକେ ଦୋହଲି ଯାଉଥାଏ : “ରହ, ମୁଁ ବଡ଼ ହୁଏ, ନିଶ୍ଚୟ ସେମାନଙ୍କୁ ପାନେ ଦେବି ଓ ଏହାର ପ୍ରତିଶୋଧ ନେବି ।”

 

ମୋ’ର କାହାଣୀ ସରିବା ବେଳକୁ ବହୁତ ଡେରି ହୋଇ ଯାଇଥିଲା । ଏହି ସମୟକୁ ପିଲାମାନେ ସାଧାରଣତଃ ଶୋଇ ସାରିଥାନ୍ତି । ମାତ୍ର, ସେଦିନ କେହି ଶୋଇପଡ଼ି ନଥିଲେ, ଏପରିକି କୋକିଳମାନେ ବି ଆଖି ଜୁଳୁ ଜୁଳୁ କରି ଅନାଇଥାନ୍ତି । ମୁଁ ଉଠି ଠିଆ ହୋଇ ଅତ୍ୟନ୍ତ ବିସ୍ମିତ ହୋଇ ଦେଖିଲି ଯେ, ଟାରାସ୍କା ମୋ’ ଆଡ଼କୁ ଅନାଇଲା ।

 

“ତୁ ଚଉକୀ ତଳକୁ କେମିତି ଗଲୁ ?”

 

“ସିଏ ତ ମୂଳରୁ ସେହିଠାରେ ଥିଲା,” ଜଣେ ପିଲା କହିଲା ।

 

ତା’ ମୁହଁରୁ ବି ପରିଷ୍କାର ହୋଇ ଯାଉଥିଲା ଯେ ସିଏ ପ୍ରକୃତରେ ସବୁ ବୁଝିପାରିଛି । ତେଣୁ ପଚାରିବାର କୌଣସି ପ୍ରୟୋଜନ ନଥିଲା ।

 

ମୁଁ ତାକୁ ପଚାରିଲି, “ତୁ ଏବିଷୟରେ ଆମକୁ କିଛି କହି ପାରିବୁ କି ?”

 

“ମୁଁ ?” –ସିଏ ଉତ୍ତର ଦେଲା, “ମୁଁ ସବୁ କହିଦେଇ ପାରିବି । ଆଜି ଘରକୁ ଯାଇ ମଧ୍ୟ ସମସ୍ତଙ୍କୁ ସେହିକଥା କହିବି ।”

 

“ମୁଁ ବି !”

 

“ମୁଁ ବି !”

 

“ଭାରି ଲମ୍ବା ହୋଇ ଯିବନାହିଁ ତ ?”

 

“ମୋଟେ ଲମ୍ବା ହେବନାହିଁ ।”

 

ତା’ପରେ ସମସ୍ତେ ଦଉଡ଼ା ଦଉଡ଼ି ହୋଇ ତଳକୁ ଓହ୍ଲାଇଗଲେ । କିଏ ଫରାସୀମାନଙ୍କୁ ଶିକ୍ଷାଟାଏ ଦେବ ବୋଲି କହୁଥାଏ, କିଏ ଜର୍ମାନମାନଙ୍କୁ ଗାଳି ଦେଉଥାଏ । ଆଉକିଏ ଆମ ସେନାପତି କିପରି ଶତ୍ରୁ ମାନଙ୍କୁ ଚେଙ୍ଖେ ଦେଲେ ସେହିକଥା କହୁଥାଏ ।

 

“ଆପଣ କାହାଣୀଟିକୁ ପୂରାପୂରି ରୁଷୀୟ ଦୃଷ୍ଟିକୋଣରୁ କହିଛନ୍ତି”–ମୋର ଜର୍ମାନ୍ ବନ୍ଧୁଜଣକ ମୋତେ କହିଲେ । ସେଦିନ ସନ୍ଧ୍ୟାରେ ଆମ ଛୁଆମାନେ ତାଙ୍କୁ ଭାରି କଲବଲ କରି ପକାଇଥିଲେ । “ଆମ ଜର୍ମାନମାନଙ୍କ ଆଗରେ କାହାଣୀଟିକୁ କିପରି ଭାବରେ କୁହାଯାଏ, ଆପଣଙ୍କର ସେଇଟିକୁ ବି ଶୁଣିବା ଉଚିତ । ଆପଣ ପିଲାମାନଙ୍କୁ ସ୍ଵାଧୀନତା ପାଇଁ ଜର୍ମାନମାନେ କରିଥିବା ସଂଗ୍ରାମଟି ବିଷୟରେ ଆଦୌ କିଛି କହିନାହାନ୍ତି ।”

 

ମୁଁ ତାଙ୍କ ସହିତ ସମ୍ପୂର୍ଣ୍ଣ ଏକମତ ହୋଇଥିଲି ଯେ, ମୋ’ କହିବା କଥାଗୁଡ଼ିକ ଆଦୌ ଇତିହାସ ନଥିଲା,–ତାହା କେବଳ ଏକ କାହାଣୀ ଥିଲା, ଯାହାକି ପିଲାମାନଙ୍କ ଭିତରେ ଏକ ଜାତୀୟ ଭାବନାକୁ ଉଦ୍ରେକ କରି ଆଣିବ ।

 

ହଁ, ଇତିହାସର ଏକ ପାଠ ଦୃଷ୍ଟିରୁ ଏହି ପ୍ରୟୋଗଟି ପ୍ରକୃତରେ ପ୍ରଥମଟି ଠାରୁ ଅଧିକ ଅସଫଳ ଥିଲା ବୋଲି ଅବଶ୍ୟ କୁହାଯାଇ ପାରିବ ।

Image

 

ପଞ୍ଚତ୍ରିଂଶ ଅଧ୍ୟାୟ

Unknown

ଭୂଗୋଳ

 

ଭୂଗୋଳ ପଢ଼ାଇବା ବେଳକୁ ମଧ୍ୟ ମୁଁ ଠିକ୍ ସେହିପରି କଲି । ପ୍ରଥେମେ ମୁଁ ପ୍ରାକୃତିକ ଭୂଗୋଳ ପଢ଼ାଇଲି । ପ୍ରଥମ ଘଣ୍ଟାଟିରେ ଯାହା ଯେପରି ହେଲା, ତାହା ମୋ’ର ବେଶ୍ ମନେ ଅଛି-। ମୁଁ ଆରମ୍ଭ ସିନା କରିଦେଲି, ମାତ୍ର ସଙ୍ଗେ ସଙ୍ଗେ ବାଟବଣା ହୋଇଗଲି । ଯାହାକିଛି ଫଳ ମିଳିଲା, ତାହାକୁ ମୁଁ ଆଗରୁ ଆଦୌ ଆଶା କରିନଥିଲି । ଅର୍ଥାତ୍, ଦଶବର୍ଷର କୃଷକଘରର ପିଲାମାନେ କ’ଣସବୁ ଶିକ୍ଷା କରିବା ଉଚିତ ବୋଲି ମୁଁ ଇଚ୍ଛା କରୁଛି, ସେ ବିଷୟରେ ମୋତେ କିଛି ଜଣା ନଥିଲା । ହଁ, ଦିନ ଓ ରାତି ବିଷୟରେ ସବୁକିଛି ବୁଝାଇଦେଇ ପାରିଲି; ମାତ୍ର, ଶୀତ ଓ ଗ୍ରୀଷ୍ମଋତୁର ବ୍ୟାଖ୍ୟା କଲାବେଳେ ମୁଁ ପ୍ରକୃତରେ ବାଟ ହୁଡ଼ିଗଲି । ନିଜର ଅଜ୍ଞାନ ବିଷୟରେ ଲଜ୍ଜିତ ହୋଇ ପୁନର୍ବାର ଚେଷ୍ଟା କଲି । ମୁଁ ମୋ’ର ପରିଚିତ ଅନେକ ଶିକ୍ଷିତ ବ୍ୟକ୍ତିଙ୍କୁ ପଚାରିଥିଲି ଏବଂ, ଏବେ ବିଦ୍ୟାଳୟ ଛାଡ଼ିଥିବା କେତେକଙ୍କ ବ୍ୟତୀତ କେହିହେଲେ ଗ୍ଲୋବର୍ ସାହାଯ୍ୟ ନନେଇ ବିଷୟଟିର ବ୍ୟାଖ୍ୟା କରି ପାରିଲେନାହିଁ । ହଁ, ଶିକ୍ଷକମାନେ ମଧ୍ୟ ସେହିପରି ଅସମର୍ଥତା ଦେଖାଇଲେ । ଯେଉଁମାନେ ମୁଁ ଲେଖିଥିବା କଥାଗୁଡ଼ିକୁ ପଢ଼ିବେ, ସେମାନେ ଏହି ପ୍ରୟୋଗଟିକୁ ପରଖି ଦେଖିବେ ବୋଲି ମୁଁ ସେମାନଙ୍କୁ ଅନୁରୋଧ କରୁଛି । ମୁଁ ଦୃଢ଼ତାର ସହିତ ଏକଥା କହିପାରିବି ଯେ, ଶହେରେ ଜଣକରୁ ଅଧିକ ବ୍ୟକ୍ତି ମଧ୍ୟ ଏବିଷୟରେ ମୋଟେ କିଛି ଜାଣିନାହାନ୍ତି; ଅଥଚ, ଏହି ବିଷୟଟି ପିଲାମାନଙ୍କୁ ସର୍ବତ୍ର ପଢ଼ାଯାଉଛି ।

 

କ’ଣସବୁ କିପରି ପଢ଼ାଇବି, ଆଗରୁ ବହୁତ ଯତ୍ନର ସହିତ ସେଗୁଡ଼ିକୁ ଅଭ୍ୟାସ କରିନେଇ ମୁଁ ପୁଣିଥରେ ପିଲାମାନଙ୍କୁ ତାହା ବୁଝାଇଦେବି ବୋଲି ବାହାରିଲି । ହାତରେ ସହାୟକ ରୂପେ ଗ୍ଲୋବ୍ ଥାଏ, ଗୋଟିଏ ମହମବତୀ ଥାଏ । ମୋତେ ଲାଗିଲା, ମୁଁ ଅତ୍ୟନ୍ତ ଚମତ୍କାର ଓ ପ୍ରଶଂସାଯୋଗ୍ୟ ଭାବରେ ସବୁକଥା ବୁଝାଇଦେଇ ପାରିଲି । ପିଲାମାନେ କେଡ଼େ ମନୋଯୋଗ ସହକାରେ ଆଗ୍ରହର ସହିତ ମୋ’ର ସବୁକଥା ଶୁଣିଲେ । ସେମାନଙ୍କର ବାପାମାଆ ଯେଉଁ କଥାଟି ପ୍ରକୃତରେ ସତ ବୋଲି ମୋଟେ ବିଶ୍ଵାସ କରୁନଥିଲେ, ତେଣୁ ସେମାନଙ୍କ ଆଗରେ ନିଜର ଏହି ଅଧିକ ଜ୍ଞାନଟିକୁ ବଖାଣି ଗର୍ବ ଅନୁଭବ କରିପାରିବେ ବୋଲି ସେମାନେ ଏହି ବିଷୟଟିରେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ ।

 

“ଶୀତଋତୁ” ଓ “ଗ୍ରୀଷ୍ମଋତୁ” ବିଷୟରେ ମୋ’ର ବ୍ୟାଖ୍ୟା ସମ୍ପୂର୍ଣ୍ଣ ହେବା ପରେ ସମସ୍ତଙ୍କ ଠାରୁ ଅଧିକ ତୀକ୍ଷ୍ଣବୁଦ୍ଧି ଏବଂ ସ୍ଵଭାବସଂଶୟୀ ସେମକା ଏହି ପ୍ରଶ୍ନଟି ପଚାରି ମୋତେ ଅଡ଼ୁଆରେ ପକାଇଦେଲା, ”

 

“ତେବେ ପୃଥିବୀ କିପରି ଭାବରେ ବୁଲୁଛି ଯେ, ଆମ ଛେଳିଛୁଆଟି ତା’ ସହିତ ନବୁଲି ଗୋଟିଏ ଜାଗାରେ ସ୍ଥିର ହୋଇ ରହିପାରୁଛି ? ପୃଥିବୀ ବୁଲିଥିଲେ ସିଏ ମଧ୍ୟ ନିଜ ଜାଗାରେ ଘୁଞ୍ଚି ଯାଉଥାନ୍ତା ନା ?”

 

ମୁଁ ବୁଝି ପାରୁଥାଏ ଯେ, ମୋ’ର ବ୍ୟାଖ୍ୟାରେ ମୁଁ ସବୁଠାରୁ ବୁଦ୍ଧିଆ ପିଲାର ପରିଧିଟି ଠାରୁ ମଧ୍ୟ ହଜାରେ ମାଇଲ୍ ଆଗକୁ ପଳାଇ ଯାଇଥିଲି । ତେବେ, ସବୁଠାରୁ ଅଧିକ ମାନ୍ଦାମାନେ ଏହି କଥାଟିର ପ୍ରକୃତରେ କେତେ ବୁଝି ପାରିଥିବେ ? ମୁଁ ଫେରିଗଲି । –ସବୁକିଛି ପୁଣି ବୁଝାଇଲି, ନକ୍ସା ଆଙ୍କିଲି, ପୃଥିବୀକୁ ଗୋଲ ବୋଲି ପ୍ରମାଣ କରିବାକୁ ରହିଥିବା ସବୁଯାକ ସୂତ୍ରକୁ ଉଦ୍ଧୃତ କଲି-। କେଉଁମାନେ ସମୁଦ୍ର ପଥରେ ପୃଥିବୀ ପରିକ୍ରମା କରୁଥିଲେ, ଜାହାଜଟିଏ ବନ୍ଦରକୁ ଆସିଲାବେଳେ ତା’ର ଅଙ୍ଗ ଓ ଅନ୍ୟାନ୍ୟ ଅଂଶ ଦେଖାଯିବା ଆଗରୁ ପ୍ରଥମେ କିପରି ମାସ୍ତୁଲଗୁଡ଼ିକ ଦେଖାଯାଏ, ଇତ୍ୟାଦି, ଇତ୍ୟାଦି । ମନରେ ଖୁବ୍ ଦମ୍ଭ ଆସୁଥାଏ ଯେ, ସେମାନେ ଏଥର ସବୁକଥା ନିଶ୍ଚୟ ବୁଝିଥିବେ । ବୁଝାଇ ସାରି ସେମାନଙ୍କୁ ମୁଁ ସେହି ବିଷୟଟିକୁ ଲେଖି ଆଣିବାକୁ କହିଲି । ସମସ୍ତେ ଲେଖିଥିଲେ : “ପୃଥିବୀ ହେଉଛି ଗୋଟିଏ ପେଣ୍ଡୁ ପରି–ପ୍ରଥମ ପ୍ରମାଣ..... ଦ୍ଵିତୀୟ ପ୍ରମାଣ...”, ସେମାନେ ତୃତୀୟ ପ୍ରମାଣଟିକୁ ଭୁଲି ଯାଇଥିଲେ ଏବଂ ସେଇଟି କ’ଣ ବୋଲି ମୋତେ ପଚାରିଲେ । ପ୍ରମାଣଗୁଡ଼ିକ ମନେ ରଖିବା ଯେ ସେମାନଙ୍କ ଲାଗି ସର୍ବପ୍ରଧାନ ବିଷୟ ହୋଇ ରହିଥିଲା, ସେକଥା ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଇଥିଲା । ଏକାଧିକ ବାର, ଏପରିକି ଡଜନେରୁ ଅଧିକ ଥର ଓ ଶହେ ଥର ମୁଁ ସେମାନଙ୍କ ଆଗରେ ସବୁ ବ୍ୟାଖ୍ୟା କରି ଦେଇଥିଲି, ମାତ୍ର ସବୁଠାରେ ମୁଁ ବିଫଳ ହିଁ ହେଲି । ପରୀକ୍ଷାଟାଏ ହେଲେ ଏହି ଛାତ୍ରମାନେ ସମସ୍ତ ଠିକ୍ ଉତ୍ତରଗୁଡ଼ିକୁ ନିଶ୍ଚୟ ଲେଖିଦେଇ ପାରିବେ ଏବଂ ବର୍ତ୍ତମାନ ସେମାନେ ଅତ୍ୟନ୍ତ ସନ୍ତୋଷଜନକ ଭାବରେ ତାହା କରି ପାରୁଛନ୍ତି । ମାତ୍ର, ମୋତେ ଲାଗୁଛି ଯେ ସେମାନେ ତଥାପି ବୁଝିନାହାନ୍ତି । ମୁଁ ମଧ୍ୟ ବେଶ୍ ମନେ କରି ପାରୁଛି ଯେ, ମୋତେ ତିରିଶ ବର୍ଷ ହେବାଯାଏ ମୁଁ ଏହି ବିଷୟଟିକୁ ଆଦୌ ଖୁବ୍ ଭଲ ଭାବରେ ବୁଝି ନଥିଲି । ତେଣୁ, ଏହି ପିଲାମାନେ ବି ବୁଝିବାରେ ଅସମର୍ଥ ହେଲେ ବୋଲି ସେମାନଙ୍କୁ ମୁଁ କ୍ଷମା ହିଁ ଦେଇଛି । ପୃଥିବୀ ଗୋଲାକାର ବୋଲି ମୁଁ ପିଲାଦିନେ ବିଶ୍ଵାସ କରୁଥିଲି, ଏମିତି ଆହୁରି କେତେ କଥା ମଧ୍ୟ ବିଶ୍ଵାସ କରୁଥିଲି, କିନ୍ତୁ ପ୍ରକୃତରେ କାହିଁକି ବୋଲି କିଛି ବୁଝିନଥିଲି । ବର୍ତ୍ତମାନ ଏମାନଙ୍କ ବେଳକୁ ହିଁ ଠିକ୍ ସେହିପରି ହେଉଛି । ବରଂ, ମୋ’ର ତତ୍ତ୍ଵାବଧାନରେ ଥିବା ଧାତ୍ରୀ ମୋତେ ଯାହା କହିଥିଲା, ମୁଁ ସର୍ବଦା ଅଧିକ ସହଜ ଭାବରେ ତାହା ବୁଝି ପାରିଥିଲି । ସିଏ କହୁଥିଲା ଯେ, ଯେଉଁଠାରେ ପୃଥିବୀ ଶେଷ ହୋଇଛି, ସେଠାରେ ଆକାଶ ଓ ପୃଥିବୀ ଏକାଠି ମିଶି ଯାଇଛନ୍ତି ଏବଂ, ପୃଥିବୀର ସେହି ଧାରରେ ବସି ସ୍ତ୍ରୀଲୋକମାନେ ସମୁଦ୍ରରେ ନିଜର ଲୁଗାପଟାକୁ ଧୋଇ ଆକାଶ ଉପରେ ଶୁଖାଇ ଦିଅନ୍ତି । ଆମ ଛାତ୍ରମାନଙ୍କୁ ମୁଁ ଯାହାକୁ ଏକ ସତ୍ୟ ବୋଲି ଦେବାକୁ ଇଚ୍ଛା କରୁଥିଲି, ସେମାନଙ୍କ ଭିତରେ ତାହାର ଠିକ୍ ବିପରୀତ କଥାଟା ହିଁ ଏକ ବଦ୍ଧମୂଳ ଧାରଣା ହୋଇ ବସି ରହିଛି । ସେହି ଧାରଣା ଏବେ ମଧ୍ୟ ଦୂର ହୋଇନାହିଁ । ସେମାନେ ସତ୍ୟଟିକୁ ବୁଝିପାରିବା ପୂର୍ବରୁ ସେମାନଙ୍କ ଭିତରର ସେହି ବଦ୍ଧ ଧାରଣାଗୁଡ଼ିକୁ ତଥା ପୃଥିବୀ ବିଷୟରେ ରହିଥିବା ଅନ୍ଦାଜଟିକୁ ଦୂର କରିବା ହୁଏତ ଆଗ ଆବଶ୍ୟକ ହୋଇଥାନ୍ତା ଓ ସେଥିଲାଗି ବହୁତ ସମୟ ଲାଗିଥାନ୍ତା । କାରଣ, ଏବେ ମଧ୍ୟ ସେମାନଙ୍କର ଧାରଣାଗୁଡ଼ିକରେ କୌଣସି ପରିବର୍ତ୍ତନ ହୋଇନାହିଁ । ପଦାର୍ଥବିଜ୍ଞାନ ଏବଂ ଯନ୍ତ୍ରବିଦ୍ୟାର ନିୟମଗୁଡ଼ିକ ହିଁ ପ୍ରଥମେ ସେହି ପୁରାତନ ଧାରଣାଗୁଡ଼ିକୁ ଭାଙ୍ଗିଦେବାରେ ସଫଳ ହୋଇଥାଏ, ମାତ୍ର ମୁଁ ଓ ଏଠାରେ ଆମେ ସମସ୍ତେ ପିଲାଏ ପଦାର୍ଥବିଜ୍ଞାନ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ଆଗ ପ୍ରକୃତିକ ଭୂଗୋଳ ପଢ଼ାଇବାରେ ଲାଗି ଯାଇଥିଲୁ ।

 

ଅନ୍ୟ ବିଷୟଗୁଡ଼ିକ ପରି ଭୂଗୋଳ ପଢ଼ାଇବା କ୍ଷେତ୍ରରେ ମଧ୍ୟ ସବୁଠାରୁ ଅଧିକ ସାଧାରଣ, ଅଧିକ ନିର୍ବୋଧ ଏବଂ ଅଧିକ ଅନିଷ୍ଟକାରକ ଭୁଲଟି ହେଉଛି ଯେ ଆମେ ସବୁବେଳେ ବଡ଼ ତରତର ହୋଇପଡ଼ୁ । ପୃଥିବୀ ହେଉଛି ଗୋଲାକାର ଏବଂ ତାହା ସୂର୍ଯ୍ୟର ଚାରିପାଖରେ ବୁଲୁଛି ବୋଲି ଜାଣି ଆମେ ଏତେ ଖୁସୀ ହୋଇ ଯାଇଥିଲୁ ଯେ, ବର୍ତ୍ତମାନ ସୁଯୋଗ ପାଇବା ମାତ୍ରକେ ଜଣେ ଛାତ୍ରକୁ ସେହି ସତ୍ୟଟିକୁ ପ୍ରଦାନ କରିବା ସକାଶେ ଆମେ ଯଥା ସମ୍ଭବ ଅଧିକ ତରତର ହୋଇ ପଡ଼ିଥାଉ । ମାତ୍ର, ପୃଥିବୀ ଗୋଲାକାର ବୋଲି ଜାଣିବା ଆଦୌ ବଡ଼ କଥା ନୁହେଁ, ବଡ଼ କଥା ହେଉଛି, କିପରି ଏହି ସତ୍ୟଟି କ୍ରମେ ଉଦଘାଟିତ ହେଲା, ସେହି କଥାଟିକୁ ଜଣାଇବା । ପିଲାମାନଙ୍କୁ ଅନେକ ସମୟରେ କୁହା ହୋଇଥାଏ ଯେ, ପୃଥିବୀ ହେଉଛି ସୂର୍ଯ୍ୟଠାରୁ ଏତେ ନିୟୂତ ମାଇଲ୍ ଦୂର ଏବଂ ସେହି କଥାଟିରେ ପିଲା ଆଦୌ କୌଣସି ଆଗ୍ରହ ପ୍ରକାଶ କରେନାହିଁ ଅଥବା ବିସ୍ମିତ ମଧ୍ୟ ହୁଏନାହିଁ । ଏହି ସଟ୍ୟତିକୁ ସମସ୍ତେ କିପରି ଜାଣିଲେ, ସେହିକଥାଟି ଜଣାଇବାରେ ହିଁ ତା’ର ଆଗ୍ରହ ରହିଥାଏ, ଯଦି ଏବିଷୟରେ କେହି ପିଲାମାନଙ୍କୁ କିଛି କହିବାକୁ ଇଚ୍ଛା କରୁଛି, ଦେବେ, ଆମ ପର୍ଯ୍ୟବେକ୍ଷଣର ସ୍ଥାନଟିରେ ପରିବର୍ତ୍ତନ ଘଟିଲେ ଆମେ ଦେଖୁଥିବା ବସ୍ତୁକୁ ମଧ୍ୟ କିପରି ସ୍ଥାନ ପରିବର୍ତ୍ତନ କରିଥିବା ପରି ମନେ ହୋଇଥାଏ, ସେ ପ୍ରଥମେ ସେହି କଥାଟିକୁ ବୁଝାଇ କହିଦେଉ । ତେବେ ହୁଏତ ସବୁ ସମ୍ଭବ ହୋଇଯିବ ।

 

ପୃଥିବୀର ଗୋଲାକୃତି ବିଷୟରେ ମୁଁ ଏତେ ବେଶୀ ଆଲୋଚନା କରିଛି, ତାହାର କାରଣ ହେଉଛି ଯେ, ଏ ବିଷୟରେ ମୁଁ ଯାହାକିଛି କହିଛି, ଭୂଗୋଳ ସହିତ ତାହାର ଏକ ସମ୍ପର୍କ ରହିଛି । ଶିକ୍ଷକ ଏବଂ ଛାତ୍ରମାନଙ୍କୁ ଛାଡ଼ିଦେଲେ ହଜାର ହଜାର ଶିକ୍ଷିତ ବ୍ୟକ୍ତି ମଧ୍ୟ ତୁମକୁ ଶୀତ ଓ ଗ୍ରୀଷ୍ମ ଋତୁ ହେବାର କାରଣ କହିଦେଇ ପାରିବେ, ଅମୁକ ଜାଗାଟି କେଉଁଠାରେ ଅବସ୍ଥିତ, ସେହି କଥାଟି ମଧ୍ୟ କହିଦେଇ ପାରିବେ । ମାତ୍ର, ହଜାର ଜଣ ଛାତ୍ରଙ୍କ ମଧ୍ୟରୁ, ପୃଥିବୀ ଗୋଲାକାର ବୋଲି ପ୍ରମାଣ କରିବାକୁ ଦିଆ ଯାଉଥିବା ବ୍ୟାଖ୍ୟାଗୁଡ଼ିକୁ ପିଲାଦିନେ ହୁଏତ ଜଣେ ମଧ୍ୟ ବୁଝି ପାରୁନଥିବ ଏବଂ ଅମୁକ ଜାଗାଟି ପ୍ରକୃତରେ ଅଛି ବୋଲି ହୁଏତ ବିଶ୍ଵାସ କରୁନଥିବ । ମାତ୍ର, ଏହି ଦୁଇଟିଯାକ କଥାକୁ ପିଲାମାନଙ୍କୁ ଆମେ ସେମାନଙ୍କର ଏକାବେଳେକେ ସାନ ବେଳୁଁ ତଥାପି ଶିକ୍ଷା ଦେବାରେ ଲାଗିଛୁ ।

 

ପ୍ରାକୃତିକ ଭୂଗୋଳ ପରେ ମୁଁ ପୃଥିବୀର ବିଭିନ୍ନ ଅଞ୍ଚଳ ବିଷୟରେ ପଢ଼ାଇଥିଲି ଓ ସେଗୁଡ଼ିକ ବିଷୟରେ ଆବଶ୍ୟକ ବର୍ଣ୍ଣନାମାନ ଦେଉଥିଲି । ମାତ୍ର, ସେଥିରେ ମଧ୍ୟ ସ୍ଥାୟୀ ଭାବରେ କୌଣସି ଫଳ ମିଳି ନଥିଲା । ଏବଂ, ତୁମେ ସେମାନଙ୍କୁ କୌଣସି ପ୍ରଶ୍ନ ପଚାରିବା ମାତ୍ରକେ ସେମାନେ “ଏସିଆ, ଆଫ୍ରିକା, ଅଷ୍ଟ୍ରେଲିଆ” ବୋଲି ଭାରି ଗୋଳମାଳିଆ ଭାବରେ ଚିତ୍କାର କରୁଥିଲେ । ମାତ୍ର, ଯଦି ତୁମେ “ଫ୍ରାନ୍ସ ପୃଥିବୀର କେଉଁ ଭାଗରେ ଅବସ୍ଥିତ ?” ବୋଲି ପଚାରୁଥିଲ, ଇଂଲଣ୍ଡ ଓ ଫ୍ରାନ୍ସ ଇଉରୋପରେ ଅବସ୍ଥିତ ବୋଲି ତୁମେ ଟିକିଏ ଆଗରୁ କହିଥିଲେ ମଧ୍ୟ କେହି ଜଣେ ହୁଏତ ଫ୍ରାନ୍ସ ଆଫ୍ରିକାରେ ଅବସ୍ଥିତ ବୋଲି ଏଡ଼େ ପାଟିରେ ଉତ୍ତର ଦେଉଥିଲା । ଭୂଗୋଳ ପଢ଼ା ଆରମ୍ଭ ହେବା ମାତ୍ରକେ ସମସ୍ତଙ୍କର ବର୍ଣ୍ଣହୀନ ଆଖି ଉପରେ ଏବଂ କଣ୍ଠର ଧ୍ୱନିରେ “କାହିଁକି” ବୋଲି ଗୋଟିଏ ପ୍ରଶ୍ନ ଆସି ଆବିର୍ଭୂତ ହେଉଥିଲା ଏବଂ ସେହି ଦୟାର ପାତ୍ର “କାହିଁକି” ଟିର ପ୍ରକୃତରେ ଆଦୌ କୌଣସି ଉତ୍ତର ନଥିଲା ।

 

ଯେପରି ଇତିହାସରେ ଶେଷ ଆଡ଼ୁ ଆରମ୍ଭ କରିବା ଉଚିତ ବୋଲି ଏକ ସାଧାରଣ ଧାରଣା ରହିଥାଏ, ଠିକ୍ ସେହିପରି ଭୂଗୋଳ ବେଳକୁ ଆମେ ବିଦ୍ୟାଳୟର ଗୃହଗୁଡ଼ିକ ବିଷୟରେ ଓ ନିଜର ଗ୍ରାମଟି ବିଷୟରେ ଆରମ୍ଭ କରିବା ବୋଲି ଏକ ବିଚାର ଆମଭିତରେ ଉଦ୍ରେକ ହେଲା ଓ ସମର୍ଥନ ଲାଭ କଲା । ମୁଁ ଜର୍ମାନୀରେ ଏପରି ପ୍ରୟୋଗମାନ ହୋଇଥିବାର ଦେଖିଥିଲି ଏବଂ, ସାଧାରଣ ଭୂଗୋଳର କ୍ଷେତ୍ରରେ ବିଫଳତା ହିଁ ଭୋଗି ମୁଁ ସମ୍ପୂର୍ଣ୍ଣ ଭାବରେ ଆଶା ହରାଇ ଦେଇଥିବା ହେତୁ ମୁଁ ଗୋଟିଏ କୋଠରୀ, ଗୋଟିଏ ଗୃହ ଓ ଗୋଟିଏ ଗାଆଁର ବର୍ଣ୍ଣନାରୁ ମୋ’ର ଶିକ୍ଷାଦାନ ଆରମ୍ଭ କରିଥିଲି । ଏଥିରେ ଅନେକ ନକ୍ସା ଆଙ୍କିବାକୁ ପଡ଼ୁଥିବାରୁ ଏହି ପ୍ରୟୋଗରୁ କିଛି ଲାଭ ଅବଶ୍ୟ ମିଳେ ସତ; ମାତ୍ର ଆମ ଗାଆଁର ପଛପଟକୁ କେଉଁ ଅଞ୍ଚଳଟି ଅବସ୍ଥିତ, ସେକଥା ଜାଣିବାରେ ଆଦୌ କୌଣସି ଆଗ୍ରହ ଜନ୍ମେନାହିଁ, କାରଣ ସେଠାରେ ଅମୁକ ଅଞ୍ଚଳଟି ଅବସ୍ଥିତ ବୋଲି ସମସ୍ତେ ଜାଣିଛନ୍ତି । ସେହି ଗାଆଁ ସେପାଖକୁ ଆଉ କେଉଁ ଗାଆଁ ଅବସ୍ଥିତ, ତାହା ଜାଣିବାକୁ ମଧ୍ୟ ଆଗ୍ରହ ହୁଏନାହିଁ, କାରଣ ସେଇଟି ମଧ୍ୟ ସେହି ଦ୍ଵିତୀୟ ଗାଆଁଟି ପରି ହୋଇଥିବ । ମସ୍କୋ ଓ ଆଉ କେତେକ ବଡ଼ ସହରକୁ ଗାଆଁରୁ ପଡ଼ିଥିବା ରାସ୍ତାଗୁଡ଼ିକୁ ସୂଚାଇ ଦେବା ସକାଶେ ମୁଁ ପିଲାମାନଙ୍କୁ ସୂଚାଇ ଦେଇଥିଲି, ମାତ୍ର ଏହି ଯାବତୀୟ କଥା ସେମାନଙ୍କର ମସ୍ତିଷ୍କ ଭିତରେ ଏପରି ଅସଂଲଗ୍ନ ଭାବରେ ଖୁନ୍ଦି ହୋଇ ରହିଥିଲା ଯେ, ସେମାନଙ୍କୁ ତାହା ଘୋଷି କରି ମନେ ରଖିବାକୁ ପଡ଼ିଲା ।

 

ତା’ପରେ ସେମାନଙ୍କୁ ମୁଁ ମାନଚିତ୍ରମାନ ଆଙ୍କିବାକୁ ପରାମର୍ଶ ଦେଲି । ଏହି କାମଟି ସେମାନଙ୍କୁ ବେଶ୍ ନିମଗ୍ନ କରି ରଖିଲା ଏବଂ ସେମାନଙ୍କର ସ୍ମରଣଶକ୍ତିକୁ ମଧ୍ୟ ସାହାଯ୍ୟ କରିଥିଲା-। ମାତ୍ର, “ଆମେ ଏହି ସ୍ମରଣଶକ୍ତିକୁ କାହିଁକି ସାହାଯ୍ୟ କରିବା ?” ବୋଲି ପ୍ରଶ୍ନଟିଏ ମଧ୍ୟ ପୁନରାୟ ଆସି ପହଞ୍ଚିଲା । ସେମାନଙ୍କୁ ମୁଁ ପୁଣି ମେରୁ ଏବଂ ବିଷୁବରେଖା ଅଞ୍ଚଳରେ ଅବସ୍ଥିତ ଦେଶ ବିଷୟରେ କୁହାଯାଉ ବୋଲି ପ୍ରସ୍ତାବ ଦେଇଥିଲି । ପିଲାମାନେ କେତେ ଖୁସି ହୋଇ ତାହା ଶୁଣିଲେ, ନିଜେ ନିଜେ ବି କହିଗଲେ; ମାତ୍ର, ଏହି ସବୁ କାହାଣୀରେ ପ୍ରକୃତରେ ଭୂଗୋଳ ବୋଲି ଯାହାକିଛି ରହିଛି, ସେଇଟିକୁ ବାଦ୍ ଦେଇ ସେମାନେ ଆଉ ସବୁକିଛି ମନେ ରଖିଥିଲେ । ପ୍ରଧାନ କଥାଟି ହେଉଛି ଯେ, ଗାଆଁର ନକ୍ସାଟିକୁ ଆଙ୍କିବାଦ୍ଵାରା ସେମାନେ ସେହି ନକ୍ସାଟିକୁ ହିଁ ଆଙ୍କୁଥିଲେ, କିନ୍ତୁ ତାହା ଯେ ଭୂଗୋଳ, ତାହା ଆଦୌ ଗ୍ରହଣ କରି ପାରୁନଥିଲେ । ଗ୍ରାମର ଯୋଜନା ବନାଇବା ବେଳକୁ ମଧ୍ୟ ତାହାହିଁ ହେଲା । ଅରଣ୍ୟର ଜନ୍ତୁ, ଅରଣ୍ୟ, ବରଫର ଏବଂ ସହରମାନ,–ଏଗୁଡ଼ିକ କାହାଣୀ ଥିଲା, ସେମାନଙ୍କ ପାଇଁ ଆଦୌ ଭୂଗୋଳ ନଥିଲା ଭୂଗୋଳ କହିଲେ ସେମାନେ କେତେକ ବିଷୟକୁ ପିଲାଙ୍କ ଆଗରେ ଯେତେ ନୂଆ ବହି ଥିଲା । ସେଥିରୁ ଗୋଟିଏ ହେଲେ ସେମାନଙ୍କୁ ଆନନ୍ଦ ଦେଇ ପାରୁନଥିଲା । ଗୋଟିଏ ସାନ ବହି, ଯାହାକି ସମସ୍ତେ ଭୁଲି ଯାଇଥିଲେ, ଯାହା କେତେକ ପରିମାଣରେ ଗୋଟିଏ ଭୂଗୋଳବହି ପରି ଲାଗୁଥିଲା, ଅନ୍ୟ ବହିଗୁଡ଼ିକର ତୁଳନାରେ ସେଇଟିକୁ ପାଠ କରିବା ସମୟରେ ପିଲାମାନେ ଯାହା ଆଗ୍ରହ ପ୍ରକାଶ କରୁଥିଲେ । ପିଲାମାନଙ୍କ ଭିତରେ ବିଷୟଟି ପ୍ରତି ପ୍ରକୃତରେ ଆଗ୍ରହ ଜାତ ହେବ,–ମୋ’ ମତରେ ଭୂଗୋଳ ପଢ଼ିବାର କ୍ଷେତ୍ରରେ ଏହି ବହିଟିରେ ହିଁ ସେହି ବିଷୟରେ ଉପଯୁକ୍ତ କଥାମାନ ରହିଛି । ଏଇଟି ହେଉଛି ଏକ ଇଂରାଜୀ ବହିର ରୁଷୀୟ ଅନୁବାଦ, ୧୮୩୭ରେ ପ୍ରକାଶିତ ହୋଇଛି । ଏହି ବହିଟିକୁ ପାଠ କରାଯାଏ ଏବଂ, ଶିକ୍ଷକ ନିମନ୍ତେ ତାହା ଏକ ପଥପଦର୍ଶନକାରୀ ସୂତ୍ରପରି କାର୍ଯ୍ୟ କରେ ଶିକ୍ଷକ ନିଜର ବର୍ଣ୍ଣନାରେ ସେହି ବହିଟିକୁ ଅନୁସରଣ କରନ୍ତି,–ପ୍ରତ୍ୟେକ ଦେଶ ଓ ସହର ବିଷୟରେ ଯାହା ଜାଣିଥାନ୍ତି, ପିଲାମାନଙ୍କୁ କହୁଥାନ୍ତି ।

 

ପିଲାମାନେ ଶୁଣି ମନେ ରଖନ୍ତି ଓ ପଚାରିଲେ ମନେ ପକାଇ କହିପାରନ୍ତି ସିନା ମାତ୍ର କହୁଥିବା ବିବରଣୀଗୁଡ଼ିକ ସହିତ ସମ୍ବନ୍ଧିତ ନାମ ଓ ସ୍ଥାନଗୁଡ଼ିକର ମାନଚିତ୍ର ଉପରେ ଅବସ୍ଥିତି ବିଷୟରେ କ୍ଵଚିତ୍ ହେତୁ କରି ପାରନ୍ତି । ଅଧିକାଂଶତଃ, ବର୍ଣ୍ଣନାଗୁଡ଼ିକ ହିଁ ମନେ ରହିଥାଏ । ଶେଷକୁ ମୁଁ ଏହି ସିଦ୍ଧାନ୍ତରେ ଆସି ପହଞ୍ଚିଲି ଯେ, ଇତିହାସରେ ରୁଷ୍ ଇତିହାସରେ ନିରର୍ଥକ ଅଂଶଗୁଡ଼ିକୁ ଜାଣିବାର ଆଦୌ କୌଣସି ଆବଶ୍ୟକତା ନାହିଁ ଏବଂ, ପିଲାର ବିକାଶ ଦୃଷ୍ଟିରୁ ବିଚାର କଲେ, ଆଲେକଜାଣ୍ଡାର, ସିଜାର୍ ଓ ଲୁଥର ପ୍ରଭୃତି ନାମଗୁଡ଼ିକୁ ମନେ ରଖିବାର ମଧ୍ୟ କୌଣସି ପ୍ରୟୋଜନ ନାହିଁ । ଠିକ୍ ସେହିପରି, ନାମଗୁଡ଼ିକୁ ମନେ ରଖିବାର ମଧ୍ୟ କୌଣସି ପ୍ରୟୋଜନ ନାହିଁ-। ଠିକ୍ ସେହିପରି, ଛପାକଳର ଆବିଷ୍କାର ବିଷୟରେ ଆମେ ଇତିହାସ ଭଳି ପିଲାମାନଙ୍କୁ ଯେତେ ଯାହା କହିଲେ ମଧ୍ୟ ଓ ତାହାର ଆବିଷ୍କାରକାରୀ ଗୁଟେନବର୍ଗ୍ ଜଣେ ବିରାଟ ବ୍ୟକ୍ତି ଥିଲେ ବୋଲି ବୁଝାଇଲେ ମଧ୍ୟ ପିଲାମାନେ ସେଥିରେ ଖୁବ୍ ବେଶି ଆଗ୍ରହ ପ୍ରକାଶ କରିବେ ନାହିଁ । ବିଷୟଟିକୁ କଳାତ୍ମକ ଭାବରେ କହିପାରିଲେ ଯାଇ ପିଲାମାନେ ଇତିହାସରୁ ଆନନ୍ଦ ପାଆନ୍ତି । ସେମାନେ ତୁଚ୍ଛା ଇତିହାସରୁ ଏତେଟିକିଏ ସରସତା ବି ପାଆନ୍ତିନାହିଁ । ତେଣୁ, ପିଲାମାନଙ୍କ ଲାଗି ଇତିହାସ ପଢ଼ାଇବା କହିଲେ ତାହାର ପ୍ରକୃତରେ କୌଣସି ଅର୍ଥ ହୁଏନାହିଁ । ଏବଂ, ପ୍ରକୃତରେ ଆଗ୍ରହୋଦ୍ଦୀପକ ନହେବା ପର୍ଯ୍ୟନ୍ତ ଗୋଟିଏ ବିଷୟରେ ପିଲାମାନେ କିପରି ବା ସେଥିରେ ଆଗ୍ରହ ପ୍ରକାଶ କରିବେ ?

 

ଭୂଗୋଳ ବେଳକୁ ମଧ୍ୟ ଠିକ୍ ସେହିକଥା । ଯେତେବେଳେ ମିତ୍ରାପାଂନୁସମ୍ଳକୁ ଭୂଗୋଳ ପଢ଼ିବା ସକାଶେ ମଙ୍ଗାଇବାକୁ ଚେଷ୍ଟା କରାଗଲା, ସେତେବେଳେ ତା’ର ମାଆ ତାକୁ କହିଲେ :

 

“ଏତେସବୁ ଦେଶର କଥା ପଢ଼ି କି ଲାଭ ହେବ ? ତୁମର ଯେଉଁଠାକୁ ଯିବାକୁ ମନ ହେବ, କଚୁଆନକୁ କହିଲେ ସିଏ କ’ଣ ତୁମକୁ ନେଇଯାଇ ପାରିବନାହିଁ ?” ଭୂଗୋଳର ବିରୋଧ କରି ଏତେ ବେଶୀ ଟାଣ କଥା କେହି କଦାପି କହିନଥିବେ । ଏବଂ, ଏପରି ଏକ ଅକାଟ୍ୟ ଯୁକ୍ତି ଆଗରେ ପୃଥିବୀଯାକର ଶିକ୍ଷକମାନେ ଆଦୌ କୌଣସି ଜବାବ ଦେଇ ପାରିବେନାହିଁ ।

 

ମୁଁ ଅତ୍ୟନ୍ତ ଗମ୍ଭୀର ଭାବରେ ଏସବୁ କଥା କହୁଛି । ବାର୍ସିଲୋନା ନଦୀ ଓ ବାର୍ସିଲୋନା ସହରର ଅବସ୍ଥିତି ବିଷୟରେ ଜଣାଇ ମୋ’ର ପ୍ରକୃତରେ କି ଲାଭ ହେବ ? ଦୀର୍ଘ ତେତିଶି ବର୍ଷର ଜୀବନରେ ମୁଁ ଏପରିକି ଥରେହେଲେ ସେହି ଜ୍ଞାନକୁ ଆବଶ୍ୟକ କରିନାହିଁ । ବାର୍ସିଲୋନା ସହର ଓ ତା’ର ଅଧିବାସୀଙ୍କ ବିଷୟରେ ତୁମେ ମୋ’ ଆଗରେ ଯେଡ଼େ ବେଶୀ ଛବିଳ ବର୍ଣ୍ଣନାମାନ ଆଣି ଦେବ ପଛକେ, ମୋ’ର ଆତ୍ମିକ ଶକ୍ତିଗୁଡ଼ିକର ବିକାଶରେ ତାହା ଆଦୌ କୌଣସି ସାହାଯ୍ୟ କରିବ ବୋଲି ମୁଁ ଚିନ୍ତା କରି ପାରୁନାହିଁ । ଆମ ସେମକା ଓ ଫେଡ଼କା କାହିଁକି ମାରିନସ୍କି କେନାଲ୍ ଓ ସେହି ସଂକ୍ରାନ୍ତୀୟ ଜଳପଥଟି ବିଷୟରେ ଜାଣିବେ,–କାରଣ, ଯେତେଦୂର ସମ୍ଭାବନାମାନ ଦେଖାଯାଉଛି, ସେମାନେ ସେହି ଜାଗାକୁ କେବେହେଲେ ଯିବେନାହିଁ ? ତଥାପି, ଯଦିବା ସେମକା ସେଠାକୁ କେବେ ଯିବ ବୋଲି ମନେ କରାଯାଏ, ତେବେ ପାଠରେ ସେହି ବିଷୟରେ ପଢ଼ିଥିବା ବା ନପଢ଼ିଥିବାର ଆଦୌ କୌଣସି ଅର୍ଥ ନାହିଁ, କାରଣ ସିଏ ନିଜର ଅନୁଭୂତିରୁ ହିଁ ତାହାକୁ ସେତେବେଳେ ସମ୍ପୂର୍ଣ୍ଣ ଭାବରେ ଜାଣିନେଇ ପାରିବ । ଆତ୍ମିକ ଶକ୍ତିଗୁଡ଼ିକର ବିକାଶସାଧନ ଦୃଷ୍ଟିରୁ, ଭଲଗା ନଦୀରେ ଝୋଟ ତଳକୁ ଓ ଆଲକାତରା ଉପର ଆଡ଼କୁ ସରବରାହ ହୁଏ, ଅମୁକ ସ୍ଥାନରେ ଅମୁକ ନାମରେ ଗୋଟିଏ ବନ୍ଦର ରହିଛି ଏବଂ ମାଟିତଳେ ଅମୁକ ଜାଗା ପର୍ଯ୍ୟନ୍ତ ବାଟଟିଏ ରହିଛି ଇତ୍ୟାଦି ଜାଣିବାଦ୍ଵାରା କ;ଣ ଯେ ଲାଭ ହେବ, ସେକଥା ମୁଁ କଳ୍ପନା ହିଁ କରି ପାରୁନାହିଁ ।

 

ମୋ’ ପାଖରେ ବିଦ୍ୟାର–ଗାଣିତିକ, ପ୍ରକୃତିସମ୍ବନ୍ଧୀୟ, ଭାଷାଗତ ତଥା କାବ୍ୟିକ–ଏକ ସମ୍ପୂର୍ଣ୍ଣ ପୃଥିବୀ ରହିଛି, ଏବଂ ଏଗୁଡ଼ିକୁ ଦେବା ନିମନ୍ତେ ମୋ’ ପାଖରେ ସମୟ ନାହିଁ । ମୋ’ ଚତୁର୍ଦ୍ଦିଗରେ ଥିବା ଜୀବନ ବିଷୟରେ ଅସୁମାରି ଗଦା ଗଦା ପ୍ରଶ୍ନମାନ ରହିଛି ଏବଂ ଗୋଟିଏ ଛାତ୍ର ମୋ’ଠାରୁ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବ ବୋଲି ଅପେକ୍ଷା କରି ରହିଛି । ଏବଂ, ମେରୁଅଞ୍ଚଳର ବରଫସ୍ତୂପ, ଗ୍ରୀଷ୍ମମଣ୍ଡଳର ନାନା ଦେଶ, ଆଷ୍ଟ୍ରେଲିଆର ପର୍ବତାବଳୀ ତଥା ଆମେରିକାର ନଦୀମାନଙ୍କ ମାନଚିତ୍ର କାଟି ଦେଖାଇଦେବା ପୂର୍ବରୁ ମୋତେ ଆଗ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ହିଁ ପଡ଼ିବ ।

 

ଇତିହାସ ଓ ଭୂଗୋଳ କ୍ଷେତ୍ରରେ ମଧ୍ୟ ଅଭିଜ୍ଞତା ଠିକ୍ ସେହିକଥା କହୁଛି ଓ ସର୍ବତ୍ର ମୋ’ର ଧାରଣାଗୁଡ଼ିକୁ ହିଁ ଅଧିକ ପରିପୁଷ୍ଟ କରୁଛି । ଭୂଗୋଳ ଏବଂ ଇତିହାସ ଶିକ୍ଷାଦାନ ସବୁଠାରେ ଖରାପ ହେବାରେ ଚାଲିଛି ଏବଂ ସବୁଠାରେ ପରୀକ୍ଷାକୁ ଆଖିଆଗରେ ରଖି ପର୍ବତ, ସହର ନଈ, ରାଜା ଓ ସମ୍ରାଟମାନଙ୍କର ନାମକୁ ହିଁ ମୁଖସ୍ଥ କରିବାକୁ ପଡ଼ୁଛି । ଏହି ବିଷୟରେ ବହିଗୁଡ଼ିକ ମଧ୍ୟ ସେହିଭଳି ନୀରସ ହୋଇ ରହିଛି । ଏବଂ, ଭୂଗୋଳ ଓ ଇତିହାସ ପଢ଼ାଇବା ବିଷୟରେ ସବୁଠାରେ ନାନା ଅଭିଯୋଗ ହେଉଛି । ସବୁଠାରେ କିଛି ନୂଆ ଖୋଜିକରି ବାହାର କରିବାର ପ୍ରୟାସ ହେଉଛି, ମାତ୍ର କେବେହେଲେ କିଛି ବି ମିଳୁନାହିଁ ।

 

ଭାରି ହାସ୍ୟକାର କଥା ଯେ, ପୃଥିବୀଯାକର ପିଲାଙ୍କ ଭିତରଟା ଭୂଗୋଳର ଅଧ୍ୟୟନକୁ ଆଦୌ ଖୁସୀ ହୋଇ ଗ୍ରହଣ କରୁନାହିଁ ବୋଲି ସମସ୍ତେ ସ୍ଵୀକାର କରୁଥିଲେ ମଧ୍ୟ ତଥାପି ପିଲାମାନେ ଯେପରି ନାଆଁଗୁଡ଼ିକୁ ମନେ ରଖି ପାରିବେ, ସେଥିଲାଗି ହଜାର ହଜାର ଚତୁର ଶିକ୍ଷାପଦ୍ଧତିର ଉଦଭାବନ ଚାଲିଛି । ଏହି କିସମର ଭୂଗୋଳକୁ ପଢ଼ାଇବାରେ ଯେ ପ୍ରକୃତରେ କୌଣସି ପ୍ରୟୋଜନ ନାହିଁ, ତଥା ଏହିସବୁ ନାଆଁକୁ ମଧ୍ୟ ମନେ ରଖବାର କୌଣସି ପ୍ରୟୋଜନ ନାହିଁ, ଏହି ସହଜ କଥାଟି ଥରକ ପାଇଁ ମଧ୍ୟ କାହାରି ମୁଣ୍ଡରେ ପ୍ରବେଶ କରି ପାରିନାହିଁ ।

 

ଭୂଗୋଳକୁ ଭୂତତ୍ତ୍ଵ, ଉଦ୍ଭିଦବିଦ୍ୟା, ମାନବଜାତି ଗୁଡ଼ିକ ବିଷୟରେ ଯାବତୀୟ ବର୍ଣ୍ଣନା ଓ ଆହୁରି କେତେ କ’ଣ ସହିତ ଏବଂ ଇତିହାସକୁ ଜୀବନୀମାନଙ୍କ ସହିତ ଏକତ୍ର କରି ପଢ଼ାଇବାର ଯାହାକିଛି ଉଦ୍ୟମ ହୋଇଛି, ସେସବୁ କେବଳ ଶୂନ୍ୟଗର୍ଭ ସ୍ଵପ୍ନ ହିଁ ହୋଇ ରହିଛି ଏବଂ ସେଥିରୁ ପ୍ରେରଣା ନେଇ ଏପରି ନାନା ରଦି ବହିସବୁ ଲେଖାଯାଇଛି, ଯାହାକି ପିଲା, ଯୁବକ, ଶିକ୍ଷକ ଅଥବା ଜନସାଧାରଣଙ୍କର କୌଣସି କାମରେ ଆସୁନାହିଁ । ବସ୍ତୁତଃ, ଭୂଗୋଳ ଓ ଇତିହାସର ତଥାକଥିତ ନୂତନ ପଥପ୍ରଦର୍ଶକ ପୁସ୍ତକର ଲେଖକମାନେ ସେମାନେ ପ୍ରକୃତରେ କ’ଣ ଚାହୁଛନ୍ତି ଯଦି ସେହି ବିଷୟରେ କିଞ୍ଚିତ୍ ଚିନ୍ତା କରୁଥାନ୍ତେ ଏବଂ ସେହି ପୁସ୍ତକଗୁଡ଼ିକ ଅଧ୍ୟାପନାର କ୍ଷେତ୍ରରେ ପ୍ରୟୋଗ କରି ଦେଖୁଥାନ୍ତେ, ତେବେ ଏହିସବୁ ଉଦ୍ୟମର ବ୍ୟର୍ଥତା ବିଷୟରେ ସେମାନଙ୍କର ମଧ୍ୟ ଦୃଢ଼ ବିଶ୍ଵାସ ହୋଇ ଯାଆନ୍ତା ।

 

ପ୍ରଥମତଃ, ଭୂଗୋଳ ଭିତରେ ପ୍ରକୃତି-ବିଜ୍ଞାନ ଓ ଜାତିବର୍ଣ୍ଣନାକୁ ଭର୍ତ୍ତି କରିଦେଲେ ତାହା ଏକ ବିଶାଳକାୟ ବିଜ୍ଞାନରେ ପରିଣତ ହୁଅନ୍ତା ଏବଂ ତାହା ପଢ଼ାଇବାକୁ ହେଲେ ଜଣେ ବ୍ୟକ୍ତିର ସାରା ଜୀବନକାଳ ହିଁ ବିତି ଯାଆନ୍ତା ପଛକେ ତଥାପି ସରି ପାରନ୍ତାନାହିଁ ଏବଂ ବର୍ତ୍ତମାନର କେବଳ ଭୂଗୋଳ ତୁଳନାରେ ଅଧିକ ଶୁଷ୍କ ଓ ପିଲାଙ୍କ ପାଇଁ ଅଧିକ ଅନୁପଯୁକ୍ତ ହୁଅନ୍ତା ।

 

ଦ୍ଵିତୀୟତଃ, ଏପରି ଗୋଟିଏ ପୁସ୍ତକ ପ୍ରଣୟନ କରିବାପାଇଁ ହଜାରବର୍ଷ ବିତିଗଲେ ମଧ୍ୟ ତଥାପି ଯଥେଷ୍ଟ ପରିମାଣର ସାମଗ୍ରୀ ତଥାପି ଉପଲବ୍ଧ ହୁଅନ୍ତାନାହିଁ । ଯଦି ମୁଁ ଆମର ଏହି ଜିଲ୍ଲାଟିର ଭୂଗୋଳ ପଢ଼ାଉଥାନ୍ତି, ତେବେ ମୋତେ ଏହି ଅଞ୍ଚଳର ଉଦ୍ଭିଦ, ଜନ୍ତୁଜଗତ, ଉତ୍ତର ମେରୁଯାଏ ରହିଥିବା ଭୂଗଠନ ଏବଂ ସମୁଦାୟ ରାଜ୍ୟଟିର ଅଧିବାସୀ ଓ ବେପାରବଣିଜ ବିଷୟରେ ଟିକିନିଖି ସବୁ ଜ୍ଞାନ ସଂଗ୍ରହ କରିବାକୁ ପଡ଼ନ୍ତା । ତଥାପି, ସାମଗ୍ରୀ ଅଭାବରୁ ଆହୁରି ବହୁତ କିଛି ଛାଡ଼ି ବି ହୋଇ ଯାଆନ୍ତା ।

 

ମାତ୍ର, ପିଲାମାନଙ୍କ ଦୃଷ୍ଟିରୁ ଏବଂ ବିଶୁଦ୍ଧ ସାଧାରଣ ଜ୍ଞାନ ଦୃଷ୍ଟିରୁ ମୋତେ ଅଧ୍ୟାପନାରେ ଏକ ନିର୍ଦ୍ଧିଷ୍ଟ ପରିମାଣର ସମଞ୍ଜସତା ଓ ନିୟମିତତା ରଖିବାକୁ ହିଁ ପଡ଼ିବ । ତେଣୁ, ଗୋଟିଏ ସମାଧାନ ହେଉଛି ଯେ, ପିଲାମାନେ ଗୋଟାଏ ଗୋଟିଏ ଭୂଗୋଳବହିକୁ ଘୋଷି ମୁଖସ୍ଥ କରିବେ ଅଥବା ମୋତେ ସେହି ବିଷୟଟିକୁ ପୂରା ବାଦ୍ ଦେବାକୁ ପଡ଼ିବ । ଇତିହାସ ପଢ଼ାଇବାରେ କ୍ଷେତ୍ରରେ ପିଲାମାନଙ୍କ ଭିତରେ ଯେପରି ଇତିହାସ ପାଇଁ ଏକ ଆଗ୍ରହ ଜାଗୃତ କରାଇ ଆଣିବାର ପ୍ରୟୋଜନ ରହିଛି, ଠିକ୍ ସେହିପରି ଭୂଗୋଳ ପଢ଼ାଇବା ବେଳେ ଭୂଗୋଳପାଇଁ ଏକ ଆଗ୍ରହକୁ ଜାଗୃତ କରି ଆଣିବାକୁ ହେବ । ଏବଂ, ମୋ’ ନିଜର ଅଭିଜ୍ଞତା ଓ ଅନୁମାନ କହୁଛି ଯେ, ପ୍ରକୃତିବିଜ୍ଞାନର ଅଧ୍ୟୟନ ଅଥବା ପରିଭ୍ରମଣଗୁଡ଼ିକ ଦ୍ଵାରା ସେହି ଆଗ୍ରହକୁ ଜାଗୃତ କରାଯାଇ ପାରିବ; ଶହେରୁ ଅନେଶ୍ଵତ ଭାଗ କ୍ଷେତ୍ରରେ ବିଶେଷ ଭାବରେ ବିଭିନ୍ନ ସ୍ଥାନକୁ ଯାତ୍ରାଦ୍ୱାରା ହିଁ ତାହାକୁ ସମ୍ଭବ କରାଇ ହେବ ।

 

ଖବରକାଗଜ ଓ ବିଶେଷତଃ ଜୀବନୀସବୁ ପାଠ କରିବା ଦ୍ଵାରା ତଥା ନିଜ ଦେଶର ରାଜନୀତିକ ଜୀବନ ବିଷୟରେ ଆଗ୍ରହ ସୃଷ୍ଟି କରିବାଦ୍ଵାରା ଯେପରି ଇତିହାସ ପ୍ରତି ଏକ ଶ୍ରଦ୍ଧାର ଉନ୍ମେଷଣ ସମ୍ଭବ ହେବ, ସେହିପରି ଭୂଗୋଳ ବେଳକୁ ଭ୍ରମଣ ଓ ସ୍ଥାନଦର୍ଶନ ଦ୍ଵାରା ହିଁ ସେହି ଦିଗରେ ପ୍ରଥମ ପଦକ୍ଷେପଟିକୁ ଗ୍ରହଣ କରାଯାଇ ପାରିବ । ଏବେ ତ ଏହି ଦୁଇଟିଯାକ ଉପାୟ ପ୍ରତ୍ୟେକ ବ୍ୟକ୍ତିର ପହୁଞ୍ଚ ଭିତରକୁ ଆସିଗଲାଣି ଏବଂ ତେଣୁ, ଇତିହାସ ଓ ଭୂଗୋଳର ଶିକ୍ଷାଦାନକ୍ଷେତ୍ରରେ ପୁରାକାଳରୁ ଯେଉଁ ଅନ୍ଧବିଶ୍ଵାସଟି ରହିଆସିଛି, ସେଥିରୁ ବାହାରି ଚାଲିଆସିବା ନିମନ୍ତେ ଆମର ଏଣିକି ସେତିକି କମ୍ ଭୟ ହିଁ ରହିବା ଉଚିତ । ସ୍ଵୟଂ ଜୀବନ ମଧ୍ୟ ଏପରି ଶିକ୍ଷାଦ୍ଵାରା ପୂର୍ଣ୍ଣ ହୋଇ ରହିଲାଣି ଯେ, ଆମର ବିକାଶ ସକାଶେ ଭୂଗୋଳ ଓ ଇତିହାସର ଏତେ ଆବଶ୍ୟକତା ରହିଛି ବୋଲି ଯଦି ଆମେ ଭାବୁଥିବା, ତେବେ ଜୀବନରୁ ହିଁ ସେହି ଅଭାବଟିକୁ ସର୍ବଦା ଅବଶ୍ୟ ପୂରଣ କରାଯାଇ ପାରିବ ।

 

ଏବଂ, ପ୍ରକୃତରେ, ଯଦି ଆମେ ପୁରୁଣା ଅନ୍ଧବିଶ୍ଵାସଟିକୁ ଛାଡ଼ିଦେଇ ପାରିବା, ତେବେ ଆମ ଇତିହାସରେ କେତେଟା ନାମକୁ ପିଲାବେଳେ ନଜାଣିଲେ ମନୁଷ୍ୟମାନଙ୍କର ଯେ ଆଦୌ କୌଣସି କ୍ଷତି ହେବନାହିଁ, ସେକଥା ଚିନ୍ତା କରିବାକୁ ଆମକୁ ମୋଟେ ଭୟଙ୍କର ଲାଗିବନାହିଁ । ଆମ ଆଗରେ ରହିଥିବା କେତୋଟି ଦୃଷ୍ଟାନ୍ତ ଦେବାକୁ ଗଲେ, ଲୋକେ ଆଉ ଫଳିତ ଜ୍ୟୋତିଷ ପଢ଼ୁନାହାନ୍ତି, ଅଳଙ୍କାରଶାସ୍ତ୍ର ବା କାବ୍ୟତତ୍ତ୍ଵ ପଢ଼ୁନାହାନ୍ତି, ଲାଟିନ୍ ଭାଷାରେ କଥା କହିବା ଶିଖୁନାହାନ୍ତି ଏବଂ ତା’ଫଳରେ ମନୁଷ୍ୟଜାତି ଆଦୌ ମୂର୍ଖ ବା ନିର୍ବୋଧ ହୋଇ ଯାଇନାହିଁ । ନୂଆ ନୂଆ କେତେ ବିଜ୍ଞାନ ଜନ୍ମଲାଭ କରିଛନ୍ତି, ଆମ ଏକାଳରେ ପ୍ରାକୃତିକ ବିଜ୍ଞାନଗୁଡ଼ିକୁ ଛାଡ଼ି ବାହାରି ଆସିବାକୁ ପଡ଼ିବ । ପୂରା ବିଜ୍ଞାନଗୁଡ଼ିକୁ ନୁହେଁ, ବିଜ୍ଞାନର ସେହି ପର୍ଯ୍ୟାୟଗୁଡ଼ିକୁ ଛାଡ଼ି ଆସିବାକୁ ପଡ଼ିବ; କାରଣ, ନୂତନ ବିଜ୍ଞାନଗୁଡ଼ିକର ଆଗମନ ଫଳରେ ସେଗୁଡ଼ିକ ଆଉ ଆଦୌ ଯଥେଷ୍ଟ ହୋଇ ପାରୁନାହାନ୍ତି । ବିଭିନ୍ନ ଯୁଗରେ ଓ ସ୍ଥିତିରେ ମନୁଷ୍ୟଜାତି କିପରି ଜୀବନଧାରଣ କରୁଛି ଓ କରିଛି, ନିଜକୁ କ୍ରିୟାଶୀଳ କରି କିପରି ବିକଶିତ ହୋଇ ଆସିଛି, ସେଗୁଡ଼ିକ ବିଷୟରେ ଏକ ଆଗ୍ରହକୁ ଅବଶ୍ୟ ଜାଗୃତ କରାଇବାକୁ ପଡ଼ିବ, ଏହି ଶ୍ୟାମଳିମାପୂର୍ଣ୍ଣ ଗୋଲାର୍ଦ୍ଧଟିର ଜୀବନକୁ ପରିଚାଳିତ କରୁଥିବା ବିଧାନଗୁଡ଼ିକୁ ଶିକ୍ଷା କରିବା ଲାଗି ଆଗ୍ରହ ପ୍ରକାଶ କରିବାକୁ ପଡ଼ିବ । ସେଥିପାଇଁ କେତେଟା ନାମକୁ ମୁଖସ୍ଥ କରି ରଖିବା ଆଦୌ କୌଣସି କାମ ଦେବନାହିଁ । ମୁଁ କେବଳ ଦୁଇଟି ଉପାଦାନର ଅବସ୍ଥିତିକୁ ସ୍ଵୀକାର କରିବି: ଗୋଟିଏ କବିତାର କଳାତ୍ମକ ଅନୁଭବ ଏବଂ ଆଉଗୋଟିଏ ନିଜର ଜନ୍ମଭୂମି ବିଷୟରେ ଏକ ଗୌରବବୋଧ । ଏହି ଦୁଇଟିର ବିକାଶ ନିମିତ୍ତ ଏପର୍ଯ୍ୟନ୍ତ ଆମକୁ ସେଗୁଡ଼ିକୁ ସର୍ବଦା ଖୋଜିବାକୁ ହିଁ ପଡ଼ିବ ଅଥବା ଶିଶୁମାନଙ୍କର ଗୋଟିଏ ପୁରୁଷକୁ ଇତିହାସ ଓ ଭୂଗୋଳ ଶିକ୍ଷା କରିବାକୁ ବାଧ୍ୟ କରି–ଆମକୁ ଆମ ପିଲାସମୟରେ ଇତିହାସ ଭୂଗୋଳ ପଢ଼ା ହୋଇଥିଲା, କେବଳ ସେଇଥିପାଇଁ,–ଆମେ ନିଜର ସମୟ ଓ ଶକ୍ତିକୁ ନଷ୍ଟ କରିବାରେ ଲାଗିଥିବା ଏବଂ ସେହି ପିଲାମାନଙ୍କୁ ମଧ୍ୟ ଶକ୍ତିହୀନ କରି ପକାଉଥିବା ।

 

ବିଶ୍ଵବିଦ୍ୟାଳୟ ସ୍ତର ପୂର୍ବରୁ ଇତିହାସ ଓ ଭୂଗୋଳ ପଢ଼ାଇବାର ମୁଁ ଆଦୌ କୌଣସି ଆବଶ୍ୟକତା ଦେଖି ପାରୁନାହିଁ, ବରଂ ଏଥିରେ ପ୍ରଭୁତ କ୍ଷତି ହେଉଛି ବୋଲି ବିଶ୍ଵାସ କରୁଛି । ବିଶ୍ଵବିଦ୍ୟାଳୟ ସ୍ତରରେ ପ୍ରକୃତରେ କ’ଣ ହେବ ବା ନହେବ, ମୋତେ ସେବିଷୟରେ କିଛି ଜଣାନାହିଁ ।

Image

 

ଷଡ଼ତ୍ରିଂଶ ଅଧ୍ୟାୟ

କଳା ଓ ସଙ୍ଗୀତ

 

ନଭେମ୍ବର ଓ ଡିସେମ୍ବର ଦୁଇମାସ ସକାଶେ ୟସନାୟା ପୋଲ୍ୟାନା ସ୍କୁଲ ନିମନ୍ତେ ମୁଁ ଯେଉଁ ଯୋଜନା କରିଛି, ସେଥିରେ ମୋତେ ବର୍ତ୍ତମାନ ଦୁଇଟି ବିଷୟ ସମ୍ବନ୍ଧରେ କିଛି କହିବାକୁ ହେବ । ଅନ୍ୟ ବିଷୟଗୁଡ଼ିକ ତୁଳନାରେ ଏହି ଦୁଇଟି ବିଷୟର ଏକ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ତାତ୍ପର୍ଯ୍ୟ ରହିଛି-। ଏହି ଦୁଇଟି ବିଷୟ ହେଉଛନ୍ତି ଚିତ୍ରାଙ୍କନ ଏବଂ ସଙ୍ଗୀତ ।

 

କୌଣସି ବ୍ୟକ୍ତି ଏହି ଦୁଇଟି ବିଷୟକୁ ଆଦୌ ଶିକ୍ଷା କରିବ କି ନାହିଁ, ମୁଁ ଏ ବିଷୟରେ କିଛି ଜାଣେନାହିଁ । ସେହି ଦୃଷ୍ଟିରୁ ଯଦି ମୋ’ ନିଜର କୌଣସି ମତ ନଥାନ୍ତା, ତେବେ ମୁଁ ବାଧ୍ୟ ହୋଇ ନିଜକୁ ପଚାରନ୍ତି: କଳାଙ୍କନର ଅଧ୍ୟୟନ ଦ୍ଵାରା ଚାଷୀଘରର ପିଲାମାନଙ୍କର ପ୍ରକୃତରେ କିଛି ଲାଭ ହୁଏ କି ? ସେମାନେ ତ ବଡ଼ ହୋଇ ଜୀବନସାରା ଆପଣାର ଦୈନନ୍ଦିନ ଉଦରଭରଣ ପାଇଁ ହିଁ କାମ କରିବେ, ତେବେ କଳାଦି ଅଧ୍ୟୟନ ଦ୍ଵାରା ସେମାନଙ୍କର କି ଲାଭ ହେବ ?

 

ଶହେରେ ଅନେଶ୍ଵତ ଜଣ ଏହି ପ୍ରଶ୍ନଟିର ନାହିଁ ବୋଲି ଉତ୍ତର ଦେବେ । ଏବଂ, ଅନ୍ୟ କୌଣସି ପ୍ରକାରର ଉତ୍ତର ଦେବା ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ଅସମ୍ଭବ । ଏହିଭଳି ଏକ ପ୍ରଶ୍ନ ପଚରାହେବା ମାତ୍ରକେ ନିରାଟ ସାଧାରଣ ବୁଦ୍ଧି ହୁଏତ ଏହିପରି ଗୋଟିଏ ଉତ୍ତର ଦାବୀ କରିବ: ତାକୁ ତ କେବେହେଲେ ଚିତ୍ର ଆଙ୍କିବାକୁ ପଡ଼ିବନାହିଁ, ସିଏ ଚାଷ ହିଁ କରିବ । ଯଦି ତା’ ଭିତରେ କଳାପ୍ରତି ଝୁଙ୍କ ଥାଏ, ତେବେ ନିରନ୍ତର ଶ୍ରମ କରିବା ନିମନ୍ତେ ତାକୁ ଯେପରି ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ, ସିଏ ସେହି ଶ୍ରମଟିକୁ ମୋଟେ ସହ୍ୟ କରି ପାରିବନାହିଁ । ଏବଂ, ଯଦି ଏହି ଶ୍ରମଟି ତା’ଦ୍ଵାରା ସହ୍ୟ ନହୁଏ, ତେବେ ଆମ ରାଜ୍ୟର ଅସ୍ତିତ୍ଵଟା ହିଁ ଅସମ୍ଭବ ହୋଇ ପଡ଼ିବ । ଏଠାରେ ମୁଁ ଚାଷୀଘରର ପିଲାଟି ବିଷୟରେ ଏପରି କହୁଛି ।

 

ଯେକୌଣସି ରାଜ୍ୟନିବାସୀର ପିଲା, ରାଜ୍ୟର ପ୍ରତ୍ୟେକ ପିଲା,–ତାହାର ଅନ୍ୟ ଯେକୌଣସି ପିଲା ଭଳି ଅବଶ୍ୟ ସମାନ ଅଧିକାରମାନ ରହିବ । ମୁଁ ତ ଆହୁରି କିଛି ଅଧିକା କହିବି ଯେ, ଆମ ଅଧିକ ଭାଗ୍ୟବାନ୍ ଶ୍ରେଣୀଗୁଡ଼ିକର ପିଲାମାନଙ୍କ ଅପେକ୍ଷା କଳାତ୍ମକ ଜୀବନରୁ ଆନନ୍ଦ ଲାଭ କରିବା ନିମନ୍ତେ ଚାଷୀଘରର ଗୋଟିଏ ପିଲାର ପ୍ରକୃତରେ ଅଧିକ ଅଧିକାର ହିଁ ରହିଛି । ଆମ ଉଚ୍ଚତର ଶ୍ରେଣୀଗୁଡ଼ିକ ପାଇଁ ଏପରି ଅକ୍ଳାନ୍ତ ଶ୍ରମ କରିବାର ଆଦୌ କୌଣସି ଆବଶ୍ୟକତା ନଥାଏ ଏବଂ ସେମାନଙ୍କର ଚାରିପାଖରେ ଜୀବନର ପ୍ରୟୋଜନୀୟ ସକଳ ସାମଗ୍ରୀ ଉପଲବ୍ଧ ହୋଇ ବି ରହିଥାଏ ।

 

ଶ୍ରମଜୀବୀ ଘରର ସେହି ପିଲାଟିକୁ କଳାଦିର ଆନନ୍ଦଲାଭରୁ ବଞ୍ଚିତ କରିବା, ସେହି ପିଲାର ଜଣେ ଶିକ୍ଷକ ମୋତେ ମଧ୍ୟ ତାହାର ସମସ୍ତ ଅନ୍ତର୍ଗତ ଅଭିଳାଷ ସହିତ ତାହାର ସମୁଦାୟ ସତ୍ତା ପିପାସିତ ହୋଇ ରହିଥିବା ସର୍ବୋତ୍ତମ ଆନନ୍ଦଲାଭର ସେହି କ୍ଷେତ୍ରଟିକୁ ପରିଚାଳିତ କରି ନେଇଯିବାର ଅଧିକାରରୁ ବଞ୍ଚିତ କରି ରଖିବା,–ଏହାକୁ ମଧ୍ୟ ଏକ ଚରମ ଅସମ୍ଭବତାର ବ୍ୟାପାର ବୋଲି କୁହାଯିବ ।

 

ଏହି ଦୁଇଟି ଅସମ୍ଭବ କଥା ମଧ୍ୟରେ ଏକ ସଙ୍ଗତି କିପରି ଅଣାଯାଇ ପାରିବ ? ପ୍ରଥମ ଅଧ୍ୟାୟରେ ବାହାରକୁ ବୁଲିଯିବାର ବର୍ଣ୍ଣନା ଦେଲାବେଳେ ମୁଁ ଯେପରି କାବ୍ୟିକତା କରିବାର ପ୍ରଲୋଭନରେ ପଡ଼ି ଯାଇଥିଲି, ଏଠାରେ ଆଦୌ ସେପରି କରିବିନାହିଁ । ମୁଁ ସମ୍ପୂର୍ଣ୍ଣ ଭାବରେ ଯୁକ୍ତିର ହିଁ ସାହାଯ୍ୟ ନେବି । ଏହି ଦୁଇଟି ମଧ୍ୟରେ ଆଦୌ କୌଣସି ବୁଝାମଣା ହୋଇ ପାରିବନାହିଁ, ବୁଝାମଣା ଆଣିବା ବିଷୟରେ ଭାବିଲେ ହିଁ ତାହା ନିଜକୁ ଧୋକା ଦେବାପରି ହେବ । ସେମାନେ କହିବେ ଏବଂ ସେମାନେ ପ୍ରକୃତରେ କହୁଛନ୍ତି: “ଯଦି ଏକ ସାଧାରଣ ସ୍କୁଲରେ ଚିତ୍ରାଙ୍କନର ଆଦୌ କୌଣସି ପ୍ରୟୋଜନ ରହିଥାଏ, ତେବେ ହିଁ, ପିଲାମାନେ କେବଳ ପ୍ରକୃତରେ ଦେଖି ଏଇଟା ସେଇଟା ଆଙ୍କିଦେଇ ପାରିବେ; କେତେଟା କୌଶଳ ପ୍ରୟୋଗ ଦ୍ଵାରା ସେମାନେ ଚିତ୍ର ଆଙ୍କିବାକୁ ଶିଖିବେ, ଯାହାକୁ ଜୀବନରେ କାମରେ ଲଗାଇ ହେବ । ଉଦାହରଣ ସ୍ଵରୂପ, ଲଙ୍ଗଳର, ମେସିନର ବା ଗୋଟିଏ ଅଟ୍ଟାଳିକାର ଚିତ୍ର ଅଙ୍କାଯାଇ ପାରିବ । ଏହିସବୁ କ୍ଷେତ୍ରରେ ଯାବତୀୟ ଚିତ୍ରକଳା କେବଳ ରେଖାଙ୍କନର ଏକ ଅଂଶ ହୋଇ ରହିଥିବ ।

 

ୟସନାୟା ପୋଲ୍ୟାନା ସ୍କୁଲର ଶିକ୍ଷକ ମଧ୍ୟ ଚିତ୍ରାଙ୍କନ ବିଷୟରେ ଠିକ୍ ଏହି ଧାରଣାଟି ପୋଷଣ କରୁଥିଲେ । ଏଠାରେ ଆମେ ତାହାରି କିଛି ବର୍ଣ୍ଣନା ଦେବା । ମାତ୍ର, ଚିତ୍ରାଙ୍କନ ଶିକ୍ଷା ଦେବାର ପ୍ରଣାଳୀ ବିଷୟରେ ବିଦ୍ୟାଳୟରେ ଆମେ ଯେଉଁ ପ୍ରୟୋଗଟିକୁ କରିଥିଲୁ, ତାହା ଆମକୁ ଏହି ଯାନ୍ତ୍ରିକ ପ୍ରଣାଳୀଟି ମଧ୍ୟରେ ରହିଥିବା ଭ୍ରାନ୍ତି ଓ ଅନ୍ୟାୟଟି ବିଷୟରେ ଅତ୍ୟନ୍ତ ସ୍ପଷ୍ଟ କରି ଦେଇଥିଲା । ଚାରିମାସ କାଳ କଡ଼ା ଶୃଙ୍ଖଳା ସହିତ ଚିତ୍ରାଙ୍କନ ଅଭ୍ୟାସ କଲାପରେ, ଆମର ଅଧିକାଂଶ ପିଲା ଏକାବେଳେକେ ବିରକ୍ତ ହୋଇ ଉଠିଥିଲେ । ସେହି କାର୍ଯ୍ୟକ୍ରମରେ ମଣିଷ, ଅନ୍ୟ ଜନ୍ତୁ, ଭୂଭାଗର ଦୃଶ୍ୟଗୁଡ଼ିକୁ ଆଙ୍କିବା ନିଷିଦ୍ଧ ହୋଇ ରହିଥିଲା । ଯାନ୍ତ୍ରିକ ଭାବରେ ଖାଲି ବସ୍ତୁଗୁଡ଼ାକର ଚିତ୍ର ଆଙ୍କି ଆଙ୍କି ସେମାନେ ପ୍ରକୃତରେ ବଡ଼ କ୍ଳାନ୍ତ ହୋଇ ପଡ଼ିଥିଲେ । ଏବଂ, ଚିତ୍ରାଙ୍କନକୁ ଏକ କଳା ରୂପେ ଅଭ୍ୟାସ କରିବାର ପ୍ରୟୋଜନ ଏବଂ ଆକାଂକ୍ଷା ସେମାନଙ୍କ ଭିତରେ ଉତ୍ତମରୂପେ ବିକଶିତ ହୋଇ ରହିଥିବାରୁ ସେମାନେ ଗୋପନରେ ନିଜନିଜର ଅଲଗା ଖାତାମାନ ପାଖରେ ରଖୁଥିଲେ ଓ ସେଥିରେ ସେମାନେ ମଣିଷ ଓ ଘୋଡ଼ାମାନଙ୍କର ଛବିସବୁ ଅଙ୍କନ କରୁଥିଲେ । ଚାରିଟା ଗୋଡ଼ ରହିଥିବା ଘୋଡ଼ାମାନେ କୌଣସି ସ୍ଥାନରୁ କିପରି ଦଉଡ଼ିବାକୁ ବାହାରୁଛନ୍ତି, ଛବିମାନଙ୍କରେ ତାହାରି ଚିତ୍ରଣ ଦୃଷ୍ଟିଗୋଚର ହେଉଥିଲା ।

 

ସଙ୍ଗୀତ ବେଳକୁ ମଧ୍ୟ ଠିକ୍ ସେହିକଥା ହେଲା । ସାଧାରଣ ଲୋକଙ୍କର ପିଲାଙ୍କ ପାଇଁ ଯେଉଁ ମାମୁଲି ବିଦ୍ୟାଳୟଗୁଡ଼ିକ ରହିଛି, ସେଥିରେ ପିଲାମାନଙ୍କୁ କେବଳ ଗୀର୍ଜାରେ ଶୁଣିବାକୁ ମିଳୁଥିବା ସ୍ତୋତ୍ରସଙ୍ଗୀତ ଗୁଡ଼ିକୁ ଗାଇବାପାଇଁ ଅନୁମତି ଦିଆଯାଏ । ଏବଂ, ସେଇଟିକୁ ମଧ୍ୟ ଏପରି ଗୋଟିଏ ନିର୍ଦ୍ଦିଷ୍ଟ ଢଙ୍ଗରେ ଶିଖାଯାଏ ଯେ, ତାହା ପିଲାମାନଙ୍କ ଲାଗି ସର୍ବଦା ଅତ୍ୟନ୍ତ ନୀରସ ଓ ଉତ୍ପୀଡ଼କ ପଡ଼ି ହୋଇ ରହିଥାଏ । ସେମାନଙ୍କୁ ସତେଅବା କେବଳ ମୁଖର କେତେଟା ଧ୍ୱନି ବାହାର କରିବାକୁ କୁହା ଯାଉଥାଏ । ଫଳରେ ପିଲାମାନେ ସତେଅବା କେବଳ ଗୋଟାଏ ଗୋଟାଏ ଗଳାରେ ପରିଣତ ହୋଇ ଯାଆନ୍ତି,–ବଜା ଯାଉଥିବା ବାଦ୍ୟର ସ୍ଥାନାପନ୍ନ ଭାବରେ ସେମାନଙ୍କର ଗୋଟାଏ ଗଳା ରହିଛି ବୋଲି ଭାବିବାରେ ଅଭ୍ୟସ୍ତ ହୋଇଯାନ୍ତି । ଅଥବା, କେବଳ ହାରମୋନିଅମ୍ କିମ୍ବା ଅନ୍ୟ କୌଣସି ଯନ୍ତ୍ର ଅନୁସାରେ ନିଜର ସାଙ୍ଗୀତିକ ଯାବତୀୟ ଅବବୋଧକୁ ଖାପ ଖୁଆଇ ନେବାପାଇଁ ସେମାନଙ୍କୁ ବାଧ୍ୟ କରାଯାଏ । ଅଧିକାଂଶ ସମୟରେ ପିଲାମାନେ ମୋଟା ଗଳାରେ ଏପରି ଗୋଟାଏ ଗୀତ ବୋଲୁଥାନ୍ତି, ଯାହାକୁ କି ଶିକ୍ଷକ ଆଦୌ ଏକ ସଙ୍ଗୀତ ବୋଲି ସ୍ଵୀକାର କରୁନଥାନ୍ତି ଓ ତାଙ୍କର ଆଦୌ କୌଣସି ସାହାଯ୍ୟ ନନେଇ ପିଲାମାନେ ଆପେ ଆପେ ସେଇଟାକୁ ଶିଖିନେଇ ପାରିବେ ବୋଲି ଭାବୁଥାନ୍ତି । ତେଣୁ, ଦୁଇଟା ମଧ୍ୟରୁ କେବଳ ଗୋଟାକୁ ହିଁ ବାଛି ନେବାକୁ ହେବ; କହିବାକୁ ହେବ ଯେ କଳା ଓ ସଙ୍ଗୀତ ପିଲାମାନଙ୍କର କ୍ଷତିସାଧନ କରୁଛି ଓ ତେଣୁ ସେଗୁଡ଼ିକୁ ଶିଖାଇବାର କୌଣସି ଆବଶ୍ୟକତା ନାହିଁ । ଶୁଣିବା ବେଳକୁ ଏହି କଥାଟି ପ୍ରଥମେ ଯେଡ଼େ ବିଚିତ୍ର ବୋଲି ମନେ ହେଉଥିବ, ତାହା ଆଦୌ ସେତେ ବିଚିତ୍ର ନୁହେଁ । କିମ୍ବା, ଅପର ପକ୍ଷରେ, ସାମାଜିକ ଶ୍ରେଣୀ ବା ବେଉସା ଅନୁସାରେ ଆଦୌ କୌଣସି ପାତ୍ରାନ୍ତର ନରଖି ପ୍ରତ୍ୟେକ ବ୍ୟକ୍ତିର କଳା ଓ ସଙ୍ଗୀତରେ ଅଧିକାର ରହିଛି ବୋଲି ମାନିବାକୁ ପଡ଼ିବ । ଆପଣାକୁ ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ଅର୍ପଣ କରିଦେବାର ଅଧିକାର ମନୁଷ୍ୟମାତ୍ରେ ସମସ୍ତଙ୍କର ରହିଛି ବୋଲି ସ୍ଵୀକାର କରିବାକୁ ହେବ । କଳା ଯେ ଆଦୌ କୌଣସି ଅପାରଗତା ବା ମଧ୍ୟମତା ପାଇଁ ଅନୁମତି ଦିଏନାହିଁ, ଏଥିସହିତ ସେହି କଥାଟିକୁ ମଧ୍ୟ ମାନିବାକୁ ପଡ଼ିବ ।

 

“ସାଧାରଣ ସ୍ତରର ମନୁଷ୍ୟମାନଙ୍କର ପିଲାଙ୍କର କଳାଙ୍କନ ଶିକ୍ଷା କରିବାଲାଗି ଅଧିକାର ରହିଛି କି ?” –ଏହିପରି ଗୋଟିଏ ପ୍ରଶ୍ନ ପଚାରିବାକୁ ହିଁ ଅସଲ ଅବିବେକିତା ବୋଲି କୁହାଯିବ । ଅର୍ଥାତ୍, ଅନ୍ୟ ଭାଷାରେ, “ମଣିଷମାନଙ୍କର ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ଲାଗି ସେମାନଙ୍କର ଅଧିକାର ରହିଛି କି ?” –ତାହା ଏହିଭଳି ପ୍ରଶ୍ନଟିଏ ପଚାରୁଥିବା ପରି ହେବ । ସାଧାରଣ ସ୍ତରର ମନୁଷ୍ୟମାନଙ୍କ ପାଇଁ ଆମେ ଦେଉଥିବା ମାଂସ ଭଲ କି ମନ୍ଦ, ଏଠାରେ ଅସଲ ପ୍ରଶ୍ନଟି ପ୍ରକୃତରେ ଏହିପରି ହେବ । ଉଦାହରଣ ସ୍ଵରୂପ, କେବଳ ଆମ ଅକ୍ତିଆର ଭିତରେ ରହିଥିବା କେତେକ ନିର୍ଦ୍ଦିଷ୍ଟ ଜ୍ଞାନକୁ ସାଧାରଣ ସ୍ତରର ଲୋକମାନଙ୍କ ପାଇଁ ଉନ୍ମୋଚିତ କରିଦେଇ, ସେମାନଙ୍କ ଉପରେ ତାହାର ଖରାପ ପ୍ରଭାବ ପଡ଼ିଲା ବୋଲି ଯେପରି କୁହା ଯାଇଥାଏ, ମୁଁ ତାହାରି ପରିପ୍ରେକ୍ଷୀରେ ଏଠାରେ କହିବି ଯେ, ସାଧାରଣ ସ୍ତରର ମନୁଷ୍ୟମାନେ ଖରାପ ବୋଲି ଯେ ଏହିସବୁ ବିଷୟର ଅଧ୍ୟୟନକୁ ଗ୍ରହଣ କରୁନାହାନ୍ତି, ବା ତଦଦ୍ଵାରା ଲାଭବାନ ହେଉନାହାନ୍ତି, ସେକଥା ଆଦୌ ନୁହେଁ; ବରଂ ମୁଁ ପ୍ରସ୍ତାବ ଦେବି ଯେ, ସେହି ଲୋକମାନଙ୍କୁ ସାଥିରେ ବସାଇ ଆମେ ବର୍ତ୍ତମାନ ଏପରି ନୂଆ ବିଷୟଗୁଡ଼ିକୁ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିବା, ଯାହାକି କୁଳୀନ ଏବଂ ସାଧାରଣ ଆମ ସମସ୍ତଙ୍କ ନିମନ୍ତେ ଉପଯୋଗୀ ହୋଇ ପାରିବ । ମୁଁ ଏଠାରେ କେବଳ ଏତିକି କହୁଛି ଯେ, ଏହିସବୁ ଅଧ୍ୟୟନ ତଥା କଳାତ୍ମକ କର୍ଷଣ ଆମ ଭିତରେ ବଞ୍ଚି ରହି ପାରୁଛି ଏବଂ ଆମର କୌଣସି ଅନିଷ୍ଟ କରୁଥିବା ପରି ମନେ ହେଉନାହିଁ; ଏବଂ, ଏହିସବୁ ଅଧ୍ୟୟନ ଓ କର୍ଷଣର ସାଧାରଣ ସ୍ତରର ଲୋକମାନଙ୍କ ସକାଶେ ଆଦୌ କୌଣସି ପ୍ରୟୋଜନ ନାହିଁ ଓ ସେମାନେ ତାକୁ ଲାଭ କଲେ ତଦଦ୍ଵାରା ସେମାନଙ୍କର କେବଳ ଅନିଷ୍ଟ ହେବ ବୋଲି କୁହାଯାଉଛି । ମାତ୍ର, ଆମେ ସ୍ଵୟଂ ବିଗିଡ଼ି ଯାଇଛୁ ବୋଲି ସେଗୁଡ଼ିକର ଏକୁଟିଆ ଅଧ୍ୟୟନ ଓ ଅନୁଶୀଳନ କରୁଛୁ-। ଯେଉଁ ମନୁଷ୍ୟମାନେ ଏକ କାରଖାନା ଅଥବା ରଦି ସରାଇଖାନାର ଦୂଷିତ ବାୟୁମଣ୍ଡଳ ଭିତରେ ଘଣ୍ଟା ଘଣ୍ଟା ବସି ରହିଲେ ମଧ୍ୟ ସେମାନଙ୍କର ଆଦୌ କୌଣସି କ୍ଷତି ହେଉନାହିଁ,–ସେଠାକୁ ଆଉ କେହି ପ୍ରଥମ କରି ଆସି ପ୍ରବେଶ କଲେ ତା’ର ତ ପ୍ରମାଣ ପ୍ରାଣ ଛାଡ଼ିଯିବ । ସେମାନେ ପଚାରିବେ, “ସମ୍ଭ୍ରାନ୍ତ କୁଳର ମନୁଷ୍ୟମାନେ ଯେଉଁସବୁ ଅଧ୍ୟୟନ ଓ କଳାର କର୍ଷଣ କରୁଛନ୍ତି, ସେସବୁ ନିରର୍ଥକ ବୋଲି କିଏ କହିଛି ? ସାଧାରଣ ସ୍ତରର ଲୋକସମାଜ ତାହାକୁ ଗ୍ରହଣ କରୁନାହିଁ ବୋଲି ସେଗୁଡ଼ିକୁ ଆପଣାମାନେ କାହିଁକି ନିରର୍ଥକ ବୋଲି ଧରି ନେଉଛନ୍ତି ?” ଭାରି ସରଳ ଭାବରେ ଏହି ଯାବତୀୟ ପ୍ରଶ୍ନର ଉତ୍ତର ଦିଆଯାଇ ପାରିବ: କାରଣ ଆମେ ସିନା ମାତ୍ର କେତେ ହଜାର, ମାତ୍ର ସେମାନେ ହେଉଛନ୍ତି ଲକ୍ଷ ଲକ୍ଷ, ନିୟୂତ ନିୟୂତ ।

 

ଶରୀରବିଜ୍ଞାନରୁ କେତୋଟି ତଥ୍ୟ ନେଇ ମୁଁ ଆଉ କେତୋଟି କଥା କହିବି ଓ ଦୁହିଁଙ୍କର ତୁଳନା କରିବି ।

 

ଜଣେ ବ୍ୟକ୍ତି ଶୁଦ୍ଧ ବାୟୁ ଭିତରୁ ଗୋଟାଏ ନୀଚା, ନୂଆଁଣିଆ, କବାଟ-କିଳା ଓ ଧୂଆଁରେ ପୂରିଥିବା ଗୋଟିଏ କୋଠରୀ ଭିତରକୁ ଆସିଲା; ତା’ର ଶରୀରର ସକଳ କ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଓ ଅବ୍ୟାହତ ଭାବରେ ଚାଲୁଛି । ବିଶୁଦ୍ଧ ବାୟୁକୁ ନିଃଜସ୍ଵରୂପେ ଗ୍ରହଣ କରିଥିବାରୁ ତା’ର ଶରୀରଯନ୍ତ୍ରଟି ମୁଖ୍ୟତଃ ଅମ୍ଳଯାନ ଦ୍ଵାରା ପରିସେବିତ ହୋଇ ଆସିଛି । ନିଜ ଶରୀରର ଏହି ଅଭ୍ୟାସଟି ସହିତ ସେ ଉକ୍ତ ରୋଗଜନକ କୋଠରୀଟି ମଧ୍ୟରେ ନିଶ୍ଵାସ ନେବାକୁ ଆରମ୍ଭ କଲା । ଫଳରେ ନାନା ବିଷାକ୍ତ ବାଷ୍ପ ତା’ରକ୍ତରେ ବହୁଳ ପରିମାଣରେ ଯାଇ ମିଶିଲା । ଫଳରେ, ତା’ର ଶରୀରସଂସ୍ଥାଟି କ୍ରମେ ଦୁର୍ବଳ ହେଲା,–ବେଳେ ବେଳେ ମୂର୍ଚ୍ଛା ହୋଇଗଲା ପରି ମନେ ହେଲା, ଶେଷକୁ ହୁଏତ ତାକୁ ମୃତ୍ୟୁପାଖରେ ଯାଇ ପହଞ୍ଚିବାକୁ ହେଲା । ଏବଂ, ଏକଥା ମଧ୍ୟ ସତ ଯେ ସେହି ରୋଗସୃଷ୍ଟିକାରୀ ବାଯୁମଣ୍ଡଳଟି ଭିତରେ ଆହୁରି ଶହ ଶହ ବ୍ୟକ୍ତି ବାସ କରି ଆସୁଛନ୍ତି, ତାହାରି ଭିତରେ ନିଃଶ୍ଵାସ ନେଉଛନ୍ତି । ଏହାର କାରଣ ହେଉଛି ଯେ ସେମାନଙ୍କ ଶରୀରର ସକଳ ପ୍ରକ୍ରିୟା ବଡ଼ ଦୁର୍ବଳ ହୋଇଯାଇଛି,–ଅର୍ଥାତ୍, ସେମାନେ ବଡ଼ ଦୁର୍ବଳ ହୋଇ ଜୀବନ ବଞ୍ଚୁଛନ୍ତି ଏବଂ ସେମାନଙ୍କ ପ୍ରାଣର ଓଜସ୍ଵିତା ନିତାନ୍ତ କମ୍ ହୋଇ ଯାଇଛି । ଯଦି ସେମାନେ ଆସି ମୋତେ କହିବେ, ଅନ୍ୟମାନେ ଯେପରି ବଞ୍ଚୁଛନ୍ତି, ଏହି ଲୋକମାନେ ମଧ୍ୟ ସେହିପରି ବଞ୍ଚି ରହିଛନ୍ତି; ତେଣୁ, ଉଭୟଙ୍କ ମଧ୍ୟରେ କାହାର ଜୀବନ ଅଧିକ ଉତ୍ତମ ଓ ଅଧିକତମ ସୁସ୍ଥ, ସେକଥା କିଏ ପ୍ରକୃତରେ ନିର୍ଣ୍ଣୟ କରିବ ? ହଁ, ଏକଥା ମଧ୍ୟ ଅନେକ ସମୟରେ ଘଟୁଛି ଯେ, ଦୂଷିତ ବାୟୁମଣ୍ଡଳ ମଧ୍ୟରୁ ନିର୍ମଳ ବାୟୁ ଭିତରକୁ ଆସୁଥିବା ମଣିଷଟି ବି ତା’ ନିଃଶ୍ଵାସ ବନ୍ଦ ହୋଇଯିବା ପରି ଅନୁଭବ କରୁଛି-। ଏହି କଥାଟିର ଉତ୍ତର ମଧ୍ୟ ଖୁବ ସହଜରେ ଦେଇହେବ । ଜଣେ ଶରୀରତତ୍ତ୍ଵବିତକୁ ଡାକିବାକୁ ପଡ଼ିବ ନାହିଁ, ସୁସ୍ଥ ସାଧାରଣ ଜ୍ଞାନ ରହିଥିବା ଜଣେ ସାଧାରଣ ବ୍ୟକ୍ତି ମଧ୍ୟ କେବଳ ଏତିକି କହି କଥାଟିର ଉତ୍ତର ଦେବ: ନିର୍ମଳ ବାୟୁରେ ହେଉ ବା ରୋଗଗୁଡ଼ିକୁ ଉତ୍ସାହିତ କରୁଥିବା ସଂକୀର୍ଣ୍ଣ କୌଣସି ସ୍ଥାନରେ ହେଉ, ଯେଉଁଠାରେ ଅଧିକସଂଖ୍ୟକ ମନୁଷ୍ୟ ବାସ କରୁଛନ୍ତି,–ଜଣେ ମଣିଷ ନିଜେ ମଧ୍ୟ ସେହି ଜାଗାଟିକୁ ବାଛିନେବ । ମାତ୍ର ଶରୀରତତ୍ତ୍ଵବିତ୍ ଏଇଟି ବା ସେଇଟିର ସପକ୍ଷରେ ନିଜର ମନ୍ତବ୍ୟ ଦେବ ଏବଂ କହିବ ଯେ, ଯେଉଁ ବ୍ୟକ୍ତି ଶୁଦ୍ଧ ବାୟୁରେ ବାସ କରୁଛି, ତା’ର ଶାରୀରିକ କ୍ରିୟାଶୀଳତା ନିଶ୍ଚୟ ଅଧିକ ଶକ୍ତିଶାଳୀ ହେବ ଏବଂ ସିଏ ଅଧିକ ସମ୍ପୂର୍ଣ୍ଣ ପରିପୋଷଣର ସୁଯୋଗ ଲାଭ କରୁଛି ବୋଲି କୁହାଯିବ ।

 

ଆମର ତଥାକଥିତ ମାର୍ଜିତ ଏବଂ ସମ୍ଭ୍ରାନ୍ତ ସମାଜର କଳାତ୍ମକ ନାନା କର୍ଷଣ ଏବଂ ଅନ୍ୟ ପକ୍ଷରେ ଲୋକସାଧାରଣ ଦାବୀ କରୁଥିବା କଳା,–ଏହି ଦୁହିଙ୍କ ମଧ୍ୟରେ ଠିକ୍ ସେହି ସମ୍ବନ୍ଧଟି ହିଁ ଆମେ ଦେଖିବାକୁ ପାଇବା: ଏଠାରେ ମୁଁ ଚିତ୍ରବିଦ୍ୟା ଓ ମୂର୍ତ୍ତିଗଠନ ତଥା ସଙ୍ଗୀତ ଓ କାବ୍ୟର କ୍ଷେତ୍ରଗୁଡ଼ିକର କଥା କହୁଛି । ଜଣେ ପ୍ରଖ୍ୟାତ ଓ ସ୍ଵୀକୃତ ଚିତ୍ରଶିଳ୍ପୀ ଇଭାନଫ୍‍ଙ୍କର କୌଣସି କୃତିର ସର୍ଜନାକୌଶଳ ଦେଖିକରି ସାଧାରଣ ମନୁଷ୍ୟମାନେ ଆଶ୍ଚର୍ଯ୍ୟ ଓ ସ୍ତମ୍ଭିତ ହୋଇଯିବେ ସିନା, ମାତ୍ର ସେଥିରୁ ସେମାନେ ଆଦୌ କୌଣସି କାବ୍ୟିକ ଅଥବା ଭାଗବତ ପ୍ରେରଣା କଦାପି ଲାଭ କରିବେନାହିଁ । କିନ୍ତୁ, ଚିତ୍ରକୌଶଳ ଦୃଷ୍ଟିରୁ ସେତେ ସୁନ୍ଦର ଓ ସମ୍ପନ୍ନ ହୋଇନଥିଲେ ମଧ୍ୟ ଧର୍ମର କୌଣସି ଆଖ୍ୟାନର ଉପସ୍ଥାପନା କରୁଥିବା ଏକ କାଠଖୋଦେଇ ସେମାନଙ୍କର ଚିତ୍ତକୁ ଧାର୍ମିକ ଭାବନାରେ ଅନୁପ୍ରାଣିତ କରିଦେଇ ପାରିବ ।

 

କୌଣସି ଚିତ୍ରରେ ଏକ ନଗ୍ନ ନାରୀରୂପ ଦେଖି ସେମାନେ ତାହାକୁ ହୁଏତ ଏକ ନିର୍ଲଜ୍ଜତା ବୋଲି ଭାବିବେ ଓ ନ୍ୟାୟତଃ ସେଥିପ୍ରତି ଆପଣାର ଘୃଣାଭାବ ପ୍ରକଟ କରିବେ । ସଂଗୀତକାର ବିଥୋଫେନ୍‍ଙ୍କର ଏକ ସଙ୍ଗୀତରଚନା ସେମାନଙ୍କୁ ହୁଏତ କର୍ଣ୍ଣକଟୁ କୋଳାହଳ ତୁଲ୍ୟ ମନେ ହେବ । ଅବଶ୍ୟ, ବିଭିନ୍ନ ବ୍ୟକ୍ତି ସେଥିରେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଛନ୍ତି ଦେଖି ସେମାନଙ୍କୁ ବେଳେବେଳେ ତାହା କିଞ୍ଚିତ୍ କଉତୁକିଆ ବି ଲାଗିପାରେ । ଆମ କାବ୍ୟସାହିତ୍ୟର ସର୍ବୋତ୍ତମ ସର୍ଜନା ରୂପେ ଗଣା ହେଉଥିବା କବି ପୁଷ୍କିନ୍‍ଙ୍କର କବିତାସବୁ ହୁଏତ ଗୁଡ଼ାଏ ଶବ୍ଦର ଏକତ୍ର ଗ୍ରଥନ ପରି ମନେହେବ, ମାତ୍ର ତାହାର ଅର୍ଥକୁ ସେମାନେ ମୁଖ୍ୟତଃ ତିରସ୍କାରର ଯୋଗ୍ୟ ଏକ ଉଦ୍‍ଭଟତା ବୋଲି ମଧ୍ୟ କହିବେ ।

 

ସାଧାରଣ ଘରମାନଙ୍କରୁ ଆସିଥିବା ପିଲାଟିକୁ ତୁମେ ଏହି ଜଗତଟି ସହିତ ପରିଚିତ କରାଇବ । ଦେଶର ବିଭିନ୍ନ ସ୍ଥାନରେ ଥାକ ଥାକ ହୋଇ ଯେଉଁସବୁ ଶିକ୍ଷାଅନୁଷ୍ଠାନ, ବିଦ୍ୟାକେନ୍ଦ୍ର ଏବଂ କଳାକକ୍ଷମାନ ରହିଛି, ସେହି କାର୍ଯ୍ୟଟିକୁ ତୁମେ ସେଗୁଡ଼ିକର ମାଧ୍ୟମରେ କରିପାରିବ ଏବଂ ବର୍ତ୍ତମାନ ତ ପ୍ରକୃତରେ ତାହା ହିଁ କରୁଛ । ସିଏ ଇଭାନଫ୍‍ଙ୍କର ଚିତ୍ରକୃତି, ଭେନସ୍‍ଙ୍କର ପ୍ରତିମା ତଥା ବିଥୋଫେନ୍‍ଙ୍କର ସଙ୍ଗୀତରଚନାକୁ ଅବଶ୍ୟ ଅତ୍ୟନ୍ତ ନିଷ୍ଠାପର ଭାବରେ ଗ୍ରହଣ କରିପାରିବ ସତ, ମାତ୍ର ଏହି ପୃଥିବୀ ଭିତରେ ପ୍ରବେଶ କରି ସିଏ ତା’ପରେ ଆଉ ପୂର୍ଣ୍ଣ ପ୍ରାଣବନ୍ତତା ସହିତ ନିଃଶ୍ଵାସ ହିଁ ନେଇ ପାରିବନାହିଁ । ଏବଂ, ଯଦି କେବେ ସିଏ ଦୈବାତ୍ ସେହି ସୁଯୋଗଟିକୁ ଲାଭ କରେ, ତେବେ ଶୁଦ୍ଧ ବାୟୁକୁ ନିଃଶ୍ଵାସରେ ଗ୍ରହଣ କଲେ ତାହା ତା’ପାଇଁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଅନିଷ୍ଟକାରକ ମଧ୍ୟ ହେବ ।

 

ନିଃଶ୍ଵାସ ଗ୍ରହଣରେ କ୍ଷେତ୍ରରେ ଯେପରି ସୁସ୍ଥ ସାଧାରଣ ଜ୍ଞାନ ଏବଂ ଶରୀରତତ୍ତ୍ଵରୁ ଏକା ଉତ୍ତରଟିଏ ମିଳିଯାଉଛି, ଠିକ୍ ସେହିପରି କଳାର କ୍ଷେତ୍ରରେ ମଧ୍ୟ ସେଇ ଏକା ସୁସ୍ଥ ସାଧାରଣ ଜ୍ଞାନ ତଥା ଶିକ୍ଷାଶାସ୍ତ୍ରରୁ ଉପଲବ୍ଧି ଆମର ବୋଧଟି ଉତ୍ତର ଦେଇ କହିବ ଯେ, ଆମ କୁଳୀନ ଏବଂ ପରିମାର୍ଜିତ ବର୍ଗମାନଙ୍କର କଳାଗତ ପୃଥିବୀଟିରେ ବାସ ନକରୁଥିବା ଜଣେ ମଣିଷ ହିଁ ପୂର୍ଣ୍ଣତମ ଓ ସର୍ବୋତ୍ତମ ଜୀବନଟିକୁ ବଞ୍ଚି ପାରିବ । କେବଳ କାର୍ଯ୍ୟକ୍ରମ ଗୁଡ଼ିକୁ କାଗଜ ଉପରେ ଲେଖି ରଖୁଥିବା ଶିକ୍ଷାଶାସ୍ତ୍ର ନୁହେଁ, ଏଠାରେ ଶିକ୍ଷାର ସାଧାରଣ ମାର୍ଗ ତଥା ବିଧାନଗୁଡ଼ିକୁ ଆବିଷ୍କାର କରିବାକୁ ଚେଷ୍ଟା କରୁଥିବା ଶିକ୍ଷାଶାସ୍ତ୍ରର କଥା ହିଁ କୁହାଯାଉଛି । ତାହା ଉତ୍ତର ଦେବ ଯେ, ଆମ ଉଚ୍ଚମାନଙ୍କର ଜୀବନରେ କଳାର ଯେତିକି ଦାବୀ ଏବଂ ତଜ୍ଜନିତ ସନ୍ତୋଷ ଯେତିକି ପରିମାଣରେ ରହିଛି, ସାଧାରଣ ମନୁଷ୍ୟମାନଙ୍କର ଜୀବନରେ ତାହା ଅଧିକ ପୂର୍ଣ୍ଣ ଭାବରେ ତଥା ଅଧିକ ଔଚିତ୍ୟର ସହିତ ବିଦ୍ୟମାନ ରହିଛି । ସୁସ୍ଥ ସାଧାରଣ ବୋଧଟି ସ୍ପଷ୍ଟତଃ ଏହି କାରଣରୁ ସେହିପରି ଉତ୍ତର ଦେବ ଯେ, ଆମର ଏହି ବିଶେଷ ବାତାବରଣଟିର ବାହାରେ ଅଧିକସଂଖ୍ୟକ ମଣିଷ ସୁଖୀ ଏବଂ ଶକ୍ତିଯୁକ୍ତ ଭାବରେ ବାସ କରୁଥିବାର ପ୍ରକୃତରେ ଦେଖିବାକୁ ମିଳୁଛି । ସେମାନଙ୍କର କେବଳ ସଂଖ୍ୟାଧିକ୍ୟରୁ ହିଁ ସିଏ କଦାପି ସେପରି କରିବନାହିଁ । ଏବଂ, ଶିକ୍ଷାର ଅନ୍ତରଟିକୁ ବୁଝି ପାରୁଥିବା ଶିକ୍ଷାଶାସ୍ତ୍ରୀ ଆମର ଏହି ସମ୍ଭ୍ରାନ୍ତ ସମାଜ ଭିତରେ ବାସ କରୁଥିବା ବ୍ୟକ୍ତିମାନଙ୍କର ଆତ୍ମିକ କ୍ରିୟାଶୀଳତା ଗୁଡ଼ିକୁ ନିଜ ଆଖିରେ ଦେଖି ହିଁ ସେପରି ଏକ ମନ୍ତବ୍ୟ ଦେବ । ଏବଂ, ଯେଉଁମାନଙ୍କୁ ଏହି ବ୍ୟାଧିସୃଷ୍ଟିକାରୀ କୋଠରୀଟି ଭିତରେ ଆଣି ଭର୍ତ୍ତି କରି ଦିଆଯାଉଛି ଅର୍ଥାତ୍ ଆମ ପିଲାମାନଙ୍କ ପାଖରେ ଯେଉଁ କଳାକୁ ନେଇ ଉପସ୍ଥାପିତ କରାଯାଉଛି ଓ ତଦଦ୍ଵାରା ଯେପରି ସେମାନେ ମୂଚ୍ଛିତ ହୋଇ ଯାଉଛନ୍ତି, ବାହାରୁ ଥାଇ ସିଏ ସେବିଷୟରେ ମଧ୍ୟ ମତ ବ୍ୟକ୍ତ କରିବ । ତଥାକଥିତ କଳାର ବାତାବରଣ ଭିତରକୁ ଆଶୀ ସୁସ୍ଥ ଓ ସ୍ଵାଭାବିକ ଅବବୋଧ ରହିଥିବା ମନୁଷ୍ୟମାନେ ଯେପରି ବିରକ୍ତି ଅନୁଭବ କରୁଛନ୍ତି–କାରଣ ତଦଦ୍ଵାରା ସେମାନଙ୍କର ଅନ୍ତର୍ଗତ ଆତ୍ମିକ ଜୀବନଟି କ୍ଷୟପ୍ରାପ୍ତ ହୋଇଯାଉଛି, ସେଥିରୁ ସିଏ ଏହି ସିଦ୍ଧାନ୍ତରେ ଆସି ପହଞ୍ଚିବ ଯେ, ତଥାକଥିତ ସଂସ୍କୃତିପାଳିତ ପଥଚ୍ୟୁତ ଅଳ୍ପସଂଖ୍ୟକ ଦାବୀଗୁଡ଼ିକ ତୁଳନାରେ କଳା ବିଷୟରେ ସାଧାରଣ ସ୍ତରର ମନୁଷ୍ୟମାନେ ଯେଉଁ ଦାବୀ କରିଥାନ୍ତି, ସେଥିରେ ବସ୍ତୁତଃ ଅଧିକ ଔଚିତ୍ୟ ରହିଛି-

 

ସଙ୍ଗୀତ ଏବଂ କାବ୍ୟ ବିଷୟରେ ମୁଁ ଏହି ମନ୍ତବ୍ୟଗୁଡ଼ିକୁ କରିଛି, କାରଣ ଆମ କଳାତ୍ମକ ଜୀବନର ଏହି ଦୁଇଟିର କ୍ଷେତ୍ର ସହିତ ହିଁ ମୁଁ ସବୁଠାରୁ ଅଧିକ ଭଲ ଭାବରେ ପରିଚୟ ଲାଭ କରିଛି-। ଏକଦା ଏହି ଦୁଇଟି ପ୍ରତି ହିଁ ମୋ’ର ଅଧିକ ଭାବସମ୍ପର୍କ ଓ ଶ୍ରଦ୍ଧା ରହିଥିଲା । ତେଣୁ, ଏପରି କହିବାକୁ ପ୍ରକୃତରେ ଅତ୍ୟନ୍ତ ଭୟଙ୍କର ଲାଗୁଛି : କ୍ରମେ ମୋ’ ଭିତରେ ଏହି ଦୃଢ଼ ପ୍ରତ୍ୟୟଟି ହୋଇଯାଇଛି ଯେ, ଉକ୍ତ ଦୁଇଟିଯାକ କ୍ଷେତ୍ରରେ ଆମେ ଯାହାକିଛି କରିଛୁ, ତାହା ଏକ ଭୁଲ୍ ଏବଂ ବର୍ଜନଧର୍ମୀ ପ୍ରଣାଳୀରେ କରାହୋଇଛି ଏବଂ ସେହି ପ୍ରଣାଳୀଗୁଡ଼ିକରେ ପ୍ରକୃତରେ କୌଣସି ଅର୍ଥ ନାହିଁ । ଏବଂ, ଏହି ଉଭୟ କଳାର କ୍ଷେତ୍ରରେ ସାଧାରଣ ସ୍ତରର ଲୋକମାନଙ୍କ ଭିତରେ ଆମେ ଯେଉଁ ନମୁନାମାନ ଦେଖିବାକୁ ପାଉ ତଥା ସେମାନେ ସଙ୍ଗୀତ ଓ କାବ୍ୟରୁ ଯେଉଁ ପ୍ରତ୍ୟାଶାମାନ ରଖିଥାନ୍ତି, ତାହା ତୁଳନାରେ ଆମଦ୍ଵାରା ହାସଲ ହୋଇଥିବା ସଫଳତା ଗୁଡ଼ିକରେ ଆଦୌ କୌଣସି ତାତ୍ପର୍ଯ୍ୟ ନଥିବା ପରି ମନେ ହୋଇଥାଏ ।

 

ମୁଁ ଦୃଢ଼ତାର ସହିତ ବିଶ୍ଵାସ କରିଥାଏ ଯେ, ଲୋକମୁଖରେ ଅତ୍ୟନ୍ତ ପ୍ରିୟ ହୋଇ ରହିଥିବା କେତେକ ସୁପରିଚିତ ପଦ୍ୟ ଓ ସଙ୍ଗୀତର ତୁଳନାରେ ବିଥୋଫେନ୍‍ଙ୍କର ପ୍ରସିଦ୍ଧ ଏକ ସଙ୍ଗୀତକୃତିକୁ ଆମେ କଦାପି ସେତେ ସମ୍ପୂର୍ଣ୍ଣ ଏବଂ ସାର୍ବଜନୀନ ଭାବରେ ଉତ୍ତମ ବୋଲି କହି ପାରିବାନାହିଁ । ସେମାନଙ୍କ କୃତି ଭିତରେ ପରିପୂର୍ଣ୍ଣ ସୌନ୍ଦର୍ଯ୍ୟ ରହିଛି ବୋଲି ଯେ ବିଥୋଫେନ୍ ଏବଂ ପୁଷ୍କିନ୍ ଏବଂ ଆମକୁ ଆନନ୍ଦ ପ୍ରଦାନ କରିଥାନ୍ତି, ସେକଥା ମୋଟେ ସତ ନୁହେଁ; ପୁଷ୍କିନ୍ ଏବଂ ବିଥୋଫେନ୍‍ଙ୍କ ପରି ଆମେ ନିଜେ ମଧ୍ୟ ଅନୁରୂପ ଭାବରେ ପ୍ରଦୂଷିତ ଓ ଭ୍ରଷ୍ଟ ବୋଲି ତାହା ଘଟେ-। ଏବଂ, ସେହି କାରଣରୁ ପୁସ୍କିନ୍ ଓ ବିଥୋଫେନ୍ ସମାନ ଭାବରେ ଆମ ଭିତରର ଅସୁସ୍ଥ ଉତ୍ତେଜନା ଏବଂ ଦୁର୍ବଳତାକୁ ଉସକାଇ ଆଣି ପାରନ୍ତି । ସୌନ୍ଦର୍ଯ୍ୟର ଯଥାର୍ଥ ବୋଧ ଲାଗି ଏକ ନିର୍ଦ୍ଦିଷ୍ଟ ପ୍ରକାରର ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି ଯେଉଁ ବିରୋଧଭାସଟି ଆମକୁ ଶୁଣି ଶୁଣି ଅତ୍ୟନ୍ତ ସ୍ଵାଦହୀନ ଲାଗିଲାଣି,–ଏହି କଥାଟିକୁ ପ୍ରକୃତରେ କିଏ କହିଛି ଏବଂ ଏହି କଥାଟି ସତ୍ୟ ବୋଲି କେଉଁଠି କି ପ୍ରମାଣ ରହିଛି ? ଏଇଟା ହେଉଛି ସମ୍ପୂର୍ଣ୍ଣତଃ ଏକ ସ୍ଵାର୍ଥସିଦ୍ଧିକାରୀ ଉକ୍ତି, ଏକ ଯୁକ୍ତିହୀନ ସ୍ଥିତିରୁ ନିଷ୍କୃତି ଲାଭ କରିବାପାଇଁ ଏହା ଏକ ଉପାୟ ସ୍ଵରୂପ । ଆମ ପ୍ରବୃତ୍ତିଗୁଡ଼ିକ ଭିତରେ ଯେଉଁ ମିଥ୍ୟା ପଶିଯାଇଛି ଏବଂ ଆମର ଯାବତୀୟ କଳାତ୍ମକ କର୍ଷଣକୁ ଯେପରି ଏକଚାଟିଆ ଭାବରେ କେବଳ ଗୋଟିଏମାତ୍ର ଶ୍ରେଣୀ ଅଧିକାର କରି ନେଇଛି, ତାହାରି ପରିମାଣରୂପେ ହିଁ ଆମେ ସେହିପରି ଏକ ସ୍ଥିତିର ସମ୍ମୁଖୀନ ହୋଇଛୁ । ସୂର୍ଯ୍ୟ ଭିତରେ ନିହିତ ହୋଇ ରହିଥିବା ସୌନ୍ଦର୍ଯ୍ୟ, ଜଣେ ମନୁଷ୍ୟର ମୁଖମଣ୍ଡଳରେ ଥିବା ସୌନ୍ଦର୍ଯ୍ୟ, ଏକ ଲୋକପ୍ରିୟ ସଙ୍ଗୀତର ଧ୍ୱନିଗୁଡ଼ିକରେ ନିଗୂଢ଼ ହୋଇ ରହିଥିବା ସୌନ୍ଦର୍ଯ୍ୟ, ସମ୍ପୂର୍ଣ୍ଣ ଭାବରେ ଭଲ ପାଇବା ଓ ଆତ୍ମତ୍ୟାଗ ଦ୍ଵାରା ପ୍ରେରିତ ହୋଇ କରାଯାଉଥିବା ଗୋଟିଏ କାର୍ଯ୍ୟର ସୌନ୍ଦର୍ଯ୍ୟ–ଏଭଳି କାର୍ଯ୍ୟ ପ୍ରତ୍ୟେକ ମନୁଷ୍ୟ କରିପାରିବେ,–ଏଗୁଡ଼ିକ ନିମନ୍ତେ କାହିଁକି ଆଦୌ କୌଣସି ପ୍ରସ୍ତୁତି ଆବଶ୍ୟକ ହୁଏନାହିଁ ?

 

ମୁଁ ଜାଣୁଛି ଯେ, ମୁଁ ଯାହାସବୁ କହୁଛି, ତାହା ଅଧିକାଂଶ ଲୋକଙ୍କୁ ତୁଚ୍ଛା ଏକ କଥା ପରି ଶୁଣାଯିବ,–ଏକ “ଅସ୍ଥିହୀନ ଜିହ୍ଵା”ର ବିଶେଷାଧିକାର ପରି ହୁଏତ ମନେ ହେବ । ମାତ୍ର ଶିକ୍ଷାଶାସ୍ତ୍ର, ଯାବତୀୟ ଚାପରୁ ଆପଣାକୁ ମୁକ୍ତ ରଖିଥିବା ଶିକ୍ଷାଶାସ୍ତ୍ର ଆପଣାର ନାନାବିଧ ପ୍ରୟୋଗ ଦ୍ଵାରା ବହୁ ପ୍ରଶ୍ନର ସମାଧାନ କରିପାରୁଛି ଏବଂ ସେହି ପ୍ରୟୋଗର ବହୁଳ ପୁନରାବୃତ୍ତି ଦ୍ଵାରା ଏହି ପ୍ରଶ୍ନଗୁଡ଼ିକୁ କଳ୍ପନା ଏବଂ ଯୁକ୍ତିର ସ୍ତରରୁ ବସ୍ତୁସତ୍ୟଦ୍ଵାରା ସିଦ୍ଧ ହୋଇଥିବା ତଥ୍ୟଗୁଡ଼ିକର ସ୍ତରକୁ ଅଗ୍ରସର କରାଇ ନେଇଯାଉଛି । ପୁଷ୍କିନ୍‍ଙ୍କ ସମେତ ଆମ ସାହିତ୍ୟରେ ରହିଥିବା କାବ୍ୟିକ ସୌନ୍ଦର୍ଯ୍ୟଗୁଡ଼ିକୁ ମୁଁ ବର୍ଷ ବର୍ଷ ଧରି ଛାତ୍ରମାନଙ୍କର ବୋଧ ଭିତରକୁ ବହନ କରି ନେବାପାଇଁ ବୃଥା ସଂଘର୍ଷ କରିଆସିଛି । ଗଣନାତୀତ ବହୁ ଶିକ୍ଷକ ଏବେ ମଧ୍ୟ ଠିକ୍ ସେହି ଉଦ୍ୟମ କରିବାରେ ଲାଗିଛନ୍ତି । କେବଳ ଋଷିଆରେ ନୁହେଁ, ଋଷିଆର ବାହାରେ ମଧ୍ୟ ତାହା କରାଯାଉଛି । ଏବଂ,ସେହି ପ୍ରୟାସଗୁଡ଼ିକରୁ ପ୍ରାପ୍ତ ହୋଇଥିବା ଫଳଗୁଡ଼ିକୁ ଏହି ଶିକ୍ଷକମାନେ ଯଦି ଥରେ ପରୀକ୍ଷା କରନ୍ତେ ଏବଂ ଯଦି ସେମାନେ ଆଦୌ କୌଣସି କଥାକୁ ଗୋପନ ନରଖନ୍ତେ, ତେବେ ସେମାନେ ସମସ୍ତେ ସ୍ଵୀକାର କରିବେ ଯେ, କାବ୍ୟିକ ଅନୁଭବଗୁଡ଼ିକୁ ବିକଶିତ କରି ଆଣିବାର ଏହି ସଜଳ ପ୍ରଚେଷ୍ଟାର ସର୍ବପ୍ରଧାନ ପରଣାମ ସ୍ଵରୂପ ସେଗୁଡ଼ିକୁ ପ୍ରକୃତରେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହିଁ କରି ଦିଆଯାଇଛି, ଏବଂ, ଯେଉଁମାନଙ୍କ ଭିତରେ ସତକୁ ସତ କବି ସୁଲଭ ପ୍ରକୃତଟିଏ ରହିଥିଲା, ସେମାନେ ଏହିସବୁ ବ୍ୟାଖ୍ୟା ପ୍ରତି ସବୁଠାରୁ ଅଧିକ ପରିମାଣରେ ନିଜର ଅରୁଚି ଏବଂ ବିରୋଧ ପ୍ରକଟ ହିଁ ପ୍ରକଟ କରିଛନ୍ତି । ...ମୁଁ ବର୍ଷ ବର୍ଷ ଧରି ସେହି ଉଦ୍ୟମଟି କରି ଆସିଛି, ମାତ୍ର ଆଦୌ କୌଣସି ଅନୁକୂଳ ଫଳ ପାଇନାହିଁ । ଏବଂ, ଅତ୍ୟନ୍ତ ଆକସ୍ମିକ ଭାବରେ ଦିନେ ମୁଁ ଯେତେବେଳେ ରୁଲବନିକଫଙ୍କର ପଦ୍ୟ ସଂଗ୍ରହଟିକୁ ପିଲାଙ୍କ ଆଗରେ ଖୋଲି ଦେଇଥିଲି, ପିଲାମାନଙ୍କର କାବ୍ୟିକ ପ୍ରତ୍ୟାଶାଟିକୁ ତାହାହିଁ ସମ୍ପୂର୍ଣ୍ଣ ଭାବରେ ସନ୍ତୋଷ ଆଣି ଦେଇ ପାରିଥିଲା । ଏବଂ, ଯେତେବେଳେ ମୁଁ ସେଇଟିକୁ ପୁଷ୍କିନ୍‍ଙ୍କର ସଦ୍ୟତମ ସଂଗ୍ରହର ପ୍ରଥମ ପଦ୍ୟଟି ସହିତ ତୁଳନା କରି ଦେଖିଥିଲି, ଏବଂ ସେହି ତୁଳନା କରିବାରେ ଆଦୌ କୌଣସି ପକ୍ଷପାତ ନଥିଲା, ସେତେବେଳେ ମୋତେ ପ୍ରଥମାକ୍ତଟି ହିଁ ଅଧିକ ଉଚିତ ଲାଗିଲା । ସଙ୍ଗୀତର କ୍ଷେତ୍ରରେ ମଧ୍ୟ ମୋ’ର ଅନୁଭୂତି ସେହି ଏକାଭଳି ହୋଇଥିଲା–ଏବଂ ସେବିଷୟରେ ମୋ’ର ଆଦୌ କିଛିହେଲେ କହିବାର ପ୍ରୟୋଜନ ନାହିଁ ।

 

ଯାହାସବୁ କହିଲି, ବର୍ତ୍ତମାନ ତାହାର ଏକ ଉପସଂହାର କରିଆଣିବି । କଳା ସୂକ୍ଷ୍ମ ଓ ସୁସ୍ନିଗ୍ଧ କଳାଗୁଡ଼ିକର ସାଧାରଣ ସ୍ତରର ଲୋକମାନଙ୍କର ଜୀବନରେ ପ୍ରକୃତରେ କୌଣସି ପ୍ରୟୋଜନ ରହିଛି କି ?–କେବଳ ଦାର୍ଶନିକ ପ୍ଲେଟୋ ହିଁ ସାହସର ସହିତ ସେହି ପ୍ରଶ୍ନଟିର ଉତ୍ତର ଦେଇଛନ୍ତି । ଶିକ୍ଷାଶାସ୍ତ୍ରୀମାନେ ଅଧିକାଂଶତଃ ଏହି କ୍ଷେତ୍ରରେ ବରଂ କୁଣ୍ଠାପ୍ରକାଶ କରିଛନ୍ତି ଓ ଅତ୍ୟନ୍ତ ଅଶ୍ଵସ୍ତି ଅନୁଭବ କରିଛନ୍ତି । ପ୍ଲେଟୋ ପ୍ରଶ୍ନଟିର ଉତ୍ତରରେ ନାହିଁ ବୋଲି କହିଛନ୍ତି । ଶିକ୍ଷାଶାସ୍ତ୍ରୀମାନେ କହୁଛନ୍ତି, ହଁ, ପ୍ରୟୋଜନ ରହିଛି, ମାତ୍ର ତଥାପି ତାହାର କେତେକ ସୀମା ବା ଅନୁବନ୍ଧ ରହିବ ହିଁ ରହିବ । ଯଦି ସବୁ ମଣିଷଙ୍କୁ କଳାକାରିତାର ସମ୍ଭାବନାମାନ ପ୍ରଦାନ କରାଯାଏ, ତେବେ ତାହା ସମାଜର ଗଢ଼ଣଟା ପାଇଁ ଅନିଷ୍ଟକାରକ ହେବ । ସେମାନେ କହୁଛନ୍ତି: କଳାତ୍ମକ କର୍ଷଣଗୁଡ଼ିକ ଲାଗି ଏପରି ବିଶେଷ ବ୍ୟାକ୍ତିମାନେ ସ୍ଵତନ୍ତ୍ର ଭାବରେ ରହିବା ଉଚିତ, ଯେଉଁମାନେ କି କେବଳ ସେହି ଗୋଟିଏ କାର୍ଯ୍ୟଲାଗି ହିଁ ଆପଣାକୁ ନିୟୋଜିତ କରି ପାରୁଥିବେ । ସେମାନେ କହନ୍ତି: କେଉଁ ବିଶେଷ କଳାତ୍ମକ ଅନୁଶୀଳନମାନ କେତେ ମାତ୍ରାରେ କେଉଁଠି ରହିବ, ତାହାର ନିଷ୍ପତ୍ତି ସମାଜର କେବଳ କେତେକ ଶ୍ରେଣୀକୁ ଆଧାର କରି ହେବା ଉଚିତ । ସେମାନେ କହନ୍ତି: ସାଧାରଣ ଜନସ୍ତରରୁ ହିଁ ସମ୍ଭବ ହୋଇ ପାରିବାଲାଗି ମହାନ୍ ପ୍ରତିଭାମାନଙ୍କର ସମ୍ଭାବନା ଉନ୍ମୋଚିତ ରହିଥିବା ଉଚିତ ଏବଂ ତେବେ ସେହିମାନେ ହିଁ ଐକାନ୍ତିକ ଭାବରେ ନିଜକୁ କଳାସୃଷ୍ଟି ଲାଗି ସମର୍ପିତ କରି ରଖିପାରିବେ । ନିଜର ବାସନା ଅନୁସାରେ କିଛି ନା କିଛି ହେବାଲାଗି ପ୍ରତ୍ୟେକ ମନୁଷ୍ୟର ଯେଉଁ ଅଧିକାର ରହିଛି, ସେହି କ୍ଷେତ୍ରରେ ଶିକ୍ଷାଶାସ୍ତ୍ର ଏହି ବୃହତ୍ତମ ସ୍ଵାଧୀନତାକୁ ପ୍ରଦାନ କରିଛି । ଶିକ୍ଷାଶାସ୍ତ୍ରୀମାନେ ଏହି ଲକ୍ଷଟି ହାସଲ ଦେବା ଦିଗରେ ହିଁ ଆପଣାର ସକଳ ପ୍ରୟାସକୁ ପରିଚାଳିତ କରି ଆସିଛନ୍ତି,–କଳାର ସର୍ଜନାକ୍ଷେତ୍ରରେ ଆମେ ଏତିକି କଥା ଅବଶ୍ୟ କହିପାରିବା । ଏହାକୁ ମୁଁ ଏକ ଅନ୍ୟାୟ ବୋଲି ଭାବୁଛି । ମୁଁ ଅନୁମାନ କରୁଛି ଯେ, ମନୁଷ୍ୟମାତ୍ରକେ ସମସ୍ତଙ୍କଠାରେ ହିଁ କଳାର ଉପଭୋଗ ତଥା କଳାର ଅନୁଶୀଳନ ନିମନ୍ତେ ଏକ ପ୍ରବଣତା ଅବଶ୍ୟ ବିଦ୍ୟମାନ ରହିଛି । ଜଣେ ବ୍ୟକ୍ତି ସମାଜର କେଉଁ ଶ୍ରେଣୀରୁ ଆସିଛି ଅଥବା କେଉଁପରି ପରିବେଶ ଦ୍ଵାରା ଲାଳିତପାଳିତ ହେଉଛି, ଏଠାରେ ତାହାରି ଆଦୌ କୌଣସି ପ୍ରଶ୍ନ ଉତ୍ଥାପନ କରାଯାଇ ପାରିବନାହିଁ । ଏହି ପ୍ରବଣତାଟି ଅତ୍ୟନ୍ତ ସ୍ଵାଭାବିକ ଓ ନ୍ୟାୟସଙ୍ଗତ ଏବଂ ତାହାର ଅବଶ୍ୟ ପରିପୂରଣ ହୋଇପାରିବା ଉଚିତ ।

 

ଏହି କଥାଟିକୁ ଗୋଟିଏ ମୂଳସିଦ୍ଧାନ୍ତ ରୂପେ ଗ୍ରହଣ କରିନେଇ ମୁଁ କହିବି ଯେ, କଳାର ଉପଭୋଗ ଏବଂ କଳାର ସୃଜନର କ୍ଷେତ୍ରରେ ଭିନ୍ନ ଭିନ୍ନ ବ୍ୟକ୍ତିମାନଙ୍କର ଜୀବନରେ ଯଦି କେତେକ ଅସୁବିଧା କିମ୍ବା ଅସଙ୍ଗତି ଦେଖିବାକୁ ମିଳେ, ତେବେ କଳାକୁ ପରିବେଷଣ କରିବାର ପ୍ରଣାଳୀଟିର କ୍ଷେତ୍ରରେ ସେହି ଅସୁବିଧାଗୁଡ଼ିକର କାରଣ ରହିଛି ବୋଲି ଆଦୌ କୁହା ଯିବନାହିଁ; ଅଳ୍ପ ଅଥବା ଅଧିକ ମନୁଷ୍ୟଙ୍କ ମଧ୍ୟରେ କଳାର ବିତରଣ କରାଯିବ ଅଥବା ଆବଦ୍ଧ କରି ରଖାଯିବ, କାରଣଟି ସେଠାରେ ମଧ୍ୟ ନାହିଁ, ବରଂ କଳାର ପ୍ରକୃତି ଏବଂ ପ୍ରବୃତ୍ତି ଭିତରେ ହିଁ ସେହି କାରଣଟିକୁ ଖୋଜିବାକୁ ପଡ଼ିବ । ଏବଂ, ଏହି କ୍ଷେତ୍ରରେ ଯାହାକିଛି ଅସମୀଚୀନ ହୋଇ ରହିଛି, ସେଥିଲାଗି ଆମେ ତରୁଣ ପୀଢ଼ିଟି ଉପରେ ଦୋଷ ଲଦିଦେବା ବିଷୟରେ ମଧ୍ୟ ତଥାପି ସଙ୍କୋଚ ପ୍ରକାଶ କରିବା ଏବଂ, ଆଙ୍ଗିକ ଓ ଆତ୍ମିକ ଉଭୟ କ୍ଷେତ୍ରରେ ତରୁଣ ପୀଢ଼ି ଯେପରି ନୂତନ କରି କିଛି ସମ୍ଭବ କରି ପାରିବେ, ସେଥିଲାଗି ଏକ ସୁଯୋଗ ମଧ୍ୟ ଆଣି ପହଞ୍ଚାଇ ଦେବା ।

 

ନଭେମ୍ବର ଓ ଡିସେମ୍ବର ମାସରେ ମୁଁ ଆମ ବିଦ୍ୟାଳୟରେ ପ୍ରଦତ୍ତ ଚିତ୍ରାଙ୍କନଶିକ୍ଷାର ଏକ ବିବରଣୀ ପ୍ରଦାନ କରିବି । ପିଲାମାନେ ଯେପରି କୌଣସି କୌଶଳଗତ ଅସୁବିଧାର ସମ୍ମୁଖୀନ ନହେବେ, ସେଥିଲାଗି ଅଦୃଶ୍ୟ ଅଥଚ ପ୍ରୀତିକର ଭାବରେ ଏହି କାର୍ଯ୍ୟକ୍ରମଟିରେ ସେମାନଙ୍କୁ ସକଳ ସୁବିଧା ଯୋଗାଇ ଦିଆ ଯାଇଥିଲା ବୋଲି ମୁଁ ଭାବୁଛି । ଏହି ବିବରଣୀରେ ଖାସ୍ କଳାର ସମସ୍ୟାଟି ବିଷୟରେ କିଛି ଆଲୋଚନା କରା ଯାଇନାହିଁ, କାରଣ, ଯେଉଁ ଶିକ୍ଷକ ଏହି ପାଠ୍ୟକ୍ରମଟିକୁ ଆରମ୍ଭ କରିଥିଲେ, ସିଏ ମୂଳରୁ ଧରି ନେଇଥିଲେ ଯେ, କୃଷକଘରର ପିଲାମାନଙ୍କୁ କଳାକାର କରାଇବାରେ ପ୍ରୟାସଟିର ପ୍ରକୃତରେ କୌଣସି ଅର୍ଥ ନାହିଁ ।

Image

 

ସପ୍ତତ୍ରିଂଶ ଅଧ୍ୟାୟ

ଚିତ୍ରାଙ୍କନ

 

ନଅମାସ ପୂର୍ବେ ଯେତେବେଳେ ମୁଁ ଚିତ୍ରାଙ୍କନ ଶିକ୍ଷା ଦେବା ବିଷୟରେ ଚିନ୍ତା କରିବାକୁ ଆରମ୍ଭ କଲି, ସେତେବେଳେ ସେତେବେଳ ଯାଏ ମୁଁ କୌଣସି ନିର୍ଦ୍ଦିଷ୍ଟ ଯୋଜନା କରିନଥିଲି; ପାଠ୍ୟକ୍ରମ ମଧ୍ୟରେ କ’ଣସବୁ ପାଠ ରହିବ ଓ ଏହି କ୍ଷେତ୍ରରେ ପିଲାମାନଙ୍କୁ କିପରି ମାର୍ଗଦର୍ଶନ ଦିଆଯିବ, ସେବିଷୟରେ କୌଣସି ନିର୍ଦ୍ଦିଷ୍ଟ ରୂପରେଖ ନଥିଲା, ମୋ’ପାଖରେ ନକ୍ସା ବା ନମୁନା ବୋଲି କିଛି ନଥିଲା; ହଁ, କେତେକ ଛବିର ଏକ ଆଲବମ୍ ରହିଥିଲା, ମାତ୍ର ସେଗୁଡ଼ିକୁ ସେତେବେଳେ ମୁଁ ମୋ’ର ସବୁଠାରୁ ଅଧିକ ଅଗ୍ରବର୍ତ୍ତୀ ଅଧ୍ୟାପନାରେ ଆଦୌ କାମରେ ଲଗାଇ ନଥିଲି । ମୁଁ କେବଳ କେତୋଟି ଅତି ସରଳ ଏବଂ ଗୌଣ ଉପାୟଗୁଡ଼ିକର ସାହାଯ୍ୟ ନେଉଥିଲି, ଯାହାକି ଯେକୌଣସି ଗ୍ରାମ୍ୟ ବିଦ୍ୟାଳୟରେ ଉପଲବ୍ଧ ହୋଇ ପାରିବ । ରଙ୍ଗ ଦିଆ ଯାଇଥିବା କାଠର ଗୋଟିଏ ବୋର୍ଡ଼ ଥିଲା, କିଛି ଚକ୍ ଓ ସିଲଟ ଥିଲା, ବିଭିନ୍ନ ଆକାରରେ କେତୋଟି ଆୟତାକାର ପଟା ରହିଥିଲା । ହଁ, କେତୋଟି କାଠି ଥିଲା, ଯାହାକୁ ଆମେ ଗଣିତ ପଢ଼ାଇବା ସମୟରେ ପ୍ରତ୍ୟକ୍ଷ ସହାୟକରୂପେ ବ୍ୟବହାର କରିଥିଲୁ । ଆମ ପାଖରେ କେବଳ ଏତିକି ସାମଗ୍ରୀ ରହିଥିଲା, ଏବଂ ତଥାପି, ଯାହାକିଛି ଆମ ହାତପାଆନ୍ତାକୁ ଆସି ଯାଉଥିଲା, ସେଗୁଡ଼ିକୁ ଆମେ ଅବାଧ ଭାବରେ କପି କରିନେଇ ପାରୁଥିଲୁ ।

 

କୌଣସି ଗୋଟିଏ ପିଲାର ମଧ୍ୟ ଡ୍ରଇଂ-ଶିକ୍ଷା ବିଷୟରେ ଆଗରୁ ଅଭିଜ୍ଞତା ନଥିଲା । କେବଳ ନିଜର ବିଚାରଶକ୍ତିକୁ ନେଇ ସେମାନେ ମୋ’ ପାଖକୁ ଆସିଥିଲେ ଏବଂ, ଯେତେବେଳେ ତଥା ଯେପରି ସେମାନେ ଇଚ୍ଛା କରିବେ, ସେହି ଶକ୍ତିକୁ ବ୍ୟକ୍ତ କରିବା ନିମନ୍ତେ ସେମାନଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଇଥିଲା । କ୍ରମେ ସେମାନଙ୍କ ଲାଗି ଏକ ନିର୍ଦ୍ଦିଷ୍ଟ କର୍ମଯୋଜନାର ଚିଠା ପ୍ରସ୍ତୁତ କରିପାରିବି, ସେଥିଲାଗି ପିଲାମାନଙ୍କର ଆବଶ୍ୟକତା ଗୁଡ଼ିକ ସମ୍ବନ୍ଧରେ ମୋ’ର ମାର୍ଗଦର୍ଶନ କରାଇବା ପାଇଁ ମଧ୍ୟ ସେହି ବିଚାରଗୁଡ଼ିକୁ ଆବଶ୍ୟକ କରୁଥିଲି ।

 

ମୁଁ ସର୍ବପ୍ରଥମେ ଚାରୋଟି କାଠି ଦେଇ ଏକ ବର୍ଗକ୍ଷେତ୍ର ତିଆରି କଲି ଏବଂ, ଆଗରୁ କୌଣସି ପୂର୍ବ-ସହାୟତା ନପାଇ ମଧ୍ୟ ପିଲାମାନେ ଯେପରି ସେହି ବର୍ଗକ୍ଷେତ୍ରଟିକୁ କପି କରିପାରିବେ, ତାହା ଜାଣିବା ଲାଗି ଏକ ପ୍ରୟୋଗ କରିଥିଲି । ଖୁବ୍ ଅଳ୍ପସଂଖ୍ୟକ ବାଳକ ଅଙ୍କାବଙ୍କା କରି କେତୋଟି ବର୍ଗକ୍ଷେତ୍ର ଆଙ୍କି ପାରିଲେ । ବର୍ଗକ୍ଷେତ୍ରଟିକୁ ତିଆରି କରିଥିବା କାଠିଗୁଡ଼ିକୁ ସେମାନେ ସରଳ ରେଖା ଦେଇ ଦେଖାଇ ଦେଇଥିଲେ । ଏଥିରେ ମୋ’ର ପୂର୍ଣ୍ଣ ସନ୍ତୋଷ ହୋଇଗଲା । ଯେଉଁ ପିଲାମାନେ ଅପେକ୍ଷାକୃତ କମ୍ ପାରଗ, ମୁଁ ସେମାନଙ୍କ ପାଇଁ ପଟା ଉପରେ ଚକରେ ଗୋଟିଏ ବର୍ଗକ୍ଷେତ୍ର ଆଙ୍କି ଦେଇଥିଲି । ତା’ପରେ ଆମେ ସେହି ପଦ୍ଧତିରେ ଗୋଟିଏ ଛବି ବି ଆଙ୍କିଲୁ ଓ ସେଇଟିର କପି କଲୁ ।

 

ରେଖାଗୁଡ଼ିକୁ ଅତ୍ୟନ୍ତ ଅକୁଶଳ ଭାବରେ ଆଙ୍କିଥିଲେ ମଧ୍ୟ, ସେଗୁଡ଼ିକ ମଧ୍ୟରେ ଯେଉଁ ପାରସ୍ପରିକ ସମ୍ବନ୍ଧ ରହିଛି, ଏକ ଅବଚେତନ ଅନ୍ତର୍ଗତ ଅବବୋଧ ଦ୍ଵାରା ପ୍ରେରିତ ହୋଇ ପିଲାମାନେ ସେଇଟିକୁ ଖୋଜି ବାହାର କରିବାଲାଗି ପ୍ରବୃତ୍ତ ମଧ୍ୟ ହେଲେ । ପ୍ରତ୍ୟେକ ଚିତ୍ରରେ ରେଖାଗୁଡ଼ିକ ନିର୍ଭୁଲ ହେଉ ବୋଲି ମୁଁ ଆଦୌ ଜୋର୍ ଦେଇନଥିଲି; କାରଣ ସେମାନଙ୍କୁ ଅକାରଣରେ ସେପରି ଏକ ଉତ୍ପୀଡ଼ନ ଦେବାଲାଗି ମୋ’ର ଆଦୌ କୌଣସି ଇଚ୍ଛା ନଥିଲା, ସେମାନେ ଚିତ୍ରଟିର କପି କରିପାରନ୍ତୁ, ମୋ’ର କେବଳ ସେତିକିମାତ୍ର ଇଚ୍ଛା ଥିଲା । ରେଖାଗୁଡ଼ିକୁ ଯଥାସମ୍ଭବ ନିର୍ଭୁଲ ଭାବରେ ଟାଣିପାରିବା ଅପେକ୍ଷା ପିଲାମାନେ ରେଖାଗୁଡ଼ିକ ମଧ୍ୟରେ ରହିଥିବା ସମ୍ପର୍କଗୁଡ଼ିକୁ ମୋଟାମୋଟି ବୁଝିପାରନ୍ତୁ ବୋଲି ମୁଁ ପ୍ରଥମେ ଅପେକ୍ଷାକୃତ ଅଧିକ ମହତ୍ତ୍ଵ ଦେଉଥିଲି ।

 

ପିଲା ବଡ଼ ରେଖା ଏବଂ ସାନ ରେଖାଗୁଡ଼ିକ ମଧ୍ୟରେ ରହିଥିବା ସମ୍ପର୍କଟିକୁ ବୁଝି ପାରିବ, ସମକୋଣ ଓ ସମାନ୍ତର ବାହୁଗୁଡ଼ିକରେ ପାର୍ଥକ୍ୟଗୁଡ଼ିକୁ ଜାଣିବ,–ତା’ପରେ ଯାଇ ସିଏ ହୁଏତ ମୋଟାମୋଟି ଉତ୍ତମ ଭାବରେ ନିଜେ ନିଜେ ଏକ ସରଳ ରେଖା ଅଙ୍କନ କରି ପାରିବ ।

 

ଚତୁର୍ଭୁଜରେ ସଜା ହୋଇଥିବା କାଠିଗୁଡ଼ିକରେ କୋଣଗୁଡ଼ିକୁ କପି କରିବାରେ ଆମେ ପରବର୍ତ୍ତୀ ପାଠଘଣ୍ଟା ମାନଙ୍କରେ ଅଳ୍ପ ଅଳ୍ପ କରି ସଫଳତା ଲାଭ କଲୁ ଏବଂ ତା’ପରେ ତାହା ସାହାଯ୍ୟରେ ଆମେ ବିଭିନ୍ନ ପ୍ରକାରର ନାନା କ୍ଷେତ୍ର ମଧ୍ୟ ଆଙ୍କି ପାରିଲୁ ।

 

କାଠିଗୁଡ଼ିକର ମୋଟା ସରୁ ବିଷୟରେ ପିଲାମାନେ ଆଦୌ କୌଣସି ସଚେତନତା ଦେଖାଇ ନଥିଲେ ଏବଂ, ଆମେ ସବୁଠାର ଆମ ଆଗରେ ରଖା ହୋଇଥିବା ବସ୍ତୁଗୁଡ଼ିକର କେବଳ ଆଗ ପାଖଟିକୁ ହିଁ ଆଙ୍କୁଥିଲୁ ।

 

ଆବଶ୍ୟକ ଉପଯୁକ୍ତ ସାମଗ୍ରୀର ଅଭାବ ହେତୁ ମୁଁ ବେଳେ ବେଳେ ଚିତ୍ରଗୁଡ଼ିକୁ ବୋର୍ଡ଼ ଉପରେ ଆଙ୍କି ଦେଉଥିଲି । ପ୍ରକୃତିରୁ ଆହରଣ କରି ବେଳେ ବେଳେ ଛବିଟିଏ କରି ଦେଉଥିଲି ଓ ବହିରେ ଥିବା ନମୁନାଗୁଡ଼ିକୁ ବି ଆଙ୍କି ଦେଉଥିଲି । ହଁ, ପିଲାମାନେ ନିଜେ କୌଣସି ନିର୍ଦ୍ଦିଷ୍ଟ ବସ୍ତୁକୁ ଯେତେବେଳେ କପି କରି ପାରୁନଥିଲେ । ସେତେବେଳେ ମୁଁ ନିଜେ ସେଇଟିକୁ ବୋର୍ଡ଼ ଉପରେ ଆଙ୍କି ଦେଉଥିଲି ।

 

ଯେଉଁ ରେଖାଚିତ୍ର ଗୁଡ଼ିକୁ ମୁଁ ବୋର୍ଡ଼ରେ ଆଙ୍କୁଥିଲି, ସେଗୁଡ଼ିକର ସମୀକ୍ଷା କରିବାଲାଗି ପିଲାମାନଙ୍କୁ ସର୍ବଦା ଉତ୍ସାହ ଦିଆ ଯାଉଥିଲା । ବେଳେ ବେଳେ ମୁଁ ଛବିଗୁଡ଼ିକୁ ଜାଣି ଜାଣି ଭୁଲଭାବରେ ଆଙ୍କି ଦେଉଥିଲି ଏବଂ ସେଥିରୁ ପିଲାମାନଙ୍କର ସେହି ବିଷୟରେ ଧାରଣାଗୁଡ଼ିକ ସମ୍ବନ୍ଧରେ ମୋତେ ତଥ୍ୟ ବି ମିଳି ଯାଉଥିଲା । ଏହାଦ୍ଵାରା ଯେ ମୁଁ ପିଲାମାନଙ୍କ ଭିତରେ କେବଳ ଏକ ସଚଳ ଆଗ୍ରହକୁ ଜାଗ୍ରତ କରି ଆଣିପାରିଲି ତା’ ନୁହେଁ, ଛବିଗୁଡ଼ିକୁ ଆଙ୍କିବାରେ ସେମାନେ ମୋ’ ସହିତ ମୁକ୍ତ ଭାବରେ ସହଯୋଗ ମଧ୍ୟ କରି ପାରିଥିଲେ । ଏବଂ, ଏହା ଫଳରେ ନିଜେ ଗୋଟିଏ ମୂଳ ରେଖାଚିତ୍ରକୁ କପି କରୁଥିବା ବେଳେ ପିଲାର ମନରେ ଉଠୁଥିବା ନାନା “କାହିଁକି”ର ଉତ୍ତର ମଧ୍ୟ ତାକୁ ମିଳିଯାଇ ପାରିଲା ।

 

ପ୍ରତ୍ୟେକ ଶିଶୁ ଭିତରେ ସ୍ଵତନ୍ତ୍ରତା ଆଡ଼କୁ ଏକ ପ୍ରବୃତ୍ତି ରହିଥାଏ ଏବଂ ଯାବତୀୟ ଶିକ୍ଷାଦାନରେ ସେହି ପ୍ରବୃତ୍ତିଟିକୁ ନଷ୍ଟ କରିଦେବା ପ୍ରକୃତରେ ଅତ୍ୟନ୍ତ କ୍ଷତିକାରକ ହିଁ ହୋଇଥାଏ । ଗୋଟିଏ ମଡ଼େଲ୍ ଦେଖି ଛବି ଆଙ୍କୁଥିବା ସମୟରେ ପିଲାର ଅସନ୍ତୋଷଟି ମଧ୍ୟରେ ହିଁ ତାହା ବିଶେଷ ଭାବରେ ପ୍ରକଟ ହୋଇଥାଏ । ଏଠାରେ ଦର୍ଶାଯାଇଥିବା ପଦ୍ଧତିଗୁଡ଼ିକରେ ସେହି ସ୍ଵତନ୍ତ୍ରତାକୁ ମାରିଦିଆ ନଯାଇ ତାହାକୁ ବିକଶିତ ତଥା ଅଧିକ ଶକିଶାଳୀ କରି ଆଣିବାଲାଗି ହିଁ ଚେଷ୍ଟା କରାଯାଏ । ଯଦି ପିଲାକୁ ସିଏ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ସୃଷ୍ଟି କରିବା ବିଷୟରେ ଆଦୌ କୌଣସି ଶିକ୍ଷା ଦିଆନଯିବ, ତେବେ ସିଏ ଜୀବନଯାକ କେବଳ ଅନୁକରଣ ଓ କପି କରିବାରେ ଲାଗିଥିବ; କାରଣ, କେବଳ ନକଲ କରି ସ୍ଵାଧୀନ ଭାବରେ କାମରେ ଲଗାଇବାକୁ ସମର୍ଥ ହେବେ । ବସ୍ତୁ ନିର୍ବାଚନରେ ପ୍ରକୃତିରୁ ବିଭିନ୍ନ ବସ୍ତୁ, ଉଦାହରଣ ସ୍ଵରୂପ, ଫୁଲ, ଗୃହଆସବାବ, ସାଧାରଣ ଜୀବନରେ ବ୍ୟବହୃତ ନାନାବିଧ ଦ୍ରବ୍ୟ–ଆଙ୍କିବାକୁ ଦେଇ ମୁଁ ଆମ ଚିତ୍ରାଙ୍କନଗୁଡ଼ିକ ଯେପରି କେତେଟା ରୁଟିନରେ ପର୍ଯ୍ୟବେସିତ ହୋଇ ନରହେ, ସେଥିଲାଗି ସର୍ବଦା ଚେଷ୍ଟା କରୁଥିଲି ।

 

ଏହିପରି ଭାବରେ ମାତ୍ର ଅଳ୍ପ କେତେମାସ ମଧ୍ୟରେ ମୁଁ ତିରିଶରୁ ଅଧିକ ପିଲାଙ୍କୁ ବିଭିନ୍ନ ଚିତ୍ର ଓ ବସ୍ତୁର ରେଖାଗୁଡ଼ିକ ବିଷୟରେ ପରିଚିତ କରାଇ ପାରିଲି । ପିଲାମାନେ ଗୋଟିଏ ଚିତ୍ରକୁ କୁଶଳତା ସହିତ ନକଲ ମଧ୍ୟ କରିପାରିଲେ । ପିଲାମାନେ ନିଜେ ଖାତା ଏବଂ ଅଙ୍କନଗୁଡ଼ିକୁ ଯେପରି ପରିଷ୍କାର ଓ ପରିଚ୍ଛନ୍ନ ରଖିପାରିବେ, ସେଥିରେ ସେମାନଙ୍କୁ ଅଭ୍ୟସ୍ତ କରାଇ ଆଣିବା ମୋ’ଲାଗି ସବୁଠାରୁ ଅଧିକ ଆୟାସକର ହୋଇଥିଲା । ଆଙ୍କିଥିବା ବସ୍ତୁଟି ମନକୁ ନଆସିଲେ ସେଇଟିକୁ ରବର ଘଷି ନିଭାଇ ଦେବାର ଯେଉଁ ଉପାୟଟି ରହିଛି, ତାହାହିଁ ମୋ’ର କାର୍ଯ୍ୟଟିକୁ ଅଧିକ କଷ୍ଟସାଧ୍ୟ କରୁଥିଲା । ଅଧିକ ଭଲ ଓ ପ୍ରତିଭାସମ୍ପନ୍ନ ପିଲାମାନଙ୍କୁ ସ୍କେଚ୍ ଆଙ୍କିବାର ଖାତା ଯୋଗାଇ ଦେବାଦ୍ୱାରା ମିଳିଲା । ଅଳ୍ପଦିନ ମଧ୍ୟରେ ସର୍ବୋତ୍ତମ ଛାତ୍ରମାନେ ଅତ୍ୟନ୍ତ ସୁଚାରୁ ଭାବରେ ନିଜ ପେନସିଲକୁ ବ୍ୟବହାର କରି ଶିଖିଲେ ଏବଂ ତେଣୁ ଛବିଗୁଡ଼ିକୁ ପରିଚ୍ଛନ୍ନ ଭାବରେ ଆଙ୍କି ପାରିଥିଲେ । ଖାଲି ସରଳରେଖାବିଶିଷ୍ଟ ଚିତ୍ର ନୁହେଁ, ବକ୍ର ରେଖାମାନ ରହିଥିବା ଚିତ୍ରଗୁଡ଼ିକ ମଧ୍ୟ ଆଙ୍କି ପାରିଲା ।

 

ଯେଉଁ ପିଲାମାନେ ନିଜର ଛବିଗୁଡ଼ିକୁ ଆଗ ଆଙ୍କି ସାରି ଦେଉଥିଲେ, ମୁଁ ସେମାନଙ୍କୁ ଅନ୍ୟମାନଙ୍କର ଅଙ୍କନଗୁଡ଼ିକୁ ସଂଶୋଧନ କରିବାରେ ବି ଲଗାଇ ଦେଉଥିଲି । ଏହାଦ୍ୱାରା ସେମାନଙ୍କ ଭିତରେ ଅଧିକ ଉତ୍ସାହର ସୃଷ୍ଟି ହେଲା । କାରଣ, ଏହାଦ୍ଵାରା ସେମାନେ ନିଜେ ଅର୍ଜନ କରିଥିବା ଶିକ୍ଷାକୁ ସଙ୍ଗେ ସଙ୍ଗେ କାମରେ ଲଗାଇ ଦେଖି ପାରୁଥିଲେ ।

 

ଏବେ ବଡ଼ ପିଲାମାନଙ୍କ ଦ୍ଵାରା ମୁଁ ବିଭିନ୍ନ ସ୍ଥିତିରେ ରହିଥିବା ନାନାବିଧ ବସ୍ତୁର ଅଙ୍କନ ମଧ୍ୟ କରାଇଲିଣି, ଏବଂ ସେଥିଲାଗି ମୋତେ ବହିମାନଙ୍କରେ ଲେଖା ହୋଇଥିବା ପଦ୍ଧତିଗୁଡ଼ିକର କୌଣସି ଅନୁସରଣ କରିବାକୁ ପଡ଼ୁନାହିଁ ।

Image

 

ଅଷ୍ଟତ୍ରିଂଶ ଅଧ୍ୟାୟ

ସଙ୍ଗୀତ-ଶିକ୍ଷା

 

ଗତ ଗ୍ରୀଷ୍ମକାଳରେ ଆମେ ସମସ୍ତେ ଗାଧୋଇସାରି ଫେରୁଥାଉ । ସମସ୍ତଙ୍କର ମିଜାଜ ଭାରି ଖୁସୀ ରହିଥାଏ । ଗୋଟିଏ ଚାଷୀଘରର ପିଲା,–ଆଉ ଜଣେ ପିଲାର ଶିଖାରେ ପଡ଼ି ଯେଉଁ ପିଲାଟି ବହିସବୁ ଚୋରି କରୁଥିଲା,–ଏଡ଼େ ବଡ଼ ବଡ଼ ଗାଲ ଥିବା ସେହି କୋଦମା ହୋଇ ପିଲାଟି,–ତା’ଦିହଯାକ କଷରା କଳାଜାଇ ଦ୍ଵାରା ଭର୍ତ୍ତି ହୋଇ ରହିଥାଏ, ଗୋଡ଼ର ଆଣ୍ଠୁଦୁଇଟା ବଙ୍କା,–ଯାବତୀୟ ଦୃଷ୍ଟିରୁ ସିଏ ସେହି ଅଞ୍ଚଳର ଏକ ବୟସ୍କ ଚାଷୀ ପରି ଦେଖା ଯାଉଥାଏ; ମାତ୍ର, ଭାରି ବୁଦ୍ଧିଆ ପିଲାଟିଏ, ଭିତରେ ଅନେକ ପ୍ରତିଭା ମଧ୍ୟ ରହିଛି,–ସେଇ ପିଲାଟି ହଠାତ୍ ଆମ ସମସ୍ତଙ୍କର ଆଗକୁ ଦଉଡ଼ିଗଲା ଓ ଆଗରେ ଯାଉଥିବା ଗୋଟିଏ ଗୋଡ଼ୀଉପରେ ଯାଇ ବସିପଡ଼ିଲା । ହାତରେ ଲଗାମଗୁଡ଼ିକୁ ଧରିଲା, ମୁଣ୍ଡରେ ଟୋପିଟିକୁ ବାଗେଇନେଲା, ଗୋଟିଏ ପାଖାକୁ ମୁହଁ ବୁଲାଇଦେଇ ଲେଣ୍ଡାଏ ଛେପ ପକାଇଲା ଏବଂ ଉଚ୍ଚସ୍ଵର ବାହାର କରି ଧିସା ଧରି ଆରକେ କୃଷକଗୀତ ବୋଲିବାକୁ ଆରମ୍ଭ କଲା । ପୂରା ଗଳା ଖୋଲିକରି ବୋଲିବାରେ ଲାଗିଥାଏ,–ଗୀତରେ ଆବେଗ ଭରି ରହିଥାଏ, ଗମ୍ଭୀରତା ଥାଏ ଏବଂ ତା’ର ଫୁସଫୁସ୍ ଦୁଇଟା ପୂର୍ଣ୍ଣ ଶକ୍ତିରେ ସଞ୍ଚାଳିତ ହେବାରେ ଲାଗିଥାନ୍ତି । ପିଲାମାନେ ତାକୁ ଦେଖି ଏକାବେଳେକେ ହସି ଉଠିଲେ :

 

“ସେମକା, ହେଇ ଦେଖ ସେମକାକୁ, କେଡ଼େ ବଢ଼ିଆ ଗୀତ ବୋଲିଲାଣି !”

 

ସେମକା ପୂରା ଗମ୍ଭୀର ହୋଇ ରହିଥାଏ ।

 

ଭାରି ଗମ୍ଭୀର ହୋଇ ସିଏ ଟିକିଏ ରହିଯାଇ କହିଲା, “ହେ, ମୋ’ଗୀତାରେ ମୋଟେ ବାଧା ଦିଅନାହିଁ !” ସତେଅବା ସେ ଜାଣି ଜାଣି ଗୋଟିଏ ବିଚିତ୍ର କର୍କଶ ଗଳାରେ ସେକଥା କହୁଥାଏ, ଏବଂ, ତା’ପରେ ସିଏ ସେମିତି ବସି ରହି ନିଜର ଗୀତଟିକୁ ଆରମ୍ଭ କରି ଦେଇଥିଲା ।

 

ତା’ପରେ ଭଲ କାନ୍ଥ ଥିବା ଆଉ ଦୁଇଜଣ ପିଲା ଗାଡ଼ି ଉପରକୁ ଉଠିଗଲେ ଓ ତା’ପାଖରେ ବସିଯାଇ କାନ୍ଥ ମିଳାଇ ଗାଇବାକୁ ଲାଗିଲେ । କିଏ ଗଳା ଉଚ୍ଚ କରି ବୋଲୁଥାଏ ତ କିଏ ଏକାବେଳେକେ ତଳକୁ ଓହ୍ଳାଇ ଆସୁଥାଏ । ମାତ୍ର ଗୀତବୋଲାଟି ଅତି ଚମତ୍କାର ଭାବରେ ଚାଲିଥାଏ । ତା’ପରେ ଅନ୍ୟ ବାଳକମାନେ ବି ସେଥିରେ ମିଶିଗଲେ ଏବଂ ଗାଇବାକୁ ଆରମ୍ଭ କଲେ । ସମସ୍ତଙ୍କର ଚିତ୍କାର ଏକାଠି ମିଶି କାନ ଅତଡ଼ା ସିନା ପଡ଼ିଗଲା, କିନ୍ତୁ ଆଦୌ ମଧୁର ଶୁଭିଲାନାହିଁ ।

 

ସେହି ସନ୍ଧ୍ୟାରୁ ହିଁ ଆମର ଗୀତ ଗାଇବା ଆରମ୍ଭ ହେଲା । ଏମିତି ଶିଖୁ ଶିଖୁ ଆମର ଆଠମାସ ହୋଇଗଲାଣି । ଏହାଭିତରେ ଆମେ କେତେ କ’ଣ ଶିଖିଗଲୁଣି । ଦୁଇଜଣ ପିଲା–ଯେଉଁମାନେ ସବୁଠାରୁ ଭଲ ବୋଲୁଛନ୍ତି, ସେମାନେ ଗାଇ ଜାଣିଥିବା ଗୀତାଗୁଡ଼ିକର ସୁରଲିପିକୁ ଲେଖି ରଖିଛନ୍ତି । କିନ୍ତୁ, ସେମାନେ ଯାହାକିଛି ବୋଲାନ୍ତୁ ନା କାହିଁକି, ସେଦିନ ଗାଧୋଇ ସାରି ଫେରୁଥିବା ସମୟରେ ବୋଲିଥିବା ଗୀତଟି ପରି ଏହି କୌଣସିଟି ସେତେ ଭଲ ଆଦୌ ହୋଇନାହିଁ । କୌଣସି ମତଲବ ନେଇ ବା କ’ଣ ଗୋଟିଏ ସିଦ୍ଧାନ୍ତକୁ ପ୍ରମାଣ କରିବାପାଇଁ ମୁଁ ମୋଟେ ଏପରି କହୁନାହିଁ; ଯାହା ସତ, କେବଳ ତାହାହିଁ କହୁଛି ।

 

ସମସ୍ତ ଶୀତଋତୁ ଭିତରେ ଆମେ ମାତ୍ର ବାରଟା ସଙ୍ଗୀତ-କ୍ଲାସ୍ କରିଥିଲୁ । ଆମର ସଙ୍ଗୀତ ଶିଖିବା ବେଳେ ବେଳେ ଆମର,–ବାପାମାଆ, ଶିକ୍ଷକ ଏବଂ ସ୍ଵୟଂ ପିଲାମାନେ ବି–ଦାମ୍ଭିକତା ଦ୍ଵାରା ଭାରି ବାଧାପ୍ରାପ୍ତ ହେଉଥିଲା । ସମଗ୍ର ଗାଆଁଟାକୁ ବିସ୍ମିତ କରିଦେବାର ପାଞ୍ଚ କରି ଆମେ ଗୀର୍ଜାରେ ଯାଇ ଗୀତ ଗାଇବୁ ବୋଲି ଭାବିଲୁ । ଥରେ ତାହା କଲୁ ଏବଂ ସଫଳ ବି ହୋଇଥିଲୁ । ମାତ୍ର, ପିଲାମାନେ ଭାରି କ୍ଳାନ୍ତ ହୋଇ ପଡ଼ିଥିଲେ । ଏଥିରୁ ଆମକୁ ବହୁତ ଶିକ୍ଷା ମିଳିଥିଲା ।

Image

 

ପରିଶିଷ୍ଟ

 

କିଏ କାହାଠାରୁ ଲେଖି ଶିଖିବ ?

 

ଚାଷୀଘରର ପିଲାଏ ଆମଠାରୁ ନା ଆମେ ଚାଷୀଘରର ପିଲାଙ୍କ ଠାରୁ ?

 

ଭାଷାଶିକ୍ଷାର ଏକ ଅଂଶ ସ୍ୱରୂପ, ପିଲାମାନଙ୍କୁ ରଚନା ଲେଖିବାର ପ୍ରଣାଳୀ ଶିଖାଉଥିବା ସମୟରେ, ପିଲାମାନେ କେଉଁ ବିଷୟରେ ରଚନା ଲେଖିବେ, ତାହା ଠିକ୍ କରିବାକୁ ଜଣେ ଶିକ୍ଷକର ଏକ ପ୍ରଧାନ କାର୍ଯ୍ୟ ବୋଲି କୁହାଯାଇ ପାରିବ । ବିଷୟ ଠିକ୍ ନଥିଲେ ବୁଦ୍ଧିଆ ପିଲାମାନେ ହୁଏତ ରଚନା ଲେଖିବାକୁ ଯାଇ ୟାଡ଼ୁ ସାଡ଼ୁ କ’ଣ ଗୋଟାଏ ଲେଖି ପକାଇବେ । ଏହି ବିଷୟ ଦେବାରେ ମୁଁ ନାନାପ୍ରକାର ପ୍ରୟୋଗ କରି ଦେଖିଥିଲି । ମାତ୍ର, ସେହି ପ୍ରୟୋଗଗୁଡ଼ିକ ସଫଳ ହେଉଛି ବୋଲି ଆଦୌ ମନେ ହେଉନଥାଏ । ଅଥଚ, ଆକସ୍ମିକ ଭାବରେ କିପରି ମୁଁ ଠିକ୍ ପ୍ରଣାଳୀଟିକୁ ପାଇଗଲି, ବର୍ତ୍ତମାନ ସେହିକଥା କହୁଛି ।

 

ରୁଷୀୟ ଭାଷାରେ ରହିଥିବା ପ୍ରବଚନଗୁଡ଼ିକ ବିଷୟରେ ମୋ’ ପାଖରେ ଗୋଟିଏ ଭାରି ଚମତ୍କାର ବହିଥିଲା । ସେଥିରୁ ଯେକୌଣସି ପ୍ରବଚନ ଆମର ଭାବନାରେ ଲୋକଜୀବନରୁ କେତେ କେତେ ବ୍ୟକ୍ତିଙ୍କର ଚିତ୍ରକୁ ଆଣି ଉକୁଟାଇ ଦେଇଥାଏ । ଗୋଟିଏ ଗୋଟିଏ ପ୍ରବଚନକୁ ଭିତ୍ତି କରି ମୁଁ କେତେଗୁଡ଼ିଏ ଗଳ୍ପ ବା ନାଟକ ଲେଖିବି ବୋଲି ସବୁବେଳେ ଚିନ୍ତା କରି ଆସିଛି ।

 

ଥରେ, ଭୋଜନ ପରେ ମୁଁ ପ୍ରବଚନର ସଂଗ୍ରହ ଥିବା ଗୋଟିଏ ବହି ନେଇ ଶ୍ରେଣୀକୁ ଯାଇଥିଲି । ଶ୍ରେଣୀରେ ସେତେବେଳେ ରୁଷୀୟ ଭାଷାର ଏକ ଶିକ୍ଷାଦାନ ଚାଲିଥାଏ ।

 

ମୁଁ କହିଲି, “ଗୋଟିଏ ପ୍ରବଚନ ଉପରେ ତୁମେମାନେ ମୋତେ କିଛି ଲେଖି କରି ଦିଅ-।”

 

ମୋ’କଥା ଶୁଣି ଫେଡ଼କା, ସେମକା ଓ ପାଠରେ ଭଲ କରୁଥିବା ଆହୁରି କେତେ ପିଲା କାନମୂଳ କୁଣ୍ଡାଇବାକୁ ଆରମ୍ଭ କଲେ ।

 

“ଏକ ପ୍ରବଚନ ଉପରେ ପୁଣି କ’ଣ ଲେଖିହେବ ? ସିଏ ପୁଣି କ’ଣ ? ଆମକୁ ବୁଝାଇ କହିଦିଅନ୍ତୁ !” –ସେମାନେ ଅଭିଯୋଗ କରି କହୁଥାନ୍ତି ।

 

ମୁଁ ବହି ଖୋଲି ଗୋଟିଏ ପ୍ରବଚନ ବାହାର କଲି ।

 

ଫେଡ଼କା ଓ ଅନ୍ୟମାନେ କହିଲେ, “ଏଇଟି ବିଷୟରେ ପୁଣି କିପରି କ’ଣ ଲେଖାଯାଇ ପାରିବ ?” ପ୍ରାୟ ସମସ୍ତେ କାନ କୁଣ୍ଡାଇବାରେ ଲାଗିଥାନ୍ତି । ମାତ୍ର ହଠାତ୍ ତାହା ବନ୍ଦ ହୋଇଗଲା-। ଏମିତି କିଛି ଲେଖିବା ସେମାନଙ୍କର ସାଧ୍ୟର ବାହାରେ ବୋଲି ସମସ୍ତେ ନିଜକୁ ବୁଝାଇଦେଲେ ଏବଂ ଆଗରୁ କରୁଥିବା କୌଣସି ଏକ ଅନ୍ୟ କାର୍ଯ୍ୟରେ ମନୋନିବେଶ କଲେ-

 

ସେମାନଙ୍କ ଭିତରୁ ଜଣେ କହିଲା, “ଆମପାଇଁ ଆପଣ ଲେଖିଦିଅନ୍ତୁ !”

 

ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି; ମୁଁ କଲମ ଓ ଦୁଆତ ନେଇ ଲେଖିବାକୁ ଆରମ୍ଭ କଲି ।

 

ଏବଂ କହିଲି, “କହିଲ, କିଏ ସବୁଠାରୁ ଭଲ ଲେଖିପାରିବ ? ତୁମମାନଙ୍କ ସାଙ୍ଗରେ ମୁଁ ବି ଚେଷ୍ଟା କରିବି ।” ମୁଁ ଗପଟିଏ ଲେଖିବା ଆରମ୍ଭ କରିଦେଲି ।

 

ଯାହା ଭିତରେ ପୂର୍ବରୁ କୌଣସି ଧାରଣା ବଦ୍ଧମୂଳ ହୋଇ ରହିନଥିବ, ଯାହାର କଳା ପ୍ରତି ଓ ନିଜ ଜାତି ପ୍ରତି ସଂବେଦନଶୀଳତା ରହିଥିବ, ସିଏ ମୁଁ ଲେଖିଥିବା ପ୍ରଥମ ପୃଷ୍ଠାଟି ଏବଂ ପିଲାମାନେ ଲେଖିଥିବା ପୃଷ୍ଠାଗୁଡ଼ିକୁ ପାଠ କରି ଦୁଇଟି ମଧ୍ୟରେ ରହିଥିବା ଫରକଟିକୁ ନିଶ୍ଚୟ ଧରି ପକାଇବ । ସତେଯେପରି ତାକୁ ଗୋରସର କୁଣ୍ଡ ଭିତରେ ମାଛିଟାଏ ପଡ଼ି ଯାଇଥିବା ପରି ଲାଗିବ-। ମୋ’ଟା ଭାରି କୃତ୍ରିମ ହୋଇଛି, ପୂରା ମିଛ ପରି ଲାଗୁଛି ଏବଂ ଅତ୍ୟନ୍ତ ଦୟନୀୟ ଶୈଳୀରେ ଲେଖା ଯାଇଛି । ଏକଥା ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଲେଖାଟି ପ୍ରକୃତରେ ଆହୁରି ଖରାପ ଥିଲା ଏବଂ ପିଲାମାନେ ଏଠି ସେଠି ଦେଇଥିବା ପରାମର୍ଶ ହେତୁ ଟିକିଏ ଅଧିକ ପାଠଯୋଗ୍ୟ ହୋଇ ପାରିଲା ।

 

ନିଜ ଖାତା ଉପରୁ ମୁହଁ ଟେକି ଫେଡ଼କା ମୋ’ ଆଡ଼କୁ ଅନାଉଥାଏ ଏବଂ, ତା’ ଆଖିଗୁଡ଼ିକ ମୋ’ ଆଖି ସହିତ ମିଶି ଯାଉଥିବା ବେଳେ ଈଷତ୍ ହସି କହୁଥାଏ, “ହଁ, ଆପଣ ବି ଲେଖନ୍ତୁ । ମୁଁ ମଧ୍ୟ ନିଜ ଲେଖାଟିକୁ ଲେଖି ଆପଣଙ୍କୁ ଦେଖାଇବି ।”

 

ଜଣେ ଅଧିକ ବୟସର ବ୍ୟକ୍ତି ମଧ୍ୟ ରଚନାଟିଏ ଲେଖୁଛନ୍ତି, ଏଥିରେ ତାକୁ ଅବଶ୍ୟ ଭାରି କୌତୁହଳ ଲାଗୁଥିବ । ସାଧାରଣ ସମୟ ତୁଳନାରେ କମ୍ ଯତ୍ନଶୀଳ ଭାବରେ ଏବଂ ଅଧିକ ତରତର ହୋଇ ନିଜର ରଚନାଟିକୁ ଲେଖି ସାରିବା ପରେ ଫେଡ଼କା ମୋ’ ଆରାମଚଉକୀର ପଛ ପଟୁ ଆଗକୁ ଉହୁଙ୍କି ଆସିଲା ଓ ମୋ’ କାନ୍ଧ ଉପରୁ ମୋ’ର ଲେଖାଟିକୁ ପଢ଼ିବାକୁ ଆରମ୍ଭ କଲା । ତା’ପରେ ମୁଁ ଆଉ ମୋଟେ ଲେଖି ପାରିଲିନାହିଁ । ଅନ୍ୟମାନେ ବି ଆସି ଜମା ହୋଇଗଲେ ଏବଂ ମୁଁ ଯାହା ଲେଖିଥିଲି ବଡ଼ ପାଟିରେ ପଢ଼ିବାକୁ ଲାଗିଲି । ପିଲାମାନଙ୍କୁ ତାହା ମୋଟେ ଭଲ ଲାଗିଲାନାହିଁ । କେହି ଜଣେହେଲେ ତାହାକୁ ପ୍ରଶଂସା କଲେନାହିଁ ।

 

ମୁଁ ବେଶ୍ ଅପମାନିତ ଅନୁଭବ କଲି ଏବଂ, ସାହିତ୍ୟ ରଚନା ବିଷୟରେ ମୋ’ଭିତରେ ରହିଥିବା ଦମ୍ଭଟାକୁ ସାନ୍ତ୍ଵନା ଦେବା ଲାଗି, ମୋ’ଗପଟିରେ ଏହାପରେ ଆଉସବୁ କ’ଣ ଲେଖାହେବ, ପିଲାମାନଙ୍କୁ ସେହି ଯୋଜନା ବିଷୟରେ କହିବାକୁ ଆରମ୍ଭ କଲି । ଏହିପରି କହୁ କହୁ ନିଜର ଲଗାମ ହରାଇଦେଲି । ହଁ, ଆଉ ସେତେ ଖରାପ ଲାଗୁନଥାଏ । ଏବଂ, ପିଲାମାନେ ବି ପରାମର୍ଶ ଦେଇ କେତେ କଥା କହୁଥାନ୍ତି ।

 

ଏଥିରେ ସମସ୍ତେ ଅତି ଆଗ୍ରହ ସହକାରେ ଭାଗ ନେଉଥାନ୍ତି । ରଚନାଟି କିପରି କ୍ରମସଂଗଠିତ ହୋଇ ଆସୁଥାଏ, ଏହା ସମସ୍ତଙ୍କୁ ଖୁବ୍ ନୂଆ ଲାଗୁଥିଲା ଏବଂ ଆକର୍ଷକ ମନେ ହେଉଥିଲା । ସବୁ ପିଲା ପ୍ରାୟ ସମାନ ପ୍ରକାରର ପରାମର୍ଶମାନ ଦେଉଥିଲେ ଏବଂ ପ୍ରଭୂତ ଆନନ୍ଦ ଅନୁଭବ କରୁଥିଲେ ।

 

କାହାଣୀଟିକୁ ଗୁନ୍ଥି ଆଣିବାରେ ପ୍ରାୟ ସମସ୍ତେ ଅଂଶଗ୍ରହଣ କରିଥିଲେ; ମାତ୍ର ମୂଳରୁ ହିଁ ସେମାନଙ୍କ ମଧ୍ୟରେ ବିଶେଷ ଭାବରେ ସକାରାତ୍ମକ ଚିନ୍ତାମାନ କରି ପଡ଼ୁଥିବା ସେମକା ଅତ୍ୟନ୍ତ ବୁଦ୍ଧିମତ୍ତା ସହିତ ନିଜର କଳାତ୍ମକ ବର୍ଣ୍ଣନାଗୁଡ଼ିକୁ ଉପସ୍ଥାପିତ କରି ପାରୁଥିଲା ଏବଂ ଅତ୍ୟନ୍ତ କବିସ୍ଵଭାବର ଫେଡ଼କା ମଧ୍ୟ ତା’ର ସ୍ପଷ୍ଟତା ତଥା କଳ୍ପନାଶକ୍ତି ଦ୍ଵାରା ବାରି ହୋଇ ପଡ଼ୁଥିଲା । ସେମାନେ ଏଡ଼େ ସୁଚିନ୍ତିତ ଭାବରେ ନିଜ ପ୍ରସ୍ତାବ ଓ ମନ୍ତବ୍ୟଗୁଡ଼ିକ ଦେଉଥିଲେ ଯେ, ସେମାନଙ୍କ ସହିତ ବିତର୍କ କରୁଥିଲେ ମଧ୍ୟ ମୋତେ ଏକାଧିକ ଅବସରରେ ସେମାନଙ୍କ କଥାକୁ ମାନିନେବାକୁ ପଡ଼ୁଥିଲା ।

 

ଆମେ ଏହିପରି ଭାବରେ ସାତଟାରୁ ଏଗାରଟା ଯାଏ କାହାଣୀଟିକୁ ତିଆରି କରୁଥିଲୁ । ପିଲାମାନଙ୍କୁ ଭୋକ ଲଗୁନଥିଲା, କ୍ଳାନ୍ତ ବି ଲାଗୁନଥିଲା । ବରଂ, ଯେତେବେଳେ ମୁଁ ଲେଖା ବନ୍ଦ କରିଦେଲି, ସେତେବେଳେ ସେମାନେ ଭାରି ଆପତ୍ତି କରିବାକୁ ଲାଗିଲେ । ତା’ପରେ ସେମାନେ ନିଜେ ପାଳି କରି ଲେଖିଲେ । ଅବଶ୍ୟ ସେଇଟା ବେଶୀ ବେଳ ଚାଲି ପାରି ନଥିଲା ।

 

କାହାଣୀଟି ଛପା ହେବ ବୋଲି କଥା ହେଲା । ସେଥିରେ ଲେଖକ ହିସାବରେ ପିଲା ଦୁହିଙ୍କର ନାମ ରହିବ, ମୋ’ ନାମ ମଧ୍ୟ ରହିବ । ଫେଡ଼କା ଏହି ଘଟଣାଟିରେ ଏତେ ଉଦ୍ଦୀପିତ ହୋଇ ଉଠିଥିଲା ଯେ ତାକୁ ସେଦିନ ଆଉ ନିଦ ହେଲାନାହିଁ, ଏବଂ, ସେଦିନ ରାତିରେ ମୁଁ ଯେଉଁ ଉତ୍ତେଜନା, ପୁଲକ, ଦୁଃଖ ଓ ପ୍ରାୟ ଏକ ବିମର୍ଷଭାବ ଅନୁଭବ କରିଥିଲି, ମୁଁ ତାହାକୁ ଭାଷାରେ କଦାପି ବର୍ଣ୍ଣନା କରି ପାରିବିନାହିଁ । ମୁଁ ଅନୁଭବ କଲି, ସତେ ଯେପରି ଫେଡ଼କାର ସମ୍ମୁଖରେ ସେହି ଦିନଠାରୁ ନାନା ଆନନ୍ଦ ଓ ନିରାନନ୍ଦର ଏକ ନୂତନ ପୃଥିବୀ ଉଦଘାଟିତ ହୋଇ ଯାଇଥିଲା । ସେହି ପୃଥିବୀ ହେଉଛି କଳାର ପୃଥିବୀ । କାବ୍ୟସୃଜନର ସେହି ରହସ୍ୟପୂର୍ଣ୍ଣ ଫୁଲଟି କିପରି ଖୋଲି ଖୋଲି ଯାଉଥିଲା, ମୁଁ ସେହି କଥାଟିକୁ ପ୍ରତ୍ୟକ୍ଷ କରି ପାରୁଥିଲି । ମୋତେ ଭୟାନକ ଲାଗୁଥାଏ, ପ୍ରଭୂତ ଭାବରେ ଆନନ୍ଦ ବି ଆଣି ଦେଇ ଯାଉଥାଏ । ସତେଅବା ମୁଁ କ’ଣ ଗୋଟିଏ ରତ୍ନ ଖୋଜି ବାହାରିଥିଲି, ଏବଂ କୋଉଠି ଗୋଟିଏ ଫୁଲ ଫୁଟି ଉଠିଥିବାର ଦେଖିବାକୁ ପାଇଲି ।

 

ମୁଁ ଯେ ଏଡ଼େ ଅପ୍ରତ୍ୟାଶିତ ଏବଂ ହଠାତ୍ ଭାବରେ ସ୍ପର୍ଶମଣିଟିର ସନ୍ଧାନ ପାଇଗଲି, ତାହାହିଁ ମୋ’ଲାଗି ଏତେ ଆନନ୍ଦର କାରଣ ହୋଇଥିଲା । ମୁଁ ଗତ ଦୁଇବର୍ଷ ହେଲା ସେଇଟିର ହିଁ ଅନେଷ୍ଵଣରେ ଥିଲି, ମାତ୍ର ପାଇନଥିଲି । ସେହି ମଣିଟି ହେଉଛି, ନିଜର ଭାବନାକୁ ଅଭିବ୍ୟକ୍ତ ଦେଇ ଫୁଟାଇ ପାରିବାର କଳା ।

 

ଏହା ପ୍ରକୃତରେ ଭୟାନକ ଥିଲା, କାରଣ ଏହି କଳା ଏଣିକି ପିଲାମାନଙ୍କ ଆଗରେ କେତେ ନୂଆ ନୂଆ ଦାବୀ ବହନ କରି ଆସି ଉପସ୍ଥିତ ହେବ; ଏପରି ବହୁ ବାସନାର ସମଗ୍ର ପୃଥିବୀଟିଏ ସହିତ ଉପସ୍ଥିତ ହେବ, ପିଲାମାନେ ବାସ କରୁଥିବା ବାସ୍ତବ ପୃଥିବୀଟି ସହିତ ଯାହାର କି କୌଣସି ସଙ୍ଗତି ନଥିବ ! ଅନ୍ତତଃ, ମୋତେ ସେତେବେଳେ କଥାଟି ସେହିପରି ମନେ ହୋଇଥିଲା ।

 

ଏଥିରେ ଭ୍ରମର କୌଣସି ଅବକାଶ ନାହିଁ । ଏହାକୁ କଦାପି ଆକସ୍ମିକ ବୋଲି କୁହାଯାଇ ପାରିବନାହିଁ, ଏହା ହେଉଛି ସଚେତନ ଓ ସୃଜନାତ୍ମକ ପ୍ରତିଭା । ପାଠକମାନଙ୍କୁ ମୋ’ର ବିନୀତ ପ୍ରାର୍ଥନା, ସେମାନେ ମଧ୍ୟ କାହାଣୀଟିକୁ ପଢ଼ିବେ ଏବଂ ସେଥିରେ ବିଚ୍ଛୁରିତ ହୋଇ ରହିଥିବା ଯଥାର୍ଥ ସର୍ଜନାତ୍ମକ ପ୍ରତିଭାର ବହୁଳ ସ୍ପର୍ଶଗୁଡ଼ିକୁ ପ୍ରତ୍ୟକ୍ଷ କରିବେ ।

 

କାରଣ, ଯେଉଁ ଲେଖକ କେବଳ ନିଜର ବୌଦ୍ଧିକତା ଓ ସ୍ମୃତିଶକ୍ତିକୁ କାମରେ ଲଗାଇ କିଛି ଲେଖେ, ସିଏ କଦାପି ଫେଡ଼କା ପରି ବର୍ଣ୍ଣନାଟିଏ ଦେଇ ପାରିବନାହିଁ । କିନ୍ତୁ ଫେଡ଼କା ଯାହାକିଛି ଲେଖିଥିଲା, ସେଥିରେ କଳାତ୍ମକ ସଂବେଦନଶୀଳତା ପୂର୍ଣ୍ଣ ହୋଇ ରହିଥିଲା । ମହାକବି ଗୁଏଟେ ହୁଅନ୍ତୁ କି ଫେଡ଼କା ହେଉ, ସେମାନେ ଲେଖିଥିବା କଳାତ୍ମକ ପ୍ରତ୍ୟେକ ବାକ୍ୟାଂଶ କଳାତ୍ମକ ନହୋଇଥିବା ପ୍ରତ୍ୟେକ ଅନ୍ୟ ରଚନାଠାରୁ ସ୍ପଷ୍ଟ ବାରିହୋଇ ପଡ଼ିବ, କାରଣ ତାହା ତୁମକୁ କେତେ କେତେ ଭାବନା ମଧ୍ୟରେ ନେଇ ପ୍ରବିଷ୍ଟ କରାଇଦେବ, ତୁମ ଆଗରେ କେତେ କେତେ ଚିତ୍ରକୁ ଉକୁଟାଇ ଆଣୁଥିବ ।

 

ସେଦିନ ସନ୍ଧ୍ୟା ପରି ଆଉ କେବେହେଲେ ମୁଁ ବସ୍ତୁତଃ କ୍ଵଚିତ୍ ଏତେ ଶକ୍ତିଶାଳୀ ଭାବରେ ନିଜ ଆବେଗର ବଶବର୍ତ୍ତୀ ହୋଇଛି ! ଏବଂ, ସେଦିନ ମୁଁ ଯାହା ଅନୁଭବ କରିଥିଲି, ଅନେକ ଦିନ ପର୍ଯ୍ୟନ୍ତ ନିଜ ପାଖରେ ମଧ୍ୟ ତାହାର ଏକ ବୁଦ୍ଧି-ଅନୁମୋଦିତ ବ୍ୟାଖ୍ୟା ଦେଇ ପାରିନଥିଲି । ମୋତେ ବଡ଼ ଅଶ୍ଵସ୍ତ ଲାଗୁଥିଲା; ମୁଁ ଅନୁଭବ କରୁଥିଲି ସତେ ଯେପରି ନିଜ ଭିତରେ କ’ଣ ଗୋଟିଏ ମନ୍ଦ ଅଭିସନ୍ଧି ରଖି ମୁଁ ଏକ କାଚ ମଧ୍ୟ ଦେଇ ସେପାଖକୁ ଦେଖିବାକୁ ଚେଷ୍ଟା କରୁଥିଲି, ସତେଅବା ଗୋଟିଏ ମହୁଫେଣା ଭିତରକୁ ଅନାଇ କେହି ଦେଖି ପାରୁନଥିବା ମହୁମାଛି ମାନଙ୍କର କାର୍ଯ୍ୟକୁ ଦେଖିବାଲାଗି ଇଚ୍ଛା କରୁଥିଲି ।

 

ସତେଯେପରି ଗୋଟିଏ କୃଷକବାଳକର ବିଶୁଦ୍ଧ ଓ ନିର୍ଦ୍ଦୋଷ ଆତ୍ମାଟି ପ୍ରତି ମୁଁ କୌଣସି ଅବିଚାର କରି ପକାଇଥିବା ପରି ବୋଧ ହେଉଥିଲା । ସତେ ଯେପରି କୌଣସି ଏକ ବଡ଼ ଅପବିତ୍ର କାର୍ଯ୍ୟରେ ଲିପ୍ତ ଥିଲାପରି ଲାଗୁଥିଲା ।

 

ଏପରି ଅନେକ ପିଲାଙ୍କ କଥା ମୋ’ର ମନେ ଥିଲା, ଯେଉଁମାନଙ୍କୁ କି ପୁରା ନିକିମା ଓ ପଥଭ୍ରଷ୍ଟ ବୃଦ୍ଧ ବ୍ୟକ୍ତିମାନେ ଆପଣାର ଅନୁର୍ବର ଓ କ୍ଷୀଣ ହୋଇ ଯାଇଥିବା କଳ୍ପନାଗୁଡ଼ିକୁ କିଞ୍ଚିତ୍ ଉତ୍ତେଜନା ଆଣି ଦେବାର ଅଭିପ୍ରାୟରେ ନିଜକୁ ନେଇ ଦେଖାଇ ହେବାକୁ ବାଧ୍ୟ କରୁଥିଲେ । ତଥାପି, ଯୁଗପତ୍ ଭାବରେ ମୁଁ ଏକ ତୀକ୍ଷ୍ଣ ଆନନ୍ଦ ମଧ୍ୟ ଅନୁଭବ କରୁଥିଲି; ଆଗରୁ କେବେହେଲେ ଦେଖିନଥିବା କୌଣସି ବ୍ୟାପାରକୁ ଦେଖିପାରିଲେ ଜଣେ ବ୍ୟକ୍ତିକୁ ଯେଉଁପରି ଆନନ୍ଦ ମିଳେ, ଠିକ୍ ସେହିପରି ।

 

ଏହି କଥାଟି ଦ୍ଵାରା ମୋ’ ମନରେ ଯେଉଁ ଛାପଟି ଆସି ପଡ଼ିଥିଲା, ମୁଁ ତାହାକୁ ଯଥାର୍ଥରେ ବୁଝାଇ କହି ପାରିବାକୁ ପ୍ରକୃତରେ ବହୁତ ଦିନ ଲାଗିଥିଲା । ଅବଶ୍ୟ ମୁଁ ଅତ୍ୟନ୍ତ ସଚେତନ ଭାବରେ ଜାଣି ପାରୁଥିଲି ଯେ, ଏହିପରି ଛାପଟିଏ ଜଣେ ମନୁଷ୍ୟକୁ ତା’ର ପରିପକ୍ଵ ଜୀବନାବସ୍ଥାରେ ଜୀବନକୁ ବଞ୍ଚିବାର ଏକ ଉଚ୍ଚତର ଭୂମିକୁ ହିଁ ଉତ୍ତୋଜିତ କରି ନେଇଥାଏ; ତାହା ସେହି ବ୍ୟକ୍ତିକୁ ତା’ର ପୁରାତନ ଭୂମିଟିକୁ ଛାଡ଼ି ଆସିବାକୁ ବାଧ୍ୟ କରେ; ସିଏ ଯେପରି ପୂର୍ଣ୍ଣ ଓ ସଙ୍କୋଚଶୂନ୍ୟ ଭାବରେ ନିଜକୁ ଏହି ନୂତନ ଭୂମିଟି ନିମନ୍ତେ ସମର୍ପିତ କରିଦେଇ ପାରିବ, ତାହାର ପଥ ପରିଷ୍କାର କରି ଦେଇଥାଏ ।

 

ସେଦିନ ସନ୍ଧ୍ୟାରେ ମୋ’ ଭିତରେ ଯେଉଁ ଭାବର ଉଦୟ ହୋଇଥିଲା, ସେହି ଅନୁଭବର ଯଥାର୍ଥତା ବିଷୟରେ ମୁଁ ତହିଁ ଆରଦିନ କଳ୍ପନା ବି କରି ପାରିଲିନାହିଁ । ଏହି କଥାଟି ମୋତେ ଏକାବେଳକେ ବିଚିତ୍ର ବୋଲି ମନେହେଲା ଯେ ଜଣେ ଅର୍ଦ୍ଧଶିକ୍ଷିତ କୃଷକର ଏହି ବକଟେନାକୁ ପିଲା ନିଜ ଭିତରେ ହଠାତ୍ ଏପରି ଏକ ସଚେତନ ଓ କଳାତ୍ମକ ସାମର୍ଥ୍ୟକୁ ବିକଶିତ କରି ଆଣିଥିଲା, ଯାହାକୁ କି ସ୍ଵବିକାଶର ଯାବତୀୟ ଅମାପ ଉଚ୍ଚତା ସତ୍ତ୍ୱେ ମହାକବି ଗୁଏଟ ମଧ୍ୟ ବିକାଶ କରି ପାରିନଥିଲେ । ମୋ’ର ଏପରି ବି ମନେ ହୋଇଥିଲା ଯେ, ଏହି “ଶୈଶବଟିର” ନିର୍ମାତା ମୋ’ଭଳି ଜଣେ ବ୍ୟକ୍ତି, ଯିଏକି ରୁଷିଆଦେଶର ସାହିତ୍ୟିକ ଜଗତର କଳାତ୍ମକ ପ୍ରତିଭାର କ୍ଷେତ୍ରରେ ସ୍ଵୀକୃତ ହେଲାଭଳି କିଛି ସଫଳତା ଓ ଖ୍ୟାତି ଅର୍ଜନ କରି ସାରିଛି, ସିଏ ମଧ୍ୟ କଳାର ବ୍ୟାପାରରେ ଏହି ଏଗାର ବର୍ଷର ଦୁଇଟା ପିଲା–ଫେଡ଼କା ଓ ସେମକାଙ୍କୁ ବାଟ ଦେଖାଇ ପାରିବାକୁ ଅଥବା କୌଣସି ସାହାଯ୍ୟ ଦେବାକୁ କେବଳ ଯେ ଅସମର୍ଥ ବୋଲି ପ୍ରମାଣିତ ହେଲା ତା’ ନୁହେଁ, ମାତ୍ର, କେବଳ ଏକ ଉଦ୍ଦୀପିତ ତଥା ପୁଲକପୂର୍ଣ୍ଣ ମୁହୂର୍ତ୍ତରେ ସେମାନଙ୍କୁ ମାତ୍ର ଅଳ୍ପ ପରିମାଣରେ ବୁଝିପାରିଲା ଓ କିଞ୍ଚିତ ଧାରଣା ମଧ୍ୟ କରିପାରିଲା । ଏକଥା ମୋତେ ପ୍ରକୃତରେ ଅତ୍ୟନ୍ତ ବିଚିତ୍ର ଲାଗିଲା ଏବଂ, ପୂର୍ବଦିନର ସନ୍ଧ୍ୟାରେ ଯାହା ଘଟି ଯାଇଥିଲା, ତାହାକୁ ମୁଁ ବିଶ୍ଵାସ ବି କରି ପାରୁନଥିଲି ।

 

ତହିଁ ଆରଦିନ ଆମେ ସେହି ଗପଟିକୁ ଅଧାରୁ ପୁଣି ଆରମ୍ଭ କଲୁ । କାହାଣୀଟିରେ ପରେ ଆଉ କ’ଣସବୁ କିପରି ଘଟିଥିବ ବୋଲି ମୁଁ ଫେଡ଼କାକୁ ପଚାରିବାରୁ, ସିଏ କୌଣସି ଭାବେ ଜବାବ ଦେଇନଥିଲା ମାତ୍ର ଦୁଇ ହାତକୁ ହଲାଇ କେବଳ ଏତିକି କହିଲା :

 

“ମୋତେ ଜଣା ଅଛି, ସବୁ ଜଣା ଅଛି । ଆଜି କିଏ ଲେଖିବ ?”

 

ଆମେ ପରବର୍ତ୍ତୀ କଥାଗୁଡ଼ିକୁ ଲେଖିବାକୁ ଆରମ୍ଭ କଲୁ ଏବଂ, ଅନ୍ତତଃ ପିଲାମାନଙ୍କର ଦୃଷ୍ଟିରୁ ବିଚାର କରି ଦେଖିଲେ, ସେଥିରେ ପୂର୍ବପରି ସେହି କଳାତ୍ମକ ସତ୍ୟ, ଅନୁପାତ ଓ ଉତ୍ସାହ ପୂର୍ଣ୍ଣ ହୋଇ ରହିଥିଲା ।

 

ମୋତେ ସେଦିନ ଅଧାରୁ ପିଲାମାନଙ୍କୁ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ହେଲା । ମୁଁ ନଥିଲେ ମଧ୍ୟ ସେମାନେ ସେହି କାର୍ଯ୍ୟଟିକୁ ବନ୍ଦ କରିନଥିଲେ ଏବଂ ଠିକ୍ ପ୍ରଥମଟି ପରି ଅତ୍ୟନ୍ତ ସୁନ୍ଦର ଭାବରେ, ପରିପୂର୍ଣ୍ଣ ସହାନୁଭୂତି ସହିତ ଓ ପୂର୍ଣ୍ଣ ନିଷ୍ଠା ଦେଇ ଦୁଇଟି ପୃଷ୍ଠା ଲେଖି ପାରିଲେ । ଟିକିନିଖି କଥାସାମଗ୍ରୀ ଦୃଷ୍ଟିରୁ ଏହି ଦୁଇ ପୃଷ୍ଠା ଅବଶ୍ୟ ସେତେ ଭଲ ହୋଇନଥିଲା । ଏବଂ ବେଳେ ବେଳେ ପୂର୍ଣ୍ଣ କୌଶଳର ସହିତ ଲେଖା ମଧ୍ୟ ହୋଇନଥିଲା । ଦୁଇ ଜାଗାରେ ପୁନରାବୃର୍ତ୍ତି ହୋଇ ଯାଇଥିଲା । ରଚନାଟାର ଗଠନପ୍ରକ୍ରିୟା ବିଷୟରେ ପିଲାମାନେ କିଛି ଅଶ୍ଵସ୍ତି ଅନୁଭବ କରିବାରୁ ସେହି ପୁନରାବୁର୍ତ୍ତି ହୋଇ ଯାଇଥିଲା । ତୃତୀୟ ଦିନ ମଧ୍ୟ ସେହିକଥା ଘଟିଲା ।

 

ଏହିସବୁ ଶ୍ରେଣୀକାର୍ଯ୍ୟରେ ଅନ୍ୟ ପିଲାମାନେ ମଧ୍ୟ ଅଧିକାଂଶ ସମୟରେ ଉପସ୍ଥିତ ରହୁଥିଲେ ଏବଂ କାହାଣୀଟିର ଭାବ ତଥା ସ୍ଵଭାବଟିକୁ ଜାଣିଥିବାରୁ ସେମାନେ ମଧ୍ୟ ସୂଚନା ଓ ପରାମର୍ଶମାନ ଦେଇ ପାରୁଥିଲେ ଏବଂ ନିଜର ଅବଦାନ ଗୁଡ଼ିକ ଯୋଡ଼ି ଦେଇ ପାରୁଥିଲେ । ସେମକା ସେମାନଙ୍କ ମେଳରୁ ଚାଲିଗଲା ଓ ଆଉ ଆସିନଥିଲା । କେବଳ ଫେଡ଼କା ହିଁ କାହାଣୀର ମୂଳରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲା ଏବଂ ପ୍ରସ୍ତାବିତ ଯାବତୀୟ ପରିବର୍ତ୍ତନରେ ବିଚାରକ ରୂପେ କାର୍ଯ୍ୟ କରିଥିଲା ।

 

ସଫଳତା ଲାଭ କରିବା ଯେ ଏକ ନିତାନ୍ତ ଆକସ୍ମିକ ଘଟଣା, ସେଥିରେ ସନ୍ଦେହ କରିବାର କୌଣସି ଅବକାଶ ନାହିଁ । କେବଳ ଅତ୍ୟନ୍ତ ଆକସ୍ମିକ ଭାବରେ ହିଁ ଆମେ ଏପର୍ଯ୍ୟନ୍ତ ପରୀକ୍ଷା କରି ଦେଖିଥିବା ସବୁଠାରୁ ଅଧିକ ସ୍ଵାଭାବିକ ଓ ଅଧିକ ପ୍ରେରଣାଦାୟକ ପଦ୍ଧତିଟିରେ ଆସି ଉପନୀତ ହୋଇ ଯାଇଥିଲୁ । ମାତ୍ର, ଏହି ସବୁକିଛି ଅତ୍ୟନ୍ତ ଅଭୂତପୂର୍ବ ଭାବରେ ଘଟିଥିଲା ଏବଂ ମୋ’ ଆଖିଆଗରେ ଘଟି ଯାଉଥିବା କଥାଗୁଡ଼ିକୁ ମୁଁ ପ୍ରକୃତରେ ମୋଟେ ବିଶ୍ଵାସ କରି ପାରୁନଥିଲି, ମୋ’ର ସନ୍ଦେହଗୁଡ଼ିକୁ ଅପସାରିତ କରି ଦେବାପାଇଁ ଏକ ଅସାଧାରଣ ଆକସ୍ମିକତା ପରି ବୋଧ ହେଉଥିବା କୌଣସି କିଛିଟିଏର ପ୍ରୟୋଜନ ରହିଥିଲା ।

 

ମୁଁ ତା’ପରେ ବେଶ୍ କିଛିଦିନ ପାଇଁ ବାହାରକୁ ଚାଲି ଯାଇଥିଲି ଏବଂ କାହାଣୀଟି ଅସମାପ୍ତ ରହିଗଲା । ମୁଁ ଯେଉଁ ଶିକ୍ଷକଙ୍କୁ ସେଇଟିକୁ ଦେଖାଇ ଆସୁଥିଲି, କାହାଣୀଟି ତାଙ୍କର କୋଠରୀରେ ରହି ଯାଇଥିଲା । ବଡ଼ ବଡ଼ ପୃଷ୍ଠାରେ ଏକାବେଳେକେ ତିନି ପୃଷ୍ଠା ଲେଖା ହୋଇଥିବା ଗୋଟିଏ କାହାଣୀ ।

 

ମୁଁ ବାହାରକୁ ଚାଲିଯିବାର ଠିକ୍ ପୂର୍ବରୁ, ଯେତେବେଳେ ମୁଁ ସେହି କାହାଣୀଟିକୁ ନେଇ ବ୍ୟସ୍ତ ଥିଲି, ନୂଆ ହୋଇ ଆମ ବିଦ୍ୟାଳୟକୁ ଆସିଥିବା ଗୋଟିଏ ପିଲା ଅନ୍ୟ ପିଲାମାନଙ୍କୁ କାଗଜରେ ଉଡ଼ାଜାହଜ ତିଆରି କରିବାର କୌଶଳକୁ ଶିକ୍ଷା ଦେଉଥିଲା । ସେତେବେଳେ ସତେଯେପରି ସାରା ଇସ୍କୁଲ କାଗଜରେ ଉଡ଼ାଜାହଜ ତିଆରି କରିବାରେ ଲାଗି ଯାଇଥିଲା । ଏହିଭଳି ହେବା ଅବଶ୍ୟମ୍ଭାବୀ ଥଲା । କେବେ ସାରା ଇସ୍କୁଲ କାଠିମାନ ବଙ୍କା କରି କ’ଣ ସବୁ କରୁଥିଲେ, ତା’ପରେ ତୁଷାର-ବଲ୍‍ର ସମୟ ଆସିଥିଲା ଏବଂ ତା’ପରେ କାଗଜରେ ଉଡ଼ାଜାହଜ ତିଆରି କରି ଉଡ଼ାଇବାର ଏହି ଖେଳଟି ।

 

କାଗଜରୁ ଉଡ଼ାଜାହଜ ତିଆରି କରିବାର ଏହି ସମୟଟି ବେଳେ ମୁଁ ବାହାରକୁ ଯାଇଥିଲି-। ସମବେତ ସଙ୍ଗୀତର ଗୋଷ୍ଠୀରେ ଥିବା ସେମକା ଓ ଫେଡ଼କା ଗୀତ ଗାଇବାଲାଗି ଗୀତଶିକ୍ଷକଙ୍କର ପ୍ରକୋଷ୍ଠକୁ ଯାଉଥିଲେ; ସେଠାରେ ସେମାନଙ୍କର ସାରା ସନ୍ଧ୍ୟାବେଳଟା ଓ ବେଳେ ବେଳେ ସାରା ରାତିଟା ମଧ୍ୟ ବିତି ଯାଉଥିଲା ।

 

ମଝିରେ ଯେତେବେଳେ ଫୁରସତ ମିଳୁଥିଲା, ଏପରିକି ଗୀତ ଗାଇବା ସମୟରେ ମଧ୍ୟ ଉଡ଼ାଜାହଜ ତିଆରି କରି ଉଡ଼ାଇବାର ଏହି ଖେଳଟି ପୂରା ଦମରେ ଚାଲିଥିଲା ଏବଂ ସେମାନଙ୍କ ହାତରେ ଯେତେବେଳେ ଯେଉଁ କାଗଜ ଆସି ପଡ଼ି ଯାଉଥିଲା, ସେଥିରୁ ସେମାନେ ଉଡ଼ାଜାହଜ ତିଆରି କରିବାରେ ଲାଗି ଯାଉଥିଲେ । ଦିନେ ରାତିରେ ଶିକ୍ଷକ ଖାଇବାକୁ ଚାଲିଗଲେ; ତାଙ୍କ ଟେବୁଲ ଉପରେ ଥିବା କୌଣସି ଜାଗଜକୁ ନଛୁଇଁବା ବିଷୟରେ ସେ ପିଲାମାନଙ୍କୁ ସାବଧାନ କରିଦେଇ ଯାଇଥିଲେ । ଏବଂ, ତଥାପି, ସଙ୍ଗୀତର ଲିପିମାନ ଲେଖା ହୋଇଥିବା ଟେବୁଲ୍ ଉପରେ ଥିବା ସବୁଯାକ ପାଣ୍ଡୁଲିପି ଉଡ଼ାଜାହଜରେ ରୂପାନ୍ତରିତ ହୋଇ ଯାଇଥିଲେ ।

 

ତହିଁ ଆରଦିନ । ସ୍କୁଲ ଆରମ୍ଭ ହୋଇ ନଥାଏ । କାଗଜରେ ଉଡ଼ାଜାହଜ ବନାଇବାର ଏହି ଉତ୍ସାହଟା ସ୍ଵୟଂ ପିଲାମାନଙ୍କୁ ମଧ୍ୟ ଏପରି ଏକ ଅକାର୍ଯ୍ୟ ବୋଲି ମନେ ହେଉଥିଲା ଯେ, ସେମାନେ ସେଇଟି ଉପରେ ଏକ ସାମୂହିକ ନିଷେଧାଜ୍ଞା ଜାରି କରିଦେଲେ । ଉଚ୍ଚ ଚିତ୍କାର କରି ଏବଂ ଦ୍ରୂତ ଭାବରେ ଧାଇଁ ଧାଇଁ ସେମାନେ ବନା ହୋଇଥିବା ଉଡ଼ାଜାହଜ ଗୁଡ଼ିକୁ ଏକତ୍ର ସଂଗ୍ରହ କରି ଆଣିଲେ ଏବଂ ସମସ୍ତଙ୍କର ସମ୍ମିଳିତ ଉତ୍ସାହରେ ସେଗୁଡ଼ିକୁ ଚୁଲି ଭିତରେ ନେଇ ପକାଇ ଦିଆଗଲା ।

 

ଏହିପରି ଭାବରେ କାଗଜ ଉଡ଼ାଜାହଜର ସମୟଟି ସରିଗଲା, ମାତ୍ର ତା’ ସହିତ ଆମ କାହାଣୀଲେଖାର ପାଣ୍ଡୁଲିପିଟି ମଧ୍ୟ ଧ୍ଵଂସ ହୋଇ ଯାଇଥିଲା ।

 

ଏହି ତିନି ପୃଷ୍ଠାର ଲେଖାକାଗଜକୁ ହରାଇବାପରି ଆଗରୁ ମୋ’ର କୌଣସି କ୍ଷତି ମୋତେ ପ୍ରକୃତରେ ଏତେ ବେଶୀ ବାଧିନଥିଲା । ମୁଁ ଏକାବେଳେ ହତାଶ ହୋଇ ପଡ଼ିଥିଲି ।

 

ହାତ ପାପୁଲି ଦୁଇଟାକୁ ଟାଣମୁଠା କରି ବାଡ଼େଇ ବାଡ଼େଇ ମୁଁ କାହାଣୀଟିକୁ ପୁନର୍ବାର ଲେଖିବାର ଉଦ୍ୟମ ଆରମ୍ଭ କରିଦେଲି, -ତଥାପି ହୋଇଯାଇଥିବା କ୍ଷତିଟିକୁ ମୋଟେ ଭୁଲି ପାରିଲିନାହିଁ । ଏବଂ, ଯେତେ ଇଚ୍ଛା ହେଉନଥିଲେ ମଧ୍ୟ ମୁଁ ସମ୍ପୃକ୍ତ ସେହି ଶିକ୍ଷକଙ୍କ ଉପରେ ମୋ’ର ଗାଳିଗୁଡ଼ିକୁ ନେଇ ଅଜାଡ଼ି ଦେଉଥିଲି । ତା’ସହିତ କାଗଜ–ଉଡ଼ାଜାହଜ ତିଆରି କରିଥିବା ପିଲାମାନଙ୍କୁ ମଧ୍ୟ ।

 

ମୁଁ ଯେ ନିଜ ଭିତରେ ଖୁବ୍ ଅଶାନ୍ତ ହୋଇ ପଡ଼ିଥିଲି ତାହା ବେଶ୍ ଲକ୍ଷ୍ୟ କରି ପାରୁଥିଲେ । ମାତ୍ର ସେମାନେ ତାହାର କାରଣ ବା କିପରି ଜାଣନ୍ତେ,–ତେଣୁ ମୋ’ ପ୍ରତି ସେମାନଙ୍କର ଅତ୍ୟନ୍ତ ସହାନୁଭୂତି ପାଉଥିବା ପରି ମନେ ହେଉଥିଲା । ଶେଷକୁ, କାହାଣୀଟିକୁ ସିଏ ଆଉ ଥରେ ଲେଖିଦେବ ବୋଲି ଫେଡ଼କା ଅତ୍ୟନ୍ତ କାତର ଭାବରେ ଆସି ପ୍ରସ୍ତାବ ଦେଲା ।

 

ମୁଁ ଉତ୍ତର ଦେଲି, “ତେବେ ପୂରା ନିଜେ ସବୁକିଛି କରିବାକୁ ହେବ । ମୁଁ କୌଣସି ପ୍ରକାରେ ସାହାଯ୍ୟ କରିବି ନାହିଁ ।”

 

ଫେଡ଼କା କହିଲା, “ମୁଁ ଆଉ ସେମକା ରାତିରେ ଆସି ଆପଣଙ୍କ ଘରେ ରହିବୁ ।”

 

ଏବଂ, ପ୍ରକୃତରେ ସେହିପରି ଘଟିଲା । ସ୍କୁଲ ସରିବାପରେ ସେମାନେ ପ୍ରାୟ ନଅଟା ବେଳେ ମୋ’ ଘରକୁ ଆସିଲେ ଏବଂ ମୋ’ ପକାଘରେ ଯାଇ ବସିଲେ । ଭିତରୁ କବାଟ ବନ୍ଦ କରିଦେଲେ । ପରସ୍ପର ଭିତରେ କିଛି ସମୟ ପର୍ଯ୍ୟନ୍ତ ହସାହସି ହେଉଥାନ୍ତି ଓ ବାହାରୁ ତାହା ଶୁଣି ମତେ ଏତେ ଟିକିଏ ହେଲେ ଭଲ ଲାଗୁନଥାଏ । ମାତ୍ର ତା’ପରେ ସେମାନେ ଚୁପ୍ ହୋଇଗଲେ । ରାତି ବାରଟା ସମୟରେ ମୁଁ ଦୁଆର ପାଖକୁ ଯାଇ ସେମାନେ ଥିରି ଥିରି କଥାବାର୍ତ୍ତା ହେଉଥିବାର ଶୁଣିବାକୁ ପାଇଲି । କଲମ ଚାଲିଥିବାର ଚର୍ ଚର୍ ଶବ୍ଦ ମଧ୍ୟ ଶୁଣାଯାଉଥାଏ । ସେମାନେ କେବଳ ଥରେ ବାହାରକୁ ଆସି ମୂଳ ନକଲିଟିରେ ଥିବା ଗୋଟିଏ ବିଷୟରେ ମୋତେ କିଛି ପଚାରିଥଲେ,–ସେମାନେ ମୋ’ର ମତ ଜାଣିବାକୁ ଚାହିଁଥିଲେ ।

 

ମୁଁ ସଙ୍ଗତ ଉତ୍ତରଟିଏ ଦେଇଥିଲି ।

 

ରାତି ବାରଟା ସମୟରେ ମୁଁ କବାଟ ଠକଠକ କଲି ଓ ଭିତରକୁ ଗଲି ।

 

କଳା ରୁମ ଥିବା ନିଜର ଧଳା ପରିଚ୍ଛଦଟି ପିନ୍ଧି ଫେଡ଼କା ଆରାମ ଚଉକିଟି ଉପରେ ପୋତି ହୋଇ ଯାଇଥିଲା ପରି ବସିଥାଏ,–ଗୋଟାଏ ଗୋଡ଼କୁ ଆରଟା ଉପରେ ରଖିଥାଏ–ଅଲରା ବାଳ ଥିବା ତା’ର ମୁଣ୍ଡଟି ଗୋଟିଏ ହାତକୁ ଭରା କରି ରହିଥାଏ ଓ ଅନ୍ୟ ହାତଟିରେ କତୁରୀକାମ ଚାଲିଥାଏ । କଳା ରଙ୍ଗର ତା’ର ଏଡ଼େ ଏଡ଼େ ଆଖିଦୁଇଟା ଏକ ଅସ୍ଵାଭାବିକ ଅଥଚ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିପକ୍ଵ ଆଲୋକରେ ଜକଜକ ଦିଶୁଥାଏ ଏବଂ ତା’ର ଓଠ ଦୁଇଟା ସତେଅବା ସିସିରି ମାରିବାକୁ ଯାଉଥିବା ପରି ଆଗକୁ ବାହାରି ପଡ଼ି ଉଚିତ ବାକ୍ୟାଂଶ ଓ ଶବ୍ଦଟି ଲାଗି ଅପେକ୍ଷା କରି ରହିଥାଏ । ତା’ର କଳ୍ପନା ଭିତରେ ସବୁ ପ୍ରସ୍ତୁତ ହୋଇ ସରିଥାଏ ସିନା, ମାତ୍ର ସିଏ ତାକୁ ଉଚିତ ଅଭିବ୍ୟକ୍ତି ଦେବାକୁ ଚେଷ୍ଟା କରୁଥାଏ ।

 

ସେମକା ଗୋଟାଏ ବଡ଼ ଲେଖିବା ଟେବୁଲ୍ ଆଗରେ ଛିଡ଼ା ହୋଇଥାଏ, ତା’ ପିଠିଉପରେ ଗୋଟାଏ ଧଳା ରଙ୍ଗର ମେଣ୍ଢାଚମର ପୋଷାକ ଏଡ଼େ ବଡ଼ ଦେଖାଯାଉଥିଲା (ଦରଜୀମାନେ ଏବେ ଅଳ୍ପଦିନ ତଳେ ଗାଆଁକୁ ଆସିଥିଲେ), ଅଣ୍ଟାରେ ତା’କମରପଟୀ ଭିଡ଼ାହୋଇ ବନ୍ଧାହୋଇଥାଏ । ତା’ ମୁଣ୍ଡର ବାଳଗୁଡ଼ିକ ମଧ୍ୟ ଅଲରା ହୋଇ ପଡ଼ିଥାଏ । ସିଏ ବଙ୍କା ବଙ୍କା ଧାଡ଼ିରେ କ’ଣସବୁ ଲେଖି ଯାଉଥାଏ ଏବଂ କଲମଟାକୁ ଦୁଆତ ଭିତରେ ବାରବାର ବୁଡ଼ାଇବାରେ ଲାଗିଥାଏ ।

 

ମୋ’ନିଜ ହାତରେ ସେମକାର ବାଳକୁ ଆହୁରି ଅସ୍ତବ୍ୟସ୍ତ କରିଦେଲି ଏବଂ, ନିଜର ଏଡ଼େ ବଡ ଗୋଲିଆ ମୁହଁ, ଉଚ୍ଚ ଉଚ୍ଚ ହନୁ ଓ ଅସ୍ତବ୍ୟସ୍ତ ବାଳଗୁଡ଼ାକ ସହିତ ଅତ୍ୟନ୍ତ ଭାବନାଗମ୍ଭୀର ଓ ନିଦ୍ରାଳସ ଆଖିରେ ସିଏ ଯେତେବେଳେ ତାଟଙ୍ଗା ହୋଇ ମୋ’ ଆଡ଼କୁ ମୁହଁ ବୁଲାଇ ଅନାଇଲା, ସେତେବେଳେ ସମସ୍ତ ଦୃଶ୍ୟଟା ଏଡ଼େ ହାସ୍ୟକାର ମନେ ହେଲା ଯେ, ମୁଁ ଏକାବେଳେକେ ଠୋ’ କରି ହସି ଉଠିଲି । ମାତ୍ର, ପିଲାଦୁଇଟି ଏତେ ଟିକିଏ ହସିଲେନାହିଁ ।

 

ଆପଣାର ମୁଖମୁଦ୍ରାରେ ଆଦୌ ଏତେଟିକିଏ ପରିବର୍ତ୍ତନ ନକରି ଫେଡ଼କା ସେମକାର କମିଜଟାକୁ ଟାଣିଦେଲା ଓ ତା’ର ଲେଖାକୁ ଅବ୍ୟାହତ ରଖିବାଲାଗି ନିର୍ଦ୍ଦେଶ ଦେଲା ।

 

ଏବଂ, ମୋତେ ଉଦ୍ଦେଶ୍ୟ କରି କହିଲା, ତୁମେ ଟିକିଏ ଅପେକ୍ଷା କର, ଆଉ ଗୋଟିଏ ମିନିଟରେ ଆମ କାମ ସରିଯିବ (ଉତ୍ତେଜିତ ଓ ଉତ୍ସୁକ ହୋଇଥିବା ସମୟରେ ସିଏ ମୋତେ ଏହିପରି ‘ତୁମେ’ ବୋଲି ସମ୍ବୋଧନ କରୁଥିଲା ।) । ତା’ ପରେ ସିଏ ଆଉ କିଛି ଡାକି କହିଦେବାରେ ଲାଗିଲା ।

 

ସେମାନଙ୍କ ଠାରୁ ସେମାନେ ଲେଖିଥିବା କାଗଜଗୁଡ଼ିକୁ ନେଲି ଏବଂ, ଠିକ୍ ପାଞ୍ଚ ମିନିଟ ପରେ, ଯେତେବେଳେ ସେମାନେ ଖାଦ୍ୟପଦାର୍ଥ ରଖା ଯାଇଥିବା ଆଲମିରା ପାଖରେ ବସି ସିଝା ଆଳୁ ଏବଂ ପଇତି ଖାଉଥିବା ସମୟରେ, ଆଗରୁ ଅତ୍ୟନ୍ତ ଅନଭ୍ୟସ୍ତ ଥିବା ରୂପାଚାମଚ ଗୁଡ଼ିକ ଉପରେ ଆଖି ବୁଲାଇ ଆଣୁଥିଲେ, ସେମାନେ ସେତେବେଳେ ସତେଅବା ଆଦୌ କୌଣସି କାରଣ ନଜାଣି ଆପଣାର ବାଳକସୁଲଭ ଭଙ୍ଗୀରେ ପୂରା ଠୋ’ ଠୋ’ କରି ହସି ଉଠିଲେ । ସେହି କୋଠରୀରେ ଥିବା ପରିଚାରିକା ବୃଦ୍ଧାଟି ମଧ୍ୟ ସେମାନଙ୍କୁ ଏପରି ଭାବରେ ହସିବାକୁ ଦେଖି ନିଜେ ହସିବାରେ ଲାଗିଲା; ସିଏ ମଧ୍ୟ ନିଜର ହସିବାର କାରଣଟିକୁ ଜାଣିନଥିଲା ।

 

ସେମକା କହିଲା, “ଏମିତି କ’ଣ ପାଇଁ ବୋହି ପଡ଼ୁଛୁ ? ସିଧା ହୋଇ ବସ, ନହେଲେ ପାଟି କାମୁଡ଼ି ପକାଇବୁ !”

 

ଖାଇସାରି, ଦେହରୁ ପରିଚ୍ଛଦ କାଢ଼ି ଦେଇ ସେମାନେ ଯେତେବେଳେ ପୁର୍ନବାର ଅବଶିଷ୍ଟ ରାତିଟା ପାଇଁ ଲେଖିବା ଟେବୁଲ୍ ପାଖରେ ବସିବାକୁ ଯାଉଥଲେ ସେତେବେଳେ ମଧ୍ୟ ସେମାନେ ଏକ କୃଷକପିଲାର ସେହି ଅତ୍ୟନ୍ତ ଆକର୍ଷକ, ସୁସ୍ଥ ହସରେ କଳ କଳ ହୋଇ ବହିଯିବାରେ ଲାଗିଥାନ୍ତି । ମୁଁ ସେମାନଙ୍କର ଲେଖାଟିକୁ ପଢ଼ିଲି । ଆଗ କାହାଣୀଟିରେ କେତୋଟି ନୂଆ ପରିବର୍ତ୍ତନ ବି ଦେଖିବାକୁ ମିଳିଲା କେତେକଥା ଛାଡ଼ି ହୋଇ ଯାଇଥିଲା, ଏବଂ କଳାତ୍ମକ ଅପୂର୍ବ ସୌନ୍ଦର୍ଯ୍ୟ ବହନ କରୁଥିବା କେତେକେ ନୂଆ କଥା ମଧ୍ୟ ଯୋଡ଼ିହୋଇ ଯାଇଥିଲା । ମାତ୍ର, ପୂର୍ବର ସେହି ସୌନ୍ଦର୍ଯ୍ୟ, ସତ୍ୟ ଏବଂ ଅନୁପାତିକତା ସଂପୂର୍ଣ୍ଣ ଭାବରେ ଅତୁଟ ରହିଥିଲା ।

 

ପରେ ହଜି ଯାଇଥିବା ପାଣ୍ଡୁଲିପିର ଗୋଟିଏ ପୃଷ୍ଠା ଆମେ ପୁର୍ନବାର ପାଇଗଲୁ । ଯେତେବେଳେ କାହାଣୀଟି ଛପା ହେଲା, ସେତେବେଳେ ମୁଁ ଦୁଇଟିଯାକକୁ ଯଥାସମ୍ଭବ ଯେତେବେଳେ ମିଳାଇ ନେଇଥିଲି–ନିଜେ କିଛି ମନେ ପକାଇନେଲି ଓ ମିଳିଥିବା ଫର୍ଦ୍ଦଟି ମଧ୍ୟ ମୋତେ ସାହାଯ୍ୟ କରିପାରିଲା । ସ୍କୁଲବର୍ଷ ଶେଷ ହେବା ବେଳକୁ ଏହି ଗଳ୍ପଟିର ରଚନା ସମ୍ପନ୍ନ ହୋଇଗଲା । ସେତେବେଳକୁ ବସନ୍ତ ଋତୁ ଆରମ୍ଭ ହେଉଥାଏ ।

 

ଆଉ କେତେକ ପରିସ୍ଥିତି ହେତୁ ମୁଁ ଆଉ କୌଣସି ନୂଆ ପ୍ରୟୋଗ କରିପାରିନଥିଲି । ଗୋଟିଏ ପ୍ରବଚନକୁ ଭିତ୍ତି କରି ଆଉ କେବଳ ଗୋଟିଏ କାହାଣୀ ଲେଖା ହୋଇଥିଲା । ତାହାକୁ ଏପରି ଦୁଇଜଣ ପିଲା ଲେଖିଥିଲେ, ଯେଉଁମାନଙ୍କର ପ୍ରତିଭା ଅତି ସାମାନ୍ୟ ଧରଣର ଥିଲା ଓ ସେମାନଙ୍କର ବାପାମାନେ କୌଣସି କ୍ଷେତରେ କୋଠିଆ କାମ କରୁଥିଲେ ।

 

ଗ୍ରୀଷ୍ମ ଋତୁର କେତୋଟି ଦିନ ଫେଡ଼କା ଓ ଅନ୍ୟ ବାଳକମାନେ ମୋ ସହିତ ଏକାଠି ରହିଲେ । ଗାଧୁଆ ସରିଲା, ଖେଳ ସରିଲା, ଏବଂ ତା’ପରେ ସେମାନେ କିପରି ସମୟ କଟାଇବେ ବୋଲି ଚିନ୍ତା କରୁଥିଲେ । ସେମାନେ ଗୋଟିଏ ରଚନା ଲେଖନ୍ତୁ ବୋଲି ମୁଁ ସେମାନଙ୍କୁ ପ୍ରସ୍ତାବ ଦେଇଥିଲି । କେତୋଟି ବିଷୟ ମଧ୍ୟ ସୂଚନାରୂପେ କହିଦେଇଥିଲି । ତା’ପରେ ଆତ୍ମଜୀବନୀର ଶୈଳୀରେ ଏପରି ଏକ ବାଳକର କାହାଣୀ ଲେଖିବାକୁ ପ୍ରସ୍ତାବ ଦେଲି, ଯାହାର ବାପା ଅତ୍ୟନ୍ତ ଦରିଦ୍ର ଓ ଦୁରାଚାରୀ ଥିଲେ । ସିଏ ଜଣେ ସୈନ୍ୟ ହିସାବରେ ଯୁଦ୍ଧକୁ ଗଲେ ଓ ତେଣୁ ଫେରିବା ବେଳକୁ ପୂରା ବଦଳି ଯାଇଥିଲେ, ଜଣେ ଅତ୍ୟନ୍ତ ଭଲ ମଣିଷରେ ପରିଣତ ହୋଇ ଯାଇଥିଲେ । ମୁଁ ନିଜେ ଗଳ୍ପଟିକୁ କିପରି ଆରମ୍ଭ କରନ୍ତି, ସେମାନଙ୍କୁ ସେ ବିଷୟରେ ମଧ୍ୟ କହି ଦେଇଥିଲି: “ମୋ’ର ସାନବେଳ କଥା ଖୁବ୍ ମନେ ପଡ଼ୁଛି । ଆମ ଘରେ ମୋ’ର ମାଆ ଥିଲେ, ବାପା ଥିଲେ,–ଆହୁରି କେତେଜଣ ଆତ୍ମୀୟସ୍ଵଜନ ମଧ୍ୟ ବାସ କରୁଥିଲେ ।“ ସେମାନେ ଅମୁକ ଅମୁକ କାମ କରୁଥିଲେ ବୋଲି କହନ୍ତି । “ବାଜା ମଉଜ କରିବାକୁ କେତେ କୁଆଡ଼େ ଚାଲି ଯାଉଥିଲେ ଓ ମାଆ ଘରେ ବସି ଖାଲି କାନ୍ଦୁଥିଲେ । ବାପା ମାଆଙ୍କୁ ମାଡ଼ ମାରୁଥିଲେ । ତା’ପରେ ଦିନେ ବାପାଙ୍କୁ ସୈନ୍ୟବାହିନୀରେ ଗୋଟାଏ କୁଆଡ଼କୁ ପଠାଇ ଦିଆଗଲା । ତା’ ପରେ ଆମ ଘରର ଅବସ୍ଥା ଆଗଠାରୁ ଆହୁରି ଶୋଚନୀୟ ହୋଇପଡ଼ିଲା ଓ ମାଆ ତାହା ଦେଖି ଆହୁରି ଅଧିକ ରୋଦନ କରିବାକୁ ଲାଗିଲେ । ତା’ପରେ ଦିନେ ବାପା ଫେରିଆସିଲେ । ଆମେ ସମସ୍ତେ ତାଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲୁ ଏବଂ ତା’ପରେ ଆମେ ଭଲରେ ରହିଲୁ ।”

 

ଆରମ୍ଭରେ ମୁଁ ଏତିକିମାତ୍ର କହିଦେଲି । ଏହି କାହାଣୀଟି ଫେଡ଼କାକୁ ସମ୍ପୂର୍ଣ୍ଣ ଭାବରେ ମୁଗ୍ଧ କରି ଦେଇଥିଲା । ସିଏ ସଙ୍ଗେ ସଙ୍ଗେ କାଗଜ କଲମ ନେଇ ଲେଖି ବସିଲା । ସିଏ ଲେଖୁଥିବା ସମୟରେ ସେହି ଘରେ ଭଉଣୀଟିଏ ଥିବ ଓ ମାଆବି ମରିଯିବେ ବୋଲି ଏକ ଧାରଣା ଆଣି ଦେଇଥିଲି । ଫେଡ଼କା ବାକୀ ସବୁକିଛି ନିଜେ ଲେଖିଲା । ମୋତେ ଗଳ୍ପଟିର ପ୍ରଥମ ଅଂଶଟି ସିନା ଦେଖାଇଲା,–ମାତ୍ର, କାହାଣୀଟି ସମ୍ପୂର୍ଣ୍ଣ ହେବା ନଯାଏ ମୋତେ କିଛି ଦେଖାଇଲା ବି ନାହିଁ ।

 

ସିଏ ମୋତେ ତା’ କାହାଣୀର ପ୍ରଥମ ଅଂଶଟିକୁ ଦେଖାଇଲା । ମୁଁ ପଢ଼ିବାକୁ ଆରମ୍ଭ କଲି । ମୋତେ ଲାଗିଲା, ଫେଡ଼କା ସେତେବେଳେ ତୀବ୍ର ଆବେଗର ଏକ ସ୍ଥିତିରେ ରହିଥିଲା, ସତେଅବା ଏକାବେଳକେ ନିଷ୍ପନ୍ଦ ହୋଇ ରହିଥିଲା । ବେଳେ ବେଳେ ତା’ ଲେଖାଟି ଆଡ଼କୁ ଅନାଉଥାଏ, ବେଳେ ବେଳେ ମୋ’ ଆଡ଼କୁ ବି ଅନାଉଥାଏ; ମୁଁ ସନ୍ତୋଷ ବା ଅସନ୍ତୋଷ କ’ଣ ପ୍ରକାଶ କରୁଛି, ମୋ, ମୁହଁରୁ ସେହିକଥା ଜାଣିବାକୁ ଚେଷ୍ଟା କରୁଥାଏ ।

 

କାହାଣୀଟି ଖୁବ୍ ଭଲ ହୋଇଛି ବୋଲି ମୁଁ ତାକୁ କହିଲି । ଖୁସିରେ ତା’ର ମୁହଁ ଗୋଟା ସୁଦ୍ଧା ଲାଲ ହୋଇଗଲା । ମାତ୍ର, ତୁଣ୍ଡ ଫିଟାଇ ସିଏ ଆଦୌ କିଛି କହିଲା ନାହିଁ ଏବଂ ଉତ୍ସାହପୂର୍ଣ୍ଣ ଭାବରେ ଥିରି ଥିରି କରି ପାଦ ପକାଇ ସିଏ ନିଜ ଖାତାଟିକୁ ଧରି ପୁଣି ଟେବୁଲ୍ ପାଖକୁ ଚାଲିଗଲା-। ଟେବୁଲ୍ ଉପରେ ସେଇଟିକୁ ରଖିଦେଇ ବାହାରକୁ ଚାଲିଗଲା ।

 

ସେଦିନ ସେ ବାହାରେ ଅନ୍ୟ ପିଲାମାନଙ୍କ ସହିତ ଏକାବେଳକେ ଲଗାମଛଡ଼ା ହୋଇ କେତେ ଖେଳିଲା ଏବଂ, ଯେତେବେଳେ ପୁଣି ମୋ’ ପାଖକୁ ଆସିଲା, ତା’ର ଦୁଇ ଆଖିରେ ମୁଁ କେବଳ କୃତଜ୍ଞତା ଓ ମମତା ହିଁ ଦେଖିବାକୁ ପାଇଥିଲି । ଦିନଟି ବିଦାୟ ନେବା ବେଳକୁ ଫେଡ଼କା ସେଦିନ କ’ଣସବୁ ଲେଖିଥିଲା, ସେସବୁ କୁଆଡ଼େ ପାସୋରି ଦେଇଥିଲା । ହଁ, ମୁଁ ତା’ର ଗପ ପାଇଁ କେବଳ ନାଆଁଟିଏ ଦେଲି, ଅଂଶଗୁଡ଼ିକର ବିଭାଜନ ବିଷୟରେ କେତୋଟି ପ୍ରସ୍ତାବ ଦେଇଥିଲି ଏବଂ କେବଳ ଅସାବଧାନତା ହେତୁ ସିଏ ଠିକ୍ ସେଠି କରିଥିବା କେତେକ ଭୁଲକୁ ସଂଶୋଧନ କରି ଦେଇଥିଲି ।

 

କାହାଣୀର ପ୍ରଥମ ଅଂଶଟି ବିଷୟରେ ମୁଁ କିଛି କହିବିନାହିଁ; ଅବଶ୍ୟ କହିବା ବାହୁଲ୍ୟ ଯେ ଏଥିରେ ଏକ ନିଜସ୍ଵ ଅନନୁକରଣୀୟ ସୌନ୍ଦର୍ଯ୍ୟମାନ ରହିଥିଲା ଏବଂ, ସୈନିକର ଜୀବନଟି ସମ୍ପୂର୍ଣ୍ଣ ଜୀବନ୍ତ ତଥା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲେ ମଧ୍ୟ, ଏହି ଅଂଶଟି ଅନ୍ୟଗୁଡ଼ିକର ତୁଳନାରେ ଅଧିକ ସଂକ୍ଷିପ୍ତ ହୋଇ ଯାଉଥିଲା ପରି ମନେ ହେଉଥିଲା । ମାତ୍ର, ଏଥିରେ ସବୁଯାକ ଦୋଷ ହେଉଛି ମୋ’ର, କାରଣ ସେହି ଅଂଶଟିକୁ ଲେଖିବା ବିଷୟରେ ମୁଁ ପିଲାଟିକୁ କେତେକ ପରାମର୍ଶ ଦେବାର ଲୋଭକୁ ସମ୍ଭାଳି ପାରିନଥିଲି ଏବଂ ସତେଯେପରି ମୁଁ କାହାଣୀଟିକୁ ଲେଖୁଛି, ସେହି ଅନୁସାରେ କେତେକ ପ୍ରସ୍ତାବ ଦେଇ ପକାଇଥିଲି ।

 

ବର୍ଣ୍ଣନା ଭିତରେ ବ୍ୟକ୍ତି ଏବଂ ଗୃହଗୁଡ଼ିକ ପରିଚିତ କରାଇବାରେ ଯଦି କିଛି ଭୁଲ୍ ରହିଥାଏ, ସେଥିପାଇଁ ମଧ୍ୟ କେବଳ ମୋତେ ଦାୟୀ କରାଯିବ । ଯଦି ମୁଁ ତାକୁ ଏକୁଟିଆ ଛାଡ଼ିଦେଇଥାନ୍ତି, ତେବେ ମୋର ପୂର୍ଣ୍ଣ ବିଶ୍ଵାସ ହେଉଛି ଯେ ସିଏ ଏହି କାହାଣୀଟିକୁ ଅଧିକ କଳାତ୍ମକ ଓ କୌଶଳ ସହିତ ନିଶ୍ଚୟ ଲେଖି ପାରିଥାନ୍ତା,–ଆମ କାହାଠାରୁ ମୋଟେ କିଛି ଉଧାର କରିନଥାନ୍ତା, ଆଦୌ କୌଣସି ମିଛ ବର୍ଣ୍ଣନାଶୈଳୀର ସାହାଯ୍ୟ ନେଇ ନଥାନ୍ତା । ସେହି ଶୈଳୀ ଅନୁସାରେ ଆଗ ମୁଖ୍ୟ ଚରିତ୍ରଗୁଡ଼ିକର ବର୍ଣ୍ଣନା ଦେବାକୁ ହୁଏ, ଏପରିକି ସେମାନଙ୍କର ଜୀବନୀ ମଧ୍ୟ ଲେଖିବାକୁ ହୁଏ, ତା,ପରେ ଦୃଶ୍ୟ ତଥା ପରିପାର୍ଶ୍ଵଟିକୁ ବର୍ଣ୍ଣନା କରିବାକୁ ପଡ଼େ ଏବଂ ତା’ପରେ ଯାଇ ଘଟୁଥିବା ଘଟଣା ଭିତରକୁ ଆସିବାକୁ ହୋଇଥାଏ ।

 

ଏବଂ, ବଡ଼ ବିଚିତ୍ର କଥା ହେଉଛି ଯେ, କୋଡ଼ି କୋଡ଼ି ପୃଷ୍ଠା ବ୍ୟାପି ଯାଇଥିବା ଏହିସବୁ ବର୍ଣ୍ଣନା ପାଠକ ପାଖରେ ଚରିତ୍ରଗୁଡ଼ିକ ଯେତେ ପରିଚିତ କରାଇଥାଏ, ଚରିତ୍ରଗୁଡ଼ିକୁ ବର୍ଣ୍ଣନା କରିବା ପୂର୍ବରୁ ହିଁ ମୂଳରେ ହୁଏତ ମାତ୍ର ଗୋଟିଏ କଳାପୂର୍ଣ୍ଣ ମନ୍ତବ୍ୟ ତା’ଠାରୁ ଅନେକ କାର୍ଯ୍ୟ ସାଧନ କରିଥାଏ । ଠିକ୍ ସେହିପରି ଏହି କାହାଣୀଟିର ପ୍ରଥମ ଅଂଶରେ କୃଷକଟିର ପାଟିରୁ କେବଳ “ମୋ’ର ଠିକ୍ ଏହାହିଁ ଦରକାର” ବୋଲି କେତୋଟି ଶବ୍ଦ ଉଚ୍ଚାରିତ ହୋଇଥିଲା । ଯେତେବେଳେ ସିଏ ସୈନ୍ୟ ହୋଇଯିବା ଲାଗି ସ୍ଥିର କଲା, ସେତେବେଳେ ଗାଆଁବାଲା ତା’ ପୁଅଟିକୁ ଦେଖୁଥିବେ ବୋଲି ସେ ସେମାନଙ୍କୁ ଏକ ଅନୁରୋଧ କରିଥିଲା । ଫେଡ଼କା ତା’ର କଳ୍ପନାଶକ୍ତି ପ୍ରୟୋଗ କରି କାହାଣୀଟିକୁ କେତେ କୁଆଡ଼େ ଲମ୍ବାଇ ଦେଇଥିଲା ।

 

ମାତ୍ର, ଏସବୁ ଏଠାରେ ଏତେ ବର୍ଣ୍ଣନା କରି କହିବାର ଅର୍ଥ କ’ଣ ? ଶିକ୍ଷାଶାସ୍ତ୍ରର ସନ୍ଦର୍ଭ କ୍ଷେତ୍ରରେ ଏହି କାହାଣୀଟିର ପ୍ରକୃତରେ କି ତାତ୍ପର୍ଯ୍ୟ ରହିଛି ? ବାଳକଟି ବିଶେଷ ପ୍ରତିଭାସମ୍ପନ୍ନ ହୋଇଥିବାରୁ ହୁଏତ ଏଭଳି ଲେଖି ପାରିଲା । ସେମାନେ ଆମକୁ ଏପରି ବି କହିବେ :

 

“ଏହି ରଚନା ତଥା ଅନ୍ୟ ଗଳ୍ପଗୁଡ଼ିକୁ ଯୋଡ଼ି ଆଣିବାରେ ହୁଏତ ତୁମେ ଶିକ୍ଷକ ମଧ୍ୟ ଅଚେତନ ଭାବରେ ପିଲାଟିକୁ ସାହାଯ୍ୟ କରିଥିବ, ଏବଂ, ଏହି କାର୍ଯ୍ୟଟିରେ ତୁମର କେତେ ଅଂଶ ଓ ନିଜେ ପିଲାଟି ପ୍ରଥମେ କେତେ ଲେଖିଥିଲା, ତାହା ଅଲଗା ଅଲଗା କରି ଦେଖିଇଦେବା ଆଦୌ ସହଜ ନୁହେଁ ।”

 

ଆମକୁ ସେମାନେ କହିବେ, “ହଉ, ଆମେ ସ୍ଵୀକାର କରୁଛୁ ଯେ କାହାଣୀଟି ଖୁବ୍ ଭଲ ହୋଇଛି, ମାତ୍ର ଏଇଟି ସାହିତ୍ୟର କେବଳ ଗୋଟିଏମାତ୍ର ଶୈଳୀର ହିଁ ପ୍ରତିନିଧିତ୍ଵ କରୁଛି ।” ପୁଣି କହିବେ :

 

“ଫେଡ଼କା ଓ ଅନ୍ୟ ଯେଉଁ ବାଳକମାନଙ୍କର ଲେଖାକୁ ତୁମେ ପ୍ରକାଶ କରୁଛ, ସେମାନେ ନିଶ୍ଚୟ ଜଣେ ଜଣେ ବ୍ୟତିକ୍ରମ; ଏତେ ଭାଗ୍ୟ କେତେଜଣଙ୍କର ଥାଏ ?”

 

ସେମାନେ କହିବେ, “ତୁମେ ନିଜେ ଜଣେ ଲେଖକ । ତୁମେ ହୁଏତ କିଛି ଜାଣି ପାରିନଥିବ ଏବଂ ପିଲାମାନଙ୍କୁ ସାହାଯ୍ୟ କରିଥିବ । ଯେଉଁ ଶିକ୍ଷକମାନେ ଲେଖକ ନୁହନ୍ତି, ସେମାନେ ଏକଥା ଆଦୌ କରି ପାରିନଥାନ୍ତି ।”

 

ସେମାନେ କହିବେ : “ଏଥିରୁ ଆମେ କଦାପି କୋଣସି ସାଧାରଣ ନିୟମ କିମ୍ବା ସିଦ୍ଧାନ୍ତରେ ପହଞ୍ଚି ପାରିବା ନାହିଁ । ଏହା ଏକ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ଘଟଣା ସତ, ମାତ୍ର ଏଥିରେ ମୋଟେ ଅଧିକ କୌଣସି ମହତ୍ତ୍ଵ ନାହିଁ ।”

 

ଏହି ଯାବତୀୟ ଆପତ୍ତିର ଉତ୍ତର ଦେବା ସକାଶେ ଏଠାରେ ମୁଁ ନିଜର ଯୁକ୍ତିଗୁଡ଼ିକୁ ଉପସ୍ଥାପିତ କରିବାକୁ ଚେଷ୍ଟା କରିବି ।

 

ସତ୍ୟ, ସୌନ୍ଦର୍ଯ୍ୟ ଏବଂ ମଙ୍ଗଳର ଅନୁଭବ ଜଣେ ବ୍ୟକ୍ତି କେତେ ପରିମାଣରେ ବିକାଶ ଲାଭ କରିପାରିଛି, ତାହା ଉପରେ ଆଦୌ ନିର୍ଭର କରେନାହିଁ । ଏଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଆଦର୍ଶକଳ୍ପନା, ଯାହାକି ଏହିଗୁଡ଼ିକ ଆଡ଼କୁ ଆମେ ହାସଲ କରିଥିବା ସୌଷମ୍ୟଟିକୁ ହିଁ ବ୍ୟକ୍ତ କରୁଥାଏ । ସତ୍ୟ ଆଡ଼କୁ ସମ୍ବନ୍ଧରେ କ୍ଷେତ୍ରରେ ସୌଷମ୍ୟର ଅଭାବକୁ ଆମେ ମିଥ୍ୟା ବୋଲି କହିବା : ପରମ ବା ଚରମ ସର୍ବଶେଷ ସତ୍ୟ ବୋଲି ପ୍ରକୃତରେ କୌଣସି ପଦାର୍ଥ ନାହିଁ । ଆଙ୍ଗୁଠି ବାଜିବା ମାତ୍ରକେ ଟେବୁଲମାନେ ଯେ ଲେଉଟି ପଡ଼ିଥାନ୍ତି, ଏହି କଥାଟି ମିଛ ହୋଇଥିଲେ ମଧ୍ୟ, ଯଦି ମୁଁ ସେଇଟିରେ ବିଶ୍ଵାସ କରୁଥାଏ, ତେବେ ଏପରି କହିବାବେଳେ ମୁଁ ଆଦୌ ମିଛ କହେନାହିଁ-। ମାତ୍ର, ଯଦି ମୋ’ ଜାଣିବାରେ ମୋ’ ପାଖରେ ପ୍ରକୃତରେ ପଇସା ରହିଥାଏ, ତେବେ ମୋ’ ପଇସା ନାହିଁ ବୋଲି କହିଲେ ତାହା ଅବଶ୍ୟ ମିଛକଥା ହେବ । ନାକଟା ବଡ଼ ହେଲେ ଯେ ସବୁବେଳେ ଅସୁନ୍ଦର ଦେଖାଯାଏ, ସେକଥା ଆଦୌ ଠିକ୍ ନୁହେଁ; ମାତ୍ର, ଗୋଟିଏ ସାନ ମୁହଁ ଉପରେ ବଡ଼ ନାକଟାଏ ପ୍ରକୃତରେ ଅସୁନ୍ଦର ଦେଖାଯାଏ । ସୌନ୍ଦର୍ଯ୍ୟର ପରିପ୍ରେକ୍ଷୀରେ ଅସୁନ୍ଦରତାକୁ କେବଳ ସୌଷମ୍ୟର ଏକ ଅଭାବ ବୋଲି ହିଁ କୁହାଯିବ । ନିଜର ଭୋଜନକୁ ତୁମେ ଭିକାରୀକୁ ଦିଅ ଅଥବା ନିଜେ ଖାଅ, ସେଥିରେ କିଛି ଭୁଲ୍ ହେବନାହିଁ । ମାତ୍ର, ମୋ’ ନିଜର ମାଆ ଉପବାସ ହେତୁ ମୃତ୍ୟୁର ଦ୍ଵାରଦେଶରେ ପହଞ୍ଚିଥିବା ସମୟରେ ସେହି ଭୋଜନକୁ ଆଉ କାହାକୁ ନେଇ ଦେଇଦେବା ବା ସ୍ଵୟଂ ଗ୍ରହଣ କରିବା, ଏହାକୁ ଆଚରଣର ଅବଶ୍ୟ ବିପରୀତ ବୋଲି କୁହାଯିବ ।

 

ଗୋଟିଏ ପିଲାକୁ ତାଲୀମ ଅଥବା ଶିକ୍ଷା ଦେଉଥିବା ସମୟରେ ତାହାର ବିକାଶ ଲାଗି କିଛି କରୁଥିବା ସମୟରେ ଆମ ଆଗରେ ସର୍ବଦା କେବଳ ଗୋଟିଏ ଉଦ୍ଦେଶ୍ୟ ହିଁ ରହିଥିବ । ଅଚେତନ ଭାବରେ ପ୍ରକୃତରେ ସେହି ଉଦ୍ଦେଶ୍ୟଟି ହିଁ ରହିଥାଏ । ସେହି ଉଦ୍ଦେଶ୍ୟଟି ହେଉଛି: ପିଲାଟିର ଜୀବନରେ ସତ୍ୟ, ସୌନ୍ଦର୍ଯ୍ୟ ତଥା ସୁଆଚରଣର କ୍ଷେତ୍ରରେ ଯଥାସମ୍ଭବ ସର୍ବାଧିକ ସୌଷମ୍ୟ ସମ୍ଭବ ହୋଇ ପାରିବ । ଯଦି ସମୟରେ ଗତିଶୀଳତା ନଥାନ୍ତା, ଯଦି ପିଲାର ଜୀବନରେ ଭିନ୍ନ ଭିନ୍ନ ଯାବତୀୟ ପର୍ଯ୍ୟାୟ ଆସୁନଥାନ୍ତା, ତେବେ ସେହି ସୌଷମ୍ୟଟି ଖୁବ୍ ସହଜରେ ହାସଲ ହୋଇଯାଇ ପାରୁଥାନ୍ତା; ଯେତେବେଳେ କୌଣସି ଅଭାବ ରହିଯିବା ପରି ଲାଗନ୍ତା, ଆମେ ସେହି ଅଭାବଟିକୁ ପୂରଣ କରିଦେଇ ପାରୁଥାନ୍ତୁ । ବା, କୌଣସି ଉପାଦାନ ଅତ୍ୟଧିକ ହୋଇଗଲା ବୋଲି ଲାଗିଲା ମାତ୍ରକେ କିଛି କାଢ଼ି ବି ନେଇ ପାରୁଥାନ୍ତୁ ।

 

ମାତ୍ର, ପିଲାର ଗୋଟିଏ ଜୀବନ ରହିଛି, ତା’ ସତ୍ତାର ସବୁଯାକ ଦିଗ ବିକଶିତ ହେବା ନିମିତ୍ତ ପ୍ରୟାସ କରୁଛି, ଗୋଟିଏ କ୍ଷେତ୍ର ଆଉଗୋଟିଏ କ୍ଷେତ୍ରକୁ ପଛରେ ପକାଇଦେଇ ଆଗକୁ ଚାଲିଯାଉଛି ଏବଂ ଅଧିକାଂଶ ସମୟରେ, ଏହି କ୍ଷେତ୍ରଗୁଡ଼ିକରେ ହେଉଥିବା ଅଗ୍ରଗତିକୁ ହିଁ ଆମେ ଲକ୍ଷ୍ୟ ବୋଲି ବୁଝୁଛୁ ଏବଂ ଏହିପରି ଭାବରେ ବିଭିନ୍ନ କ୍ଷେତ୍ରରେ ବିକାଶ ମଧ୍ୟରେ ସୌଷମ୍ୟ ସମ୍ଭବ କରିବା ସହିତ ନୁହେଁ, ଆମେ କେବଳ ଅଗ୍ରଗତି କରୁଥିବା କ୍ଷେତ୍ରଗୁଡ଼ିକ ସହିତ ହିଁ ଯାହାକିଛି ସହଯୋଗ କରୁଛୁ ।

 

ଆମେ ଏଇଟିକୁ ଶିକ୍ଷାଶାସ୍ତ୍ରର ଯାବତୀୟ ସିଦ୍ଧାନ୍ତର ଏକ ମୁଖ୍ୟ ଭୁଲ୍ ବୋଲି ଜାଣିବା । ଆମ ଆଦର୍ଶ ବସ୍ତୁତଃ ଆମ ପଛରେ ହିଁ ରହିଥାଏ, ମାତ୍ର ଆମେ ତାହାକୁ ସର୍ବଦା ଆମ ସମ୍ମୁଖରେ ହିଁ ଦେଖୁଥାଉ । ପରିଣାମତଃ, ଜଣେ ମନୁଷ୍ୟର ଜୀବନରେ ଯାହାକିଛି ଅନିବାର୍ଯ୍ୟ ଭାବରେ ବିକାଶ ଲାଭ କରେ, ତାହା ସୌଷମ୍ୟର ସେହି ଆଦର୍ଶଟି ଲାଗି ଆଦୌ ଅନୁକୂଳ ହୁଏନାହିଁ, ବରଂ ତାହା ସତେଅବା ସୌଷମ୍ୟର ଏକ ଉଚ୍ଚ ଆଦର୍ଶରେ ଲାଗି ଆଦୌ ଉପନୀତ ହେବାର ପଥରେ ପରମସ୍ରଷ୍ଟା ଆଣି ପହଞ୍ଚାଇ ଦେଇଥିବା ଗୋଟିଏ ପ୍ରତିବନ୍ଧକ ପରି ହିଁ କାର୍ଯ୍ୟ କରିଥାଏ ।

 

ଗୋଟିଏ ସୁସ୍ଥ ଶିଶୁ ଏହି ପୃଥିବୀରେ ଜନ୍ମଗ୍ରହଣ କରିବା ସମୟରେ ତା’ ଭିତରେ ଅନ୍ତର୍ନିହିତ ହୋଇ ରହିଥିବା ସତ୍ୟ, ସୌନ୍ଦର୍ଯ୍ୟ ତଥା ମଙ୍ଗଳର ସମ୍ବନ୍ଧଗତ ସୌଷମ୍ୟ ନିମନ୍ତେ ଯାବତୀୟ ଆବଶ୍ୟକତାକୁ ଅବଶ୍ୟ ପୂରଣ କରୁଥାଏ । ସକଳ ଯୁଗରେ ଏବଂ ସକଳ ଜନସମୂହରେ ଗୋଟିଏ ଶିଶୁ ସେହି ଆଦର୍ଶ ଦୋଷହୀନତା, ନିଷ୍ଠାପତା, ମଙ୍ଗଳ, ସତ୍ୟ ଏବଂ ସୌନ୍ଦର୍ଯ୍ୟର ହିଁ ପ୍ରତିନିଧି ହୋଇ ରହିଆସିଛି ।

 

ମନୁଷ୍ୟ ଏକ ପରିପୂର୍ଣ୍ଣ ଅସ୍ତିତ୍ଵରୂପେ ପୃଥିବୀକୁ ଆସେ,–ମନୀଷୀ ରୁଷୋ ସେହି ମହାନ୍ ସତ୍ୟଟିର ଘୋଷଣା କରି ଯାଇଛନ୍ତି ଏବଂ ଏବେମଧ୍ୟ ସେହି ସତ୍ୟ ଏକ ପର୍ବତବତ୍ ଅଟଳ ହୋଇ ଠିଆ ହୋଇଛି । ଜନ୍ମ ନେବା ପରେ ମନୁଷ୍ୟ ତା ସମ୍ମୁଖରେ ସୌଷମ୍ୟ, ସତ୍ୟ, ଶିବ, ଏବଂ ସୁନ୍ଦରର ନିଜ ଆଦର୍ଶଟିକୁ ଛିଡ଼ା କରି ରଖିବାକୁ ଆରମ୍ଭ କରେ । ମାତ୍ର, ତା’ ଜୀବନର ପ୍ରତ୍ୟେକ ଘଟିକା ଓ ପ୍ରତ୍ୟେକ ଦଣ୍ଡ ତା’ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ସେଗୁଡ଼ିକ ସହିତ ଅଧିକରୁ ଅଧିକ ଦୂରତା ସୃଷ୍ଟି କରିବାରେ ଲାଗିଥାଏ । ସବାମୂଳରେ ରହିଥିବା ସେହି ସୌଷମ୍ୟଟି ପ୍ରତ୍ୟେକ ପଦକ୍ଷେପରେ ହିଁ ବିପିନ୍ନ ହେଉଥାଏ,–ଆଗକୁ ପାଦଟିଏ ପକାଇବା ସଙ୍ଗେ ସଙ୍ଗେ ସତେଅବା ଏକ ନୂତନ ଉଲ୍ଲଘଂନ ସୃଷ୍ଟି ହେବାରେ ଲାଗିଥାଏ । ପୁନର୍ବାର ସେହି ସୌଷମ୍ୟର ପ୍ରତିଷ୍ଠିତ ହେବାର କୌଣସି ଆଶା ହିଁ ରହେନାହିଁ । ଶୈଶବସମୟ ଯେ ସେହି ପ୍ରତିନିଧିତ୍ଵ କରୁଥାଏ, ଅଧିକାଂଶ ଶିକ୍ଷାଦାତା ସେହି କଥାଟିକୁ ପାସୋରି ଦିଅନ୍ତି ଏବଂ କେତୋଟି ଅପରିବର୍ତ୍ତନୀୟ ନିୟମର ଅନୁସରଣ କରି ଚାଲିଥିବା ପିଲାର ବିକାଶକୁ ହିଁ ସବାବଡ଼ କଥା ବୋଲି ଗ୍ରହଣ କରି ନିଅନ୍ତି । ଅତ୍ୟନ୍ତ ଭ୍ରମପୂର୍ଣ୍ଣ ଭାବରେ ବିକାଶକୁ ଏକ ଚରମଲକ୍ଷ୍ୟ ରୂପେ ମାନି ନିଆଯାଏ କାରଣ, ଶିକ୍ଷାଦାତାମାନେ ଏହି କ୍ଷେତ୍ରରେ ଅପାରଙ୍ଗମ ମୂର୍ତ୍ତିକାରମାନଙ୍କ ସଦୃଶ୍ୟ ହିଁ କାର୍ଯ୍ୟ କରିଥାନ୍ତି ।

 

ଶିକ୍ଷାଦାତାମାନେ ଅପାତତଃ କେବଳ ଗୋଟିଏ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସବୁଯାକ ଉଦ୍ୟମ କରୁଥାନ୍ତି,–ବିକାଶର ପ୍ରକ୍ରିୟାଟି ଯେପରି କଦାପି ବନ୍ଦ ହୋଇ ନଯିବ, ସେମାନେ ସେହି ପ୍ରୟାସରେ ହିଁ ଲାଗି ରହିଥାନ୍ତି । ଏବଂ, ଯଦି କେତେବେଳେ ବି ସେମାନେ ସୌଷମ୍ୟ ବିଷୟରେ କୌଣସି ଚିନ୍ତା କରନ୍ତି, ତେବେ ଭବିଷ୍ୟ ଭିତରେ ରହିଥିବା ଏକ ଅଜ୍ଞାତ ଆଦର୍ଶର ନିକଟବର୍ତ୍ତୀ ହେବାକୁ ସର୍ବଦା ଚେଷ୍ଟା କରି ସେମାନେ ତାହା କରନ୍ତି । ଅତୀତ ତଥା ବର୍ତ୍ତମାନ ମଧ୍ୟରେ ରହିଥିବା ଆଦର୍ଶରୁ ସେମାନେ ପ୍ରକୃତରେ ପଛକୁ ହଟି ଯାଆନ୍ତି । ଗୋଟିଏ ଶିଶୁର ଶିକ୍ଷା ଯେତେ ବାଧାଯୁକ୍ତ ହୋଇଥିଲେ ମଧ୍ୟ ତା’ଭିତରେ ସୌଷମ୍ୟର ସେହି ମୂଳଭୂତ ଉପାଦାନଗୁଡ଼ିକ ଅବଶ୍ୟ ନିହିତ ହୋଇ ରହିଥାଏ । ବିକାଶର ପ୍ରକ୍ରିୟାଟିକୁ ସାହାଯ୍ୟ କରି ନୁହେଁ, ସେଥିରେ ସମୁଚିତ ପରିବର୍ତ୍ତନଗୁଡ଼ିକୁ ସମ୍ଭବ କରି ହିଁ ଆମେ ହୁଏତ ତଥାପି ଶିଶୁ ଭିତରେ ସେହି ସୌଷମ୍ୟ ତଥା ବିଧାନର ନିକଟବର୍ତ୍ତୀ ହୋଇ ପାରିବା ।

 

ମାତ୍ର, ଆମ ନିଜର ଧାରଣାଗୁଡ଼ିକ ବିଷୟରେ ଆମ ବିଶ୍ଵାସ ଏତେ ବେଶୀ ଦୃଢ଼ ହୋଇ ରହିଥାଏ ଏବଂ ଆମେ ଚରମ ପୂର୍ଣ୍ଣତା ଉପରେ ଏଡ଼େ ଭାବବିହ୍ଵଳ ଭାବରେ ଆସ୍ଥା କରି ପକାଇଥାଉ ଯେ, ଯାହାକିଛି ଆମ ନିୟମରେ ପଡ଼ୁନାହିଁ, ତାହା ବିଷୟରେ ଆମର ଧୈର୍ଯ୍ୟ ଏତେ କମ୍ ଥାଏ ଏବଂ ଆମେ ସେଗୁଡ଼ିକୁ ନିୟମରେ ପକାଇ ଆଣିବା ବିଷୟରେ ଏତେ ବଦ୍ଧପରିକର ରହିଥାଉ ଯେ, ଗୋଟିଏ ଶିଶୁର ସେହି ଆଦିମ ଓ ମୂଳଭୂତ ସୌନ୍ଦର୍ଯ୍ୟକୁ ବୁଝିବା ଏବଂ ଜାଣିବାପାଇଁ ଆମର ଏତେ କମ୍ ସାମର୍ଥ ରହିଥାଏ ଯେ, ଆମେ ଯାବତୀୟ ପ୍ରକାରେ ଅଧୀରତା ପ୍ରକାଶ କରି ତାକୁ ଦୋହଲାଇ ପକାଉ, ଆମେ ତା’ଭିତରେ ଦେଖିବାକୁ ପାଉଥିବା ସକଳ ଅନିୟମିତତାକୁ ସଂଶୋଧନ କରିବାକୁ ଆଗଭର ହୋଇଯାଉ । ଆମେ ପିଲାଟିକୁ ନିୟମ ଭିତରେ ବାନ୍ଧିରଖୁ, ତାକୁ ଶିକ୍ଷା ଦେଉ । ଆମେ ତାହାର ସବୁଯାକ ଦିଗକୁ ବିକଶିତ କରି ଆଣିବାରେ ଲାଗିଯାଉ,–ନିୟମରେ ବାନ୍ଧି ପକାଇ ଶିକ୍ଷା ଦେଉ ଏବଂ ଶିକ୍ଷା ଦେଇ ନିୟମରେ ବାନ୍ଧି ରଖୁ । ଏହି ଦୁଇଟିଯାକ ପ୍ରକ୍ରିୟା ପିଲାଟିର ଉତ୍ତରୋତ୍ତର ବିକାଶ ସାଧନ କରିବାରେ ଲାଗିଥାନ୍ତି ଏବଂ ତାକୁ ଅଧିକରୁ ଅଧିକ ପରିମାଣରେ ତା’ର ମୂଳଭୂତ ଆଦର୍ଶସ୍ଥିତି ଠାରୁ ଦୂରକୁ ନେଇ ଆସିଥାନ୍ତି । ତେଣେ, ତାକୁ ଜଣେ ବୟସ୍କ ମଣିଷର କଳ୍ପନାରେ ରହିଥିବା ସେହି ପୂର୍ଣ୍ଣତାର ଆଦର୍ଶରେ ନେଇ ପହଞ୍ଚାଇବାର କାର୍ଯ୍ୟଟି ମଧ୍ୟ ଅଧିକରୁ ଅଧିକ ଅସମ୍ଭବ ହୋଇ ଚାଲିଥାଏ ।

 

ଆମ ଆଦର୍ଶ ଆମ ପଶ୍ଚାତରେ, ଆମ ସମ୍ମୁଖରେ ନୁହେଁ ।

 

ଶିକ୍ଷା ଜଣେ ମଣିଷକୁ ନଷ୍ଟ କରିଦିଏ, ତା’ ଜୀବନରେ କୌଣସି ଉନ୍ନତିବିଧାନ କରେନାହିଁ । ଏବଂ, ପିଲାଟି ଯେତିକି ନଷ୍ଟ ହେବାରେ ଲାଗିଥାଏ, ତାକୁ ଶିକ୍ଷା ଦେବାର ଆବଶ୍ୟକତା ମଧ୍ୟ ସେତିକି କମ୍ ହେବାରେ ଲାଗିଥାଏ ଏବଂ ସିଏ ସେତିକି ଅଧିକ ପରିମାଣରେ ସ୍ଵାଧୀନତା ଆବଶ୍ୟକ କରୁଥାଏ । ଗୋଟିଏ ଶିଶୁକୁ ପାଠ ପଢ଼ାଇବା ଓ ଶିକ୍ଷା ଦେବା ପ୍ରକୃତରେ ସମ୍ପୂର୍ଣ୍ଣ ଅସମ୍ଭବ ଏବଂ ନିରର୍ଥକ,–ଏବଂ ଏହାର ଏକମାତ୍ର ସହଜ କାରଣ ହେଉଛି ଯେ ସେହି ପିଲା ମୋ’ ଠାରୁ ଅର୍ଥାତ୍ ଯେକୌଣସି ବୟସ୍କ ବ୍ୟକ୍ତିଠାରୁ ସୌଷମ୍ୟ, ସତ୍ୟ, ସୌନ୍ଦର୍ଯ୍ୟ ଏବଂ ଶିବର ସେହି ଆଦର୍ଶଟିର ଅଧିକ ନିକଟବର୍ତ୍ତୀ ହୋଇ ରହିଛି, ଏବଂ ମୁଁ ତଥାପି ନିଜ ଗର୍ବରେ ମଜ୍ଜି ଯାଇ ତାକୁ ନେତୃତ୍ଵ ଦେବାକୁ, ବାଟ ଦେଖାଇ ଆଗକୁ ନେଇଯିବାକୁ ଇଚ୍ଛା କରୁଛି ।

 

ଏହି ଆଦର୍ଶର ସଚେତନତା ମୋ’ ତୁଳନାରେ ସେହି ଶିଶୁଟି ଭିତରେ ହିଁ ଅଧିକ ଶକ୍ତିଶାଳୀ ହୋଇ ରହିଛି । ଆପଣଙ୍କୁ ସୌଷମ୍ୟର ସହିତ ଏବଂ ଯାବତୀୟ ଦିଗରୁ ପୂର୍ଣ୍ଣ କରି ନେବାପାଇଁ ତା’ର କେବଳ ସାମଗ୍ରୀର ହିଁ ଆବଶ୍ୟକତା ରହିଛି । ମୁଁ ଯେମିତି ତାକୁ ପୂର୍ଣ୍ଣ ସ୍ଵାଧୀନତା ଦେଇ ପାରିଲି, ତାକୁ ଶିକ୍ଷା ଦେବାର ମୋଟେ କୌଣସି ଚେଷ୍ଟା କଲିନାହିଁ, ସିଏ କେଡ଼େ କାବ୍ୟପୂର୍ଣ୍ଣ ଭାବରେ ଏହି କାହାଣୀଟିକୁ ଲେଖି ପାରିଲା,–ସେହି କାହାଣୀଟିର ସମତୁଲ ଆଉଗୋଟିଏ କାହାଣୀ ଆମ ରୁଷୀୟ ସାହିତ୍ୟରେ ମଧ୍ୟ ଦେଖିବାକୁ ମିଳିବନାହିଁ । ଏବଂ ତେଣୁ, ମୋ’ ମତରେ, ପିଲାମାନଙ୍କୁ ଶିକ୍ଷା ଦେବା ଆମ ପାଇଁ ଆଦୌ ସମ୍ଭବ ନୁହେଁ, ଏବଂ ବିଶେଷତଃ କୃଷକଘରର ପିଲାକୁ । ତୁମେ ତାକୁ କୌଣସି ଲେଖା ଓ ରଚନା ଆଦୌ ଶିଖାଇ ପାରିବନାହିଁ । ରଚନାଟିକୁ କିପରି ଆରମ୍ଭ କରିବା,–ତୁମେ କେବଳ ସେତିକି ଦେଖାଇଦେଇ ପାରିଲେ ହେଲା ।

 

ମୁଁ ଏହି କ୍ଷେତ୍ରରେ ଯାହାକିଛି କରିଛି, ଯଦି ତାହାକୁ ପଦ୍ଧତି ବୋଲି କୁହା ଯାଇପାରେ, ତେବେ ସେହି ପଦ୍ଧତିଗୁଡ଼ିକ ଏହିଭଳି ହେବ:

 

୧) ବିଷୟର ନିର୍ବାଚନ କରିବା କ୍ଷେତ୍ରରେ କୌଣସି ସୀମା ରହିବନାହିଁ ଓ ଯଥାସମ୍ଭବ ଅଧିକ ବୈଚିତ୍ର୍ୟ ରହିଥିବ । ଆମେ ସେଗୁଡ଼ିକୁ ଖାସ୍ ପିଲାମାନଙ୍କ ଲାଗି ଉଦ୍ଭାବନ କରିବାକୁ ମୋଟେ ଚେଷ୍ଟା କରୁନଥିବା ଏବଂ, ଯାହା ସ୍ଵୟଂ ଶିକ୍ଷକକୁ ଆଗ୍ରହୋଦ୍ଦୀପକ ମନେ ହେଉଥିବ, ସେହିଭଳି ସର୍ବାଧିକ ଗମ୍ଭୀର ବିଷୟଗୁଡ଼ିକୁ ମଧ୍ୟ ପ୍ରସ୍ତାବ କରିପାରିବା ।

 

୨) ପିଲାମାନଙ୍କୁ ଆମେ ପିଲାମାନେ ଲେଖିଥିବା ରଚନାଗୁଡ଼ିକୁ ହିଁ ପଢ଼ିବାକୁ ଦେବା, ଆମେ ସେହିଗୁଡ଼ିକ ହିଁ ସେମାନଙ୍କ ଆଗରେ ଆଦର୍ଶ ନମୁନାରୂପେ ରଖିବା; କାରଣ ପିଲାମାନଙ୍କର ରଚନା ହିଁ ବୟସ୍କମାନଙ୍କର ରଚନା ତୁଳନାରେ ସର୍ବଦା ଅଧିକ ଅସଲ, ଅଧିକ ରୁଚିପୂର୍ଣ୍ଣ ଏବଂ ଅଧିକ ନୀତିସଂବଳିତ ହୋଇ ପାରନ୍ତି ।

 

୩) (ଏଇଟି ବିଶେଷ ମହତ୍ତ୍ଵପୂର୍ଣ୍ଣ) ପିଲାମାନେ ଲେଖିଥିବା ରଚନାଗୁଡ଼ିକର ମୂଲ୍ୟାୟନ କରୁଥିବା ସମୟରେ ସେମାନଙ୍କର ଖାତା ପରିଷ୍କାର ଅଛି କି ନାହିଁ, ଅକ୍ଷର ଭଲ ହୋଇଛି କି ନାହିଁ, ବନାନ୍ ଭୁଲ୍‍ କେତେ ହୋଇଛି ଏବଂ ସର୍ବୋପରି, ବିଷୟଗୁଡ଼ିକ ନ୍ୟାୟସଙ୍ଗତ ଭାବରେ ଆଗପଛ ହୋଇ ରହିଛନ୍ତି କି ନାହିଁ, ଏସବୁ ବିଷୟରେ କଦାପି କୌଣସି ମନ୍ତବ୍ୟ ଦିଆ ଯିବନାହିଁ ।

 

୪) ରଚନାଟିରେ କେଉଁସବୁ ଦିଗ ରହିବ, କେଉଁସବୁ ବିଷୟ ସ୍ଥାନ ପାଇବ ବା ବିଷୟଟି କେତେ କୌଶଳର ସହିତ ଲେଖା ହେବ, ଜଣେ ଲେଖକର ପ୍ରକୃତ ଅସୁବିଧା ଏଗୁଡ଼ିକରେ ନଥାଏ-। ତେଣୁ, ସର୍ବପ୍ରଥମେ ଏକାବେଳେକେ ବହୁସଂଖ୍ୟକ ବିଷୟ ଓ ଧାରଣା ଭିତରୁ ଗୋଟିଏ ବାଛିନେଇ ପାରିବା ହେଉଛି ଅସଲ କଥା । ଦ୍ଵିତୀୟତଃ, ଯଥାର୍ଥ ଶବ୍ଦଗୁଡ଼ିକର ଚୟନ, ତୃତୀୟତଃ ସେହି ଶବ୍ଦଗୁଡ଼ିକର ବ୍ୟବହାର । ଚତୁର୍ଥତଃ, ଯାହା ଲେଖା ହୋଇ ଯାଇଛି, ତାହାକୁ ସ୍ମରଣ ରଖିବା, ଯେପରିକି କୌଣସି ପୁନରାବୃତ୍ତି ହୋଇ ଯିବନାହିଁ ଅଥବା କିଛି ଛାଡ଼ି ବି ହୋଇ ଯିବନାହିଁ । ଶେଷ ଏବଂ ପଞ୍ଚମ କଥାଟି ହେଉଛି, ଚିନ୍ତା କରିବାର ଏବଂ ଲେଖିବାର ପ୍ରକ୍ରିୟାଟି ଲାଗି ରହିଥିବା ସମୟରେ ଯେପରି ଗୋଟିଏ ପ୍ରକ୍ରିୟା ଅନ୍ୟଟି ଉପରେ କୌଣସି ହସ୍ତକ୍ଷେପ ନକରେ, ସେଥିପ୍ରତି ଦୃଷ୍ଟି ଦେବା ।

 

ଏହିସବୁ କଥାକୁ ଦୃଷ୍ଟିରେ ରଖି ମୁଁ ଏହିଭଳି କରିଥିଲି :

 

କେତୋଟି ପର୍ଯ୍ୟାୟର ଦାୟିତ୍ଵକୁ ମୁଁ ପ୍ରଥମେ ନିଜେ ନେଇଥିଲି ଓ ଧୀରେ ଧୀରେ ପିଲାମାନଙ୍କ ପାଖକୁ ହସ୍ତାନ୍ତରିତ କରି ଦେଇଥିଲି । ପ୍ରଥମେ ମୋତେ ଭଲ ଲାଗୁଥିବା ବିଷୟଗୁଡ଼ିକୁ ମୁଁ ବାଛି ଦେଉଥିଲି; କୌଣସି ପୁନରାବୃତ୍ତି ଯେପରି ନହୁଏ, ସେଥିଲାଗି ଲେଖାଗୁଡ଼ିକୁ ସଂଶୋଧନ କରି ଦେଉଥିଲି । ହଁ, ମୁଁ ନିଜେ ମଧ୍ୟ ଲେଖୁଥିଲି ଏବଂ ପିଲାମାନେ ତାହାକୁ ଶବ୍ଦର ପରିଚ୍ଛଦ ପିନ୍ଧାଇ ଦେଉଥିଲେ । ପରେ ମୁଁ ସମ୍ପୂର୍ଣ୍ଣ ନିର୍ବାଚନଟି ପିଲାମାନଙ୍କ ହାତରେ ହିଁ ଛାଡ଼ିଦେଲି-। ତା’ପରେ ସଂଶୋଧନ କରିବାର କାର୍ଯ୍ୟଟି ମଧ୍ୟ ପିଲାମାନେ କଲେ । ଏହିପରି ଭାବରେ, ଛାପା ହୋଇଥିବା “ଜଣେ ସୈନିକର ଜୀବନକଥା” କାହାଣୀଟିର ସବୁଯାକ ପ୍ରକ୍ରିୟାକୁ ପ୍ରକୃତରେ ପିଲାମାନେ ହିଁ ସମ୍ପନ୍ନ କରିଥିଲେ ।

Image